Unknown

 

 

 

 

 

 

 

 

 

ଚିତ୍ର

ଶ୍ରୀ ବ୍ରଜବିହାରୀ ମହାନ୍ତି

 

ସୂଚୀପତ୍ର

 

୧.

ଜୀବନ ଯାତ୍ରା

୨.

ନୀତି ଓ ସମାଜ

୩.

ଲକ୍ଷ୍ମୀବାଈ

୪.

ଅତୀତର ଉବ୍ଦୋଧନ

୫.

ରୂପର ପୂଜା

୬.

ଜାତୀୟ ଶିକ୍ଷା

୭.

ଜ୍ଞାନ ଓ କର୍ମ

୮.

କର୍ମ ଓ ସ୍ୱାତନ୍ତ୍ର୍ୟ

୯.

କର୍ମୀ ମଧୁସୂଦନ

୧୦.

ଚିତ୍ର

୧୧.

ପରିଣୟ ପ୍ରଭାବ

୧୨.

ସୁଖର ସନ୍ଧାନ

୧୩.

ଆକାଙ୍କ୍ଷା ଓ ସମ୍ମାନ

୧୪.

ବିଶ୍ୱବିଦ୍ୟାଳୟ ଶିକ୍ଷା

୧୫.

ଭାବୁକର ଦୃଷ୍ଟି

୧୬.

କଳା-ବିଭବ

୧୭.

ଶକ୍ତିର ବିକାଶ

୧୮.

ସଂଘର୍ଷ

୧୯.

ହିଂସାତ୍ମକ ନୀତି

୨୦.

ସମର ପ୍ରସଙ୍ଗ

୨୧.

ମାନବ ପ୍ରଗତି

୨୨.

ଶାନ୍ତିର ସୋପାନ

୨୩.

କାଳିମା

୨୪.

ପ୍ରତୀକ୍ଷା

୨୫.

ଭୋଗ ଓ ତ୍ୟାଗ

୨୬.

ମହତ୍‌ର ଚିନ୍ତାଧାରା

୨୭.

ବେଷ୍ଟନୀ

୨୮.

ଅବସାଦ

୨୯.

ପ୍ରିୟ-ଦର୍ଶନ

୩୦.

ଅବସାନ

•••

 

ଜୀବନ-ଯାତ୍ରା

କାଳସ୍ରୋତରେ ଜୀବନର ଗତି ନିର୍ଣ୍ଣୟ କରିବା ସହଜ ନୁହେଁ । ବର୍ତ୍ତମାନ ଜୀବନରେ ଯାହା ଗର୍ହିତ ଓ ଅଶୁଭ ଫଳ ପ୍ରସବ କରୁଚି, ସମୟ ବିଶେଷରେ ତାର ସମ୍ପୂର୍ଣ୍ଣ ପରିବର୍ତ୍ତନ ଘଟିପାରେ । ଯାବତୀୟ ସାଂସାରିକ କ୍ରିୟାର ବିକାଶ ଓ ଉନ୍ନତି ସଙ୍ଗେ ପରିବର୍ତ୍ତନ–ନିୟମର ସମ୍ୱନ୍ଧ ରହିଛି । ବ୍ୟକ୍ତିଗତ ଭାବରେ ଦେଖିବାକୁ ଗଲେ ଜଣାଯାଏ ଯେ, ପ୍ରତ୍ୟେକର ଜୀବନରେ ଏ ନିୟମର ବ୍ୟତିକ୍ରମ ନାହିଁ । ମନୁଷ୍ୟର ବୟସ କ୍ରମଶଃ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ପାରିପାର୍ଶ୍ୱିକ ଅବସ୍ଥାମାନଙ୍କର ପରିବର୍ତ୍ତନ ଆବଶ୍ୟକ ହୁଏ । କ୍ରୀଡ଼ାରତ ବାଳକର ଚାଞ୍ଚଲ୍ୟ ବାର୍ଦ୍ଧକ୍ୟରେ ଲୋପ ପାଇବା ସ୍ୱାଭାବିକ ହୁଏ । ଯୌବନରେ ଯାହା ମନୋମୁଗ୍‌ଧକର ହୋଇଥାଏ, ବୟସର ଆଧିକ୍ୟବଶତଃ ସେଥିରେ ବିକାର ଜନ୍ମିବା ଅସମ୍ଭବ ନୁହେଁ । ସମୟର ଗତି ସଙ୍ଗେ ଏକ ପଦାର୍ଥରୁ ଅନ୍ୟ ପଦାର୍ଥକୁ ମନ ଆକୃଷ୍ଟ ହୋଇଥାଏ । ଏହାଦ୍ୱାରା ଜୀବନର ବୈଚିତ୍ର୍ୟ ଉପଲବ୍‌ଧ ହୁଏ ନାହିଁ; ବରଂ ଗୋଟିକ ପରେ ଗୋଟିଏ ବିଷୟ ତ୍ୟାଗ କରି ଜୀବନର ନୀରସତା ବଢ଼ିଯାଏ । ଜୀବନରେ ମହତ୍ତ୍ୱ ପାଇବାକୁ ହେଲେ ସମୟ-ସ୍ରୋତରେ ନିଜର ସ୍ୱାତନ୍ତ୍ର୍ୟ ଅକ୍ଷୁଣ୍ଣ ରଖି ପ୍ରକୃତ କର୍ମର ପନ୍ଥା ଅନୁସରଣ କରିବା ବିଧେୟ । ଏପରି କଲେ, ବୟସର ଆଧିକ୍ୟ ସଙ୍ଗେ ଉତ୍ସାହର ନ୍ୟୂନତା କୌଣସି ପ୍ରତିବନ୍ଧକ ଜନ୍ମାଏ ନାହିଁ । ଜୀବନର ସୁନିୟନ୍ତ୍ରଣରେ ସୁଖଲାଭ ନିର୍ଭର କରେ ।

 

ବୟୋବୃଦ୍ଧି ସଙ୍ଗେ ଅନେକ ଜୀବନର ନିଷ୍ପ୍ରଭତା ଦେଖାଯାଏ । କ୍ଷଣିକ ସୁଖ ଆଶାରେ ଯେଉଁମାନେ ବ୍ୟସ୍ତ; ସେମାନେ ଏପରି ଦଶାର ଅଧୀନ ହୁଅନ୍ତି; କିନ୍ତୁ ଯେଉଁମାନେ ସତର୍କ ଥାଇ ପ୍ରତ୍ୟେକ କାର୍ଯ୍ୟ ପୁଙ୍ଖାନୁପୁଙ୍ଖରୂପେ ବିଚାର କରି ଶାନ୍ତଭାବରେ ଅଗ୍ରସର ହୁଅନ୍ତି ଓ ନିଜ ବିବେକର ଆଦେଶ ପାଳନ କରନ୍ତି, ସେମାନଙ୍କ ବାର୍ଦ୍ଧକ୍ୟରେ ଅପରିଣାମଦର୍ଶିତା ପାଇଁ କୌଣସି ଦୁଃଖ ଭୋଗ କରିବାକୁ ହୁଏ ନାହିଁ । ଯୌବନରେ ସ୍ଫୁର୍ତ୍ତ, ଆନନ୍ଦର ମୁକ୍ତତା ଓ ଆବେଗ ସଂପ୍ଳୁତ ଥାଏ ବୋଲି ସ୍ୱାର୍ଥହୀନ ଓ ସରଳ ଜୀବନର ଶେଷ ଅବସ୍ଥାଟି ବେଶି ଆରାମପ୍ରଦ ବୋଧହୁଏ । ଦିବସର ଅବସାନ ସଙ୍ଗେ ମନୁଷ୍ୟର ଶେଷ-ଜୀବନକୁ ତୁଳନା କରାଯାଇପାରେ । ମେଘ-ନିର୍ମୁକ୍ତ ଆକାଶ ସନ୍ଧ୍ୟା ଆଗମରେ ରମଣୀୟ ଶୋଭା ଧାରଣ କରି ସମସ୍ତ ଦିବସର ଶାନ୍ତଚ୍ଛବି ପ୍ରକଟିତ କରେ । ସେହିପରି ଜୀବନ-ସମୁଦ୍ରରେ ବାତ୍ୟା-ବିକ୍ଷୋଭିତ ତରଙ୍ଗରାଶିର ବିରାମ ଘଟିଲେ, ପ୍ରଶାନ୍ତ ଭାବ ସ୍ୱତଃ ଉଦିତ ହୋଇ ମନରେ ଯେଉଁ ଆନନ୍ଦ ଜନ୍ମାଏ, ତାହା ସାଧାରଣ ବିଷୟ-ସୁଖରେ ମିଳେ ନାହିଁ-

 

ଶିଶେରୋ (Cicero) ବୃଦ୍ଧାବସ୍ଥାର ଦୂରବସ୍ଥା ସମ୍ୱନ୍ଧରେ ଚାରୋଟି କାରଣ ସ୍ଥିର କରିଅଛନ୍ତି । ପ୍ରଥମରେ–କାର୍ଯ୍ୟକ୍ଷେତ୍ରରୁ ଅବ୍ୟାହତି ପାଇ ନୀରବ ରହିବା; ଦ୍ୱିତୀୟରେ–ଶାରୀରିକ ଦୁର୍ବଳତା; ତୃତୀୟରେ–ଇନ୍ଦ୍ରିୟମାନଙ୍କର ଶିଥିଳତା; ଚତୁର୍ଥରେ ମୃତ୍ୟୁର ନୈକଟ୍ୟ ।

 

କର୍ମମୟ ଜୀବନର ଶେଷ ଅବସ୍ଥାରେ ବିଶ୍ରାମ ପାଇଲେ ମନର କୌଣସି ବିକ୍ଷେପ ହେବା ସଙ୍ଗତ ବୋଧହୁଏ ନାହିଁ; ବରଂ ସମ୍ପାଦିତ ପବିତ୍ର କାର୍ଯ୍ୟମାନଙ୍କର ସ୍ମୃତି ମନରେ ଜାଗ୍ରତ ହୋଇ ଜୀବନର ମହତ୍ତ୍ୱ ପ୍ରତିପନ୍ନ କରାଏ । ଦ୍ୱିତୀୟରେ, ଶରୀରର ଦୁର୍ବଳତା ନିୟମିତ ଭାବରେ ଜୀବନଯାପନ କରିବାଦ୍ୱାରା ଅନୁଭୂତ ହୁଏ ନାହିଁ । ତୃତୀୟତଃ ଇନ୍ଦ୍ରିୟମାନଙ୍କର ଚାଳନାରୁ ନିବୃତ୍ତ ହୋଇ ମନ ଉତ୍ତରୋତ୍ତର ଭାବରାଜ୍ୟରେ ଅଗ୍ରସର ହୁଏ ଓ ସତ୍‌ପ୍ରବୃତ୍ତିମାନଙ୍କର ଉନ୍ନତି ସାଧନରେ କ୍ଷୁଦ୍ର ସାଂସାରିକ ସୁଖ ଆତ୍ମୋନ୍ନତି ପଥରୁ ଅନ୍ତର ହୋଇଯାଏ । ଉନ୍ନତିପରାୟଣ କର୍ମୀ ମନୁଷ୍ୟ ଶେଷ ଅବସ୍ଥାରେ ସୁଦ୍ଧା ଆସନ୍ନ ମୃତ୍ୟୁକୁ ଭୟ କରେ ନାହିଁ ।

 

ସୁପ୍ରସିଦ୍ଧ ଲେଖକ ଇମାରସନ୍‌ ମାନବ ମନର ଚରମ ଉତ୍କର୍ଷରେ ବିଶ୍ୱର ସ୍ୱରୂପ ନିର୍ଦ୍ଧାରଣ ପଥ ନିର୍ଦ୍ଦେଶ କରନ୍ତି । ପ୍ରାଚୀନ ହିନ୍ଦୁ ମଧ୍ୟ ଏହା ସ୍ଥିର କରିଥିଲେ । ସାଧନାଦ୍ୱାରା ମନରୁ ଯେଉଁ ଜ୍ଞାନାଲୋକ ବିକୀର୍ଣ୍ଣ ହୁଏ, ତାହା ଶତ ସୂର୍ଯ୍ୟରଶ୍ମିକୁ ପରାଜିତ କରି ଈପ୍‌ସିତ ଗନ୍ତବ୍ୟ ପଥରେ ଧାବିତ ହୁଏ । ମନୁଷ୍ୟର ଜନ୍ମ ଓ ମୃତ୍ୟୁ କେବଳ ଏ ପଥର ସୋପାନ ସ୍ୱରୂପ । ଅଧିକାଂଶ ମନୁଷ୍ୟ ଜୀବନର ଲକ୍ଷ୍ୟ ସ୍ଥିର କରି ନ ପାରି ଉଦ୍ଭ୍ରାନ୍ତ ପଥିକ ପରି ଅଗ୍ରସର ହୁଅନ୍ତି । ସେମାନଙ୍କ ପକ୍ଷରେ ଜୀବନ ନିରର୍ଥକ ଓ ମୃତ୍ୟୁ ଭୟପ୍ରଦ ।

 

ପ୍ଳେଟୋ ମନୁଷ୍ୟକୁ ବିଭିନ୍ନ ସ୍ୱଭାବ ତ୍ରୟର ସମାବେଶରେ ଦୁଇଟି ପକ୍ଷିରାଜ ଘୋଟକ ଓ ଗୋଟିଏ ରଥଚାଳକ ସଙ୍ଗେ ତୁଳନା କରିଛନ୍ତି । ଦୁଇଟି ଘୋଟକ ମଧ୍ୟରୁ ଗୋଟିଏ ଶାନ୍ତ ଓ ଅପରଟି ଦୁର୍ଦ୍ଦାନ୍ତ । ଯେତେବେଳେ ଶାନ୍ତ ଅଶ୍ୱଟି ରଥକୁ ଊର୍ଦ୍ଧ୍ୱଗାମୀ କରାଇବାକୁ ଚେଷ୍ଟାକରେ, ସେତେବେଳେ ତାର ଦୁଷ୍ଟ ସଙ୍ଗୀ ନିମ୍ନକୁ ଟାଣି ଧରେ । ରଥଚାଳକ ବିଜ୍ଞ ଓ ଦୃଢ଼ ହେଲେ ସୁଗତି ସମ୍ଭବପର ହୁଏ । ପ୍ରତ୍ୟେକ ମନୁଷ୍ୟର ଉଚ୍ଚ ଓ ନୀଚ ପ୍ରବୃତ୍ତି ଅଛି । ଉଚ୍ଚ ପ୍ରବୃତ୍ତମାନଙ୍କୁ ପୋଷଣ କରିବାଦ୍ୱାରା ନୀଚ ସ୍ୱଭାବ କ୍ରମଶଃ ଅନ୍ତର୍ହିତ ହୋଇଯାଏ । ଯେଉଁମାନେ ସାବଧାନ ହୋଇ ଉଚ୍ଚ ଆଡ଼କୁ ଲକ୍ଷ୍ୟ ରଖି କାର୍ଯ୍ୟ କରନ୍ତି, ସେମାନଙ୍କର ଜୀବନ ସାର୍ଥକ ହୁଏ । କେବଳ ବାର୍ଦ୍ଧକ୍ୟରେ ସମ୍ପୂର୍ଣ୍ଣରୂପେ କୁସ୍ୱଭାବ ପରିତ୍ୟାଗ କରି ସୁସ୍ୱଭାବର ଅନୁବର୍ତ୍ତୀ ହେବା ଅସମ୍ଭବ କହିଲେ ଚଳେ । ମନ ଓ ଇନ୍ଦ୍ରିୟ ପରସ୍ପର ଘନିଷ୍ଠଭାବରେ ଆବଦ୍ଧ । ସେମାନଙ୍କ ମଧ୍ୟରେ ସୁସ୍ଥିର ଭାବ ଆଣିବା ସହଜ ନୁହେଁ । ଉନ୍ନତିକାମୀ ମନୁଷ୍ୟ ଜୀବନର ଅସ୍ଥାୟିତ୍ୱ ସ୍ମରଣ ରଖି ସତ୍‌ପଥରେ ଚାଳିତ ହୋଇ ମନକୁ ସଂଯତ କରେ । ଯୌବନର ଚାଞ୍ଚଲ୍ୟ ଓ ବାର୍ଦ୍ଧକ୍ୟର ଉତ୍ସାହହୀନତାରେ ତାର ସ୍ୱତନ୍ତ୍ରତା ନଷ୍ଟ ହୁଏ ନାହିଁ ।

 

ଅନେକଙ୍କର ଧାରଣା, ମୃତ୍ୟୁ ବଡ଼ ଯନ୍ତ୍ରଣାପ୍ରଦ । ତାର ନାମ ସୁଦ୍ଧା ଉଚ୍ଚାରଣ କରିବାକୁ ସେମାନେ ଭୟ କରନ୍ତି । ପ୍ରକୃତରେ ଭୟର କାରଣ କିଛି ନାହିଁ । କେବଳ ଗୋଟାଏ କଳ୍ପିତ ଅଜ୍ଞାତ ଅବସ୍ଥାର ଛାୟା ମନର ସ୍ଥିରତା ନଷ୍ଟ କରି ବିଭୀଷିକା ଜନ୍ମାଏ । ଶାରୀରିକ ଅଙ୍ଗପ୍ରତ୍ୟଙ୍ଗ ସବଳ ଅବସ୍ଥାରେ ପୀଡ଼ାଗ୍ରସ୍ତ ହେଲେ ଯନ୍ତ୍ରଣା ଅନୁଭୂତ ହୁଏ; କିନ୍ତୁ ବାର୍ଦ୍ଧକ୍ୟରେ ଶୀର୍ଣ୍ଣ ଓ ଦୁର୍ବଳ ଦେହରେ କଷ୍ଟ ଅନୁଭବ କରିବାର କ୍ଷମତା ହ୍ରାସ ପାଇଥାଏ । ସୁତରାଂ ଶରୀର ତ୍ୟାଗ କରିବାରେ ବିଶେଷ କଷ୍ଟ ହୁଏ ନାହିଁ । ପ୍ଳେଟୋ ଗ୍ରନ୍ଥ ଲେଖିଲା ବେଳେ, ଲୁକାନ୍‌ ନିଜ ପ୍ରଣୀତ ପୁସ୍ତକର କେତେକାଂଶ ଆବୃତ୍ତି କଲାବେଳେ ଓ ବ୍ଳେକ୍‌ ଗୀତ ଗାଇବା ବେଳେ ଶରୀରତ୍ୟାଗ କରିଛନ୍ତି । ମୃତ୍ୟୁର ଭୀଷଣତା ସେମାନେ କିଛିମାତ୍ର ଜାଣି ନାହାନ୍ତି । ଅନେକଙ୍କର ନିଦ୍ରିତାବସ୍ଥାରେ ମଧ୍ୟ ମୃତ୍ୟୁ ହୁଏ ।

 

ବିଖ୍ୟାତ ଚିକିତ୍ସା-ବିଜ୍ଞାନବିତ୍‌ମାନେ ସ୍ଥିର କରିଛନ୍ତି ଯେ, ମୃତ୍ୟୁରେ ଭୟ କିମ୍ୱା କଷ୍ଟ ନାହିଁ-। ଯୁଦ୍ଧକ୍ଷେତ୍ରରେ ଆହତ କିମ୍ୱା କୌଣସି କଠିନ ରୋଗଗ୍ରସ୍ତ ଲୋକ ମୃତ୍ୟୁରେ ସେପରି ବିଶେଷ କଷ୍ଟ ପାଏ ନାହିଁ ବୋଲି ସେମାନଙ୍କର ବିଶ୍ୱାସ ।

 

ମୃତ୍ୟୁରେ ଶରୀର ବିନଷ୍ଟ ହେଲେ ଆତ୍ମାର କି ପରିବର୍ତ୍ତନ ହୋଇପାରେ ? ଅନେକଙ୍କ ମତରେ ଆତ୍ମାର ବହୁତା ନାହିଁ; ସେ ଏକ ଓ ଅବିନଶ୍ୱର । ଶସ୍ୟବୀଜରୁ ଉଦ୍ଭିଦର ଉତ୍ପତ୍ତି ହୋଇ ପୁଣି ଶସ୍ୟର ସୃଷ୍ଟି ସାଧନ କରେ । ଏହି ଅବିଚ୍ଛିନ୍ନ କ୍ରିୟାରୁ ଉଦ୍ଭିଦଜଗତରେ ଗୋଟାଏ ପ୍ରାଣର ଆଭାସ ମିଳେ । ସେହିପରି ପିତାମାତାଠାରୁ ସନ୍ତାନସନ୍ତତିମାନଙ୍କର ଜନ୍ମ ହୁଏ ଏବଂ କାଳକ୍ରମେ ସେମାନେ ଜନକଜନନୀର ସ୍ଥାନ ଅଧିକାର କରିବା ଦ୍ୱାରା ସେମାନଙ୍କର ଏକ ଅପ୍ରତିହତ ଓ ଧାରାବାହିକ କାର୍ଯ୍ୟବିଧି ଦେଖିବାକୁ ମିଳେ । ଏକା ପରମାତ୍ମା ଏହି କାର୍ଯ୍ୟର ନିର୍ବିକଳ୍ପ କର୍ତ୍ତାସ୍ୱରୂପ ଅଟନ୍ତି । ତାଙ୍କ ଛଡ଼ା ଅନ୍ୟ ଆତ୍ମାର ପ୍ରକାଶ ନାହିଁ । ମନୁଷ୍ୟ ଆନନ୍ଦ ଉପଭୋଗ କଲାବେଳେ ନିଜକୁ ସୃଷ୍ଟିକ୍ରିୟାରେ ସ୍ୱତନ୍ତ୍ର ଭାବିବା ଆବଶ୍ୟକ ନୁହେ । ସାଧାରଣତଃ ଉପର୍ଯ୍ୟୁକ୍ତ ମତକୁ ଅଧିକାଂଶ ଗ୍ରହଣ କରନ୍ତି ନାହିଁ । ସେମାନେ କହନ୍ତି, ମୃତ୍ୟୁପରେ ବ୍ୟକ୍ତିଗତ ଆତ୍ମା ସ୍ୱାତନ୍ତ୍ର୍ୟ ରକ୍ଷା କରେ । ଶରୀର ନଷ୍ଟ ହେଲେ ସୁଦ୍ଧା ତନ୍ନିହିତ ଜୀବାତ୍ମା ଅନ୍ୟ ଆଧାରରେ ପୁଣି ପ୍ରକାଶିତ ହୁଏ । ତାର ଗତି ଅନୁସରଣ କରିବା ସହଜ ନୁହେ । ଆତ୍ମା ଏକ କିମ୍ୱା ବହୁ ପ୍ରମାଣିତ ହୋଇପାରେ; କିନ୍ତୁ ମୃତ୍ୟୁ ସଙ୍ଗେ ତାର କୌଣସି ସମ୍ପର୍କ ନାହିଁ । ମରଣଶୀଳ ମନୁଷ୍ୟର କିଛି ସମୟ ସଂସାରବାସ ପରେ ମୃତ୍ୟୁ ଇଚ୍ଛା ସ୍ୱାଭାବିକ ହୁଏ । ପ୍ରକୃତି ବସ୍ତୁଜଗତର ସ୍ଥିତିକୁ ଗୋଟାଏ ସୀମା ମଧ୍ୟରେ ଆବଦ୍ଧ ରଖେ । ମନୁଷ୍ୟର ମଧ୍ୟ ସାଂସାରିକ ଜୀବନର ପ୍ରକୃତି-ନିର୍ଦ୍ଦିଷ୍ଟ ଗୋଟିଏ ସୀମା ଅଛି । କ୍ରୀଡ଼ାରତ ବାଳକବାଳିକା କିଛି କ୍ଷଣ ଖେଳିବା ପରେ ବିତୃଷ୍ଣ ହୋଇ କ୍ରୀଡ଼ାଭୂମି ତ୍ୟାଗ କରି ଚାଲିଯାନ୍ତି । ସେହିପରି ବୃଦ୍ଧାବସ୍ଥା ମାନବଜୀବନରେ ବୈରାଗ୍ୟ ଆଣି ମୃତ୍ୟୁକୁ ଅପେକ୍ଷା କରି ରହେ ।

 

ଜୀବିତାବସ୍ଥାରେ ମନୁଷ୍ୟ ଅଧିକାଂଶ ସ୍ଥଳରେ ସୁଖ ଅପେକ୍ଷା ଦୁଃଖ ବେଶି ପରିମାଣରେ ଭୋଗ କରେ । ସାଂସାରିକ ସୁଖପ୍ରାପ୍ତି ଆଶାରେ ସେ ଯେତେ କାର୍ଯ୍ୟ କରେ, ସବୁ ଅସ୍ଥାୟୀ ହୁଏ ଏବଂ ପ୍ରକୃତ ଶାନ୍ତିର ପଥ ଉନ୍ମୁକ୍ତ କରିବାରେ ଅକ୍ଷମ ହୁଏ । ଶେଷରେ ନୈରାଶ୍ୟର ଘନ ଅନ୍ଧକାର ମଧ୍ୟରେ ଯନ୍ତ୍ରଣା ଅସହ୍ୟ ବୋଧ ହେଲେ ମନୁଷ୍ୟ କ୍ଷୁବ୍‌ଦ ହୋଇ ପରପାରରେ ଶାନ୍ତି ଅନୁସନ୍ଧାନ ପାଇଁ ତତ୍ପର ହୁଏ । ମୃତ୍ୟୁର ଭୟ ଉପସ୍ଥିତ ବିପଦ ଓ କଷ୍ଟରେ ଉପଶମିତ ହୁଏ । ଦୁଃଖ ନିରାକରଣ ପାଇଁ ସେ ଶରୀରଧାରଣ କରିବାର ଇଚ୍ଛା ତ୍ୟାଗ କରେ । ଆତ୍ମାର ବହିରାବରଣ ଶରୀର ବିନାଶଶୀଳ । ଜୀବ ଅବସ୍ଥାନ୍ତର ପ୍ରାପ୍ତିରେ ବିନାଶ-ଧର୍ମର ଆଶ୍ରୟ ନିଏ । ଉତ୍ପତ୍ତି ଓ ବିନାଶ ସୃଷ୍ଟିର ନିୟମ । ଗୋଟିକକୁ ବାଦ୍‌ ଦେଲେ ଅପରର ମହତ୍ତ୍ୱ ଜଣା ପଡ଼ିବ ନାହିଁ କିମ୍ୱା ସୃଷ୍ଟିପ୍ରବାହ ନିୟମିତରୂପେ ଚାଳିତ ହେବ ନାହିଁ ।

 

ଏତଦ୍‌ବ୍ୟତୀତ ମନୁଷ୍ୟ ଏହି ନିୟମର ଅଧୀନ ହୋଇ ନ ଥିଲେ ତା ଜୀବନର ମୂଲ୍ୟ କର୍ମଜଗତରେ ଜଣାଯାନ୍ତା ନାହିଁ । କର୍ମର ତାରତମ୍ୟ ଅନୁସାରେ ଜୀବନର ମହତ୍ତ୍ୱ ନିରୂପିତ ହୋଇଥାଏ । କେବଳ ଦୀର୍ଘ ଜୀବନ ଯାପନ କରିବାଦ୍ୱାରା ମନୁଷ୍ୟ ନିଜର କିମ୍ୱା ଜଗତର କୌଣସି ମଙ୍ଗଳ ସାଧନ କରିପାରେ ନାହିଁ । ପୃଥିବୀର ଅନେକ ଆଦର୍ଶ କର୍ମୀ ଏଥିର ନିଦର୍ଶନସ୍ୱରୂପ ସେମାନଙ୍କ ସ୍ୱଳ୍ପ ଜୀବନକାଳ ମଧ୍ୟରେ ଅସାଧାରଣ କାର୍ଯ୍ୟ ସମ୍ପାଦନ କରିଯାଇଚନ୍ତି ।

 

କେତେକେ କହନ୍ତି, ବିନାଶ ଓ ପରିବର୍ତ୍ତନ ଜଗତରେ ପୂର୍ଣ୍ଣ ଆନନ୍ଦ ଲାଭ କରିବା ପଥରେ ବାଧା ଜନ୍ମାନ୍ତି । ଅନ୍ୟ ପକ୍ଷରେ ବୈଚିତ୍ର୍ୟବିହୀନ ଅପରିବର୍ତ୍ତିତ ଗୋଟିଏ ଶୁଷ୍କ ଅବସ୍ଥାର ଅଧୀନ ହେଲେ ଜୀବନର ସ୍ଫୁର୍ତ୍ତି ଓ ଆନନ୍ଦ ରହେ ନାହିଁ । ବିଷୟବାସନା-ଅନାସକ୍ତ ଲୋକ ସାଂସାରିକ କ୍ରିୟାମାନଙ୍କରେ ଅବିଚଳିତ ଥାଇ ପ୍ରକୃତ ଆନନ୍ଦ ପାଇପାରେ; କିନ୍ତୁ ଏପରି ନିର୍ଲିପ୍ତ ଅବସ୍ଥାରେ ଜୀବନ ଯାପନ କରିବା ସହଜ ନୁହେ । ଜୀବ ନିରନ୍ତର ଆନନ୍ଦ ପାଇଁ ବ୍ୟାକୁଳ । ତାକୁ ସେହି ଉଦ୍ଦେଶ୍ୟରେ ଚାଳିତ କରାଇବା ସାଂସାରିକ ବିଷୟମାନଙ୍କର ଲକ୍ଷ୍ୟ ନୁହେ । ଏହା ବୋଲି, ସେମାନଙ୍କୁ ତୁଚ୍ଛ ମନେ କରିବାକୁ ହେବ ନାହିଁ । ଅନ୍ଧକାରରେ ପଡ଼ି ଆଲୋକର ସନ୍ଧାନ ନେବାକୁ ହୁଏ । ମନୁଷ୍ୟ ସଂସାରର କ୍ଷଣସ୍ଥାୟୀ ସୁଖର ପରିଣାମ ଦୁଃଖପୂର୍ଣ୍ଣ ବୁଝି ସାରିଲେ ଆଉ ସେଥିରେ ମନ ନ ବଳାଇ ତାର ଅନ୍ତର୍ନିହିତ ଆତ୍ମଶକ୍ତିକୁ ସଞ୍ଚାର କରେ । ତଦ୍ଦ୍ୱାରା ପାର୍ଥିବ ବସ୍ତୁମାନଙ୍କରେ ଆସକ୍ତି କ୍ରମଶଃ କ୍ଷୀଣ ହୋଇଆସେ । ପରିଶେଷରେ ଆତ୍ମାର ସ୍ୱରୂପ ଅବସ୍ଥାରେ ବିଶ୍ୱର ଉନ୍ମେଷ ଦେଖିବାକୁ ସମର୍ଥ ହେଲେ ସେ ପୂର୍ଣ୍ଣ ଆନନ୍ଦ ପାଏ । କ୍ଷୁଦ୍ରତ୍ୱ ଜ୍ଞାନ ଅପସାରିତ ହେଲେ ଆତ୍ମବଳର ସମ୍ୟକ୍‌ ଉତ୍କର୍ଷ ସାଧିତ ହୁଏ । ସେଥିପାଇଁ ମନୁଷ୍ୟ ସମାଜ-ବନ୍ଧନରେ ଥାଇ ପ୍ରଥମେ ଲୋକହିତକର କାର୍ଯ୍ୟମାନ ସାଧନ କରି ଉଦାର ଭାବ ସଞ୍ଚୟ କରେ । ଉଦାରତା ଆସିଲେ ସଂକୀର୍ଣ୍ଣତା ଦୂର ହୁଏ । କାଳକ୍ରମେ ନିଃସ୍ୱାର୍ଥ କାର୍ଯ୍ୟମାନଙ୍କରେ ଲିପ୍ତ ଥାଇ ସେ ତାର ବ୍ୟକ୍ତିତ୍ୱ ଭୁଲିଯାଏ ଓ ସ୍ୱାର୍ଥଜଡ଼ିତ ସଂସାରବନ୍ଧନକୁ ଶିଥିଳ କରେ । ଏ ଅବସ୍ଥାରେ ସେ ତ୍ୟାଗସୁଖ ଅନୁଭବ କରେ ।

 

ପାର୍ଥିବ ଜୀବପକ୍ଷରେ ହଠାତ୍‌ ତ୍ୟାଗ-ମାର୍ଗ ଅବଲମ୍ୱନ କରିବା ସମ୍ଭବ ନୁହେ । ପ୍ରଥମେ ଉଚ୍ଚ ଓ ନୀଚ ପଦାର୍ଥ ଭେଦରେ ମନର ଆକର୍ଷଣୀ ଶକ୍ତିରୁ ବ୍ୟକ୍ତିବିଶେଷର ରୁଚି ସ୍ଥିର କରାଯାଏ । ବିଭିନ୍ନ ରୁଚିରୁ ପ୍ରବୃତ୍ତିମାନଙ୍କର ବିକାଶ ଜଣାପଡ଼େ । ଶିକ୍ଷାଦ୍ୱାରା ରୁଚି ମାର୍ଜିତ ହୁଏ ଓ ମନଃ ସଂଯୋଗ ପାଇଁ ଉପଯୁକ୍ତ ବିଷୟମାନ ଆବଶ୍ୟକ ହୁଅନ୍ତି । ଏ ସବୁ ପ୍ରାଥମିକ କ୍ରିୟା ଶେଷ ହେଲେ ମନୁଷ୍ୟ ଉଚ୍ଚତର ସୋପାନରେ ଆରୋହଣ କରି ସ୍ୱାର୍ଥ ତ୍ୟାଗରେ ବ୍ରତୀ ହୁଏ । ଏ ପର୍ଯ୍ୟନ୍ତ ସମସ୍ତ ପାର୍ଥିବ ପଦାର୍ଥମାନଙ୍କରୁ ତାର ଆସକ୍ତି ପୂର୍ଣ୍ଣରୂପେ ଛାଡ଼ି ନ ଥାଏ ।

 

କ୍ଷୀଣସ୍ଥାୟୀ ସୁଖର ଢେଉ ସମୟ ସମୟରେ ତାକୁ ଇତସ୍ତତଃ କରେ; କିନ୍ତୁ ସାଧନାର କର୍କଶ ପଥରେ ଜୀବନ ଅତିବାହିତ ହୋଇଥିବାରୁ ସେ ସହଜରେ ବିଚଳିତ ହୁଏ ନାହିଁ । ଅନେକଙ୍କ ପକ୍ଷରେ ଏ ଅବସ୍ଥାପ୍ରାପ୍ତି ସହଜ ନୁହେ । ସର୍ବଦା ସଂସାର ବିଷୟରେ ଲିପ୍ତ ରହିଲେ କିମ୍ୱା କୁହୁକିନୀ ଆଶାର ବଶବର୍ତ୍ତୀ ହୋଇ ଧାବିତ ହେଲେ ମନର ପ୍ରସନ୍ନତା କିଛି ସମୟ ପରେ ନଷ୍ଟ ହୋଇଯାଏ । ସହଜ ସୁଖ-ପ୍ରାପ୍ତିର ଆଶା ଅତ୍ୟଧିକ ମାତ୍ରାରେ ହୃଦୟକୁ ଗ୍ରାସ କରିବାଦ୍ୱାରା ଦଶା ଭୋଗ କରିବାକୁ ହୁଏ । ମନର ସ୍ଫୁର୍ତ୍ତମାତ୍ରାକୁ ପ୍ରଖର କରିବା ଉଚିତ ନୁହେଁ । ପାର୍ଥିବ ସୁଖ ପୂର୍ଣ୍ଣ ଆନନ୍ଦର ଆଭାସ ମାତ୍ର । ସେହି ଆଭାସ କିମ୍ୱା ଛାୟାକୁ ଅନୁସରଣ କରି ଲକ୍ଷ୍ୟଭ୍ରଷ୍ଟ ହେବା ମନୁଷ୍ୟର କାର୍ଯ୍ୟ ନୁହେ ।

 

କର୍ମମାର୍ଗ ଦେଇ ସମସ୍ତଙ୍କର ଜୀବନ ନିୟନ୍ତ୍ରିତ ହୁଏ । ଭିନ୍ନ ଭିନ୍ନ କର୍ମରୁ ମନୁଷ୍ୟର ଉନ୍ନତି କିମ୍ୱା ଅବନତି ଜଣାପଡ଼େ । ଅନେକେ ମୃତ୍ୟୁରେ ସବୁ କର୍ମର ସମାପ୍ତି ସ୍ଥିର କରି ଉତ୍ସାହହୀନ ହୁଅନ୍ତି । ସେମାନଙ୍କର ଜୀବନ ବଡ଼ ଶୂନ୍ୟ ବୋଧହୁଏ । ଜନ୍ମାନ୍ତରରେ ସେମାନେ କୌଣସି ଆସ୍ଥା ରଖନ୍ତି ନାହିଁ । ଯଦି ସେମାନଙ୍କ ମତାନୁଯାୟୀ ସ୍ଥିର କରିବାକୁ ହୁଏ ଯେ, ମୃତ୍ୟୁ ପରେ ଆଉ ଜୀବର ବିକାଶ ହୁଏ ନାହିଁ ଓ ଅନନ୍ତ କାଳଗର୍ଭରେ ସେ ଲୀନ ହୋଇଯାଏ, ତଥାପି ନିରୁତ୍ସାହ ହେବା ଉଚିତ ନୁହେ । ଗାଢ଼ ନିଦ୍ରାରେ ମନୁଷ୍ୟ ଯେପରି ସୁଖ ଓ ଶାନ୍ତି ଅନୁଭବ କରେ, ମୃତ୍ୟୁ ପରେ ଚିରକାଳ ପାଇଁ ସେହି ଅବସ୍ଥା ଆସିବା ବାଞ୍ଛନୀୟ ନୁହେ କି ? ଦିବସର କାର୍ଯ୍ୟଶେଷରେ ରାତ୍ରିର ସୁଖନିଦ୍ରା ଓ ସମସ୍ତ କର୍ମଜୀବନର ବିଶ୍ରାମ ମହାନିଦ୍ରା, ଦୁହେଁ ସମାନ ।

 

କର୍ମସୂତ୍ର ଜୀବନ ଓ ମରଣର ବ୍ୟବଧାନକୁ ସଂଯୋଗ କରି ମନରୁ ଶୂନ୍ୟଭାବ ଦୂର କରେ । ବିନାଶରେ ଉତ୍ପତ୍ତିର ବୀଜ ନିହିତ ଥାଏ । ଯାହା ସାଧାରଣ ଚକ୍ଷୁରେ ନଷ୍ଟ ହେବାର ଦେଖାଯାଏ, ତାହା ପୁଣି ଅନ୍ୟ ଆକାରରେ ଜଗତରେ ଅବସ୍ଥାନ କରେ । କର୍ମର ଗୁଣଭେଦରେ ମନୁଷ୍ୟମାନେ ଭିନ୍ନ ଭିନ୍ନ ଦଶାର ଅଧୀନ ହୁଅନ୍ତି । ତା ନ ହୋଇଥିଲେ ସମଭାବାପନ୍ନ ଓ ସମଜାତୀୟ ମନୁଷ୍ୟ ଜଗତରେ ବାସ କରୁଥାନ୍ତେ ।

 

ମନୁଷ୍ୟର ଜାତିଗତ ବନ୍ଧନ ଅନେକ ପରିମାଣରେ ତାର ଅନୁସୃତ କର୍ମ ଓ ଧର୍ମ ଉପରେ ନିର୍ଭର କରେ । ସମମତାନୁବର୍ତ୍ତୀ ବିଭିନ୍ନ ମନୁଷ୍ୟଶ୍ରେଣୀରେ ନାନା ସମ୍ପ୍ରଦାୟ ଓ ଜାତିର ସୃଷ୍ଟି ହୁଏ । କାର୍ଯ୍ୟ-ବୈଷମ୍ୟ ସେମାନଙ୍କ ମଧ୍ୟରେ ଭେଦଭାବ ଜନ୍ମାଏ । ଜାତୀୟ ସ୍ୱାର୍ଥପରତା ଜଗତର ଅକଲ୍ୟାଣ ସକାଶେ ଦାୟୀ ହୁଏ । ଜାତୀୟଜୀବନରୁ ପ୍ରବଳର ଦୁର୍ବଳ ଉପରେ ଅତ୍ୟାଚାର ଓ ପଶୁତ୍ୱର ପରିଚୟ ମିଳେ । ନିରପେକ୍ଷ ଭାବରେ ବାସ କରୁଥିଲେ ମନୁଷ୍ୟର ଦ୍ୱେଷର ଅଧୀନ ହୋଇ ଦୁର୍ବଳର ସର୍ବସ୍ୱ ଲୁଣ୍ଠନରେ ଗୌରବ ଅନୁଭବ କରନ୍ତା ନାହିଁ ।

 

ଯେଉଁମାନେ କହନ୍ତି ପ୍ରବଳର ସବୁ ବିଷୟରେ ଅଧିକାର ରହିବ, ସେମାନଙ୍କର ଲକ୍ଷ୍ୟ କେବଳ ଜଗତର ଅସ୍ଥାୟୀ ବିଷୟମାନଙ୍କରେ ଆବଦ୍ଧ ରହେ । ଅରଣ୍ୟର ହିଂସ୍ରପଶୁମାନଙ୍କ ପରି ସେମାନେ ଅନ୍ୟର ରକ୍ତ ଶୋଷଣ କରି ଜୀବନଧାରଣ କରିବାକୁ ଚାହାନ୍ତି । ବିଶ୍ୱପ୍ରେମଆସ୍ୱାଦନରେ ମାନବର ଦେବତ୍ୱ ପ୍ରକାଶ କରିବା ଏମାନଙ୍କ ପକ୍ଷରେ ସମ୍ଭବ ନୁହେ । ଲକ୍ଷ୍ୟ ଅନୁସାରେ ଜୀବନର ଗତି ହୋଇଥାଏ । ପାର୍ଥିବ ସମ୍ପଦ ଲାଭ କରିବାକୁ ପ୍ରୟାସୀ ହେଲେ ଦୈବୀ ସମ୍ପଦ ମିଳେ ନାହିଁ । ଯେଉଁମାନେ ଜଗତ ଚକ୍ଷୁରେ ହୀନ, ଦରିଦ୍ର ଓ ପ୍ରବଳର ପଦଦଳିତ, ସେମାନେ ଆତ୍ମନିର୍ଭରଶୀଳ ହେଲେ ଦୁର୍ଜୟ ହୁଅନ୍ତି । ଅହିଂସା ଯେଉଁ ଜାତିର ପ୍ରଧାନ ଅବଲମ୍ୱନ, ତାର ଗତିରୋଧ କରିବା ପାର୍ଥିବ ଶକ୍ତିର ସାଧ୍ୟାତୀତ । ଦିନ ଆସେ, ଯେତେବେଳେ ସେହି ଜାତିର ଜୀବନରେ ଗୋଟାଏ ଉଚ୍ଛ୍ୱାସ ଉଠେ ଓ ସମସ୍ତ ଜଗତରେ ତଦ୍ଦ୍ୱାରା ଗୋଟାଏ ନୂତନ ଆଲୋକ ଦେଖାଦିଏ । ଏହି ଆଲୋକରେ ଜଗଦ୍‌ବାସୀ ବୁଝେ, ସଂସାରରେ କିଏ ବଡ଼-ପଶୁ ନା ମାନବ ?

•••

 

ନୀତି ଓ ସମାଜ

ଅଭିଜ୍ଞତାରୁ ପ୍ରତ୍ୟୟ ଜନ୍ମାଇବାକୁ ହେଲେ କେତେଗୁଡ଼ିଏ ପ୍ରମାଣ ଆବଶ୍ୟକ । ପ୍ରମାଣମାନଙ୍କୁ ବାଦ୍‌ ଦେଇ କେବଳ ଅନୁସୃତ କୌଣସି ମତ ଉପରେ ନିର୍ଭର କରିବା ସମୀଚୀନ ନୁହେଁ । ଜୀବନ ସମସ୍ୟା ସମାଧାନରେ ଘଟନାଚକ୍ରରୁ ସଂଗୃହୀତ ତଥ୍ୟକୁ କୌଣସି ପ୍ରମାଣଦ୍ୱାରା ପରୀକ୍ଷା କଲେ କିଛି କ୍ଷତି ନାହିଁ । ଆଦର୍ଶ ଜୀବନର ବିଶେଷତ୍ୱ ଅନେକ ସମୟରେ ଯୌବନରେ ପରିଲକ୍ଷିତ ହୁଏ ନାହିଁ । ଜ୍ଞାନର ବିକାଶ ହେବା ପୂର୍ବରୁ ସ୍ୱାଭାବିକ ଆକାଙ୍‌କ୍ଷା ଓ କର୍ଷଣର ସମନ୍ୱୟରେ ବିକାଶୋନ୍ମୁଖ ଅବସ୍ଥାର ସୂଚନା ମିଳେ ।

 

କର୍ମୀର ଭାବ ଜ୍ଞାନ ଓ କର୍ତ୍ତୃତ୍ୱରେ ପରିଚୟ ଦିଏ । ଭାଷା ଭାବର ପ୍ରକାଶକ ରୂପେ ସାମାଜିକତାର ଭିତ୍ତି ସ୍ଥାପନ କରେ । ଏହାଦ୍ୱାରା ବ୍ୟକ୍ତିଗତ ଅନୁଭୂତି ଓ ସାଧାରଣ ପ୍ରଚଳିତ ମତର ବ୍ୟବଧାନ ଦୂର ହୋଇ ଭ୍ରମର ପ୍ରଚ୍ଛନ୍ନତା ନଷ୍ଟ ହୁଏ । ନିଭୃତ ସାଧକର ଭାବରାଜ୍ୟରେ ମନୋବିଜ୍ଞାନବିତ୍‌ ଅଗ୍ରସର ହେବାପାଇଁ ସର୍ବଦା ଚେଷ୍ଟିତ ଥାଏ । ଅଦୃଷ୍ଟ କିମ୍ୱା ଅଶ୍ରୁତପୂର୍ବ ବିଷୟମାନଙ୍କର ସ୍ୱରୂପ ଓ ସ୍ଥିତି ନିର୍ଣ୍ଣୟ କରିବାରେ ପରସ୍ପରଠାରୁ ସାହଚର୍ଯ୍ୟ ଲାଭକରି ମନୁଷ୍ୟ କ୍ରମଶଃ ସାମାଜିକ ଉନ୍ନତି ଦିଗରେ ଚାଳିତ ହେଉଛି । ପୃଥିବୀର ସମସ୍ତ ସଭ୍ୟଜାତିର କାର୍ଯ୍ୟ ଓ ଲକ୍ଷ୍ୟ ଅନୁସରଣ କଲେ ଜଣାଯାଏ ଯେ, ଗୋଟାଏ ଉନ୍ମୁକ୍ତ ପ୍ରେରଣା ସେମାନଙ୍କୁ ଏକ ଦିଗରେ ଆକର୍ଷଣ କରି ରଖିବାକୁ ଇଚ୍ଛା କରେ । ସ୍ୱାର୍ଥସିଦ୍ଧି ଏହାର ପ୍ରଧାନ ଅନ୍ତରାୟ । ସ୍ୱାର୍ଥର ପ୍ରତିବନ୍ଧକକୁ ଉଠାଇଦେଲେ ଗୋଟାଏ ମହତ୍‌ ସମାଜରେ ସମସ୍ତ ମାନବଜାତି ନିର୍ବିରୋଧରେ ବାସ କରିପାରନ୍ତେ । ଉଚ୍ଚ ଓ ନୀଚ ଶ୍ରେଣୀ-ବ୍ୟବଧାନ ଆଧୁନିକ ପ୍ରତ୍ୟେକ ସମାଜରେ ଦୃଷ୍ଟ ହେଲେ ସୁଦ୍ଧା ବୈଦେଶିକ ବିଜାତୀୟ ଭାବ ପରି ଏହା ଅନିଷ୍ଟକାରକ ନୁହେଁ । ଆନ୍ତର୍ଜାତିକ ସମ୍ମିଳନୀ ପ୍ରଭୃତିରେ ପାଶ୍ଚାତ୍ୟ ଜଗତ୍‌ ଅନେକ ପରିମାଣରେ ଜଟିଳ ସମସ୍ୟାମାନଙ୍କର ସମାଧାନ ଚେଷ୍ଟାରେ ସାମାଜିକତାର ଉନ୍ନତି ସାଧନ କରିଅଛି । ସ୍ୱାଧୀନ ମତ ବିନିମୟରେ ସନ୍ଦେହର କାଳିମା ଅପସାରିତ ହେଲେ ଈର୍ଷ୍ୟା ଓ ବିରୋଧ ଭାବ ଜାତୀୟ ଜୀବନରେ ପୁଷ୍ଟିଲାଭ କରିପାରେ ନାହିଁ ।

 

ମନୁଷ୍ୟର ପ୍ରବୃତ୍ତି ଯେ ସମାଜର ବେଷ୍ଟନୀ ମଧ୍ୟରେ ଆବଦ୍ଧ ରହେ, ତଦନୁଯାୟୀ ଉତ୍‌କର୍ଷ କିମ୍ୱା ଅପକର୍ଷ ଲାଭ କରିଥାଏ । ଏକ ସମାଜରେ ବାସ କରୁଥିବା ବ୍ୟକ୍ତିମାନଙ୍କର ସମୟବିଶେଷରେ ଏକ ପ୍ରକାର ଭ୍ରମ ଘଟିବା ଅସମ୍ଭବ ନୁହେଁ; କାରଣ ସେମାନେ ଗୋଟାଏ ସୀମା ମଧ୍ୟରେ ବିଚରଣ କରିବାଦ୍ୱାରା ସମପ୍ରେରଣାର ଅଧୀନ ହୋଇ କାର୍ଯ୍ୟ କରିଥାନ୍ତି । ସମାଜର ବନ୍ଧନ ବାଲ୍ୟାବସ୍ଥାରୁ ମନୁଷ୍ୟକୁ ଗୋଟିଏ ନିର୍ଦ୍ଦିଷ୍ଟ ଛାଞ୍ଚରେ ଗଢ଼ିନେବାକୁ ଲୋଡ଼େ; କିନ୍ତୁ କୌଣସି କୌଣସିଠାରେ ମଧ୍ୟ ଏହାର ବ୍ୟତିକ୍ରମ ଦେଖାଯାଏ ।

 

ଅଭ୍ୟାସ ସମଷ୍ଟିରେ ବ୍ୟକ୍ତିତ୍ୱର ପରାକାଷ୍ଠା । ଧାରଣା କିମ୍ୱା ବିଶ୍ୱାସ ଶିଶୁଜୀବନରେ ଭିତ୍ତି ସ୍ଥାପନ କରି ପରିପକ୍ୱ ଅବସ୍ଥାରେ ନିଜର ଦୃଢ଼ତା ଦେଖାନ୍ତି । ଜୀବନ ଯେ ପ୍ରଣାଳୀରେ ପୁଷ୍ଟିଲାଭ କରେ, ତାକୁ ପ୍ରାକୃତିକ କୌଣସି କ୍ରିୟାଦ୍ୱାରା ହଠାତ୍‌ ପରିବର୍ତ୍ତିତ କରିବା ସମ୍ଭବପର ନୁହେଁ । ସାଧାରଣତଃ ଅବସ୍ଥାମାନଙ୍କ ପ୍ରଭାବରେ ମନୁଷ୍ୟ ଭଲ କିମ୍ୱା ମନ୍ଦ ଦିଗରେ ଗତି କରିଥାଏ-। ଅବଶ୍ୟ ପ୍ରତିଭା ଏ ନିୟମର ଅଧୀନ ନୁହେଁ । ଅଧିକାଂଶ ସ୍ଥଳରେ ପ୍ରତିଭା ବିରୋଧୀ ଭାବମାନଙ୍କ ସଂଘର୍ଷରେ ଶୀଘ୍ର ପ୍ରକାଶିତ ହୋଇ ଥାଏ । ଅବସ୍ଥାଗତ କିମ୍ୱା ସମାଜିକ ପ୍ରବାହ ମନୁଷ୍ୟଜୀବନରେ ଯେପରି କାର୍ଯ୍ୟ କରେ, ଅନ୍ୟାନ୍ୟ ପ୍ରାଣୀଙ୍କଠାରେ ସେପରି କରିପାରେ ନାହିଁ । ପ୍ରାଣିଜଗତରେ ମନୁଷ୍ୟ ସର୍ବାପେକ୍ଷା ବେଶି ଶିକ୍ଷାଲିପ୍‌ସୁ । ସମାଜ ତାର ପ୍ରଧାନ ଶିକ୍ଷାକ୍ଷେତ୍ର । ପ୍ରତ୍ୟେକ ବ୍ୟାବହାରିକ କ୍ରିୟାରେ ସେ ସାମାଜିକ ନିୟମର ଅଧୀନ ଥାଏ । ଯାବତୀୟ ସାଂସାରିକ କାର୍ଯ୍ୟସମ୍ପାଦନରେ ସମାଜର ଆଦେଶ ପାଳନ କରିବା ବ୍ୟତୀତ ମନୁଷ୍ୟର ଅନ୍ୟ ଉପାୟ ନ ଥାଏ-। ବିଧିର ନିୟମ ସମାଜ-ନୀତିରେ ଛାୟାପାତ କରି ମନୁଷ୍ୟ ଜାତିକୁ ଶୃଙ୍ଖଳାର ବଶବର୍ତ୍ତୀ କରାଏ । ମନୁଷ୍ୟର କାର୍ଯ୍ୟକଳାପରୁ ତାର ସାମାଜିକ ଅବସ୍ଥା ନିର୍ଣ୍ଣୟ କରାଯାଇପାରେ । ସମାଜ ରକ୍ଷା ସକାଶେ ଯେଉଁ ବିଧି ଓ ଆଇନ ପ୍ରଣୟନ କରାଯାଏ, ତାହା ସତ୍ୟ ଉପରେ ପ୍ରତିଷ୍ଠିତ ହେଲେ ସୃଷ୍ଟିର ମଙ୍ଗଳମୟ ଉଦ୍ଦେଶ୍ୟ ଉପଲବ୍ଧ ହୋଇପାରେ । ସୁବିଶାଳ ବୃକ୍ଷ ଅଙ୍କୁରୋଦ୍ଗମ ଅବସ୍ଥାରେ ଯତ୍ନର ଅପେକ୍ଷା କରେ । ସେହି ଯତ୍ନର ଅଭାବ ଘଟିଲେ ବୃକ୍ଷ ସମୂଳେ ନଷ୍ଟ ହେବାର ଆଶଙ୍କା ଥାଏ । ସେହିପରି ମନୁଷ୍ୟର ଅମଙ୍ଗଳ ହେବା ଭୟରେ ମନୀଷୀମାନେ ସମାଜନୀତି ପ୍ରବର୍ତ୍ତନ କରି ତାର କ୍ରମୋନ୍ନତି ପଥ ପରିଷ୍କାର କରିଦିଅନ୍ତି । ଜୀବନର ଗତି ନୀତିମାର୍ଗାବଲମ୍ୱୀ ହେଲେ ତାର ଉପାଦେୟତା ଜଣାପଡ଼େ । ସଭ୍ୟତାର ପ୍ରସାର ସଙ୍ଗେ ସାମାଜିକତାର ଉନ୍ନତି ଦେଖିଲେ ମନେହୁଏ ଯେ, ଦୁହିଙ୍କ ମଧ୍ୟରେ ଗୋଟିଏ ଅପରିଚ୍ଛେଦ୍ୟ ସମ୍ପର୍କ ନିହିତ ଅଛି । କୌଣସି ଐଶ୍ୱର୍ଯ୍ୟକୁ ସାମାଜିକତାରେ ପ୍ରକଟିତ କରିବାରେ ସଭ୍ୟତା ବାଧା ଦିଏ ନାହିଁ; ବରଂ ଭାବ ଓ ଭାଷା ସାହାଯ୍ୟରେ ତାର ମୁକ୍ତ ଅବସ୍ଥା ଅନୁଭୂତ ହୋଇଥାଏ ।

 

ଧର୍ମ, ବିଜ୍ଞାନ, କଳା ପ୍ରଭୃତି ମାନବୀୟ ଭାବନାରାଶିର ପୃଥକ୍‌ ସ୍ତର ମାତ୍ର । ସେମାନଙ୍କୁ ପ୍ରମାଣଦ୍ୱାରା ସ୍ଥିର କରାଯାଏ । ଭାବର ଆଦାନପ୍ରଦାନରେ ଯୁକ୍ତିର ଆଶ୍ରୟ ଗ୍ରହଣ କରାଯାଇ ଗୋଟାଏ ସିଦ୍ଧାନ୍ତରେ ଉପନୀତ ହେବାକୁ ହୁଏ । କାଳକ୍ରମେ ଭାଷା ଓ ଆଲୋଚନା ବିଷୟରେ ପରିବର୍ତ୍ତନ ଘଟିପାରେ; କିନ୍ତୁ ତଦ୍ଦ୍ୱାରା ଭାବ ବିନିମୟର କୌଣସି ବାଧା ନ ଥାଏ କିମ୍ୱା ସମାଜର କୌଣସି ଅଙ୍ଗହାନି ହୁଏ ନାହିଁ । ପୁରାତନ ହିନ୍ଦୁସମାଜ ସଙ୍ଗେ ଆଧୁନିକ ସମାଜକୁ ତୁଳନା କଲେ ଏ ବିଷୟର ଯାଥାର୍ଥ୍ୟ ସହଜରେ ବୁଝାଯାଇପାରେ । କୌଣସି ବିଷୟରେ କିଛି ବିଶେଷତ୍ୱ କିମ୍ୱା ନୂତନତ୍ୱ ଦେଖିଲେ, ସମାଜ ତାକୁ ପରୀକ୍ଷା କରି ଦେଖେ, ତାହା କେତେ ଦୂର ଗ୍ରହଣୀୟ । ଅଯୌକ୍ତିକ ସମସ୍ୟା ସମାଜରେ ବେଶି ଦିନ ତିଷ୍ଠିପାରେ ନାହିଁ । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମନୁଷ୍ୟ ଗୋଟାଏ ପଦାର୍ଥକୁ ସବୁବେଳେ ଆଦର କରି ନ ପାରେ । ଆଧୁନିକ ସଂସ୍କାର ପ୍ରୟାସୀ ପୁରାତନ କୁସଂସ୍କାର ବିରୁଦ୍ଧରେ ଯେଉଁସବୁ ପରିବର୍ତ୍ତନ ଆଣିବାକୁ କହେ, ସେମାନଙ୍କୁ ସମାଜ ଅକାତରରେ ଗ୍ରହଣ କରେ ନାହିଁ । ପୂର୍ବର ରୀତିନୀତିମାନଙ୍କୁ ସମ୍ପୂର୍ଣ୍ଣ ଅକ୍ଷୁଣ୍ଣ ରଖିବା ପାଇଁ ଯେଉଁମାନେ କହନ୍ତି, ସେମାନଙ୍କର ମତ ପ୍ରଶସ୍ତ ବୋଲି ବୋଧହୁଏ ନାହିଁ । ଶକଟ ଓ ବାସ୍ପୀୟ ଯାନ ଉଭୟର ପ୍ରଚଳନ ପରି ପୁରାତନ ଧର୍ମନୀତି ଓ ଆଧୁନିକ ମାର୍ଜିତ ସମାଜନୀତି ମଧ୍ୟରେ ବିରୋଧ ଜନ୍ମିବାର ଆଶଙ୍କା ନାହିଁ । ସମୟର ଗୁରୁତ୍ୱ ଅନୁସାରେ ଗୋଟିକର ବେଶି ଆଦର ହୋଇପାରେ । ସମାଜର ପରିବର୍ତ୍ତନଶୀଳତା ପ୍ରତି ଲକ୍ଷ୍ୟ କଲେ ଜଣାଯାଏ, ସମାଜ-ନୀତି ଧର୍ମ-ନୀତି ଅପେକ୍ଷା ବେଶି ସରଳ ଓ ବ୍ୟାପକ । ସେଥିପାଇଁ ଲୋକମାନେ ସମାଜ-ନୀତି ଚର୍ଚ୍ଚା କରିବା ପାଇଁ ବେଶୀ ଆଗ୍ରହ ପ୍ରକାଶ କରନ୍ତି । ମନୁଷ୍ୟ ମାତ୍ରେ ପରିବର୍ତ୍ତନ ଓ ନୂତନତ୍ୱର ପ୍ରୟାସୀ । ସମାଜ-ନୀତି ଆଲୋଚନା କରିବାଦ୍ୱାରା ଏହି ଈପ୍‌ସିତ ବିଷୟରେ ଜ୍ଞାନ ଜନ୍ମେ ଏବଂ ମନୁଷ୍ୟ ନିଜ ଅବସ୍ଥାନୁଯାୟୀ ପରିବର୍ତ୍ତନ ଆଣିବାରେ କ୍ଷମ ହୋଇଥାଏ । ସାମାଜିକ ଉନ୍ନତିରେ ଯେଉଁ ଜ୍ଞାନ ଜନ୍ମେ, ତାହା ସ୍ୱାର୍ଥଜଡ଼ିତ ଅଜ୍ଞାନତା ଓ ଅନ୍ଧକାରକୁ ସମ୍ପୂର୍ଣ୍ଣରୂପେ ଦୂର କରେ ।

 

ଶୃଙ୍ଖଳା ବୁଦ୍ଧିବିସ୍ତାରରେ ସହାୟତା କରେ; ବୁଦ୍ଧି ଜ୍ଞାନର ଅନୁଶୀଳନ କରେ । ବ୍ରହ୍ମଜ୍ଞାନ ଓ ଜଡ଼ବିଜ୍ଞାନର ସାଧନକୌଶଳ ବିଭିନ୍ନ । ବ୍ରହ୍ମବାଦୀ ଓ ବୈଜ୍ଞାନିକ ସ୍ୱତନ୍ତ୍ର ଉପାୟରେ ସେମାନଙ୍କର ସମସ୍ୟା ସମାଧାନ କଲେ ସୁଦ୍ଧା ପ୍ରଣାଳୀ ଏକ । ବିଶିଷ୍ଟ କିମ୍ୱା ସମଷ୍ଟିଗତ ବିଷୟମାନଙ୍କରୁ ଯୁକ୍ତିସିଦ୍ଧ ସତ୍ୟ ଉପରେ ଉଭୟେ ପ୍ରତିଷ୍ଠା ସ୍ଥାପନ କରନ୍ତି । ବ୍ରହ୍ମବାଦୀ ଗୁରୁଙ୍କର ପ୍ରତିଷ୍ଠିତ ନୀତି ଓ ଅନୁଜ୍ଞା ଶିଷ୍ୟ ପାଳନ କଲେ ସବୁ ସଂଶୟ ଦୂର ହୁଏ; କିନ୍ତୁ ଜଣେ ବୈଜ୍ଞାନିକର ପ୍ରକାଶିତ ତଥ୍ୟ ଅପରଦ୍ୱାରା ପୁଣି ସଂଶୋଧିତ ହୋଇପାରେ । ଏଥିର ଦୃଷ୍ଟାନ୍ତ ଆଜିକାଲି ଯୁଗରେ ବିରଳ ନୁହେଁ । ଅନ୍ୟ ପକ୍ଷରେ ବିଂଶ ଶତାବ୍ଦୀର ବ୍ରହ୍ମବାଦୀମାନେ ଯୀଶୁ ଓ ବୁଦ୍ଧଙ୍କ ତୁଳନାରେ କେତେ ଦୂର ବାସ୍ତବତା ଆଡ଼କୁ ଅଗ୍ରସର ହୋଇଅଛନ୍ତି, କେହି କହିପାରିବେ କି ? ଆନୁମାନିକ ପ୍ରମାଣ ଉପରେ ବ୍ରହ୍ମଜ୍ଞାନ ଅନେକ ପରିମାଣରେ ନିର୍ଭର କରିବା ହେତୁ ଜଣକଦ୍ୱାରା ପ୍ରଚାରିତ ଧର୍ମ ଅନ୍ୟମାନଙ୍କଦ୍ୱାରା ସଂଶୋଧିତ ହେବାର ସମ୍ଭାବନା ନ ଥାଏ । ପୃଥିବୀର ବିଭିନ୍ନ ଧର୍ମ ମଧ୍ୟରେ ଯେ ସବୁ ଅସାମଞ୍ଜସ୍ୟ ରହିଚି, ତାକୁ ଦୂର କରି ଗୋଟିଏ ମାର୍ଗରେ ସମସ୍ତ ମନୁଷ୍ୟଜାତିକୁ ଚାଳିତ କରିବା ଅସମ୍ଭବ ବୋଧହୁଏ । ବୈଜ୍ଞାନିକ ତଥ୍ୟମାନଙ୍କରେ କୌଣସି ଭ୍ରମ ବେଶି ଦିନ ରହିପାରେ ନାହିଁ । ପ୍ରତ୍ୟକ୍ଷ ପ୍ରମାଣଦ୍ୱାରା ସେମାନଙ୍କର ବିରୁଦ୍ଧକ୍ରିୟା ଉପଲବ୍ଧି କରାଯାଏ ।

 

ସାମାଜିକତାର ବିକାଶ ଓ ନିର୍ଣ୍ଣୟରେ ବିଜ୍ଞାନର ସାହାଯ୍ୟ ଯଥେଷ୍ଟ ନିଆଯାଇପାରେ । ସମାଜ କେତେଗୁଡ଼ିଏ ବିଭିନ୍ନ ଉପାଦାନ-ଜାତି, ଧର୍ମ ଓ କର୍ମ ପ୍ରଭୃତିରେ ଗଠିତ ହୁଏ । ସେଥିରେ ପୁଣି ଧାରାବାହିକ ପ୍ରଥା ଓ କାଳର ପ୍ରଭାବ ଯଥାର୍ଥରୂପେ କାର୍ଯ୍ୟ କରନ୍ତି । ସ୍ଥାନ ଓ ସମୟ ବିଶେଷରେ ବ୍ୟକ୍ତି କିମ୍ୱା ଶ୍ରେଣିଗତ ବିଶିଷ୍ଟ କୌଣସି କାର୍ଯ୍ୟ ସମାଜ-ଗଠନ ପ୍ରଣାଳୀକୁ ପ୍ରଭାବିତ କରେ । ଉପର୍ଯ୍ୟୁକ୍ତ ବିଷୟମାନଙ୍କରେ ମନୁଷ୍ୟକୁ ପ୍ରଧାନ କର୍ତ୍ତା ବୋଲି ଗ୍ରହଣ କରାଯାଇପାରେ । ମନୁଷ୍ୟକୁ ସମାଜର ଗଠନକର୍ତ୍ତାରୂପେ ନିର୍ଦ୍ଦେଶ କରି ତାର କାର୍ଯ୍ୟକୁ ଗାଣିତିକ ପ୍ରଣାଳୀରେ ବିଜ୍ଞାନର ସୀମା ମଧ୍ୟକୁ ଆଣିବା ସହଜ ନୁହେଁ ବୋଲି ଅନେକେ ସ୍ୱୀକାର କରନ୍ତି । ସମାଜର ଗତି ନିର୍ଦ୍ଧାରଣରେ ତାର ପ୍ରଧାନ କାର୍ଯ୍ୟକାରୀ ବୃତ୍ତିଗୁଡ଼ିକୁ ପ୍ରଥମେ ସ୍ଥିର କରିନେଲେ ସାମାଜିକ ଉନ୍ନତି କିମ୍ୱା ଅବନତିର ପରିମାଣ ସହଜରେ ଜଣାଯାଇପାରେ । ଅନେକେ କହନ୍ତି, ମନୁଷ୍ୟର ଚରିତ୍ର ବଡ଼ ଜଟିଳ । ତାକୁ ଅନୁସରଣ କରି କୌଣସି ସାମାଜିକ ସିଦ୍ଧାନ୍ତ ପ୍ରକାଶ କରିବା ଉଚିତ ନୁହେଁ । ଯେଉଁମାନେ କେବଳ ମନୁଷ୍ୟର ଦୁର୍ବଳତା ପ୍ରତି ଲକ୍ଷ୍ୟ ରଖିଥାନ୍ତି, ସେମାନେ ଏହି ମତର ଅଧୀନ ହୁଅନ୍ତି । ମନୁଷ୍ୟ-ସ୍ୱଭାବର ଆଲୋଚନା କଷ୍ଟକର ହୋଇ ପାରେ, ଏହା ବୋଲି ବାହ୍ୟଦୃଷ୍ଟିରେ ପ୍ରଣୋଦିତ ହୋଇ ଗୋଟାଏ ଆଶାଶୂନ୍ୟ ଭାବ ହୃଦୟରେ ପୋଷଣ କରିବା ଉଚିତ ନୁହେଁ । ଜାଗତିକ ସମସ୍ତ କାର୍ଯ୍ୟରେ ସ୍ୱଭାବର ଦୋଷ ଓ ଗୁଣ ସଂଯୁକ୍ତ ଅଛି; ସୁତରାଂ ସ୍ୱଭାବକୁ ବାଦ୍‌ ଦେଇ ସାମାଜିକ ବିଷୟ ଆଲୋଚନା କରାଯାଇ ନ ପାରେ ।

 

ସାମାଜିକ ଅନୁଷ୍ଠାନମାନଙ୍କରେ ବିଭିନ୍ନ ଲୋକାଚାର ଅନେକ ସମୟରେ ବୈଷମ୍ୟ ଆଣେ । ଏହା ଛଡ଼ା ଶ୍ରେଣୀବିଭାଗ ସକାଶେ ମନୁଷ୍ୟର କଳ୍ପିତ ଭେଦବୁଦ୍ଧି ବ୍ୟତୀତ କୌଣସି ଚରିତ୍ରଗତ ପାର୍ଥକ୍ୟକୁ ନିଶ୍ଚିନ୍ତରୂପେ ନିର୍ଦ୍ଦେଶ କରାଯାଇ ନ ପାରେ । ଯଦି ଶ୍ରେଣୀବୈଷମ୍ୟରେ ମନୁଷ୍ୟର ବେଶି ଅନୁରାଗ ଜନ୍ମୁ ନ ଥାନ୍ତା ତା ହେଲେ ଏକତାର ମହତ୍ତ୍ୱ ସମାଜରେ ପ୍ରତିପନ୍ନ କରାଇବା ପାଇଁ ସମାଜନାୟକମାନଙ୍କୁ ଆଦୌ ଚେଷ୍ଟା କରିବାକୁ ପଡ଼ନ୍ତା ନାହିଁ । ପୌରୋହିତ୍ୟ, ପ୍ରଭୁତ୍ୱ ଓ ଦାସତ୍ୱ ପ୍ରଭୃତି ଉଚ୍ଚ ନୀଚ କାର୍ଯ୍ୟମାନଙ୍କରେ ମନୁଷ୍ୟମାନଙ୍କୁ ଶ୍ରେଣୀବଦ୍ଧ କରାଯାଇ ନ ଥିଲେ, ସମାଜରେ ଜଟିଳତା ମଧ୍ୟ ଜନ୍ମି ପାରନ୍ତା ନାହିଁ । ସମ ଅବସ୍ଥାପନ୍ନ ଲୋକମାନଙ୍କର ଚରିତ୍ର ସହଜରେ ପରୀକ୍ଷା କରାଯାଇପାରେ । ଭିନ୍ନ ଭିନ୍ନ ଅବସ୍ଥାଧୀନ ମନୁଷ୍ୟର ପ୍ରକୃତ ଚରିତ୍ର ଅଧିକାଂଶ ସମୟରେ ଆବୃତ ଥାଏ । ଧନୀ ଓ ପଦସ୍ଥ ବ୍ୟକ୍ତିମାନେ ସମାଜ ଚକ୍ଷୁରେ ଗୋଟିଏ କୃତ୍ରିମ ବ୍ୟବହାର ଦେଖାନ୍ତି, ଯଦ୍ଦ୍ୱାରା ସେମାନଙ୍କ ସ୍ୱଭାବାନୁଗତ ଧର୍ମ ସହଜରେ ପ୍ରକାଶିତ ହୁଏ ନାହିଁ । ଏହି ଅବିଶୁଦ୍ଧ ପରଦାକୁ ଅପସାରିତ କରିଦେଲେ ମନୁଷ୍ୟର ପ୍ରକୃତ ପରିଚୟ ମିଳେ ।

 

ସ୍ଥୂଳତଃ ସମାଜର ଅଙ୍ଗକୁ ଦୁଇଟି ବିଭାଗରେ ବିଭକ୍ତ କରାଯାଇପାରେ । ଗୋଟିକରେ କୃତ୍ରିମତା ଅଭିନୟକାରୀ ପଦସ୍ଥ ଓ ଧନିଲୋକମାନଙ୍କୁ ଦେଖାଯାଏ ଏବଂ ଅପରଟିରେ ଶକ୍ତିର ତାରତମ୍ୟ ଅନୁସାରେ ଆଡ଼ମ୍ୱରହୀନ ସମସ୍ତ ସତ୍‌କର୍ମୀମାନଙ୍କର ସ୍ଥାନ ନିରୂପଣ କରାଯାଇପାରେ-। ପ୍ରଥମ ବିଭାଗକୁ ବାଦ୍‌ ଦେଇ ଦ୍ୱିତୀୟରେ ମନୋନିବେଶ କଲେ ଶକ୍ତି ଓ କର୍ମର ବିଚାର ସଙ୍ଗେ ସମାଜର ଉନ୍ନତି ପରିମାଣ ଜଣାପଡ଼େ । ବିଜ୍ଞାନର ଭିତ୍ତି ଉପରେ କର୍ମପ୍ରସୂ ସାମାଜିକ ନିୟମର ପ୍ରତିଷ୍ଠା ସହଜ-ସାଧ୍ୟ ହୁଏ; ବୃଥା ଆଡ଼ମ୍ୱର-ମୋହ କର୍ମଜଗତରୁ ଅନ୍ତର୍ହିତ ହୋଇ ସରଳତାର ଚିତ୍ର ସମାଜ ଆଗରେ ଅଙ୍କିତ ହୁଏ ।

 

ସମାଜ-ନୀତି ପ୍ରଚଳନରେ ସତ୍ୟପ୍ରତି ଅବ୍ୟାହତ ଦୃଷ୍ଟି ରଖିବା ଆବଶ୍ୟକ । ଧର୍ମର ଦ୍ୱାହି ଦେଇ ଶ୍ରେଣୀଗତ ପାର୍ଥକ୍ୟରେ ସ୍ୱାର୍ଥର ବୀଜ ରୋପଣ କଲେ ଭବିଷ୍ୟତର ଅମଙ୍ଗଳ ଅନିବାର୍ଯ୍ୟ ହୁଏ । ସମାଜର କଲ୍ୟାଣକର କାର୍ଯ୍ୟରେ ଗୁଣକୁ ଅପେକ୍ଷା କରି ଅସମାନ ଅଧିକାର ସୃଷ୍ଟି କରିବା ଦ୍ୱାରା ସଂକୀର୍ଣ୍ଣତା ବଢ଼ିଯାଏ । ସାମାଜିକତା ପ୍ରସାରଣରେ ଦେଶପ୍ରୀତି ସ୍ୱତଃ ଜାତ ହୁଏ । ଜାତୀୟତା ଗଠନ କରିବା ପାଇଁ ଅନ୍ୟ ଉପାୟ ଅବଲମ୍ୱନ କରିବାକୁ ପଡ଼େ ନାହିଁ । ପ୍ରତ୍ୟେକ କ୍ରିୟାକୁ କଠିନ ଧର୍ମ-ଆବରଣରେ ଆବୃତ କରି ରଖିଲେ, ସମାଜର ସ୍ୱଚ୍ଛନ୍ଦ ଗତିରେ ବାଧା ଆସେ । ଧର୍ମକୁ ବାଦ୍‌ ଦେଲେ ସମାଜ-ନୀତି-ଗଠନ ଅସମ୍ଭବ ବୋଧ ହୋଇପାରେ; କିନ୍ତୁ ସେମାନଙ୍କ ମଧ୍ୟରେ ଗୋଟିଏ ବ୍ୟବଧାନ ରହିବା ଆବଶ୍ୟକ । କେବଳ ଖାଣ୍ଟି ଧର୍ମ ଉପରେ ସାଂସାରିକ ଜୀବନ ଗଢ଼ା ହୋଇ ନ ପାରେ ।

•••

 

ଲକ୍ଷ୍ମୀ ବାଈ

ଭାରତମାତାର ମୁକୁଟମଣି, ଦେଶର ସମୁଜ୍ଜ୍ୱଳ ଜ୍ୟୋତିଷ୍କ, ପ୍ରାତଃସ୍ମରଣୀୟା ରାଣୀ ଲକ୍ଷ୍ମୀ ବାଈ ସ୍ୱାଧୀନତା ଅଙ୍କର ଶେଷ-ଯବନିକା ପତନ ବେଳେ ବ୍ରିଟିଶ-କେଶରୀକୁ ଯେଉଁ ଅଦମ୍ୟ ସାହସ ଦେଖାଇଥିଲେ, ସେହି ଅମର କାହାଣୀ କାଳଗର୍ଭରେ କଦାପି ଲୀନ ହେବ ନାହିଁ । ହିନ୍ଦୁର ଅସ୍ତିତ୍ୱ ଥିବା ପର୍ଯ୍ୟନ୍ତ ତାର ବୀରତ୍ୱର ଶେଷ ନିଦଶନ ଲକ୍ଷ୍ମୀଙ୍କ ଜୀବନୀରୁ ଘୋଷିତ ହେବ ।

 

ନାରୀ-ହୃଦୟ କୋମଳତାର ଉତ୍ସ । ପାର୍ଥିବ କ୍ଳେଶର ଉଷ୍ଣତା ଦୂର କରିବାପାଇଁ ଏହାର ସୃଷ୍ଟି । ଜଗତର ହାହାକାର ମଧ୍ୟରେ ଏହାର କଳତାନ ସଞ୍ଜୀବନୀ ମନ୍ତ୍ର । ନାରୀ ଅବସନ୍ନ ପୁରୁଷ ପ୍ରାଣର ଏକମାତ୍ର ଅବଲମ୍ୱନ । କଠୋର କାର୍ଯ୍ୟ ସମ୍ପାଦନରେ ପୁରୁଷ ନାରୀଠାରୁ ଅଲକ୍ଷିତରେ ପ୍ରେରଣା ପାଇଥାଏ । ରାଜପୁତ ବୀରର ଅସାମାନ୍ୟ ବୀରତ୍ୱ-ରାଜପୁତ ରମଣୀର ନିଃସ୍ୱାର୍ଥ ପ୍ରେମ ସହାୟତାରେ ଉଦ୍‌ଭାସିତ ହୋଇଉଠିଥିଲା । କମଳିନୀ ରବିଙ୍କର ଖରତେଜରେ ତାର ଶୋଭା ବିସ୍ତାର କରେ । ନାରୀର ଅଲକ୍ଷିତ ସଦ୍‌ଗୁଣ ସବୁ ପୁରୁଷ ସଂସ୍ପର୍ଶରେ ଜଗତ୍‌ ସମକ୍ଷରେ ଗୋଟିଏ ଅନିନ୍ଦ୍ୟ ଆଦର୍ଶ ସୃଷ୍ଟି କରେ, ଯାହାକୁ ଲକ୍ଷ୍ୟ କରି ପୁରୁଷ ସହସ୍ର ନିର୍ଯ୍ୟାତନା ମଧ୍ୟରେ ତାର ସୁଖର ସଂସାର ଗଢ଼ିନିଏ । ନାରୀ ବିଳାସର ସାମଗ୍ରୀ ନୁହେଁ; କେବଳ ସରସତା ଆଣି ପୁରୁଷ ପ୍ରାଣକୁ ସତେଜ କରିବା ତାର କାର୍ଯ୍ୟ ନୁହେ । ସୁରଭି କୁସୁମର ସ୍ନିଗ୍‌ଧତା ଓ ବଜ୍ରର ଦୃଢ଼ତା ନାରୀପ୍ରାଣରେ ଲକ୍ଷିତ ହେବା ଆବଶ୍ୟକ । ନିର୍ମ୍ମମ କର୍ତ୍ତବ୍ୟ ନିକଟରେ ତାର ସେହି ସ୍ନିଗ୍ଧତା ଭଗ୍ନ ପୁରୁଷହୃଦୟକୁ ନୂତନ ବଳ ଦେଇ ମାନବ ଜୀବନକୁ ବୈଚିତ୍ର୍ୟମୟ କରିଦିଏ । ସାବିତ୍ରୀଙ୍କର ପବିତ୍ର ଜୀବନ ଏହାର ଶ୍ରେଷ୍ଠ ନିଦର୍ଶନ । ପ୍ରାଣର ଆରାଧ୍ୟ ଦେବତାକୁ ସମରାନଳରେ ପ୍ରବେଶ କରିବା ପାଇଁ ନାରୀ ଉତ୍ସାହ ଦେଇ ଯେଉଁ ଗୌରବ ଅନୁଭବ କରେ, ତାହା ଆଧୁନିକ ଭାରତୀୟ ରମଣୀ ପକ୍ଷରେ ଅନୁଭବ କରିବା ସମ୍ଭବପର ନୁହେଁ । ଜୀବଜଗତ୍‌ ବିଭିନ୍ନ ସ୍ତରରେ ଗଠିତ । ସମଜାତୀୟ ପ୍ରାଣୀମାନଙ୍କ ମଧ୍ୟରେ ମନୁଷ୍ୟ ଚରିତ୍ର ଯେପରି ଜଟିଳତାରେ ପୂର୍ଣ୍ଣ, ତାହା ଅନ୍ୟାନ୍ୟ ଜୀବମାନଙ୍କ ମଧ୍ୟରେ ଦେଖିବାକୁ ବିରଳ । ଏହି ଜଟିଳତା ଅନ୍ଧକାରକୁ ଭେଦ କରି ପୁରୁଷ ଓ ନାରୀ ଜୀବନରେ ଏକତ୍ୱ ପ୍ରତିପାଦନ କଲେ ଜଗତ୍‌ପତିଙ୍କର ମଙ୍ଗଳମୟ ନିର୍ଦେଶ ପାଳିତ ହୁଏ । ଦୁହିଙ୍କ ମଧ୍ୟରେ ବ୍ୟବଚ୍ଛେଦ ଆଣି ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା ଦୂରୁହ । କେତେକ ଅସାଧାରଣ ପୁରୁଷ ଓ ନାରୀଙ୍କ ଜୀବନରେ ଉପର୍ଯ୍ୟୁକ୍ତ ବ୍ୟତିକ୍ରମ ଦେଖାଯାଏ । ନାରୀ ଯେତେ ଥର ପୁରୁଷର କାର୍ଯ୍ୟ ସମ୍ପାଦନ କରିଛି ତାହା ଇତିହାସ ପୃଷ୍ଠାରେ ଅମରାକ୍ଷରରେ ଲିପିବଦ୍ଧ କରା ଯାଇଛି । ରାଣୀ ଦୁର୍ଗାବତୀ ଆଦି ଯୁଦ୍ଧକ୍ଷେତ୍ରରେ ଯେଉଁ ଅସୀମ ସାହସ ଦେଖାଇଅଛନ୍ତି, ତାହା ଭାରତ-ଇତିହାସକୁ ଚିରଦିନ ଉଜ୍ଜ୍ୱଳ କରି ରଖିବ । ସିଂହର ଅଭାବରେ ସିଂହୀ ଯେପରି ଦ୍ୱିଗୁଣ ବିକ୍ରମରେ ନିଜର ପ୍ରଭାବ ବିସ୍ତାର କରେ, ଭାରତ ରମଣୀ ସେହିପରି ଅସହାୟା ହୋଇ ଜାତିର ଗୌରବକୁ ଅକ୍ଷୁଣ୍ଣ ରଖି ଆସିଛି । ଦୁର୍ଦ୍ଦିନରେ ତାର ଶକ୍ତି ପରୀକ୍ଷା କରାଯାଇଛି । ଘୋର ଅନ୍ଧକାର ମଧ୍ୟରେ ସେ ଦେଶବାସୀଙ୍କୁ ଆଲୋକର ସନ୍ଧାନ ଦେଇଛି । ସ୍ୱାର୍ଥାନ୍ଧ ଭୀରୁ ପୁରୁଷପ୍ରାଣରେ ଯେଉଁ ସ୍ପନ୍ଦନ ସେ ଖେଳାଇ ଦେଇଛି, ତାକୁ ଆଜି ଏ ପତିତ ଜାତି ସ୍ମରଣ କରିବାକୁ ସୁଦ୍ଧା କୁଣ୍ଠିତ । କୋମଳତାର ପ୍ରତିମୂର୍ତ୍ତି ନାରୀ ଅଗ୍ନିର ସ୍ଫୁଲିଙ୍ଗ । ଏହି ଅଗ୍ନିକଣା ସଂଯୋଗରେ ଜାତୀୟ ଅନ୍ଧକାର ଚିରଦିନ ସକାଶେ ଅପସାରିତ ହୋଇପାରେ । ପ୍ରମଦ କାନନରେ ରମଣୀର ଅଧିଷ୍ଠାନକୁ ଭସ୍ମୀଭୂତ କରିବା ପାଇଁ ଏହି ଅଗ୍ନିକଣା ବର୍ତ୍ତମାନ ଲୋଡ଼ା-

 

ପ୍ରତି ଯୁଗରେ ଦେଶର ମହତ୍ତ୍ୱ କୌଣସି ବିଶିଷ୍ଟ ନର କିମ୍ୱା ନାରୀର କାର୍ଯ୍ୟାବଳିଦ୍ୱାରା ପ୍ରଚାରିତ ହୁଏ । ସେହି ଅସାଧାରଣ କାର୍ଯ୍ୟପ୍ରଣାଳୀ ଦେଶର ଅବନତିକୁ ଅପେକ୍ଷା ରଖେ ନାହିଁ । ସାଂସାରିକ କର୍ମର ବିରାମ ନାହିଁ । ସଂଖ୍ୟାତୀତ କ୍ଷୁଦ୍ର ଅନାଦୃତ କର୍ମ ସମଷ୍ଟିରେ କାଳଚକ୍ରର କୌଣସି ପରିବର୍ତ୍ତନ ପରିଦୃଷ୍ଟ ହୁଏ ନାହିଁ; କିନ୍ତୁ ବାତାବର୍ତ୍ତ ପରି କୌଣସି କୌଣସି କାର୍ଯ୍ୟ ଥରେ ଥରେ ପ୍ରଚଳିତ ମାର୍ଗରେ ବିପ୍ଲବ ଆଣେ । ବିପ୍ଳବବାଦୀକୁ ସରଳ ବିଶ୍ୱାସରେ ଅନୁସରଣ କରିବାକୁ ଦେଶ ସହଜରେ ପ୍ରସ୍ତୁତ ହୁଏ ନାହିଁ । ଗୋଟାଏ ସଂଘର୍ଷ ମଧ୍ୟରେ ନୂତନ କର୍ମପନ୍ଥା ତାର ବିଶେଷତ୍ୱ ପ୍ରମାଣ କରି ଲୋକମତ ସଂଗ୍ରହ କରେ । ସମୟୋପଯୋଗୀ ହେଲେ ବିନା ଆପତ୍ତିରେ ଦେଶବାସୀ ନୂତନ କର୍ମମନ୍ତ୍ରକୁ ଗ୍ରହଣ କରନ୍ତି; ନଚେତ୍‌ ଗୋଟାଏ ବିପର୍ଯ୍ୟସ୍ତ ଅବସ୍ଥାରେ ଦେଶକୁ ପକାଇ ବିପ୍ଳବୀ କର୍ମକ୍ଷେତ୍ରରୁ ଅନ୍ତର୍ହିତ ହୋଇଯାଏ । କେହି କେହି କହି ପାରନ୍ତି-ଏହାଦ୍ୱାରା ମଧ୍ୟ ଦେଶର ପ୍ରଭୂତ କଲ୍ୟାଣ ସାଧିତ ହୁଏ । ଆଳସ୍ୟପରତନ୍ତ୍ର ମୋହାସକ୍ତ ଦେଶବାସୀଙ୍କୁ ଶିକ୍ଷା ଦେବାପାଇଁ ଭଗବାନ ଯେତେ ଉପାୟ ଅବଲମ୍ୱନ କରନ୍ତି, ଏହା ତନ୍ମଧ୍ୟରେ ପ୍ରକୃଷ୍ଟ ବୋଲି କୁହାଯାଇପାରେ । କୌଣସି କର୍ମ ଦୋଷ କିମ୍ୱା ଗୁଣରୁ ନିରାକୃତ ନୁହେଁ; ସୁତରାଂ ପ୍ରତ୍ୟେକ କାର୍ଯ୍ୟକୁ ଭାବିକଲ୍ୟାଣର ଆଧାର ସ୍ୱରୂପ ଧରି ବିଚାର କରିବା ଆବଶ୍ୟକ । ବର୍ତ୍ତମାନ ଅନିଷ୍ଟ ଯଦି ଭବିଷ୍ୟତ୍‌ ଇଷ୍ଟରେ ପରିଣତ ହୁଏ, ତା ହେଲେ ମନରୁ ସନ୍ଦେହ ଦୂର କରିବା ସର୍ବାଦୌ କର୍ତ୍ତବ୍ୟ । ଦେଶର କେତେ ଜଣ ଲୋକ ନିରପେକ୍ଷ ଭାବରେ ନୂତନ ପ୍ରବର୍ତ୍ତିତ କାର୍ଯ୍ୟପ୍ରଣାଳୀର ଆଲୋଚନା କରନ୍ତି ? ଅଧିକାଂଶ ସ୍ଥଳରେ ଦେଖାଯାଏ ଯେ, ଆଶୁଫଳପ୍ରଦ କାର୍ଯ୍ୟ ପରିଣାମରେ ଘୋର ଅନିଷ୍ଟ କଲେ ସୁଦ୍ଧା ଦେଶବାସୀ ଅକାତରରେ ତାକୁ ବରଣ କରନ୍ତି । ଯେଉଁଥିରେ ତ୍ୟାଗ ଓ ପୁରୁଷତ୍ୱର ବିକାଶ ଜଣାପଡ଼େ, ତାହା ସାଧାରଣତଃ ଲୋକଦୃଷ୍ଟିରେ ଉପେକ୍ଷିତ ହୋଇଥାଏ । ଏହା ସମ୍ପୂର୍ଣ୍ଣରୂପେ ପ୍ରଚଳିତ ଲୋକଚରିତ୍ରର ଭିତ୍ତିହୀନତା ପ୍ରମାଣ କରେ । ମହତ୍‌ ଚରିତ୍ର ପ୍ରମାଣ ପାଇଁ ଗୋଟାଏ ଜନତାର ସମାବେଶ କରିବାକୁ ପଡ଼େ ନାହିଁ, ସ୍ୱତଃ ତାହା ଫୁଟିଉଠେ । ଶତ୍ରୁ କିମ୍ୱା ମିତ୍ରଦୃଷ୍ଟିରେ ତାହା ସମାନ ଦେଖାଯାଏ । ଅପୂର୍ଣ୍ଣ ମନୁଷ୍ୟର ଶ୍ରେଷ୍ଠ ଆଦର୍ଶ ଭଗବାନ ରାମଚନ୍ଦ୍ର ତାଙ୍କର ପରମ ଶତ୍ରୁ ବହୁଦର୍ଶୀ ଅସୁର ରାବଣଠାରୁ ସୁଦ୍ଧା ରାଜନୀତି ଶିକ୍ଷା କରିବାକୁ ପରାଙ୍ମୁଖ ହୋଇ ନ ଥିଲେ । ଉପର୍ଯ୍ୟୁକ୍ତ ବିଷୟର ସତ୍ୟତା ପ୍ରମାଣ କରିବା ଆମ୍ଭମାନଙ୍କର ଉଦ୍ଦେଶ୍ୟ ନୁହେଁ କେବଳ ଯାହା ମହତ୍‌ ଓ ଉଦାର ତାହା ସର୍ବଥା ଗ୍ରହଣୀୟ ।

 

ପରିମିତ ଜୀବନକାଳ ମଧ୍ୟରେ ମନୁଷ୍ୟ କେତେ ରଙ୍ଗର ଚିତ୍ର ଦେଖେ । ସମୟ ବିଶେଷରେ କୌଣସି ବିଶିଷ୍ଟ ଘଟନାକୁ ଅବଲମ୍ୱନ କରି ସେ ତାର ଜୀବନ-ତରୀକୁ ସ୍ୱଚ୍ଛନ୍ଦରେ ଛାଡ଼ିଦିଏ । ସେତେବେଳେ ସହସ ବାଧା ଆସିଲେ ସୁଦ୍ଧା ତାର ଅନ୍ତର୍ନିହିତ ଶକ୍ତି ପୂର୍ଣ୍ଣ ଆବେଗରେ ପ୍ରକାଶିତ ହୁଏ । ଯେତେ ଦିନ ପର୍ଯ୍ୟନ୍ତ ମନୁଷ୍ୟ କେବଳ ସାଂସାରିକ କାର୍ଯ୍ୟ ସମ୍ପାଦନରେ ନିଜର ଶକ୍ତିକୁ ନିୟୋଗ କରି ଆତ୍ମତୃପ୍ତି ଅନୁଭବ କରୁଥାଏ, ସେତେ ଦିନଯାଏ ଜୀବନର ମହତ୍ତ୍ୱ ଉପଲବ୍ଧ ହୁଏ ନାହିଁ । କୃଷିଜୀବୀ କିମ୍ୱା ଦାସତ୍ୱଜୀବୀ ପକ୍ଷରେ ଜନ୍ମଭୂମି ପାଇଁ ପ୍ରାଣ ବିସର୍ଜନ କରିବା ସମ୍ଭବପର ନୁହେଁ । ସେ ଯେଉଁ ସ୍ତରରେ ଥାଏ, ସେଠାରେ ମାନବିକତାର ଉତ୍ତମ ବିକାଶ ହୋଇ ନ ଥାଏ । ସେଥିଯୋଗୁଁ ହିନ୍ଦୁମାନେ ବର୍ଣ୍ଣାଶ୍ରମ ଆଶ୍ରୟରେ ଦେଶର ସ୍ୱାର୍ଥ ଲାଗି କେତୋଟି ଶ୍ରେଣୀବିଭାଗ କରିଥିଲେ । ଉତ୍ତମ, ମଧ୍ୟମ ଓ ଅଧମକୁ ବିଭିନ୍ନ ଅବସ୍ଥାନୁରୂପୀ କାର୍ଯ୍ୟଭାର ଦିଆଯାଉଥିଲା । ଚିରଦିନ ସମାନ ଯାଏ ନାହିଁ । ଭାରତର ଦୁର୍ଦ୍ଦିନ ଆସିଲା । ପ୍ରକୃତ ମର୍ମ ନ ବୁଝି, ହିନ୍ଦୁ ଗୋଟାଏ ଛାୟା ଅନୁସରଣ କଲା । ଜାତିଭେଦକୁ ଗଣ୍ଠିଧନ କରି ସେ ସମାଜମୁଖରେ ଅକାତରରେ ଯେଉଁ କଳଙ୍କ-କାଳିମା ଲେପିଦେଲା, ତାକୁ ପୋଷଣ କରିବା ପାଇଁ ଅଜ୍ଞାନ ହିନ୍ଦୁସନ୍ତାନ ଅଭାବ ହେଲେ ନାହିଁ । ଶକ୍ତିପ୍ରସବିନୀ ଭାରତ ଭୂମି କେତେଗୁଡ଼ାଏ ଅପଦାର୍ଥକୁ ଘେନି ଅନ୍ଧକାରରେ ବୁଡ଼ି ରହିଲା । ବହିଃଶତ୍ରୁର ପଦାଘାତକୁ ଉପଯୁକ୍ତ ପ୍ରତିଦାନ ଦେବା ପାଇଁ କ୍ଷତ୍ରିୟକୁଳ ଅଗ୍ରସର ହେଲେ ନାହିଁ । କେତେକ କ୍ଷତ୍ରିୟାପସଦ ଜାତୀୟ ସ୍ୱାର୍ଥରେ ଜଳାଞ୍ଜଳି ଦେଇ ବ୍ୟକ୍ତିଗତ ସ୍ୱାର୍ଥର ଚିତ୍ରକୁ ନିଜ ଦୃଷ୍ଟି ସମ୍ମୁଖରେ ସର୍ବଦା ଦେଖିବାକୁ ଲାଗିଲେ । ଭୀରୁତା ଓ କପଟତାରେ ଦେଶର ଅନ୍ତର୍ଦାହ ହେଲାବେଳେ ସିନ୍ଧୁ-ବକ୍ଷୋତ୍ଥିତା ରମାଙ୍କ ଆବିର୍ଭାବ ସଦୃଶ ରାଣୀ ଲକ୍ଷ୍ମୀବାଈ ବୀର-ରମଣୀର ଶେଷତ୍ୟାଗ ଦେଖାଇଦେଲେ ।

 

୧୮୫୮ ମସିହା ଜୁନ ୧୭ ତାରିଖଟି କେବଳ ସିପାହୀ-ବିଦ୍ରୋହ ସମ୍ପର୍କରେ ସ୍ମରଣୀୟ ଦିବସ ନୁହେଁ । ଭାରତ ଇତିହାସରେ ଏହି ଦିବସର କ୍ୱଚିତ୍‌ ତୁଳନା ଦେଖାଯାଏ । ନିଃସ୍ୱ ଭାରତମାତାର ଶେଷ ସମ୍ୱଳ, ଭାରତୀୟ ନାରୀର ଶେଷ ଆରାଧ୍ୟା ଦେବୀ, ଆଦର୍ଶର ଶ୍ରେଷ୍ଠା ପୂଜୟିତ୍ରୀ, ତ୍ୟାଗର ଚରମ ନିଦର୍ଶନଭୂତା ନାରୀ-ଶିରୋମଣି ରାଣୀ ଲକ୍ଷ୍ମୀ ପୂତକଳେବରା ଜନ୍ମଭୂମିକୁ ଯେଉଁ ଦିନ ନିଜ ଶୋଣିତ ଦାନ କଲେ, ତାହା ଅତୀତର ଗୋଟାଏ ମହତ୍‌ ଦିବସ ! ଦିନ ଚାଲି ଯାଉଛି, କିଏ ତାର ଗଣନା କରୁଛି ? ଭବିଷ୍ୟତ ବର୍ତ୍ତମାନ ମଧ୍ୟଦେଇ ଅମତରେ ମିଶି ଯାଉଛି; କିନ୍ତୁ ଏ ଅବିରାମ ଘୂର୍ଣ୍ଣନ ବେଳେ କ୍ଷଣେ କ୍ଷଣେ ଗୋଟିଏ ଗୋଟିଏ ଅଗ୍ନି ସ୍ଫୁଲିଙ୍ଗ ବିଚ୍ଛୁରିତ ହୋଇ ପ୍ରଜ୍ୱଳିତ ହୁଏ ଓ ପୁଣି ନିର୍ବାପିତ ହୋଇଯାଏ; ଉଲ୍‌କାପାତ ବେଳେ ନଭୋମଣ୍ଡଳ କିୟତ୍‌ପରିମାଣରେ ଉଦ୍‌ଭାସିତ ହୁଏ । କିନ୍ତୁ ତାର ଅନନ୍ତ ସତ୍ତାରେ ସବୁ କୁଆଡ଼େ ଉଭେଇ ଯାଏ । ଦୀପ୍ତିପ୍ରକାଶକ ତାଙ୍କ ଅନନ୍ତ ଗର୍ଭରେ ସମସ୍ତ ଦୀପ୍ତିକୁ ଗ୍ରହଣ କରନ୍ତି; କେବଳ କ୍ଷୁଦ୍ର ମନୁଷ୍ୟକୁ ଜଟିଳ ସଂସାର-ପଥରେ ଅଗ୍ରସର ହେବାପାଇଁ ଗୋଟିଏ ଗୋଟିଏ ସଙ୍କେତ ଦିଅନ୍ତି । ଆଦର୍ଶର ଉଜ୍ଜ୍ୱଳ ଆଭା ଗ୍ରହଣ କରିବାକୁ ଅତ୍ୟଳ୍ପ ଲୋକ ସମର୍ଥ ହୋଇଥାନ୍ତି । ବିଶେଷତଃ ଦେଶର ପତିତ ଅବସ୍ଥାର ପ୍ରକୃତ ମାର୍ଗ ଅବଧାରିତ ହୋଇପାରେ ନାହିଁ; ବରଂ ସେହି ଆଲୋକ ସାହାଯ୍ୟରେ କୁକ୍ରିୟାର ମାତ୍ରା ବଢ଼ିଯାଏ । ଜଣକର ଅସାଧାରଣ ଶକ୍ତି କିଛି ସମୟ ପାଇଁ ଗୋଟାଏ ସରସ ସମୟ କିମ୍ୱା ଅବସ୍ଥା ସୃଷ୍ଟି କରିପାରେ; କିନ୍ତୁ ସେହି ମହାନୁଭବ ବ୍ୟକ୍ତିଙ୍କ ପଦାଙ୍କ ଅନୁସରଣ କରି କଳଙ୍କ-ରେଖାକୁ ଦୂରକୁ ଟାଣିନେବା ଅନ୍ୟାନ୍ୟଙ୍କ ପକ୍ଷରେ ଅସମ୍ଭବ ନୁହେ । ଜାତୀୟ ଚରିତ୍ରରେ ଏହିପରି ଅନେକ ଘଟନା ଘଟିଥିବାରୁ ପ୍ରମାଣ ମିଳେ । ସମୟ ଦୃଷ୍ଟିରେ କର୍ମୀର ମହତ୍ତ୍ୱ ନିରୂପଣ କରିବା ଉଚିତ । ବ୍ୟକ୍ତିଗତ ଚରିତ୍ରର ମହନୀୟତା ଜାତୀୟ ଉଚ୍ଛୃଙ୍ଖଳତାରେ ହୀନ ବୋଧ ହେବା ସଂକୀର୍ଣ୍ଣ ଦୃଷ୍ଟିର ପରିଚାୟକ । ଯେ ଜାତି ମହତ୍‌ ନୁହଁ, ସେ ମହତ୍ତ୍ୱର ମୂଲ୍ୟ ବୁଝେ ନାହିଁ । ବୀରଜାତି ଶତ୍ରୁକୁ ସୁଦ୍ଧା ଉପେକ୍ଷା କରେ ନାହିଁ । ଶତ୍ରୁର ଅମର ଚିତାରେ ଶାନ୍ତିବାରି ସେଚନ କରି ସେ ସୁବିଶାଳ କୀର୍ତ୍ତି ଅର୍ଜନ କରେ ।

 

ବିଧିର ଆଦେଶ ଅଲଙ୍ଘନୀୟ । ତାର ବିଚିତ୍ର ବିଧାନରେ ବ୍ରିଟେନ ଆଜି ଭାରତର ଭାଗ୍ୟବିଧାତା । କର୍ମସୂତ୍ରର ଅଧୀନ ହୋଇ ଭାରତ ତାର ଅତୀତ ପାପରାଶିର କ୍ଷାଳନ କରୁଛି । ଜନ୍ମଭୂମି ସକାଶେ ଉତ୍ସର୍ଗୀକୃତ ଲକ୍ଷ୍ମୀଙ୍କର ନଶ୍ୱର ଶରୀର ପବିତ୍ର ସମରକ୍ଷେତ୍ରରେ ବିଲୀନ ହୋଇଯାଇଛି; କିନ୍ତୁ ତାଙ୍କର ଅପାର୍ଥିବ ଯଶୋଗାଥା ବ୍ରିଟିଶ ବୀର ଲିପିବଦ୍ଧ କରିବାକୁ ପଶ୍ଚାଦ୍‌ପଦ ହୋଇ ନାହାନ୍ତି । ଦେଶ ମାତୃକାର ମହତ୍ତ୍ୱ ରକ୍ଷା ଲାଗି ତରବାରୀ-ହସ୍ତରେ ମହାନିଦ୍ରାରେ ଅଭିଭୂତ ହେବାପାଇଁ ଲକ୍ଷ୍ମୀ ତିଳେ ମାତ୍ର ଦ୍ୱିଧା ବୋଧ କରି ନାହାନ୍ତି । ଲକ୍ଷ୍ମୀଙ୍କର ସ୍ୱାଭାବିକ କୋମଳ ହୃଦୟ ବିପକ୍ଷ ପକ୍ଷର ସମର ଦୁନ୍ଦୁଭି ବାଜି ଉଠିଲାବେଳେ ଦୃପ୍ତା ସିଂହୀର ଭୀଷଣ ଗର୍ଜନ ପରି ପ୍ରତ୍ୟୁତ୍ତର ଦେବାକୁ ବିସ୍ମୃତ ହୋଇ ନାହିଁ । ସ୍ୱାଧୀନତା ରକ୍ଷା ଲାଗି ସମରର ସୃଷ୍ଟି । ମୁକ୍ତ ବିହଙ୍ଗ ପିଞ୍ଜରରେ ଆବଦ୍ଧ ହେବାକୁ ଚାହେଁ ନାହିଁ । ଅନନ୍ତ ଆକାଶରେ ଉଡ଼ି ପାରିଲେ ସେ ଅସୀମ ଆନନ୍ଦ ଅନୁଭବ କରେ । ଲକ୍ଷ୍ମୀଙ୍କ ପରି ଅସାଧାରଣ ମାନବୀଙ୍କ ମନରେ ଏହି ସ୍ୱାଧୀନତା ଧନରୁ ବଞ୍ଚିତ ହେବା କେତେ ଦୂର ମର୍ମାନ୍ତିକ କଷ୍ଟ ଦେଇଥିବ, ତାହା ସହଜରେ ଅନୁମାନ କରାଯାଇ ପାରେ । ଝାନ୍‌ସିରେ କ୍ଷୁଦ୍ରତ୍ୱ ତୁଳନାରେ ତାର ଅଧୀଶ୍ୱରୀର ଅମିତ ବିକ୍ରମ ତତ୍‌କାନୀନ ଭାରତବିଜେତାକୁ ସ୍ତମ୍ଭିତ କରିଦେଇଥିଲା । ବ୍ରିଟିଶ୍‌ ପ୍ରତିନିଧିଙ୍କୁ ସେ ଯେଉଁ ନିର୍ଭୀକ ବାଣୀ ଶୁଣାଇଥିଲେ, ତାହା ଆଜି ଭାରତୀୟ ରମଣୀ କର୍ଣ୍ଣରେ ମେଘମନ୍ଦ୍ର ଗୁରୁ ଗର୍ଜନ ପରି ଜଣାଯାଏ । ରମଣୀର ବାଣୀ କୀଦୃଶ ଓଜସ୍ୱୀ ଓ ଅବିଚଳିତ, ତାହା ତାଙ୍କ ଉକ୍ତିରୁ ଅନୁମିତ ହୁଏ । ପ୍ରାଣ ବିନିମୟରେ ନିଜର ଜନ୍ମଭୂମିକୁ ରକ୍ଷା କରିବାକୁ ଯାଇ ସେ କହିଲେ, ‘‘ମେରୀ ଝାନ୍‌ସି ଦେଏଙ୍ଗେ ନେହିଁ ।’’

 

ଅସହାୟା ରମଣୀର ବୀରତ୍ୱ ପ୍ରତି ବ୍ରିଟିଶ୍‌ ସେନାପତି ଦୃକ୍‌ପାତ କଲେ ନାହିଁ । ସିଂହୀକବଳରୁ ତାର ଅମୂଲ୍ୟ ଅବଲମ୍ୱନ କାଢ଼ି ନିଆଗଲା । ଝାନ୍‌ସିର ସ୍ୱାଧୀନତାରବି ଚିରଦିନ ସକାଶେ ଅସ୍ତମିତ ହେଲେ । ଦେଶପ୍ରାଣା ରାଜ୍ୟର ସ୍ୱାଧୀନତା ରକ୍ଷା ଲାଗି ବିଦ୍ରୋହୀମାନଙ୍କ ସହିତ ଯୋଗ ଦେବାକୁ ଘୃଣା ବୋଧ କଲେ । ବୀରତ୍ୱରେ ଯେଉଁ ଜାତି ଅକ୍ଷୟ କୀର୍ତ୍ତି ଅର୍ଜି ଆସିଛି, ସେହି ଜାତିର କୁଳାଙ୍କୁର ହୋଇ ଲକ୍ଷ୍ମୀ ଅବୈଧ ଉପାୟରେ ବ୍ରିଟିଶ ସୈନ୍ୟମାନଙ୍କ ଆକ୍ରମଣ କରିବାକୁ ଆଦୌ ଅଗ୍ରସର ହେଲେ ନାହିଁ ଏବଂ ୧୮୫୭ ରେ ଯେଉଁ ଅମାନୁଷିକ ହତ୍ୟାକାଣ୍ଡ ଝାନ୍‌ସିରେ ଘଟିଗଲା, ସେଥିରୁ ସେ କ୍ଷାନ୍ତ ରହିଲେ । ପକ୍ଷାନ୍ତରରେ ନିଜ ଜୀବନକୁ ସଙ୍କଟାପନ୍ନ କରି କେତେକ ଇଂରେଜ ବନ୍ଦୀମାନଙ୍କୁ ରକ୍ଷା କରିବାକୁ ସେ ଯତ୍‌ପରୋନାସ୍ତି ଚେଷ୍ଟା କରିଥିଲେ । କୋମଳତାର ଚରମ ବିକାଶ ଲକ୍ଷ୍ମୀଙ୍କ ଚରିତ୍ରରେ ପ୍ରମାଣିତ ହେଲା । ସେ ମାତୃଜାତିର ଗୌରବ ଅକ୍ଷୁଣ୍ଣ ରଖିଗଲେ । ମୁସଲମାନ ସିପାହୀମାନେ ତାଙ୍କଠାରୁ ସାହାଯ୍ୟ ପାଇବେ ବୋଲି ଯେଉଁ ଆଶା ପୋଷଣ କରିଥିଲେ, ତାହା ସମୂଳେ ବିଫଳ ହେଲା । ସେମାନେ ରାଣୀଙ୍କ ଉପରେ ବିରକ୍ତ ହୋଇ ଝାନ୍‌ସି ଛାଡ଼ି ଦିଲ୍ଲୀ ଆଡ଼କୁ ଅଗ୍ରସର ହେଲେ । ଇଂରେଜ ମାନଙ୍କର ଝାନ୍‌ସି ଅଧିକାର କରିବାର ପ୍ରବଳ ଆକାଙ୍‌କ୍ଷା ଥିବାରୁ ସେମାନେ ମଧ୍ୟ ଲକ୍ଷ୍ମୀଙ୍କର ସାହାଯ୍ୟ ପାଇଲେ ନାହିଁ । ଝାନ୍‌ସି ଅଧିକାରରୁ କ୍ଷାନ୍ତ ହୋଇ ଇଂରେଜମାନେ ଯଦି ଲକ୍ଷ୍ମୀଙ୍କ କାର୍ଯ୍ୟାବଳୀ ନିରପେକ୍ଷଭାବରେ ବିଚାର କରିଥାନ୍ତେ, ତାହା ହେଲେ ଭାରତର ଶେଷ କମଳକଳିକାଟି ଅକାଳରେ ଝଡ଼ି ପଡ଼ି ନ ଥାନ୍ତା ।

 

ଇଂରେଜମାନେ ରାଣୀଙ୍କୁ ବିଦ୍ରୋହର ପ୍ରଧାନ ପୋଷୟିତ୍ରୀ ବୋଲି ମନେ କରିଥିଲେ । ୧୮୫୮ ମସିହା ମାର୍ଚ୍ଚମାସ ୨୨ ତାରିଖରେ ଝାନ୍‌ସି ଅବରୁଦ୍ଧ ହେଲା । ପକ୍ଷାବଧି ଭୀଷର ସଂଗ୍ରାମ ଚାଲିଲା । ରାଣୀଙ୍କର ସନ୍ଧି ପ୍ରସ୍ତାବ ଘେନି ଯେଉଁମାନେ ଇଂରେଜଶିବିରକୁ ଯାଇଥିଲେ, ସେମାନଙ୍କୁ ପ୍ରକାଶ୍ୟ ଭାବରେ ପ୍ରାଣଦଣ୍ଡ ଦିଆଯାଇଥିଲା । ଦୂତମାନଙ୍କର ଭାଗ୍ୟମୀସାଂସା ଦେଖି ଲକ୍ଷ୍ମୀ ନିଜର ପରିଣାମ ଜାଣିପାରିଲେ । କ୍ଳାନ୍ତ ଓ ଭଗ୍ନହୃଦୟରେ ସେ ଏକାକିନୀ ନିବିଡ଼ ଅନ୍ଧକାରମୟ ରଜନୀର ଝାନ୍‌ସି ଦୁର୍ଗରୁ ରଣାଙ୍ଗନରେ ରମଣୀର ଆତ୍ମବଳ ପରୀକ୍ଷା ଦେବାପାଇଁ ବିଦାୟ ନେଲେ । ଏହା ପରେ ତିନି ମାସ ପର୍ଯ୍ୟନ୍ତ ଯେଉଁ ସବୁ ଖଣ୍ଡସମର ଚାଲିଥିଲା, ସେଥିରେ ତାଙ୍କର ରଣନୈପୁଣ୍ୟ ଅସାଧାରଣଭାବରେ ପ୍ରକାଶିତ ହୋଇଥିଲା । ତାଙ୍କର ଅଦମ୍ୟ ସାହସ ଦେଖି ତଦାନୀନ୍ତନ ଇଂରେଜ ସେନାପତି ସାର ହିଉ ରୋଜ୍‌ ବିସ୍ମିତ ହୋଇଥିଲେ । ଜୁନମାସର ୧ ତାରିଖରେ ଗୁଆଲିୟାର ଦୁର୍ଗ ଇଂରେଜମାନଙ୍କର ହସ୍ତଗତ ହେଲା । ସାର ହିଉଙ୍କର ଅଧିନାୟକତ୍ୱରେ କ୍ରମଶଃ ଇଂରେଜ ବାହିନୀ ଲକ୍ଷ୍ମୀଙ୍କ ଅଧିକୃତ ସମରଭୂମିକୁ ଆକ୍ରମଣ କରିବାକୁ ଲାଗିଲେ । ୧୮୫୮ ମସିହା ଜୁନମାସ ୧୭ ତାରିଖ ସକାଳ ୭ ଘଣ୍ଟା ସମୟରେ ରାଣୀ ଗୁଆଲିୟାର ଅଦୂରବର୍ତ୍ତୀ ‘କୋଠା କି ସରେଇ’ ସହର ନିକଟବର୍ତ୍ତୀ ଛାଉଣୀରେ ଅବସ୍ଥାନ କରୁଥିବା ବେଳେ ସେଠାକୁ ଇଂରେଜ ମାନଙ୍କର ଆଗମନ ବାର୍ତ୍ତା ଜାଣିପାରିଲେ ।

 

ଲକ୍ଷ୍ମୀ ବୀରବେଶରେ ସଜ୍ଜିତ ହେଲେ । ପୁରୁଷର ଆଦର୍ଶ କାର୍ଯ୍ୟ ସମ୍ପାଦନ କରିବେ ବୋଲି ନାରୀଶିରୋମଣି ବୀରର ପରିଚ୍ଛଦ ପରିଧାନ କରିବାକୁ ଗୌରବ ମନେ କଲେ । ଅଶ୍ଵପୁଷ୍ଠରେ ଆରୋହଣ କରି ସେ ବ୍ରିଟିଶ ବାହିନୀର ସମ୍ମୁଖୀନ ହେଲେ । ଦୃପ୍ତା ସିଂହୀ ମରଣକୁ ଅକାତରରେ ଆହ୍ୱାନ କଲା । ସମରାଗ୍ନି ପ୍ରବଳବେଗରେ ଜଳି ଉଠିଲା । ଭାରତର ବୀରତ୍ୱ ଗରିମା ଶେଷଥର ପାଇଁ ତାର ଆଭା ଦେଖାଇଦେଲା । ଭାରତ ରମଣୀର ଅସୀମ ସାହସ ନିକଟରେ ପ୍ରବଳ ଇଉରୋପୀୟ ଅଶ୍ୱାରୋହୀମାନେ ସେମାନଙ୍କର ଯଥା ସାଧ୍ୟ ଶକ୍ତି ପ୍ରୟୋଗ କରିବାକୁ ଆଦିଷ୍ଟ ହେଲେ । ଲକ୍ଷ୍ମୀ ପଶ୍ଚାତପଦ ହେଲେ ନାହିଁ । ଅସ୍ତମିତ ସୂର୍ଯ୍ୟ ଦିଗ୍‌ବଳୟରେ ଲୁକ୍କାୟିତ ହେବାର ସମୟ ଆସିଥିଲା । ସମରର ପ୍ରଳୟ ଝଞ୍ଜାରେ ଲକ୍ଷ୍ମୀଙ୍କର ସହଯୋଦ୍ଧାମାନେ କ୍ଷୁବ୍‌ଧ ହୋଇ ପଳାୟନ ତଲେ । ତାଙ୍କର ଅଶ୍ୱ ଆଦେଶ ନ ମାନି ପଳାତକମାନଙ୍କୁ ଅନୁସରଣ କଲା । ସେ ନିର୍ବିଘ୍ନରେ ରକ୍ଷା ପାଇପାରିଥାନ୍ତେ; କିନ୍ତୁ ଘନ ଅନ୍ଧକାର ମଧ୍ୟରେ ଆଲୋକର ଚିହ୍ନ ସୁଦ୍ଧା ରଖିବା ଭଗବାନଙ୍କ ଅଭିପ୍ରାୟ ନ ଥିଲା । ସୈନ୍ୟଛାଉଣୀର ନିକଟବର୍ତ୍ତୀ ପରିଖା ପାର ହେଲା ବେଳେ ଲକ୍ଷ୍ମୀଙ୍କର ଅଶ୍ୱ ହଠାତ୍‌ କୌଣସି ବାଧା ପାଇ ପଡିଗଲା । ଜଣେ ଇଂରେଜ ସୈନିକ ଏହି ଅବସରରେ ତାକୁ ଆଘାତ କଲା । ଆଘାତକୁ ଉପେକ୍ଷା କରି ପୁଣି ଉଠିଲା ବେଳକୁ ଗୋଟାଏ ଗୁଳି ଆସି ତାଙ୍କ ବକ୍ଷଦେଶରେ ବିଦ୍ଧ ହେଲା । ଲକ୍ଷ୍ମୀ ନଶ୍ୱର ଲୀଳା ଶେଷ କଲେ; ବୀରତ୍ୱର ଏକମାତ୍ର ଆଶ୍ରୟ ଜନ୍ମଭୂମିରୁ ବିଦାୟ ନେଲେ । ତ୍ରୟୋବିଂଶବର୍ଷବୟସ୍କା ଯୁବତୀ ଜଗତ୍‌ ସମକ୍ଷରେ ଯେ ଆଦର୍ଶ ରଖିଦେଇଗଲା, ସେଥି ସକାଶେ ହତଭାଗ୍ୟ ଭାରତ ଚିରଦିନ ୠଣୀ ରହିବ । ଲକ୍ଷ୍ମୀଙ୍କ ପ୍ରତିଯୋଦ୍ଧା ଇଂରେଜ ସେନାପତି ସାର ହିଉ ରୋଜ୍‌ ତାଙ୍କ ବୀରତ୍ୱ ସମ୍ୱନ୍ଧରେ ଯାହା ଅନୁଭବ କରିଥିଲେ, ନିମ୍ନରେ ତାହା ଉଦ୍ଧାର କରାଗଲା-

 

‘‘The most important result of the day was the death of the Rani of Jhansi who although a lady was the bravest and best military leader of the rebels.’’ ଇଂରେଜମାନଙ୍କ ଦୃଷ୍ଟିରେ ଲକ୍ଷ୍ମୀବାଈ ଅନାଦୃତ ହୋଇପାରନ୍ତି, ତାଙ୍କଦ୍ୱାରା ଇଂରେଜ ଶକ୍ତି ବିଚଳିତ ହୋଇପାରିଥାଏ; କିନ୍ତୁ ଭାରତବାସୀଙ୍କ ଦୃଷ୍ଟିରେ ସେ ଅମରୀର ସ୍ଥାନ ଅଧିକାର କରିଅଛନ୍ତି । ଅନ୍ୟାୟ ଯୁଦ୍ଧ କରିଥିଲେ ମାଲ୍‌ସନ୍‌ଙ୍କ ପରି ଐତିହାସିକ ଲକ୍ଷ୍ମୀଚରିତ୍ରର ମହତ୍ତ୍ୱ ପ୍ରମାଣ କରି ନ ଥାନ୍ତେ । ଲର୍ଡ଼ କର୍ଜନ ଏହି ଅସାଧାରଣ ବୀରରମଣୀର ସ୍ମୃତିରକ୍ଷା ଲାଗି ତାଙ୍କ ନିର୍ମିତ ଭିକ୍ଟୋରିୟାସ୍ମୃତିସୌଧରେ ସ୍ଥାନ ନିର୍ଦ୍ଦେଶ କରିଦେଇଥିଲେ । ବୈଦେଶିକ ଯେ ଶକ୍ତିର ଗରିମା ପ୍ରଚାର କଲେ, ତାକୁ ଭାରତୀୟମାନେ ଅନୁସରଣ କରିପାରିଲେ ନାହିଁ । ଦାମିନୀର ଆକସ୍ମିକ ଚମକରେ ଅନ୍ଧକାରମୟ ଭାରତ-ଆକାଶ କ୍ଷଣିକ ଦୀପ୍ତି ପ୍ରକାଶ କରି ପୁଣି ସ୍ତବ୍‌ଧ ହୋଇଗଲା । ବୀର-ପ୍ରସବିନୀ ଭାରତଭୂମି ଅସମ୍ଭାଳ ଶୋକାବେଗରେ ନିଜର ମୁଖକୁ ଆବୃତ କରି ରଖିଲା । କିଏ କହିବ, ତାର ଅସହ୍ୟ ଦୁଃଖ ଅପନୋଦନ କରିବା ପାଇଁ ଉପଯୁକ୍ତ ସନ୍ତାନମାନେ ପୁଣି ଆବିର୍ଭୂତ ନ ହେବେ !!

•••

 

ଅତୀତର ଉଦ୍‌ବୋଧନ

କାଳସ୍ରୋତ ଅବିଚ୍ଛିନ୍ନ ଭାବରେ ଭବିଷ୍ୟତ୍‌ ଗର୍ଭରୁ ଆସି ଅନନ୍ତ ଅତୀତ ଗର୍ଭରେ ଲୀନ ହୋଇଯାଏ । ବ୍ୟଥିତ ହୃଦୟର ନୀରବ ସାକ୍ଷୀ ତପ୍ତ ଅଶ୍ରୁକଣାଟି ପୃଥିବୀ-ବକ୍ଷରେ ପଡ଼ି ଲିଭିଯାଏ; କେହି ତା ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ । ଐଶ୍ୱର୍ଯ୍ୟ ଗର୍ବରେ ମାନବ ତାର ବିଜୟ-ବୈଜୟନ୍ତୀ ମୁହୂର୍ତ୍ତକ ପାଇଁ ଦେଖାଇଦିଏ; ପୁଣି ପର ମୁହୂର୍ତ୍ତରେ ସର୍ବଗ୍ରାସୀ କାଳ ଅତୀତରେ ସବୁ ସମାନ କରିଦିଏ । ଦୁଃଖ ଓ ସୁଖ ଗୋଟିଏ ଗୋଟିଏ ଛାୟା ମାତ୍ର । ଅସ୍ଥାୟୀ ସଂସାରବାସୀ ଦୁଇ ଦିଗରେ କାଳର ଦୁଇଟି ପ୍ରତିମୂର୍ତ୍ତି ଦେଖେ-ଅତୀତ ଓ ଭବିଷ୍ୟତ । ବର୍ତ୍ତମାନର ଦୁଃଖକୁ ଅତୀତରେ ମିଶାଇ, ଭାବୀ ସୁଖକୁ ଭବିଷ୍ୟତରେ କଳ୍ପନା କରି ତାର ଜୀବନ ଅତିବାହିତ କରେ । ବାଲ୍ୟର ଅସ୍ପଷ୍ଟ ମନୋଭାବ ଯୌବନରେ ବିକଶିତ ହୁଏ; ସରଳ ପ୍ରାଣରେ ଉଦ୍ଦାମ ଭାବ ଦେଖାଦିଏ । ଅତୀତସ୍ମୃତିରେ ଉଦ୍‌ବୁଦ୍ଧ ଯୁବକ ସ୍ୱତନ୍ତ୍ର ପ୍ରେରଣାର ଅଧୀନ ହୁଏ । ସେ ଦେଖେ, ତାର ବାଲ୍ୟକ୍ରୀଡ଼ାକ୍ଷେତ୍ର ଉଭେଇ ଯାଇଛି; ପୂର୍ବ ସାଥୀମାନଙ୍କର ସରସ ସମ୍ପର୍କ ଆଉ ନାହିଁ; ଘଟନାଚକ୍ରର ମୁହୁର୍ମୁହୁଃ ପରିବର୍ତ୍ତନରେ ଯୌବନ ଚଞ୍ଚଳ ହୋଇପଡିଛି । ଅତୀତର ଗୋଟାଏ ଗୋଟାଏ ଭାବ ତା ଆଖି ଆଗରେ କେତେ ରଙ୍ଗରେ ଚିତ୍ରିତ ହୋଇଯାଏ । ରଙ୍ଗାଳୟର ଅଭିନୟ ପରି ତା ଜୀବନର କାର୍ଯ୍ୟଗୁଡ଼ିକ ଅନୁମିତ ହୁଏ । ଶାନ୍ତ ବାଲ୍ୟାବସ୍ଥା ପ୍ରତି ଲକ୍ଷ୍ୟ ନ ରଖି ଯୁବକ ନୂତନ ଆଲୋକ ପାଇବା ଆଶାରେ ବ୍ୟାକୁଳ ହୋଇଉଠେ । ସେତେ ବେଳେ ତାର ଦୃଷ୍ଟି ଥାଏ ବେଶି ଭବିଷ୍ୟତ୍‌ ଉପରେ । ସମୟ ବିଶେଷରେ ସେ ଅତୀତ ଜୀବନକୁ ସମ୍ପୂର୍ଣ୍ଣରୂପେ ଭୁଲି କେବଳ ବର୍ତ୍ତମାନ ଉପରେ ନିର୍ଭର କରି ଅଗ୍ରସର ହୁଏ । ହଠାତ୍‌ କୌଣସି ବାଧା ଆସିଲେ ନିଜତ୍ୱ ଜ୍ଞାନ ହରାଇବା ତା ପକ୍ଷରେ ସମ୍ଭବପର ହୁଏ । ଇତର ସାଧାରଣ ଏହି ଅବସ୍ଥାର ଅଧୀନ ଥିବାର ଜଣାଯାଏ ।

 

ଭବିଷ୍ୟତର ଅନ୍ଧାକାରରେ ଆଶାର କଳ୍ପନାକୁସୁମଟି ସର୍ବଦା ଫୁଟି-ଥାଏ । ନିର୍ଜିତ କ୍ଷିପ୍ତ ପ୍ରାଣ ସେହି କୁସୁମରେ ଆଘ୍ରାଣ ଲୋଭରେ ଶତବାସନା ପୋଷଣ କରେ । କଞ୍ଚନାର ଉପଦ୍ରବକୁ ମନୁଷ୍ୟ ସହଜରେ ଉପେକ୍ଷା କରେ । ମାୟାବିନୀ ମାୟାର ଖେଳ ତାକୁ ଭୁଲାଇ ରଖେ । ଘୋର ଅନ୍ଧକାର ଗର୍ଭରେ ଗୋଟିଏ କ୍ଷୀଣ ଆଲୋକରେଖା ତାକୁ ଇଙ୍ଗିତ କରେ । ସେ ଅନୁସରଣ କରେ; କିନ୍ତୁ କେତେବେଳେ ତାହା ଲୁଚିଯାଏ, ତାକୁ ସବୁ ଶୂନ୍ୟ ଦେଖାଯାଏ । କ୍ଳାନ୍ତ ପଥିକ ଦୁରୂହ ପଥ ଅତିକ୍ରମ କରି, ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅନାଇ ରହେ । ସେ ଗୋଟିଏ ଆଶାରେ ଅବିଶ୍ରାନ୍ତ ଗତିରେ ଚାଲିଥାଏ । ଲକ୍ଷ୍ୟ ସ୍ଥଳ ଭୁଲିଗଲେ କିମ୍ୱା ବୃଥା ଭିନ୍ନ ମାର୍ଗାବଲମ୍ୱୀ ହେଲେ ପଥିକର ହୃଦୟ ଯେପରି ସ୍ୱତଃ ଅବଶ ହୋଇପଡ଼େ, ସେହିପରି ଭବିଷ୍ୟତ ଫଳପ୍ରାପ୍ତି ଆଶାରେ ସବୁ କାର୍ଯ୍ୟ କରି ଈପ୍ସିତ ଫଳଟି ନ ପାଇଲେ ସଂସାରୀ କାର୍ଯ୍ୟକାରୀ ଶକ୍ତି ଦୁର୍ବଳ ହୁଏ । ଏହି ସନ୍ଧିସ୍ଥଳରେ ଅତୀତର ପ୍ରେରଣା ମନୁଷ୍ୟଠାରେ ନୂତନ ବଳ ସଞ୍ଚାର କରିପାରେ । ସ୍ମୃତିଚିତ୍ର କେତେ ଭଗ୍ନହୃଦୟକୁ ଅନିବାର୍ଯ୍ୟ ପତନମୁଖରୁ ରକ୍ଷାକରେ । ନୈରାଶ୍ୟଜଡ଼ିତ କାମନାରୁ କ୍ଷାନ୍ତ ହୋଇ ମନୁଷ୍ୟ ତାର ଅତୀତ ଜୀବନକୁ ତନ୍ନ ତନ୍ନ କରି ଦେଖେ-କେତେ ଭ୍ରମ ପ୍ରମାଦକୁ ସେ ଏଡ଼ାଇ ଆସିଛି ଓ କେତେ ଦୁର୍ବଳତାକୁ ବାଧା ଦେଇ ସେ ତାର ଭବିଷ୍ୟତ୍‌ ଜୀବନର ଭିତ୍ତି ସ୍ଥାପନ କରିଛି । କର୍ମକ୍ଷେତ୍ରରେ ସେ ଦେଖିଆସିଛି-କେତେ ଲୋକଙ୍କର ଜୟ-ପରାଜୟ, କେତେ ହାସ୍ୟକୌତୁକର ଅବସାନରେ କ୍ରନ୍ଦନର ମର୍ମସ୍ପର୍ଶୀ ଚିତ୍ରା ସବୁ ଅତୀତରେ ଲୁଚି ଯାଇଛି; କିନ୍ତୁ ରହିଛି କେବଳ ଗୋଟାଏ ଅନୁଭୂତି ।

 

ଅତୀତର ସହସ୍ର ନିର୍ଯ୍ୟାତନ ଓ ନିଷ୍ପୀଡ଼ନ ମଧ୍ୟରେ ପ୍ରାଣର ସ୍ପନ୍ଦନ ଖେଳୁଥାଏ । ପ୍ରବଳ ଶକ୍ତି ଦୁର୍ବଳ ଜାତି ଉପରେ ଅକୁଣ୍ଠିତଭାବରେ ଅତ୍ୟାଚାର କରି ଚାଲିଯାଏ । ଲୁଣ୍ଠନ ଓ ଅଗଣିତ ନରହତ୍ୟାରେ ବିଜୟୀ ତାର ପରାକ୍ରମ ବିସ୍ତାର କରେ । ବିଜିତର ସଞ୍ଚିତ ଯଶ ଓ କୀର୍ତ୍ତି ନଷ୍ଟ ହୁଏ । ପ୍ରଚଳିତ ଧର୍ମର ଅଧଃପତନ ଘଟେ । ଅସଂଖ୍ୟ କୁପ୍ରଥା ଦେଶରେ ବ୍ୟାପିଯାଏ । ଜାତୀୟ ଜୀବନ କ୍ରମଶଃ ଶିଥିଳ ହୋଇପଡ଼େ । ଐତିହାସିକ ଏହି ଘଟନାଗୁଡ଼ିକ ଲିପିବଦ୍ଧ କରେ । ସମୟ ସମୟରେ ତାର ଲେଖନୀ ଅତିରଞ୍ଜନ ଦୋଷରେ ଦୂଷିତ ହୁଏ । ସୁତରାଂ ଗୋଟିଏ ଜାତିର ପତନ କିମ୍ୱା ଉତ୍ଥାନକୁ ନିରପେକ୍ଷ ଭାବରେ ବିଚାର କରି ଜାତୀୟ ଇତିହାସର ସଂରକ୍ଷଣ ପ୍ରତି ଦୃଷ୍ଟି ଦେବା ସର୍ବଦୌ କର୍ତ୍ତବ୍ୟ । ମନୁଷ୍ୟର ସ୍ୱାଭାବିକ ଦୁର୍ବଳତା ଅନେକ ସମୟରେ ଯେଉଁ ଉତ୍ତେଜନା ଦିଏ, ସେଥିରେ ଚାଳିତ ହୋଇ ଐତିହାସିକ ସତ୍ୟର ଅପଳାପ ଘଟାଇଥାଏ; ସେଥିଯୋଗୁଁ ପୃଥିବୀର ଇତିହାସରେ କୌଣସି ଜାତିର ପ୍ରକୃତ ମହତ୍ତ୍ୱ ଖୁବ୍‌ କମ୍‌ ପରିମାଣରେ ପ୍ରକାଶିତ ହୁଏ । ବିଜୟୀର ଗର୍ବିତ କାହାଣୀରେ ଇତିହାସର ପୃଷ୍ଠା ପୂର୍ଣ୍ଣ ହୁଏ । ପ୍ରାଚୀନ ସଭ୍ୟତା ଶତ ବାଧା ଅତିକ୍ରମ କରି ଆତ୍ମପ୍ରକାଶ କଲାବେଳେ ବାହ୍ୟ ଆଡ଼ମ୍ୱର ସ୍ୱତଃ ଅପସାରିତ ହୁଏ । ପତିତ ଜାତି ତାର ଅତୀତଗୌରବ ସ୍ମରଣ କରି ବିଜାତୀୟ ଭାବ କ୍ରମଶଃ ଦୂର କରେ । ଜାତୀୟ ଇତିହାସ ଜାତିର ପ୍ରଧାନ ଅବଲମ୍ୱନ । ସେଥିରେ ଅତୀତର ଚିତ୍ର ଅସ୍ପଷ୍ଟ ହେଲେ ଦେଶର ଭବିଷ୍ୟତ୍‌ ବଂଶଧରମାନେ ତହିଁରୁ କୌଣସି ପ୍ରେରଣା ପାଆନ୍ତି ନାହିଁ ।

 

ନିଜତ୍ୱ ରକ୍ଷା କରି ମହତ୍ତ୍ୱର ପରିଚୟ ଦେବାକୁ ହେଲେ ଅତୀତର ଘଟନାଗୁଡ଼ିକୁ ସ୍ପଷ୍ଟଭାବରେ ଲେଖି ରଖିବା ନିତାନ୍ତ ଦରକାର । ବ୍ୟକ୍ତିବିଶେଷର ଭ୍ରମପ୍ରମାଦ ଯେପରି ମାର୍ଜନୀୟ, ସେହିପରି କୌଣସି ଜାତିର ପତନକୁ ଉପେକ୍ଷା କରାଯାଇପାରେ । ରୋଗାକ୍ରାନ୍ତ ବ୍ୟକ୍ତିକୁ ସମ୍ପୂର୍ଣ୍ଣ ଶକ୍ତିହୀନ ମନେ କରିବା ଉଚିତ ନୁହେଁ; କାରଣ ସେ ତାର ପୂର୍ବଶକ୍ତି ପାଇପାରେ । ସେହିପରି ଦେଶର ଦୁର୍ଦ୍ଦିନରେ ନିର୍ଜିତ ଜାତିକୁ ମୃତ କିମ୍ୱା ନିତାନ୍ତ ଅଧମ ବୋଲି ସ୍ଥିର କରି ନେବା ସମାଚୀନ ନୁହେଁ ।

 

ଅତୀତର ଆଲୋଚନାରେ କିଛି ମଙ୍ଗଳ ନାହିଁ ବୋଲି କେହି କେହି କହି ପାରନ୍ତି; କିନ୍ତୁ ପୁରାତନଦ୍ୱାରା ନୂତନତ୍ୱର ଯେଉଁ ଭିତ୍ତିଟି ନିର୍ମିତ ହୁଏ, ସେଥି ସକାଶେ ଅତୀତକୁ ଆଦୌ ବାଦ୍‌ ଦିଆଯାଇପାରେ ନାହିଁ । ଅତୀତକୁ ଚିର ନୂତନ କରିବାକୁ ହେବ । ଉଦୀୟମାନ ରବିର କିରଣକାଳ ତମସାବୃତ ଜଗତ୍‌କୁ ଆଭାମୟ କରିଦିଏ । ଜଗଦ୍‌ବାସୀ ଜଡ଼ତା ଛାଡ଼ି ସତେଜ ହୁଅନ୍ତି । ଦୀପ୍ତ ଉଷାର ମାଙ୍ଗଳିକ ଗାନ ଶୁଣି ମନୁଷ୍ୟ ମନରେ ନୂତନ ବଳ ସଞ୍ଚାରିତ ହୁଏ । ଅଜ୍ଞାନତା ଓ କୁସଂସ୍କାର ଲୋପ କରିବାପାଇଁ ଦେଶ ଅତୀତର ଯେଉଁ ଆଲୋକ ଆବଶ୍ୟକ କରେ, ତଦ୍ଦ୍ୱାରା ଗୋଟାଏ ଉଦ୍‌ବୋଧନ ଶକ୍ତି ଫୁଟି ଉଠେ ଓ ସେଥିରେ ଯୁଗାନ୍ତର ଉପସ୍ଥିତ ହୁଏ । ଏହି ଶକ୍ତି ଗ୍ରହଣ କରିବା ପାଇଁ ଦେଶର ଯୁବକମାନଙ୍କ ସର୍ବଦା ଜାଗ୍ରତ ହେବା ଉଚିତ । ସେମାନେ ଅତୀତକୁ ବର୍ତ୍ତମାନ ସହିତ ସଂଯୋଗ କରି ସମ୍ପୂର୍ଣ୍ଣ ପରିବର୍ତ୍ତନର ଭାବ ଓ କାର୍ଯ୍ୟ ସମାଜରେ ପ୍ରବର୍ତ୍ତିତ କରିପାରନ୍ତି । ଅତୀତ ଆଦର୍ଶରେ ପ୍ରଭାବିତ ଯୁବକ ତାର ନିଜତ୍ୱ ସହଜରେ ରକ୍ଷା କରିପାରେ । ଦେଶ ସକାଶେ ତାର ତ୍ୟାଗ ଚରମସୀମାକୁ ସ୍ପର୍ଶ କରେ । ସେ ଦେଖେ-ମାତୃଭୂମିର ମଙ୍ଗଳରେ ତାର ଆତ୍ମୋନ୍ନତି ନିହିତ । ସ୍ୱାଧୀନ ଜୀବନର ଆକାଙ୍‌କ୍ଷା ପୂରଣ ପାଇଁ ଯଥେଷ୍ଟ ପଥ ତା ସକାଶେ ଉନ୍ମୁକ୍ତ; କେବଳ ଲକ୍ଷ୍ୟ ସ୍ଥିର କରି ନେବା ପାଇଁ ଉପଯୁକ୍ତ ଶିକ୍ଷା ଆବଶ୍ୟକ । ପତିତ ଜାତିର ପୁନର୍ଗଠନ ସମୟରେ ଉପର୍ଯ୍ୟୁକ୍ତ ବିଷୟ ପ୍ରତି ଉଦାସୀନ ହୋଇ ଉନ୍ନତି ପଥରେ ଅଗ୍ରସର ହେବା କୌଣସି ଦେଶବାସୀ ପକ୍ଷରେ ସମ୍ଭବପର ନୁହେଁ । ବିଜାତୀୟ ଭାବରେ ପ୍ରଣୋଦିତ ହୋଇ ଜାତିର ମୌଳିକତା ରକ୍ଷା କରିବା ଦୁଃସାଧ୍ୟ । ଯେଉଁମାନେ ସାମୟିକ ଉତ୍ତେଜନାବଶତଃ ନିଜର କୌଳୀନ୍ୟ ଭୁଲି କେବଳ ବାହ୍ୟ ଅନୁକରଣରେ ଅପରକୁ ଅନୁସରଣ କରନ୍ତି, ସେମାନଙ୍କର ଦଶା ଶେଷରେ ଭିତ୍ତିହୀନ ଅଟ୍ଟାଳିକା ସଦୃଶ ।

 

ପ୍ରଥମରେ ମନୁଷ୍ୟର ବହିର୍ମୁଖ-ଭାବ ପ୍ରବଳ ଥାଏ । ସେଥିଯୋଗୁଁ ସାଧାରଣ ଯୁବକର କର୍ତ୍ତବ୍ୟଜ୍ଞାନ ସହଜରେ ଜନ୍ମେ ନାହିଁ । ବିଷୟ ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ଯୁବକପ୍ରାଣକ୍ଷିପ୍ତତାର ପରିଚୟ ଦିଏ । ଯେଉଁ ଦେଶର ଯୁବକ ଯେତେ ଆଡ଼ମ୍ୱରଶୂନ୍ୟ, ସେହି ଦେଶର କର୍ମନିପୁଣତା ସେତେ ବେଶି ।

 

ଭାରତର ଭବିଷ୍ୟତକୁଉଜ୍ଜ୍ୱଳ ଦେଖିବା ପ୍ରତ୍ୟେକ ଭାରତୀୟର ଆକାଙ୍‌କ୍ଷା । ଅତୀତର ଆଦର୍ଶରେ ଭବିଷ୍ୟତ ଭାରତ ଗଠିତ ହେବ ବୋଲି ସମସ୍ତଙ୍କର ବିଶ୍ୱାସ । ନିଜର ମୁକ୍ତି ପାଇଁ ଭାରତ ଅନ୍ୟ ଦେଶର ଅପେକ୍ଷା ରଖିବ ନାହିଁ । ତାର ସୌଭାଗ୍ୟ-ରବି ଅସ୍ତମିତ ହୋଇ ଯାଇଥିଲେ ସୁଦ୍ଧା ଆଜି ପୂର୍ବ ଆକାଶ ଭିନ୍ନ ସୂଚନା ଦେଲାଣି; ତାର ଆତ୍ମୋନ୍ନତି ପାଇଁ ସେ ଜାଗ୍ରତ ହେଲାଣି । ଅତୀତର ଆଦର୍ଶ ଲୁଚି ଯାଇ ନାହିଁ; ବରଂ ଆମ୍ଭେମାନେ ତାକୁ ଭୁଲି ଯାଇଥିଲୁ । ସେହି ଆଦର୍ଶ ପ୍ରତି ଦୃଢ଼ ଲକ୍ଷ୍ୟ ରଖି ଭାରତୀୟ ତାର କର୍ମକ୍ଷେତ୍ରରେ ଅଗ୍ରସର ହେଲେ, ଜଗତ ଗୋଟାଏ ମହତ ଶିକ୍ଷା ପାଇବ । ନବଯୁଗର ଆବିର୍ଭାବରେ ଭାରତ ଯୁଗପ୍ରବର୍ତ୍ତକ ସ୍ଥାନ ଅଧିକାର କରିବ । ଭାରତରୁ ଯେଉଁ ଆଲୋକ ବିକୀର୍ଣ୍ଣ ହେବ, ସେଥିରେ ଜଗଦ୍‌ବାସୀର ଜଡ଼ତା ଭାଙ୍ଗିଯିବ । ସେ ଦେଖିବ-ଭୋଗ ଓ ଐଶ୍ୱର୍ଯ୍ୟପ୍ରଦାୟକ ସଭ୍ୟତାରେ ମନୁଷ୍ୟର ଈପ୍‌ସିତ ସୁଖ ନାହିଁ । ସ୍ୱାର୍ଥପର ଧନବାନର ଅପରିମିତ ଧନ ସଂଗ୍ରହରେ ମନୁଷ୍ୟୋଚିତ ସଦ୍‌ଗୁଣଗୁଡ଼ିକ ଆସ୍ତେ ଆସ୍ତେ ଅନ୍ତର୍ହିତ ହୋଇ ତତ୍‌ପରିବର୍ତ୍ତରେ ଗୋଟାଏ ଦାନବୀ ଆକାଙ୍କ୍ଷା ମନକୁ ଗ୍ରାସକରି ଯାଇଛି । ଅଳ୍ପର ତୃପ୍ତିସାଧନ ପାଇଁ ସମସ୍ତ ଜଗତ୍‌କୁ ଅସହ୍ୟ କଷ୍ଟ ଭୋଗ କରିବାକୁ ପଡ଼ିଛି । ରାଜନୀତିର ପ୍ରଧାନ ଅବଲମ୍ୱନ ଧର୍ମକୁ ଉପେକ୍ଷା କରି କେବଳ ଯୁଗୋଚିତ କୂଟନୀତିର ଆଶ୍ରୟରେ ପ୍ରବଳ ଦୁର୍ବଳ ଉପରେ ଅକଥ୍ୟ ଅତ୍ୟାଚାର କରି ଆସିଛି । ସାମ୍ୟଭାବର ପ୍ରଚାର ତୁଳନାରେ ପ୍ରଭୁତ୍ୱର ମାତ୍ରାଟା ଅନେକ ପରିମାଣରେ ବ୍ୟାପି ଯାଇଛି ଏବଂ ଦୁର୍ବଳ ତାକୁ ଅକାତରରେ ସହି ଆସିଛି । ତ୍ୟାଗବଳରେ ମନୁଷ୍ୟର ଶକ୍ତି କେତେ ଦୂର ବିସ୍ତୁତି ଲାଭ କରିପାରେ, ତାକୁ ପ୍ରମାଣ କରିବା ପାଇଁ ଭାରତ ଏକା କ୍ଷମ । ସ୍ୱାର୍ଥସାଧନରେ ଯେଉଁମାନେ ଆଜି ପର୍ଯ୍ୟନ୍ତ ବ୍ୟାପୃତ ଥିଲେ, ସେମାନଙ୍କୁ ଭାରତର ଅତୀତ ଓ ବର୍ତ୍ତମାନ ଆଦର୍ଶରେ ଗଢ଼ି ହେବାକୁ ଅନେକ ଦିନ ଲାଗିପାରେ ଏବଂ କେହି କେହି ସେଥିରେ ସମ୍ପୂର୍ଣ୍ଣ ଅକ୍ଷମ ହୋଇପାରନ୍ତି । ଭାରତର ଲକ୍ଷ୍ୟ ସବୁ ଦିନେ ସମାନ ରହିଚି; କେବଳ ଦୃଷ୍ଟିର ସଂପ୍ରସାରଣ ପାଇଁ ଉପଯୁକ୍ତ ଶିକ୍ଷା ଆବଶ୍ୟକ ହେଲାଣି ।

 

ପାଶ୍ୱାତ୍ୟ ଭୂଖଣ୍ଡ ଗତ, ମହାସମରର ପ୍ରଳୟସଙ୍କାଶ ବାତ୍ୟାଦ୍ୱାରା ଯେପରି ବିକ୍ଷୋଭିତ ହୋଇଯାଇଛି, ସେଥିରେ ଆଶୁକଲ୍ୟାଣ ପ୍ରସବ କରାଇବା ପାଇଁ ନୂତନ ଶକ୍ତି ପ୍ରୟୋଗ କରିବାକୁ ହେବ । ପାଶ୍ଚାତ୍ୟ ଜାତିମାନେ ସେମାନଙ୍କର ପ୍ରଚଳିତ ସଭ୍ୟତାର ମୋହ ଏଡ଼ାଇବାକୁ କୁଣ୍ଠିତ ନୁହନ୍ତି । ବଡ଼ ବିବ୍ରତ ଚିତ୍ତରେ ପ୍ରାଚ୍ୟର ଜ୍ଞାନ-ତରୀକୁ ଆଶ୍ରା କରିବାକୁ ସେମାନେ ବ୍ୟଗ୍ର ଭାବରେ ଅନାଇଁ ରହିଲେଣି । ସେମାନେ ଭାବିଲେଣି ପ୍ରାଚ୍ୟର ଜ୍ଞାନାଲୋକରେ ସେମାନଙ୍କର ଦୁର୍ଗତି କଥଞ୍ଚିତ୍‌ ଦୂର ହୋଇପାରେ । ଗୋଟିଏ ସାଧନାରେ ଶୀର୍ଷସ୍ଥାନ ଅଧିକାର କରି, ତାର ନିଷ୍ଫଳତା ହୃଦୟଙ୍ଗମ କଲେ ମନୁଷ୍ୟର ଆଗ୍ରହ ସ୍ୱତଃ ଅନ୍ୟଆଡ଼େ ଗତି କରେ । ପାଶ୍ଚାତ୍ୟ ଦେଶବାସୀମାନଙ୍କର ମଧ୍ୟରୁ ଅନେକେ ଭାରତର ବର୍ତ୍ତମାନ ଓ ଅତୀତ ଯୁଗ ସମ୍ୱନ୍ଧରେ ପ୍ରକୃତ ଜ୍ଞାନ ଲାଭ କରିପାରି ନାହାନ୍ତି; ତଥାପି ସେମାନଙ୍କର ଏକ ଦୃଢ଼ ବିଶ୍ୱାସ ଜନ୍ମିଲାଣି ଯେ, ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତଙ୍କୁ ପ୍ରାଚ୍ୟ ଆଦର୍ଶ ଅବଲମ୍ୱନ କରିବାକୁ ପଡ଼ିବ । ଆଜି ଦଳ ଦଳ ହୋଇ ବିଦେଶୀ ପର୍ଯ୍ୟଟକମାନେ ଗୋଟାଏ ନୂତନ ଆଗ୍ରହରେ ଭାରତରେ ଦେଖା ଦେଲେଣି । ଶତ ଶତ ବର୍ଷ ଅତୀତ ହେଲାଣି, ଭାରତର ସୁଦିନରେ ଚୀନ ଓ ଜାପାନ ପ୍ରଭୃତି ଦେଶମାନଙ୍କରୁ ଏହିପରି ପରିବ୍ରାଜକମାନେ ଆସି ଯେଉଁ ବାର୍ତ୍ତା ନେଇ ସ୍ୱଦେଶକୁ ଫେରୁଥିଲେ, ତାହା ଇତିହାସ ପୃଷ୍ଠାରୁ ଲିଭି ନାହିଁ । ଭାରତର ଅତୀତ ଇତିହାସ ସେମାନଙ୍କର ବିବୃତିକୁ ପ୍ରଧାନ ଅବଲମ୍ୱନ ରୂପେ ସାଇତି ରଖିଛି । ସ୍ୱତଃପ୍ରବୃତ୍ତ ହୋଇ ସେମାନେ ଭାରତର ଅତୀତ ଗୌରବକୁ ଯେପରି ନିରପେକ୍ଷ ଭାବରେ ବର୍ଣ୍ଣନା କରି ଯାଇଛନ୍ତି, ସେଥିରେ ଆଧୁନିକ ଭାରତ-ବିଦ୍ୱେଷୀର ହସ୍ତକ୍ଷେପ କରିବାକୁ ସାହସ ହେଉ ନାହିଁ । ଜଣେ ଫରାସୀ ଲେଖକ ଉପର୍ଯ୍ୟୁକ୍ତ ବିଷୟକୁ ଲକ୍ଷ୍ୟ କରି ଯାହା ପ୍ରକାଶ କରିଛନ୍ତି, ସେଥିର କିୟଦଂଶ ନିମ୍ନରେ ଉଦ୍ଧାର କରାଗଲା– ‘‘About modern India, the information given by the press is scanty, manipulated, second-hand; it issues from agencies whose chief object is not the spreading of truth. As for the description given by the tourists, novelists, missionaries, etc. they most often impart a very onesided and prejudiced impression. And yet India is, for most continental Europeans, whether literate or illiterate a kind of realm of the spirit, a motherland of God, a Christ among the nations. India is, now-a-days, in the imagination of the western peoples, what Palestine was the for the Christians at the time of Crusades.’’

 

ସଂକୁଚିତ ଦୃଷ୍ଟି ଓ ପକ୍ଷପାତିତା ଦୋଷରେ ଅନୁପ୍ରାଣିତ ହୋଇ ବିଜାତୀୟ ଲେଖନୀରୁ ଭାରତର ଯେଉଁ ଅତ୍ୟଳ୍ସ ବିବରଣୀ ପ୍ରକାଶ ପାଇଛି, ସେଥିରେ ସତ୍ୟର ପୂର୍ଣ୍ଣତା ମିଳିବା କଷ୍ଟକର । ଭାରତକୁ କଦର୍ଯ୍ୟ ଚିତ୍ରରେ ଚିତ୍ରିତ କଲେ ମଧ୍ୟ ତାର ଅତୀତ ଗରିମାର ପ୍ରମାଣ ପାଇଁ ସମସ୍ତ ଇଉରୋପ ଆକୃଷ୍ଟ ହୋଇପଡ଼ିଲାଣି । ପ୍ରାଚୀନ ଭଗ୍ନ ମନ୍ଦିର କିମ୍ୱା ଗୁମ୍ଫା ପ୍ରଭୃତି ନିବିଡ଼ ଜଙ୍ଗଲ ମଧ୍ୟରେ ଥାଇ ଇଉରୋପୀୟ ଦର୍ଶକକୁ ଦେଖାଇ ଦେଉଛି– ଭାରତୀୟ ହୀନ ନୁହେଁ, ତାର ଯୁଗଯୁଗବ୍ୟାପୀ ଅସାଧାରଣ ସାଧନା କାଜଗର୍ଭରେ ବିଲୀନ ହେବ ନାହିଁ; ପୁଣି ତାହା ଆତ୍ମପ୍ରକାଶ କରି ନିର୍ଜିବ ଜାତିର ଧମନୀରେ ନୂତନ ବଳ ସଞ୍ଚାର କରିବ ।

 

ଇତାଲୀର ସୁବିଖ୍ୟାତ ରାଜନୀତିଜ୍ଞ Francesco Nittie ବର୍ତ୍ତମାନ ଇଉରୋପର ଦୁର୍ଦ୍ଦଶା ଦେଖି ବଡ଼ ବ୍ୟଥିତ ଅନ୍ତରରେ ଯାହା କହିଛନ୍ତି, ତାହା ଯଦି ସତ୍ୟ ହୁଏ, ତାହା ହେଲେ ଅଳ୍ପ ଦିନ ମଧ୍ୟରେ ଇଉରୋପ ପତନର ଚରମ ସୀମାର ପହଞ୍ଚିବ । ଇଉରୋପର ବାହ୍ୟ ଚାକଚକ୍ୟ କିମ୍ୱା ଜଡ଼-ବିଜ୍ଞାନର ପ୍ରକୃଷ୍ଟ ଉନ୍ନତି, କେହି ତାକୁ ପତନମୁଖରୁ ରକ୍ଷା କରିପାରିବେ ନାହିଁ । ଧ୍ୱଂସର ବହ୍ନି ଥରେ ଜଳି ଉଠିଲେ ଆଉ ତାକୁ ସମ୍ଭାଳି ରଖିବା ସହଜ ନୁହେଁ । ଭାରତର ସେହି ଦୁର୍ଦ୍ଦିନ କଥା ମନେ କଲେ ଅନ୍ତରରେ ଗୋଟିଏ ସ୍ତବ୍‌ଧତା ପ୍ରକାଶିତ ହୁଏ । ଗୌରବ-ରବି ଭାରତ-ଆକାଶରୁ ଅସ୍ତମିତ ହେବା ସମୟରେ କେତେ ଝଡ଼ ତୋଫାନ ବହି ଯାଇଛି । ଆଜି ସେହି ଅବସ୍ଥା ଇଉରୋପରେ ଉପସ୍ଥିତ ପ୍ରାୟ । ଦିନୁ ଦିନ ଇଉରୋପ ନିମ୍ନଗାମୀ ହେଉଛି ବୋଲି ଉପର୍ଯ୍ୟୁକ୍ତ ମନୀଷୀଙ୍କର ବିଶ୍ୱାସ । ଏ ବିଷୟରେ ଯେତେ ମନୋନିବେଶ କରାଯାଏ, ସେତେ ଭାରତୀୟ ସଭ୍ୟତା ପ୍ରତି ଆକର୍ଷଣ ବଢ଼େ । ମନେ ହୁଏ, ଇଉରୋପୀୟ ସଭ୍ୟତାର ମାର୍ଗ ବଦଳାଇବାକୁ ହେବ ।

 

ଭାରତର ପ୍ରାଚୀନ ସଭ୍ୟତା ଅନେକାଂଶର ଆଧ୍ୟାତ୍ମିକ ଉତ୍କର୍ଷ ଉପରେ ନିର୍ଭର କରିଆସିଛି । ପାଶ୍ଚାତ୍ୟ ଶିକ୍ଷା ପାଇ ଆଧୁନିକ ଭାରତୀୟର ସେଥିପ୍ରତି ବିଶେଷ ଲକ୍ଷ୍ୟ ଥିବାର ଜଣାପଡ଼େ ନାହିଁ । ପାଶ୍ଚାତ୍ୟ ବିଜ୍ଞାନ ଓ ସାହିତ୍ୟ ଭାରତ ପକ୍ଷରେ ଉପଯୋଗୀ ହୋଇପାରେ; କିନ୍ତୁ ପାଶ୍ଚାତ୍ୟ ରୀତିରେ ଜୀବନ କଟାଇବାଦ୍ୱାରା ଆମ୍ଭମାନଙ୍କର ସାମାଜିକ ଅବନତି ଘଟେ । ଅନୁକରଣପ୍ରବୃତ୍ତି ମନୁଷ୍ୟର ବଡ଼ ପ୍ରବଳ । ହିତାହିତ ବିଚାର ନ କରି ବାହ୍ୟ ଦୃଷ୍ଟିରେ ଆକୃଷ୍ଟ ହେଲେ ମନର ସ୍ଥିରତା ନଷ୍ଟ ହୁଏ । ଗୋଟାଏ ମୋହରେ ମନୁଷ୍ୟ ସର୍ବଦା ଅଗ୍ରସର ହୁଏ । ଦିନ ଥିଲା, ଯେତେବେଳେ ଭାରତୀୟ ଶିକ୍ଷିତ ଯୁବକ କୌଣସି ବିଷୟ ପ୍ରତି ଦୃଷ୍ଟି ନ ଦେଇ କେବଳ ପାଶ୍ଚାତ୍ୟ ଧରଣରେ ଗଢ଼ିହେବାକୁ ଜୀବନର ବ୍ରତ କରିଥିଲେ । ସେ ଦୁର୍ଦ୍ଦିନ କଥଞ୍ଚିତ୍‌ ଘୁଞ୍ଚିଗଲାଣି । ପ୍ରାଚ୍ୟ ସଭ୍ୟତାକୁ ଭାରତୀୟ ଆଉ ହୀନ ଦୃଷ୍ଟିରେ ଦେଖୁ ନାହିଁ କିମ୍ୱା ବିଜାତୀୟର କଥା ଅନୁମୋଦନ କରି ନିଜର ପୂର୍ବପୁରୁଷମାନଙ୍କୁ ଅନୁନ୍ନତ ଆଖ୍ୟା ଦେଇ ନିଶ୍ଚିନ୍ତ ରହୁ ନାହିଁ । ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଂମିଶ୍ରଣରେ ବସ୍ତୁଜ୍ଞାନର ପ୍ରଭାବ ଭାରତୀୟର ପ୍ରାଣକୁ ବେଶି ପରିମାଣରେ ଅଧିକାର କରିଥିଲା । ହିଂସାମୂଳକ ପାଶ୍ଚାତ୍ୟ ରାଜନୀତିରେ ବିଷୟ-ମୋହ ଯେଉଁ ଅଜ୍ଞାନତା ଜନ୍ମାଇଛି, ତାକୁ ଦୂର କରିବା ପାଇଁ ଭାରତର ପୂର୍ଣ୍ଣ କ୍ଷମତା ବର୍ତ୍ତମାନ ଆସି ନାହିଁ । ବୈଷୟିକ ସମୃଦ୍ଧି ପାଶ୍ଚାତ୍ୟ ସଭ୍ୟତାର ମାପକାଠି । ହତ୍ୟା କୌଶଳ ଓ ଦୁର୍ବଳ ଉପରେ ଅତ୍ୟାଚାରର ପନ୍ଥା ଯେଉଁ ଜାତି ଯେତେ ସୁଗମ କରିପାରେ, ତାର ସ୍ଥାନ ପାଶ୍ଚାତ୍ୟ ଜଗତ୍‌ରେ ସେତେ ଉଚ୍ଚରେ; କିନ୍ତୁ ପ୍ରାଚୀନ ଭାରତର ଲକ୍ଷ୍ୟ ସମ୍ପୂର୍ଣ୍ଣ ବିପରୀତ ଥିଲା । ଜୀବନର ଉଦ୍ଦେଶ୍ୟକୁ ଭାରତୀୟ ଭିନ୍ନ ମାର୍ଗରେ ବୁଝୁଥିଲା । କାଳକ୍ରମେ ଅଧଃପତନ ହେବାରୁ ସେ ଗୋଟାଏ କର୍ମଶୂନ୍ୟ ଅବସ୍ଥାରେ ପଡ଼ିରହି ନିଜର ଲକ୍ଷ୍ୟରୁ ଭ୍ରଷ୍ଟ ହେଲା; ସେଥିଯୋଗୁଁ ତାର ଏତେ ଦୁର୍ଗତି ।

 

ଏକ ପକ୍ଷରେ ପାଶ୍ଚାତ୍ୟ ଶିକ୍ଷା ଆମ୍ଭମାନଙ୍କର ଉପକାର କରିବାର ମଧ୍ୟ ଜଣାଯାଏ । ଭାରତୀୟ ଜୀବନକୁ ଯେଉଁ ଶିଥିଳତା ଏତେ ଦିନ ଯାଏ ଗ୍ରାସିଥିଲା, ତାହା ପାଶ୍ଚାତ୍ୟ ଶିକ୍ଷାପ୍ରଭାବରୁ କିୟତ୍‌ ପରିମାଣରେ ଅପସାରିତ ହୋଇଅଛି । କେବଳ ଆଦର୍ଶ ନିର୍ଣ୍ଣୟରେ ଭାରତର ସ୍ୱତନ୍ତ୍ରତା ପୂର୍ଣ୍ଣରୂପେ ପ୍ରକାଶିତ ହୋଇ ନାହିଁ ।

 

ଲୁପ୍ତ ଗୌରବର ପ୍ରକାଶରେ ଜାତିର ମହତ୍ତ୍ୱ ଜଣାଗଲେ ସୁଦ୍ଧା ଆଦର୍ଶ ଅଭାବରୁ ତାର ସମୟୋଚିତ ଉନ୍ନତିସାଧନ ପକ୍ଷରେ ବାଧା ଘଟେ । ଅଜ୍ଞାନତା-ଅନ୍ଧକାରର ବାହାରକୁ ଆସି ଆମ୍ଭମାନଙ୍କୁ ଆଉ ଗୋଟାଏ ବିପଦରେ ପଡ଼ିବାକୁ ହେଲା । ଶିକ୍ଷା ଓ ଦୀକ୍ଷା ସବୁ ଲୋପ ପାଇଥିଲା; କିନ୍ତୁ ନୂତନ ପାଶ୍ଚାତ୍ୟ ସଭ୍ୟତାର ଅନୁକରଣ ପ୍ରଚେଷ୍ଟା ବଡ଼ ପ୍ରବଳ ହୋଇ ଆମ୍ଭମାନଙ୍କର ଜାତୀୟ ଜୀବନକୁ ଅନ୍ୟ ଦିଗରେ ଦୁର୍ବଳ କରିଦେଲା । ଏହା ଆମ୍ଭମାନଙ୍କୁ ଅର୍ଥ ଓ ବିଳାସିତା ମୋହରେ ଟାଣି ରଖିବାକୁ ସର୍ବଦା ଚେଷ୍ଟା କଲା । କଳ କାରଖାନା ନିର୍ମାଣ ଓ ଧନ ଆହରଣରେ ପାଶ୍ଚାତ୍ୟ ସଭ୍ୟତା ପୁଷ୍ଟିଲାଭ କରିଛି । ଭାରତର ଅନ୍ତର୍ଦୃଷ୍ଟି ସେହି ପ୍ରଭାବରେ ମଳିନ ହୋଇପଡ଼ିଛି । ଅନୁକରଣକୁ ଏକମାତ୍ର ଅବଲମ୍ୱନ କରିବା ଜାତୀୟ ଜୀବନର ଲକ୍ଷ୍ୟ ନୁହେଁ । ଥରେ ଅତୀତ ଆଡ଼କୁ ଦୃଷ୍ଟି ଦେଲେ ଯେଉଁ ପ୍ରେରଣା ଓ ଶକ୍ତି ମିଳେ, ତାହା ଆଜି ପର୍ଯ୍ୟନ୍ତ ଭାରତୀୟର ଉପଲବ୍‌ଧିରେ ଆସି ନାହିଁ । ଦିନ ଆସୁଛି, ଯେତେବେଳେ ସେ ତାର ଲୁପ୍ତରତ୍ନ ଉଦ୍ଧାର କରି ନିଜର ଗନ୍ତବ୍ୟ ପଥରେ ଅଗ୍ରସର ହେବ । ଆତ୍ମନିର୍ଭରଶୀଳତା ଭାରତର କର୍ମକ୍ଷେତ୍ରରେ ଦେଖା ଦେଲାଣି । ଆଉ ବେଶି ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।

•••

 

ରୂପର ପୂଜା

କଲ୍ଲୋଳିନୀ କଳ କଳ ତାନରେ ଗୋଟାଏ ମୂର୍ଚ୍ଛନା ଦେଇ ବହିଯାଏ, ଚୋରା ବସନ୍ତର ମୃଦୁ ଝଙ୍କାର ବିଶ୍ୱର ଅମିୟ ବାଣୀ ଅବ୍ୟକ୍ତ ଭାବରେ ଗାଇ ଚାଲିଯାଏ, ପବିତ୍ର ପ୍ରଣୟ ସ୍ପର୍ଶରେ ହୃଦୟର ଶୁଷ୍କତା ଦୂର ହୋଇଯାଏ; କିନ୍ତୁ ମାନବିକତା ଚରମ ବିକାଶ ହୁଏ ନାହିଁ । ମନେ ହୁଏ, ଅତୁଳ ନୈସର୍ଗିକ ଶୋଭାସମ୍ପଦ ମଧ୍ୟରେ ସ୍ୱାଭବିକ ଦୁର୍ବଳତା ଓ ସଙ୍କୁଚିତ ଦୃଷ୍ଟି ମାନବୀୟ ଭାବକୁ ଜଡ଼ରାଜ୍ୟରେ ଆବଦ୍ଧ କରି ରଖିଅଛି । ଦିଗନ୍ତବିସ୍ତାରୀ ଅପରୂପ ସୌନ୍ଦର୍ଯ୍ୟରେ ମାନବ ପ୍ରାଣ ମୁହୂର୍ତ୍ତକ ପାଇଁ ଆନନ୍ଦ ଲାଭ କରେ । ତାକୁ ଭ୍ରୁକ୍ଷେପ ନ କରି ଗୋଟାଏ ନିର୍ଦ୍ଦିଷ୍ଟ ପଥରେ ଚାଳିତ ହେବା ପାଇଁ ଓ ସସୀମରେ ଦୃଷ୍ଟି ନିବଦ୍ଧ ରଖିବାକୁ ମାନବର ସମସ୍ତ ସାଧନା ନିୟୋଜିତ ହୋଇଥାଏ । ବିଜ୍ଞାନର ସୂକ୍ଷ୍ମ ଓ ଦୁରୂହ ଆବିଷ୍କ୍ରିୟା ପ୍ରତିନିୟତ ଯାହା ଜଗତରେ ସମ୍ପାଦନ କରୁଛି, ସେଥିରେ ବିସ୍ମୟ ଥାଇପାରେ; କିନ୍ତୁ ଭାବ-ରାଜ୍ୟର ସମୁଚ୍ଚ ପ୍ରଦେଶରେ ଯେ ଅମଳ ଆନନ୍ଦ ଉପଭୋଗ କରାଯାଏ, ତାକୁ ପାଇବାପାଇଁ ବିଜ୍ଞାନର କୌଶଳ ଯଥେଷ୍ଟ ନୁହେଁ । ଶରୀରୀ ପକ୍ଷରେ ଜଡ଼ ବସ୍ତୁ ବର୍ଜନ ସମ୍ଭବପର ନୁହେଁ । ଭୂମିଷ୍ଠ ହେବା ଦିନଠାରୁ ଅବିରାମ ଗତିରେ ସେ ଗୋଟାଏ ମାର୍ଗ ଅନୁସରଣ କରି ଚାଲେ । ସହସ୍ର ବାଧା ଆସେ, ନିର୍ଯ୍ୟାତନାର ମାତ୍ରା ଅତିରିକ୍ତ ହୋଇଉଠେ; କିନ୍ତୁ ଦୁର୍ବଳ ଜୀବ ବସ୍ତୁ-ଜଗତକୁ ତ୍ୟାଗ କରିପାରେ ନାହିଁ । ଏହି ଧାରାବାହିକ ପ୍ରତିରୋଧ କ୍ରିୟାରେ ଜୀବର ଜୀବତ୍ୱ ଦିନେ ଲୋପ ପାଇଯାଏ । ପ୍ରତି ମୁହୂର୍ତ୍ତରେ ସଂଖ୍ୟାତୀତ ପ୍ରାଣୀ ଜୀବଲୀଳା ସାଙ୍ଗ କଲେ ସୁଦ୍ଧା ପ୍ରାଣିଜଗତରୁ ଜୀବର ସ୍ୱାଭାବିକ ଗୁଣଗୁଡ଼ିକ ତରୋହିତ ହେଉ ନାହିଁ । ଗୁଣ ଘେନି କର୍ମସମସ୍ୟା ଏଡ଼େ ଜଟିଳ ଓ ବିଶାଳ । କର୍ମର ସ୍ଥାୟିତ୍ୱ ଅଳ୍ପକାଳ ସ୍ଥାୟୀ; କିନ୍ତୁ ତାର ତୀବ୍ରତା ପ୍ରାଣିଜଗତ୍‌କୁ ସର୍ବଦା ମୁହ୍ୟମାନ କରୁଛି । ହିନ୍ଦୁ ଦର୍ଶନର ମତକୁ ଉପେକ୍ଷା କରି କେତେକ ପଣ୍ଡିତ ଗୁଣର ବର୍ତ୍ତମାନତା ସ୍ୱୀକାର କରନ୍ତି ନାହିଁ । ଏପରି କଠିନ ବିଷୟର ସୁବିଚାର କରିବା ସାଧାରଣ ମନୁଷ୍ୟ ପକ୍ଷରେ ସମ୍ଭବପର ନୁହେଁ । ସହଜ ଦୃଷ୍ଟିରେ ଏତିକି ମାତ୍ର ଲକ୍ଷ୍ୟ କରାଯାଇପାରେ ଯେ, ସମଜାତୀୟ ଜୀବସୃଷ୍ଟିରେ ଯେଉଁ ଅସାମଞ୍ଜସ୍ୟ ଦେଖାଯାଏ ତାହା ସାମାଧାନ ସକାଶେ ସଭ୍ୟ ମାନବ ଆଜିପର୍ଯ୍ୟନ୍ତ କ୍ଷମ ହୋଇ ନାହିଁ । ଏହି ଭିନ୍ନତା ଯୋଗୁଁ ସମାଜନୀତି, ରାଜନୀତି ଓ ଧର୍ମନୀତି କୌଣସି ସାଧାରଣ ମାର୍ଗ ଅନୁସରଣ କରିପାରୁ ନାହିଁ । ଦେଶ ଓ ସମାଜ ଛାଡ଼ିଦେଇ ମନୁଷ୍ୟ ନିଜର ପରିବାରବର୍ଗ ମଧ୍ୟରେ ସୁଦ୍ଧା ସାମ୍ୟଭାବ ଦେଖିପାରେ ନାହିଁ । ଏହି ସ୍ୱଭାବଗତ ବୈଷମ୍ୟ ସକାଶେ ହିନ୍ଦୁ ଦାର୍ଶନିକମାନେ ଗୁଣକୁ ସର୍ବୋଚ୍ଚ ସ୍ଥାନ ଦେଇଅଛନ୍ତି । ଗୁଣର ତାରତମ୍ୟ ଅନୁସାରେ ରୂପର ଆକର୍ଷଣ ମାନବ ପ୍ରାଣକୁ ପ୍ରଭାବିତ କରିପାରେ । ସାଧାରଣତଃ ସୌନ୍ଦର୍ଯ୍ୟର ଗୋଟାଏ ବିଶିଷ୍ଟତା ଅଛି । ଏହି ନିକଟରେ ମାନବ ଚିରଦିନ ନତମସ୍ତକ ହୋଇଆସିଚି । ସ୍ତରବିଶେଷରେ ସୌନ୍ଦର୍ଯ୍ୟର ବିକାଶ ପାଇଁ ବିଭିନ୍ନ ଆଧାର ଆବଶ୍ୟକ ହୁଏ । ଗୋଟାଏ ଆକର୍ଷଣ ଅନୁଭବ ନ କରିବା ଯାଏ ମନୁଷ୍ୟ କୌଣସି ଦିଗରେ ଗତି କରିପାରେ ନାହିଁ । ଶରୀର ଧାରଣ କରି ଅରୂପ ସୌନ୍ଦର୍ଯ୍ୟ ଉପଲବ୍‌ଧି କରିବା ସାଧାରଣଙ୍କ ଧାରଣାର ଅତୀତ ହୁଏ; ତେଣୁ ରୂପର ମହତ୍ତ୍ୱ ମାନବ ସମାଜକୁ ଆଦିମ କାଳରୁ ଆଜିପର୍ଯ୍ୟନ୍ତ ଆବଦ୍ଧ କରି ରଖିଅଛି । ଧର୍ମ ଉପରେ ରୂପର ପ୍ରଭାବ କମ୍‌ ନୁହେଁ । ଉଦ୍‌ବେଳ ହୃଦୟରେ ମନୁଷ୍ୟର ଭୋଗ-ଲିପ୍‌ସା ଯେତେବେଳେ ଅତ୍ୟଧିକ ହୋଇଉଠେ, ସେତେବେଳେ ସେ ରୂପର ମୋହରେ ବେଶି ଆକୃଷ୍ଟ ହୋଇପଡ଼େ । ବିଷର ମାରାତ୍ମକତା ହ୍ରାସ କରାଇବା ପାଇଁ ବିଷ ପ୍ରୟୋଗ କରାଯାଏ । ରୂପର ମାଦକତା କମାଇବା ପାଇଁ ରୂପର ଆଶ୍ରୟ ନେବା ଉପଯୁକ୍ତ ମନେ ହୁଏ । ବିଶ୍ୱର ସୌନ୍ଦର୍ଯ୍ୟ ସମ୍ପଦରେ ରୂପର ଉପାଦାନ ସ୍ୱତନ୍ତ୍ର ନୁହେଁ । ସେଥିଯୋଗୁଁ ରୂପକୁ ପୂଜା କଲେ ଆତ୍ମୋନ୍ନତିର ପଥ ସୁଗମ ହୋଇପାରେ ବୋଲି ଅନେକଙ୍କର ବିଶ୍ୱାସ ।

 

ଅପ୍ରକଟିତ ସୌନ୍ଦର୍ଯ୍ୟ ଆଧାରବିଶେଷରେ ଯେଉଁ ମହତ୍ତ୍ୱ ପ୍ରକଟିତ କରେ, ତାର ରମଣୀୟତା ହୃଦୟରେ ସ୍ୱତଃ ଅଙ୍କିତ ହୋଇଯାଏ । କୃତ୍ରିମ ସୌନ୍ଦର୍ଯ୍ୟ କ୍ଷଣିକ ଉନ୍ମାଦନା ଆଣି ଗୋଟାଏ ଅବଶ ଅବସ୍ଥା ସୃଷ୍ଟି କରେ । ରୂପର ମହନୀୟତାରେ ଭାବର ପୁଷ୍ଟି ସାଧିତ ହୋଇଥାଏ; କିନ୍ତୁ ରୂପଜ ମୋହକୁ ଏଠାରେ ବାଦ୍‌ ଦେବା ନିତାନ୍ତ ଆବଶ୍ୟକ । ଭାବରାଜ୍ୟରେ ପ୍ରଥମ ସ୍ପନ୍ଦନ ରୂପ-ସଂସ୍ପର୍ଶରେ ସଂଘଟିତ ହୁଏ । କ୍ୱଚିତ୍‌ ରୂପହୀନ ସୌନ୍ଦର୍ଯ୍ୟ ମାନବପ୍ରାଣକୁ ଆଲୋଡ଼ନ କରିଥାଏ । ତରୁଣୀର ଅସ୍ଫୁଟ ହାସ୍ୟଟିକ ଯୁବକ ମନରେ କେତେ ଉଦ୍ଦୀପନା ଆଣେ । ଯୁବକ ଜଡ଼-ଜଗତକୁ ଭୁଲିଯାଇ ଅମୂର୍ତ୍ତ ସୌନ୍ଦର୍ଯ୍ୟ ସନ୍ଧାନରେ ଆତ୍ମବିସ୍ମୃତ ହୋଇପଡ଼େ, ତାର ଭାବରାଜ୍ୟ ଉଦ୍‌ବେଳିତ ହୁଏ । ସେ ଦେଖେ-ଗୋଟାଏ ସ୍ୱପ୍ନ, ଯାହାର ବିସ୍ମୃତି ମୁହୂର୍ତ୍ତକ ସକାଶେ ସୁଦ୍ଧା ଅସହ୍ୟ ବୋଧହୁଏ । ସନ୍ଧ୍ୟାରାଗ-ରଞ୍ଜିତ ପଶ୍ଚିମ ଆକାଶରେ ସୁନ୍ଦରୀର ଅପଲକ ଦୃଷ୍ଟି ପ୍ରତିଫଳିତ ହୁଏ, ମଳୟର ମୃଦୁ ଝଙ୍କାରରେ ଯୁବତୀର କୋମଳ କଣ୍ଠଧ୍ୱନି ଶୁଣିବାକୁ ପାଏ । ଜଡ଼ ଜଗତ୍‌ରେ ପ୍ରକଟିତ ମନୋରମ ଦୃଶ୍ୟସବୁ ଅଭିନବ ଆକାରରେ ତରୁଣ ଭାବୁକ ମନକୁ ପ୍ରଭାବିତ କରେ । ରୂପର ସନ୍ଧାନରେ ସେ ଗୋଟାଏ ସ୍ରୋତରେ ଭାସିଯାଏ; କିନ୍ତୁ ତାର ଲକ୍ଷ୍ୟ ଥାଏ ସୌନ୍ଦର୍ଯ୍ୟକୁ ନିଜର କରି ଉପଭୋଗ କରିବା ପାଇଁ । କେହି କେହି କହିପାରନ୍ତି, ଭୋଗରେ ଆତ୍ମ-ପ୍ରସାଦ ମିଳେ ନାହିଁ । ପ୍ରକୃତରେ ଅଧୀର ପ୍ରାଣରେ ଯେ ଉନ୍ମାଦନା ଆସେ, ତାହା ଭୋଗର ଛାୟା ମାତ୍ର । ଅନାହାର-କ୍ଳିଷ୍ଟ ଲୋକ ସାମାନ୍ୟ ଅନ୍ନମୁଠାକ ସକାଶେ ଅତି ବ୍ୟଗ୍ର ହୋଇପଡ଼େ; କିନ୍ତୁ ସେତକ ପାଇବା ମାତ୍ରେ ହୁଏ ତ ଉଦରାମୟ ରୋଗରେ ଆକ୍ରାନ୍ତ ହୋଇ ଇହଲୀଳା ସାଙ୍ଗ କରେ । ଯୌବନରେ ଗୋଟାଏ ସ୍ୱାଭାବିକ ପିପାସା ଆସେ । ତାକୁ ଦୂର କରିବା ଖୁବ୍‌ କମ୍‌ ଲୋକଙ୍କ ପକ୍ଷରେ ସମ୍ଭବପର ହୋଇପାରେ । ପିପାସାର ମାତ୍ରା ଅତିରିକ୍ତ ହେଲେ ପାନୀୟ ଜଳର ଦୋଷ କିମ୍ୱା ଗୁଣ ପ୍ରତି ପିପାସୁର ଲକ୍ଷ୍ୟ ରହେ ନାହିଁ । ଅନ୍ନକ୍ଳିଷ୍ଟ କିମ୍ୱା ତୁଷାର୍ତ୍ତ ଲୋକର ତୃପ୍ତିକୁ ଭୋଗର ଆଖ୍ୟା ଦେବା ସମୀଚୀନ ନୁହେଁ । ସୁନ୍ଦରୀର ସୌନ୍ଦର୍ଯ୍ୟକୁ ନଷ୍ଟ କରି ଯୌବନର ଉନ୍ମାଦନା ମେଣ୍ଟାଇଲେ ଯୁବକର ଲକ୍ଷ୍ୟ ସାର୍ଥକ ହୁଏ ନାହିଁ । ମୋଗଲ ସମ୍ରାଟ୍‌ ଐଶ୍ୱର୍ଯ୍ୟ ମଦରେ ମତ୍ତ ହୋଇ ଦିନେ ଭାରତର କାମିନୀକୁଳକୁ ଯେ ଚକ୍ଷୁରେ ଦେଖିଥିଲେ ଓ ଯେଉଁ ରମଣୀରତ୍ନମାନଙ୍କର ସମାବେଶ ସକାଶେ ତାଙ୍କର ଅନ୍ତଃପୁର ନନ୍ଦନ-କାନନରେ ପରିଣତ ହୋଇଥିଲା, ତାର ଅସ୍ତିତ୍ୱ ଆଜି ଦର୍ଶକକୁ କେବଳ ଗୋଟାଏ ଉତ୍କଟ ବିଳାସିତାର ନିଦର୍ଶନ ଦେଖାଇ ଦେଉ ନାହିଁ କି ? କାମ-ପିପାସାର ନିବୃତ୍ତି ନାହିଁ । ଭୋଗ ବିଳାସର ଅଙ୍ଗ ହୋଇପାରେ; କିନ୍ତୁ ପ୍ରକାରଭେଦରେ ଭୋଗକୁ ଉଚ୍ଚ କିମ୍ୱା ନୀଚ ଆଶ୍ରୟରେ ଗ୍ରହଣ କରାଯାଇପାରେ । ଗ୍ରାହକର ମନୋବୃତ୍ତି ଓ ସାଧନା ଉପରେ ଭୋଗର ତାରତମ୍ୟ ଦେଖାଯାଏ ଏବଂ ସେହି ଅନୁସାରେ ରୂପର ମର୍ଯ୍ୟାଦା ଗୃହୀତ ହୁଏ ।

 

ରୂପ ଓ ମନର ମିଳନ ହେତୁ ଯେ ଆକର୍ଷଣ ଅନୁଭୂତ ହୁଏ, ତାକୁ ଛିନ୍ନ କରି ମନୁଷ୍ୟ ସଂସାରରେ ସୁଖୀ ହୋଇପାରେ ନାହିଁ । ମନର ସରଳ ଭାବ ମୁଖରେ ପ୍ରତିଫଳିତ ହୋଇପାରେ । କ୍ରୂର ଦୃଷ୍ଟିରେ ମନର ଅସ୍ୱଚ୍ଛତା ପ୍ରକାଶିତ ହୁଏ । ମନ୍ଦିରରେ ଦେବତାଙ୍କ ଦର୍ଶନ ଲାଭ କରିବା ପୂର୍ବରୁ ମୁଖଶାଳାର ମଧ୍ୟ ଦେଇ ଯିବାକୁ ପଡ଼େ । ମୁଖଶାଳାର କାରୁକାର୍ଯ୍ୟ ଦର୍ଶକର ମନକୁ ମନ୍ଦିରସ୍ଥିତ ଦେବତାଙ୍କ ଆଡ଼କୁ ଆକୃଷ୍ଟ କରାଏ; କିନ୍ତୁ ଅନେକ ସମୟରେ ଦର୍ଶକ ଭକ୍ତିପୂତ ହୃଦୟରେ ଦେବତାଙ୍କୁ ପୂଜାକରି ଫେରିଆସେ; ତାର ଦୃଷ୍ଟି ବାହ୍ୟ ବେଷ୍ଟନୀରେ ପଡ଼େ ନାହିଁ । ଉପର୍ଯ୍ୟୁକ୍ତ ପୂଜକଙ୍କର ସଂଖ୍ୟା ଖୁବ୍‌ କମ୍‌ । ଅନ୍ତରର ଭାବ ଘେନି ଅନ୍ତରଦେବତାଙ୍କ ପୂଜା କରିବା ପୂଜକ ମନ୍ଦିରର ଅପେକ୍ଷା ସୁଦ୍ଧା ରଖନ୍ତି ନାହିଁ । କେବଳ ସାଧନା ବଳରେ ମନୁଷ୍ୟ ଏଡ଼େ ଉଚ୍ଚଦରର ପୂଜକ ହେବା ସମ୍ଭବପର ନୁହେଁ । ପୁଷ୍ପିତା ଲତା ଆଶ୍ରୟ ଲୋଡ଼େ । ଫୁଲଟି ତାର ଫୁଟେ ଚୌଦିଗରେ ସୌରଭ ବିତରଣ କରିବାପାଇଁ । ଅଳିକୁଳ ମଧୁଗ୍ରହଣ କରି ଚାଲିଯାନ୍ତି, ଫୁଲଟି ବୃନ୍ତଚ୍ୟୁତ ହୁଏ । ଲତାର କ୍ଷଣସ୍ଥାୟୀ ସୌନ୍ଦର୍ଯ୍ୟ ହୁଏ ତ ନିବିଡ଼ ଅରଣ୍ୟରେ ନିଭୃତରେ ରହିଯାଏ । ଭାବୁକର ଦୃଷ୍ଟି ପଡ଼ିଥିଲେ ଅବା ତାର ସୌନ୍ଦର୍ଯ୍ୟକୁ ତୁଳିକାରେ ଆଙ୍କିଦେଇ ପାରିଥାନ୍ତା । ଜଗତ୍‌ଟା ଗୋଟାଏ ରୂପର ହାଟ । ବିପଣୀରେ ସଜ୍ଜିତ ଯାବତୀୟ ବସ୍ତୁ ଦ୍ରଷ୍ଟାର ଦୃଷ୍ଟିକୁ ଆକର୍ଷଣ କରେ ନାହିଁ-। ଗୋଟିଏ କିମ୍ୱା ଦୁଇଟି ଜିନିଷ ଦେଖୁ ଦେଖୁ ସମୟ ଅତୀତ ହୁଏ । ଜୀବନରେ ଜଣେ ଯଦି ଗୋଟିଏକୁ ଭଲ ଭାବରେ ଦେଖିପାରିଲା, ତାହା ହେଲେ ଯଥେଷ୍ଟ ହେବ । ଅତ୍ୟଳ୍ପ ଲୋକ ଏହି ପନ୍ଥା ଅନୁସରଣ କରନ୍ତି । ଅଧିକାଂଶ ଲୋକ ରୂପର ହାଟରେ ବଡ଼ ଚଞ୍ଚଳ ହୋଇପଡ଼ନ୍ତି । ଶିଶୁ କ୍ରୀଡ଼ା-ପୁତ୍ତଳୀ କିଣିବାବେଳେ ବଡ଼ କ୍ଷିପ୍ତ ହୋଇଉଠେ । ମନେ କରେ ସମୁଦାୟ ଦୋକାନଟା ଯଦି ତାର ହୋଇଯାନ୍ତା । ସେତେବେଳେ ସେ କୌଣସି ପଦାର୍ଥର ମୂଲ୍ୟ ବୁଝି ନ ଥାଏ; କେବଳ ଗୋଟାଏ ବାହ୍ୟ ଚାକଚକ୍ୟରେ ଆତ୍ମବିସ୍ମୃତ ହୋଇପଡ଼େ । ସାଧାରଣ ଲୋକର ଜୀବନରେ ମଧ୍ୟ ଏହି ମୋହ ବିଶେଷ ଭାବରେ କାର୍ଯ୍ୟ କରିଥାଏ । ସଂଖ୍ୟାତୀତ ବୃନ୍ତଚ୍ୟୁତ ପୁଷ୍ପ ତପ୍ତ ପ୍ରଖର ବାୟୁରେ ଲୋପ ପାଉଛନ୍ତି । ସେମାନଙ୍କର ଗଣନା କେହି ରଖନ୍ତି ନାହିଁ । କେତେ ସୁକୁମାରୀ କୋମଳ ଅଙ୍ଗ କାମୁକର କରାଳ କବଳରେ ପଡ଼ି ଅକାଳରେ ମଉଳି ଯାଉଛି । କନକପ୍ରତିମାର ଆଭା ଅନ୍ଧକାର ଗହରରେ ନିବଦ୍ଧ ରହୁଚି । ସେ ଦିଗରେ ଦର୍ଶକର ଦୃଷ୍ଟି ସଞ୍ଚାଳନର ସୁଦ୍ଧା ଆୟତ୍ତ ନାହିଁ । ରୂପ ଦେଖି ତନ୍ମୟ ହେଲେ ଭାବ ଗ୍ରହଣ କରିବାର ଖୁବ୍‌ କମ୍‌ ଅବକାଶ ଥାଏ । ଦୂଷିତ ଦୃଷ୍ଟିରେ ରୂପକୁ ଦେଖିଲେ ମନର ଅବସ୍ଥା ବଡ଼ ଉତ୍କଟ ହୁଏ; ସବୁବେଳେ ତାକୁ ଶରୀର-ସାଥୀ କରିବାକୁ ମନ ଦୌଡ଼େ । ପଶୁର ଭାବ ମନୁଷ୍ୟଠାରେ ଅଧିକାଂଶ ସମୟରେ କାର୍ଯ୍ୟ କରୁଥାଏ; ସେଥିଯୋଗୁ ଯାବତୀୟ ଅନିଷ୍ଟ କରି ସୁଦ୍ଧା ସେ ନିଜକୁ ହୀନ ମନେ କରେ ନାହିଁ । ଏହି ଭାବରେ ସୌନ୍ଦର୍ଯ୍ୟର ମହନୀୟତା ଅବଧାରଣ କରିବା ମନୁଷ୍ୟ ପକ୍ଷରେ ସମ୍ଭବପର ନୁହେ । ଯଦି କୌଣସି ଲୋକ ପ୍ରବଳ ଆସକ୍ତିର ଅଧୀନ ହୋଇ ରୂପବତୀ ରମଣୀକୁ ହୃଦୟରେ ସ୍ଥାନ ଦେଇଥାଏ, ତାହା ହେଲେ ସେହି ରମଣୀର ବିଚ୍ୟୁତି ଘଟିବା ଅଧିକାଂଶ ସ୍ଥଳରେ ସମ୍ଭବପର ହୁଏ । ରୂପର ଆକର୍ଷଣ ବାହ୍ୟିକ; ମନର ମିଳନ ନ ହେବା ଯାଏ ଜଣେ ଜଣକୁ ଅନ୍ତର ସହିତ ଭଲ ପାଇପାରେ ନାହିଁ । ରୂପର ଆକର୍ଷଣ ଘେନି ଅନେକ ସମୟରେ ମନର ସରସତା ପ୍ରକଟିତ ହୁଏ ଓ ପ୍ରେମର ବନ୍ଧନ ଦୁଇଟି ପ୍ରାଣୀଙ୍କ ମଧ୍ୟରେ ଅଚ୍ଛେଦ୍ୟ ହୋଇଉଠେ । ରୂପର ମୋହ ସହଜରେ ମନକୁ ଭୁଲାଇ ଦେଇପାରେ; କିନ୍ତୁ ମନ ଯେତେବେଳେ ପରୀକ୍ଷା କରି ଦେଖେ ତାର ଆକାଙ୍କ୍ଷିତ-ବିଷୟ ଶରୀର ଉପରେ ନିର୍ଭର କରୁ ନାହିଁ, ସେତେବେଳେ ଚଞ୍ଚଳ ହୋଇଉଠିବା ମନ ପକ୍ଷରେ ଖୁବ୍‌ ସ୍ୱାଭାବିକ ବୋଧହୁଏ । ରୂପର ମୋହ ମନକୁ କୌଣସି ନିର୍ଦ୍ଦିଷ୍ଟ ଆଧାରରେ ରଖାଇଦିଏ ନାହିଁ । ଏପରି ଅସ୍ଥିର ଅବସ୍ଥାରେ ସୌନ୍ଦର୍ଯ୍ୟର ମହତ୍ତ୍ୱ ଉପଲବ୍‌ଧି କରିବା କିମ୍ୱା ରୂପକୁ ଅବଲମ୍ୱନ କରି ମାନସିକ ଉତ୍କର୍ଷ ଲାଭ କରିବା ସମ୍ଭବପର ନୁହେଁ । କେବଳ ସୌନ୍ଦର୍ଯ୍ୟପିପାସୁ ହେଲେ ମନକୁ ନିର୍ଦ୍ଦିଷ୍ଟ ଆଶ୍ରୟରେ ଆବଦ୍ଧ ନ ରଖି ସ୍ୱଚ୍ଛନ୍ଦଗତିରେ ଛାଡ଼ିଦେବା ଉଚିତ । ଭୋଗ ସମ୍ପର୍କରେ ମନର ଏପରି ସ୍ୱାଧୀନ ଅବସ୍ଥା ରହିବା ବାଞ୍ଛନୀୟ ନୁହେ । ବିଶ୍ୱପ୍ରେମରେ ହୃଦୟ ପୁରିଉଠିଲେ ମନୁଷ୍ୟ ସାମାନ୍ୟ ଲତାଟିରେ ଶିରୀଷାଙ୍ଗର କୋମଳତା ଅନୁଭବ କରିପାରେ ।

 

ରୂପ ଗୋଟାଏ ଇଙ୍ଗିତ ମାତ୍ର । ଜଗତର ସମସ୍ତ ନରନାରୀ ଗୋଟାଏ ଚିରନୂତନ ଅଭିଯାନରେ ଚାଲିଛନ୍ତି । କେହି କାହାର ଲକ୍ଷ୍ୟ ପ୍ରତି ଦୃଷ୍ଟି ଦେଉ ନାହିଁ । ଅଧିକାଂଶରେ ଯାତ୍ରା ସମୟ ବିଭ୍ରାଟରେ କଟି ଯାଉଛି । ସ୍ୱକୃତ କର୍ମର ପରିଣାମ ମନୁଷ୍ୟ ବୁଝିବାକୁ କ୍ଷମ ହେଉ ନାହିଁ । କିଛି ସମୟ ଜଣକୁ ଅନୁସରଣ କରି ତାଠାରୁ ଆଶାନୁରୂପ ସାହାଯ୍ୟ ନ ପାଇଲେ ମନୁଷ୍ୟର ଗୋଟାଏ ନୈରାଶ୍ୟ ଆସେ । ସେ ମନେ କରେ ଜଗତଟା ତା ପକ୍ଷରେ ମରୀଚିକା । ହୃଦୟର ନିସ୍ତରଙ୍ଗ ଭାବଗୁଡିକ ନିଶ୍ଚୟ କୌଣସି ଅପରିଚିତ ଆଗନ୍ତୁକ ଅପେକ୍ଷାରେ ରହିଥାଏ । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟ ଦୌଡ଼େ ତାର ହୃଦୟର ଗୋପନ ଦ୍ୱାରଟି ଖୋଲିଦେବା ପାଇଁ । ଅନେକ ସମୟରେ ବିଭ୍ରାନ୍ତି ଆସେ, ସେ ବୁଝିପାରେ ନାହିଁ, ଅନ୍ତରରେ କାହାର ସ୍ପନ୍ଦନ ଅନୁଭବ କରୁଛି । କେତେ ସହଯାତ୍ରୀ ଆସନ୍ତି, ମନୁଷ୍ୟ ସଂସାର-ପଥରେ ସେମାନଙ୍କର ସାହଚର୍ଯ୍ୟ ପାଇଥାଏ; କିନ୍ତୁ ପ୍ରକୃତ ବ୍ୟଥାର ସାଥୀ କେହି ଆସନ୍ତି ନାହିଁ । ତେଣୁ ଗୋପନ ଦ୍ୱାରଟି ଚିରଦିନ ଗୋପନରେ ରହିଯାଏ । ମନୁଷ୍ୟ ଉପଯୁକ୍ତ ସାଧନା ଉପରେ ନିର୍ଭର କଲେ ପ୍ରକୃତ ବନ୍ଧୁ ଆସି ସନ୍ଧାନ ଦିଅନ୍ତି । ଗୋପନ-ଦ୍ୱାରରେ ସେହି ଚିରସ୍ମରଣୀୟ ବନ୍ଧୁଟି ଆସି ଆଘାତ ଦିଅନ୍ତି, ତାଙ୍କର ରୂପରେ ହୃଦୟ ଆଲୋକିତ ହୋଇଉଠେ । ତାଙ୍କରି ପୂଜାରେ ମନୁଷ୍ୟ ସର୍ବସ୍ୱ ନିୟୋଜିତ କରିଦିଏ । ଆଉ ସେ ରୂପର କାଙ୍ଗାଳ ହୁଏ ନାହିଁ । ସୀମାହୀନ କକ୍ଷରେ ବୁଲି ବୁଲି ମନୁଷ୍ୟ ତାର ଅନ୍ତରର ଆରାଧ୍ୟ ବିଗ୍ରହଟିକୁ ପାଇଲେ ଆଉ କାହାର ଅପେକ୍ଷା ରଖେ ନାହିଁ । ଦୁଇଟି ଜୀବର ହୃଦୟତନ୍ତ୍ରୀ ଏକ ରାଗିଣୀରେ ବାଜିଉଠେ । ଦୁହେଁ ଦୁହିଙ୍କର ରୂପ ସନ୍ଦର୍ଶନରେ ବିଶ୍ୱର ସୌନ୍ଦର୍ଯ୍ୟକୁ ଦେଖିପାରନ୍ତି । ଜଣକର ଆନନ୍ଦ ଅପର ଅନୁଭବ କରେ । ହୃଦୟରେ ଯଦି ସାମାନ୍ୟ ଆବିଳତା ଥାଏ, ତାହା ହେଲେ ସେହି ଅପୂର୍ବ ମିଳନରେ ସବୁ କ୍ଷାଳିତ ହୋଇଯାଏ । ସଂସାରର ନଶ୍ୱରତା ମଧ୍ୟରେ ସ୍ତ୍ରୀ ଓ ପୁରୁଷର ମିଳନ ଯେ ଉଦ୍ଦେଶ୍ୟ ସାଧନ କରିବ, ତାହା ବିଧି-ନିର୍ଦ୍ଦିଷ୍ଟ ବୋଲି ଅନୁମିତ ହୁଏ; ତଥାପି ଦୁହିଙ୍କ ମଧ୍ୟରେ ସମୟ ସମୟରେ ଗୋଟାଏ ଅସାମଞ୍ଜସ୍ୟ ଯାବଜ୍ଜୀବନ୍‌ ରହିଯାଏ । ଯୌବନ ବଡ଼ ବିଷମ କାଳ । ରୂପ ଉପରେ ତୀବ୍ର ଦୃଷ୍ଟି ଦେଇ ମନୁଷ୍ୟ ଉତ୍କଟ ଲିପ୍ସାର ଅଧୀନ ହୋଇପଡ଼େ । ଅନ୍ତରର ଭାବ ନ ମିଶିବା ଯାଏ ଦୁଇଟି ପ୍ରାଣୀ ଗୋଟାଏ ଦିଗରେ ଗତି କରିପାରନ୍ତି ନାହିଁ ।

 

ରୂପର ଛଟା ଆଲୋକର ସ୍ଫୁରଣ ସଙ୍ଗେ ସମାନ । ଯେ ରୂପରେ ଜଣେ ମୋହିତ, ଅପର ତାକୁ ଉପେକ୍ଷା କରି ଚାଲିଯାଏ । ବନର ମାଳତୀ ପରି ରୂପର କମନୀୟତା ଅନେକ ସମୟରେ ଲୋକଲୋଚନ ଅନ୍ତରାଳରେ ଲୁଚିଯାଇଥାଏ । ଘଟନାଚକ୍ରର ଆବର୍ତ୍ତନରେ ମନୁଷ୍ୟ ଆକସ୍ମିକ ଭାବରେ ଯେ ରୂପର ସନ୍ଧାନ ପାଏ, ତାକୁ ଅନୁସରଣ କରି ଜୀବନର ସରସତା ସୃଷ୍ଟି କରେ । ରୂପର ବିଶିଷ୍ଟତା ମନ କେବଳ ଗ୍ରହଣ କରେ । ରୂପଜଗତର ଅସାମଞ୍ଜସ୍ୟ ଭାବରାଜ୍ୟରେ ଭିନ୍ନତା ଆଣିଥାଏ । ରୂପର ଆକର୍ଷଣରେ ଜଣେ ଜଣକ ଆଡ଼କୁ ଟାଣି ହୋଇଯାଏ । ପାରିପାର୍ଶ୍ୱିକ ଅବସ୍ଥା ଦୁହିଙ୍କୁ ସମଭାବନାର ବଶବର୍ତ୍ତୀ କରାଏ ନାହିଁ । ଜଣେ ରହେ ଉନ୍ମୁକ୍ତ ବିହଙ୍ଗ ପରି ନୀଳ ନଭରେ ବିଚରଣ କରି ସେହି ଅନନ୍ତ ନୀଳିମା ସଙ୍ଗେ ମିଶିଯାଇ ନିଜର କ୍ଷୁଦ୍ରତ୍ୱ ଲୋକ କରିଦେବ; କିନ୍ତୁ ସାଥୀଟି ତାର କ୍ଳିଷ୍ଟ ସଂସାର ପଥରେ ସର୍ବଦା ଦୈନ୍ୟର କଶାଘାତ ଅନୁଭବ କରୁଥିବ । ବାହ୍ୟ ଦୃଷ୍ଟିରେ ଏହି ଦୁଇ ପ୍ରାଣୀଙ୍କର ମିଳନ ଅସମ୍ଭବ ବୋଧ ହୋଇପାରେ; କିନ୍ତୁ ପ୍ରକୃତରେ ତାହା ହୋଇଥିଲେ କବିମାନେ ରବି ଓ କମଳର ସମ୍ପର୍କକୁ ଏତେ ବଡ଼ ବୋଲି ଧରି ନ ଥାନ୍ତେ । ବିରୁଦ୍ଧ ଭାବରେ ହୃଦୟର ମିଳନ ଘଟି ନ ପାରେ । ବ୍ୟବଧାନ ସଙ୍ଗେ ମନର ସମ୍ୱନ୍ଧ ନାହିଁ । ରୂପ ଥରେ ଯଦି ଭାବକୁ ଅବଲମ୍ୱନ କରି ମନରେ ଆଙ୍କି ହୋଇଯାଏ ତାହା ହେଲେ ବିସ୍ମୃତି ତାକୁ ସହଜରେ ପୋଛିପାରେ ନାହିଁ । ଆଲୋକ ଓ ଛାୟାର ସଂମିଶ୍ରଣ ପ୍ରାକୃତିକ ସୌନ୍ଦର୍ଯ୍ୟର ଗୋଟିଏ ସୁନ୍ଦର ଉପାଦାନ । ରୂପାଶ୍ରୟୀର ବିଚ୍ଛେଦ ଓ ମିଳନ ପବିତ୍ର ପ୍ରେମର ପରାକାଷ୍ଠା ଜ୍ଞାପନ କରେ । ହୃଦୟର ଆବେଗରେ ଯେ ଆଶ ନିହିତ ଥାଏ ବାସ୍ତବତା ତାକୁ ବହୁ ଦୂରରେ ତ୍ୟାଗ କରିଥାଏ । ରୂପକୁ ଦୂରରେ ରଖି ଯେ ଆନନ୍ଦ ଅନୁଭବ କରାଯାଏ, ତାର ସଂସ୍ପର୍ଶରେ ଆସିଲେ ଆନନ୍ଦର ମାତ୍ରାଟା କମି ଆସେ; ଗୋଟାଏ ସ୍ୱାଭାବିକ ଶିଥିଳତା ମନର ଆବେଗକୁ ଦୂର କରିଦିଏ । ସୁଖର ସ୍ୱପ୍ନଟା ଭାଙ୍ଗିଗଲେ ମନରେ ଗୋଟାଏ ପ୍ରତିକ୍ରିୟାର ଆରମ୍ଭ ହୁଏ । ନିର୍ଝରିଣୀର କଳତାନରେ ପ୍ରେମଶୀଳା ନାୟିକାର କଣ୍ଠଧ୍ୱନି ଆଉ ଶୁଣିବାକୁ ମିଳେ ନାହିଁ । ଭ୍ରମରର ଆକୁଳ ଗୁଞ୍ଜନରେ ବିଜନବିହାରିଣୀଙ୍କୁ ଅପେକ୍ଷା କରିବାକୁ ପଡ଼େ ନାହିଁ । ଯାହା ଲାଗି ସବୁ କଳ୍ପନା, ତାକୁ ନିକଟରେ ପାଇଲେ ମନୁଷ୍ୟ ସ୍ୱପ୍ନ ଦେଖିବାକୁ ମନ ବଳାଏ ନାହିଁ । ଏହି ସମୟରେ ଗୋଟାଏ ଅଭିସନ୍ଧି ଆସି ପହଞ୍ଚିଯାଏ । ହୁଏ ତ ରୂପର ମୋହରେ ଦୁଇଟା ପ୍ରାଣୀ ଅନ୍ଧ ହୋଇଯାଇପାରନ୍ତି କିମ୍ୱା ହୃଦୟର ନିଭୃତ ଦ୍ୱାର ଖୋଲି କେତେ ଯୁଗର ଅବ୍ୟକ୍ତ ମନୋଭାବ ପରସ୍ପର ନିକଟରେ ବ୍ୟକ୍ତ କରନ୍ତି । ଚଞ୍ଚଳତାବଶତଃ ଶରୀର ସୁଖ ଅନୁଭବ କଲେ ରୂପର ଯଥେଷ୍ଟ ଅବମାନନା ହୁଏ ଓ ସେଥି ସଙ୍ଗେ ଗୋଟିଏ ସଙ୍କୁଚିତ ଅବସ୍ଥା ମନକୁ ଗ୍ରାସ କରେ । ଯେଉଁ ସୁନ୍ଦରୀର ସ୍ୱରୂପ ଦର୍ଶନରେ ପୁରୁଷ ବିମଳ ଆନନ୍ଦ ଅନୁଭବ କରେ, ତାର ସ୍ପର୍ଶ ଆନନ୍ଦରେ ମାତ୍ର ଦ୍ଵିଗୁଣିତ କରିପାରେ; କିନ୍ତୁ ମନେ ରଖିବାକୁ ହେବ, ଆକଣ୍ଠ ଭୋଜନରେ ଭୁକ୍ତଦ୍ରବ୍ୟ ଦୂଷିତ ହୋଇ ସମସ୍ତ ଶରୀରକୁ ନଷ୍ଟ କରିଦିଏ । ବିଦ୍ୟୁତର ଚମକ ନୟନ ରଞ୍ଜନ କରେ; କିନ୍ତୁ ସ୍ପର୍ଶ ମୃତ୍ୟୁର ଲୀଳା ଦେଖାଇଦିଏ । ଉପର୍ଯ୍ୟୁକ୍ତ ଉକ୍ତିକୁ ଆଧୁନିକ ବୈଜ୍ଞାନିକମାନେ ଭିନ୍ନଭାବରେ ଗ୍ରହଣ କରିପାରନ୍ତି । ଏ ନବଯୁଗର ବିଦ୍ୟୁତର କ୍ରିୟା ଘରେ ଘରେ ଦେଖିବାକୁ ମିଳୁଚି । ଏପରି ସ୍ଥଳେ ରୂପଟାକୁ ଏତେ ଭୟ କରିବା କଣ ଉଚିତ? ରୂପକୁ ଅନ୍ତର ସହିତ ମିଳାଇ ନେଲେ ଭବିଷ୍ୟତ୍ ବିଚ୍ଛେଦର ସମ୍ଭାବନା ନ ଥାଏ । ରୂପର ଆସକ୍ତିରେ ଜଣେ ଜଣକୁ ଖୁବ୍ ଉଚ୍ଚ ଆସନ ଦେଇଥାଏ । ବାହ୍ୟଦୃଷ୍ଟିରେ ରୂପକୁ ପୂଜା କଲା ପରି ଜଣାପଡ଼େ, କିନ୍ତୁ ପ୍ରକୃତରେ ସେଇଟା ଗୋଟାଏ ପ୍ରତାରଣା । ସଂସାରରେ ଏହି ପ୍ରତାରଣା ଚିରଦିନ ଲାଗି ରହିଛି; ସେଥିଯୋଗୁଁ ରୂପରେ ପୂଜାରେ ବିକାଶର ପଥ ଅନୁସରଣ କରିବାକୁ କେହି ସାହସୀ ହୁଅନ୍ତି ନାହିଁ ।

 

ରୂପସୃଷ୍ଟିରେ ପ୍ରେମର ଚିତ୍ର ପ୍ରଥମେ ବିକଶିତ ହୁଏ । ସୌନ୍ଦର୍ଯ୍ୟପିପାସୁ ରୂପ-ଜଗତରୁ ତାର ପ୍ରାରମ୍ଭିକ କଳ୍ପନାସମ୍ପଦ ଆହରଣ କରିଥାଏ । ସୌନ୍ଦର୍ଯ୍ୟରେ ପ୍ରେମର ପୂର୍ଣ୍ଣତାପ୍ରାପ୍ତି ସମ୍ଭବପର ହୁଏ । ଜଡ଼ ଜଗତର ଆଧାରଗୁଡ଼ିକରେ ସୌନ୍ଦର୍ଯ୍ୟର ନିର୍ମଳତା ପୂର୍ଣ୍ଣମାତ୍ରାରେ ପ୍ରକାଶିତ ନ ହେଲେ ସୁଦ୍ଧା ସୌନ୍ଦର୍ଯ୍ୟର ଯେଉଁ ସେତୁସବୁ ନର୍ମିତ ହୋଇଥାଏ, ସେହିଗୁଡ଼ିକ ସାହାର୍ଯ୍ୟରେ ଦୁସ୍ତର ସଂସାରବର୍ତ୍ତ ପାର ହୋଇ ମନୁଷ୍ୟ ପ୍ରେମରାଜ୍ୟର ଦ୍ୱାର ଉନ୍ମୋଚନ କରିବାକୁ କ୍ଷମ ହୁଏ । ରୂପର ମାଧୁର୍ଯ୍ୟ ନିକଟରେ ତାର ଆତ୍ମବିସ୍ମୃତି ମଧ୍ୟ ଆସିପାରେ; କିନ୍ତୁ ଏହି ଦର୍ଶନର ପରିଣାମ ଯଦି ଘୋର ଆସକ୍ତି ଜନ୍ମାଏ, ତାହା ହେଲେ ଗୋଟାଏ ଦାସତ୍ୱ ବୃତ୍ତିରେ ମାନବିକତା ଅଚ୍ଛନ୍ନ ହୋଇପଡ଼େ-। ପକ୍ଷାନ୍ତରରେ ଆସଙ୍ଗଲିପ୍ସାକୁ ବାଦ୍ ଦେଇ ଭାବୁକ କଳ୍ପନାର ସମୃଚ୍ଚ ଶିଖରୀରେ ଆରୋହଣ କଲାବେଳେ ଗୋଟିଏ ସରସ ସମ୍ପର୍କର ଅଭାବ ଅନୁଭବ କରେ । ଯେ ରୂପ ସମ୍ପର୍କରେ ଜଡ଼ତା ଘନୀଭୂତ ହୋଇଆସେ, ତାରି ଅବଲମ୍ବନରେ ପୁଣି ପ୍ରେମର ସ୍ୱର୍ଗୀୟ ଆନନ୍ଦ ଅନୁଭୂତ ହୁଏ-। ବୈଚିତ୍ର୍ୟମୟ ଜଗତରେ ଆଲେଖ୍ୟର ସମସ୍ୟା ଦୁର୍ବଳ ମାନବକୁ ଅଧିକାଂଶ ସମୟରେ ବିବ୍ରତ କରିଥାଏ । ଦୁର୍ବଳତାକୁ ଦୂର କରି ମନୁଷ୍ୟ ନିଜର ଲକ୍ଷ୍ୟପଥରେ ଅଗ୍ରସର ହୁଏ । ରୂପର ପ୍ରତିଷ୍ଠାରେ ମାନବୀୟ ଶକ୍ତି ଅପଚିତ ହୁଏ ନାହିଁ; କେବଳ ଲୋଲୁପତାରେ ତାର ଶ୍ରୀ ନଷ୍ଟ ହୁଏ । ପ୍ରେମର ଅସୀମତା ମଧ୍ୟରେ ରୂପ ଯେଉଁ ସୀମା ନିର୍ଦ୍ଦେଶ କରିଦିଏ, ତାକୁ ଅନୁସରଣ କରି ମନୁଷ୍ୟ କୃତାର୍ଥ ହୁଏ । ରୂପ ଅନ୍ତରର ବେଷ୍ଟନୀ; ସେହି ବେଷ୍ଟନୀକୁ ଭେଦ କଲେ ମିଳନାନନ୍ଦର ସନ୍ଧାନ ମିଳେ । ପ୍ରେମିକ ଓ ପ୍ରେମିକାର ମିଳନ-ମନ୍ଦିରରେ ରୂପ ମୁଖଶାଳାର କାର୍ଯ୍ୟ କରେ । ସତ୍‌ପୂଜକ ମୁଖଶାଳାଠାରୁ ନିଜର ମସ୍ତକ ଅବନତ କରିଦିଏ । ଜଗତରେ ନମ୍ରତାର ସ୍ଥାନ ଅତି ଉଚ୍ଚରେ; ବିନମ୍ର ହେଲେ ରୂପର ପୂଜା ସାର୍ଥକ ହୁଏ ।

•••

 

ଜାତୀୟ ଶିକ୍ଷା

ଜଗତ୍ ଗୋଟାଏ ଶିକ୍ଷାକ୍ଷେତ୍ର । ଅପୂର୍ଣ୍ଣ ମାନବଜାତି ଆଦିମ ଯୁଗରୁ ସଂଖ୍ୟାତୀତ ଘଟନାରାଶିପର୍ଯ୍ୟାୟରେ ଭିନ୍ନ ଭିନ୍ନ କର୍ମପନ୍ଥା ଅବଲମ୍ବନ କରି ଗୋଟାଏ ସର୍ବବାଦିସମ୍ମତ ମାର୍ଗ ଆଜିପର୍ଯ୍ୟନ୍ତ ସ୍ଥିର କରିପାରି ନାହିଁ । କେତେ ସଭ୍ୟତାର ଅଭ୍ୟୁଦୟ ହୋଇଛି, କେତେ ଜାତିର କ୍ରିୟା-କୌଶଳ ଓ ଧର୍ମରେ ମାନବୀୟ ଦୁର୍ବଳତା ଅନେକ ପରିମାଣରେ ଅପସାରିତ ହୋଇଛି; କିନ୍ତୁ ଜଗତ୍‌ ସମକ୍ଷରୁ ଅଜ୍ଞାନାନ୍ଧକାର ସମ୍ପୂର୍ଣ୍ଣରୂପେ ଲୋପ ପାଇ ନାହିଁ । ମନୁଷ୍ୟର ଶିକ୍ଷା ଓ ସଭ୍ୟତା ସୀମାବଦ୍ଧ ବୋଲି ପୃଥିବୀରେ ସାମ୍ୟଭାବ ସ୍ଥାପନ କରିବା ଦୁର୍ଘଟ ହୋଇଅଛି । ଜଣେ ଯେଉଁ ଜ୍ଞାନବଳରେ ଅପରକୁ ହୀନ ମନେ କରୁଚି, ସେହି ଜ୍ଞାନ କେତେ ଦୂର ପରିପକ୍ୱ ଓ ଅଭ୍ରାନ୍ତ, ତାହା ନିର୍ଣ୍ଣୟ କରିବା ସହଜ ନୁହେଁ । ତା ହୋଇଥିଲେ, ସୁଧୀମାନଙ୍କର ମତ ଉପର୍ଯ୍ୟୁପରି ଖଣ୍ଡିତ ହୁଅନ୍ତା ନାହିଁ । ଅଧିକାଂଶ ସମୟରେ କୌଣସି ବିଷୟ ସମ୍ୟକ୍ ଉପଲବ୍‌ଧ ନ ହେଲେ ସୁଦ୍ଧା ପ୍ରବଳ ଜନମତ ପ୍ରତିଷ୍ଠିତ ହୁଏ ଓ ତଦ୍ଦ୍ୱାରା ଗୋଟିଏ ଜାତି ଅନ୍ୟ ଜାତିର ମହତ୍ତ୍ୱ ପରୀକ୍ଷା କରେ । ଆଜି ଏ ବୈଜ୍ଞାନିକ ଯୁଗରେ ଯେଉଁମାନେ ସଭ୍ୟତା ଓ ଶିକ୍ଷାର ଗୁରୁ ବୋଲି ନିଜକୁ ମନେ କରନ୍ତି, ସେମାନଙ୍କର ପ୍ରଚ୍ଛନ୍ନ ଦୁର୍ବଳତା ଦେଖିଲେ ଅନ୍ୟମାନଙ୍କର ସ୍ୱତଃ ଅନୁଦାର ଭାବ ଜାଗରିତ ହୁଏ । ପ୍ରାକୃତିକ ଗୁଣ ଓ ପାରିପାର୍ଶ୍ୱିକ ଅବସ୍ଥାଭେଦରେ ମନୁଷ୍ୟମାନଙ୍କୁ ଗୋଟିଏ ଜାତିର ଆବଦ୍ଧ ରଖାଯାଇ ପାରିବ ନାହିଁ । ସେ ଜାତି ଅନେକ ଦିନରୁ ଗୋଟାଏ ମାର୍ଗ ଅନୁସରଣ କରି ଆସିଲାଣି, ତାକୁ ସମ୍ପୂର୍ଣ୍ଣରୂପେ ବଦଳାଇବା ଅସମ୍ଭବ କହିଲେ ଚଳେ । ଏଥିରେ ବେଶି ଅନିଷ୍ଟ ଘଟିପାରେ । ମାର୍ଜିତ ନୀତି ପ୍ରୟୋଗ କଲେ ଜାତୀୟତା ନଷ୍ଟ ହୁଏ ନାହିଁ; ବରଂ କୁସଂସ୍କାର ଦୂରୀକରଣର ଏହା ଗୋଟିଏ ଉତ୍କୃଷ୍ଟ ଉପାୟ । ପରସ୍ପରବିରୋଧୀ ଜାତିମାନେ ସମାଲୋଚନା ଆଶ୍ରୟରେ ସେମାନଙ୍କର ଭ୍ରମ ଜାଣିପାରନ୍ତି । ଅଗଣିତ ଜାତି, ଧର୍ମ, ସଭ୍ୟତା ପ୍ରଭୃତିରୁ ମନୁଷ୍ୟକୁ ଅସଂପୃକ୍ତ ରଖି ଗୋଟାଏ ସାର୍ବଜନୀନ ଶିକ୍ଷାପ୍ରଭାବରେ ତା ଜୀବନକୁ ନିୟନ୍ତ୍ରିତ କରିବା ଶ୍ରୁତିସୁଖକର ବିଷୟ ହୋଇପାରେ; କିନ୍ତୁ କାର୍ଯ୍ୟୋପଯୋଗୀ ହେବା ସମ୍ଭବପର ନୁହେଁ ।

 

ଶିକ୍ଷା ଓ ଜ୍ଞାନର ସମ୍ପର୍କ ସବୁ ସମୟରେ ସମାନ ରହେ ନାହିଁ । ସ୍ଥଳବିଶେଷରେ ଜ୍ଞାନୀ ଯେଉଁ ଦିଗରେ ଗତି କରେ, ତାହା ସାଂସାରିକ ଜୀବନ କଟାଇବାପାଇଁ ଅନୁପଯୋଗୀ ହୋଇପାରେ । ଏହା ବୋଲି ନୀତିକୁ ବାଦ୍ ଦେଇ କୌଣସି ଶିକ୍ଷା ପ୍ରବର୍ତ୍ତନ କରାଇବା ଉଚିତ ନୁହେଁ-। ଶିକ୍ଷାର ପ୍ରଥମ ସୋପାନରେ କେତେଗୁଡ଼ିଏ ଉଦାର ଓ ମହତ୍‌ ନୀତି ପାଳନ କରିବା ଆବଶ୍ୟକ ହୁଏ, ଯଦ୍ଦ୍ୱାରା କ୍ରିୟାବହୁଳ ମନୁଷ୍ୟ ଜୀବନରେ ଗୋଟାଏ ସମତା ଆଣାଯାଇପାରେ । ପ୍ରାଥମିକ ଅବସ୍ଥାରେ ଜାତି କିମ୍ୱା ଧର୍ମର ପ୍ରଭାବ ଆଣି ଶିକ୍ଷାକୁ ସଂକୀର୍ଣ୍ଣ କରିବା ଉଚିତ ନୁହେଁ । ସତ୍ୟାନୁରାଗକୁ ଯେ କୌଣସି ଶିକ୍ଷାର ପ୍ରଧାନ ଅଙ୍ଗସ୍ୱରୂପ ଗ୍ରହଣ କରାଯାଇପାରେ । ମାନସିକ ଉତ୍‌କର୍ଷରେ ଏହା ଯଥେଷ୍ଟ ସାହାଯ୍ୟ କରେ । ଶିକ୍ଷାକୁ କେବଳ ବ୍ୟବସାୟଗତ କରି ଜାତୀୟ ସୁଖର ପରିମାଣ ବର୍ଦ୍ଧିତ କରାଯାଇପାରେ, ଏଥିରେ ସୁଦ୍ଧା ସତ୍ୟ ପ୍ରତି ବିଶେଷ ଆସ୍ଥା ରଖିବା ଉଚିତ । ଆଧୁନିକ ଆନ୍ତର୍ଜାତିକ ଋଣ ଓ ବାଣିଜ୍ୟ ବିଷୟ ଆଲୋଚନା କଲେ ଏ ସମ୍ୱନ୍ଧରେ କୌଣସି ସନ୍ଦେହ ରହେ ନାହିଁ । ସୁଦୂର ଆମେରିକାରୁ ବ୍ୟବସାୟୀ ଆସି ଭାରତରେ ନିଜର ପଣ୍ୟଦ୍ରବ୍ୟ ବିକ୍ରି କରି Bill of Exchange ସାହାଯ୍ୟରେ କୋଟି କୋଟି ଟଙ୍କାର ବ୍ୟବସାୟ ନିଷ୍ପତ୍ତି କରିବା ସହଜ ନୁହେଁ । ଜାତୀୟ ମହତ୍ତ୍ୱ ନ ଥିଲେ ଏପରି ବିଶ୍ୱାସ ଜନ୍ମିବା ସମ୍ଭବପର ହୁଅନ୍ତା ନାହିଁ । ଗତ ମହାଯୁଦ୍ଧର ଋଣ ପରିଶୋଧ କରିବା ପାଇଁ ପାଶ୍ଚାତ୍ୟମାନେ ବଡ଼ ବ୍ୟସ୍ତ ହୋଇ ପଡ଼ିଲେଣି । ବର୍ତ୍ତମାନ ପୃଥିବୀର ଅର୍ଥ ସଙ୍କଟ ସକାଶେ ଏହି ବିପୁଳ ଋଣଭାର ପ୍ରଧାନ କାରଣ ବୋଲି ମନେ ହୁଏ; କିନ୍ତୁ ସ୍ୱାର୍ଥପରତାର ବିକଟ ବିଷ ପାଶ୍ଚାତ୍ୟ ଜାତିମାନଙ୍କର ମହତ୍ତ୍ୱ ନଷ୍ଟ କରିବାକୁ ବସିଲାଣି ।

 

ବିଳାସିତା ଓ ଐଶ୍ୱର୍ଯ୍ୟକୁ ମୂଳମନ୍ତ୍ର କରି ଯେ ଜାତି ଅଗ୍ରସର ହୁଏ, ତାର ପତନ ଅନିବାର୍ଯ୍ୟ । ଅନେକ ପ୍ରାଚୀନ ଜାତିର ଧ୍ୱଂସ ଏହିପରି ସଂଘଟିତ ହୋଇଅଛି । ଜାତୀୟ ଜୀବନରେ କର୍ମକୁଣ୍ଠତା ଥରେ ପ୍ରବେଶ କଲେ ତାକୁ ଦୂର କରିବା ସହଜ ହୁଏ ନାହିଁ । ଗୁରୁତର ଜ୍ଞାନତତ୍ତ୍ୱ ପ୍ରକାଶ କରିବାପାଇଁ ଉନ୍ନତ ଶକ୍ତି ଲୋଡ଼ା ହୁଏ; କିନ୍ତୁ ସାଧାରଣ ଶିକ୍ଷାପଦ୍ଧତିରେ ଏ ବିଷୟର ଆଲୋଚନା କରିବା ଅନାବଶ୍ୟକ । ଦେଶର ସମୁହ-ଉନ୍ନତି କଳ୍ପେ ଅନେକ ବିଷୟ ଶିକ୍ଷା କରିବାକୁ ପଡ଼େ, ଯାହା ଜ୍ଞାନୀର ଉପେକ୍ଷଣୀୟ ହୋଇପାରେ । ରାଜ୍ୟ-ଶାସନ ଓ ଜାତୀୟ ଗୌରବରକ୍ଷାଲାଗି ମାରାତ୍ମକ ନୀତିର ଆଶ୍ରୟ ଗ୍ରହଣ କରାଯାଏ । ଦେଶବ୍ୟାପୀ ଅତ୍ୟାଚାର ଓ ନିପୀଡ଼ନଦ୍ୱାରା ଯେ ଆତଙ୍କ ସୃଷ୍ଟି କରାଯାଏ, ତାହା ବିଜୟୀର ଗୋଟାଏ ଉତ୍କଷ୍ଟ ନୀତି ହୋଇପାରେ; କିନ୍ତୁ ଜ୍ଞାନୀ ଏଥିରେ ପୋଷକତା କରିବାକୁ ପଶ୍ଚାତ୍‌ପଦ ହୁଏ ।

 

ଦେଶର ଅବସ୍ଥିତି ଅନୁସାରେ ଉପଯୋଗୀ ଶିକ୍ଷାଦାନ କର୍ତ୍ତବ୍ୟ । ଶିକ୍ଷା ଘେନି ସଭ୍ୟତାର ତାରତମ୍ୟ ଦେଖାଯାଏ । ଇଂଲଣ୍ଡ ପକ୍ଷରେ ଯେ ଶିକ୍ଷା ଆବଶ୍ୟକ, ଭାରତ ପକ୍ଷରେ ତାହା ଗ୍ରହଣୀୟ ହୋଇ ନ ପାରେ । ମନୁଷ୍ୟ ଶୈଶବରୁ କେତେଗୁଡ଼ିଏ ଶାସନ-ପଦ୍ଧତିର ଅଧୀନ ହୁଏ ଓ ପ୍ରାଥମିକ ଶିକ୍ଷାରୁ ଏହି ଅବସ୍ଥାର ସୁତ୍ରପାତ କରାଯାଏ । ଅନ୍ଧ ଅନୁସରଣର ବଶବର୍ତ୍ତୀ ହୋଇ ଅନେକ ପାଶ୍ଚାତ୍ୟ-ଶିକ୍ଷାମୁଗ୍‌ଧ ଭାରତୀୟ ସେମାନଙ୍କର ସନ୍ତାନମାନଙ୍କୁ ପାଶ୍ଚାତ୍ୟ ରୀତିରେ ପ୍ରଣୋଦିତ ହେବାକୁ ଇଚ୍ଛା କରନ୍ତି । ମୌଳିକତାର ଏକାନ୍ତ ଅଭାବବଶତଃ ଏପରି ଶୋଚନୀୟ ଅବସ୍ଥା ଘଟିବାର ଅନୁମାନ କରାଯାଏ । ଇଂରେଜି ଲେଖାପଢ଼ା ଶିଖିଲେ ଭାରତୀୟକୁ ପ୍ରକୃତ ଶିକ୍ଷା ମିଳେ ନାହିଁ; ବରଂ ଏହାଦ୍ୱାରା ଜାତୀୟତାର ଅବନତି ଘଟିପାରେ । ଦୀର୍ଘ ଇଂରେଜି ଶାସନ ଫଳରେ ଆମ ଦେଶରେ ଦୁଇ ଶ୍ରେଣୀର ଲୋକ ସାଧାରଣତଃ ଦେଖାଯାନ୍ତି । ଯେଉଁମାନେ ଇଂରେଜି ଶିକ୍ଷା ପାଇଥାନ୍ତି, ସେମାନେ ଦେଶୀୟ ଭାଷାଭିଜ୍ଞମାନଙ୍କଠାରୁ ଅନେକ ବିଷୟରେ ପୃଥକ୍ ଦେଖାଯାନ୍ତି । ଇଂରେଜି ଶିକ୍ଷା ପ୍ରଭାବରେ ସଂକୀର୍ଣ୍ଣତା ଭିନ୍ନ ଆକାରରେ ଦେଶରେ ପ୍ରବେଶ କରୁଚି-। ଦେଶର କୃଷି ଓ ଶିଳ୍ପ ଉପଯୁକ୍ତ କର୍ମୀ ଅଭାବରୁ ଆଶାନୁରୂପ ଉନ୍ନତି ସାଧନ କରିପାରୁ ନାହିଁ । ଇଂରାଜି ଶିକ୍ଷାଭିମାନୀ ଶାରୀରିକ ଶ୍ରମ ସ୍ୱୀକାର କରିବାକୁ ହୀନ ମନେ କରୁଚି; ଅଥଚ ଆଇନ-ବ୍ୟବସାୟରେ କୁଟବୁଦ୍ଧିର ଆଶ୍ରୟ ନେବା ଦୋଷାବହ ନୁହେଁ ବୋଲି ତାର ଦୃଢ଼ ବିଶ୍ୱାସ । ଆଜିକାଲି ଦେଶର ଅବସ୍ଥାଦୃଷ୍ଟିରେ ଆଇନ ବ୍ୟବସାୟୀମାନଙ୍କର ସଂଖ୍ୟା କମିଯିବା ଉଚିତ । ଭାରତର ଉନ୍ନତିପଥରେ ସେମାନଙ୍କର ବ୍ୟବସାୟ କିପରି ଅନ୍ତରାୟ ହେଉଅଛି, ତାହା ସେମାନେ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ । ବର୍ତ୍ତମାନ ଦୁରବସ୍ଥା କିଛିଦିନ ସ୍ଥାୟୀ ହୋଇ ରହିଲେ ସେମାନେ ବାଧ୍ୟ ହୋଇ ସେମାନଙ୍କର ଲୀଳାଭୂମିରୁ ଅପସାରିତ ହେବେ । ଅନେକ ଦେଶପ୍ରେମିକ ଆଇନ ବ୍ୟବସାୟ କରନ୍ତି । ସେମାନେ କିପରି ଭାବରେ ଦେଶର ମଙ୍ଗଳ ବିଧାନ କରନ୍ତି, ତାହା ଆମ୍ଭମାନଙ୍କ ବୁଦ୍ଧିର ଅଗମ୍ୟ । ସେମାନଙ୍କର ଧର୍ମ ସ୍ୱାର୍ଥତ୍ୟାଗ କି ସ୍ୱାର୍ଥରକ୍ଷା, ତାହା ସହଜେ ଜଣାପଡ଼େ ନାହିଁ । କେବଳ ସଭାମଣ୍ଡପରେ ବକ୍ତୃତା ଦେବାଦ୍ୱାରା ଦେଶସେବା ହୁଏ ନାହିଁ ।

 

ଆମ୍ଭମାନଙ୍କ ଦେଶର ପ୍ରଚଳିତ ଶିକ୍ଷା ଅନେକାଂଶରେ ମାର୍ଜିତ ଓ ପରିବର୍ତିତ ହେବା ଏକାନ୍ତ ବାଞ୍ଛନୀୟ । ଜାତୀୟ ଚରିତ୍ରଗଠନ ଶିକ୍ଷା ଉପରେ ନିର୍ଭର କରେ । ଭାରତରେ ଧର୍ମକୁ ବାଦ୍ ଦେଇ କୌଣସି କର୍ମପନ୍ଥା ନିର୍ଦ୍ଦେଶ କରିବା ଉଚିତ ନୁହେଁ । ସେଥିଲାଗି ଧର୍ମଶିକ୍ଷା ପ୍ରତି ମୂଳରୁ ମନୋନିବେଶ କରିବା ଆବଶ୍ୟକ । ଦେଶର ବିଶେଷତ୍ୱ ଦେଖି ସଂଗଠନ କାର୍ଯ୍ୟରେ ଅଗ୍ରସର ହେବା ବୁଦ୍ଧିମାନର କାର୍ଯ୍ୟ । କେବଳ କେତେଗୁଡ଼ାଏ ପାଶ୍ଚାତ୍ୟ କାର୍ଯ୍ୟନିର୍ଘଣ୍ଟ ଅନୁସରଣ କଲେ ଭାରତୀୟ କୌଣସି ଲାଭ ପାଏ ନାହିଁ । ଶେଷରେ ସବୁ ପ୍ରୟାସ ବୃଥା ଜଣାପଡ଼େ । ବିଷୟ-ଜ୍ଞାନ ଲାଭ କଲେ ଚରିତ୍ର ଗଠିତ ହୁଏ ନାହିଁ ।

 

ପାଶ୍ଚାତ୍ୟମାନେ କେବଳ ବିଷୟବୁଦ୍ଧିରେ ଚାଳିତ ହୁଅନ୍ତି ଏବଂ ସେମାନଙ୍କର ଯାବତୀୟ କାର୍ଯ୍ୟ କୌଣସି ନୀତି ଅନୁଯାୟୀ ସମ୍ପାଦିତ ହେଲେ ସୁଦ୍ଧା ତହିଁରୁ ଧର୍ମାନୁରାଗ ଜଣାପଡ଼େ ନାହିଁ । ଧର୍ମଶିକ୍ଷାଦ୍ୱାରା ସାଂସାରିକ କାର୍ଯ୍ୟଗତିରେ ନିର୍ମଳତା ଆସେ । ମନୁଷ୍ୟର ଭେଦବୁଦ୍ଧି ଆସ୍ତେ ଆସ୍ତେ ଲୋପ ପାଏ । ଦେଶସେବା ସକାଶେ ଯେ ଉଦାରତା ଆବଶ୍ୟକ ହୁଏ, ତାର ମୂଳଭିତ୍ତି ଧର୍ମରେ ନିହିତ ଥାଏ । ଆଧୁନିକ ରୁଷିୟାର ଜାତୀୟତା ଯେ ଦିଗରେ ଗତି କରୁଚି, ସେଥିରେ ଧର୍ମବିଶ୍ୱାସର ସ୍ଥାନ ନାହିଁ କହିଲେ ଚଳେ । ଭାରତ ସେ ଦିଗରେ ଗତି କଲେ ଭଲ ହୁଅନ୍ତା ବୋଲି କେହି କେହି କହିପାରନ୍ତି; କିନ୍ତୁ ଭାରତ ଓ ରୁଷିୟା ମଧ୍ୟରେ ଯେ ପ୍ରକୃତିଗତ ବିଶିଷ୍ଟତା ଦେଖାଯାଏ, ତାହାକୁ ଦୂର ନ କରି ସମଜାତୀୟ ଶିକ୍ଷାପଦ୍ଧତିର ଅଶ୍ରୟ ନେବା ସମୀଚୀନ ନୁହେଁ । ପ୍ରାକୃତିକ ବୈଶିଷ୍ଟ୍ୟ ମନୁଷ୍ୟକୃତ ନୁହେଁ; ସୁତରାଂ ସେ ଭାବ କେହି ଘୁଞ୍ଚାଇ ପାରିବେ ନାହିଁ । ଅନେକ କହିପାରନ୍ତି, ବୃଥା ଧର୍ମଆଡ଼ମ୍ୱର କରି ଭାରତର ସର୍ବନାଶ ଘଟିଚି; କିନ୍ତୁ ପ୍ରକୃତରେ ତାହା ନୁହେଁ । ହିନ୍ଦୁଧର୍ମ ପ୍ରକୃତ କର୍ମର ବିରୋଧୀ ନୁହେଁ । କର୍ମରୁ ମୁକ୍ତିପଥ ନିର୍ଦ୍ଦେଶ କରିବା ଏକା ହିନ୍ଦୁ ପକ୍ଷରେ ସମ୍ଭବପର ହୋଇଅଛି । ଅନ୍ୟାନ୍ୟ ଧର୍ମାବଲମ୍ୱୀମାନେ ହିନ୍ଦୁମାନଙ୍କ ପରି ଉଦାର ହୃଦୟ ପୋଷଣ କରିପାରିବେ ନାହିଁ । ହିନ୍ଦୁ କହେ, ପ୍ରତ୍ୟେକ ପ୍ରତ୍ୟେକର ଧର୍ମ ପାଳନ କରିବେ । ଅନ୍ୟ ଧର୍ମାବଲମ୍ୱୀକୁ ହୀନ ମନେକରିବା ତାର ଧର୍ମ ନୁହେଁ । ଯେଉଁ ଧର୍ମ ଉଦାରତା ବିଷୟରେ ପୃଥିବୀରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିଲା, ଆଜି ସେହି ଧର୍ମର କି ଭୟଙ୍କର ଅବନତି ଘଟିଛି ! ଧର୍ମର ଅବନତି ସଙ୍ଗେ ହିନ୍ଦୁର ଜାତୀୟତା ଲୁପ୍ତପ୍ରାୟ ହୋଇଆସିଥିଲା । ସେ ବୁଝିଲା ଧର୍ମର ସଂସ୍କାର ନ ଆଣି ଭାରତର ପୂର୍ବ ଶକ୍ତି ଫେରି ପାଇବା ବିଡ଼ମ୍ୱନା ମାତ୍ର । ଜାତୀୟତା ଉପରେ ଧର୍ମର ଦୃଢ଼ ଭିତ୍ତି ସ୍ଥାପିତ ହେବା ଉଚିତ । ଭାରତୀୟ ଶିକ୍ଷାରେ ବର୍ତ୍ତମାନ ସ୍ୱତନ୍ତ୍ରତା ଆବଶ୍ୟକ ହେଲାଣି ।

 

ବିଦେଶୀ ଭାଷାକୁ ଶିକ୍ଷାର ପ୍ରଧାନ ଅଙ୍ଗ କଲେ ଜାତୀୟତାର ବିକାଶରେ ବାଧା ପଡ଼େ-। ବହୁ ଆୟ ସରେ ଇଂରେଜି ଅଧ୍ୟୟନ କରି ଯେ ପ୍ରତିପତ୍ତି ଜନ୍ମେ, ତଦ୍ଦ୍ୱାରା ଭାରତବାସୀ ନିଜର ଜୀବିକାନିର୍ବାହ ପନ୍ଥା ସ୍ଥିର କରିପାରେ ନାହିଁ । ଇଉରୋପୀୟମାନେ ଅନେକ ଦିନ ଭାରତରେ ରହି ସୁଦ୍ଧା କୌଣସି ଦେଶୀୟ ଭାଷାରେ ଅଭିଜ୍ଞତା ଅର୍ଜନ ନ କଲେ ହେଁ ଦେଶ-ଶାସନ କାର୍ଯ୍ୟରେ ସେମାନଙ୍କୁ କୌଣସି ଅସୁବିଧା ଭୋଗ କରିବାକୁ ପଡ଼େ ନାହିଁ କିମ୍ୱା ସେମାନଙ୍କ ଶିକ୍ଷାର ସୌଷ୍ଠବ ନଷ୍ଟ ହୁଏ ନାହିଁ । ତେବେ ଭାରତବାସୀର ଇଂରେଜି ଭାଷାଶିକ୍ଷା ନ କରିବା ଗୋଟାଏ ଦୋଷ ହେବ କାହିଁକି ? ଆଜିକାଲି ଶିକ୍ଷିତ ଅର୍ଥରେ ସାଧାରଣତଃ ଇଂରେଜି ଲେଖାପଢ଼ା ଲୋକମାନଙ୍କୁ ଗ୍ରହଣ କରାଯାଏ । ଇଂରେଜି ନ ଜାଣିଲେ ଭାରତୀୟକୁ ଶିକ୍ଷିତ ଶ୍ରେଣୀଭୁକ୍ତ ନ କରିବା କେବଳ ଭାରତ ଛଡ଼ା ପୃଥିବୀର ଅନ୍ୟତ୍ର ଦୃଷ୍ଟ ହୁଏ ନାହିଁ । ବ ୨୦।୨୫ ର୍ଷ ପରିଶ୍ରମ କରି ଆମ୍ଭେମାନେ ଇଂରେଜି ଭାଷା ସାହାର୍ଯ୍ୟରେ ଯେ ଶିକ୍ଷା ଅର୍ଜନ କରୁ, ତାକୁ ବ ୭।୮ର୍ଷ ମଧ୍ୟରେ ମାତୃଭାଷା ସାହାର୍ଯ୍ୟରେ ଶିକ୍ଷା କରିପାରନ୍ତୁ । ଇଂରେଜି ପୃଥିବୀର ପ୍ରଧାନ ଭାଷା ହୋଇପାରେ; କିନ୍ତୁ ତଦ୍ଦ୍ୱାରା ଗୋଟାଏ ଅପର ଜାତିର ଜାଗରଣ ଆସିବା ସହଜ ନୁହେଁ । ଉନ୍ନତ ଭାଷା ହିସାବରେ ଇଂରେଜି ଶିକ୍ଷା କରିବା ଆମ୍ଭମାନଙ୍କର ଆକାଂକ୍ଷା ହେଲେ କିଛି କ୍ଷତି ନାହିଁ; କିନ୍ତୁ କର୍ମ-ଜୀବନରେ ଗୋଟାଏ ବିଦେଶୀ ଭାଷାକୁ ଏପରି ଅତ୍ୟୁଚ୍ଚ ସ୍ଥାନ ଦେବା ନିତାନ୍ତ ଗର୍ହିତ । ଆଜିକାଲି ବନ୍ଧୁମାନଙ୍କ ନିକଟକୁ ପତ୍ର ଦେଲାବେଳେ ଆମ୍ଭେମାନେ ଇଂରେଜି ଭାଷା ବ୍ୟବହାର କରିଥାଉଁ । ଏଥିରେ ମାତୃଭାଷା ଓ ସମାଜର ଯଥେଷ୍ଟ ଅକଲ୍ୟାଣ ଘଟେ । ଇଂରେଜମାନଙ୍କୁ ଅନୁକରଣ କରିବାର ଏହା ଗୋଟାଏ ବିକୃତ ମାର୍ଗ ।

 

ପୋଷାକପରିଚ୍ଛଦ, ଖାଦ୍ୟପେୟ ପ୍ରଭୃତିଠାରୁ ଆରମ୍ଭ କରି ଭାଷା ପର୍ଯ୍ୟନ୍ତ ବିଦେଶୀଠାରୁ ଆମଦାନୀ କଲେ ଜାତୀୟତା ରକ୍ଷା ଅସମ୍ଭବ ହେବ ।

 

ଶିଳ୍ପ, ବାଣିଜ୍ୟ ପ୍ରଭୃତି ଜାତୀୟ ଶିକ୍ଷାର ଅଙ୍ଗୀଭୂତ ହେବା ସର୍ବାଦୌ ଉଚିତ । ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ରମାନଙ୍କର ସ୍ୱାଭାବିକ ସ୍ପୃହା ଅନୁଯାୟୀ ଏ ବିଷୟରେ ଶିକ୍ଷାଦାନ ପ୍ରଣାଳୀ ସ୍ଥିର କରିଦେବା ଦେଶବାସୀଙ୍କର କର୍ତ୍ତବ୍ୟ । ଅନେକ ଦିନ ତଳେ ଜର୍ମାନୀ ଓ ଇଂଲଣ୍ଡ ମଧ୍ୟରେ ବ୍ୟବସାୟ ସମ୍ପର୍କରେ ପ୍ରତିଯୋଗିତା ହୋଇଥିଲା । ଜର୍ମାନୀ ବିଫଳପ୍ରଯତ୍ନ ହୋଇ ନୂତନଭାବରେ ଶିକ୍ଷାପଦ୍ଧତି ଚଳାଇଲା । ବୈଜ୍ଞାନିକ ରୀତିରେ ଯେଉଁ ଦେଶବ୍ୟାପୀ ଶିକ୍ଷା ପ୍ରଚାର କରାଗଲା, ସେଥିରେ ଜର୍ମାନୀର ବାଣିଜ୍ୟ ପ୍ରବଳ ହୋଇଉଠିଲା । ସମସ୍ତ ପୃଥିବୀ ତା ସମକ୍ଷରେ ପ୍ରତିଯୋଗିତା କରିବାକୁ ସାହସ କଲା ନାହିଁ । ଏସବୁ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଶାସକମାନଙ୍କର ଦୃଷ୍ଟି ରହିବା ଆବଶ୍ୟକ । ଭାରତର ଦୁର୍ଦ୍ଦଶା ଦେଖିଲେ କିଏ ବିଶ୍ୱାସ କରିବ ଯେ, ତାର ସନ୍ତାନମାନେ ଉପଯୁକ୍ତ ଶିକ୍ଷା ପାଆନ୍ତି ? ସାମାନ୍ୟ ଦିଆସିଲି କାଠଟିଏ ତିଆରି କରିବାକୁ ଭାରତୀୟ କ୍ଷମ ନୁହେଁ-। ଆଖୁ ଚାଷ କଲେ ସୁଦ୍ଧା ଚିନି ତିଆରି କରିବାର ସୁବିଧା ତାର ନାହିଁ କହିଲେ ଚଳେ । ସୁବିଧା ଦିଆଗଲେ ଭାରତ ମରିସସ୍ ପରି ସୁନ୍ଦର ଚିନି କରିପରନ୍ତା । ବାର୍ଷିକ ପ୍ରାୟ ଛଅ କୋଟି ଟଙ୍କା ଚିନି ଖରିଦ ସକାଶେ ଭାରତରୁ ଚାଲିଯାଏ । ତାକୁ ବନ୍ଦ କରି ରଖିବା କଅଣ ଦେଶର ମଙ୍ଗଳ ନୁହେଁ ? ଅନ୍ୟାନ୍ୟ ସ୍ୱାଧୀନ ଦେଶରେ କେଉଁ ବ୍ୟବସାୟ କିପରି ଭାବରେ ଉନ୍ନତ ହେବ ଓ ସେଥିପାଇଁ ଦେଶବାସୀମାନଙ୍କୁ କିପରି ଶିକ୍ଷା ଦିଆଯିବ, ତହିଁରେ ବିହିତ ଶିକ୍ଷା ଦେବାର ବ୍ୟବସ୍ଥା ଅଛି । ଭାରତର ଯୁବକମାନଙ୍କୁ ବର୍ତ୍ତମାନ ଶିଳ୍ପବାଣିଜ୍ୟ ପ୍ରଭୃତିରେ ମନୋଯୋଗୀ କରାଇବା ଅତ୍ୟନ୍ତ ଆବଶ୍ୟକ ହେଲାଣି । ତା ନ ହେଲେ ଅନ୍ନସମସ୍ୟା ଭୀଷଣ ହୋଇ ଉଠିବ ।

 

ରାଜନୀତି ଶିକ୍ଷାରୁ ଦେଶର ପ୍ରକୃତ ଅବସ୍ଥା ନିର୍ଣ୍ଣୀତ ହେବା ଆବଶ୍ୟକ । ଅଧିକାଂଶ ଛାତ୍ର ସ୍କୁଲ ଓ କଲେଜ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆସନ୍ତି, ଅଥଚ ରାଜନୀତିରେ ସୀମା ମାଡ଼ନ୍ତି ନାହିଁ । ଅନେକେ ମନେ କରନ୍ତି; ରାଜନୀତି ଚର୍ଚ୍ଚା ଗୋଟାଏ ଦୋଷ । ରାଜନୀତିଜ୍ଞ ରାଜଦ୍ରୋହୀ ହେବା କୌଣସି ଶାସ୍ତ୍ରରେ ଲେଖା ନାହିଁ; ସୁତରାଂ ବୃଥା ଭୟ ହୃଦୟରେ ପୋଷଣ କରିବା ମୂର୍ଖତାର ପରିଚାୟକ । ଯେପରି ଭାବରେ ଶିକ୍ଷାର ପ୍ରଚଳନ ହେଉଛି, ସେଥିରେ ରାଜନୀତିକୁ ଏକ ପ୍ରକାର ବାଦ୍ ଦିଆଯାଇଛି କହିଲେ ଚଳେ । କେତେ ଗୁଡ଼ିଏ କିରାନୀ କିମ୍ୱା ହାକିମ ଗଢ଼ିଲେ ଶିକ୍ଷାର ଉଦ୍ଦେଶ୍ୟ ସାଧିତ ହୁଏ ନାହିଁ କିମ୍ୱା ଜାତୀୟ ଜୀବନର ଲେଶମାତ୍ର ବିକାଶ ଜଣାପଡ଼େ ନାହିଁ । ଯେ କେତେ ଜଣ ରାଜନୀତିଜ୍ଞ ବର୍ତ୍ତମାନ ଭାରତର ସ୍ୱାର୍ଥ ଲାଗି ଚେଷ୍ଟିତ ଅଛନ୍ତି, ସେମାନେ ବୋଧ ହୁଏ ପଠଦ୍ଦଶାରେ ରାଜନୀତି ଶିକ୍ଷା କରି ନ ଥିଲେ । ମାତୃଭୂମିସେବାରେ ଜୀବନ ଉତ୍ସର୍ଗ କରିବା ଦିନୁ ସେ ଦିଗରେ ସେମାନଙ୍କ ଜ୍ଞାନର ପରିଚୟ ମିଳିଛି । ସରକାରଙ୍କର ଏ ଶିକ୍ଷା ପ୍ରତି ଆସ୍ଥା ନ ଥାଇପାରେ; କିନ୍ତୁ ଦେଶବାସୀଙ୍କ କର୍ତ୍ତବ୍ୟ ତଦ୍ଦ୍ୱାରା ହାନି ହେବା ଉଚିତ ନୁହେଁ । କର୍ତ୍ତବ୍ୟସାଧନ ପଥରେ ଯାବତୀୟ କଷ୍ଟ ସ୍ୱୀକାର କରିବାକୁ ପଡ଼େ । କଷ୍ଟକୁ ଭୟ କରିବା ପୁରୁଷତ୍ଵର ଲକ୍ଷଣ ନୁହେଁ-। ଯେ ଜାତି କଷ୍ଟ ସହିବାକୁ ଶିଖି ନାହିଁ, ତାର ଶିକ୍ଷା ନୀଚଶ୍ରେଣୀୟ । କଷ୍ଟ ଅତିକ୍ରମ କରି ଜାତୀୟ ଜୀବନର ପରାକାଷ୍ଠା ଦେଖାଇବାକୁ ହୁଏ । ଦୁର୍ଭାଗ୍ୟବଶତଃ ଭାରତୀୟକୁ ସମୟୋପଯୋଗୀ ଶିକ୍ଷା ମିଳୁ ନାହିଁ । ଭାବୀ ବଂଶଧରମାନଙ୍କୁ ନୂତନ ପ୍ରେରଣା ଦେବାପାଇଁ ପ୍ରଚଳିତ ଶିକ୍ଷାର ଗତିକୁ ଅନେକାଂଶରେ ବଦଳାଇବାକୁ ହେବ ।

•••

 

Unknown

ଜ୍ଞାନ ଓ କର୍ମ

ସାଧାରଣ ମାନବ ଘଟନା-ଚକ୍ର ପ୍ରତି କଦାଚିତ୍ ଦୃଷ୍ଟି ଦେଇଥାଏ । ଅନେକ ସମୟରେ ଲକ୍ଷ୍ୟହୀନ ହୋଇ ସେ ଜୀବନ କଟାଇଦିଏ । ଦୁଃଖରେ ମ୍ରିୟମାଣ କିମ୍ବା ସୁଖରେ ଉତ୍‌ଫୁଲ୍ଲ ହେବା ତାର ସ୍ୱଭାବ ହୋଇପଡ଼େ । ଏପରି ଜୀବନ ଯାପନ କରିବାରେ କୌଣସି ବିଶେଷତ୍ୱ ଦେଖାଯାଏ ନାହିଁ । ପ୍ରାଣିଜଗତ୍‌ରେ ମନୁଷ୍ୟର ସ୍ଥିତି ଗୋଟାଏ ମହତ୍ ଉଦ୍ଦେଶ୍ୟ ଜ୍ଞାପନ କରେ ବୋଲି ଏଥିରୁ ପ୍ରମାଣିତ ହେବା ଅସମ୍ଭବ । ଉପଯୁକ୍ତ ଶିକ୍ଷା ଓ ସଂସ୍କାର ଅଭାବରେ ପ୍ରକୃତ ମନୁଷ୍ୟତ୍ୱର ବିକାଶ ହୁଏ ନାହିଁ । ଜ୍ଞାନର ସମ୍ୟକ୍ ଉତ୍କର୍ଷ ସାଧନ ପାଇଁ ମନୁଷ୍ୟ ପ୍ରଥମେ ନିଜର ଚରିତ୍ରକୁ ବିଶ୍ଳେଷଣ କରି ଯେଉଁ ସୁଗମ ପଥଗୁଡ଼ିକ ଆବିଷ୍କାର କରେ, ତଦ୍ଦ୍ୱାରା ସାଧନମାର୍ଗ ପ୍ରଶସ୍ତ ହୁଏ ଓ ତାର ଅନ୍ତର୍ନିହିତ ଶକ୍ତି ଜଡ଼ଭାବାପନ୍ନ ପଶୁତ୍ୱକୁ ଦୂର କରେ । ଯନ୍ତ୍ରବତ୍ ଚାଳିତ ହୋଇ କେବଳ କେତେଗୁଡ଼ାଏ କାର୍ଯ୍ୟ ସମ୍ପାଦନ କରିଗଲେ ଜୀବନର ଗତି ନିର୍ଦ୍ଧାରିତ ହୋଇପାରେ ନାହିଁ । ଜୀବନର ରହସ୍ୟ ଭେଦ କରିବା ପାଇଁ ମନୁଷ୍ୟକୁ ପ୍ରସ୍ତୁତ ହେବାକୁ ପଡ଼େ । ଜୀବ ସୃଷ୍ଟିରେ ଚୈତନ୍ୟର ଉନ୍ମେଷ ସ୍ୱଷ୍ଟଭାବରେ ଉପଲବ୍‌ଧି କରାଯାଇପାରେ; କିନ୍ତୁ ସ୍ତରବିଶେଷରେ ତାର ତାରତମ୍ୟ ଯଥେଷ୍ଟ ଦେଖାଯାଏ । ଅନ୍ୟାନ୍ୟ ପ୍ରାଣୀମାନଙ୍କ ପରି ମନୁଷ୍ୟ ଆହାର, ନିଦ୍ରା, ମୈଥୁନ ଓ ଭୟ ପ୍ରଭୃତିର ଅଧିନ ହୋଇ ସୁଦ୍ଧା କେତେକ ବିଶେଷ ଗୁଣର ଅଧିକାରୀ ହୋଇଥିବାରୁ ସେ ଚେତନା ଶକ୍ତିକୁ ବେଶି ପରିମାଣରେ ଅନୁଭବ କରେ । ଅନୁଭୂତିରୁ ଭାବନାର ସ୍ରୋତ କ୍ରମଶଃ ବିସ୍ତାରିତ ହୋଇ ଜ୍ଞାନରାଜ୍ୟର ଦ୍ୱାର ଉଦ୍‌ଘାଟନ କରେ । କେହି କେହି କହିପାରନ୍ତି, ଦୈନନ୍ଦିନ ଜୀବନ ଯାପନରେ ମନୁଷ୍ୟକୁ କାହିଁକି ଏତେ ଶ୍ରମସ୍ୱୀକାର କରି ଜ୍ଞାନଲାଭର ପ୍ରୟାସୀ ହେବାକୁ ହେବ ? ଜୀବନର ପ୍ରତି ମୁହୂର୍ତ୍ତର ମୂଲ୍ୟ ଅଛି । ଯେ ପରିମାଣରେ ଏଥିପ୍ରତି ଆସ୍ଥା ପ୍ରଦର୍ଶିତ ହୁଏ, ସେହି ପରିମାଣରେ ଜୀବନର ମହତ୍ତ୍ୱ ଉପଲବ୍‌ଧି କରାଯାଏ । ମନୀଷୀମାନଙ୍କର ଜୀବନକାଳରେ ଏହା ପ୍ରମାଣିତ ହୋଇଥାଏ । ଜୀବନର ସାରବତ୍ତାକୁ ଜ୍ଞାନାନ୍ୱେଷଣଠାରୁ ପୃଥକ୍ ରଖାଯାଇ ନ ପାରେ । ଜ୍ଞାନାନୁଶୀଳନରେ ମନୁଷ୍ୟ ଅଗ୍ରଗତିର ପରିଚୟ ଦିଏ । ଏହାକୁ ବାଦ୍‌ ଦେଲେ କ୍ରମୋନ୍ନତିର ପଥ ରୁଦ୍ଧ ହୋଇଯାଏ । କେବଳ ପଶୁଭାବର ପ୍ରାବଲ୍ୟ ଜୀବନର ଗତିକୁ ନିୟନ୍ତ୍ରିତ କରେ । ବିଶ୍ୱବ୍ୟାପୀ ଗୋଟାଏ ଆଲୋଡ଼ନ କ୍ରିୟା ଯେଉଁ ମହୀୟସୀ ଶକ୍ତିର ବିଶାଳତା ଘୋଷଣା କରୁଅଛି, ତାକୁ ମନୁଷ୍ୟର କର୍ମକ୍ଷେତ୍ରକୁ ପୃଥକ୍‌ କରିବାଦ୍ୱାରା ଅଜ୍ଞତାର ପରିଚୟ ମିଳେ ।

 

ପ୍ରାଚୀନ କାଳରୁ ଆଜିପର୍ଯ୍ୟନ୍ତ ଯେତେ ସଭ୍ୟତାର ଅଭ୍ୟୁଦୟ ହେଲାଣି, ସମସ୍ତଙ୍କର ବିକାଶରେ ଜ୍ଞାନ ହିଁ ମୂଳ । ପୃଥିବୀର ଯାବତୀୟ ସଭ୍ୟଜାତି ଗୋଟାଏ ଅନନ୍ତ ଶକ୍ତିର ବର୍ତ୍ତମାନତା ସ୍ୱୀକାର କରିବାକୁ ବାଧ୍ୟ ହୋଇଅଛନ୍ତି । ସୁତରାଂ ଜ୍ଞାନର ଉନ୍ମେଷ ସଙ୍ଗେ ସେହି ରୂମାଶକ୍ତିର ଘନିଷ୍ଠ ସମ୍ପର୍କକୁ ଅନୁଭବ କରିବା ମନୁଷ୍ୟର ପ୍ରକୃତିସିଦ୍ଧ ବୋଲି ମନେ ହୁଏ । ମନୁଷ୍ୟ ଜୀବନ କ୍ରିୟାବହୁଳ-। ପ୍ରତ୍ୟେକ କ୍ରିୟାର ପ୍ରତିକ୍ରିୟା ଅଛି । ପରିଣାମ ପ୍ରତି ଦୃଷ୍ଟି ନ ରଖି ଯଥେଚ୍ଛାଚାରିତା ଆଚରଣ କଲେ ଜୀବନର ଉପାଦେୟତା ନଷ୍ଟ ହୋଇଯାଏ ଓ ସଙ୍ଗେ ସଙ୍ଗେ ଉଚ୍ଛୃଙ୍ଖଳତାର ପ୍ରଭାବ ପୂର୍ଣ୍ଣମାତ୍ରାରେ ଦେଖାଦିଏ ।

 

ଯୌବନ-ସୁଲଭ ଚପଳତାରେ ଅଧିକାଂଶଙ୍କର ଅବଧାରଣ-କ୍ଷମତା ପ୍ରକାଶ ପାଏ ନାହିଁ; ତେଣୁ ଭବିଷ୍ୟତ୍‌ ଜୀବନର ମାର୍ଗ ଅନୁସରଣ କରିବାର ସ୍ପୃହା ମଧ୍ୟ ଖୁବ୍‌ କମ୍‌ ଥାଏ । କେବଳ ଉତ୍ତେଜନାର ବଶବର୍ତ୍ତୀ ହୋଇ ମନୁଷ୍ୟ କାର୍ଯ୍ୟକ୍ଷେତ୍ରରେ ପ୍ରବେଶ କରେ । ଏପରି ଅବସ୍ଥାରେ କୌଣସି ବାଧା ଆସିବା ସ୍ୱାଭାବିକ । ଯେ ପର୍ଯ୍ୟନ୍ତ ମନୁଷ୍ୟ ନିର୍ବିଘ୍ନରେ ଗୋଟାଏ ଦିଗରେ ଗତି କରୁଥାଏ, ସେତେଦିନ ଯାଏ ତାର ଶକ୍ତି ପରୀକ୍ଷିତ ହୋଇ ନ ଥାଏ; କିନ୍ତୁ କୌଣସି ବିପର୍ଯ୍ୟସ୍ତ ଅବସ୍ଥାର ସମ୍ମୁଖୀନ ହେଲେ ପ୍ରକୃତ ମନୁଷ୍ୟତ୍ୱର ପରିଚୟ ମିଳେ । ଜୀବନର ଜଟିଳତା ଦୂର କରିବାପାଇଁ ଯେ ଶିକ୍ଷା ଆବଶ୍ୟକ ହୁଏ, ତାହା ମନୁଷ୍ୟ ଚରିତ୍ରକୁ ସ୍ପଷ୍ଟାକାରରେ ପ୍ରତିପନ୍ନ କରାଏ ଓ ସେଥିରୁ ମନୁଷ୍ୟ ବୁଝେ, କେଉଁ ଦିଗରେ ଗତି କରି ସେ ଈପ୍ସିତ ସ୍ଥାନର ଅଧିକାରୀ ହୋଇପାରେ-। ଅନେକ ସମୟରେ ଭ୍ରମପ୍ରମାଦରୁ ପରିତ୍ରାଣ ପାଇ ମନୁଷ୍ୟ ସୁପଥରେ ଅଗ୍ରସର ହୁଏ । ଏପରି ଘଟିବା ପୂର୍ବରୁ ଯଦି ସେ କେତେଗୁଡିଏ ନିୟମ ଓ ଶୃଙ୍ଖଳାର ବଶବର୍ତ୍ତୀ ହୁଅନ୍ତା, ତାହାହେଲେ ଜୀବନର ଦୈନ୍ୟ ଅନେକ ପରିମାଣରେ ଅପନୋଦିତ ହୋଇପାରନ୍ତା । ସାଧାରଣତଃ ଜଗଦ୍‌ ବାସୀ ଏଥିପ୍ରତି ଲକ୍ଷ୍ୟ ରଖେ ନାହିଁ । ସେ ଦେଖେ ଆପାତମଧୁର ବିଷୟଭୋଗଲିପ୍‌ସା ସଙ୍ଗେ ପ୍ରାଣିଜଗତର ସମ୍ପର୍କ ବଡ଼ ଘନିଷ୍ଠ । ମନୁଷ୍ୟ ମଧ୍ୟ ସେଥିରୁ ନିରାକୃତ ନୁହେଁ, ବରଂ ଲାଳସାମୋହରେ ସେ ଜଗତରେ ଘୋର ଅଶାନ୍ତି ଓ ଉପଦ୍ରବ ସୃଷ୍ଟି କରେ । ସାଧାରଣ ଦୃଷ୍ଟିରେ ଯେ ବିଷୟର ସତ୍ୟ ଅନୁଭବ କରାଯାଏ, ତାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ମନୁଷ୍ୟ କାହିଁକି ପରାଙ୍ମୁଖ ହୁଏ ? କାର୍ଯ୍ୟବହୁଳ ସଂସାରରେ ସଦ୍ଦର୍ଶକର ସଂଖ୍ୟା ଅତ୍ୟଳ୍ପ କହିଲେ ଚଳେ । ଯେତେ ଘଟନାରାଶିର ବର୍ଣ୍ଣନା ସଚରାଚର ଦେଖାଯାଏ, ସେ ସମସ୍ତ ଅତିରଞ୍ଜନ ଦୋଷରେ ପ୍ରାୟ ଦୂଷିତ ଥାଏ ।

 

ବର୍ଣ୍ଣନାଗୁଡ଼ିକ ବିଶେଷତଃ ଅନୁମାନ ଉପରେ ନିର୍ଭର କରିଥାଏ । ସମର କାହାଣୀମାନଙ୍କରେ ଉପର୍ଯ୍ୟୁକ୍ତ ପ୍ରଭାବ ଲକ୍ଷିତ ହୁଏ । ମନୁଷ୍ୟ ଯୁଦ୍ଧକ୍ଷେତ୍ରରେ ଯାହା ଦେଖେ, ତାହା ଛଡ଼ା ଭୟପ୍ରସୂତ ଅନେକ କଳ୍ପିତ ବିଷୟମାନଙ୍କର ଅବତାରଣା କରି ପ୍ରକୃତ ଘଟନାକୁ ଭିନ୍ନ ଆକାରରେ ପ୍ରକାଶ କରେ । ଭାବନା ଓ ଦୃଶ୍ୟର ଅସାମଞ୍ଜସ୍ୟକୁ ଲଘୁ କଲେ ବିବୃତିର ମହତ୍ତ୍ୱ ବଢ଼େ ନାହିଁ; ବରଂ ମନୁଷ୍ୟର କର୍ମସମ୍ପାଦନ କ୍ଷମତା ଅନେକ ପରିମାଣରେ ସଂକୁଚିତ ହୋଇପାରେ-। ସେ ଯାହା ଦେଖେ ଓ ଶୁଣେ, ତଦ୍ଦ୍ୱାରା ତାର କର୍ମମାର୍ଗ ସରଳ ଥିଲେ ସୁଦ୍ଧା ବକ୍ରାକାର ଧାରଣ କରିବା ଅସମ୍ଭବ ନୁହେଁ । ଗୋଟାଏ ନିର୍ଦ୍ଦିଷ୍ଟ ପଥର ଅନୁବର୍ତ୍ତୀ ହୋଇ ସୁଚାରୁରୂପେ ସାଂସାରିକ କାର୍ଯ୍ୟସବୁ ନିର୍ବାହ କରିବା ଶ୍ଲାଘ୍ୟ ବିଷୟ ହୋଇପାରେ; କିନ୍ତୁ ବସ୍ତୁ ଜଗତର ସ୍ଥିତି ଓ ପରିଚାଳନାକୁ ସେଥି ସହିତ ସଂପୃକ୍ତ ରଖି କୌଣସି ଉଦାର ପନ୍ଥା ଉଦ୍ଭାବନ କରିବା ସହଜ ନୁହେଁ ।

 

ବାସ୍ତବ ଜୀବନ ସହିତ ଚିନ୍ତାଧାରାର ସମନ୍ୱୟ ଆଣିଲେ ସବୁ ସମୟରେ ସୁଫଳ ମିଳେ ନାହିଁ । ସେଥିଯୋଗୁଁ କର୍ମକୁଶଳତା ଲାଭରେ ଗୋଟାଏ ସ୍ଵତନ୍ତ୍ର କର୍ତ୍ତବ୍ୟଜ୍ଞାନ ଜନ୍ମେ ବୋଲି ଆମ୍ଭେମାନେ ବିଶ୍ୱାସ କରୁଁ । ମାଧ୍ୟାକର୍ଷଣ ଯେପରି ଜଡ଼-ଜଗତକୁ ଗୋଟାଏ ଆକର୍ଷଣ ପ୍ରଭାବରେ ସୁସ୍ଥିର କରି ରଖିଅଛି, ତଦ୍ରୂପ ବ୍ୟାବହାରିକ ଜ୍ଞାନସାହାଯ୍ୟରେ ମନର ସଂଯମ ଅଣାଯାଇ ସାଂସାରିକ କ୍ରିୟାଗୁଡ଼ିକ ଯଥାଯଥ ଭାବରେ ନିଷ୍ପନ୍ନ କରାଯାଇପାରେ । ଏହି ଜ୍ଞାନର ଅଧିକାରୀ ହେଲେ ମନୁଷ୍ୟ ନିଜର ସ୍ଥିତିପ୍ରତି ଲକ୍ଷ୍ୟ ରଖି ଅଗ୍ରସର ହୁଏ । କଳ୍ପନା-ରାଜ୍ୟରେ ବିଚରଣ କରି ସେ କୌଣସି ଅଶ୍ରୁତ ଉଚ୍ଚ ଆଦର୍ଶ ସୃଷ୍ଟି କରିବ ବୋଲି ଆକାଙ୍କ୍ଷିତ ହୁଏ ନାହିଁ । ସମ୍ମୁଖରେ ଯେଉଁ କାର୍ଯ୍ୟ ତାହାର ହସ୍ତଗତ ହୁଏ, ତାକୁ ତ୍ୟାଗ କରି କାଳ୍ପନିକ ବସ୍ତୁ ଆହରଣ କରିବାକୁ ସେ ପ୍ରୟାସ କରେ ନାହିଁ । କାର୍ଯ୍ୟଗତିରେ ଯାହା ଆସେ, ତାକୁ ଅବହେଳା କରି ଗୋଟାଏ ଅନାଗତ କର୍ମ ପନ୍ଥା ଉପରେ ନିଜର ଭାବନାକୁ ସଂଶ୍ଳିଷ୍ଟ ରଖିବାକୁ ସେ ସର୍ବଦା ପଶ୍ଚାତ୍‌ପଦ ହୁଏ । ବୃଥା ଆକ୍ଷେପରେ ଉତ୍ସାହ ନଷ୍ଟ କରିବାକୁ ଏହି ଜ୍ଞାନ ଶିଖାଏ ନାହିଁ । ସମ୍ମୁଖଭାଗରେ ସତ୍ୟକୁ ରଖି ଅଗ୍ରସର ହେଲେ ମନୁଷ୍ୟ ନିଜର ଛାୟାକୁ ଦେଖିପାରେ ନାହିଁ । କର୍ତ୍ତବ୍ୟ ସମ୍ପାଦନ କଲାବେଳେ ସେହିପରି ତା ଦୃଷ୍ଟି ସମ୍ମୁଖକୁ ଥାଏ, ଅତୀତର ବୃଥା ଶୋଚନାରେ ସେ କାଳକ୍ଷେପଣ କରେ ନାହିଁ । କାର୍ଯ୍ୟସମାପ୍ତି ପାଇଁ ସେ କୌଣସି ସହଜ ସୁନ୍ଦର ଓ ଉତ୍କୃଷ୍ଟ ଆଧାରର ଅପେକ୍ଷା ରଖେ ନାହିଁ । ସେ ଯାହାକୁ ନିଜର ଅଧୀନତାରେ ପାଏ, ତହିଁର ସଦ୍‌ବ୍ୟବହାର କରେ ।

 

ବ୍ୟାବହାରିକ ଜ୍ଞାନ ସମ୍ୱନ୍ଧରେ ଅଧିକାଂଶ ସ୍ଥଳରେ ପ୍ରକୃତ ଧାରଣା ଲୋକମାନଙ୍କର ଜନ୍ମେ ନାହିଁ । ସେମାନେ ଭ୍ରମବଶତଃ ଯେଉଁ ମାର୍ଗ ଅବଲମ୍ୱନ କରନ୍ତି, ତାକୁ ତ୍ୟାଗ କରିବା ପାଇଁ ସେମାନଙ୍କର ଯଥେଷ୍ଟ ଶକ୍ତି ଓ ଶିକ୍ଷା ପ୍ରାୟ ନ ଥାଏ । ଗୋଟିଏ ଗୁଣର ପ୍ରାବଲ୍ୟ ଥିଲେ କିମ୍ୱା କୌଣସି ବିଶିଷ୍ଟ ଶକ୍ତିର ଉନ୍ମେଷ ଘଟିଲେ ଏହାର ବିକାଶ ଜଣାପଡ଼େ ନାହିଁ । ମନୁଷ୍ୟ ମାନସିକ ଓ ଶାରୀରିକ ଶକ୍ତିମାନଙ୍କୁ ସୁନିୟନ୍ତ୍ରିତ କରି କାର୍ଯ୍ୟକାରୀ ଅବସ୍ଥା ସୃଷ୍ଟି କରେ । ଏହାଦ୍ୱାରା ବୈଷୟିକ ସମସ୍ୟାର ଜଟିଳତା କର୍ମୀକୁ ବିଶେଷ ବାଧା ଦେଇପାରେ ନାହିଁ । କୌଣସି ଅସାଧାରଣ ଜ୍ଞାନର ପରିଚୟ ଦେଖାଇ ମନୁଷ୍ୟ ପ୍ରତିଭାବାନ୍‌ ହୋଇପାରେ; କିନ୍ତୁ ବିଷୟଜାଲକୁ ଛିନ୍ନ କରିବା ତା ପକ୍ଷରେ ଅତ୍ୟନ୍ତ କଷ୍ଟକର । ଅନେକ ମନୀଷୀଙ୍କର ଜୀବଦ୍ଦଶାରେ ଏହା ପ୍ରମାଣିତ ହୋଇଯାଇଅଛି-। ଜ୍ଞାନ ଓ ଶକ୍ତିର ସମତା ଆଣିଲେ ମନୁଷ୍ୟ ସହଜରେ ନିଜର କର୍ମପନ୍ଥା ସ୍ଥିର କରିପାରେ । ସ୍ଥଳବିଶେଷରେ ଶକ୍ତିଶାଳୀ ବିଶିଷ୍ଟ ବ୍ୟକ୍ତିଙ୍କର ସାଂସାରିକ ଅବନତି ଦେଖି ସାଧାରଣ ମାନବର ଭ୍ରମ ଘଟିଥାଏ । ସେ ମନେ କରେ, ସେହି ମହାନୁଭବ ବ୍ୟକ୍ତିଙ୍କର କ୍ରିୟାକଳାପରେ ଯେଉଁ ଦୋଷ ପରିଲକ୍ଷିତ ହେଲା, ତାକୁ ନିରାକୃତ କରିପାରିଥିଲେ ବ୍ୟବହାରିକ ଜ୍ଞାନର ଉଦ୍ଦେଶ୍ୟ ସାଧିତ ହୋଇପାରିଥାନ୍ତା । ଆହୁରି ମଧ୍ୟ ଅନେକଙ୍କର ଧାରଣା ଯେ, ଗୋଟାଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟର ଅନୁବର୍ତ୍ତୀ ହୋଇ ଅଗ୍ରସର ହେଲେ ଏହି ଜ୍ଞାନର ପରାକାଷ୍ଠା ଜଣାପଡ଼େ । ଉପର୍ଯ୍ୟୁକ୍ତ ଧାରଣା ସମୀଚୀନ ନୁହେଁ ବୋଲି ନିଃସନ୍ଦେହରେ କୁହାଯାଇପାରେ; କାରଣ ସ୍ୱାର୍ଥପରତାକୁ ପୂର୍ଣ୍ଣମାତ୍ରାରେ ଆଶ୍ରୟ କରି ଲୋକ ନିର୍ଦ୍ଦିଷ୍ଟ ଲକ୍ଷ୍ୟର ଅନୁବର୍ତ୍ତିତା ଜ୍ଞାପନ କଲେ ସୁଦ୍ଧା ବ୍ୟାବହାରିକ ଜ୍ଞାନର ସୂଚନା ମିଳେ ନାହିଁ-। ଅତ୍ୟଧିକ କାମନା ପୋଷଣରେ ଯେଉଁ ବିଷୟମୋହ ଜନ୍ମେ, ସେଥିରେ ଏହି ଜ୍ଞାନର ପରିକଳ୍ପନା ମଧ୍ୟ ହୁଏ ନାହିଁ । ସ୍ୱାର୍ଥପରର ଅବଲମ୍ୱନ ଗୋଟିଏ ସଂକୀର୍ଣ୍ଣ କ୍ଷେତ୍ରରେ ଆବଦ୍ଧ ରହିଥାଏ । କେବଳ ଏତିକି ନୁହେଁ, ସେ ସେହି ଅବଲମ୍ୱନଟିରେ ମନଃପ୍ରାଣ ଢାଳି ଦେଇଥାଏ ଏବଂ ସମୟବିଶେଷରେ ଏପରି ସ୍ୱାର୍ଥାନ୍ଧ ହୋଇପଡ଼େ ଯେ, ତାହା ଛଡ଼ା ଅନ୍ୟ ବିଷୟର ଭାବନା କିମ୍ୱା ଦର୍ଶନ ତାର ପ୍ରକୃତିବିରୁଦ୍ଧ ହୋଇଉଠେ । ଏହି ଏକଦେଶଦର୍ଶିତା ହେତୁ ସ୍ୱାର୍ଥପରେ ବ୍ୟବହାରିକ ଜ୍ଞାନଲାଭ ହୁଏ ନାହିଁ ।

 

ଅତିମାତ୍ରାରେ କଳ୍ପନାର ଅଧୀନ ହେଲେ ଉକ୍ତ ଜ୍ଞାନ-ସାଧନ ପକ୍ଷେ ବାଧା ଜନ୍ମେ । ମନ ଓ ଶରୀରର ସମ୍ପର୍କ ବଡ଼ ଘନିଷ୍ଠ । ଶରୀରର ଖର୍ବାକୃତି ଅଙ୍ଗବିଶେଷର ଅସ୍ୱାଭାବିକ ବର୍ଦ୍ଧନରେ ପ୍ରକାଶିତ ହୋଇଥାଏ । ଚାମନର ହସ୍ତ ଓ ପଦ ସାଧାରଣତଃ ତାହାର ଶରୀର ତୁଳନାରେ ବଡ଼ ହୋଇଥାଏ ।

 

ଏହିପରି ମନର ଅବସ୍ଥା କୌଣସି ଦିଗରେ ଗତି କରି ଅସାଧାରଣ ବୋଧ ହୋଇପାରେ । କଳ୍ପନାକୁ ମଧ୍ୟ ବ୍ୟବହାରିକ ଜ୍ଞାନର ବିରୋଧୀ ବୋଲି ସ୍ଥିର କରିନେବା ଉଚିତ ନୁହେଁ । ବହୁ ଅଭିଜ୍ଞତାରୁ ଜଣାଯାଇଅଛି ଯେ, ଏହା ତଦ୍‌ବିପରୀତ । ଜଗତରେ ଯେତେ ମହତ୍‌ କାର୍ଯ୍ୟ ସମ୍ପାଦନ କରାଯାଇଛି, ସେଥିରେ କଳ୍ପନାର ପ୍ରଭାବ ଯଥେଷ୍ଟ ଥାଏ । କର୍ମୀ କଳ୍ପନା ସାହାଯ୍ୟରେ ତାହାର କର୍ମମାର୍ଗଟି ଅଙ୍କନ କରିନେଲେ କୌଣସି କ୍ଷତି ନାହିଁ; କିନ୍ତୁ ସେହି ଅଙ୍କନରେ ଗୋଟାଏ ଅସ୍ୱାଭାବିକ ଛାୟା ପଡ଼ିଲେ ସବୁ ନଷ୍ଟ ହୋଇଯାଏ । କର୍ମକୁ ଲକ୍ଷ୍ୟ ନ ରଖି କେବଳ ଭାବ-ରାଜ୍ୟରେ ବିଚରଣ କଲେ କର୍ମୀର ଆକାଙ୍‌କ୍ଷା ଭିତ୍ତିହୀନ ହୋଇପଡ଼େ । ଏଠାରେ ସଂଯମର ଆଶ୍ରୟ ନେବା ଏକାନ୍ତ ଆବଶ୍ୟକ । ବିଶେଷତଃ ସଂସାରୀ ଗୋଟାଏ ଦିଗରେ ଦୃଷ୍ଟି ରଖିଲେ ଅନ୍ୟ ଦିଗମାନଙ୍କରୁ ତାର ବିପଦ ଆସିବାର ସମ୍ଭାବନା ଥାଏ ।

 

ସୁପ୍ରସିଦ୍ଧ ଇଂରେଜ ଲେଖକ ବେକନ୍‌ କହିଛନ୍ତି, ‘ମନୁଷ୍ୟ ଜୀବନ ନୀରବତାରେ ଅତିବାହିତ ହେବ ନାହିଁ; ଭାବ ଓ କର୍ମର ମିଶ୍ରଣ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।’’ ପ୍ରାଚୀନ ଦାର୍ଶନିକ ପଣ୍ଡିତମାନଙ୍କ ମତରେ ଭାବର ଶୁଦ୍ଧତା ଓ ସଂପ୍ରସାରିତାରେ କର୍ମକୁ ସଂଯୋଗ କଲେ ଭାବୁକର ମନକ୍ଷୁବ୍‌ଧ ହୋଇଉଠେ । ସେ ଭାବନାର ଉନ୍ନତିକଳ୍ପେ କର୍ମକୁଣ୍ଠତାର ଆଶ୍ରୟ ନେଇ କର୍ମକ୍ଷେତ୍ରର ଦୂରରେ ରହେ । ବେକନ୍‌ ଏହି ମତର ପୋଷକତା କରି ନାହାନ୍ତି । ସଂସାରଠାରୁ ଅସଂପୃକ୍ତ ରହିବା ଜ୍ଞାନୀଙ୍କ ପକ୍ଷର ଶୋଭନୀୟ ନୁହେଁ । ସେ ଯେଉଁ କ୍ଷମତା ପରିଚାଳନ କରନ୍ତି, ତାହା ଅଜ୍ଞଦ୍ୱାରା କଦାପି ସମ୍ଭବପର ନୁହେଁ । ରାଷ୍ଟ୍ରବିପ୍ଳବ ପ୍ରଭୃତି ଅଶାନ୍ତି ଉପସ୍ଥିତ ହେଲେ ଅନୁସୃତ କର୍ମପନ୍ଥାଗୁଡ଼ିକ ବିପର୍ଯ୍ୟସ୍ତ ହୋଇପଡ଼େ; ଜ୍ଞାନାର୍ଜନକୁ ଉପେକ୍ଷା କରିବା ସ୍ୱାଭାବିକ ହୁଏ । ଏପରି ଅବସ୍ଥାରେ ଜ୍ଞାନୀଙ୍କର କଣ ଦୂରରେ ରହିବା ଉଚିତ ? ଅନେକେ କହିପାରନ୍ତି, ଅଶାନ୍ତି ଓ ଉପଦ୍ରବ ଦେଶରେ ବ୍ୟାପିଗଲେ ସେ ନୀରବରେ ରହି ଜ୍ଞାନସାଧନ କରିବେ । ତଦ୍ଦ୍ୱାରା ତାଙ୍କ ମନର ସ୍ଥିରତା ନଷ୍ଟ ହେବାର ଆଶଙ୍କା ନ ଥାଏ; କିନ୍ତୁ ଏପରି ଭାବନା ଠିକ୍‌ ନୁହେଁ । ଦୁର୍ଦ୍ଦିନରେ ଦେଶକୁ ଅଧମମାନଙ୍କ ହସ୍ତରେ ଅର୍ପଣ କଲେ ଅଶାନ୍ତିର କାଳିମା ଦୂର ହେବାର ସମ୍ଭାବନା ନ ଥାଏ । ଯଥେଚ୍ଛାଚାରିତାରେ ଦେଶ ଉତ୍ତପ୍ତ ହୋଇ ଉଠେ; ବିଦ୍ରୋହର ବହ୍ନି ସହସ୍ରମୁଖରେ ଦେଶକୁ ଗ୍ରାସ କରେ । ବ୍ୟାବହାରିକ ଜ୍ଞାନର ପ୍ରକୃତ ମର୍ମ ଯେଉଁମାନେ ବୁଝନ୍ତି ନାହିଁ, ସେମାନେ ଜ୍ଞାନକୁ କର୍ମଠାରୁ ସମ୍ପୂର୍ଣ୍ଣ ପୃଥକ୍‌ ରଖିବା ଶ୍ରେୟସ୍କର ମନେକରିପାରନ୍ତି । ଯଥାର୍ଥ ଭାବରେ ବିଚାର କଲେ ଜଣାଯିବ ଯେ, ଜ୍ଞାନ କର୍ମର ପ୍ରଧାନ ଅବଲମ୍ୱନ । ଉପଯୁକ୍ତ ପ୍ରଣାଳୀରେ ଭାବନା-ସ୍ରୋତକୁ ଚାଳିତ କରି ଯେ ଜ୍ଞାନଲାଭ କରାଯାଏ, ତାକୁ କାର୍ଯ୍ୟୋପଯୋଗୀ କରିବା ପ୍ରକୃତ ଜ୍ଞାନୀର ଲକ୍ଷଣ । ଜ୍ଞାନୀ ଓ କର୍ମୀ ମଧ୍ୟରେ ଯେ ପାର୍ଥକ୍ୟ ଦେଖାଯାଏ, ତାକୁ ବହିର୍ଦ୍ଦୁଷ୍ଟିସମ୍ପନ୍ନ ଲୋକ ଭିନ୍ନ ଭାବରେ ଅବଲୋକନ କରେ ।

 

ବ୍ୟବହାରିକ ଜ୍ଞାନର ନିଭୃତ ସାଧନା ସହିତ ସମ୍ୱନ୍ଧ ନ ରହିବାରୁ ଅନେକେ ତାକୁ ଜ୍ଞାନଠାରୁ ଭିନ୍ନ ଦେଖନ୍ତି; କିନ୍ତୁ ସେମାନଙ୍କର ଭାବିବା ଉଚିତ ଯେ, ସଂସାରରେ କେବଳ ଦର୍ଶକର ସ୍ଥାନ ଅଧିକାର କଲେ ଚଳିବ ନାହିଁ । ସଂସାର-ସମ୍ୱନ୍ଧକୁ ସେମାନେ ଘୃଣାଚକ୍ଷୁରେ ଦେଖନ୍ତି ବୋଲି ଏହାକୁ ହେୟ ମନେକରିବା ସେମାନଙ୍କର ପ୍ରକୃତଗତ ହୋଇପଡ଼େ । ବ୍ୟବହାରିକ ଜ୍ଞାନର ପ୍ରକୃତ ଅର୍ଥ ସେମାନେ ବୁଝି ନ ଥାନ୍ତି । ସାଂସାରିକ କାର୍ଯ୍ୟ-ସମ୍ପାଦନରେ ଏହି ଜ୍ଞାନ ଲୋଡ଼ା ହୁଏ ବୋଲି ନୀତିବିରୁଦ୍ଧ ମାର୍ଗରେ ଯାଇ ନିଜର ଅଭିଳଷିତ ବିଷୟ ଲାଭ କରିବା ଏହାର ଲକ୍ଷ୍ୟ ହୋଇ ନ ପାରେ । ଅନ୍ୟ ପକ୍ଷରେ ଏହାକୁ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟସାଧନରେ ପ୍ରୟୋଗ କରି ସାଂସାରିକ ଯାବତୀୟ ବିଷୟମାନଙ୍କ ପ୍ରତି ଉଦାସୀନ ହେବାଦ୍ୱାରା ଏହାର ମୂଲ୍ୟ ନିରୁପିତ ହୋଇପାରେ ନାହିଁ । ବାସ୍ତବ ଜୀବନରେ ମନୁଷ୍ୟ ଏକଦେଶଦର୍ଶୀ ହେଲେ ସାମାଜିକ ଅନ୍ତରାୟତାକୁ ବାଧା ଦେବ । ସମାଜର ଶାନ୍ତିପାଇଁ ପ୍ରତ୍ୟେକ ମନୁଷ୍ୟ ସ୍ୱେଚ୍ଛାଚାରିତାକୁ ତ୍ୟାଗ କରିବେ । ସମୟବିଶେଷରେ ସମାଜ ଭୟରେ ଅନେକେ ନିଜର ଅନୁସୃତ ମାର୍ଗକୁ ବଦଳାଇଥାନ୍ତି । ଏ ସବୁ ଦେଖି ନୀତିବାଦୀମାନେ ବ୍ୟବହାରିକ ଜ୍ଞାନକୁ ହୀନ ମନେ କରିବା ସ୍ୱାଭାବିକ; କିନ୍ତୁ ଏପରି ମନେ କରିବାର କୌଣସି ଯୁକ୍ତିସଙ୍ଗତ କାରଣ ନାହିଁ । ସାମାଜିକ ଜୀବନ ଯାପନରେ ମନୁଷ୍ୟ ନୀତିବିରୁଦ୍ଧ କାର୍ଯ୍ୟ କରିବାକୁ ବାଧ୍ୟ ନୁହେଁ କିମ୍ୱା ତାର ଉଦ୍ଦେଶ୍ୟସାଧନ ସକାଶେ ସେ ଯେ କୌଣସି ପନ୍ଥା ଅବଲମ୍ୱନ କରିବ, ଏପରି ଭାବିବା ମଧ୍ୟ ଠିକ୍‌ ନୁହେଁ । ପରସ୍ପରର ସୁବିଧାକୁ ଲକ୍ଷ୍ୟ ରଖି ଯେଉଁ କାର୍ଯ୍ୟସବୁ ସମ୍ପାଦିତ ହୁଏ, ତଦ୍ଦ୍ୱାରା ସମାଜର କଲ୍ୟାଣ ସାଧିତ ହୋଇଥାଏ । ଏଥିରେ ବ୍ୟବହାରିକ ଜ୍ଞାନ ଯଥେଷ୍ଟ ସାହାଯ୍ୟ କରେ । କୌଣସି ପ୍ରଲୋଭନ ଏଡ଼ିଲା ବେଳେ କିମ୍ୱା ସମାଜରେ ବ୍ୟକ୍ତିବିଶେଷଙ୍କ ସହିତ କିଛି ବୈଷୟିକ ସମ୍ୱନ୍ଧ ସ୍ଥାପନ କଲାବେଳେ ମନୁଷ୍ୟ ଯେଉଁ ଜ୍ଞାନସାହାଯ୍ୟରେ ଗୋଟିଏ ନିର୍ଦ୍ଦୋଷ ଅବସ୍ଥାର ଭିତ୍ତି ସ୍ଥାପନ କରେ ଓ ନିଜକୁ ଆଦର୍ଶ ସଂସାରବାସୀ ବୋଲି ପରିଚୟ ଦିଏ, ତାର ବ୍ୟବହାରିକ ଜ୍ଞାନ ସହିତ ପ୍ରଭେଦ ନାହିଁ । କେହି କେହି କହି ପାରନ୍ତି ଯେ, ସାଂସାରିକ କର୍ମ-ସଂସ୍ପର୍ଶରେ ମନୁଷ୍ୟର ଜ୍ଞାନ ହୀନପ୍ରଭ ହୋଇପାରେ; ସୁତରାଂ ଏହାର ସମ୍ୟକ୍‌ ଉତ୍କର୍ଷସାଧନ ପାଇଁ ନିର୍ଜନତା ଏକାନ୍ତ ଆବଶ୍ୟକ । ପ୍ରତ୍ୟେକ କର୍ମରେ ଦୋଷ ନିହିତ ଥାଏ । ମନୁଷ୍ୟ ପକ୍ଷରେ କର୍ମ ତ୍ୟାଗ କରିବା ଅସମ୍ଭବ । ଗୀତା କହିଛନ୍ତି-‘‘ନହି ଦେହଭୃତ ଶକ୍ୟଂ ତ୍ୟକ୍ତୁଂ କର୍ମାଣ୍ୟଶେଷତଃ ।’’ ଅତଏବ ଏପରି ସ୍ଥଳରେ ଜ୍ଞାନର ଆଶ୍ରୟ ନେଇ କର୍ମକ୍ଷେତ୍ରରେ ଅଗ୍ରସର ହେବା ଉଚିତ ନୁହେଁ କି ? ପୁନଶ୍ଚ ଉଚ୍ଚ ଅଙ୍ଗର ଜ୍ଞାନ-ସାଧନ ସକାଶେ ସାଂସାରିକ କର୍ମକୁ ଅବହେଳା କରିବା ଉଚିତ ନୁହେଁ । ଦୈନନ୍ଦିନ ଜୀବନରେ ଆଦର୍ଶ-ନୀତି ପ୍ରଚଳନ କରିବା କଷ୍ଟସାଧ୍ୟ ବୋଲି କେହି କହିପାରନ୍ତି; କିନ୍ତୁ ଏହା ସେମାନଙ୍କର ସମ୍ପୂର୍ଣ୍ଣ ଭ୍ରମ ଧାରଣା । ସଂସାର ଯଦି କ୍ରମୋନ୍ନତି ମାର୍ଗରେ ଅଗ୍ରସର ହେଉଥାଏ, ତାହାହେଲେ ଜ୍ଞାନଚର୍ଚ୍ଚାରୁ ବିରତ ହେଲେ ସେହି ମହତ୍‌ ଉଦ୍ଦେଶ୍ୟ କଦାପି ପୂର୍ଣ୍ଣ ହେବ ନାହିଁ । ନୀଚ କର୍ମପନ୍ଥା ପ୍ରଚଳନରେ କିମ୍ୱା ଗୋଟିଏ ଦୋଷାବହ କର୍ମର ଉଚ୍ଛେଦସାଧନ କରିବାକୁ ଯାଇ ଅନ୍ୟ ଦୋଷର ସୃଷ୍ଟି କରିବାଦ୍ୱାରା ଜଗତରେ କୌଣସି କଲ୍ୟାଣ ସାଧିତ ହୁଏ ନାହିଁ । ଗୋଟିଏ ରୋଗରୁ ନିଷ୍କୃତି ପାଇବାକୁ ଯାଇ ଚିକିତ୍ସାଦୋଷରୁ ଅନ୍ୟ ରୋଗରେ ଆକ୍ରାନ୍ତ ହେଲେ ଶରୀରର ଯେ କ୍ଷତି ହୁଏ, ଉପର୍ଯ୍ୟୁକ୍ତ କାର୍ଯ୍ୟପ୍ରଣାଳୀରେ ସମାଜର ସେହିପରି ଅନିଷ୍ଟ ଘଟିଥାଏ । ଜ୍ଞାନାଲୋଚନାରୁ ଯେଉଁ ଉନ୍ନତ ନୀତି ସୁବ ପ୍ରକାଶିତ ହୁଏ, ସେମାନଙ୍କୁ ପ୍ରଥମେ ସାମାଜିକ ଜୀବନରେ ପ୍ରଚଳନ କରିବା ସହଜ ବୋଧ ହୁଏ ନାହିଁ; କିନ୍ତୁ ସମୟ ଆସେ, ଯେତେବେଳେ ସେଗୁଡ଼ିକ ନିର୍ବିରୋଧରେ ସାଧାରଣ ସତ୍ୟରୂପେ ଗୃହୀତ ହୋଇଥାଏ । ନୂତନ ନୀତିପ୍ରବର୍ତ୍ତକମାନଙ୍କ ଜୀବଦ୍ଦଶାରେ ପ୍ରଚଳିତ କର୍ମମାର୍ଗରେ କୌଣସି ପରିବର୍ତ୍ତନ ଆସି ନ ପାରେ; କିନ୍ତୁ ସେଥିରେ ସେମାନଙ୍କର ଆକ୍ଷେପ କରିବା ଆଦୌ ଉଚିତ ନୁହେଁ ।

•••

 

କର୍ମ ଓ ସ୍ଵାତନ୍ତ୍ର୍ୟ

କର୍ମଜଗତରେ ସ୍ୱାତନ୍ତ୍ର୍ୟର ସ୍ଥାନ ନିରୂପଣ କରି ପ୍ରୟୋଜନୀୟ କାର୍ଯ୍ୟସମ୍ପାଦନକୁ ପୃଥକ୍‌ ଦୃଷ୍ଟିରେ ନିରୀକ୍ଷଣ କିରବାଦ୍ୱାରା ସମ୍ୟକ୍‌ ଆଲୋଚନାର ଉଦ୍ଦେଶ୍ୟ ସାଧିତ ହୁଏ ନାହିଁ । କାର୍ଯ୍ୟର ସ୍ୱଚ୍ଛନ୍ଦ ଗତି ସହିତ ପ୍ରୟୋଜନୀୟତା ସଂପୃକ୍ତ ଥାଏ । ଅବସ୍ଥାଭେଦରେ ଲୋକମତାନୁଯାୟୀ କର୍ମମାର୍ଗରେ ଭିନ୍ନତା ସୃଷ୍ଟି କରାଗଲେ ସୁଦ୍ଧା ସ୍ୱାତନ୍ତ୍ର୍ୟହୀନ ଅତ୍ୟାବଶ୍ୟକ କାର୍ଯ୍ୟର ସ୍ୱରୂପ ସ୍ଥିର କରିବା ଅସମ୍ଭବ । ଧର୍ମ ଓ ନୀତି ପ୍ରଭୃତିରେ କର୍ମମାର୍ଗର ଅବିଚ୍ଛିନ୍ନ ଧାରା ଯେପରି ଘନିଷ୍ଠଭାବରେ ସଂଶିଷ୍ଟ ଥାଏ, ସେଥିରେ ଗୋଟାଏ ଅତି ସ୍ପଷ୍ଟ ବ୍ୟବଧାନ-ରେଖା ନିର୍ଦ୍ଦେଶ କରିବା ସହଜ ନୁହେଁ । ବହିର୍ଜଗତରେ ମାନବର କ୍ରିୟା, କାଳ ଓ କାରଣର ସମ୍ୱନ୍ଧ ଘେନି ସ୍ୱାତନ୍ତ୍ର୍ୟର ପରିମାଣ ଅଳ୍ପ କିମ୍ୱା ବେଶି ବିବେଚିତ ହୋଇପାରେ । ମନୁଷ୍ୟ ଯେ ପରିମାଣରେ ସ୍ୱାଧୀନତା ପାଏ ସେହି ଅନୁସାର ତାର କାର୍ଯ୍ୟଟି ସରଳ କିମ୍ୱା ବକ୍ରଗତିରେ ସାଧିତ ହୁଏ । ଜଟିଳ ସମାଜ-ବନ୍ଧନ ଓ ପାରିବାରିକ ସମ୍ପର୍କରେ ମନୁଷ୍ୟ ଯେପରି ସଙ୍କୁଚିତ ଭାବରେ କାର୍ଯ୍ୟ କରେ, ସମ୍ୱନ୍ଧହୀନ ଲୋକ ନିର୍ଜନ-ବାସରେ ସେପରି କୌଣସି ବାଧା ଅନୁଭବ କରେ ନାହିଁ । ମନୁଷ୍ୟକୁ ସ୍ୱାଧୀନତା ଦେଇ ତାର ପାରିପାର୍ଶ୍ୱିକ ବନ୍ଧନକୁ ସମ୍ପୂର୍ଣ୍ଣଭାବରେ ଶିଥିଳ କରିଦେଲେ ସେ ଯେଉଁ ମୁକ୍ତ ଅବସ୍ଥା ପାଏ, ସେଥିରେ କର୍ମଚିତ୍ର ନୂତନ ଆକାର ଧାରଣ କରେ । ତ୍ୟାଗୀ ସାଧକର ସାଧନା ଓ ସଂସାରଯାତ୍ରୀ କର୍ମୀର କାର୍ଯ୍ୟ-ସମ୍ପାଦନ-ପନ୍ଥା ବିଭିନ୍ନ ହେଲେ ସୁଦ୍ଧା ମୁକ୍ତ ଅବସ୍ଥାରେ ଆନନ୍ଦ ପାଇବା ପାଇଁ ଉଭୟଙ୍କ ଏକ ଅନାସକ୍ତ କର୍ମ ମାର୍ଗରେ ଗତି କରିବାକୁ ପଡ଼େ । ଅନେକେ ମନୁଷ୍ୟକୁ ସ୍ୱାଧୀନ ଜୀବ କହନ୍ତି; କିନ୍ତୁ ବୈଷୟିକ ସମ୍ୱନ୍ଧ ତା ଉପରେ ଧୀରେ ଧୀରେ ଯେପରି କାର୍ଯ୍ୟ କରେ, ତାହା ସହଜରେ ଧାରଣା କରି ହୁଏ ନାହିଁ ଏବଂ ତାର ଶକ୍ତିଚାଳନାରେ ଯେଉଁ ବାଧା ଆସେ, ତାକୁ କେହି ଲକ୍ଷ୍ୟ କରନ୍ତି ନାହିଁ-। ସାମାନ୍ୟ ବାକ୍ୟବ୍ୟୟରେ ଯେଉଁ ଉତ୍ସାହଟିକ ନଷ୍ଟ ହୁଏ, ତାକୁ ରକ୍ଷା କରିବା ପାଇଁ କେତେ ଜଣ ଚେଷ୍ଟିତ ଥାନ୍ତି ? ସୂର୍ଯ୍ୟରଶ୍ମିରେ ଶରୀରର ଯେଉଁ ପରିବର୍ତ୍ତନ ଘଟେ, ତାକୁ ବାଧା ଦେବା ପାଇଁ କେତେ ଜଣ ମନୋଯୋଗୀ ହୁଅନ୍ତି ? ଉପର୍ଯ୍ୟୁକ୍ତ ସାମାନ୍ୟ ଘଟନାମାନଙ୍କରୁ ସ୍ପଷ୍ଟ ପ୍ରମାଣିତ ହୋଇପାରେ ଯେ, ମନୁଷ୍ୟର ଅଜ୍ଞାତରେ ଯେଉଁ ସବୁ ଶକ୍ତି ତା ଉପରେ କାର୍ଯ୍ୟ କରେ, ସେମାନଙ୍କର ଗତିରୋଧ କରି ନିଜକୁ ସମ୍ପୂର୍ଣ୍ଣ ସ୍ୱାଧୀନ ବୋଲି ଭାବିବା ମନୁଷ୍ୟ ପକ୍ଷରେ ଅସମ୍ଭବ ।

 

ସମୟ ଓ ଅବସ୍ଥାବିଶେଷରେ ମନୁଷ୍ୟର କାର୍ଯ୍ୟ ଉତ୍କୃଷ୍ଟ କିମ୍ୱା ନିକୃଷ୍ଟ ବିବେଚିତ ହୋଇଥାଏ । ବର୍ତ୍ତମାନ ଯୁଗର ସମାଲୋଚକ ଅତୀତ ଯୁଗର କର୍ମୀକୁ ସାଧନାକ୍ଷେତ୍ରରେ ଯେଉଁ ଆସନ ଦିଅନ୍ତି, ତାହା ସବୁ ସମୟରେ ଉପଯୁକ୍ତ ବୋଲି କୁହାଯାଇ ନ ପାରେ । ଆଜି ଯାହା ଜଣକ ପକ୍ଷରେ ସୁସାଧ୍ୟ ଦେଖାଯାଉଛି, ସମୟର ପରିବର୍ତ୍ତନ ଆସିଲେ ଭବିଷ୍ୟତରେ ତାହା କଷ୍ଟସାଧ୍ୟ ହୋଇପାରେ । ଜାତୀୟ ଜୀବନରେ ମଧ୍ୟ ଏହିପରି ବୈଷମ୍ୟ ଦେଖାଯାଏ । ଯେଉଁ ଜାତିମାନେ ସଭ୍ୟତାର ଜନ୍ମଦାତା ଥିଲେ, ସେମାନେ ଯେ ଦିନେ ଅସଭ୍ୟ ବୋଲି ବିବେଚିତ ହେବେ, ତାହା କିଏ ଭାବିଥିଲା ? କେଉଁ ନିୟମ ଅଧୀନରେ ଜଣେ ମନୁଷ୍ୟ ସମଗ୍ର ମାନବ ଜାତି ମଧ୍ୟରେ ଗୋଟାଏ ବିପ୍ଳବ ଆଣେ ? ଇତିହାସ ଏହାର ସଠିକ ଉତ୍ତର ଦେଇପାରେ ନାହିଁ । କେବଳ ଅସାଧାରଣ ଶକ୍ତି ଓ ପ୍ରଭୁତ୍ୱଦ୍ୱାରା ମନୁଷ୍ୟ କର୍ମକ୍ଷେତ୍ରରେ ସ୍ୱାଧୀନତା ଆଣେ କିମ୍ୱା କୌଣସି ବିଶିଷ୍ଟ ଜାତିର ଭାଗ୍ୟନିୟନ୍ତା ହୋଇପାରେ, ଏପରି ଭାବିବା ଉଚିତ ନୁହେଁ । ଘଟନାଚକ୍ରକୁ ବାଦ୍‌ ଦେଇ କାର୍ଯ୍ୟ ଓ କର୍ମୀର ଗତି ନିରୁପଣ କରିବା ସମୀଚୀନ ନୁହେଁ । ଅତୀତ ଐତିହାସିକ ଘଟନାମାନଙ୍କର ଯେତେ ଅନୁସନ୍ଧାନ କରାଯାଏ କର୍ମମାର୍ଗରେ ସ୍ୱଚ୍ଛନ୍ଦ ଗତି ସେତେ ଅସ୍ପଷ୍ଟ ବୋଧ ହୁଏ । ଆଜି ଜାତୀୟ ଆନ୍ଦୋଳନରେ କର୍ମୀମାନଙ୍କର ଯେ ବିଶେଷତ୍ୱ ଦେଖାଯାଉଛି ଓ ସେମାନଙ୍କର ସମୂହକର୍ମ ଯେଉଁ ଭାବୀ ପରିବର୍ତ୍ତନର ସୂଚନା ଦେଉଛି, ତାହା କାଳକ୍ରମେ କ୍ଷୀଣ ହୋଇ ଆସିବା ଆଶ୍ଚର୍ଯ୍ୟ ନୁହେଁ ।

 

କାରଣର ସମ୍ୱନ୍ଧ ଘେନି ମଧ୍ୟ କର୍ମର ଭଲ ଓ ମନ୍ଦ ଭାର ସ୍ଥିର କରାଯାଏ । କାରଣ ଓ ଅବସ୍ଥା ଜ୍ଞାନର ଅଭାବରୁ ଆମ୍ଭେମାନେ ଅନେକ ସମୟରେ କର୍ମର ଗତି ସ୍ଥିର କରିପାରୁ ନାହିଁ । ବିଚାରକ ଦୋଷୀକୁ ଦଣ୍ଡ ଦେବା ସମୟରେ ଦୋଷାବହ କର୍ମର କାରଣ ଓ କିପରି ଅବସ୍ଥାରେ ତାର ଉତ୍ପତ୍ତି ହୁଏ, ସେ ସବୁ ସମ୍ୟକ୍‌ ଭାବରେ ଆଲୋଚନା କରନ୍ତି ନାହିଁ । ଆଜନ୍ମ ନୀଚସଂସର୍ଗରେ ରହି ଜଣେ ଯଦି କୌଣସି ଦୋଷ କରେ, ତାହା ହେଲେ ତାକୁ ନିତାନ୍ତ ହେୟ ମନେ କରିବା ଉଚିତ ନୁହେଁ । ସାଧାରଣତଃ ଦୋଷୀ ଦଣ୍ଡ ଭୋଗ କରିବା ପରେ ତାର ଅଭ୍ୟସ୍ତ ପାପକର୍ମରେ ପୁଣି ଲିପ୍ତ ରହେ । ଦଣ୍ଡ ଦେବା ସମୟରେ ଆଧୁନିକ ପ୍ରତିଷ୍ଠିତ ବିଚାରାଳୟମାନଙ୍କରେ ଏଥିପ୍ରତି ବିଶେଷ ଲକ୍ଷ୍ୟ ଥିବାର ଜଣାଯାଏ ନାହିଁ ।

 

ପରିବର୍ତ୍ତନ ଜଗତର ନିୟମ । ଏଥିପ୍ରତି ଦୃଷ୍ଟି ନ ଦେଇ ସ୍ୱାଧୀନ କର୍ମର ଚିତ୍ର ସମାଜ ଆଗରେ ଆଙ୍କି ଦେବା ସୂକ୍ଷ୍ମଦୃଷ୍ଟିର ପରିଚୟ ଦିଏ ନାହିଁ । କାଳ ଉପରେ କାହାର ଅଧିକାର ନାହିଁ । ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ୍‌ ମଧ୍ୟ ଦେଇ କର୍ମସ୍ରୋତ ବହିଯାଉଛି । ବିଭିନ୍ନ ଅବସ୍ଥା ଏହି ସ୍ରୋତର ଅନୁକୂଳ କିମ୍ୱା ପ୍ରତିକୂଳରେ ଆସି ପରିବର୍ତ୍ତନ ଆଣିପାରେ; କିନ୍ତୁ କାଳଗତିରେ କୌଣସି ପ୍ରତିବନ୍ଧକ ଜନ୍ମେ ନାହିଁ । କାଳ ଓ ଅବସ୍ଥାନୁରୂପୀ କାର୍ଯ୍ୟର ସଂମିଶ୍ରଣରେ ଯେ ବିଶେଷତ୍ୱ ଦେଖାଯାଏ, ତାକୁ ସ୍ୱତନ୍ତ୍ରତା ପ୍ରୟାସୀ ଲୋକ ନୂତନ ପ୍ରଥାର ଆଖ୍ୟା ଦେଇ ସମାଜରେ ପ୍ରଚାର କରେ । ବୈଷୟିକ ପରିବର୍ତ୍ତନ ଉପରେ ନୂତନତ୍ୱର ଭିତ୍ତିକୁ ସେ ଭିନ୍ନ ଆକାରରେ ଗଢ଼େ । ପ୍ରାଚୀନତା ପ୍ରତି ବୀତସ୍ଫୃହ ହେବା ଓ ନୂତନତ୍ୱକୁ ଏକମାତ୍ର ଅବଲମ୍ୱନ କରି ଧରିବାଦ୍ୱାରା ସାମାଜିକ ରୁଚିରେ ସେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ ନାହିଁ; କେବଳ ସ୍ୱାଧୀନ ଭାବର ପ୍ରେରଣା କର୍ମଜଗତରେ ମାନବ ଜାତିକୁ ଅଗ୍ରସର କରାଇପାରେ ନାହିଁ ।

 

ସାମାଜିକ ଅଭାବ ଓ ଅସୁବିଧାମାନଙ୍କୁ ଦୂର କରିବା ମଧ୍ୟ ପରିବର୍ତ୍ତନ ଆକାଙ୍କ୍ଷୀର ଉଦ୍ଦେଶ୍ୟ ହେବା ଉଚିତ । ବହିର୍ଜଗତଠାରୁ ବିଚ୍ଛିନ୍ନ ମନୁଷ୍ୟର କର୍ମକୁ କାରଣହୀନ ବୋଲି କୁହାଯାଇ ନ ପାରେ । କାରଣକୁ ଅନୁସନ୍ଧାନ କରି ନ ପାରିଲେ ସୁଦ୍ଧା କାଳକୁ ଉପେକ୍ଷା କରି କର୍ମର ସ୍ୱାଧୀନ ଚିତ୍ର ପ୍ରକାଶ କରିବା ଅସମ୍ଭବ । ସମୟଦୃଷ୍ଟିରେ ସାମାଜିକ ଅବସ୍ଥା ସ୍ଵତଃ ଭିନ୍ନ ଆକାର ଧାରଣ କରେ ବୋଲି ଅନେକଙ୍କର ବିଶ୍ୱାସ । କର୍ମର ଉତ୍ପତ୍ତି ସମ୍ୱନ୍ଧରେ ପ୍ରକୃତ ଜ୍ଞାନ ନ ଜନ୍ମିବାଯାଏ କାରଣ, କାଳ ଓ ଅବସ୍ଥା ପ୍ରଭୃତିର ଉପଯୁକ୍ତ ମୂଲ୍ୟ ନିରୁପଣ କରିବା କଠିନ ।

 

କର୍ମକ୍ଷେତ୍ରରେ ଜଣକର ଇଙ୍ଗିତରେ ଅସଂଖ୍ୟ ଲୋକ ଚାଳିତ ହୁଅନ୍ତି । ପ୍ରତ୍ୟେକ ମନୁଷ୍ୟଠାରେ ଏପରି ଶକ୍ତି ଥିବାର ପ୍ରକାଶ ପାଏ ନାହିଁ । ନେପୋଲିୟନଙ୍କର ଆଦେଶକୁ ଗୋଟାଏ ଜାତି ନତମସ୍ତକରେ ପାଳନ କରିଥିଲା । ତାଙ୍କର ପଦେ କଥାରେ ଲକ୍ଷ ଲକ୍ଷ ସୈନ୍ୟ ପ୍ରାଣ ଦେବା ପାଇଁ ଉଦ୍‌ଗ୍ରୀବ ହୋଇପଡ଼ୁଥିଲେ । ନେପୋଲିୟନଙ୍କ ବୀର-ଦର୍ପରେ ସମଗ୍ର ପୃଥିବୀ ଶଙ୍କିତ ହେବାର କାରଣ କଅଣ ? ସେ ଯେଉଁ ଶକ୍ତିର ଅଧିକାରୀ ଥିଲେ, ତାକୁ ପଦ ଈଶ୍ୱରଦତ୍ତ ବୋଲି କୁହାଯାଏ, ତାହା ହେଲେ ସେ ବିଷୟରେ ଆଉ ବିଶେଷ ଆଲୋଚନା କରିବାର ଆବଶ୍ୟକତା ନାହିଁ; କିନ୍ତୁ ସମ୍ମତ ହେବେ ନାହିଁ । ଅସାଧାରଣ ଶାରୀରିକ କିମ୍ବା ନୈତିକ ବଳର ଉତ୍କର୍ଷ ଉପରେ ଶାସନ-ଶକ୍ତି ସମ୍ପୂର୍ଣ୍ଣ ନିର୍ଭର କରେ ନାହିଁ । ନେପୋଲିୟନଙ୍କଠାରୁ ସହସ୍ର ଗୁଣ ନିକୃଷ୍ଟ ରାଜ୍ୟାଧିକାରୀମାନଙ୍କର ଆଦେଶ ନିର୍ବିଘ୍ନରେ ପାଳିତ ହୋଇଅଛି । ଶାସିତମାନେ ସେମାନଙ୍କଠାରୁ ସବଳ ଥାଇ ସୁଦ୍ଧା ଅନୀତିର ପ୍ରତିବାଦ କରିବାକୁ ସାହସ କରି ନାହାନ୍ତି । ପ୍ରଜାମଣ୍ଡଳୀର ସମୂହ-ଇଚ୍ଛା ଯଦି ରାଜଶକ୍ତିର ନିୟାମକ ହୁଏ, ତାହା ହେଲେ ଅତ୍ୟାଚାରୀ ଶାସକ ତିଷ୍ଠିବାର କାରଣ କଅଣ ? ପୀଡ଼ିତ ପ୍ରଜାବର୍ଗ ଉପଯୁକ୍ତ ସମୟରେ ଅତ୍ୟାଚାରର ପ୍ରତିକାର ନ କରି ନିରୀହ ଶାସକଙ୍କର ଧ୍ୱଂସସାଧନ କରନ୍ତି । ଜଣଙ୍କର କର୍ମଫଳ ଅନ୍ୟକୁ ଭୋଗ କରିବାକୁ ପଡେ; ସୁତରାଂ ସମୂହ-ଇଚ୍ଛାକୁ ଶାସନ-ଶକ୍ତିର ଭିତ୍ତିସ୍ୱରୂପ ଧରିବା ଉଚିତ ନୁହେଁ ।

 

ଅଧିକାଂଶ ପାଶ୍ଚାତ୍ୟ ପଣ୍ଡିତମାନେ ବ୍ୟକ୍ତିବିଶେଷଙ୍କର ଅସାଧାରଣ କ୍ଷମତା ଉପରେ ଜାତୀୟ ଗୌରବର ନିଦର୍ଶନ ଦେଖାନ୍ତି । ଯେ ଶକ୍ତିପ୍ରଭାବରେ ଦେଶନାୟକ ଅତୁଳନୀୟ କର୍ମ ସମ୍ପାଦନ କରି ନୂତନ ଯୁଗର ପ୍ରବର୍ତ୍ତକ ହୁଅନ୍ତି, ତାକୁ ଐତିହାସିକମାନେ ବିଭିନ୍ନ ରଙ୍ଗରେ ଚିତ୍ରିତ କରନ୍ତି । ଏହି ଅସାଧାରଣ ପୁରୁଷଙ୍କର ଚରିତ୍ର-ଚିତ୍ରଣରେ ଐତିହାସିକମାନଙ୍କର ଏକମତ ନ ହେବାର କାରଣ କଣ ? ସମଗ୍ର ପୃଥିବୀର ଜାତୀୟ ଇତିହାସ ଆଲୋଚନା କଲେ ଦେଖାଯିବ ଯେ, ଜଣକର ବିଶିଷ୍ଟ କାର୍ଯ୍ୟରେ କୌଣସି ପରିବର୍ତ୍ତନ ଆସେ ନାହିଁ । ଭିନ୍ନ ଭିନ୍ନ ଦିଗରେ ଚାଳିତ ଶକ୍ତିରୁ କେତେଗୁଡ଼ିଏ ଘଟନା ସୃଷ୍ଟି ହୋଇ ଗୋଟାଏ ଉପଯୋଗୀ ପରିବର୍ତ୍ତନର ସୂଚନା ଦିଅନ୍ତି । କେବଳ ବ୍ୟକ୍ତିଗତ କ୍ଷମତା ଉପରେ ନିର୍ଭର କରି ଗୋଟାଏ ଜାତିର ମହତ୍ତ୍ୱ କିମ୍ବା ଗୋଟାଏ ନୂତନ ଯୁଗର ବିକାଶ ଦେଖାଇବା ସହଜ ନୁହେଁ । ଅନେକେ କହି ପାରନ୍ତି, ଫରାସି ରାଷ୍ଟ୍ର-ବିପ୍ଳବ ଯୋଗୁଁ ନେପୋଲିୟନଙ୍କର ଅପ୍ରତିହତ ତେଜ ଜଗତରେ ପ୍ରକାଶ ପାଇଲା ଓ ସେହି ପ୍ରଭାବରେ ବିପ୍ଳବର ବହ୍ନି ନିର୍ବାପିତ ହେଲା । ବିପ୍ଳବ ପରେ ଯଦି ଫରାସି ଜାତୀୟ ଜୀବନ ଅବଶ ହୋଇପଡ଼ିଲା, ତାହା ହେଲେ ନେପୋଲିୟନଙ୍କ ଦ୍ୱାରା ଜାତିର କଲ୍ୟାଣ ସାଧିତ ହେଲା ? ଗୋଟାଏ ଶକ୍ତି ଦୁଇ ବିପରୀତ ଦିଗରେ କାର୍ଯ୍ୟ କଲେ ଲକ୍ଷ୍ୟସ୍ଥଳ ଜଣାପଡ଼େ ନାହିଁ କିମ୍ବା କର୍ମୀର ସ୍ୱାତନ୍ତ୍ର୍ୟ ପ୍ରକାଶ ପାଏ ନାହିଁ ।

 

ପ୍ରତ୍ୟେକ ଜୀବନର ସାର୍ଥକତା ଅଛି । ଜଣକର ପ୍ରଭାବରେ କେତେଗୁଡ଼ିଏ ଲୋକ ଚାଳିତ ହୋଇ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ କଲେ, ବ୍ୟକ୍ତିଗତ ଶକ୍ତିର ଭିନ୍ନତା ଜଣାଯାଏ ନାହିଁ । ଜୀବନର ବୈଚିତ୍ର୍ୟ ସଙ୍ଗେ କର୍ମସାଦୃଶ୍ୟ ମନୁଷ୍ୟମାନଙ୍କୁ ଏକତା-ବନ୍ଧନରେ ବାନ୍ଧି ରଖେ । ଲକ୍ଷ୍ୟ ସମାନ ନ ହେଲେ ମଧ୍ୟ ଅଭାବ କବଳରୁ ରକ୍ଷା ପାଇବା ପାଇଁ ମିଳିତ ଶକ୍ତିର ସୃଷ୍ଟି ହୁଏ । ଏଠାରେ ନୈତିକ ବଳ ବିଶେଷ କାର୍ଯ୍ୟ କରେ ନାହିଁ । ସାଧାରଣ ଅଭାବମାନଙ୍କୁ ଦୂର କରିବାକୁ ଯାଇ ଜୀବନର ସାର୍ଥକତା ଭୁଲିଯିବା ସାଧାରଣ ମନୁଷ୍ୟ ପକ୍ଷରେ ସମ୍ଭବ ହୁଏ । ଭୃତ୍ୟ ପ୍ରଭୁର ନୀତିବିରୁଦ୍ଧ ଆଦେଶ ପାଳନ କରେ । ରାଜାଜ୍ଞା ପାଳନରେ ଯଥେଚ୍ଛାଚାର ଶାସନ କ୍ରମଶଃ ପ୍ରବଳ ହୋଇପାରେ । ଦୁର୍ବଳ ଅତ୍ୟାଚାରିତ ହେଲେ, ସମସ୍ତେ ଅନ୍ୟାୟର ପ୍ରଭାବ ଅନୁଭବ କରନ୍ତି; କିନ୍ତୁ କ୍ଷୁଦ୍ର ସ୍ୱାର୍ଥକୁ ଉପେକ୍ଷା କର ମନୁଷ୍ୟତ୍ୱ ପ୍ରକାଶ କରିବା ଖୁବ୍ କମ୍ ଲୋକଙ୍କ ଭାଗ୍ୟରେ ଘଟେ । ପଶୁବଳ ସଙ୍ଗେ ସହାୟତା କରି ସଂଖ୍ୟାତିତ ମନୁଷ୍ୟ ଜୀବନର ଲକ୍ଷ୍ୟ ଭୁଲି ଯାଆନ୍ତି । କର୍ମଜଗତରେ ଏମାନେ ଏକଶ୍ରେଣୀଭୁକ୍ତ ହୁଅନ୍ତି । ଜଣକର ଆଦେଶ ପାଳନ କରିବାରେ ଏମାନଙ୍କର କୃତିତ୍ୱ ପ୍ରକାଶ ପାଏ ।

 

ମାନସିକ ଭାବନା ଓ ସଙ୍କଳ୍ପ ଉପରେ ବାହ୍ୟ କର୍ମର ମହତ୍ତ୍ୱ ଅନେକ ପରିମାଣରେ ନିର୍ଭର କରେ । ଯାବତୀୟ କାର୍ଯ୍ୟ ସମ୍ପାଦନରେ କର୍ମୀ କୌଣସି ପ୍ରେରଣାର ଅଧୀନ ଥାଏ । ସ୍ୱାଧୀନ ଭାବରୁ ଯେଉଁ ପ୍ରେରଣା ମିଳେ, ତାକୁ କାର୍ଯ୍ୟରେ ପରିଣତ କଲାବେଳେ ଅନେକ ବାଧା ଜନ୍ମିଥାଏ । ବୈଷୟିକ ତୃପ୍ତିରେ ଜଗତ୍ ମୁଗ୍ଧ । ସାମାନ୍ୟ ସ୍ୱାର୍ଥର ମାୟା ତ୍ୟାଗ କରି ମୁକ୍ତମାର୍ଗରେ ସ୍ୱାଧୀନ ବାଣୀ ଶୁଣିବାକୁ ଅତ୍ୟଳ୍ପ ଲୋକେ ପ୍ରୟାସୀ ହୁଅନ୍ତି । ଯୁଗଯୁଗବ୍ୟାପୀ ଗୋଟାଏ କୁସଂସ୍କାର ସମାଜର ଘୋର ଅନିଷ୍ଟ କରୁଥାଏ; ଅଥଚ କେହି ସାହସ କରି ତାର ବିରୁଦ୍ଧାଚରଣ କରନ୍ତି ନାହିଁ । ବିବେକୀର ଆତ୍ମଗ୍ଳାନୀରେ ସମାଜ ଅଶାନ୍ତି ଭୋଗ କରେ ନାହିଁ; ବରଂ କୁସଂସ୍କାର ଅନ୍ଧକାରକୁ ଅକୁଣ୍ଠିତରେ ପ୍ରଶ୍ରୟ ଦିଏ । ସମାଜରେ ଏକତା ସୃଷ୍ଟି ବାଧ୍ୟତାମୂଳକ ବୋଲି କୁହାଯାଇପାରେ ; କାରଣ ନିଜ ଇଚ୍ଛା ବିରୁଦ୍ଧରେ ସୁଦ୍ଧା ଜଣେ ସମାଜର ନିୟମ ପାଳନ କରିବ ।

 

ଆଧ୍ୟାତ୍ମିକ କ୍ରମବିକାଶରେ କର୍ମର ସରଳ ଚିତ୍ର ଦେଖାଯାଇପାରେ । ଐହିକ ସୁଖରେ ଲିପ୍ତ ରହି କର୍ମକ୍ଷେତ୍ରରେ ସ୍ୱାଧୀନତା ଲୋଡ଼ିବା ମନୁଷ୍ୟର ଉଚିତ ନୁହେଁ । ଅଳ୍ପ ଜୀବନକାଳ ମଧ୍ୟରେ ଜଗତର ସମସ୍ତ ରହସ୍ୟ ଭେଦ କରିବା ତା ପକ୍ଷରେ ଅସମ୍ଭବ । ବିଜ୍ଞାନ ଯାହା ଆବିଷ୍କାର କରୁଛି, ତଦ୍ଦ୍ୱାରା ସାଂସାରିକ ସୁଖପ୍ରାପ୍ତି ସହଜରେ ହୋଇପାରେ; କିନ୍ତୁ ମନୁଷ୍ୟର ଚରମ ଲକ୍ଷ୍ୟ ତାହା ନୁହେଁ । ତ୍ୟାଗ ଉପରେ ଆଧ୍ୟାତ୍ମିକ ଜୀବନର ଭିତ୍ତି ନିର୍ମିତ ହେଲେ କର୍ମୀର ମନ ଉଦ୍ଦେଶ୍ୟଶୂନ୍ୟ ହୁଏ; କର୍ମଫଳ ପ୍ରତି ତାର ଲକ୍ଷ୍ୟ ରହେ ନାହିଁ । ସେ ଦେଖେ, ଜୀବର ଉନ୍ମୁକ୍ତ ଅବସ୍ଥା । କ୍ଷଣିକ ସୁଖ-ଆଶାରୁ ମନ ନ ଫେରାଇ, ତ୍ୟାଗର ପ୍ରକୃତ ମହତ୍ତ୍ୱ ଉପଲବ୍ଧି କରିବା ସହଜ ନୁହେଁ । ବିଜ୍ଞାନ ଚାହେଁ, ବସ୍ତୁଜଗତରେ ବିପ୍ଳବ ଆଣିବାକୁ, ଯାହା ଦେଖି ମନୁଷ୍ୟର ମନ ସର୍ବଦା ପାର୍ଥିବ ବିଷୟରେ ମୁଗ୍ଧ ରହିବ । ବିଜ୍ଞାନର ଉନ୍ନତି ହେବା ସଙ୍ଗେ ଅଭାବର ମାତ୍ରା ମଧ୍ୟ ବଢି ଯାଉଛି । ବୈଦ୍ୟୁତିକ କିମ୍ବା ବାଷ୍ପୀୟ କଳ ସାହାଯ୍ୟରେ ବଡ଼ ବଡ଼ ନଗରମାନଙ୍କର ଶ୍ରୀ ସାଧିତ ହେଲେ ସୁଦ୍ଧା ମନୁଷ୍ୟ ନିଜକୁ ପୂର୍ବାପେକ୍ଷା ଅସହାୟ ମନେ କରୁଛି । ଆଜି ଯଦି କୌଣସି କାରଣବଶତଃ ବୈଜ୍ଞାନିକ ଯନ୍ତ୍ରମାନଙ୍କର ସାହାଯ୍ୟ ବନ୍ଦ କରାଯାଏ, ତାହା ହେଲେ ବିଳାସପ୍ରିୟ ନଗରବାସୀଙ୍କର ଅବସ୍ଥା ବର୍ଣ୍ଣନାତୀତ ଶୋଚନୀୟ ହେବ । ଶାରୀରିକ ଉତ୍କର୍ଷ ଦୂରେ ଥାଉ, କୃତ୍ରିମ ଉପାୟମାନ ଅବଲମ୍ବନ କରି ସେମାନେ ସ୍ୱାଭବିକ ବଳର ପରିଚୟ ଦେଇପାରୁ ନାହାନ୍ତି ।

 

ପ୍ରତିକୂଳ ଅବସ୍ଥାରେ କର୍ମୀର ଚରିତ୍ର ଓ କ୍ଷମତା ପ୍ରମାଣିତ ହୁଏ । ଅଭାବମାନଙ୍କୁ ଦୂର କରି ସେ ଯେ ପରିମାଣରେ ନିଜର ସ୍ୱାଧୀନତା ବଜାୟ ରଖେ, ତଦ୍ଦ୍ୱାରା ତାହାର ଶକ୍ତିର ପରିଚୟ ମିଳେ । ସମ୍ପର୍କହୀନ ଆଳସ୍ୟପରାୟଣ ବ୍ୟକ୍ତି କର୍ମର ଗୁରୁତ୍ୱ ବୁଝେ ନାହିଁ । ସେ ନିଜକୁସ୍ଵାଧୀନ ବୋଲି ଭାବେ; କିନ୍ତୁ କର୍ମପରାଙ୍କ୍ଷୁଖ ଗୁରୁତ୍ୱ ବୁଝେ ନାହିଁ । ସେ ନିଜକୁ ସ୍ୱାଧୀନ ବୋଲି ଭାବେ; କିନ୍ତୁ କର୍ମପରାଙ୍କ୍ଷୁଖ ଭାବ ମନର ଯେଉଁ ସଂକୀର୍ଣ୍ଣତା ଆଣେ, ସେଥିରେ ସେ ଦୁର୍ବଳ ବୋଲି ବିବେଚିତ ହୁଏ । କର୍ମର ଜଟିଳ ସମସ୍ୟା ଭେଦ କରି ମୁକ୍ତଭାବ ଦେଖାଇବାକୁ ହେଲେ ଯାବତୀୟ କର୍ମ-ସମ୍ପାଦନରେ ନିଜତ୍ୱ ରକ୍ଷା କରିବା ଆବଶ୍ୟକ । ଦର୍ଶକ ଚକ୍ଷୁରେ ଅଭିନୟକାରୀ ଯେପରି ଦେଖାଯାଏ, ଜଗତ ଚକ୍ଷୁରେ କର୍ମୀ ସେହିପରି ଦେଖାଯିବା ବାଞ୍ଛନୀୟ । ଅନେକେ ନିତାନ୍ତ ସ୍ୱାର୍ଥଜଡ଼ିତ ହୋଇ କର୍ମର ପ୍ରକୃତ ସୀମା ନିରୂପଣ କରି ପାରନ୍ତି ନାହିଁ । ସେମାନେ ସବୁବେଳେ ଗୋଟାଏ ଆସକ୍ତିପୂର୍ଣ୍ଣ ଚିତ୍ର ଦେଖୁଥାନ୍ତି । କର୍ମ ସହିତ ଜୀବନର ଉପାଦେୟତା ବୁଝିବା ସେମାନଙ୍କ ପକ୍ଷରେ କଠିନ ହୋଇଉଠେ । ବିଚ୍ଛିନ୍ନ କର୍ମପନ୍ଥା ଦେଖି ମନୁଷ୍ୟକୁ ସ୍ୱାଧୀନ ବୋଲି ଭାବିବା ଉଚିତ ନୁହେଁ । ଜୀବନରେ ସ୍ୱାଧୀନତା କଳ୍ପନା କରାଯାଇପାରେ; କିନ୍ତୁ ଏପରି ଜୀବନ ଅତିବାହିତ କରିବା ସଂସାରୀ ପକ୍ଷରେ ଅସମ୍ଭବ ।

•••

 

କର୍ମୀ ମଧୁସୂଦନ

କର୍ମଗୁରୁ ମଧୁସୂଦନ ଆଉ ଇହଧାମରେ ନାହାନ୍ତି । ଉତ୍କଳମାତାର ଯୋଗ୍ୟତମ ସୁତ ତାର କ୍ରୋଡ଼ ଶୂନ୍ୟ କରି ଚାଲିଗଲେଣି । ଯେ ରତ୍ନଟି ହଜିଗଲା ତାରି ଅଭାବରେ ଉତ୍କଳୀୟ ହୃଦୟ ଆଜି ଦାରୁଣ ଶୋକରେ ଆକୁଳ । ଉତ୍କଳର କର୍ମକ୍ଷେତ୍ରରେ ଅର୍ଦ୍ଧଶତାବ୍ଦୀ ହେଲା ଯେଉଁ ଶ୍ରେଷ୍ଠ ପୁରୋଧା କର୍ମମନ୍ତ୍ର ଉଚ୍ଚାରଣ କରୁଥିଲେ, ତାଙ୍କର ଅବିରାମ ଅଭୟ ବାଣୀ ଚିର ଦିନପାଇଁ ରୁଦ୍ଧ ହୋଇଗଲା । ଉତ୍କଳ-ଆକାଶରେ ଯେଉଁ ଜ୍ୟୋତିଷ୍କ ଏତେ ଦିନ ଯାଏ ଦୀପ୍ତି ପ୍ରଦାନ କରୁଥିଲେ ଓ ଯାହାଙ୍କ ଆବିର୍ଭାବରେ ଦୀନ ଉତ୍କଳର ଜଡ଼ତା କିଞ୍ଚିତ୍ ଅପସାରିତ ହୋଇଥିଲା, ସେ ଏବେ ମୃତ୍ୟୁଅନ୍ତରାଳରେ ଆଶ୍ରୟ ନେଲେଣି । ଅମା ନିଶୀଥିନୀରେ ଯାହାଙ୍କର କିରଣ ପାଇ ଜନନୀ ଉତ୍କଳ ମସ୍ତକ ଉତ୍ତୋଳନ କରିଥିଲା, ତାଙ୍କରି ଅଭାବରେ ଶୋକର ବିରାଟ ଛାୟା ସମଗ୍ର ଜନ୍ମଭୂମିକୁ ଗ୍ରାସିଗଲାଣି । ମାତାର ନୀରବ ଅଶ୍ରୁପାତରେ ମଧୁସୂଦନଙ୍କ ହୃଦୟ ଆଉ ଉଦ୍ଦେଳିତ ହେବ ନାହିଁ । ସିନ୍ଧୁ ସୈକତରେ, ନିବିଡ଼ ଅରଣ୍ୟରେ, ପର୍ବତ ଗହ୍ୱରରେ ଆଉ ମା’କୁ କିଏ ଅନ୍ୱେଷଣ କରିବ ? ପୁତ୍ରଶୋକରେ ଅଧୀରା ଜନନୀର କଷଣ ଦେଖିବାକୁ ମଧୁସୂଦନ ଆଉ ଫେରିବ ନାହିଁ । ଜନନୀର ଅଙ୍ଗଚ୍ଛେଦରେ ଯେ ଆଜୀବନ ମର୍ମାନ୍ତିକ ଯାତନା ଅନୁଭବ କରିଥିଲେ ଓ ଯାହାଙ୍କ ପ୍ରଗାଢ଼ ଚେଷ୍ଟା ଫଳରେ ନିଶ୍ଚେଷ୍ଟ ଓଡ଼ିଆ ଜାତି ଜନ୍ମଭୂମିର ଦୁଃଖ ଅପନୋଦନ କରିବାକୁ ଜାଗ୍ରତ ହୋଇଥିଲା, ସେହି କର୍ମବୀର ଜାତିକୁ ଗୋଟାଏ ସନ୍ଧିସ୍ଥଳରେ ପକାଇ ଦେଇ ଚାଲିଗଲେ । ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଯେ ସ୍ପନ୍ଦନ ମଧୁସୂଦନଙ୍କ ହୃଦୟ-ତନ୍ତ୍ରୀରେ ବାଜିଥିଲା, ତାକୁ ଅସହାୟା ଉତ୍କଳମାତା ଭୁଲିବ କିପରି ? ମା’ର କୋଟିଏ ସନ୍ତାନ; କିନ୍ତୁ ଆଜି ଗୋଟିକ ଅଭାବରେ ତାର ମର୍ମେ ମର୍ମେ ଯେ ଅବ୍ୟକ୍ତ ଶୋକାବେଗ ଉଛୁଳି ଉଠିଛି, ତାକୁ ଭାଷାରେ ପ୍ରକାଶ କରିବା ଅସମ୍ଭବ ।

 

ଜଗତ୍ କର୍ମସୂତ୍ରରେ ଆବଦ୍ଧ । ମନୁଷ୍ୟର ଜୀବନଟା କେତେଗୁଡ଼ାଏ କର୍ମର ସମଷ୍ଟି ମାତ୍ର । ଜୀବନର ସାରବତ୍ତା ଉପଯୁକ୍ତ କର୍ମଦ୍ୱାରା ନିରୂପିତ ହୋଇଥାଏ । ସମସ୍ତେ କର୍ମ କରନ୍ତି; କିନ୍ତୁ ଜଣେ ଜଣେ କର୍ମମାର୍ଗରେ ଯେ ରୀତି ଅନୁସରଣ କରନ୍ତି, ସେଥିରେ ଅନେକ ଶିକ୍ଷଣୀୟ ବିଷୟ ଥାଏ । ପୃଥିବୀର ମନୀଷୀମାନଙ୍କର ଜୀବନୀ ଆଲୋଚନା କଲେ ଏହାର ସତ୍ୟତା ଯଥେଷ୍ଟ ଉପଲବ୍ଧ ହେବ । ଅନ୍ଧକାର କର୍ମରେ ଆଲୋକରେଖାପରି ଏହି ମହାପୁରୁଷମାନଙ୍କର କ୍ରିୟାକୌଶଳ ସାଧାରଣ ଜଗଦବାସୀଙ୍କୁ ଗୋଟାଏ ମାର୍ଗ ଅନୁସରଣ କରିବାକୁ ଇଙ୍ଗିତ ଦିଏ । ବିଶେଷତଃ ଯେତେବେଳେ ଅଜ୍ଞାନ-ଅନ୍ଧକାରରେ ମନୁଷ୍ୟ ମୃହ୍ୟମାନ ହୋଇପଡ଼େ, ଚାରିଆଡ଼େ ନୈରାଶ୍ୟର ଛାୟା ପ୍ରକଟିତ ହୁଏ, ସେତେବେଳେ ମଙ୍ଗଳମୟଙ୍କ ମଙ୍ଗଳମୟ ନିଦେଶରେ କୌଣସି ମହାପୁରୁଷଙ୍କ ଆବିର୍ଭାବ ହୋଇଥାଏ ।

 

କାଳର ଅନନ୍ତ ସ୍ରୋତରେ ଜଗତର ଧାରାବାହିକ କ୍ରିୟା ପର୍ଯ୍ୟାୟକ୍ରମେ ଆସି ଚାଲିଯାଏ-। କେହି ସେଥିପ୍ରତି ଆକୃଷ୍ଟ ହୁଏ ନାହିଁ । ମନୁଷ୍ୟ ସବୁବେଳେ ଚାହେଁ କିଛି ଅସାଧାରଣ ବିଷୟ ଦେଖିବାକୁ, ଯାହାକୁ ସମ୍ବଳ କରି ସେ ନିଜର ଜୀର୍ଣ୍ଣ ଜୀବନ-ତରୀକୁ ଅକୂଳ ସଂସାର-ସାଗରରେ ମେଲିଦିଏ । ତା ଯାତ୍ରାପଥରେ ପ୍ରବଳ ଆବର୍ତ୍ତସବୁ ଭୀତି ସଞ୍ଚାର କରନ୍ତି; କିନ୍ତୁ ସେ ଲକ୍ଷ୍ୟ ରଖିଥାଏ- ଜଣକର ଭୟବିରହିତ ଅଗ୍ରଗତି ଉପରେ । ଯେ ଚୁମ୍ବକର ଆକର୍ଷଣରେ ସହସ୍ର ନରନାରୀ ଅକାତରରେ ଜଣକର ଅନୁବର୍ତ୍ତୀ ହୁଅନ୍ତି ଓ ଯାହାଙ୍କର ସ୍ୱାର୍ଥାହୁତିରେ ବିସ୍ମୟ ଜନ୍ମେ, ସେହି ପୁରୁଷଶ୍ରେଷ୍ଠଙ୍କୁ ପୂଜା କରିବାକୁ ମନୁଷ୍ୟ ସ୍ୱତଃ ଧାବିତ ହୁଏ । ଆଜି ମଧୁସୂଦନଙ୍କ ତିରୋଧାନରେ ଯେ କରୁଣ ଧ୍ୱନି ପ୍ରକାଶିତ ହେଲା, ତାହା ଓଡ଼ିଆ ଜାତିର ପ୍ରାଣର ଅମୂଲ୍ୟ ନିବେଦନ । ମଧୁସୂଦନଙ୍କ ପରି କର୍ମୀ କେହି ଉତ୍କଳରେ ଆଜି ପର୍ଯ୍ୟନ୍ତ ଜନ୍ମଗ୍ରହଣ କରି ନ ଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ସୁପ୍ତ ଓଡ଼ିଆର ଜାଗରଣ ସକାଶେ ସେ ସମସ୍ତ ଜୀବନ କଟାଇ ଦେଇଛନ୍ତି । ସେ ବୁଝିଥିଲେ, ତାଙ୍କ ଜାତିର ମହତ୍ତ୍ୱ; ‘ଭଗ୍ନ ବାରବାଟୀ’ରେ ସେ ଦେଖିଥିଲେ, ତାଙ୍କ ପୂର୍ବପୁରୁଷର ଶୋଣିତରେଖା; ନିଜ ଧମନୀରେ ମଧ୍ୟ ଅନୁଭବ କରିଥିଲେ, ସେହି ଶୋଣିତର ପ୍ରବାହ । କୋଣାର୍କର ମହୀୟସୀ କୀର୍ତ୍ତିରେ ତାଙ୍କ ହୃଦୟ ଉଲ୍ଲସିତ ହୋଇଉଠିଲା । ଓଡ଼ିଆର ଅତୀତ ସଗୌରବରେ ଆସି ତାଙ୍କ ନିକଟରେ ଆତ୍ମପ୍ରକାଶ କଲା । ଆଦର୍ଶ ସନ୍ତାନ ପୂର୍ବପୁରୁଷର ଅମର ଖ୍ୟାତିକୁ ଉଜ୍ଜୀବିତ କରିବାକୁ ଅଗ୍ରସର ହେଲେ । ଯେ ଜାତି ଦୈବବଶରୁ ଜଗତ୍ ସମକ୍ଷରେ ଦୀନହୀନ ବୋଲି ବିବେଚିତ ହେଉଥିଲା, ମଧୁସୂଦନ ସଗର୍ବରେ ଜଗଦ୍‌ବାସୀଙ୍କୁ ଶୁଣାଇଦେଲେ ଯେ, ସେ ଜାତିର ସବୁ ଅଛି । ତଥାପି ଯେଉଁମାନେ ତାକୁ ଚିହ୍ନି ନାହାନ୍ତି, ସେହିମାନେ କେବଳ ତା ପ୍ରତି ଅନାସ୍ଥା ପ୍ରଦର୍ଶନ କରନ୍ତି । ଓଡ଼ିଆର ବୀରତ୍ୱ ନ ଥିଲେ ମଧୁସୂଦନ ନିର୍ଭୀକ ଭାବରେ ଏକାକୀ ଜାତିର ସ୍ୱାର୍ଥରକ୍ଷା ଲାଗି ଛିଡ଼ା ହୋଇ ପାରିଥାନ୍ତେ କି ? କେତେ ନିର୍ଯ୍ୟାତନା ସହିଛନ୍ତି, କେତେ ନୈରାଶ୍ୟ ମଧ୍ୟ ଦେଇ ତାଙ୍କୁ କାର୍ଯ୍ୟ କରିବାକୁ ପଡ଼ିଛି; କିନ୍ତୁ ତାଙ୍କ ଅଦମ୍ୟ ଉତ୍ସାହ କେବେ ସଙ୍କୁଚିତ ହୋଇ ନାହିଁ । ଇଂରେଜ ଶାସକମାନେ ତାଙ୍କ ପ୍ରତି ଯେଉଁ ଭକ୍ତି ପ୍ରଦର୍ଶନ କରିଛନ୍ତି, ତାହା ଓଡ଼ିଆ ଜାତିର ବୋଲି ବୁଝିବାକୁ ହେବ; କାରଣ ସେ କଦାପି ନିଜ ସ୍ୱାର୍ଥ ପାଇଁ କୌଣସି ଶ୍ୱେତାଙ୍ଗ କର୍ମଚାରୀଙ୍କ ଦ୍ୱାରସ୍ଥ ହେଉ ନ ଥିଲେ । ଯେଉଁ ଇଂରେଜମାନେ ତାଙ୍କ ସଂସ୍ପର୍ଶରେ ଆସିଥିବେ, ସେମାନେ ବୁଝିଥିବେ– ତାଙ୍କ ଅନ୍ତରରେ କି ଶକ୍ତି କାର୍ଯ୍ୟ କରୁଥିଲା । ବର୍ତ୍ତମାନ ଦାସତ୍ୱଜୀବୀ ଓଡ଼ିଆ ପକ୍ଷରେ ମଧୁସୂଦନଙ୍କ ଆଦର୍ଶ ଅତି ଉଚ୍ଚ । ସେ ଯେଉଁ ଦିଗରେ ଗତି କରୁଥିଲେ, ତାକୁ ଅଧିକାଂଶ ଗ୍ରହଣୀୟ ବୋଲି କହିବେ କିନ୍ତୁ ଗ୍ରାହକ କାହାନ୍ତି ? ନିସ୍ତେଜ ଓଡ଼ିଆଠାରେ ସେ ଯଥେଷ୍ଟ ବଳସଞ୍ଚାର କରିଦେଇ ଯାଇଛନ୍ତି । ଆଜି ଓଡ଼ିଆକୁ କେହି ହୀନ ବୋଲି ସାହସ କରି କହିପାରିବେ ନାହିଁ । ଦେଶବିଦେଶରେ ଓଡ଼ିଆର ସେ ଯେଉଁ ପରିଚୟ ଦେଇଯାଇଛନ୍ତି, କେବଳ ତାକୁ ଘୋଷି ହେଲେ ବିଶେଷ କିଛି ଲାଭ ନାହିଁ; ତାଙ୍କ ପ୍ରଦର୍ଶିତ ପଥକୁ ହିଁ ଅନୁସରଣ କରିବାକୁ ହେବ ।

 

ପ୍ରତିଭାର ବିକାଶକ୍ଷେତ୍ର ସର୍ବତ୍ର । ତା ପାଇଁ ବିଶିଷ୍ଟକ୍ଷେତ୍ର ଆବଶ୍ୟକ ହୁଏ ନାହିଁ ବୋଲି ମନେ ହୁଏ । ମଧୁସୂଦନଙ୍କ ବାଲ୍ୟଜୀବନ ଗୋଟିଏ ସାମାନ୍ୟ ଗ୍ରାମରେ ଅତିବାହିତ ହୋଇଥିଲା । ଇଂରେଜ ଶିକ୍ଷାକୁ ଲୋକେ ସେତେବେଳେ ଭୟ କରୁଥିଲେ । କୁସଂସ୍କାର ଅତିମାତ୍ରାରେ ଓଡ଼ିଆ ସମାଜକୁ ପ୍ରଭାବିତ କରିଥିଲା । ସତେ ଯେପରି ମଧୁସୂଦନଙ୍କଠାରୁ ଆଲୋକ ପାଇବ ବୋଲି ବର୍ତ୍ତମାନ ଉତ୍କଳ ଅପେକ୍ଷା କରି ରହିଥିଲା । ତାଙ୍କ ପଠଦ୍ଦଶାର ବିବୃତି ଶୁଣିଲେ ଆଧୁନିକ ଛାତ୍ରମାନେ ବିସ୍ମିତ ହେବେ । ସେ ଧନୀର ସନ୍ତାନ ନ ଥିଲେ; ତଥାପି ଅତିକଷ୍ଟରେ ହେଉ ପଛକେ, ସୁଦୂର କଲିକତା ନଗରୀରେ ତାଙ୍କର ଉଚ୍ଚଶିକ୍ଷା ଲାଭ ହୋଇଥିଲା । ପ୍ରଥମେ କଲିକତାରେ ପହଞ୍ଚି ଅପରିଚିତ ଅବସ୍ଥାରେ ସେ ଅନାହାରରେ ଦିନ କଟାଇଥିବାର ଆମ୍ଭେମାନେ ତାଙ୍କଠାରୁ ଶୁଣିଅଛୁଁ । ପ୍ରବଳ ଆକାଙ୍କ୍ଷା ଥିଲେ ଯେ ମନୁଷ୍ୟ ଯାବତୀୟ ବିଘ୍ନ ଅତିକ୍ରମ କରିପାରେ, ଏହା ତାଙ୍କରି ଜୀବନରେ ପ୍ରମାଣିତ ହୋଇଯାଇଛି । ଛାତ୍ରାବସ୍ଥା ପରେ ତାଙ୍କୁ କିଛିଦିନ କଷ୍ଟରେ ଜୀବିକା ନିର୍ବାହ କରିବାକୁ ପଡ଼ିଥିଲା । ଆଇନ-ବ୍ୟବସାୟରେ ପ୍ରବେଶ କଲା ପରେ ଭାଗ୍ୟଲକ୍ଷ୍ମୀ ତାଙ୍କ ପ୍ରତି ସୁପ୍ରସନ୍ନା ହେଲେ । ସେ ଏହି ବ୍ୟବସାୟରେ ବାର୍ଷିକ ଟ ୮୦୦୦୦ ପର୍ଯ୍ୟନ୍ତ ଉପାର୍ଜନା କରୁଥିଲେ-। ଓଡ଼ିଶା ଗଡ଼ଜାତର ରାଜାମାନେ ଅନେକ ବିଷୟରେ ତାଙ୍କଠାରେ ଋଣୀ । ଆଇନ-ବ୍ୟବସାୟ ସଙ୍ଗେ ସଙ୍ଗେ ଉତ୍କଳୀୟ ଶିଳ୍ପର ଉନ୍ନତି ଉଦ୍ଦେଶ୍ୟରେ ମଧ୍ୟ ସେ ବିଶେଷ ବିଶିଷ୍ଟତା ପ୍ରଚାର ତଥା ସାଧାରଣ ଶିଳ୍ପର ଉନ୍ନତିକଳ୍ପେ ଆଜୀବନ ବ୍ରତୀ ଥିଲେ । ତାଙ୍କ ପ୍ରତିଷ୍ଠିତ ଯୋତା ଓ ଅଳଙ୍କାର କାରଖାନା କାହାରିକୁ ଅବିଦିତ ନାହିଁ । ତାଙ୍କ କାରଖାନାର ଯୋତା ଆମେରିକା, ଜର୍ମାନୀ ପ୍ରଭୃତି ଦେଶରେ ବିକ୍ରି ହେଉଥିଲା । ବିଦେଶୀମାନେ ମଧୁସୂଦନଙ୍କୁ ଜଣେ ଉଚ୍ଚ ଦରର ବ୍ୟବସାୟୀ ଓ କାରୀଗର ବୋଲି ଜାଣିଥିଲେ । ଓଡ଼ିଶା ଯେ ଶିଳ୍ପୀର ଦେଶ, ଏଥିର ଦୃଷ୍ଟାନ୍ତ ଦେବାକୁ ସେ ଆଉ କାହାରି ପାଇଁ ରଖିଯାଇ ନାହାନ୍ତି । ଆଧୁନିକ ଶିକ୍ଷାପ୍ରଣାଳୀକୁ ସେ ପସନ୍ଦ କରୁ ନ ଥିଲେ । ତାଙ୍କ ମତରେ, ଶିକ୍ଷା ପାଇ ଲୋକେ ଜୀବିକା ନିର୍ବାହ କରି ନ ପାରିଲେ ଶିକ୍ଷାର ମୂଲ୍ୟ ନାହିଁ । ତାଙ୍କ ସୁରକ୍ଷିତ ଉଦ୍ୟାନ ତାଙ୍କୁ ଜଣେ ବିଚକ୍ଷଣ ଉଦ୍ଭିଦତତ୍ତ୍ୱବିତ୍ ରୂପେ ପରିଚୟ ଦିଏ । ଶରୀରବିଜ୍ଞାନରେ ମଧ୍ୟ ସେ ବିଶେଷ ପାରଦର୍ଶୀ ଥିଲେ । ନିଜ ଔଷଧର ବ୍ୟବସ୍ଥା ସେ ନିଜେ କରୁଥିଲେ । ଏପରି ନିୟମିତ ଜୀବନ ଯାପନ କରିବା ବ୍ୟକ୍ତି ଆମ୍ଭମାନଙ୍କ ମଧ୍ୟରେ ବିରଳ କହିଲେ ଚଳେ । ସଂକ୍ଷେପରେ କହିବାକୁ ଗଲେ, ମଧୁସୂଦନ ଏକାଧାରରେ କବି, ଶିଳ୍ପୀ, କୃଷକ ଓ ଆଇନଜ୍ଞ ଥିଲେ । ପ୍ରତିଭା ନ ଥିଲେ ବିଭିନ୍ନ ଦିଗରେ ଏପରି ବିଚକ୍ଷଣ ଭାବରେ ବିକାଶ ସାଧିତ ହେବା ଅସମ୍ଭବ ।

 

କର୍ମୀଙ୍କର ସାଧନା ସମାପ୍ତ ହୁଏ ନାହିଁ । ତାଙ୍କର ଚିନ୍ତାସ୍ରୋତ ଅବିରତ ଗତି କରୁଥାଏ । ସେ ନିଜର ଆଦର୍ଶ ନିଜେ ସୃଷ୍ଟି କରନ୍ତି । ଲୋକେ ତାଙ୍କୁ ଅନୁସରଣ କରନ୍ତି; କିନ୍ତୁ ସମୟ ସମୟରେ ବିଭ୍ରାଟ ଜନ୍ମିବା ଅସମ୍ଭବ ନୁହେଁ । ଦୃଷ୍ଟି ବୈଷମ୍ୟରେ ମତଦ୍ଵୈଧ ଘଟେ । ମଧୁସୂଦନଙ୍କ ଜୀବନରେ ଏପରି ଘଟଣା ଘଟିଯାଇଛି । ସେ ଓଡ଼ିଆ ଜାତୀୟ ଜୀବନର ଭିତ୍ତି ସ୍ଥାପନ କରି ଉତ୍କଳ କନ୍‌ଫରେନ୍‌ସକୁ ଯେ ଛାଞ୍ଚରେ ଗଢ଼ିଥିଲେ ଓ ତାର ଲକ୍ଷ୍ୟ ଯାହା ଥିଲା, ସେଥିପ୍ରତି ପରବର୍ତ୍ତୀ ଦେଶନାୟକମାନେ ଉଦାସୀନ ହେଲେ । ଶେଷରେ ଏହି କନ୍‌ଫରେନସ୍‌ର ବାର୍ଷିକ ଅଧିବେଶନ ସୁଦ୍ଧା ହୋଇପାରିଲା ନାହିଁ । ଦେଶରେ ସେ ଥିଲେ ଜଣେ ନାୟକ; କିନ୍ତୁ ତାଙ୍କୁ ଅନୁସରଣ କରି ଯେଉଁମାନେ ନାୟକ ବୋଲି ଗଣ୍ୟ ହେଲେ, ସେମାନଙ୍କ ଦୃଷ୍ଟି ଗଲା ଭିନ୍ନ ଦିଗରେ । ଏହା ଉତ୍କଳ ପକ୍ଷରେ ଗୌରବର ବିଷୟ କି ନା, ସେହି ଦେଶନାୟକମାନେ ଜାଣନ୍ତି । ଜଣକର ଦେଶପ୍ରେମ ଅନ୍ୟମାନଙ୍କଠାରେ ଭିନ୍ନ ଆକାରରେ ପ୍ରକାଶ ପାଇଲା । ବିଶେଷତଃ ରାଜନୀତି କ୍ଷେତ୍ରରେ ବେଶି ଦିନ ଜାତୀୟ ସ୍ୱାର୍ଥ ନିୟନ୍ତ୍ରିତ କରିବା ଖୁବ୍ କମ୍ ଲୋକଙ୍କ ପକ୍ଷରେ ସମ୍ଭବପର ହୋଇଥାଏ । ରାଜନୀତି ଘେନି ଅବଶ୍ୟ ପ୍ରତି ଦେଶରେ ବିଭିନ୍ନ ମତାବଲମ୍ବୀ କର୍ମୀମାନେ ଥାଆନ୍ତି । ତେଣୁ ମଧୁସୂଦନଙ୍କ ସହିତ ରାଜନୈତିକ ବିଷୟରେ ଏକମତ ନ ହେବାଦ୍ୱାରା ଓଡ଼ିଆ ଜାତି ତାଙ୍କୁ କୌଣସି ଅବମାନନା ଦେଖାଇ ନାହିଁ ବୋଲି ମନେ ହୁଏ । ସେ ଯାହା ହେଉ, ଶେଷ ଜୀବନରେ ସେ ରାଜନୀତି କ୍ଷେତ୍ରରୁ ଅବ୍ୟାହତି ନେଇଥିଲେ । ଅସହଯୋଗ ଆନ୍ଦୋଳନରେ ତାଙ୍କର ଆଦୌ ବିଶ୍ୱାସ ନ ଥିଲା । ଏହି ଆନ୍ଦୋଳନ ଫଳରେ ଭାରତର ଅନିଷ୍ଟ ହେବ ବୋଲି ସେ ଆଶଙ୍କା କରିଥିଲେ । ଅସହଯୋଗ ଆନ୍ଦୋଳନରେ ଯୋଗ ନ ଦେବାଦ୍ୱାରା କେହି କେହି ଭାବିଥିବେ, ସେ ସରକାରଙ୍କୁ ଭୟ କରି ଏପରି ନୀରବ ରହିଲେ କିନ୍ତୁ ବ୍ୟକ୍ତିଗତ ଭାବରେ ଯେ ତାଙ୍କ ସଂସ୍ପର୍ଶରେ ନ ଆସିଛନ୍ତି, ସେ ତାଙ୍କ ସାହସର ପରିଚୟ ପାଇ ନଥିବେ । ଓଡ଼ିଆ ଯେ ନିର୍ଭୀକ, ଏହା ମଧୁସୂଦନ ସର୍ବ ପ୍ରଥମେ ଇଂରେଜମାନଙ୍କୁ ଜଣେଇ ଦେଇଛନ୍ତି । ଏଥିରେ ତାଙ୍କ ଚରିତ୍ରର ମହନୀୟତା ସୁସ୍ପଷ୍ଟଭାବରେ ପ୍ରମାଣିତ ହୋଇଅଛି । ମଧୁସୂଦନ ଅସାଧାରଣ ଥିଲେ; ସମୟର ଢେଉରେ ସେ ଭାସି ଯାଉ ନ ଥିଲେ । ଉତ୍କଳର କଲ୍ୟାଣସାଧନ ତାଙ୍କ ଜୀବନର ବ୍ରତ ଥିଲା । ହବାକ୍ କମିଟିରେ ଭାବୀ ଉତ୍କଳ ପ୍ରଦେଶର କାର୍ଯ୍ୟ ସମାପନ କରି ସେ ପ୍ରଥମେ ଉତ୍କଳର ସ୍ୱତନ୍ତ୍ରୀକରଣ ପାଇଁ ଯେଉଁ ସୂଚନା ଦେଇଥିଲେ, ଉତ୍କଳୀୟମାନଙ୍କ ଦୁର୍ଭାଗ୍ୟରୁ ସେ ଆଜି ସେଥିରୁ ମଧ୍ୟ ଅବସର ନେଲେଣି ।

 

ମଧୁସୂଦନ ଆମ୍ଭମାନଙ୍କୁ ଯାହା ଦେଇଯାଇଅଛନ୍ତି, ସେହି ଅମୂଲ୍ୟ ସମ୍ପଦକୁ ସମ୍ବଳ କରି ଆମ୍ଭେମାନେ ବର୍ତ୍ତମାନ ଉତ୍କଳର ଗଠନକ୍ରିୟାରେ ଅଗ୍ରସର ହେବା । ନଶ୍ୱର ଜୀବନରେ ନିଃସ୍ୱାର୍ଥ କର୍ମ କିପରି କରିବାକୁ ହୁଏ, ତାର ଜ୍ୱଳନ୍ତ ଉଦାହରଣ ସେ ଦେଖାଇଦେଇ ଗଲେ । ତାଙ୍କର ବିଦାୟ ସଙ୍କେତ ଆଗରୁ ନୀଳାଚଳପତି ଜଣାଇ ଦେଲେ - ବଡ଼ ଦେଉଳର ବଡ଼ ଠାକୁର ଟଳି ପଡ଼ିଲାବେଳେ ଉତ୍କଳମାତାର ଶ୍ରେଷ୍ଠ ମୁକୁଟମଣି ଖସି ପଡ଼ିଲା !!!

•••

 

ଚିତ୍ର

ପ୍ରଭାତର ମୃଦୁ ମନ୍ଦ ହିଲ୍ଲୋଳରେ କେତେ ମାନବର ଶ୍ରାନ୍ତ ହୃଦୟ ଜୀବନର ଅତୀତ ଦୁଃଖରାଶିକୁ ପାସୋରିଦିଏ । କ୍ଷୁବ୍ଧ ଯୌବନର ଅତୃପ୍ତ ବାସନା କାଳଚକ୍ରର ପରିବର୍ତ୍ତନରେ ନୂତନ ମାର୍ଗ ଅନୁସରଣ କରେ; ସ୍ନେହର ବନ୍ଧନ ନିର୍ମମତାରେ ପରିଣତ ହୁଏ । ଅପଲକ ଦୃଷ୍ଟିରେ ଯେ ସୌନ୍ଦର୍ଯ୍ୟର ମହନୀୟତା ଉପଲବ୍ଧ ହୋଇଥାଏ, ତାକୁ ପୁଣି ଦୃଷ୍ଟି-ଅନ୍ତରାଳରେ ରଖିବାକୁ ମନୁଷ୍ୟ ଚେଷ୍ଟିତ ହୁଏ । ନିଭୃତରେ ଯାହାର ଆରାଧନା କ୍ଷିପ୍ତ ପ୍ରାଣର ଏକମାତ୍ର ଆଶ୍ୱସନା ହୋଇଥାଏ, ତାକୁ ପୁଣି ଭୁଲିଯିବା ମନୁଷ୍ୟର କେଉଁ ଧର୍ମ ? ବିଶ୍ୱପ୍ରକୃତିରେ ଯେଉଁ ଅମର ରାଗିଣୀ ଅସୀମ ଛନ୍ଦରେ ବିଷୟାକୃଷ୍ଟ ମନକୁ ଅତୀନ୍ଦ୍ରିୟ ରାଜ୍ୟକୁ ଟାଣିନିଏ ଓ ଯେଉଁ କମନୀୟ-କାନ୍ତି ଲାଳନାର ଲଳିତ ସ୍ୱରରେ ମୁଗ୍ଧ ପ୍ରାଣ କେତେ ଆଶାର ସ୍ୱପ୍ନ ଦେଖେ– ସେ ଦୁହିଁଙ୍କୁ ଉପେକ୍ଷା କରି ମନୁଷ୍ୟ କାହାର ନିଦେଶରେ କୋଳାହଳମୟ ଜଗତକୁ ସୁଖର ଆକାର ମନେ କରେ ? ଯେ ସୌନ୍ଦର୍ଯ୍ୟର ପୂଜାରେ ଆତ୍ମବିକାଶର ପଥ ସୁଗମ ହୋଇଉଠେ, ସେଥିରେ ପାପ-ପଙ୍କ ଲେପନ କରି ମନୁଷ୍ୟ କେଉଁ ସୁଖ ଅନୁଭବ କରେ ? ଯେ ସୁନ୍ଦରୀର ସରସ ସମ୍ପର୍କରେ ପୁରୁଷ ଅଲକ୍ଷିତରେ କେତେ ପ୍ରେରଣା ପାଇ ଜୀବନର ଗତିକୁ ମାର୍ଜିତ କରିନିଏ ଓ ଯାହାର ଅମଳ ଆକର୍ଷଣରେ ମନୁଷ୍ୟ ଦେବତ୍ୱ ଲାଭ କରେ, ତାକୁ ଘୁଣ୍ୟ ଚିତ୍ରରେ ଚିତ୍ରିତ କରି ସଂସାରବାସୀ କାହିଁକି ଜଡ଼ତାର ପରିଚୟ ଦିଅନ୍ତି ? ହୃଦୟ-ତନ୍ତ୍ରୀରେ ଯେ ରାଗିଣୀ ସୁସ୍ୱରରେ ବାଜିଉଠେ, ତାକୁ କାହାର ପ୍ରଭାବ କ୍ଷୀଣ କରି ନୈରାଶ୍ୟର ଛାୟାକୁ ସମ୍ମୁଖରେ ଆଙ୍କିଦିଏ ? ଯେ ଭାବ ଜୀବନର ଦୈନ୍ୟକୁ ଦୂର କରି କଳ୍ପନା ରଚିତ ଗୋଟାଏ ଅପାର୍ଥିବ ଉପଭୋଗ୍ୟ ବସ୍ତୁ ସୃଷ୍ଟି କରିଥାଏ, ତାକୁ ସହସା ଭିନ୍ନ ଆଲୋକରେ କିଏ ରଞ୍ଜିତ କରେ ? ଯାହାକୁ ଅବଲମ୍ବନ କରି ମନୁଷ୍ୟ ଶତ ବାଧା ଅତିକ୍ରମ କରିଥାଏ, ତାକୁ କାହା ଆଦେଶରେ ଅକାତରରେ ତ୍ୟାଗ କରେ ? ସୁଖର ସଂସାର ଚିତ୍ର କରି ନିଃସ୍ୱାର୍ଥ ପ୍ରେମ ବିନିମୟରେ କାଳଫଣିନୀର ବଶ୍ୟତା ସ୍ୱୀକାର କରିବାକୁ କିଏ ପ୍ରେରଣା ଦିଏ ? ଏହିସବୁ ଅବିରାମ ପରିବର୍ତ୍ତନ ଦେଖି ମାନବ-ଚରିତ୍ରକୁ ବିଶ୍ଲେଷଣ କଲେ ଗୋଟାଏ ଭୀଷଣ ଜଟିଳତା ପ୍ରକଟିତ ହୁଏ ।

 

ମନ ଓ ଚରିତ୍ର ଘନିଷ୍ଠଭାବରେ ସଂପୃକ୍ତ । ମାନସିକ ସଂଯମ ପ୍ରତି ଦୃଷ୍ଟି ନ ରଖି ଚରିତ୍ରର ଶୁଦ୍ଧତା ପ୍ରମାଣ କରିବା କାତୁଳତା ମାତ୍ର । ମନ ହିଁ ଯାବତୀୟ ଶିକ୍ଷାର କେନ୍ଦ୍ର । ଅନ୍ତରର ଭାବ ଘେନି କର୍ମଜଗତର ସ୍ଥିତି ଓ ପରିଚାଳନା । ସଞ୍ଚିତ ବାସନାରେ କର୍ମସୂତ୍ର କ୍ରମଶଃ ଦୀର୍ଘ ହେଉଥାଏ । ଅନେକ ସମୟରେ କର୍ମକ୍ଷେତ୍ର ବଡ଼ ବିଭ୍ରାଟ ଆକାର ଧାରଣ କରେ । ମନୁଷ୍ୟ ଯାହାକୁ ପାଇବାକୁ ଅଜସ୍ର ସାଧନା କରିଥାଏ, ତାକୁ ପାଏ ନାହିଁ । ସେ ମନେ କରେ, ଜୀବନରେ ଲକ୍ଷ୍ୟ ନାହିଁ; ଗୋଟାଏ ଉଦ୍ଦେଶ୍ୟହୀନ ବିଫଳ କର୍ମସ୍ରୋତ ତାକୁ ଟାଣି ନେଉଚି । ଆତ୍ମନିର୍ଭରଶୀଳତା ଉପରେ ବିଶ୍ୱାସ ରଖିବାକୁ ସେ କୁଣ୍ଠିତ ହୁଏ । ବାସ୍ତବରେ କର୍ମଜଗତର ଗତି ଅଗଣିତ; କିନ୍ତୁ ସେହି ଅଗଣିତତା ମଧ୍ୟରେ ଗୋଟାଏ ଧାରା ଅନ୍ତଃସଲିଳା ଫଲଗୁପରି ସର୍ବଦା ବହମାନା । ମନୁଷ୍ୟ ତାକୁ ଦେଖିପାରେ ନାହିଁ । ନିଜର ଭାଗ୍ୟକୁ କେତେ ଧିକାର ଦିଏ । ସମସ୍ତ ଜୀବନଟାକୁ ତୁଚ୍ଛ ମନେ କରି କଟାଇଦେବା ମଧ୍ୟ ତା ପକ୍ଷରେ ଅସମ୍ଭବ ହୁଏ ନାହିଁ । ଉପସ୍ଥିତ ଜୀବଦ୍ଦଶାରେ ମନୁଷ୍ୟ ଯେତେବେଳେ ସାମାନ୍ୟ ଶିଶୁପରି ଚଞ୍ଚଳ ହୋଇଉଠୁଛି ଏବଂ ପ୍ରତି ଘଟଣାର ସଂଘର୍ଷରେ ନିଜର ନିଜତ୍ୱ ରକ୍ଷା ପ୍ରତି ଦୃଷ୍ଟି ଦେଉ ନାହିଁ, ସେତେବେଳେ ତାର ଅତୀତ ଜୀବନର କର୍ମ ଓ ଭାବନାର ସୁନିୟନ୍ତ୍ରିଣରେ ଗୋଟାଏ ସରଳ ଅଦୃଷ୍ଟ ସୃଷ୍ଟି ହେବା ଅସମ୍ଭବ । ସୂକ୍ଷ୍ମଦୃଷ୍ଟିରେ ଆଲୋଚନା କଲେ ଦେଖାଯିବ ଯେ, ମାନସିକ ଚଞ୍ଚଳତା ଓ ବିକୃତି ଏସବୁ ବିଭ୍ରାନ୍ତିର ମୂଳକାରଣ । ମନକୁ ବାଦ ଦେଇ ମନୁଷ୍ୟକୁ ସଂସାରକ୍ଷେତ୍ରରେ ଛାଡ଼ିଦେଲେ ସଂସାରଟା ବୈଚିତ୍ର୍ୟହୀନ ହୋଇପଡ଼ନ୍ତା; ସଂସାରଟା ଯେ ଗୋଟାଏ ପ୍ରକାଣ୍ଡ ଜୀବଶାଳା (ଚିଡ଼ିଆଖାନା), ଏହା କେହି ହୃଦୟଙ୍ଗମ କରିପାରନ୍ତେ ନାହିଁ । ଆଜି ଏହି ସାମଞ୍ଜସ୍ୟହୀନ ସଂସାରରେ ନୂତନତ୍ୱ ବୋଲି ଗୋଟାଏ ଜିନିଷ ଦେଖିବାକୁ ମିଳନ୍ତା ନାହିଁ । ପୁନଶ୍ଚ ଏହି ପ୍ରସଙ୍ଗରେ କୁହାଯାଇପାରେ ଯେ, ଆତ୍ମବଞ୍ଚନା ଛଡ଼ା ମାନସିକ ବିକୃତି କିମ୍ବା ଚଞ୍ଚଳତାର ଅନ୍ୟ କୌଣସି କାରଣ ନାହିଁ । ମୂଳରେ ଆତ୍ମବଞ୍ଚନା ଥାଇ ଯଦି ଗୋଟାଏ ବିଚିତ୍ର ସଂସାର ଗଢ଼ି ପାରିଲ, ତାହା ହେଲେ ଦୋଷ କିମ୍ବା ଗୁଣକୁ ସମାନ ଚକ୍ଷୁରେ ଦେଖିନେବା ଉଚିତ ନୁହେଁ କି ?

 

ଯେ ନିୟମର ଅଧୀନତାରେ ବିଶ୍ୱପ୍ରକୃତିର ଆଲୋଡ଼ନ ସମ୍ଭବପର ହୋଇଅଛି, ତାହାରି ଅଧୀନତାରେ କ୍ଷୁଦ୍ର ମାନବର କର୍ମଗ୍ରନ୍ଥ ନିତ୍ୟ ନୂତନ ଆକାରରେ ପ୍ରକାଶିତ ହେବା କଣ ସମ୍ଭବପର ନୁହେଁ ? ଏହି ରୀତି ଅନୁସରଣ କରି ଯଦି ଜଣେ ସୌନ୍ଦର୍ଯ୍ୟପିପାସା ମେଣ୍ଟାଇବା ପାଇଁ ଭ୍ରମରର ଆକୁଳ ଗୁଞ୍ଜନରେ ମନଃପ୍ରାଣ ଢାଳିଦେଲା ଓ ଭ୍ରମର ପରି ଆଚରଣ କରି କେତେ ସୁନ୍ଦରୀର ସୁକୋମଳ ଅନ୍ତରକୁ ନଷ୍ଟ କରିଦେଲା, ତାହା ହେଲେ ଦୋଷ କାହାର ? ନୀରସ ଜୀବନରେ ସରସତା ଆଣି ପୁଣି ଗୋଟାଏ ବିକ୍ଷୁବ୍ଧ ଭାବ ସୃଷ୍ଟି କଲେ ସ୍ରଷ୍ଟାର ଉଦ୍ଦେଶ୍ୟ କେତେ ଦୂର ସାଧିତ ହୋଇପାରେ ? ସବୁ ଯଦି ଲୀଳାମୟଙ୍କର ଅସୀମ ଲୀଳାରୂପେ ଗୃହୀତ ହୁଏ, ତାହା ହେଲେ ଜଗତରେ କାହାକୁ ଧରି ହେବ ନାହିଁ । ଯେଉଁ ସୌନ୍ଦର୍ଯ୍ୟପୂଜାରେ ମନୁଷ୍ୟର ସମସ୍ତ ସାଧନା ନିୟୋଜିତ ହୋଇଥାଏ, ତାକୁ ଅଲକ୍ଷିତରେ ଅନ୍ତର କରିଦେଲେ କିମ୍ବା ପୂଜାର ବିଗ୍ରହଟିକୁ ବିକଳାଙ୍ଗ କରିଦେଲେ ସେ ଅବଲମ୍ବନଶୂନ୍ୟ ହୋଇପଡ଼େ । ଯଦି ପୂଜକ ସାଧାରଣ ଶ୍ରେଣୀର ହୋଇଥାଏ, ତାହା ହେଲେ ତାକୁ ଭୁଲାଇଦେବା ପାଇଁ ଅନ୍ୟ ବିଗ୍ରହର ପ୍ରତିଷ୍ଠା କରାଯାଇପାରେ । ଶିଶୁର ମନ ଭୁଲାଇବା ପାଇଁ ପିତାମାତା ବିଭିନ୍ନ ଖେଳନାର ସାହାଯ୍ୟ ନିଅନ୍ତି; କିନ୍ତୁ ଶିଶୁଟି ଏକଜିଦିଆ ହେଲେ ସବୁ ପ୍ରଯତ୍ନ ବୃଥା ହୋଇଥାଏ । କେହି କେହି କହି ପାରନ୍ତି. ଉର୍ଣ୍ଣନାଭ ପରି ମନୁଷ୍ୟ ନିଜର ଭାଗ୍ୟଡ଼ୋରି ସୃଷ୍ଟି କରେ ଏବଂ ସେଥିରେ ଅନନ୍ତ କାଳ ପର୍ଯ୍ୟନ୍ତ ଝୁଲୁଥାଏ । ତାର ସୁଖ ଓ ଦୁଃଖଭୋଗରେ ବିଧାତାଙ୍କର କୌଣସି ସମ୍ପର୍କ ନାହିଁ । ଏପରି ସ୍ଥଳରେ ଏତିକି ମାତ୍ର କୁହାଯାଇପାରେ ଯେ, ନିୟାମକକୁ ବାଦ ଦେଇ ନିୟମକୁ ସ୍ୱୀକାର କରିବା ସମ୍ଭବପର ନୁହେଁ । ନିୟମର ଲଙ୍ଘନ କିମ୍ବା ପାଳନରେ ଧାତା ଅସଂପୃକ୍ତ ରହିପାରନ୍ତି; କିନ୍ତୁ ନିୟମଟିକୁ ପ୍ରଚଳନ କରିବା ପାଇଁ ତାଙ୍କୁ ଦାୟିତ୍ୱ ନେବାକୁ ପଡ଼ିଥିଲା ।

 

ବଞ୍ଚନାକୁ ଅନ୍ୟ ପକ୍ଷରେ ମାୟାର ଖେଳ ବୋଲି ଧରାଗଲେ ବଞ୍ଚକର ସ୍ୱରୂପ ନିର୍ଦ୍ଦେଶ ନ କରି ଚୁପ୍ ରହିବା ଭଲ । ଏହି ସମ୍ପର୍କରେ ସମସ୍ତ ଜଗତଟା ବଞ୍ଚିତ ହେବା ପାଇଁ ସୃଷ୍ଟ ବୋଲି ଅନୁମିତ ହୋଇପାରେ । ରୂପର ମୋହରେ ଦର୍ଶକ ଯେ ଚିତ୍ର ଦେଖେ, ତା କଅଣ ଠିକ୍ ? ସ୍ତାବକର ସ୍ତୁତିଗାନରେ ଯେ କର୍ଣ୍ଣତୃପ୍ତିକର ଆଶ୍ୱାସନା ଆସେ, ସେଥିରେ ପ୍ରକୃତ ମୂଲ୍ୟ କେତେ ? ହୃଦୟର ଆବେଗରେ ଯେ ପ୍ରଣୟବାଣୀ ନିଃସୃତ ହୁଏ, ତାହା କଅଣ ଅନ୍ତରର ସତ୍‌ପରିଚୟ ଦିଏ, ନା ମୁହୂର୍ତ୍ତକର ଉତ୍ତେଜନାରେ ଗୋଟାଏ ସ୍ୱପ୍ନରଚିତ ନିସର୍ଗପୁରୀ ସୃଷ୍ଟି କରେ ? ଜ୍ୟୋତ୍ସ୍ନା-ପ୍ଳାବିତ ବସନ୍ତ ଯାମିନୀର ମୃଦୁ ହିଲ୍ଲୋଳ ସ୍ପର୍ଶରେ କେତେ ଶୀର୍ଣ୍ଣ ହୃଦୟ ପଲ୍ଲବିତ ହୋଇଉଠେ; କିନ୍ତୁ କିଏ କହିପାରେ ଅକସ୍ମାତ୍ ଗୋଟାଏ ବିପର୍ଯ୍ୟୟ ଆସି ନିଦାଘର ଭୀଷଣତା ମଧ୍ୟରେ ସବୁ ଆଶାଭରସା ପୁଣି ଲୋପ କରି ଦେଇପାରେ । ପଲକେ ପଲକେ କେତେ ରଙ୍ଗର ଚିତ୍ର ସଂସାରୀର ସମ୍ମୁଖରେ ଦେଖା ଦେଇ ଲୁଚି ଯାଉଚି । ଗୋଟାଏ ଗୋଟାଏ ଅସାଧାରଣ ଦୃଶ୍ୟ ଦର୍ଶନରେ ତାର ମନ ଓ ପ୍ରାଣ ଏକାବେଳକେ ନିସ୍ତେଜ ହୋଇପଡ଼ୁଛି । ଏଥିରେ ମଧ୍ୟ କୌଣସି ସାମଞ୍ଜସ୍ୟ ଦେଖାଯାଉ ନାହିଁ-। ପ୍ରକୃତିଗଣ ଆକର୍ଷଣ ପ୍ରଭାବରେ ଜଣେ ଯାହାକୁ ଏକମାତ୍ର ଅବଲମ୍ବନ କରି ଧରିଚି ଏବଂ ଯାହାର ତିରୋଧାନରେ ସମସ୍ତ ଜଗତକୁ ଅନ୍ଧକାରମୟ ଦେଖୁଚି, ଅନ୍ୟ ଜଣେ ସେହି ବିଶିଷ୍ଟ ଦର୍ଶନର ଅଭାବରେ ଲେଶମାତ୍ର ନିରାନନ୍ଦତା ଅନୁଭବ କରୁ ନାହିଁ । କେବଳ ଏତିକି ନୁହେଁ, ସମୟଭେଦରେ ଦ୍ରଷ୍ଟାର ମାନସିକ ଅନୁଭୂତି ଅନୁସାରେ ବିଶେଷ ପରିବର୍ତ୍ତନ ଦେଖାଯାଏ । ଯେ ହୃଦୟ କ୍ଷୁବ୍ଧ ହୋଇ ଉଠିଥାଏ, ତାହା ପୁଣି କାହିଁକି ପ୍ରଶାନ୍ତ ଭାବ ଧାରଣ କରେ ? ଜୀବଜଗତରେ ମନୁଷ୍ୟ ଛଡ଼ା ଅନ୍ୟ ପ୍ରାଣୀ ଉପର୍ଯୁକ୍ତ ପ୍ରଭାବର ଅନୁବର୍ତ୍ତୀ ନୁହନ୍ତି ।

 

ମନୁଷ୍ୟ ମନେ ମନେ କେତେ ଆଶାର ସ୍ୱପ୍ନ ଦେଖେ, ଯୌବନର ଉନ୍ମାଦନାରେ ସେ କେତେ କୁହୁକିନୀ ଶକ୍ତି ଅନୁଭବ କରେ । କଳ୍ପନାଚକ୍ଷୁରେ କେତେ ସୁଖର ସୌଧ ନିର୍ମାଣ କରିଯାଏ-। କେତେ ଅସାମାନ୍ୟା ଲଳନାର ମାନସୀ ପ୍ରତିମା ସୃଷ୍ଟି କରି ଅପରିସୀମ ଆନନ୍ଦ ପାଏ । ଦୁର୍ଦ୍ଦିନର ଝଞ୍ଜାକୁ ସମ୍ପୂର୍ଣ୍ଣରୂପେ ପାସୋରି ପକାଏ । ମନେ କରେ, ସଂସାରଟା ତା ପକ୍ଷରେ ଗୋଟାଏ ବିଳାସଭବନ । ଏହି ପର୍ଯ୍ୟାୟରେ ଆସେ ଗୋଟାଏ ତୁମୂଳ ବାତ୍ୟା- ଯାହାର ଅସ୍ଥିର ପ୍ରକମ୍ପନରେ ଦୁର୍ବଳ ମାନବ ଦୈନ୍ୟର ଅତଳକୁ ଚାଲିଯାଏ, ପୂର୍ବର ସୌମ୍ୟଭାବ କେଉଁଆଡ଼େ ଲୋପ ପାଇଯାଏ, ବିଳାସର ରଙ୍ଗଭୂମି ମରୀଚିକାରେ ପରିଣତ ହୁଏ । ଗୋଟାଏ ବିକଳ ଦୃଶ୍ୟରେ ହୃଦୟ ବିଦୀର୍ଣ୍ଣ ହେବାକୁ ବସେ । ଏ ସମସ୍ତ ମୂଳରେ ମନର କାର୍ଯ୍ୟକାରୀ ଶକ୍ତି ସର୍ବଦା ଜାଗ୍ରତ ରହିଥାଏ । ଭାଗବତକାର ଲେଖିଗଲେ– ‘‘ମନର ମୂଳେ ଏ ଜଗତ’’ । ଜଗତର ସ୍ଥିତି ପାଇଁ ସେ ମନକୁ କାହିଁକି ନିର୍ଦ୍ଦେଶ କରିଦେଇ ଗଲେ ? ଜଗତରେ ଯେତେ ପରିବର୍ତ୍ତନ ଘଟୁଚି କିମ୍ବା ଯେତେ ନୂତନତ୍ୱର ସୂତ୍ରପାତ ହେଉଚି, ସେ ସମସ୍ତର ଉତ୍ପତ୍ତି ମାନସ-ରାଜ୍ୟରେ ଅବଶ୍ୟ ହୋଇଥାଏ । କେତେବେଳେ ଓ କିପରି ଭାବରେ ମାନସିକ କ୍ରିୟା ବାହ୍ୟ ସାଂସାରିକ ଚିତ୍ରରେ ପ୍ରକାଶ ପାଏ, ତାହା ସ୍ଥିର କରିବା ସହଜ ନୁହେଁ । ଜଗତର ଯାବତୀୟ ଜଟିଳତା ଭେଦ କରି ଭାଗବତକାର ଦେଖିଲେ, ମନଛଡ଼ା ଅନ୍ୟ କାର୍ଯ୍ୟକାରୀ ଶକ୍ତି ନାହିଁ । ତେବେ ଏପରି ବୈଷମ୍ୟ ଦୃଷ୍ଟ ହେବାର କାରଣ କଣ ? ଏକ ଶକ୍ତିର ଭିନ୍ନ ଭିନ୍ନ କ୍ରିୟା-କୌଶଳରେ ଏପରି ଅସାମଞ୍ଜସ୍ୟ ସୃଷ୍ଟି ହେବା କିଛି ବିଚିତ୍ର ନୁହେଁ । କେବଳ ମନକୁ ନ ଧରି ପ୍ରକୃତିକୁ ତା ସହିତ ସଂଯୋଗ କଲେ ଜଗତର ଜଟିଳତା ସ୍ପଷ୍ଟ ଭାବରେ ପ୍ରତୀୟମାନ ହୁଏ ।

 

ପ୍ରସ୍ଫୁଟିତ କଳିକାର ସ୍ନିଗଧ ସୌରଭରେ ଚଞ୍ଚଳ ଯୌବନ ଯେତେବେଳେ ଉତ୍ତରଳ ହୋଇଉଠେ ଓ ଅକାତରରେ କେତେ ଅଙ୍ଗଲତା ସ୍ପର୍ଶ କରି ଚାଲିଯାଏ, ସେତେବେଳେ ଗୋଟାଏ ଉନ୍ମାଦନାରେ ଜୀବନର ସହସ୍ର ନିର୍ଯ୍ୟାତନା ଓ ଯନ୍ତ୍ରଣା କେଉଁଆଡ଼େ ଉଭେଇ ଯାଏ । ଫାଲ୍ଗୁନ ସନ୍ଧ୍ୟାର ସ୍ୱାଗତ ଅଭିବାଦନରେ ପ୍ରେମର ବନ୍ୟା ପ୍ରବଳ ହୋଇଉଠେ, ବିଶ୍ୱର ମୋହନ ରାଗିଣୀ ପ୍ରାଣୀଜଗତକୁ ସତେଜ କରିଦିଏ । ଉନ୍ମୁକ୍ତ ହୃଦୟରେ ଜଣେ ଜଣକୁ ଅପେକ୍ଷା କରେ ତାର ସର୍ବସ୍ୱ ଦେଇ ନିଜର କରି ନେବାକୁ; କିନ୍ତୁ ପରିଣାମ କଣ ହୁଏ ? ଗାନର ସୁମଧୁର ଲହରୀ ଉଠିଲା ବେଳେ ବୀଣାତନ୍ତ୍ରୀ ହଠାତ୍ ଛିଣ୍ଡିଗଲେ ଗୋଟାଏ ଯେପରି ବେସୁର ରାଗିଣୀ ବାଜି ଉଠି ସବୁ ନୀରବ ହୋଇଯାଏ, ସେହିପରି କ୍ଷିପ୍ତ ଯୌବନର ଉଦ୍ଦାମ ଭାବ କୌଣସି ଗୋଟାଏ ଆଘାତ ପାଇଲେ ସମ୍ପୂର୍ଣ୍ଣରୂପେ ଭିନ୍ନ ଆକାର ଧାରଣ କରେ । ମୁହୂର୍ତ୍ତକର ଅବକାଶରେ ମନୁଷ୍ୟ କେତେ ସୁଖସ୍ୱପ୍ନ ଦେଖି ପୁଣି ନୈରାଶ୍ୟ ଭାରକୁ ହୃଦୟରେ ବହନ କରି ଅଗ୍ରସର ହୁଏ । ଯଦି କୌଣସି ବିଷୟ କିମ୍ବା ଅବସ୍ଥାର ସ୍ଥିରତା ନାହିଁ, ତାହାହେଲେ ଜଗତର ହାହାକାର ଓ ଆନନ୍ଦ-କୋଳାହଳ ମଧ୍ୟରେ ପ୍ରଭେଦ କଣ ? ଏସବୁ ନିରର୍ଥକ ହେଲେ ପୂଜକ କାହିଁକି ତାରି ନୈବେଦ୍ୟ ଘେନି ପୂଜାପାଇଁ ପ୍ରସ୍ତୁତ ହେବ ? ସୃଷ୍ଟିଲୀଳା ଦେଖି ମାନବ କାହିଁକି ବିଶ୍ୱର ଅସୀମ ଶକ୍ତି ଅନୁଭବ କରିବ-? ଚାର୍ବାକଙ୍କର ମତଟି ହୃଦୟଙ୍ଗମ କରି ସେ ନୀରବ ହୋଇ ରହିବ । ଅଗଣିତ ଉତ୍ତାଳ ତରଙ୍ଗ ଜାଲ ମଧ୍ୟରେ ସ୍ରୋତର ଗତି ନିର୍ଣ୍ଣୟ କରିବା କଷ୍ଟକର । ବିଶେଷତଃ ବହିର୍ଦ୍ଦୃଷ୍ଟିରେ ଏହାର ଚିତ୍ର ଅନ୍ୟ ପ୍ରକାର ଦେଖାଯାଏ । ସାଧାରଣ ପୂଜକ ହୃଦୟର ଚପଳତାବଶତଃ ଗୋଟିକ ପରେ ଗୋଟିଏ ଆଧାରକୁ ଅନୁସରଣ କରି ଅନେକ ଥର ଅର୍ଘ୍ୟ ଅର୍ପଣ କରେ; କିନ୍ତୁ କୌଣସି ସମୟରେ ଆତ୍ମତୃପ୍ତି ଅନୁଭବ କରିବାରେ ନାହିଁ । ଜଗତ୍ ତାହା ପାଇଁ ନାନା ଭାବରେ ପ୍ରତିପନ୍ନ ହୁଏ । ସେ ଦେଖେ - ରମଣୀର ମୁଖମଣ୍ଡଳରେ ଯେ ଉନ୍ମାଦନା ଅଛି, ପୁଷ୍ପର ଅନିନ୍ଦ୍ୟ ଆଘ୍ରାଣରେ ତାହା ନାହିଁ; ସମୀରଣର ମୃଦୁସ୍ପର୍ଶ ଓ ପ୍ରେମିକାର ଅଞ୍ଚଳର ଭାର, ଜବାପୁଷ୍ପ ଓ ଯୁବତୀର ରକ୍ତିମ ଓଷ୍ଠାଧର, ସୁନ୍ଦରୀର ସରଳ ହାସ୍ୟ ଓ ଉନ୍ମୁକ୍ତ କଳିକା ମଧ୍ୟରେ କେତେ ପାର୍ଥକ୍ୟ ରହିଚି । ପାର୍ଥକ୍ୟ ଜ୍ଞାନରେ ହୃଦୟର ଉନ୍ନତ ସୋପାନ ଆରୋହଣ କରାଯାଇପାରେ ନାହିଁ । ଭେଦଭାବ ଘେନି ଜଗତରେ ଯାବତୀୟ ଅଶାନ୍ତି ସୃଷ୍ଟି ହୋଇଅଛି । କେହି କ୍ୱଚିତ୍ ଏହାକୁ ଲକ୍ଷ୍ୟ କରନ୍ତି; ସେଥିଯୋଗୁଁ ଅଧିକାଂଶ ସମୟରେ ବଡ଼ ବିଷମ ଅବସ୍ଥା ଆସି ପହଞ୍ଚିଯାଏ । ଗୋଟାଏ ବାହ୍ୟ ପ୍ରେରଣାର ଅଧୀନ ହୋଇ ସମସ୍ତଙ୍କୁ ନିଜର କରିନେବା କିମ୍ବା ସେହି ଜ୍ଞାନରେ ସମସ୍ତଙ୍କୁ ପ୍ରେମ ବିତରଣ କରିବା ସାଧାରଣ ମାନବ ପକ୍ଷରେ ଉଚିତ ହୋଇ ନ ପାରେ । ପୂଜକ ନିଭୃତରେ କାହିଁକି ନିଜର ଆରାଧ୍ୟ ଦେବତାଙ୍କୁ ପୂଜା କରେ ? ବିଭିନ୍ନ ଅବଲମ୍ବନରେ ମାନବର ଲକ୍ଷ୍ୟ ସାଧନ ହୁଏ ନାହିଁ । ମନର ଗତି ସ୍ୱତଃ ଚଞ୍ଚଳ; ସେଥିରେ ପୁଣି ଭିନ୍ନ ଭିନ୍ନ ଦିଗରୁ ଆକର୍ଷଣ ପଡ଼ିଲେ ଆତ୍ମବଳ କ୍ଷୀଣ ହୋଇ ତାକୁ ଗୋଟାଏ ଦୋଳାୟମାନ ଅବସ୍ଥାରେ ଉପନୀତ କରାଏ । ଜଗତର ଅଧିକାଂଶ ମନୁଷ୍ୟ ଏହି ପତନଶୀଳ ଅବସ୍ଥାର ଅଧୀନ । ଆଜି ଜଣେ ଜଣକୁ ହୃଦୟର ଅମୂଲ୍ୟ ସିଂହାସନରେ ବସାଇ ପୂଜା କରୁଚି; କିନ୍ତୁ କିଛିକ୍ଷଣ ପରେ ସାମାନ୍ୟ ମାନସିକ ପରିବର୍ତ୍ତନ ଆସିଲେ ସେହି ଆରାଧ୍ୟ ଦେବତାକୁ ସହଜରେ ଉପେକ୍ଷା କରି ଚାଲିଯାଉଚି । କେହି ପୁଣି ପାର୍ଥିବ ବିଷୟ ବିନିମୟରେ ଅପାର୍ଥିବ ପ୍ରେମକୁ ପ୍ରତ୍ୟାଖ୍ୟାନ କରୁଚି । ଯେ ଶରୀର-ସୌନ୍ଦର୍ଯ୍ୟ-ମୋହରେ ମନୁଷ୍ୟ ଉତ୍‌କ୍ଷିପ୍ତ ହୋଇଉଠେ ଏବଂ ଯାହାକୁ ପାଇବା ପାଇଁ ସେ ଅସାଧ୍ୟ ସାଧନ କରେ, ତାର ପୁଣି କ୍ରୂର ଛୁରିକାଘାତରେ ଉପଯୁକ୍ତ ମୂଲ୍ୟ ନିରୂପଣ କରିଦିଏ; ସୁତରାଂ ବୁଝିବାକୁ ହେବ ଯେ, ଜଗତର ଗତିଟା ସାଧାରଣତଃ ନିମ୍ନ ଆଡ଼କୁ ।

 

ଚୁମ୍ବକ ଓ ଲୌହର ଆକର୍ଷଣ ସଙ୍ଗେ ମନୁଷ୍ୟର ଅନ୍ତର୍ନିହିତ ଆକର୍ଷଣର ସାମଞ୍ଜସ୍ୟ ଅଛି । ଦୁଇଟି ସମ୍ପୂର୍ଣ୍ଣ ଅପରିଚିତ ପ୍ରାଣୀ କେଉଁ ଅଜ୍ଞାତ ନିୟାମକର ଆଦେଶରେ ଆବଦ୍ଧ ହୋଇରହନ୍ତି ? ସହସ୍ର ଚଞ୍ଚଳତା ଓ ଜଟିଳତା ମଧ୍ୟରେ ସେହି ଦୁଇ ହୃଦୟର ବନ୍ଧନ କାହିଁକି ଶିଥିଳ ହୁଏ ନାହିଁ ? ପାର୍ଥିବ ବିଚିତ୍ରତାରେ ସେମାନେ ଇତସ୍ତତଃ ହୁଅନ୍ତି ନାହିଁ । ମନେ ହୁଏ, ଯେପରି ଦୁଇଟି ଜୀବ ଅନନ୍ତ କାଳରୁ ପରସ୍ପରକୁ ଅନୁସରଣ କରି ଚାଲିଛନ୍ତି । ଗୋଟାଏ ଅବିରାମ ଗତିରେ ଦୁହିଁଙ୍କର ଜୀବନସ୍ରୋତ ପ୍ରବାହିତ ହୋଇଯାଉଚି । କେତେ ବାଧାବିଘ୍ନ ଆସୁଚି ସମୟ ସମୟରେ ସେମାନଙ୍କୁ ପୃଥକ୍ କରି ଦେଉଚି; କିନ୍ତୁ ଯେ ବନ୍ଧନରେ ସେମାନେ ଆବଦ୍ଧ, ତାକୁ ଉନ୍ମୋଚନ କରିବା ବାହ୍ୟ ଜଗତର କ୍ରିୟା ନୁହେଁ ।

 

ଲୋକଚକ୍ଷୁରେ ଏହାର ସ୍ୱରୂପ ଅବଧାରିତ ହୋଇପାରେ ନାହିଁ । ତେଣୁ ଜଗତ୍ ପ୍ରେମର ସ୍ଥାନ ନିର୍ଦ୍ଦେଶ କରିବାକୁ ଅକ୍ଷମ ହୁଏ । ସଂଖ୍ୟାତୀତ ସମଜାତୀୟ ସୁଲଭ ଚିତ୍ର ଦେଖି କୌଣସି ଅସାଧାରଣ ଦର୍ଶନରେ ସାଧାରଣ ମନୁଷ୍ୟର ମନ ମଜ୍ଜି ରହିବାକୁ ଆକାଙ୍କ୍ଷା କରେ ନାହିଁ । ନଭଶ୍ଚୁମ୍ବୀ ଶିଖରୀର ପ୍ରାକୃତିକ ଶୋଭାସମ୍ପଦକୁ କେତେ ଜଣ ଗ୍ରହଣ କରିପାରନ୍ତି ? ଶରତ ଚନ୍ଦ୍ରିକାର ବିମଳ ପ୍ଲାବନରେ କେତେଟା ହୃଦୟ ନୈସର୍ଗିକ ଦୃଶ୍ୟ ସନ୍ଦର୍ଶନ କରେ ? ସିକତାଶୟନରେ ଅନନ୍ତ ଆକାଶକୁ ନିରୀକ୍ଷଣ କରି ଭାବାବେଶରେ ନିଜର ଆତ୍ମସତ୍ତାକୁ କେତେ ଜଣ ସେହି ଅନନ୍ତ ସତ୍ତା ସଙ୍ଗେ ମିଶାଇ ଦେଇପାରନ୍ତି ? ଚିତ୍ର ସମସ୍ତେ ଦେଖନ୍ତି; କିନ୍ତୁ ତାର ବିଶିଷ୍ଟତା ଅନୁଭବ କରନ୍ତି ଖୁବ୍ କମ୍ ଲୋକ ।

 

ଅନ୍ତରର ଭାବ ଘେନି ବହିର୍ଜଗତରେ ଅସୀମ ଚିତ୍ର ସମ୍ପଦର ସମାବେଶ ହୋଇଥାଏ । ଗ୍ରାହକ ଅନୁସାରେ ଚିତ୍ରମାନଙ୍କର ମୂଲ୍ୟ ନିରୂପିତ ହୁଏ । ବିପଣୀରେ ଅସଂଖ୍ୟ ପଦାର୍ଥ ସଜ୍ଜିତ ହୋଇ ରହିଥାଏ; କିନ୍ତୁ ଏକାବେଳକେ ସମସ୍ତ ପଦାର୍ଥ ଗ୍ରହଣ କରିବାକୁ କେହି ଆସନ୍ତି ନାହିଁ । ସମୟ ଓ ରୁଚିଭେଦରେ ଚିତ୍ରଗୁଡ଼ିକ ଗୃହୀତ ହୁଏ । ଜଣକ ଚକ୍ଷୁରେ ଯାହା ଆଦରଣୀୟ, ଅପର ଚକ୍ଷୁରେ ତାହା ହେୟ ବିବେଚିତ ହେବା ଅସମ୍ଭବ ନୁହେଁ । ଇତର ଶ୍ରେଣୀର ଗ୍ରାହକମାନେ ସବୁବେଳେ ଚିତ୍ରର ଚାକଚକ୍ୟରେ ମନଃପ୍ରାଣ ଢାଳି ଦିଅନ୍ତି । ସେମାନଙ୍କର ଅନ୍ତର ଗୋଟିକରେ ମଜ୍ଜି ରହିବାକୁ ଚାହେଁ ନାହିଁ । ଗୋଟିକ ପରେ ଗୋଟିଏ ଦେଖି ସେମାନେ ବାସନାର ମାତ୍ରାକୁ ବଢ଼ାଉଥାନ୍ତି । କୁସୁମର ଆଘ୍ରାଣ କିମ୍ବା ଦର୍ଶନରେ ଆନନ୍ଦ ପାଇବା ଦୂରେ ଥାଉ, ତାର ପାଖୁଡ଼ାଗୁଡ଼ିକ ଛିନ୍ନ କରି ବିକଳାଙ୍ଗ କୁସୁମରାଶି ପକାଇ ଦେଇ ଗଲେ ସେମାନଙ୍କର ଗୋଟାଏ ଦାନବୀ ତୃପ୍ତି ଆସେ । ମାନବ-ଇତିହାସରେ ଏହାର ଦୃଷ୍ଟାନ୍ତ ଯଥେଷ୍ଟ ମିଳେ । ଦର୍ଶକର ଆବିଳ ଦୃଷ୍ଟିରେ ଚିତ୍ରର ମହତ୍ତ୍ୱ ନଷ୍ଟ ହେଲେ ଦାୟୀ କାହାକୁ କରିବାକୁ ହେବ ? ଭୋଗ-ଲାଳସା-ଅଧୀର ମନୁଷ୍ୟ ଅସଙ୍କୁଚିତ ଚିତ୍ତରେ ଚିତ୍ରଟି ପାଇବାପାଇଁ ବ୍ୟଗ୍ର ହୋଇଉଠେ; କିନ୍ତୁ ପାଇଲାକ୍ଷଣି ତାକୁ ରକ୍ଷା କରିପାରେ ନାହିଁ । ମାୟାକୁ ଚିତ୍ରକରର ସ୍ଥାନ ଦେଇ ତାର ସୃଷ୍ଟ ଚିତ୍ରଗୁଡ଼ିକୁ ଏପରି ବିପର୍ଯ୍ୟସ୍ତ ଅବସ୍ଥାରେ ପକାଇବା ଗୋଟାଏ ଛଳନା ମାତ୍ର । ମନୁଷ୍ୟର ଦୁର୍ବଳ ମନ ଏଥି ସକାଶେ ସମ୍ପୂର୍ଣ୍ଣରୂପେ ଦାୟୀ ।

 

ସୌନ୍ଦର୍ଯ୍ୟ ଉପଭୋଗରେ ଆତ୍ମପ୍ରସାଦ ମିଳେ । ଅରୂପ ସୌନ୍ଦର୍ଯ୍ୟକୁ ମାନସପଟରେ ଆଙ୍କି ନେବା ସହଜ ନୁହେଁ । ଭାବର ଆଦାନ ପ୍ରଦାନରେ ହୃଦୟର ମହତ୍ ଓ ଉଦାର ଅବସ୍ଥା ପ୍ରକାଶିତ ହେଲେ ସୁଦ୍ଧା ସୌନ୍ଦର୍ଯ୍ୟ ତୂଳିକାରେ ରଞ୍ଜିତ ଆଧାର ମନୁଷ୍ୟର ଅନ୍ତର୍ନିହିତ ଆନନ୍ଦ-ସ୍ରୋତକୁ ଖୋଲିଦିଏ । ଚିତ୍ରକରର ମହତ୍ତ୍ୱ ସୌନ୍ଦର୍ଯ୍ୟଦ୍ୱାରା ବେଶି ପରିମାଣରେ ନିର୍ଣ୍ଣୀତ ହୋଇଥାଏ । ସୌନ୍ଦର୍ଯ୍ୟକୁ ଛାଡ଼ି ଭାବର ଉଦ୍ରେକ ହେବା ଅସମ୍ଭବ ବୋଧ ହୁଏ । ଅନେକ ସମୟରେ ଦୁଷ୍ଟ ରୁଚି ଓ ଦୃଷ୍ଟି ଯୋଗୁଁ ସୌନ୍ଦର୍ଯ୍ୟର ପ୍ରକୃତ ମୂଲ୍ୟ ବୁଝାଯାଏ ନାହିଁ । ଏପରି ଅବସ୍ଥାରେ ଭାବନାର ଶାନ୍ତିଗତିରେ ବାଧା ଆସିବା ସ୍ୱାଭାବିକ ହୁଏ । ସୌନ୍ଦର୍ଯ୍ୟର ଉପାସନାରେ ଚିତ୍ର ଉପଲକ୍ଷ ସ୍ୱରୂପ କାର୍ଯ୍ୟ କରେ । ମନରେ ଆସକ୍ତି ଆସିଲେ ଚିତ୍ର ପ୍ରତି ଗୋଟାଏ ବୁଭୂକ୍ଷା ଆସେ । ଏହିଠାରୁ ମନୁଷ୍ୟର ପତନ ଆରମ୍ଭ ହୁଏ । ଯାହାକୁ ଅବଲମ୍ବନ କରି ସେ ସେହି ଚିରସୁନ୍ଦରଙ୍କୁ ପାଇପାରିଥାନ୍ତା, ତାକୁ ଦେଖି ପୁଣି ମାୟାବିନୀର ମାୟାଜାଲରେ ଆବଦ୍ଧ ହେବା ମନୁଷ୍ୟର ଦୁର୍ବଳତା ଛଡ଼ା କିଛି ନୁହେଁ । ମୁହୂର୍ତ୍ତକର ଉନ୍ମାଦନାରେ ମନୁଷ୍ୟ ଲାଳସାର ସୂତ୍ରକୁ ଅସଂଯତ ଭାବରେ ଛାଡ଼ିଦିଏ । ଚିତ୍ରର ସୌନ୍ଦର୍ଯ୍ୟକୁ ମଦିରା ପରି ପାନ କରି ଉନ୍ମତ୍ତ ହୋଇ ଉଠେ-। ଚାରିଆଡ଼େ ସେ ଲାଳସାର ପ୍ରତିମୂର୍ତ୍ତି ଦେଖେ । ସେ ଭାବେ ନାହିଁ ଯେ, ତାହାରି ପାଇଁ ମାୟାର ଲାସ୍ୟ ସୃଷ୍ଟି ହୋଇଅଛି । ଆତ୍ମବଞ୍ଚନା ଫଳରେ ମନୁଷ୍ୟର ନିଜତ୍ୱ ଥରେ ହଜିଗଲେ ପୁଣି ଫେରି ପାଇବା ସହଜ ନୁହେଁ । ଚିତ୍ରଦର୍ଶନ ପୂର୍ବରୁ ସ୍ୱରୂପଜ୍ଞାନ ନ ଜନ୍ମିଲେ ଭ୍ରମପ୍ରମାଦର ବଶବର୍ତ୍ତୀ ହୋଇ ଗୋଟାଏ ତମସାଚ୍ଛନ୍ନ ରାଜ୍ୟରେ ବୁଲିବା ସାର ହୁଏ । ଗୋଟିଏ ଛବି ହୃଦୟରେ ଥରେ ଆଙ୍କି ହୋଇଗଲେ ତାକୁ ଲିଭାଇବା ସହଜ ନୁହେଁ । ସେଥିଯୋଗୁଁ ପ୍ରତ୍ୟେକ ଦର୍ଶକର ଛବିକୁ ଅନାବିଳ ଦୃଷ୍ଟିରେ ଦେଖି ହୃଦୟସ୍ଥ କରିବା ବାଞ୍ଛନୀୟ । ଏହି ଛବି ଅଙ୍କନ-କୌଶଳଟି ମନୁଷ୍ୟର ମୋହ କିମ୍ବା ମୁକ୍ତିର ପଥ ନିର୍ଦ୍ଦେଶ କରିବାରେ ସାହାଯ୍ୟ କରେ । ଜଗତକୁ ଅନୁସରଣ କଲେ ଏହାର ରହସ୍ୟ ଜଣାଯିବ ନାହିଁ; ନିଜର ଆତ୍ମନିହିତ ଶକ୍ତିର ପରିଚୟ ଦେବାକୁ ପଡ଼ିବ ।

•••

 

ପରିଣୟ-ପ୍ରଭାବ

ଆଦିମ କାଳରୁ ପୁରୁଷ ଓ ସ୍ତ୍ରୀ ପରିଣୟ-ସୂତ୍ରରେ ଆବଦ୍ଧ । ଦେଶ ଓ କାଳ ଭେଦରେ ତାରତମ୍ୟ ପରିଦୃଷ୍ଟ ହେଲେ ସୁଦ୍ଧା ଏହି ଚିରନ୍ତନ ପ୍ରଥା ମାନବ ସମାଜକୁ ନିତ୍ୟ ନୂତନ ପ୍ରେରଣା ଦେଇଆସିଛି । ମାନବର ହୃଦୟତନ୍ତ୍ରୀରେ ଏହାର ଅମୃତ ରାଗିଣୀ ବାଜି ପ୍ରତିଧ୍ୱନି ଛଳରେ ପୃଥିବୀର ଶ୍ରେଷ୍ଠତମ କାବ୍ୟମାନଙ୍କୁ ଲିପିବଦ୍ଧ କରିଯାଇଛି । ବାଲ୍ମୀକି ଓ ହୋମର୍ ଆଜି ସୁଦୂର ଅତୀତରୁ ସେହି ବୀଣାଜିଣା ରାଗିଣୀର ଝଙ୍କାର ଦେଇ ନଶ୍ୱର ମାନବ ଜୀବନରେ ପ୍ରେମର ଉତ୍ସ ଫିଟାଇ ଦେଇଅଛନ୍ତି । କାଳିଦାସ ଓ ସେକ୍ସପିୟାର ପ୍ରଭୃତି କବିମାନେ ପବିତ୍ର ପ୍ରଣୟରେ ମାନବର ଦେବତ୍ୱ-ଚିତ୍ର ଫୁଟାଇ ବିଶ୍ୱ-ବରେଣ୍ୟ ହୋଇଅଛନ୍ତି । ଉଚ୍ଚ ଓ ନୀଚ, ସୁନ୍ଦର ଓ କୁତ୍ସିତ, ଧନୀ ଓ ନିର୍ଦ୍ଧନ ସମସ୍ତେ ଜୀବନର ବୈଚିତ୍ର୍ୟ ସଙ୍ଗେ ନ୍ୟୂନାଧିକ ପରିମାଣରେ ଏହାର ପ୍ରଭାବ ସ୍ୱୀକାର କରିବାକୁ ବାଧ୍ୟ ।

 

ସାଧାରଣତଃ ମନୁଷ୍ୟ ଜୀବନର ତିନୋଟି ବିଭାଗ କରାଯାଇପାରେ, ଜନ୍ମ, ବିବାହ ଓ ମୃତ୍ୟୁ । ଜନ୍ମଠାରୁ ବିବାହ ପର୍ଯ୍ୟନ୍ତ ମନୁଷ୍ୟ-ଜୀବନ ଧାରାବାହିକରୂପେ ଅଧିକାଂଶ ସମୟରେ ଗଢ଼ା ହୋଇଥାଏ; କିନ୍ତୁ ବିବାହ ପରେ ଯେଉଁ ପରିବର୍ତ୍ତନ ଆସେ, ତଦ୍ଦ୍ୱାରା ସେ କ୍ରମଶଃ ଉନ୍ନତି କିମ୍ବା ଅବନତି ମାର୍ଗରେ ଯାଇ ମୃତ୍ୟୁରେ ଶେଷ-ଯବନିକା ପକାଏ । ପ୍ରଥମ ଓ ଶେଷ ଅବସ୍ଥା ଦୁଇଟି ବାଦ୍ ଦେଇ ବର୍ତ୍ତମାନ ଆମ୍ଭେମାନେ ମଧ୍ୟମ ଅବସ୍ଥାଟି ଆଲୋଚନା କରିବୁଁ । ପାରିବାରିକ ଜୀବନରେ ଯେତେବେଳେ ଝଡ଼, ତୋଫାନ ପ୍ରବଳ ହୋଇଉଠେ, ଦୁର୍ଦ୍ଦିନର ଦାଉ ଅସମ୍ଭାଳ ହୁଏ ଓ ଯନ୍ତ୍ରଣା ଅସହ୍ୟ ବୋଧହୁଏ, ସେତେବେଳେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପରସ୍ପର ସାହଚର୍ଯ୍ୟ ବଡ଼ ଶାନ୍ତିପ୍ରଦ । ସରଳତା ଓ ପବିତ୍ରତା ଉପରେ ଯେଉଁ ପ୍ରଣୟର ଭିତ୍ତି, ତାର ପରିଣାମ ଏପରି ହେବା ସ୍ୱାଭାବିକ; କିନ୍ତୁ ଜଗତରେ ସମସ୍ତେ କଣ ଏପରି ଜୀବନ ଗଢ଼ିବାକୁ ସମର୍ଥ ହୋଇପାରନ୍ତି ? କାମ-ଲୋଲୁପର ଆଶା ଏ ଦିଗରେ ବୃଥା ପ୍ରୟାସ ପରି ଜଣାଯାଏ । ପବିତ୍ର ଗାର୍ହସ୍ଥ୍ୟ ଜୀବନରେ ସ୍ୱାମୀ ଓ ସ୍ତ୍ରୀ ପରସ୍ପରର ଅବଲମ୍ବନ । ବିପଦ ଆସିଲେ ଜଣକର ସାହାଯ୍ୟ ଓ ଆତ୍ମବଳରେ ଅନ୍ୟର ରକ୍ଷା ହୋଇପାରେ । ପ୍ରଥମେ ତ୍ୟାଗରୁ ବୈବାହିକ ଜୀବନର ପବିତ୍ରତା ସମ୍ପାଦନ କରିବାକୁ ହୁଏ । ତ୍ୟାଗ ଅର୍ଥରେ ସଂସାରବିରାଗୀ, କୁଟୀରବାସୀ ଓ ଜଟାବଳଧାରୀ ବୁଝିବାକୁ ହେବ ନାହିଁ । ତ୍ୟାଗର ଆକ୍ଷରିକ ଅର୍ଥରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ସମ୍ପର୍କଟା ଜଟିଳ ବୋଧ ହୋଇପାରେ; ସୁତରାଂ ଆମ୍ଭେମାନେ ପ୍ରଥମରୁ ସେଥିପ୍ରତି ଦୃଷ୍ଟି ଦେବା ସମୀଚୀନ ବୋଧକରୁଁ ।

 

ପୁରାଣ-ବର୍ଣ୍ଣିତ ହର-ପାର୍ବତୀ ମିଳନରେ ହିନ୍ଦୁମାନେ ପାରିବାରିକ ଜୀବନରେ ତ୍ୟାଗର ନିଦର୍ଶନ ଦେଖାଯାଇଛନ୍ତି । ଅହଂଭାବବିମୁକ୍ତ ଓ ଆସକ୍ତି-ଶୂନ୍ୟ ହେଲେ ତ୍ୟାଗର ବିକାଶ ହୁଏ । ଯେ ଶକ୍ତିଦ୍ୱାରା ନେପୋଲିୟନ, ଆଲେକ୍‌ଜେଣ୍ଡାର୍ ଓ ସିଜାର ପ୍ରଭୃତି ବୀରମାନେ ଅସାଧାରଣ ଓ ଦୁର୍ଜୟ ସମରରେ ଜୟଲାଭ କରୁଥିଲେ, ତାହା ସେମାନଙ୍କ ଶାରୀରିକ ଶକ୍ତିରୁ ପ୍ରକାଶ ପାଏ ନାହିଁ । ପାରିପାର୍ଶ୍ୱିକ ଅବସ୍ଥାରେ ଅବିଚଳିତ ଓ ନିର୍ଲିପ୍ତ ଥିବାବେଳେ ଯେଉଁ ଅପାର୍ଥିବ ଶକ୍ତି ଅଜ୍ଞାତରେ ଏହି ସବୁ ବିସ୍ମୟକର କାର୍ଯ୍ୟସମ୍ପାଦନରେ ସେମାନଙ୍କୁ ପ୍ରେରଣା ଦେଇଥିଲା, ତାହା ଏହି ତ୍ୟାଗ ଓ ଆତ୍ମଶକ୍ତି ଉପରେ ପ୍ରତିଷ୍ଠିତ । ମନୀଷୀମାନେ ଏହାରି ପ୍ରଭାବରେ ଦିଗନ୍ତବ୍ୟାପୀ ଯଶୋଲାଭ କରିବାକୁ କ୍ଷମ ହୋଇଥାନ୍ତି । ପାର୍ଥିବ ବସ୍ତୁକୁ ଉପଲକ୍ଷ ସ୍ୱରୂପ ଧରି ଅନ୍ତର୍ନିହିତ ଆତ୍ମଶକ୍ତି ଉପରେ ବିଶ୍ୱାସ ରଖି କର୍ମମାର୍ଗରେ ଅଗ୍ରସର ହେବା ପ୍ରତ୍ୟେକ ମହାପୁରୁଷଙ୍କ ଜୀବନୀରୁ ପ୍ରତିପାଦିତ ହୋଇପାରେ । ନିର୍ବିକଳ୍ପାବସ୍ଥା ତ୍ୟାଗର ଚରମ ଲକ୍ଷ୍ୟ । ଜଗତରେ ଯେତେ ଆଲୌକିକ କାର୍ଯ୍ୟ ସଂଘଟିତ ହୋଇଅଛି ଓ ଯେ ମହତ୍ ଆଦର୍ଶସବୁ ଆଜି ପୃଥିବୀରେ ମାନବ ସମାଜକୁ ଉଦବୁଦ୍ଧ କରି ରଖିଛି, ସେହି ସବୁର ମୂଳରେ ତ୍ୟାଗର ଚିତ୍ରହିଁ ପରିସ୍ଫୁଟ । ପଦାର୍ଥଜ୍ଞାନକୁ କ୍ରମଶଃ ଲୋପ କରି ତ୍ୟାଗର ଉତ୍କର୍ଷ ସାଧନ କରିବାକୁ ହୁଏ । ପ୍ରଥମାବସ୍ଥାରେ ନିଭୃତ ବାସ ଶିକ୍ଷାର ସହାୟତା କରେ ଓ ଥରେ ତ୍ୟାଗ ଉପରେ ଭିତ୍ତି ସ୍ଥାପନ କରି ପାରିଲେ ଆତ୍ମବଳ କାର୍ଯ୍ୟକାରୀ ହୁଏ ।

 

ଦାମ୍ପତ୍ୟ ଜୀବନରେ ଏହାର ଅନୁସରଣ କିପରି କରାଯାଇପାରେ ? କ୍ଷଣକ ପାଇଁ ଇନ୍ଦ୍ରୀୟଚାଳନାରୁ ବିରତ ହୋଇ ସ୍ଥିରଭାବ ଧାରଣ କଲେ ସଂସାରର ଅସାରତା ବୁଝାଯାଏ; କିନ୍ତୁ ପରମୁହୂର୍ତ୍ତରେ ଅହଂଭାବ ଜାଗ୍ରତ ହେଲେ ପୂର୍ବାବସ୍ଥା ଫେରିଆସେ । ଆଧ୍ୟାତ୍ମିକ ଭାବ ଉଦିତ ହେଲେ ମନୁଷ୍ୟ ଭଗବାନଙ୍କ ନିକଟରେ ଆତ୍ମସମର୍ପଣ କରିପାରେ; କିନ୍ତୁ ସ୍ତ୍ରୀ, ପୁତ୍ର ଓ କନ୍ୟା ପ୍ରଭୃତିଙ୍କ ସଂସ୍ପର୍ଶରେ ଆସି ସେ ପୁଣି ଭଗବତ୍‌ ସତ୍ତାକୁ ଭୁଲିଯାଏ । ସାଧାରଣତଃ ଏହିପରି ଅବସ୍ଥାରେ ଆମ୍ଭମାନଙ୍କର ସାମାଜିକ ଜୀବନ ଗଠିତ । ଆଧ୍ୟାତ୍ମିକ ଉନ୍ନତି ପଥରେ ଏହା ଯେ କୀଦୃଶ ଅନ୍ତରାୟ; ତାହା ଆମ୍ଭେମାନେ ବୁଝିପାରୁ ନାହୁଁ । ଦେବାଳୟରେ ଯେଉଁ ପୁଣ୍ୟ ଭାବଟି ସ୍ୱତଃ ମନୁଷ୍ୟ ମନରେ ଫୁଟି ଉଠିଥାଏ, ଗୃହକୁ ଆସି ତାହା ବିସ୍ତୃତ ହେବା ସାଧାରଣ ମନୁଷ୍ୟର ସ୍ୱଭାବ ।

 

ଆତ୍ମୋନ୍ନତି ପଥରେ ବାଧା ଅତିକ୍ରମ କରିବାକୁ ହେଲେ ଗୃହକୁ ତଦନୁଯାୟୀ ନିର୍ମାଣ କରିବା ଆବଶ୍ୟକ ! ଅଧିକାଂଶ ସମୟରେ ନବଦମ୍ପତୀ ଯେଉଁ ପ୍ରେମବିଭୋର-ଭାବ ଦେଖାନ୍ତି, ସେଥିରେ ନିଃସ୍ୱାର୍ଥତାର ପରିଚୟ ମିଳେ କି ? ସ୍ୱାମୀ ଓ ସ୍ତ୍ରୀର ସାଧାରଣ ପ୍ରେମ କେବଳ ପ୍ରତ୍ୟେକର ତୃପ୍ତିସାଧନ ବ୍ୟତୀତ ଅନ୍ୟ କିଛି ହୋଇ ନ ପାରେ । ପରସ୍ପର ମଧ୍ୟରେ ପରତନ୍ତ୍ର ଭାବ ଜନ୍ମିଲେ ଯଥେଷ୍ଟ ହେଲା ବୋଲି ସେମାନେ ଭାବନ୍ତି । ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ସୁଖବିଧାନ ପନ୍ଥା ଏଡ଼େ ସହଜ ନୁହେଁ ।

 

ପ୍ରେମରାଜ ଭଗବାନ ଶ୍ରୀକୃଷ୍ଣ କାଳୀୟ ଦମନରେ ସ୍ୱୟଂ ପାର୍ଥିବ ପ୍ରେମର ପରିଣାମ ଦେଖାଇଅଛନ୍ତି । ଭୋଗଲିପ୍ସା-ଅଧୀର ମନୁଷ୍ୟ ମୋହ ବିଭ୍ରାନ୍ତ ହୋଇ ଯେତେବେଳେ ଜଡ଼ବସ୍ତୁରେ ସମସ୍ତ ସୁଖକୁ ଆରୋପ କରେ, ସେତେବେଳେ ସେହି ରମଣୀୟ ବସ୍ତୁଟି ତା ନିକଟରୁ ଅନ୍ତର ହୋଇଯାଏ । ଅନ୍ତରର ଦେବତା ଶିକ୍ଷା ପ୍ରଦାନ ଛଳରେ ହୃଦୟକୁ କ୍ଷତବିକ୍ଷତ କରି ଦେଇ ବିଭୀଷିକାମୟ କରିଦିଏ ।

 

ମନୁଷ୍ୟ, ବ୍ୟକ୍ତି କିମ୍ୱା ପଦାର୍ଥବିଶେଷରେ ଅତ୍ୟଧିକ ଆସକ୍ତ ହେଲେ ପ୍ରକୃତ ସୁଖ ପାଇବା ଦୂରେ ଥାଉ, ମନୋବେଦନା ସାର ହୁଏ । ଶାରୀରିକ ସୌନ୍ଦର୍ଯ୍ୟରେ ଆସକ୍ତି ବାଳକର ସାମାନ୍ୟ ପ୍ରତିକୃତି ବିଶେଷରେ ଆକୃଷ୍ଟ ହେଲା ପରି ବୋଧହୁଏ । ପ୍ରେମ-ଭାବବିଭୋର ମନୁଷ୍ୟ ଯଦି ଅନ୍ତରର ଦେବତାକୁ ବାଦ୍‌ ଦେଇ ବାହ୍ୟ ସୌନ୍ଦର୍ଯ୍ୟ ଉପରେ ନିର୍ଭର କରେ, ତାହା ହେଲେ ମୁତ୍ୟୁପରେ ଉକ୍ତ ଜଡ଼ପିଣ୍ଡ କାହିଁକି ତାକୁ ତୁଚ୍ଛ ବୋଧହୁଏ ? ମନରେ ପବିତ୍ର ଭାବର ଉଦ୍ରେକ ନ ହେବା ଯାଏ ମନୁଷ୍ୟ ଏଥିର ତଥ୍ୟ ନିର୍ଣ୍ଣୟ କରିବାକୁ ସମର୍ଥ ହୁଏ ନାହିଁ । ସୁତରାଂ ସ୍ୱାମୀ, ସ୍ତ୍ରୀ ଉଭୟଙ୍କର ଏ ବିଷୟଟି ଅନୁଶୀଳନ କରିବା ନିତାନ୍ତ ଆବଶ୍ୟକ ।

 

ବିଶେଷତଃ ଅବିବାହିତ ଅବସ୍ଥାରେ ପୁରୁଷର ନାନା ପ୍ରଲୋଭନ ଥାଏ । ବିବାହ ପରେ ସ୍ତ୍ରୀର ସେଥିପ୍ରତି ଲକ୍ଷ୍ୟ ରଖିବା ଉଚିତ; କିନ୍ତୁ ସେ ଏଥିର ପ୍ରକୃତ ମର୍ମ ବୁଝିପାରେ ନାହିଁ । ପ୍ରଲୋଭନରୁ ରକ୍ଷା କରିବା ଦୂରେ ଥାଉ, ସେ ନିଜେ ସ୍ୱାମୀର ଆତ୍ମୋନ୍ନତି ପଥରେ ପ୍ରଧାନ ଅନ୍ତରାୟ ହୁଏ । ସ୍ୱାମୀର ମନକୁ ଅନ୍ୟ ଦିଗରୁ ଆକର୍ଷଣ କରି ନିଜ ଉପରେ ନ୍ୟସ୍ତ କରିବା ତାର ଚରମ ଆକାଙ୍‌କ୍ଷା ହୁଏ । ସ୍ୱାମୀକୁ ଅଧୀନ କରି ପାରିଲେ ତା ଜୀବନ ସାର୍ଥକ ହେଲା ବୋଲି ସେ ମନେ କରେ । ଦୁର୍ବଳ ପୁରୁଷ ସ୍ତ୍ରୀର ସ୍ନେହାତିଶଯ୍ୟରେ ନିଜତ୍ୱ ରକ୍ଷା କରିପାରେ ନାହିଁ । ଗୋଟିଏ ସ୍ତ୍ରୀର ପ୍ରଲୋଭନ ତା ପକ୍ଷରେ ଦୁର୍ବହ ହୋଇଉଠେ । ଏଠାରେ ଗୋଟିଏ ଗଳ୍ପର ସଂକ୍ଷିପ୍ତ ବିବରଣ ଦେଲେ ବିଷୟଟି ଆହୁରି ସରଳ ବୋଧହେବ ।

 

ଥରେ ଗୋଟିଏ ଅଶ୍ୱ ଗୋଟିଏ ହରିଣ ସହିତ ଯୁଦ୍ଧରେ ପରାସ୍ତ ହୋଇ ତା ଶରୀରର କ୍ଷତାଂଶଗୁଡ଼ିକ ଦେଖାଇ ଜଣେ ମନୁଷ୍ୟର ସାହାଯ୍ୟପ୍ରାର୍ଥୀ ହେଲା । ମନୁଷ୍ୟ ଅଶ୍ୱପୁଷ୍ଠରେ ଆରୋହଣ କରି ଅରଣ୍ୟରେ ହରିଣକୁ ହତ୍ୟା କଲା । ଅଶ୍ୱ ଆନନ୍ଦିତ ମନରେ କୃତଜ୍ଞତା ଜଣାଇ ଫେରିଯିବା ପାଇଁ ମନୁଷ୍ୟର ଅନୁମତି ଚାହିଁଲା; କିନ୍ତୁ ସେତେବେଳେ ମନୁଷ୍ୟ ଆରୋହଣ ସୁଖରୁ ବଞ୍ଚିତ ହେବ ବୋଲି ଆଉ ତାକୁ ଛାଡ଼ିଲା ନାହିଁ । ବହିଃଶତ୍ରୁ ଆକ୍ରମଣରୁ ରକ୍ଷା ପାଇଲେ ସୁଦ୍ଧା ଅଶ୍ୱ ଚିରଦିନ ପାଇଁ ସ୍ୱାଧୀନତା ହରାଇଲା । ମନୁଷ୍ୟ ସେହିପରି ବିବାହ ପରେ ଅନେକ ପ୍ରଲୋଭନରୁ ରକ୍ଷା ପାଇଲେ ସୁଦ୍ଧା ସ୍ତ୍ରୀର ଅଧୀନତା ସ୍ୱୀକାର କରି ବର୍ଣ୍ଣିତ ଅଶ୍ୱର ଦଶା ଭୋଗ କରେ । ଏପରି ଅବସ୍ଥାରେ କଣ ସ୍ତ୍ରୀ ସ୍ୱାମୀର ଆତ୍ମୋନ୍ନତି ପଥରେ ସହାୟ ହୋଇପାରେ ?

 

ଗାର୍ହସ୍ଥ୍ୟ ଜୀବନରେ ସତ୍‌ପ୍ରବୃତ୍ତମାନଙ୍କର ସମ୍ୟକ୍‌ ଉନ୍ନତି ସାଧିତ ନ ହେବା ଯାଏ ବାଇବେଲ୍‌, କୋରାନ୍‌ ଓ ବେଦ ପ୍ରଭୃତି ମାନବ ସମାଜକୁ ଅଗ୍ରସର କରାଇପାରିବେ ନାହିଁ । ବେଦାନ୍ତ ମତରେ ନିର୍ଲିପ୍ତ ଭାବରେ ନିଜ ପରିବାରବର୍ଗଙ୍କ ସହିତ କାଳକ୍ଷେପଣ କରି ପ୍ରକୃତି ସଙ୍ଗେ ସମ୍ୱନ୍ଧ ରଖି ସାଂସାରିକ ଘଟଣାମାନଙ୍କୁ ଚିତ୍ର ସଦୃଶ ଜ୍ଞାନ କଲେ ପ୍ରକୃତ ସୁଖ ମିଳେ । ଆତ୍ମୀୟର ଶରୀରକୁ ଦେବତାର ଆଧାର ସ୍ୱରୂପ ଗ୍ରହଣ କଲେ ତ୍ୟାଗର ଉଦ୍ଦେଶ୍ୟ ସାଧିତ ହୁଏ ।

 

ବର୍ତ୍ତମାନ ଦେଖାଯାଉ, ବିବାହ-ବନ୍ଧନ ଆମ୍ଭମାନଙ୍କୁ କେତେ ଦୂର ଉନ୍ନତି କରାଇପାରେ-। ଦୁଃସ୍ଥ ଓ କଷ୍ଟପୂର୍ଣ୍ଣ ପାରିବାରିକ ଅବସ୍ଥାକୁ ନିର୍ଭୟରେ ବରଣ କରାଯାଇପାରେ । ଆତ୍ମପ୍ରସାଦ ଲାଭପକ୍ଷରେ ଏ ସବୁ ବାଧା ଦେଇପାରିବ ନାହିଁ; ବରଂ ସଂସାରଯାତ୍ରାରେ କଷ୍ଟ ଅତିକ୍ରମ କରିବା ଦ୍ୱାରା ମନର ବଳ ବେଶି ହୁଏ । ସୁଖ ଓ ଦୁଃଖ ପର୍ଯ୍ୟାୟକ୍ରମେ ଆସି ଚାଲିଯାଏ । ସେଥିରେ ଚିତ୍ତର ବିକ୍ଷେପ ଜନ୍ମାଇବା ଉଚିତ ନୁହେଁ । ବିଖ୍ୟାତ ଦାର୍ଶନିକ ସକ୍ରେଟିସ୍‌ଙ୍କ ଜୀବନୀରୁ ଗୋଟିଏ ରହସ୍ୟଜନକ ଘଟନା ଏହା ପ୍ରମାଣ କରିପାରେ । ଦିନେ ସକ୍ରେଟିସ୍‌ ଜଟିଳ ଦର୍ଶନ ତତ୍ତ୍ୱ ସମାଧାନ କଲାବେଳେ, ତାଙ୍କର ଦୁଷ୍ଟା ସ୍ତ୍ରୀ ସାଂସାରିକ କାର୍ଯ୍ୟରେ ସକ୍ରେଟିସ୍‌ଙ୍କର ସର୍ବଦା ଔଦାସୀନ୍ୟ ଦେଖି ତାଙ୍କୁ ଉପଯୁକ୍ତ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଅପରିସ୍କୃତ ଜଳପାତ୍ରଟିଏ ନେଇ ତାଙ୍କ ଶିରରେ ନିକ୍ଷେପ କଲେ । ତଥାପି ସକ୍ରେଟିସ୍‌ ତଥ୍ୟ ଆଲୋଚନାରୁ ନିବୃତ୍ତ ହେଲେ ନାହିଁ; କେବଳ ଉପହାସ କରି କହିଲେ- ‘‘ଏତେ ଦିନେ ଗର୍ଜିଲା ମେଘ ବର୍ଷିଲା ।’’ ସାଂସାରିକ ସୁଖ ଓ ଦୁଃଖକୁ ଯେ ଏହିପରି ସରଳ ଓ କୌତୂହଳବ୍ୟଞ୍ଜକ ଭାବରେ ଗ୍ରହଣ କରେ, ସେ ପ୍ରକୃତ ସୁଖୀ ।

 

ଉନ୍ନତି-ପଥରେ ଅଗ୍ରସର ହେବାବେଳେ ସ୍ତ୍ରୀ ଓ ସନ୍ତାନମାନେ ସହାୟ ହୋଇପାରନ୍ତି । ସେମାନଙ୍କୁ ଅନ୍ତର କରିବା ଉଚିତ ନୁହେଁ । ବିବର୍ତ୍ତନାଦ ଅନୁଯାୟୀ ସମସ୍ତଙ୍କୁ ଦୁଃଖ ଓ କଷ୍ଟ ଭୋଗ କରି ଲକ୍ଷ୍ୟ ସ୍ଥାନରେ ପହଞ୍ଚିବାକୁ ହେବ । ପୃଥିବୀ ଯେପରି ଚନ୍ଦ୍ରକୁ ଘେନି ସୂର୍ଯ୍ୟର ଚତୁର୍ଦିଗରେ ଭ୍ରମଣ କରି ବିଶ୍ୱସ୍ରଷ୍ଟାଙ୍କ ଉଦ୍ଦେଶ୍ୟ ସାଧନ କରେ, ସେହିପରି ପୁରୁଷ ତାର ଅର୍ଦ୍ଧାଙ୍ଗିନୀକୁ ନେଇ ପୂର୍ଣ୍ଣତା ଲାଭ କରିପାରେ । ଦୁଇଟି ସ୍ରୋତସ୍ୱତୀର ଜଳ ବିଭିନ୍ନ ଦିଗରେ ନ ଯାଇ ଏକତ୍ରିତ ହୋଇ ଅନନ୍ତ ସମୁଦ୍ର ସଙ୍ଗେ ମିଶିବା କଣ ଅସମ୍ଭବ ହୋଇପାରେ ? ପ୍ରଥମେ ପ୍ରଣୟିନୀ ସହିତ ଆତ୍ମା ଅଭେଦ କରିପାରିଲେ ବିଶ୍ୱଜନୀନ ଭାବ ହୃଦୟରେ କ୍ରମଶଃ ସଞ୍ଚାରିତ ହୋଇ ଶେଷରେ ମାୟାପ୍ରପଞ୍ଚର ଜଟିଳତା ଦୂର ହୁଏ ଏବଂ ମାନବକୁ ଚିର ଉନ୍ମୁକ୍ତ ଅବସ୍ଥାରେ ପହଞ୍ଚାଏ । ବାହ୍ୟ ସୌନ୍ଦର୍ଯ୍ୟରୁ ବିକଶିତ ସ୍ନେହ କାଳକ୍ରମେ ବର୍ଦ୍ଧିତ ହୋଇ ଆକାର-ଆଶ୍ରୟକୁ ପରିତ୍ୟାଗ କରି ତନ୍ନହିତ ଆତ୍ମାର ପୂଜା କରେ । ଏ ଅବସ୍ଥାରେ ଆଉ ସୁନ୍ଦର ଓ କୁତ୍ସିତର ଭେଦାଭେଦ ନ ଥାଏ । ପ୍ରଣୟୀ କିମ୍ୱା ପ୍ରଣୟିନୀର ବାର୍ଦ୍ଧକ୍ୟବଶତଃ ଲୋଳ ଚର୍ମ ଓ ଜୀର୍ଣ୍ଣ ଅଙ୍ଗ ମନରେ ବିଷାଦ ଆଣିପାରେ ନାହିଁ । ଅପାର୍ଥିବଭାବରେ ହୃଦୟ ପୂର୍ଣ୍ଣ ହୋଇଉଠେ । ଜୀବନର ଦେବତାକୁ ସେମାନେ ଅଭେଦ ଭାବରେ ବରଣ କରିବାକୁ ସମର୍ଥ ହୁଅନ୍ତି । ମିଳନ ଆରମ୍ଭରୁ ସ୍ୱାମୀ, ସ୍ତ୍ରୀ କେହି କାହା ସଙ୍ଗ ତ୍ୟାଗ କରେ ନାହିଁ; ଅଥଚ ଦେହାଭିମାନ ଛାଡ଼ିବା ଦ୍ୱାରା ସେମାନେ ତ୍ୟାଗର ଚରମ ଉତ୍କର୍ଷ ଦେଖାନ୍ତି । ଭାରତୀୟ ଆର୍ଯ୍ୟର ଚିରନ୍ତନ ପ୍ରାଥାନୁଯାୟୀ ସ୍ୱାମୀ ଯେ ସ୍ତ୍ରୀର ଦେବତା ଓ ସ୍ତ୍ରୀ ଯେ ସ୍ୱାମୀର ଚତୁର୍ବର୍ଗପ୍ରାପ୍ତିର ହେତୁଭୂତା, ତାହା ଏଥିରୁ ସହଜରେ ଅନୁମିତ ହୋଇପାରେ ।

 

ଆଜିକାଲି କେତେକ ନବ୍ୟଶିକ୍ଷିତ ଯୌବନର ଉନ୍ମାଦନାରେ ଜାତି ଧର୍ମନିର୍ବିଶେଷରେ ଓ କ୍ଷଣିକ ତୃପ୍ତି ଆଶାରେ ଯାହାକୁ ଇଚ୍ଛା ତାକୁ ନିଜର ଅର୍ଦ୍ଧାଙ୍ଗିନୀ କରିବାକୁ ପଶ୍ଚାତ୍‌ପଦ ନୁହନ୍ତି । ସମାଜ ଓ ଜାତିର ଭିତ୍ତି ଧର୍ମ ଉପରେ ପ୍ରତିଷ୍ଠିତ । ସେଥିପ୍ରତି ଯେ ଅନାସ୍ଥା ପ୍ରଦର୍ଶନ କରେ, ତାକୁ ଇତର ଶ୍ରେଣୀଭୁକ୍ତ କରିବା ଉଚିତ । ଧର୍ମପତ୍ନୀ ବିଳାସର ସାମଗ୍ରୀ ହେଲେ ପବିତ୍ର ଭାବର ଅସ୍ତିତ୍ୱ ଅସମ୍ଭବ । ଅଜ୍ଞତାବଶତଃ ସ୍ୱାମୀ ସ୍ତ୍ରୀର କାମନା ପୂରଣ କରି ତାର ଅଭାବ ଦୂର ହେଲା ବୋଲି ଆନନ୍ଦ ଅନୁଭବ କରେ; କିନ୍ତୁ ପ୍ରକୃତରେ ତାହା ନୁହେଁ । ପ୍ରାକୃତିକ ନିୟମାନୁଯାୟୀ ଜଣକର ସୁଖରେ ଅନ୍ୟକୁ ଅନୁପ୍ରାଣିତ କରି ଶାନ୍ତିବିଧାନ କରିବା ଉଚିତ । ସ୍ୱାର୍ଥପରତାକୁ ନଷ୍ଟ କରି ଆତ୍ମୋନ୍ନତିର ସୂତ୍ରପାତ କରିବାକୁ ହେବ । ପ୍ରକୃତ ଜ୍ଞାନ ବିନିମୟରେ ସୁଖର ପନ୍ଥା ଅନୁସରଣ କରିବା ଉଭୟଙ୍କର କର୍ତ୍ତବ୍ୟ । ସ୍ୱାମୀର ସ୍ତ୍ରୀକୁ ଶିକ୍ଷା ଦେବା ପ୍ରଧାନ କାର୍ଯ୍ୟ ।

 

ସ୍ୱାମୀ, ସ୍ତ୍ରୀ ପବିତ୍ର ଭାବାପନ୍ନ ଓ ଶୁଦ୍ଧଚରିତ୍ର ହେଲେ ସେମାନଙ୍କଠାରୁ ତେଜସ୍ଵୀ ଓ ଧାର୍ମିକ ସନ୍ତାନମାନଙ୍କର ଉତ୍ପତ୍ତି ସମ୍ଭବପର । ପୃଥିବୀରେ ଯେତେ ମହାପୁରୁଷମାନଙ୍କର ଆର୍ବିଭାବ ହୋଇଅଛି, ସେମାନଙ୍କର ପିତା ମାତା ମହତ୍‌ ଗୁଣର ପରିଚୟ ଦେଇଅଛନ୍ତି । ଆର୍ଯ୍ୟୠଷିମାନେ ସଂସାରର ମଙ୍ଗଳ ଇଚ୍ଛାରେ ବିବାହକୁ ପବିତ୍ର ଧର୍ମରୂପେ ଗ୍ରହଣ କରିଅଛନ୍ତି ।

 

ପୁତ୍ରେଷ୍ଟି ଯଜ୍ଞ କରି ଯେଉଁ ଆର୍ଯ୍ୟମାନେ ସନ୍ତାନେଚ୍ଛୁ ହେଉଥିଲେ, ସେମାନଙ୍କ ବଂଶଧରମାନେ ଆଜି ସ୍ତ୍ରୀକୁ ଆମୋଦପ୍ରମୋଦର ଅଙ୍ଗସ୍ୱରୂପ ଧରି ବିବାହ କାର୍ଯ୍ୟରେ ବ୍ରତୀ ହେଉଛନ୍ତି । ଭାରତର ଅବନତି ସକାଶେ କଣ ଏପରି ବିବାହ ଦାୟୀ ନୁହେଁ ? ଯେଉଁ ଦେଶରେ ବୁଦ୍ଧ, ଶଙ୍କର ଚୈତନ୍ୟ ପ୍ରଭୃତି ପୁଣ୍ୟାତ୍ମାମାନେ ଜନ୍ମଗ୍ରହଣ କରି ମାତୃଭୂମିକୁ ସ୍ୱର୍ଗରେ ପରିଣତ କରିଥିଲେ, ସେଠାରେ ଆମ୍ଭେମାନେ ସ୍ୱଧର୍ମଚ୍ୟୁତ ହୋଇ ହୀନ ତାର ଶେଷ ଅବସ୍ଥାରେ ଉପସ୍ଥିତ ହୋଇଅଛୁ । ରାଜପୁତ ନାରୀର ‘ଜହର’ କପୋଳକଳ୍ପିତ ନୁହେ । ବୀରତ୍ୱର ଚିହ୍ନ ଦେଶରୁ ଲୁଚି ଯାଇଛି ବୋଲି ଦେଶ ଆଜି ଅନ୍ଧକାରରେ ପରିଣତ ! ଦେବୋପମ ପତିର ମୃତ୍ୟୁପରେ ଚିତାନଳରେ ମରିବାକୁ ଏକା ଭାରତନାରୀ ଶିକ୍ଷା କରିଥିଲା ଓ ପ୍ରକୃତ ସତୀତ୍ୱର ପରିଚୟ ପ୍ରଦାନ କରିଥିଲା । ତାର ତ୍ୟାଗ ଜଗତ୍‌ ସମ୍ମୁଖରେ ଯେ ଆଦର୍ଶ ସୃଷ୍ଟି କରିଯାଇଛି, ତାହା ଅନ୍ୟ ଦେଶର ସ୍ତ୍ରୀମାନଙ୍କ ଧାରଣାରେ ଆସିପାରିବ ନାହିଁ । ଭାରତମାତା କୋଳରୁ ସେହି ସ୍ତ୍ରୀରତ୍ନମାନେ ଅନ୍ତର୍ହିତ ହୋଇଗଲେଣି; କିନ୍ତୁ ସେମାନଙ୍କର ସତୀତ୍ୱର କାହାଣୀ ଚିରଦିନ ରହିବ । ସ୍ୱର୍ଣ୍ଣପ୍ରସୂ ଭାରତ ଅନ୍ତକ୍ଳିଷ୍ଟ ନରନାରୀରେ ପୂର୍ଣ୍ଣ । ଅନ୍ଧକାରକୁ ଅପସାରିତ କରି ଭାରତର ଜୀର୍ଣ୍ଣ କୁଟୀରରୁ ପୁଣି ସତୀତ୍ୱ ଓ ବୀରତ୍ୱର ପ୍ରମାଣ ଦେଖାଇବା ପ୍ରତ୍ୟେକ ଭାରତବାସୀର କର୍ତ୍ତବ୍ୟ ।

 

ବର୍ତ୍ତମାନ ପ୍ରଚଳିତ ବିବାହ-ପ୍ରଥାକୁ ଟିକିଏ ପରିବର୍ତ୍ତିତ ଓ ମାର୍ଜିତ କଲେ ସୁଫଳ ମିଳିପାରେ । ଚରିତ୍ର ପ୍ରତି ବିଶେଷ ଲକ୍ଷ୍ୟ ଦେବା ଆବଶ୍ୟକ । ହୀନଚରିତ୍ର ଲୋକକୁ ସୁକନ୍ୟା ଦାନ କରିବା ଉଚିତ ନୁହେଁ । ପୂର୍ବେ ରାଜକନ୍ୟାମାନେ ଅରଣ୍ୟବାସୀ ୠଷିକୁମାରମାନଙ୍କୁ ସେମାନଙ୍କ ପତିରୂପେ ବରଣ କରୁଥିଲେ । ଉଦ୍ଦେଶ୍ୟ ବଡ଼ ମହତ୍‌ ଥିଲା – ଚରିତ୍ରବାନ୍‌କୁ ଭାରତ ରମଣୀ ନିଜର ସ୍ୱାମୀ କରିପାରୁଥିଲେ ଜୀବନକୁ ଧନ୍ୟ ମନେ କରୁଥିଲେ । ସେ ଶ୍ରେଣୀର ସ୍ତ୍ରୀ ଓ ପୁରୁଷ ବର୍ତ୍ତମାନ ସମାଜରେ ବିରଳ । ସେଥିଯୋଗୁଁ ଦେଶରେ ଆଉ ନିର୍ଭୀକ ସନ୍ତାନର ଜନ୍ମ ସମ୍ବବ ହେଉ ନାହିଁ । ସତୀ ସାବିତ୍ରୀଙ୍କର ବନବାସୀ ସତ୍ୟବାନଙ୍କୁ ସ୍ୱାମୀରୂପେ ଗ୍ରହଣ କରିବା ଆଲୌକିକ ବୋଧହୁଏ । ଏ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆଜିକାଲି ଶିକ୍ଷିତା ନାରୀ କୁଣ୍ଠିତ । ପାଶ୍ଚାତ୍ୟ ମତରେ ଜୀବନ ଗଢ଼ିବା ତାର ଉଦ୍ଦେଶ୍ୟ । ସେଥିରେ ମଧ୍ୟ ସେ ଆଶାନୁରୂପ କୃତକାର୍ଯ୍ୟ ହୋଇପାରୁ ନାହିଁ । ସହଜ ସୁଖ-କାମନା ଉଭୟ ପୁରୁଷ ଓ ସ୍ତ୍ରୀ ମନକୁ ବଶୀଭୂତ କରିପକାଇଛି । ଏପରି ଅବସ୍ଥାରେ ସଂଯମୀ, କଷ୍ଟସହିଷ୍ଣୁ ଓ ସାହସୀ କର୍ମୀର ଅଭାବ ହେବା ଆଶ୍ଚର୍ଯ୍ୟ ନୁହେଁ । ଦେଶର ଜନସଂଖ୍ୟା ତୁଳନାରେ ଗୁଣବାନ୍‌ ଲୋକମାନଙ୍କ ସଂଖ୍ୟା ଅତି ଅଳ୍ପ କହିଲେ ଚଳେ ।

 

ପ୍ରଜନନ କ୍ରିୟାକୁ ସଂଯତ କରି ପବିତ୍ର ପ୍ରଣୟ-ବନ୍ଧନକୁ ସୁଦୃଢ଼ କରିବା ଆବଶ୍ୟକ । ଅନେକ ସମୟରେ ପିତାମାତା ଦେଶର କିମ୍ୱା ନିଜର ଅବସ୍ଥା ପ୍ରତି ଦୃଷ୍ଟି ନ ରଖି ସନ୍ତାନମାନଙ୍କର ସଂଖ୍ୟାବୃଦ୍ଧିରେ ଆନନ୍ଦ ଅନୁଭବ କରନ୍ତି; କିନ୍ତୁ ବାର୍ଦ୍ଧକ୍ୟରେ ଯାହା କଷ୍ଟ ପାଆନ୍ତି, ତାହା କାହାରିକୁ ଅବିଦିତ ନାହିଁ । ବିପଥଗାମୀ ଓ ଅସଚ୍ଚରିତ୍ର ସନ୍ତାନର କୁକାର୍ଯ୍ୟ ବୃଦ୍ଧ ପିତାମାତାଙ୍କର ଚିତ୍ତବିକ୍ଷେପରେ କାରଣ ହୋଇଥାଏ । ଅନେକଗୁଡ଼ିଏ ସନ୍ତାନ ଭାରତ ପରି ଜନବହୁଳ ଦେଶରେ ଜନ୍ମ ହେଲେ ପିତାମାତାଙ୍କର ଆତ୍ମୋନ୍ନତି ଦୂରେ ଥାଉ, ସନ୍ତାନମାନଙ୍କର ଭରଣପୋଷଣ ଓ ଶିକ୍ଷା ସହଜରେ ମିଳେ ନାହିଁ; କେବଳ ବୁଭୁକ୍ଷୁମାନଙ୍କର ସଂଖ୍ୟା ବଢ଼େ ।

 

ସୁଖଲାଳସା ଜୀବର ଧର୍ମ ସାଂସାରିକ ସୁଖ ଆଶା କାହାରି ପୂର୍ଣ୍ଣ ହୁଏ ନାହିଁ । ପ୍ରବଳ-ପ୍ରତାପ ଦିଲ୍ଲୀର ମୋଗଲ ସମ୍ରାଟ୍‌ ଜ୍ୟୋତ୍ସ୍ନାପ୍ଳାବିତ ବସନ୍ତ ଯାମିନୀରେ ଯୂଥିକାଶଯ୍ୟାରେ ଶାୟିତ ହୋଇ ସୁଦ୍ଧା ସୁଖୀ ହୋଇପାରି ନାହାନ୍ତି । ଯଥାର୍ଥ ସୁଖରେ ଆକାଙ୍‌କ୍ଷାର କ୍ଷୁବ୍ଧଧତା କିମ୍ୱା ଅନଳମୟୀ ଝଟିକାର ଆଶଙ୍କା ନାହିଁ । ସେ ସୁଖ ସର୍ବଦା ଶାନ୍ତ ଓ ଅବାଦି କାଳ ବିରାଜିତ । ଧର୍ମାଚରଣଦ୍ୱାରା ପ୍ରକୃତ ସୁଖ ଓ ଆନନ୍ଦ ସମ୍ଭୋଗ କରାଯାଏ ବୋଲି ଜ୍ଞାନୀମାନେ ଧର୍ମସାଧନର ପ୍ରୟୋଜନୀୟତା ସ୍ୱୀକାର କରିଅଛନ୍ତି ।

•••

 

ସୁଖର ସନ୍ଧାନ

ମେଘାଚ୍ଛନ୍ନ ନୈଶ ଆକାଶରେ କ୍ଷଣପ୍ରଭାର ଚପଳ ଆଲୋକ ନିର୍ଜ୍ଜନ ପ୍ରାନ୍ତର-ବିହାରୀ ସନ୍ଧିଗ୍‌ଧ ପଥିକର ବିବ୍ରତ ଦୃଷ୍ଟିରୁ ଅନ୍ଧକାରକକୁ କଥଞ୍ଚିତ୍‌ ଅପସାରିତ କରି ଯେଉଁ ଆଶାର ସଞ୍ଚାର କରେ, ତାହା ପୁଣି ନୈରାଶ୍ୟରେ ପରିଣତ ହୁଏ । କୋମଳ କଳିକାଟି ଫୁଟି ମଉଳିଯାଏ । ଯୁବତୀର ସରସ ସରଳ ହାସ୍ୟଟି ଫୁଟି ଉଠେ କ୍ଷଣକ ପାଇଁ ଯୁବକର ହୃଦୟକୁ ଟାଣିନେବାକୁ ! ଯୁବକ ଚଞ୍ଚଳ ହୋଇଉଠେ ନିଜକୁ ରୂପବତୀର ସୌନ୍ଦର୍ଯ୍ୟରେ ଭସାଇ ଦେବାପାଇଁ ! ସେ ନିଜତ୍ୱ ଭୁଲି ଯେତେବେଳେ ତାର ସର୍ବସ୍ୱ ଅର୍ପଣ କରେ, ସେତେବେଳେ ସେହି ରମଣୀର ଅଭିସନ୍ଧିପୂର୍ଣ୍ଣ ଦୁଇଟି ନୀରସ କଥା ତା ଜୀବନକୁ ବ୍ୟର୍ଥ କରିଦିଏ । ଦୁଇଟି ହୃଦୟ ଉନ୍ମୁକ୍ତ ହୁଏ, ସରଳ ଭାବ ଫୁଟି ଉଠେ; କିନ୍ତୁ ଅପ୍ରତ୍ୟାଶିତ ବିଚ୍ଛେଦ ଆସି ବାଧା ଦିଏ, ମନ କଥା ମନରେ ରହେ ! ଜଣେ ଜଣକୁ ଅନୁସରଣ କରେ ନିଃସ୍ୱାର୍ଥ ସ୍ନେହ ଓ ପ୍ରେମ ଦେବାପାଇଁ; କିନ୍ତୁ ପ୍ରତ୍ୟାଖ୍ୟାନରେ ମର୍ମ୍ମଦାହ ପାଏ । ସୁନ୍ଦରୀକୁ ଦେଖି ଯୁବକ ଆକୃଷ୍ଟ ହୁଏ; ମୁହୂର୍ତ୍ତକେ କେତେ ଯୁଗାନ୍ତର ପାଇଁ ବିଫଳ ବାସନା ପୋଷଣ କରେ । ମଳୟ ସ୍ପର୍ଶରେ ଯୌବନ-ବୀଣା ବାଜି ଉଠେ; ପୁଣି ଜଗତର କର୍କଶତା ମଧ୍ୟରେ ନୀରବ ରହେ । ପ୍ରସ୍ଫୁଟିତ କୁସୁମର ସୌରଭ ଓ ମଧୂପର ଗୁଞ୍ଜନ ଆକୁଳତା ସୃଷ୍ଟି କରେ । ସୁଖର ଢେଉଟି ଆସେ ଶୂନ୍ୟତା ରଖି ଚାଲି ଯିବାପାଇଁ । ସୁଖର ସଂସାର ବିପର୍ଯ୍ୟସ୍ତ ହେବା ଯଦି ବିଧିର ବିଧାନ ହୁଏ, ତାହା ହେଲେ ସୁଖପ୍ରୟାସରେ ଲାଭ କଣ ? କ୍ଷଣିକ ମାନସିକ ଉଲ୍ଲାସରେ ଜଗତର ଅସ୍ଥାୟୀ ସୌନ୍ଦର୍ଯ୍ୟରୁ ଯେଉଁ ସୁଖ ମିଳେ, ତାହା ଗୋଟାଏ ଛାୟା ମାତ୍ର । ପ୍ରକୃତ ସୁଖ ପାଇବା ପ୍ରତ୍ୟେକ ମନୁଷ୍ୟର କାର୍ଯ୍ୟାଧୀନ, ଏଥିରେ ବିଧିକୃତ କୌଣସି ପ୍ରତିବନ୍ଧକ ନାହିଁ । ଜୀବନର ଉପାଦେୟତା ବୁଝିବା ଖୁବ୍‌ ସହଜ ନୁହେଁ ।

 

ଅନେକେ ଭାବନ୍ତି, ଅନ୍ୟର ସୁଖବିଧାନ କରି ମନର ତୃପ୍ତି ଆଣିବା ପ୍ରଶସ୍ତ ଉପାୟ । ସେମାନଙ୍କ ମତରେ, ସ୍ୱାର୍ଥଜଡ଼ିତ ସୁଖ ପାଇଁ ବ୍ୟସ୍ତ ହେଲେ ମଧ୍ୟ ତାହା ମିଳିବା ଅସମ୍ଭବ । ଜୀବନରେ ଅନେକ ପ୍ରକାର ସାଂସାରିକ ସୁଖ ଥାଇପାରେ; କିନ୍ତୁ ମନୁଷ୍ୟ ଉପରେ ସେମାନଙ୍କର ପ୍ରଭୃତ୍ୱ ଜନ୍ମିଲେ ପରିଣାମ ଦୁଃଖପୂର୍ଣ୍ଣ ହୁଏ । ସିନେକାଙ୍କ ମତରେ, ଯେ ପର୍ଯ୍ୟାୟକ୍ରମେ ସୁଖ ଓ ଦୁଃଖର ଅଧୀନ ହୁଏ, ତାର ଦୁର୍ଦ୍ଦଶାର ସୀମା ରହେ ନାହିଁ । ସ୍ୱାର୍ଥ-ସଂଶ୍ଳିଷ୍ଟ କ୍ଷୁବ୍‌ଧତା ଓ କଳ୍ପିତ ଦୁଃଖାନୁଦର୍ଶନରେ କାହାରି ଉପକାର ହୁଏ ନାହିଁ । ସବୁ ସମୟରେ ପ୍ରସନ୍ନ ଓ ସ୍ନିଗ୍‌ଧ ଭାବ ଅନ୍ୟକୁ ଅନୁପ୍ରାଣିତ କରିବା ମନୁଷ୍ୟର ଉଦାର ସାଧନା ଉପରେ ନିର୍ଭର କରେ । ଭଲରୂପେ ଜୀବନ ଯାପନ କରିବାଦ୍ୱାରା ଜୀବନର ମହତ୍ତ୍ୱ ଜଣାପଡ଼େ । ଅନେକ ଲୋକଙ୍କ ଜୀବନରେ କୌଣସି ଲକ୍ଷ୍ୟ ନ ଥାଏ । ଭାସମାନ ତୃଣ ସଙ୍ଗେ ସେମାନଙ୍କ ଅକିଞ୍ଚନ ଜୀବନକୁ ତୁଳନା କରାଯାଇପାରେ ଓ ଆଳସ୍ୟରେ ସେମାନଙ୍କର କେବଳ ପ୍ରାଣଧାରଣର ଲକ୍ଷଣ ମିଳେ । ଚିନ୍ତା ଓ କାର୍ଯ୍ୟ ଜୀବନର ପରିମାପକ । ଜ୍ଞାନ, କାର୍ଯ୍ୟ-ସାଧନ, କଷ୍ଟ-ସହିଷ୍ଣୁତା ଓ ବିଧିଦତ୍ତ ବିଷୟମାନଙ୍କରେ ଆନନ୍ଦ ଉପଲବ୍‌ଧି କରିବାଦ୍ୱାରା ଦୁଃଖନିବୃତ୍ତ ହୋଇଥାଏ । ଅତ୍ୟଳ୍ପ ଲୋକ ବିଶ୍ୱର ବୈଚିତ୍ର ଦର୍ଶନରେ ଜୀବନର ମାଧୁରୀ ଅନୁଭବ କରନ୍ତି । ତାର ଗତି ସଙ୍ଗେ ପ୍ରକୃତିଜାତ ବସ୍ତୁମାନଙ୍କର ସମ୍ୱନ୍ଧକୁ କାର୍ଯ୍ୟୋପଯୋଗୀ କରି ନେବା ଉଚିତ । ବାହ୍ୟ ଜଗତର ସଂସ୍ପର୍ଶରେ ଆସି କୌଣସି ଦୁଃଖ ଅନୁଭବ କଲେ ଦୋଷ ନିଜ ଉପରେ ଆରୋପ କରିବା ଆବଶ୍ୟକ; କାରଣ ସ୍ୱକୃତ ଅନିଷ୍ଟରେ ମନୁଷ୍ୟ ସାଂସାରିକ ଜୀବନକୁ କ୍ଳେଶପୂର୍ଣ୍ଣ କରିଥାଏ । ଆକାଙ୍‌କ୍ଷାର ଅନୁକୂଳରେ ଘଟନା-ସ୍ରୋତ ପ୍ରବାହିତ ହେବା ଏହାର ଲକ୍ଷ୍ୟ ନୁହେ; ବରଂ ତାହା ସହିତ ସାମ୍ୟଭାବ ସ୍ଥାପନରେ ଶାନ୍ତି ଆସିପାରେ । ଅପରର ଅଧିକୃତ ବିଷୟରେ ଈର୍ଷ୍ୟାନ୍ୱିତ ହେଲେ ନିଜସ୍ୱ କିଛି ରହେ ନାହିଁ; କ୍ଷୁର୍ଣ୍ଣତା ସାର ହୁଏ । ଅଧିକାଂଶ ସମୟରେ ଆମ୍ଭେମାନେ ଏଥିପ୍ରତି ଦୃଷ୍ଟି ନ ଦେଇ ଉବ୍ଦେଗ, କଷ୍ଟ ଓ ଦୁଃଖରେ ଜୀବନ କଟାଇଥାଉଁ । ବିରକ୍ତିପୂର୍ଣ୍ଣ ସାମାନ୍ୟ କଥାପଦକରେ ଜୀବନର ଯେଉଁ ସରସତା ନଷ୍ଟ ହୁଏ, ତାକୁ ଫେରି ପାଇବାକୁ ଅନେକ ଦିନ ଲାଗିଯାଏ ।

 

ସମ୍ପର୍କ-ଶୂନ୍ୟ ଭାବରେ କର୍ତ୍ତବ୍ୟ ପାଳନ କଲେ ମନୁଷ୍ୟ ସୁଖୀ ହୋଇପାରେ ନାହିଁ । ଏପରି ଅବସ୍ଥା କଷ୍ଟକର ବୋଧହୁଏ । ସମ୍ପର୍କୀୟ ମାନଙ୍କଠାରୁ ସ୍ୱତନ୍ତ୍ର ରହିଲେ, ସହାନୁଭୂତି ଶିଥିଳ ହେବାଦ୍ୱାରା ସେମାନଙ୍କର ସୁଖ ଓ ଦୁଃଖରେ ଆସ୍ଥା ରହେ ନାହିଁ । ଏଥିରେ ସ୍ନେହର ଉତ୍ସଟି ଅନେକ ପରିମାଣରେ ସଙ୍କୁଚିତ ହୋଇ ଜୀବନର ସୁଖଧାରାଟିକୁ କ୍ଷୀଣ କରିଦିଏ । କଷ୍ଟ ଓ ଦୁଃଖଭୟରେ ଅନୁଭବ କରିବାର କ୍ଷମତା ଲୋପ କରିଦେଲେ, ସୁଖଭୋଗର ଆଶାକୁ ମଧ୍ୟ ଚିରକାଳ ପାଇଁ ବିସର୍ଜନ ଦେବାକୁ ହୁଏ । ଅଧିକାଂଶ ସ୍ଥଳରେ ଦୁଃଖ ବୋଲି ଆମ୍ଭେମାନେ ଯାହାକୁ କହୁଁ, ସେଥିରେ ସୁଖ ପ୍ରଚ୍ଛନ୍ନ ଭାବରେ ଥାଏ । ନିର୍ବିରୋଧରେ ଅନିବାର୍ଯ୍ୟ ବିପଦର ସମ୍ମୁଖୀନ ହେବା ପୁରୁଷର କାର୍ଯ୍ୟ । ମନ୍ଦରୁ ଭଲ ନିର୍ଣ୍ଣୟ ନ କରି କିମ୍ୱା ଦୁଃଖର ପ୍ରଥମ ଦର୍ଶନରେ ଭଗବାନଙ୍କ ଦୟାଳୁ ଉପେକ୍ଷା କରି ଅଗ୍ରସର ହେବା ଉଚିତ ନୁହେଁ । ଦୁଃଖ ବିପଦର ସୂଚନା ଦିଏ । ଜୀବଜଗତର ସ୍ଥିତିପକ୍ଷରେ ଏହା ନିତାନ୍ତ ଆବଶ୍ୟକ । ସୁଖର ପୂର୍ଣ୍ଣ ବ୍ୟାପ୍ତି ଯଦି ଜୀବନରେ ଅସ୍ୱୀକାର କରାଯାଏ, ତାହା ହେଲେ ଦୁଃଖର ମାତ୍ରାକୁ ଅତିରଞ୍ଜିତ କରିବା ମଧ୍ୟ ଅନୁଚିତ । ସିନେକାଙ୍କ ମତରେ ଦୁର୍ଦ୍ଦଶା ଓ ଧ୍ଵଂସରୁ ସମୃଦ୍ଧିର ଉତ୍ପତ୍ତି ହୋଇପାରେ । ଏଥିର ଦୃଷ୍ଟାନ୍ତ ମଧ୍ୟ ଜଗତରେ ବିରଳ ନୁହେଁ । ଦୁଃଖର ବର୍ତ୍ତମାନତା ସୁଖଭୋଗର ଅନ୍ତରାୟ ହୋଇପାରେ; କିନ୍ତୁ ମନୁଷ୍ୟ ସେହି ପ୍ରତିବନ୍ଧକଟି ନିଜ ଶକ୍ତିରେ ଦୂର କରିପାରେ । ସମୟ-ସ୍ରୋତରେ ଭାସି ଭାସି ମୂର୍ଖ ଲୋକ ଦୁଃଖରୁ ନିଷ୍କୃତି ପାଏ; କିନ୍ତୁ ଜ୍ଞାନୀ ବିଚାରଶକ୍ତିରେ ନିଜକୁ ରକ୍ଷା କରେ । ମନ ଦୁର୍ବଳ ହେଲେ ବିପଦର ଘୂର୍ଣ୍ଣନରେ ମନୁଷ୍ୟ ନିତାନ୍ତ ଅସହାୟ ହୋଇପଡ଼େ ।

 

ମୃତ୍ୟୁ ଓ ଅନ୍ୟାନ୍ୟ ମର୍ମବିଦାରକ ଶୋକ ଅପେକ୍ଷା ଦୈନଦିନ ଜୀବନର ବିରକ୍ତିକର ଘଟଣାଗୁଡ଼ିକ ବେଶି ପରିମାଣରେ ମନୁଷ୍ୟର ସୁଖ ପଥରେ ବାଧା ଜନ୍ମାନ୍ତି । ଏହି ବାଧାସବୁ ମନୁଷ୍ୟ ଅକ୍ଳେଶରେ ଅତିକ୍ରମ କରିପାରେ । କଳହ ଓ ମନୋମାଳିନ୍ୟରେ କେତେ ସୁଖର ସଂସାର ଛାରଖାର ହୁଏ । ଏଥିରେ କାହାକୁ ଦାୟୀ କରାଯିବ ? ନିଜର ଅଜ୍ଞତାବଶତଃ ମନୁଷ୍ୟ ବେଶି କଷ୍ଟଭାଗୀ ହୁଏ । ମୁହୂର୍ତ୍ତକର ମତ୍ତତା ଯୁଗାବଧିର ଅନୁତାପ ସଞ୍ଚୟ କରେ । ଜୀବନର ବେଶି ଭାଗ ଅପବ୍ୟୟିତ ହେଲେ ଅବଶିଷ୍ଟ ଭାଗରେ ସୁଖାନ୍ୱେଷଣ ବୃଥା ପ୍ରୟାସ ପରି ଜଣାଯାଏ । ବିପଦ ଆସିବା ପୂର୍ବରୁ ତାର ପ୍ରତୀକ୍ଷାରେ ରହିଲେ ଦୁଃଖର ମାତ୍ରା ବଢ଼ିଯାଏ । ଏହା ଅପେକ୍ଷା କେବଳ ଆଶଙ୍କାଠାରୁ ବେଶି ମନସ୍ତାପ ମିଳେ; କାରଣ ଆଶଙ୍କା ଅମୂଳକ ହୋଇପାରେ । କୌଣସି ଉଦ୍ଦେଶ୍ୟରେ ଯଥାସାଧ୍ୟ ଚେଷ୍ଟା କଲା ପରେ, ଧୀର ଭାବ ଅବଲମ୍ୱନ କରିବା ଉଚିତ । ଏଥିପ୍ରତି ଲକ୍ଷ୍ୟ ନ ରଖିଲେ ଫଳାଫଳ ଜାଣିବା ପୂର୍ବରୁ ମନୁଷ୍ୟ ଉଦ୍‌ବିଗ୍ନ ଓ ଉତ୍ସାହହୀନ ହୁଏ । କଳ୍ପିତ କିମ୍ୱା ଅନିର୍ଦ୍ଦିଷ୍ଟ ବିପଦରୁ ରକ୍ଷା ପାଇବାକୁ ଯାଇ ସେ ପ୍ରକୃତ ବିପଦକୁ ଆହ୍ୱାନ କରିଥାଏ । ଯେ ସାମାନ୍ୟ ପ୍ରାପ୍ତିରେ ତୃପ୍ତ ହୁଏ ନାହିଁ, ତାର ସନ୍ତୋଷ ଜନ୍ମିବା ସହଜ ନୁହେଁ । ବୃଥା ଆଡ଼ମ୍ୱରପ୍ରିୟ ମନୁଷ୍ୟର ଜୀବନ ଯାତ୍ରା ନିର୍ବିଘ୍ନରେ ନିର୍ବାହିତ ହୁଏ ନାହିଁ । ସୁଖ ପାଇବା ଆଶାରେ ସେ ଅଯଥା ବାଧାସବୁ ସୃଷ୍ଟି କରେ ଓ ତଦ୍ଦ୍ୱାରା ତାର ସରଳ ପଥ କଣ୍ଟକିତ ହୁଏ । ଦୁର୍ଦ୍ଦଶାରେ କ୍ଷୁଣ୍ଣ ନ ହେଲେ ଅଶାନ୍ତି ଆପେ ଦୂର ହୁଏ । କୌଣସି କର୍ମଦ୍ୱାରା ନିନ୍ଦିତ ହେଲେ, ସେହି ନିନ୍ଦାକୁ ନ୍ୟାୟସଙ୍ଗତ କିମ୍ୱା ଅଯଥା ବୋଲି ମନେ କରିବା ଉଚିତ । ଅସ୍ଥିରତା ସବୁ ସମୟରେ ଅନିଷ୍ଟକାରକ ।

 

ମନୁଷ୍ୟକୁ ସବୁ ବିଷୟରୁ ବଞ୍ଚିତ କରାଯାଇପାରେ । ସେ ଗୃହ, ପରିବାର ଓ ଧନଶୂନ୍ୟ ହୋଇ ନିର୍ବାସନ ଦଣ୍ଡ ଭୋଗ କରିପାରେ । ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହୋଇପାରେ; କିନ୍ତୁ ତାର ଅନ୍ତର୍ନିହିତ ମନୋବଳ ଉପରେ କାହାର ଅଧିକାର ନାହିଁ । ନିଜ ଉପରେ ଯାହାର ଯେତେ ବେଶି ବିଶ୍ଵାସ, ସେ ସେତିକି ବଳୀୟାନ୍‌ । ସୁଖସାଧନରେ ଏହାର ଆଶ୍ରୟ ନେବା ପ୍ରତ୍ୟେକଙ୍କର କର୍ତ୍ତବ୍ୟ । ପୃଥିବୀର ସଭ୍ୟତମ ଜାତି ଏହା ଉପରେ ନିର୍ଭର କରି ଯେ ପରିମାଣରେ ସୁଖୀ ହୋଇଅଛି, ଭାରତବାସୀର ଆପେକ୍ଷିକ ଅପକର୍ଷ ହେତୁ କେତିକି ଦୈନ୍ୟ ଘୋଟି ଆସିଚି ।

 

ମନୁଷ୍ୟ କ୍ଷୁଦ୍ର ବିଷୟମାନଙ୍କରେ ବିଶ୍ୱସ୍ରଷ୍ଟାଙ୍କର ଶୁଭଇଚ୍ଛା ଦେଖି ନ ପାରି ପ୍ରକୃତ ସୁଖରେ ସୁଦ୍ଧା ହେୟ ଭାବ ପ୍ରକାଶ କରେ । ବିପୁଳ ଐଶ୍ୱର୍ଯ୍ୟରେ ତଥା ଆଡ଼ମ୍ୱରପୂର୍ଣ୍ଣ ଜୀବନରେ ସୁଖ ମିଳେ ନାହିଁ; ବରଂ ଅଭାବଗୁଡ଼ିକୁ ସଂଯତ କଲେ ଉଦ୍ଦେଶ୍ୟ ସାଧିତ ହୁଏ । ମନୁଷ୍ୟର ଅପରିହାର୍ଯ୍ୟ ଅଭାବକୁ ପ୍ରକୃତି ଅପୂର୍ଣ୍ଣ ରଖେ ନାହିଁ । ସେ ନିଜେ ଅନାବଶ୍ୟକ ଅଭାବ ସୃଷ୍ଟି କରି ଦୁଃଖ ଭୋଗ କରେ । ‘ରସ୍‌କିନ୍‌’ ଶାରୀରିକ ପରିଶ୍ରମ, ଅଧ୍ୟୟନ, ସୁଚିନ୍ତା, ପ୍ରେମ ଓ ପ୍ରାର୍ଥନାଦ୍ୱାରା ସୁଖର ପଥ ନିର୍ଣ୍ଣୟ କରିଅଛନ୍ତି ।

 

ଜଗତର ସୌନ୍ଦର୍ଯ୍ୟରେ ମୁଗ୍‍ଧ ହୋଇ ‘ଲୁଥର୍‍’ ସ୍ୱର୍ଗସୁଖର ସ୍ୱାତନ୍ତ୍ର୍ୟ ସ୍ୱୀକାର କରି ନାହାନ୍ତି । ଚତୁର୍ଦିଗରେ ପରିବ୍ୟାପ୍ତ ଅଶେଷ ଉପଭୋଗ୍ୟ ବିଷୟର ଉପାଦେୟତା ବୁଦ୍ଧିମାନ ଓ ଚିନ୍ତାଶୀଳ ବ୍ୟକ୍ତି ପକ୍ଷରେ ଅନୁଭୂତ ହେବା ସହଜ । ଯେଉଁମାନେ କେବଳ ଇନ୍ଦ୍ରିୟପରତନ୍ତ୍ର ହୋଇ ରହିବାକୁ ଚାହାନ୍ତି, ସେମାନଙ୍କ ପାଇଁ ମଧ୍ୟ କୌଣସି ବସ୍ତୁର ଅଭାବ ନାହିଁ । ସମୟୋପଯୋଗୀ ଅଭିଳଷିତ ପଦାର୍ଥର ଅପ୍ରାପ୍ତିରେ ମନର କ୍ଷୁବ୍‍ଧତା ଦୁଃଖର କାରଣ ହୁଏ । କେବଳ ବିଷୟ ବାସନାରେ ଆବଦ୍ଧ ହୋଇ ଜୀବନ ଅତିବାହିତ କଲେ, ସଙ୍କୀର୍ଣ୍ଣତା ସ୍ୱତଃ ହୃଦୟକୁ ଅଧିକାର କରେ ଏବଂ ବିଷୟଭୋଗବାଧା ଦୁଃଖ ଆଣେ । ପାର୍ଥିବ ବିଷୟମାନଙ୍କରେ ଅତ୍ୟନ୍ତ ଲିପ୍ତ ରହିଲେ ଭଗବାନଙ୍କ ଅନନ୍ତ ଶକ୍ତିରେ ବିଶ୍ୱାସ କ୍ଷୀଣ ହୁଏ । ଦୁର୍ବିପାକଗ୍ରସ୍ତ ହେଲେ ମାନବ ପାର୍ଥିବ ଅବଲମ୍ୱନକୁ ଦୃଢ଼ଭାବରେ ଧାରଣ କରେ । ସେତେବେଳେ ତାର ଅବଲମ୍ବନ କେତେ ଦୂର ଅସ୍ଥାୟୀ ଓ ଦୁର୍ବଳ, ତାହା ସେ ସହଜରେ ବୁଝିପାରେ ନାହିଁ । ଅନେକ ବଡ଼ଲୋକ ସୁଖର ପନ୍ଥା ନିର୍ଣ୍ଣୟ କରି ନ ପାରି ସମସ୍ତ ଜୀବନକୁ ବ୍ୟର୍ଥତାରେ କଟାଇ ଦିଅନ୍ତି । ‘ଆଣ୍ଟନି’ ରମଣୀର ପ୍ରେମରେ, ‘ବ୍ରଟସ୍‍’ ଖ୍ୟାତିଲିପ୍ସାରେ ଓ ‘ସିଜାର’ ସାମ୍ରାଜ୍ୟ ସଂସ୍ଥାପନରେ ସୁଖୀ ହେବାକୁ ଯାଇ ଶେଷରେ ଲାଞ୍ଚ୍ଥନା, ବିରକ୍ତି ଓ ଅକୃତଜ୍ଞତା ଭୋଗ କରିଅଛନ୍ତି । ଅନିତ୍ୟତାର ପୂର୍ଣ୍ଣ ଆସକ୍ତିରେ ଯେଉଁ ଧ୍ୱଂସ ସାଧିତ ହୁଏ, ସେଥିର ସେମାନେ ଜ୍ୱଳନ୍ତ ଦୃଷ୍ଟାନ୍ତ । ଅନେକେ କହିପାରନ୍ତି, ମୃତ୍ୟୁର ଭାବନା ମନୁଷ୍ୟକୁ ପୂର୍ଣ୍ଣମାତ୍ରାରେ ସୁଖୀ କରିଦିଏ ନାହିଁ । ଏ କଥା ଠିକ୍‍ ନୁହେଁ । ବେକନ୍‍ କହିଛନ୍ତି, ମନୁଷ୍ୟର ଯେଉଁ ସବୁ ପ୍ରବୃତ୍ତି ଅଛି, ତଦ୍ଦ୍ୱାରା ସେ ମୃତ୍ୟୁଭୟକୁ ହୃଦୟରେ ସ୍ଥାନ ଦିଏ ନାହିଁ । ପ୍ରେମ, ଯଶ ଓ ତୀବ୍ର ପ୍ରତିହିଂସା ମୃତ୍ୟୁରେ ପ୍ରତିଷ୍ଠା ଲାଭ କରନ୍ତି । ସୁନିୟନ୍ତ୍ରିତ ଜୀବନ-ଯାପନରେ ମୃତ୍ୟୁଭୟ ନ ଥାଏ । ବିଷୟ-ଭୋଗ-ଲମ୍ପଟ କେବଳ ସେଥିରେ ତ୍ରସ୍ତ ହୁଏ ।

 

ନିଜ ଶକ୍ତି ଅନୁସାରେ ଜଗତର କଲ୍ୟାଣ ସାଧନ କରି ମନରେ ତୃପ୍ତି ଆଣିବା ସୁଖ-ସାଧନର ଗୋଟିଏ ପ୍ରକୃଷ୍ଟ ଉପାୟ । ସମସ୍ତଙ୍କର ଶକ୍ତି ସମାନ ନୁହେଁ । ଜଣକର ସାଧ୍ୟାତୀତ କାର୍ଯ୍ୟ ଅନ୍ୟର ସହଜସାଧ୍ୟ ହୋଇପାରେ । ସାଧୁ ଉଦ୍ଦେଶ୍ୟରେ ନିଯୋଜିତ ସାମାନ୍ୟ ଶକ୍ତି ଜଗତର ପ୍ରଭୂତ ମଙ୍ଗଳ କରେ । ଭୀରୁତା, ଈର୍ଷା, ଲୋଭ ପ୍ରଭୃତି ତ୍ୟାଗ କରି ନିଜ ଚରିତ୍ରଟି ଗଠନ କରିବାଦ୍ୱାରା ମନୁଷ୍ୟ ଜଗତକୁ ଯଥେଷ୍ଟ ଦାନ କରେ । ଏ ଦିଗରେ ଗତି କରିବାକୁ ହେଲେ ଐଶୀ ଶକ୍ତିର ମହତ୍ତ୍ୱ ପ୍ରଥମରୁ ଅନୁଭବ କରିବା ଉଚିତ ।

 

କେହି କେହି କହିପାରନ୍ତି, ଭୋଗ-ବିଳାସରେ ଲିପ୍ତ ରହିଲେ, ମନୁଷ୍ୟ ସୁଖୀ ହୋଇପାରିବ । ବାସ୍ତବିକ ତାହା ନୁହେଁ । ଥରେ ସ୍ୱେଚ୍ଛାଚାରୀ ହୋଇ ମତ୍ତତାର ଆଶ୍ରୟ ନେଲେ, ସେ ପଥରୁ ନିଷ୍କୃତି ଲଭିବା ସହଜ ନୁହେଁ । ମନୁଷ୍ୟ ଥରେ ମନର ଉଲ୍ଲାସରେ ମଦ୍ୟପାନରେ ଯେଉଁ ମାଦକତା ପାଏ, ତାକୁ ପୁଣି ଉଦ୍ଦୀପିତ କରିବାକୁ ଯାଇ ସେ ମଦ୍ୟପାନରେ ଅଭ୍ୟସ୍ତ ହୁଏ । ସୁଖ ପାଇବା ଦୂରେ ଥାଉ, ଶେଷକୁ ଏପରି ଗୋଟାଏ ଦୁରାକାଙ୍କ୍ଷା ଆସେ, ଯଦ୍ଦ୍ୱାରା ସେ ପୁନଃ ପୁନଃ ମଦ୍ୟପାନ କରି ସୁଦ୍ଧା ତୃପ୍ତିଲାଭ କରିପାରେ ନାହିଁ । ଏହି ଅଭ୍ୟାସର ବଶ୍ୟତା ତଥା ତ୍ୟାଗ ତା ପକ୍ଷରେ କଷ୍ଟକର ହୁଏ । ଜୀବନରେ ଯେଉଁ ପତନ ଆରମ୍ଭ ହୁଏ, ତାହା କ୍ରମଶଃ ଖରତର ହୋଇଆସେ । ଯାବତୀୟ କୁପ୍ରବୃତ୍ତମାନଙ୍କର ଅଧୀନ ହେଲେ, ମନୁଷ୍ୟ ଏହି ଦଶା ଭୋଗ କରେ । ସୁଖର ସ୍ଥାନ ନୈରାଶ୍ୟ ଅଧିକାର କରେ । ଅନ୍ୟ ପକ୍ଷରେ ଆତ୍ମସଂଯମ ପ୍ରଥମେ କଷ୍ଟକର ବୋଧ ହୁଏ; କିନ୍ତୁ ସାଧନାଦ୍ୱାରା ଜୀବନ କ୍ରମଶଃ ସରଳ ଓ ସୁଖକର ହୁଏ । ମନୁଷ୍ୟର ସ୍ୱଭାବ ଦୁଇ ବିପରୀତ ଦିଗରେ ଗତି କରିପାରେ । ନିଜ ଉପରେ ପୂର୍ଣ୍ଣ ପ୍ରଭୁତ୍ୱ ଲାଭ କଲେ ଏହି ଗତିକୁ ସୁନିୟନ୍ତ୍ରିତ କରିବା ସହଜ ହୁଏ । ସଂଯମରେ ଆତ୍ମବଳ ସଞ୍ଚିତ ହୋଇ ମହତ୍ତ୍ୱ ପ୍ରକାଶ କରେ । କୁଟୀରବାସୀ ଦରିଦ୍ର ଏହି ବଳରେ ମୁକୁଟମଣ୍ଡିତ ରାଜାଧିରାଜ ନିକଟରେ ସୁଦ୍ଧା ନତମସ୍ତକ ହେବାକୁ ଚାହେ ନାହିଁ । ସଂସାରରେ କିଏ ବଡ଼ ? ମନୁଷ୍ୟର ଆତ୍ମବଳ ଆଧିକ୍ୟରେ ଏଥିର ପରିଚୟ ମିଳେ । କ୍ଷମତା ଓ ପଦମର୍ଯ୍ୟାଦା ସହିତ ମହତ୍ତ୍ୱର ଅଳ୍ପ ସମ୍ପର୍କ ଥାଏ । ଅପରିମିତ ବ୍ୟକ୍ତିଗତ ଆଶା ଓ ଆକାଙ୍କ୍ଷା ଦମନ କରିବାକୁ ହେଲେ ବିଶ୍ୱର ଅସୀମ ଶୋଭା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।

 

ରାଜକୀୟ ଉଚ୍ଚପଦବୀ-ଲାଭରେ ଲୋକ ନିଜକୁ ଧନ୍ୟ ଓ ସୁଖୀ ମନେ କରିବା ମଧ୍ୟ ଗୋଟାଏ ମୋହ । ରାଜ୍ୟାଧିପତି ରାଜ୍ୟଶାସନରେ ଯେଉଁ ସୁଖ ପାଏ, ଇନ୍ଦ୍ରିୟ-ଜୟୀ ତାଠାରୁ ସହସ୍ର ଗୁଣରେ ବେଶୀ ସୁଖୀ । କୃଷି ଓ ବାଣିଜ୍ୟ ପ୍ରଭୃତି ବିଷୟମାନଙ୍କର ଉନ୍ନତି ଆତ୍ମବଳ ସାଧନ ପକ୍ଷରେ କୌଣସି ବାଧା ଜନ୍ମାଏ ନାହିଁ; ବରଂ ଦେଶର ଆର୍ଥିକ ଦୂରବସ୍ଥା ମୋଚନ କରିବା ପାଇଁ ପ୍ରତ୍ୟେକ ବିବେକୀ ଲୋକର ଦୃଷ୍ଟି ଦେବା ନିତାନ୍ତ ଆବଶ୍ୟକ । ଛୋଟ କିମ୍ୱା ବଡ଼ ଜୀବିକା ଉପରେ ଜୀବନର ଶ୍ରୀ ନିର୍ଭର କରେ ନାହିଁ । ଜଣେ ସାଧାରଣ ଲୋକର ଜୀବନ ପ୍ରବଳପ୍ରତାପ ମହାରାଜାଙ୍କର ଜୀବନଠାରୁ ଉତ୍କୃଷ୍ଟ ହୋଇପାରେ । ‘ରସ୍‍କିନ୍‍’ ଶିଳ୍ପ-ନୈପୁଣ୍ୟ ବିଷୟରେ ଯାହା କହିଛନ୍ତି, ତାହା ଜୀବନର ଶ୍ରେଷ୍ଠତ୍ୱ ସମ୍ବନ୍ଧରେ ମଧ୍ୟ ଆରୋପ କରାଯାଇପାରେ । ଶିଳ୍ପୀର ଜ୍ଞାନ ବିଷୟ କିମ୍ବା ପଦାର୍ଥ ବିଶେଷର ଚମତ୍କାରିତାରେ ପ୍ରମାଣିତ ହୁଏ ନାହିଁ । ଅଙ୍କନକୌଶଳ ଉପରେ ଏହା ସମ୍ପୂର୍ଣ୍ଣ ନିର୍ଭର କରେ । ଜୀବନର ଅବଲମ୍ୱନ ଦେଖି କାହାକୁ ସୁଖୀ କିମ୍ବା ଦୁଃଖୀ ମନେ କରିବା ଉଚିତ ନୁହେଁ ।

 

ପ୍ରତ୍ୟେକ ଲୋକକୁ ଜୀବନ-ସଂଗ୍ରାମରେ ଯୋଗ ଦେବାକୁ ହେବ; ପାପ ପୁଣ୍ୟ, ଭଲ ଓ ମନ୍ଦ ମଧ୍ୟରେ ନିଜର କର୍ମମାର୍ଗ ସ୍ଥିର କରିବାକୁ ସମସ୍ତଙ୍କୁ ପଡିବ ।

 

ବର୍ତ୍ତମାନ ଯୁଗର କର୍ମ-ନିର୍ବାହ-ପନ୍ଥା ସୁଗମ ନ ଦେଖି କିମ୍ୱା ବହୁ ଆୟାସରେ ଜୀବିକା ଅର୍ଜନ କରି କେହି କେହି ସମୟର ଦୋଷ ଦେଇ ପାରନ୍ତି । ପ୍ରକୃତରେ ଦେଖିବାକୁ ଗଲେ, ମନୁଷ୍ୟ ଆଜିକାଲି ବେଶି କଷ୍ଟକର କାର୍ଯ୍ୟମାନ ସାଧନ କରି ଜୀବନର ମୂଲ୍ୟ ପୂର୍ବାପେକ୍ଷା ବଢ଼ାଇ ଦେଇଚି କର୍ମ ସୁଖପ୍ରସୁ । ଆଜି ଜଗଦ୍‍ବାସୀର ଚିନ୍ତା-ସ୍ରୋତ ଓ ଅଧିକୃତ ବ୍ୟବସାୟ ଯେପରି ସ୍ୱାଧୀନ ଆକାର ଧାରଣ କରିଛି, ସେଥିରେ କର୍ମର ମହତ୍ତ୍ୱ ସୁସ୍ପଷ୍ଟ । କର୍ମ-ସିଦ୍ଧି ଶୀଘ୍ର କିମ୍ବା ବିଳମ୍ବରେ ହୋଇପାରେ; ସେଥିପାଇଁ ମନରେ ଚାଞ୍ଚଲ୍ୟ ଆଣିବା ଉଚିତ ନୁହେଁ । ସାଧାରଣତଃ ଆମ୍ଭେମାନେ ନିଜର ଦୋଷ ନ ଦେଖି କୌଣସି ବିଶିଷ୍ଟ ଅବସ୍ଥାକୁ ଦାୟୀ କରୁଁ ।

 

କର୍ମଜୀବନର ପରିଣାମ କୌଣସି ଗୋଟିଏ ନିର୍ଦ୍ଧାରଣ କିମ୍ବା ବିଶିଷ୍ଟ କାର୍ଯ୍ୟସମ୍ପାଦନରେ ସ୍ଥିର କରାଯାଏ ନାହିଁ । ଦୈନନ୍ଦିନ ଜୀବନର ଘଟନା ଉପରେ ଏହା ନିର୍ଭର କରେ । ଜଗତରେ କାହାକୁ ହଠାତ୍‍ ସାମାନ୍ୟ ମନେ କରିବା ଉଚିତ ନୁହେଁ । କ୍ଷୁଦ୍ରତ୍ୱରେ ବିଶାଳତାରେ ବୀଜ ନିହିତ ଥାଏ । ଧୂଳିକଣାରୁ ଗିରିରାଜର ଉତ୍ପତ୍ତି ହୁଏ । ସଂସାରର କୋଳାହଳ ମଧ୍ୟରେ ନିର୍ଜନତାର ମାଧୁରୀ ଓ ସ୍ନିଗ୍‍ଧତା ଅନୁଭବ କରିବା କେବଳ ମହତ୍‍ ଲୋକ ପକ୍ଷରେ ସମ୍ଭବ ହୁଏ । ସେ କାହାର ଉଚ୍ଚ ଓ ନୀଚ ପ୍ରଭାବରେ ଆକୃଷ୍ଟ ହୁଏ ନାହିଁ । ମନ ଶାନ୍ତିରେ ସେ ପ୍ରକୃତ ସୁଖ ଅନୁଭବ କରେ । ସାଧାରଣ ମନୁଷ୍ୟ ସମୁଦ୍ର ଉପକୂଳ କିମ୍ୱା ପାର୍ବତ୍ୟ ଅଞ୍ଚଳରେ ବିଶ୍ରାମ ଭୂମି ଲୋଡ଼େ । ସୁଖ ପାଇବା ତାର ଉଦ୍ଦେଶ୍ୟ । ନିଜ ଉପରେ ବିଶ୍ୱାସ ନ ଜନ୍ମିବା ଯାଏ ଏ ସବୁ ବାହ୍ୟ ଆକର୍ଷଣ ତାକୁ ପ୍ରକୃତ ସୁଖ ଦେଇ ପାରେ ନାହିଁ । ଶାନ୍ତିର ପବିତ୍ର କୁଟୀରଟି ମନୋରାଜ୍ୟରେ ସ୍ଥାପିତ ହେବା ବାଞ୍ଚ୍ଥନୀୟ । ଧର୍ମ୍ମଜୀବନରୁ ଜ୍ଞାନ ଓ ସତ୍‍ପ୍ରବୃତ୍ତିଗୁଡ଼ିକର ବିକାଶ ହୁଏ । ଏଗୁଡ଼ିକ ବିକଶିତ ହେଲେ ମନୁଷ୍ୟ ଅକ୍ଳେଶରେ ସୁଖୀ ହୁଏ । ଜୀବନର ପବିତ୍ରତା ନଷ୍ଟ କରି ସୁଖ ଆଶା କରିବା ବିଡ଼ମ୍ବନା ମାତ୍ର । ଗତ ଜୀବନର ମଧୁମୟ ସ୍ମୃତି ଓ ଭବିଷ୍ୟତର ସୁଖ ଆଶା ପୋଷଣ କରିବା ମନ୍ଦ ନୁହେ । ଦୁଶ୍ଚିନ୍ତା, ଆତ୍ମାଗ୍ଳାନି ଓ କୁକ୍ରିୟାଗୁଡ଼ିକରୁ ନିରସ୍ତ ହେଲେ ଅସତ୍‍ ପ୍ରବୃତ୍ତି ଲୋପ ପାଏ । ମନରେ ଯେପରି ଭାବ ପୋଷିତ ହୁଏ, କାର୍ଯ୍ୟର ଗତି ତଦନୁଯାୟୀ ହୁଏ । କୁଭାବ ଦ୍ୱାରା ମନର ସ୍ଥିରତା ନଷ୍ଟ ହୁଏ । ପଙ୍କିଳ ବନ୍ୟାଜଳ ସରୋବରରେ ପ୍ରବେଶ କରେ, କିଛିଦିନ ପରେ ସ୍ୱଚ୍ଛ ହୁଏ । ସେହିପରି କାଳକ୍ରମେ ମନର ନିଶ୍ଚଳତାରୁ ଶାନ୍ତ ଭାବ ଫୁଟି ଉଠେ । ଥରେ ସୁସ୍ଥିର ହେଲେ ସୁଖର ପଥ ସନ୍ଧାନ କରିବା କଷ୍ଟକର ହୁଏ ନାହିଁ ।

•••

 

ଆକାଙ୍କ୍ଷା ଓ ସମ୍ମାନ

ଚଞ୍ଚଳ ମନ ଓ ଉଦ୍ଦୀପନୀ ଆଶା ଘେନି ଜୀବନସ୍ରୋତ ଖରତର ଗତିରେ ଚାଲିଚି । ଅଜସ୍ର ବାଧାବିଘ୍ନ ଆସୁଚି, ସେଥିପ୍ରତି କାହାର ଦୃକ୍‍ପାତ ନାହିଁ । ଗୋଟାଏ ଆଶ୍ୱାସନା ସୁଦୂର ଭବିଷ୍ୟତ୍‍ ଗର୍ଭରେ ଥାଇ ମାନବୀୟ ଭାବନାରାଶିକୁ ସର୍ବଦା ତାର ଇଙ୍ଗିତରେ ଚାଳିତ କରୁଚି । ସମସ୍ତଙ୍କର ଲକ୍ଷ୍ୟ ସମାନ ନୁହେଁ । ଜୀବର ଧର୍ମ ଉପରେ ସ୍ୱଭାବର କ୍ରିୟାବୈଷମ୍ୟ ସୃଷ୍ଟି କରି ସେହି ଆଶ୍ୱାସନାକୁ ବିଭିନ୍ନ ଆକାରରେ କଳ୍ପନା-ତୂଳିକାରେ ଚିତ୍ରିତ କରେ । ଅବଲମ୍ବନ ଓ ଆକାଙ୍କ୍ଷାଶୂନ୍ୟ ଜୀବନରେ ଏପରି ଚିତ୍ରର ଛାୟାପାତ ହୁଏ ନାହିଁ । ସ୍ୱଭାବାନୁଯାୟୀ ଆକାଙ୍କ୍ଷାର ଉତ୍ପତ୍ତି ହେଲେ ସାଧାରଣ ମନୁଷ୍ୟ ନିରନ୍ତର କର୍ମମାର୍ଗରେ ଅଭିନିବିଷ୍ଟ ଥାଇ ଗୋଟାଏ ସ୍ୱତନ୍ତ୍ରତା ସ୍ଥାପନ କରେ । ପ୍ରବୃତ୍ତିମାନଙ୍କର ବିକାଶ, କର୍ମନିପୁଣତା ଓ ଉତ୍ସାହ ଅଧିକାଂଶ ସମୟରେ ମନୁଷ୍ୟର ଆକାଙ୍କ୍ଷା ଉପରେ ନିର୍ଭର କରିଥାଏ ।

 

ଆକାଙ୍କ୍ଷାର ଗତିରୋଧ କରିଦେଲେ ଗୋଟାଏ ଆବିଳ ଧାରା ମନୋରାଜ୍ୟରେ ଆଧିପତ୍ୟ ବିସ୍ତାର କରେ ଓ ତତ୍‍ସଙ୍ଗେ କର୍ମପନ୍ଥା ଦୁର୍ଗମ ହୋଇଉଠେ । ବିଫଳମନୋରଥରେ ଯେଉଁ ବିରକ୍ତି ଜନ୍ମେ, ତାହା ପାରିପାର୍ଶ୍ୱିକ ଅବସ୍ଥାମାନଙ୍କରେ ପ୍ରତିଘାତ କରେ । ଯନ୍ତ୍ରର କୌଣସି ଅଙ୍ଗ ଅକର୍ମଣ୍ୟ ହେଲେ ଯନ୍ତ୍ର-ଚାଳନ ପକ୍ଷରେ ବାଧା ଘଟେ । ସେହିପରି ସମାଜ ଓ ଦେଶର କୌଣସି ସମ୍ପ୍ରଦାୟ କିମ୍ୱା ଜାତିଗତ ଆକାଙ୍କ୍ଷାରେ ଆଘାତ ଆସିଲେ, ଗୋଟାଏ ବିରୁଦ୍ଧ ଭାବ ସର୍ବଦା ବିପରୀତ ଦିଗରେ କାର୍ଯ୍ୟରେ କରିବାକୁ ଚେଷ୍ଟା କରେ । ତଦ୍ଦ୍ୱାରା ଅଶାନ୍ତିର ବିଷ ସର୍ବତ୍ର ବ୍ୟାପିଯାଏ-। ବ୍ୟକ୍ତିଗତ ଆକାଙ୍କ୍ଷାର ଅସାମଞ୍ଜସ୍ୟ ଦୂର କରିବା ସହଜ ନୁହେଁ । ସ୍ୱତଃପ୍ରଣୋଦିତ ହୋଇ ମନୁଷ୍ୟମାନେ ବିଭିନ୍ନ ଶ୍ରେଣୀରେ ଆବଦ୍ଧ ରହନ୍ତି; କାରଣ ଆକାଙ୍କ୍ଷାର ସାମ୍ୟାବସ୍ଥା ଅନେକ ସମୟରେ ସେମାନଙ୍କୁ ଏପରି ଶ୍ରେଣୀବଦ୍ଧ ହେବାକୁ ଉତ୍ତେଜନା ଦିଏ । ସମୂହ ମଙ୍ଗଳ କାମନା ଦେଶ ଓ ଜାତି ପକ୍ଷରେ କଲ୍ୟାଣକର; ସୁତରାଂ କୌଣସି ସମ୍ପ୍ରଦାୟର ଅନୁସୂତ ଆକାଙ୍କ୍ଷାକୁ ଉପେକ୍ଷା କରିବା ସମୀଚୀନ ନୁହେଁ । ଜାତୀୟ ଜୀବନର ଚିନ୍ତାସ୍ରୋତରୁ ଭାବୀ କର୍ମପନ୍ଥା ସ୍ଥିର କରାଯାଇପାରେ; କିନ୍ତୁ ବାହ୍ୟ ଚଞ୍ଚଳତା ଏହାର ପ୍ରଧାନ ପ୍ରତିବନ୍ଧକ । ହଠାତ୍‍ ଭାବାବେଶରେ ଯେଉଁ ସ୍ଫୂର୍ତ୍ତି ଦେଖାଯାଏ, ତାହା ଅଳ୍ପ ସମୟ ସ୍ଥାୟୀ ହେବା ପରେ ପୁଣି ଲୋପ ପାଏ । କ୍ଷୁଦ୍ର ଅଙ୍କୁର ଆଲୋକ, ବାୟୁ ଓ ଜଳସେଚନରେ କ୍ରମଶଃ ବୃଦ୍ଧି ପାଇ ଶେଷରେ ସୁବିଶାଳ ମହୀରୁହ ଆକାର ଧାରଣ କରେ । ସେହିପରି ଜାତୀୟ ଆକାଙ୍କ୍ଷାକୁ ପୁଷ୍ଟ କରିବାକୁ ହେଲେ ବିରୁଦ୍ଧ ଭାବ ଲୋପ କରି ପ୍ରଥମେ ଉଦାରତା ଜନ୍ମାଇବା ଆବଶ୍ୟକ । ସ୍ୱାର୍ଥପର ପ୍ରବଳର ଆକାଙ୍କ୍ଷା ଦୁର୍ବଳର ଅଭାବ ଓ ଆଶା ପ୍ରତି ଦୃଷ୍ଟି ଦିଏ ନାହିଁ । ଦୁର୍ବଳ ନିଜକୁ ଅଭିଶପ୍ତ ମନେ କରେ ଓ ଭେଦ ଭାବ ଧୀରେ ଧୀରେ ବିସ୍ତାରିତ ହୋଇ ଜାତୀୟ ଜୀବନକୁ ଗ୍ରାସ କରେ । ଉଚ୍ଚନୀଚ ଭାବ ଘେନି ଗୋଟାଏ ଆକାଙ୍କ୍ଷାର ଅଧୀନ ହୋଇ କାର୍ଯ୍ୟ କରିବା ଅସମ୍ଭବ ।

 

ବ୍ୟକ୍ତିବିଶେଷର ଉଚ୍ଚାକାଙ୍କ୍ଷା ବିଷୟ ଆଲୋଚନା କଲେ ଜଣାଯାଏ ଯେ, ସାମାନ୍ୟ ବିଷୟରେ ତାହା ଆବଦ୍ଧ ରହିପାରେ ନାହିଁ । ପଦୋନ୍ନତି କିମ୍ୱା ଈପ୍‍ସିତ ବିଷୟ ସମ୍ପର୍କରେ ଏହାକୁ କାର୍ଯ୍ୟୋପଯୋଗୀ କରାଯାଇପାରେ । ଅବସ୍ଥାଭେଦରେ ଏପରି ଆକାଙ୍କ୍ଷାର ଅନୁକୂଳରେ ଯିବା ଉଚିତ । ରାଜକାର୍ଯ୍ୟ ପରିଚାଳନାରେ ଉଚ୍ଚାକାଙ୍କ୍ଷା-ବଶବର୍ତ୍ତୀ ଲୋକଠାରୁ ଯଥେଷ୍ଟ ସାହାଯ୍ୟ ମିଳେ-। ଦାମ୍ଭିକ ପାରିଷଦ ଗର୍ବିତ ପ୍ରଜାକୁ ରାଜଶକ୍ତି ବିରୁଦ୍ଧରେ ମସ୍ତକ ଉତ୍ତୋଳନ କରିବାକୁ ସୁବିଧା ଦିଏ ନାହିଁ । କାଳର ପ୍ରାଦୁର୍ଭାବ ଅନୁସାରେ ଅକପଟ ପ୍ରଜାରଞ୍ଜନ ପରିବର୍ତ୍ତରେ କୂଟ ରାଜନୀତିର ଆଶ୍ରୟ ନେବାକୁ ହୁଏ । ଶାସନଯନ୍ତ୍ରରେ ଶକ୍ତି ପ୍ରୟୋଗ କରିବା ରାଜାଙ୍କର କାର୍ଯ୍ୟ । ଯନ୍ତ୍ରର ଗୋଟିଏ ବିଶିଷ୍ଟ ଅଙ୍ଗରେ ବଳସଞ୍ଚାର କରି ଅନ୍ୟ ସବୁକୁ ଦୁର୍ବଳ ରଖିବା ତାଙ୍କର କର୍ତ୍ତବ୍ୟ ନୁହେଁ । ରାଜକର୍ମଚାରୀମାନଙ୍କୁ ସବୁବେଳେ ଅତ୍ୟଧିକ କ୍ଷମତା ଦେଲେ, ତାର ଅପବ୍ୟବହାର ଘଟି ପ୍ରଜାବର୍ଗର ଅନିଷ୍ଟ ହୋଇପାରେ । ପାରିଷଦମାନଙ୍କର ଆକାଙ୍କ୍ଷାକୁ ସର୍ବଦା ସଂଯତ ରଖିବାକୁ ହେଲେ, ସେମାନଙ୍କର ବଂଶମର୍ଯ୍ୟାଦା ପ୍ରତି ଉଦାସୀନ ହେବା ଆବଶ୍ୟକ । ଅଧସ୍ତନ କର୍ମଚାରୀମାନଙ୍କୁ ଉଚ୍ଚପଦ ଦାନ କଲେ ସେମାନେ ସେଥିରେ ଗୌରବ ଅନୁଭବ କରନ୍ତି ଓ ଅବିଶ୍ୱାସର ମାତ୍ରା ଅନେକ ପରିମାଣରେ ଦୂରୀଭୂତ ହୁଏ । ଦମ୍ଭର ଅପକାରିତା ନିବାରଣ କରିବା ପାଇଁ ଏହା ଗୋଟିଏ ସୁଗମ ଉପାୟ ।

 

ନିର୍ଦ୍ଦିଷ୍ଟ ଆକାଙ୍କ୍ଷାର ଅଧୀନ ହୋଇ ଯେଉଁମାନେ ମହତ୍‍ କାର୍ଯ୍ୟ ସାଧନରେ ବ୍ରତୀ ହୁଅନ୍ତି, ସେମାନଙ୍କଠାରୁ ଅନିଷ୍ଟର ଆଶଙ୍କା ନ ଥାଏ । ଶକ୍ତିଶାଳୀ ଲୋକମାନଙ୍କ ମଧ୍ୟରେ ପ୍ରଭାବ ବିସ୍ତାର କରିବା ସେମାନଙ୍କର ଅଭିପ୍ରାୟ । କେବଳ ମହତ୍‍ ଲୋକମାନଙ୍କ ସହିତ ସମ୍ପର୍କ ସ୍ଥାପନ କଲେ ଏ ଆକାଙ୍କ୍ଷା ପୂର୍ଣ୍ଣ ହୁଏ ନାହିଁ । ସ୍ୱଭାବଗତ ଗୁଣର ଉତ୍କର୍ଷ ଉପରେ ଏହାର ସାଫଲ୍ୟ ନିର୍ଭର କରେ ।

 

ସମ୍ମାନ ଓ ଆକାଙ୍କ୍ଷାର ସମ୍ପର୍କ ବଡ଼ ଘନିଷ୍ଠ । ସମ୍ମାନର ପ୍ରତିଷ୍ଠା ପାଇଁ ଉଚ୍ଚ ପଦବୀ, ସତ୍କାର୍ଯ୍ୟ ଓ ଐଶ୍ୱର୍ଯ୍ୟ ପ୍ରଭୃତି ଆବଶ୍ୟକ ହୁଅନ୍ତି । କେବଳ ଆତ୍ମସମ୍ମାନ ପ୍ରତି ଲକ୍ଷ୍ୟ ରଖିଲେ ସାଧାରଣ ହିତକର କାର୍ଯ୍ୟସାଧନରେ ଔଦାସୀନ୍ୟ ଜନ୍ମିପାରେ । ସମାଜ କିମ୍ବା ଦେଶର ମଙ୍ଗଳପ୍ରତି ଯେଉଁମାନେ ଉଦାସୀନ, ସେମାନଙ୍କର ସମ୍ମାନ ସ୍ଥାୟୀ ହୁଏ ନାହିଁ । ନିଜ ସ୍ୱାର୍ଥରେ ସର୍ବଦା ବ୍ୟାପୃତ ରହିଲେ କ୍ଷୁଦ୍ରତ୍ୱ ପ୍ରକାଶିତ ହୁଏ ଓ ତତ୍‍ସଙ୍ଗେ ଆକାଙ୍କ୍ଷା ମଧ୍ୟ ସଙ୍କୁଚିତ ହୁଏ । ସାମାନ୍ୟ ସ୍ୱାର୍ଥ ସକାଶେ ସାଧାରଣଙ୍କର କ୍ଷତି କରିବା ପ୍ରବୃତ୍ତି ସ୍ୱାର୍ଥପର ପକ୍ଷରେ ଅସମ୍ଭବ ନୁହେଁ । ରାଜକାର୍ଯ୍ୟରେ ଏପରି ଲୋକଙ୍କୁ ନିଯୁକ୍ତ କରିବା ଉଚିତ ନୁହେଁ । ସ୍ୱାର୍ଥପରତା ଅନେକ ସମୟରେ ସାଧାରଣ ଅଶାନ୍ତିର କାରଣ ହୁଏ । କେହି କେହି କେବଳ କାର୍ଯ୍ୟଦ୍ୱାରା ସମ୍ମାନ ଲାଭର ଆକାଙ୍କ୍ଷା ଦେଖାନ୍ତି । ଲୋକମୁଖରେ ସାଧାରଣତଃ ଏମାନଙ୍କର ପ୍ରଶଂସା ଶୁଣାଯାଏ; କିନ୍ତୁ ଆନ୍ତରିକ ସ୍ନେହ ଓ ଭକ୍ତିର ଅଧିକାରୀ ହେବା ଏମାନଙ୍କ ପକ୍ଷରେ ଦୁର୍ଲ୍ଲଭ । ଉତ୍କଣ୍ଠାବଶତଃ କେତେକ ଲୋକ ସମ୍ମାନ ଆଶାୟୀ ହୋଇ ସ୍ୱଗୁଣର ଅପବ୍ୟବହାର କରନ୍ତି । କାର୍ଯ୍ୟନିୟନ୍ତ୍ରଣରେ ଯେ ଅନ୍ୟମାନଙ୍କର ବିବାଦ କିମ୍ୱା ମନୋମାଳିନ୍ୟ ଦୂର କରି ସାମ୍ୟଭାବ ପ୍ରଚାର କରନ୍ତି, ତାଙ୍କଠାରେ ସମସ୍ତେ ଋଣୀ ହୁଅନ୍ତି । ଯେ କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରିବା ସମ୍ମାନାର୍ହ ଲୋକର ଲକ୍ଷଣ ନୁହେଁ । ଈର୍ଷା ଅଧିକାଂଶ ସମୟରେ ସମ୍ମାନର ଅନୁସରଣ କରେ । ମନୁଷ୍ୟର ଆକାଙ୍କ୍ଷା ଓ ଲକ୍ଷ୍ୟ ମହତ୍‍ ଥିଲେ ଏବଂ ସାଧାରଣଙ୍କ ଗୋଚରାର୍ଥ ସେହି ଉଦ୍ଦେଶ୍ୟରେ କାର୍ଯ୍ୟ କଲେ ଈର୍ଷା କୌଣସି ଅନିଷ୍ଟ ସାଧନ କରି ପାରେ ନାହିଁ । କାର୍ଯ୍ୟରେ ସିଦ୍ଧିଲାଭ କଲେ ନିଜ ଉପରେ ପ୍ରଶଂସା ଆରୋପ ନ କରି ଭଗବାନଙ୍କ ଉଦ୍ଦେଶ୍ୟରେ ସେହି କର୍ମଫଳକୁ ଉତ୍ସର୍ଗ କରିବା ସମ୍ମାନିତ ବ୍ୟକ୍ତିର ପ୍ରଧାନ କର୍ତ୍ତବ୍ୟ ।

 

ଗୁଣର ପ୍ରତିବିମ୍ବ ପ୍ରଶଂସାରେ ପ୍ରତିଫଳିତ ହୋଇଥାଏ । ସାଧାରଣ ଲୋକମାନଙ୍କର ପ୍ରଶଂସାରେ ଆସ୍ଥା ପ୍ରଦର୍ଶନ ବାଞ୍ଚ୍ଥନୀୟ ନୁହେଁ; କାରଣ ସେମାନେ ଗୁଣର ମହତ୍ତ୍ୱ ଉପଲବ୍‍ଧି କରି ପାରନ୍ତି ନାହିଁ । ସାମାନ୍ୟ କାର୍ଯ୍ୟ ସମ୍ପାଦନରେ ବିସ୍ମୟାପନ୍ନ ହୋଇ ବୃଥା ପ୍ରଶଂସାରେ ମନୁଷ୍ୟର ମନକୁ ସେମାନେ ଆକର୍ଷଣ କରନ୍ତି । ଚାଟୁବାଦ ଓ ପ୍ରଶଂସା ମଧ୍ୟରେ ପାର୍ଥକ୍ୟ ଅନୁଭବ କରିବା ସମସ୍ତଙ୍କ ପକ୍ଷରେ ସହଜ ନୁହେ । ସତ୍ୟ ଓ ଅପ୍ରିୟ କଥା ଶୁଣିବାରେ ଯେଉଁମାନେ ଅଭ୍ୟସ୍ତ, ସେମାନେ ବୃଥା ପ୍ରଶଂସାରେ ଚାଳିତ ହୁଅନ୍ତି ନାହିଁ । ବିଶେଷତଃ କ୍ଷମତାପନ୍ନ ଓ ବିଭବଶାଳୀ ଲୋକମାନେ ଚାଟୁକାରମାନଙ୍କୁ ପ୍ରଶ୍ରୟ ଦେବାଦ୍ୱାରା ଜନସାଧାରଣଙ୍କର କ୍ଷତି ହୁଏ । ହିତସାଧନ ଯାହାର ଜୀବନର ବ୍ରତ, ଉପଯୁକ୍ତ ଶକ୍ତିର ଅଧିକାରୀ ହେବା ତା ପକ୍ଷରେ କିଛି ଅସଙ୍ଗତ ନୁହେ । ଏଥିପ୍ରତି ଲକ୍ଷ୍ୟ ନ ରଖି ଅନେକେ ସେମାନଙ୍କ ପ୍ରାପ୍ତ କ୍ଷମତାର ଅପବ୍ୟବହାର କରନ୍ତି । ତଦ୍ଦ୍ୱାରା ସେମାନଙ୍କର ସମ୍ମାନ ଓ ଖ୍ୟାତି ନଷ୍ଟ ହୁଏ । ସାଧୁ ଉଦ୍ଦେଶ୍ୟରେ ମଧ୍ୟ ଶକ୍ତିସମ୍ପନ୍ନ ଲୋକମାନଙ୍କୁ ପ୍ରଶଂସା କରାଯାଏ । ସେଥିରେ ଲୋକର କର୍ତ୍ତବ୍ୟ ବୋଧ ହେବାର ଆଶା ଥାଏ । ଘୃଣାମିଶ୍ରିତ ପ୍ରଶଂସାରେ ପ୍ରଶଂସିତ ବ୍ୟକ୍ତି ଲୋକଚକ୍ଷୁରେ ହେୟ ବିବେଚିତ ହୁଏ । ଯେ ଯେଉଁ ସମ୍ମାନର ଅଧିକାରୀ, ତା ଠାରୁ ବେଶି ସମାଜରେ ପ୍ରତିପନ୍ନ କରାଇବାଦ୍ୱାରା ଈର୍ଷାର ଉଦ୍ଦେଶ୍ୟ ସାଧିତ ହୁଏ । କେହି କେହି ଏଥିରେ ମଧ୍ୟ ନିଜକୁ ଗୌରବାନ୍ୱିତ ମନେ କରନ୍ତି; କିନ୍ତୁ ସେମାନଙ୍କର ସ୍ମରଣ ରଖିବା ଉଚିତ ଯେ, ପ୍ରକୃତ ଗୌରବଲାଭ ସହଜସାଧ୍ୟ ନୁହେଁ । ଅପ୍ରତିଦ୍ୱନ୍ଦୀ ହୋଇ କେହି କେବେ ଯଶଃ ଲାଭ କରି ନାହିଁ । ଅହଙ୍କାର ତାର ନିଦର୍ଶନ ନୁହେଁ । ସମୟବିଶେଷରେ ଅଯଥା ପ୍ରଶଂସାଦ୍ୱାରା ଲୋକ-ମନରେ ସମ୍ମାନ ଆଶା ଜାଗ୍ରତ କରାଯାଏ ଓ ତଦ୍ଦ୍ୱାରା ସେ ଉତ୍ସାହିତ ହୋଇ ମହତ୍‍ କାର୍ଯ୍ୟରେ ବ୍ରତୀ ହୁଏ ।

 

ମହତ୍ତ୍ୱରେ ଦେବତ୍ୱ ନିହିତ ଥାଏ । ମନୁଷ୍ୟ ତାକୁ ବାଦ୍‍ ଦେଇ ପଶୁତ୍ୱର ପରିଚୟ ଦିଏ । ନିର୍ବିରୋଧରେ ଯେଉଁମାନେ ଅପରିସୀମ କ୍ଷମତା ଦ୍ୱାରା ଜଗତରେ ପ୍ରଭୁତ୍ୱ ବିସ୍ତାର କରିବାକୁ ଚାହାନ୍ତି, ସେମାନଙ୍କର ଆକାଙ୍କ୍ଷା ପୂର୍ଣ୍ଣ ହୁଏ ନାହିଁ । ମନୁଷ୍ୟର ଅନ୍ତର୍ନିହିତ ଶକ୍ତି ଉନ୍ମେଷିତ ହେଲେ ସାଂସାରିକ ଗୌରବପ୍ରାପ୍ତିର ଆଶା କ୍ରମଶଃ ହ୍ରାସ ପାଏ । ପ୍ରଚ୍ଛନ୍ନ ଭାବରେ ଏ ଶକ୍ତି ସମସ୍ତଙ୍କ ହୃଦୟରେ କାର୍ଯ୍ୟ କରେ । ନିର୍ଦ୍ଦୟ ହିଂସ୍ରକ ସୁଦ୍ଧା ଏଥିରୁ ବଞ୍ଚିତ ନୁହେ । ସ୍ୱଭାବର ସାମ୍ୟାବସ୍ଥା ପ୍ରାୟ ଦେଖାଯାଏ ନାହିଁ । କେହି ଭଲ କାର୍ଯ୍ୟ ପ୍ରତି ଓ କେହି ମନ୍ଦ କାର୍ଯ୍ୟ ପ୍ରତି ସ୍ୱଭାବର ଅଧୀନ ହୋଇ ଆକୃଷ୍ଟ ହୁଅନ୍ତି । ମହତ୍ ସ୍ୱଭାବର ପରିଚୟ ଅନେକ ବିଷୟରୁ ଜଣାଯାଇପାରେ । ସେବା, ସହାନୁଭୂତି, କ୍ଷମା ଓ କୃତଜ୍ଞତା ପ୍ରଭୃତି ସଦ୍‍ଗୁଣଗୁଡ଼ିକ ସ୍ୱତଃ ବିକଶିତ ହୁଅନ୍ତି ।

 

କ୍ଷମତା ଓ ସମୟ ପ୍ରଭାବରେ ଉଦ୍ଭୁତ ସମ୍ମାନ ବିଭିନ୍ନ ବୋଧ ହୋଇପାରେ; କିନ୍ତୁ ସତ୍କାର୍ଯ୍ୟରେ ସମସ୍ତ ଜୀବନ ଅତିବାହିତ କଲେ ମନରେ ଆଦୌ ଗ୍ଳାନି ଆସେ ନାହିଁ । କେବଳ ସମ୍ମାନ-ଆଶାୟୀ ହେଲେ ଭଲ ଓ ମନ୍ଦର ସଂମିଶ୍ରଣରେ ନିଜର କର୍ମପନ୍ଥା ସ୍ଥିର କରିବାକୁ ହୁଏ ।

 

କାଳକ୍ରମେ ଯଶସ୍ୱୀ ଲୋକର ଭଲ ଗୁଣଗୁଡ଼ିକ ସମାଜରେ ପ୍ରସିଦ୍ଧି ଲାଭ କରିଥାଏ । ବଂଶମର୍ଯ୍ୟାଦା ଅନେକଙ୍କୁ ଆଳସ୍ୟପରାୟଣ କରାଏ; କାରଣ ସେମାନେ କୌଣସି କାର୍ଯ୍ୟସାଧନ ସମୟରେ ସର୍ବଦା ନିଜ ସମ୍ମାନହାନି ଉପରେ ଇତସ୍ତତଃ ହୁଅନ୍ତି । କର୍ମବିମୁଖ ହୋଇ ଅନ୍ୟର କର୍ମତତ୍ପରତା ଦେଖିଲେ କାତରତା ପ୍ରକାଶ କରିବା ସେମାନଙ୍କର ସ୍ୱଭାବ । ଅପରର ସମୃଦ୍ଧିରେ ସେମାନଙ୍କର ଈର୍ଷା ଜାତ ହୁଏ । ବୃଥା ସମ୍ମାନ-ଦମ୍ଭରେ ଗୁଣହୀନ ଲୋକ କର୍ମୀକୁ ତୁଚ୍ଛ ମନେକରେ-। ଆଳସ୍ୟପରାୟଣ ଓ ପରଶ୍ରୀକାତର ଜୀବନର ଆକାଙ୍କ୍ଷା ଚରିତାର୍ଥ କରିବା ପାଇଁ ଅସଦୁପାୟ ଅବଲମ୍ବନ କରେ ।

 

ପଦସ୍ଥ ବ୍ୟକ୍ତିମାନଙ୍କର ସ୍ୱତନ୍ତ୍ରତା ରକ୍ଷା କରିବା ସହଜ ନୁହେଁ । ସେମାନେ ସର୍ବଦା ଦେଶକର୍ମ ଓ ଖ୍ୟାତିର ଅଧୀନ ହୋଇଥାନ୍ତି । କାର୍ଯ୍ୟ ଓ ସମୟ ନିରୂପଣର ବ୍ୟବସ୍ଥା ଅଧିକାଂଶ ସମୟରେ ସେମାନଙ୍କର ସ୍ୱାଧୀନ ଭାବର ପରିଚୟ ଦିଏ ନାହିଁ । କ୍ଷମତା ଓ ସମ୍ମାନ ଆଶାରେ କିମ୍ୱା ଅପର ଉପରେ ପ୍ରଭୁତ୍ୱ ବିସ୍ତାର କରିବା ଉଦ୍ଦେଶ୍ୟରେ ନିଜର ସ୍ୱାଧୀନତା ହରାଇବା ସ୍ୱଭାବବିରୁଦ୍ଧ ହେଲେ ସୁଦ୍ଧା ପ୍ରବଳ ଆକାଙ୍କ୍ଷା ସେଥିପତି ଲକ୍ଷ୍ୟ ରଖେ ନାହିଁ । ବହୁ ସାଧନାରେ ଲୋକ ଉଚ୍ଚପଦ ଅଧିକାର କରେ ଓ ଅନେକ ସମୟରେ ଆତ୍ମସମ୍ମାନ ବିନିମୟରେ ଲୋକ-ସମ୍ମାନ ଲାଭ କରିବା ତା ପକ୍ଷରେ ଗୌରବଜନକ ବୋଧ ହୁଏ । କେବଳ ସାଧାରଣଙ୍କ ପ୍ରଶଂସା ଉପରେ ଯାହାର ସୁଖ ନିର୍ଭର କରେ, ତାର ଆତ୍ମବୃତ୍ତି ମଳିନ ହେବା ଆଶ୍ଚର୍ଯ୍ୟ ନୁହେଁ । ସମ୍ମାନଜନକ କାର୍ଯ୍ୟସମ୍ପାଦନରେ ସମୁଦାୟ ଉତ୍ସାହ ଓ ଶକ୍ତି ବ୍ୟୟ କରି ଶରୀର ଓ ମନର ଉତ୍କର୍ଷ ପ୍ରତି ଉଦାସୀନ ହେବା ତା ପକ୍ଷରେ ଅସମ୍ଭବ ନୁହେଁ । ଗୁଣଲାଭ ସମ୍ମାନର ଉପଲକ୍ଷ ହେଲେ ଆତ୍ମପ୍ରସାଦ ଜନ୍ମିପାରେ ଓ ସେଥି ସଙ୍ଗେ ସମସ୍ତ ଦୁର୍ବଳତା ଅନ୍ତର କରାଯାଇପାରେ । ପ୍ରକୃତି-ଜାତ ବସ୍ତୁ ସ୍ୱଭାବସିଦ୍ଧ ଅବସ୍ଥା ଲାଭ କରିବା ପାଇଁ ସର୍ବଦା ବ୍ୟଗ୍ରଭାବରେ ଗତି କରିଥାଏ; କିନ୍ତୁ ଯେତେବେଳେ ଉପଯୁକ୍ତ ଅବସ୍ଥାର ଅଧୀନ ହୁଏ, ସେତେବେଳେ ଆଉ କୌଣସି ଚଞ୍ଚଳତା ଦୃଷ୍ଟ ହୁଏ ନାହିଁ । ସମ୍ମାନ-ଶିଖର-ଆରୋହୀକୁ ସର୍ବଦା ବକ୍ର ଓ ମନ୍ଥର ଗତିରେ ଯିବାକୁ ପଡ଼େ ।

 

ମନୁଷ୍ୟର ଆକାଙ୍କ୍ଷା ଓ ସାଧନା ଉପରେ ତାର ସୌଭାଗ୍ୟ ନିର୍ଭର କରେ । ସୁଗୁଣ ପ୍ରକାଶ କରି ପ୍ରଶଂସାଭାଜନ ହେବା କିମ୍ବା ଖ୍ୟାତିଲାଭ କରିବାଦ୍ୱାରା ଐଶ୍ୱର୍ଯ୍ୟପ୍ରାପ୍ତି ପକ୍ଷରେ ବିଶେଷ ସହାୟତା ମିଳେ ନାହିଁ । ଅନେକେ ଆତ୍ମଗୋପନ କରି କେବଳ ନିଭୃତ ସାଧନାଦ୍ୱାରା ଆତ୍ମତୃପ୍ତି ଲାଭ କରନ୍ତି । ଦେଶପ୍ରୀତିରେ ଯାହାର ହୃଦୟ ସର୍ବଦା ଉଦ୍‍ବେଳିତ, ତାର ଲକ୍ଷ୍ୟ ସ୍ୱାର୍ଥ-ସାଧନରେ ନିୟୋଜିତ ହୁଏ ନାହିଁ ଏବଂ ସେ ଐଶ୍ୱର୍ଯ୍ୟ ଲକ୍ଷ୍ମୀଙ୍କର କୃପା ଲାଭ କରିବାରେ ଅସମର୍ଥ ହୁଏ । ବିଜ୍ଞଲୋକ ଈର୍ଷା-ହସ୍ତରୁ ରକ୍ଷା ପାଇବାପାଇଁ ନିଜର ଶ୍ରୀକୁ ବିଭୂପଦରେ ଅର୍ପଣ କରେ । ପ୍ରକୃତ ମହତ୍ତ୍ୱ ଐଶୀ ଶକ୍ତିରୁ ଭିନ୍ନତା ଜନ୍ମାଏ ନାହିଁ । ସାଧାରଣତଃ ଯେଉଁମାନେ ଆପଣାର ଜ୍ଞାନ ଓ କୌଶଳ ଉପରେ ନିର୍ଭର କରି ପ୍ରତିଷ୍ଠା ସ୍ଥାପନ କରିବାକୁ ଇଚ୍ଛା କରନ୍ତି, ସେମାନଙ୍କର ଶେଷ ଦଶା ନୈରାଶ୍ୟରେ ପରିଣତ ହୋଇଥାଏ । ଯଶୋଲିପ୍‍ସା ମହତ୍ତ୍ୱର ବିରୋଧୀ ହେବା ବାଞ୍ଚ୍ଥନୀୟ ନୁହେଁ-। ବର୍ତ୍ତମାନର କାର୍ଯ୍ୟ ଓ ଭବିଷ୍ୟତର ଆଶା ମଧ୍ୟରେ ବାଧା ଆସିପାରେ; କିନ୍ତୁ ଆତ୍ମନିର୍ଭରଶୀଳ ପକ୍ଷରେ ତାକୁ ଅତିକ୍ରମ କରିବା କଷ୍ଟକର ନୁହେଁ । ମାନସିକ ସଂଯମରେ ଆକାଙ୍କ୍ଷା ସ୍ୱଭାବର ବଶବର୍ତ୍ତୀ ହୁଏ ଏବଂ ଶକ୍ତିର ଅପଚୟ ନ ଘଟି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହଜ ହୁଏ ।

•••

 

ବିଶ୍ୱବିଦ୍ୟାଳୟ ଶିକ୍ଷା

ଆଧୁନିକ ପ୍ରଚଳିତ ବିଶ୍ୱବିଦ୍ୟାଳୟ ଶିକ୍ଷା ଗୋଟାଏ ନୂତନ ଦିଗରେ ଗତି କରୁଅଛି । ବିଶେଷଜ୍ଞଙ୍କର ଉନ୍ନତ ମାନସିକ ବିକାଶ, ବିଷୟଜ୍ଞାନ ଲାଭ ଓ ବିଦ୍ୟାର୍ଥୀମାନଙ୍କର ପରୀକ୍ଷା-ପ୍ରଣାଳୀରେ ଏହାର ବିଶେଷତ୍ୱ ଦେଖାଯାଏ । ସବୁ ଯୁଗରେ ମାନସିକ ବୃତ୍ତିର ଉତ୍କର୍ଷ ପାଇଁ ଏହାର ସୃଷ୍ଟି; କିନ୍ତୁ ଗତ ୧୫୦ ବର୍ଷ ଧରି ଏହାର ଧାରାବାହିକ ନିୟମ-ପଦ୍ଧତିରେ ବ୍ୟତିକ୍ରମ ଦେଖାଯାଏ । ପୂର୍ବେ ଏକାଧିକ ବିଷୟରେ ପାରଦର୍ଶିତା ଲାଭ କରିପାରୁଥିଲେ ବିଶ୍ୱବିଦ୍ୟାଳୟ ଶିକ୍ଷାର ଉଦ୍ଦେଶ୍ୟ ସାଧିତ ହେଉଥିଲା; କିନ୍ତୁ ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ବିଷୟରେ ବିଶିଷ୍ଟ ଜ୍ଞାନ ଲାଭ କଲେ ଉଚ୍ଚଶିକ୍ଷା ପୂର୍ଣ୍ଣାଙ୍ଗ ହୁଏ ବୋଲି ଅଧିକାଂଶଙ୍କର ବିଶ୍ୱାସ । ଇଉରୋପୀୟ ବିଶ୍ୱବିଦ୍ୟାଳୟମାନଙ୍କର ବିଗତ ଇତିହାସ ଆଲୋଚନା କଲେ ଜଣାଯାଏ ଯେ, ମଧ୍ୟଯୁଗରେ ଉଚ୍ଚ ଶିକ୍ଷା ନୂତନତ୍ୱର ପକ୍ଷପାତୀ ନ ଥିଲା । କେବଳ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ବିଷୟମାନଙ୍କରେ ଶିକ୍ଷାଦାନ ଓ ଆବିଷ୍କ୍ରିୟାକୁ ସମୂଳେ ବାଦ୍‍ ଦେବା ଏହାର ଚରମ ଲକ୍ଷ୍ୟ ଥିଲା । ବର୍ତ୍ତମାନ ଯୁଗରେ ନୂତନ ଆବିଷ୍କ୍ରିୟାମାନଙ୍କର ଯଥେଷ୍ଟ ଆଦର ଦେଖାଯାଏ ଓ ସେଥିଯୋଗୁଁ ଅନୁସନ୍ଧିତ୍ସୁ ଅଧ୍ୟାୟୀମାନଙ୍କ ଜ୍ଞାନବୃତ୍ତର ପରିସର କୌଣସି ନିର୍ଣ୍ଣୀତ ସୀମା ମଧ୍ୟରେ ଆବଦ୍ଧ ରହେ ନାହିଁ । ବିଶ୍ୱବିଦ୍ୟାଳୟଗୁଡ଼ିକ ନୂତନ ମାର୍ଗରେ ଗତି କରିବା ଦିନୁ ପରୀକ୍ଷା ପ୍ରଣାଳୀ ସ୍ଥାୟିତ୍ୱ ବୃଦ୍ଧି ପାଇଅଛି । କୌଣସି ଉପାଧି ନ ପାଇବା ଯାଏ ଛାତ୍ରର କୃତିତ୍ୱ ଜଣାଯାଏ ନାହିଁ ।

 

ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ ମନୋନିବେଶ କରି ମାନସିକ ଉନ୍ନତି କରାଯାଇପାରେ; କିନ୍ତୁ ତଦ୍ଦ୍ୱାରା ଶିକ୍ଷାର ଉଦ୍ଦେଶ୍ୟ ପୂର୍ଣ୍ଣ ହୁଏ ନାହିଁ । ଆଜିକାଲି ବିଜ୍ଞାନର ପରାକାଷ୍ଠା ଦେଖି ଯଦି ତାକୁ ଶିକ୍ଷାର ଏକମାତ୍ର ଅଙ୍ଗ ସ୍ୱରୂପ ଧରାଯାଏ, ତାହା ହେଲେ ଅନ୍ୟାନ୍ୟ ସୁରୁଚି କଳା ଅଚିରେ ଲୋପ ପାଇବ । ଶିକ୍ଷାଦ୍ୱାରା ମନୁଷ୍ୟର ଅନ୍ତର୍ନିହିତ ଶକ୍ତିମାନ ବିକଶିତ ହୁଅନ୍ତି । କେବଳ ମାନସିକ ତୀକ୍ଷ୍ଣତା ଓ ବିଷୟବୁଦ୍ଧି ଜନ୍ମିଲେ ମାନବିକତାର ସମ୍ପୂର୍ଣ୍ଣ ବିକାଶ ଜଣାପଡ଼େ ନାହିଁ । ମନୁଷ୍ୟ ଜୀବନରୁ ଆଧ୍ୟାତ୍ମିକତା ଓ ଭାବପ୍ରବଣତାକୁ ବାଦ୍‍ ଦେଇ ଯେ ଉତ୍କର୍ଷର ଚେଷ୍ଟା କରାଯାଏ, ତାହା ଏକଦେଶଦର୍ଶୀ ଓ ତଦ୍ଦ୍ୱାରା ଜୀବନର ସମତା ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ଅଛି । ଉପର୍ଯ୍ୟୁକ୍ତ ଶିକ୍ଷାପ୍ରଭାବରେ ମନୁଷ୍ୟର କ୍ଷମତା ବୃଦ୍ଧି ଲାଭ କରିପାରେ ଓ ତଦ୍ଦ୍ୱାରା ସାଂସାରିକ ସୁଖଭୋଗରେ କୌଣସି ବାଧା ଜନ୍ମି ନ ପାରେ; କିନ୍ତୁ କେବଳ ଏହି ସୁଖର ଅବଲମ୍ବନରେ ଜୀବନ ଅତିବାହିତ ହେବା ବାଞ୍ଚ୍ଥନୀୟ ନୁହେଁ । ଜୀବିକା ନିର୍ବାହର ପନ୍ଥାକୁ ସରଳ କରିବା ପାଇଁ ଉପଯୁକ୍ତ ଶକ୍ତି ଲୋଡ଼ା ହୁଏ । ଶିକ୍ଷାକୁ ସେହି ଶକ୍ତି ଅର୍ଜନ ଦିଗରେ ନିଯୋଜିତ କରିବା ସର୍ବାଦୌ କର୍ତ୍ତବ୍ୟ; କିନ୍ତୁ ଏହା ବୋଲି ତାକୁ ସର୍ବଦା ଗୋଟାଏ ବିଶିଷ୍ଟ ସୀମାମଧ୍ୟରେ ଆବଦ୍ଧ ରଖିବା ଉଚିତ ନୁହେଁ । ବୈଷୟିକ ତୃପ୍ତିରେ ମନର ଉଦାରତା ଆଣି ଜ୍ଞାନରାଜ୍ୟର ଦ୍ୱାର ଉନ୍ମୁକ୍ତ ରଖିବା ଶିକ୍ଷାର ପ୍ରଧାନ ଲକ୍ଷ୍ୟ ବୋଲି ଧରାଯାଇପାରେ । ବିଷୟ-ଜଞ୍ଜାଳରେ ମନୁଷ୍ୟ ସାଧାରଣତଃ ଜ୍ଞାନ-ସାଧନରୁ ନିବୃତ୍ତ ହୋଇଥାଏ । ଟିକିଏ ବିଶ୍ରାମ ନ ପାଇଲେ କିମ୍ବା ମନର ସ୍ୱାଧୀନ ଅବସ୍ଥା ନ ଆସିଲେ ମନୁଷ୍ୟ ପ୍ରକୃତ ଜ୍ଞାନର ଅଧିକାରୀ ହୋଇପାରେ ନାହିଁ । ସାଂସାରିକ ଅବସ୍ଥାକୁ ବିପର୍ଯ୍ୟସ୍ତ ନ କରି, କେବଳ ତାକୁ ଉପଲକ୍ଷ ସ୍ୱରୂପ ଧରି ଜ୍ଞାନ-ଶିଖରୀରେ ଆରୋହଣ କରିବା ଶିକ୍ଷିତ ସତ୍‍ ଆକାଙ୍କ୍ଷା ହୋଇପାରେ । ଆଧୁନିକ ବୈଜ୍ଞାନିକ ଶିକ୍ଷାପ୍ରଭାବରେ ମନୁଷ୍ୟ ଜୀବନର ସ୍ୱାଚ୍ଛନ୍ଦ୍ୟ ବଢ଼ାଇଦେଲେ ସୁଦ୍ଧା ପ୍ରକୃତ ଉଦ୍ଦେଶ୍ୟ ସାଧନ କରିପାରୁ ନାହିଁ । ବିଷୟ-ମୋହରେ ସେ ବଡ଼ ବିବ୍ରତ । ଇଉରୋପୀୟ ଶିକ୍ଷାପ୍ରଣାଳୀ ତାକୁ ବେଶି ପରିମାଣରେ ଏହି ଦିଗରେ ଗତି କରାଉଅଛି ଓ ଗୋଟାଏ ଏପରି ବୈଷମ୍ୟ ସୃଷ୍ଟି କଲାଣି, ଯଦ୍ଦ୍ୱାରା ଜଗତର ଶାନ୍ତି ପକ୍ଷରେ ଶୀଘ୍ର ବାଧା ଆସିବ । ପ୍ରାଚୀନ ଭାରତର ଶିକ୍ଷାଗୁରୁମାନେ ଏହି ଆଶଙ୍କା ପୋଷଣ କରି ଜ୍ଞାନର୍ଜିତ କ୍ଷମତାକୁ ବିଶେଷ ଭାବରେ ସୀମାବଦ୍ଧ କରୁଥିଲେ । ସେମାନଙ୍କ ମତରେ ଆଧ୍ୟାତ୍ମିକ ଉନ୍ନତି ଓ ଚିତ୍ତର ପ୍ରଶସ୍ତତା ନ ଆଣି କୌଣସି ବିଶିଷ୍ଟ କାର୍ଯ୍ୟରେ ଅଗ୍ରସର ହେବା ଆଦୌ ଉଚିତ ନୁହେଁ; କାରଣ ତଦ୍ଦ୍ୱାରା ଶକ୍ତିର ଅପଚୟ ଘଟେ । ସେମାନେ ଜ୍ଞାନକୁ ଗୋପନ କରି ରଖୁଥିଲେ । କେବଳ ଯେଉଁମାନେ ଉପଯୁକ୍ତ ଶିକ୍ଷାଦ୍ୱାରା ନିଜର ସ୍ୱଭାବକୁ ସଂଯତ କରିପାରୁଥିଲେ ଓ ଆଧ୍ୟାତ୍ମିକ ଶକ୍ତିର ପରିଚୟ ଦେଉଥିଲେ, ସେହିମାନଙ୍କୁ ଜ୍ଞାନଦାନ କରାଯାଉଥିଲା । ସ୍ଥୂଳଦୃଷ୍ଟିରେ ଦେଖିଲେ ବର୍ତ୍ତମାନ ଜ୍ଞାନର୍ଜନରେ ସମସ୍ତଙ୍କର ସମାନ ଅଧିକାର ଅଛି ବୋଲି ଜଣାଯାଏ; କିନ୍ତୁ ତାର ବିଷମୟ ପରିଣାମଟା ଟିକିଏ ଆଲୋଚନା କରିବା ସମୀଚୀନ ବୋଧ ହୁଏ । ଜଗତର ଅଧିକାଂଶ ଅହିତ ସକାଶେ ବର୍ତ୍ତମାନ କାହାକୁ ଦାୟୀ କରାଯିବ ? ପାତ୍ରାପାତ୍ରନିର୍ବିଶେଷରେ ଜ୍ଞାନର୍ଜନ କରିବାଦ୍ୱାରା ଜୀବନସଂଗ୍ରାମରେ ଗୋଟାଏ ଉତ୍କଟ ଅବସ୍ଥାର ସୂଚନା ମିଳୁ ନାହିଁ କି ? କ୍ଷିପ୍ରଗତିରେ ଜ୍ଞାନର ପ୍ରଚାର ସଙ୍ଗେ ସଙ୍ଗେ ଜୀବନର ଦୈନ୍ୟ ବଢ଼ିଯାଉ ନାହିଁ କି ? ଗତ ମହାସମରରେ ଯେ ପ୍ରଳୟ କାଣ୍ଡ ଘଟିଗଲା, ସେଥି ସକାଶେ ବୈଜ୍ଞାନିକମାନଙ୍କୁ ଅନେକାଂଶରେ ଦାୟୀ କରାଯିବ । ପାଶ୍ଚାତ୍ୟମାନେ ନିଜର ସଭ୍ୟତା ଓ ଶିକ୍ଷାରେ ଗୌରବ ଅନୁଭବ କରନ୍ତି, ଏହା ଗୋଟାଏ ବାହ୍ୟ ଆଡ଼ମ୍ବର ମାତ୍ର । ଉପସ୍ଥିତ ବେକାର ସମସ୍ୟାରେ ସମସ୍ତଙ୍କର କଣ୍ଠ ଶୁଷ୍କ ହୋଇଆସିଲାଣି । କେତେଗୁଡ଼ାଏ ଆକାଶଯାନ, ରଣପୋତ ପ୍ରଭୃତି ନିର୍ମାଣ କରି ଦୁର୍ବଳକୁ ସଦର୍ପରେ ଅବନତ କରି ରଖିଲେ କିମ୍ୱା କୌଶଳରେ ତାର ସର୍ବସ୍ୱ ଅପହରଣ କଲେ ଜାତୀୟ ଶିକ୍ଷାର ସାର୍ଥକତା ସମ୍ପାଦିତ ହୁଏ ନାହିଁ । ଆଜି ପାଶ୍ଚାତ୍ୟ ଶିକ୍ଷା ମନୁଷ୍ୟକୁ ଯେପରି ଭାବରେ ଗଢ଼ୁଛି, ସେଥିରେ ଗୋଟାଏ ମର୍ମନ୍ତୁଦ ହାହାକାର ଶବ୍ଦ ଆତ୍ମଗୋପନ କଲା ପରି ଜଣାପଡ଼େ । ଧର୍ମ, ଅର୍ଥ, କାମ ଓ ମୋକ୍ଷ ଚତୁବର୍ଗ ଫଳପ୍ରାପ୍ତି ପାଇଁ ହିନ୍ଦୁର ସାଧନା ନିୟୋଜିତ ହେଉଥିଲା; କିନ୍ତୁ ଆଧିୁନିକ ଜ୍ଞାନପିପାସୁମାନେ ସେଥିପ୍ରତି ବିଶେଷ ଲକ୍ଷ୍ୟ ରଖନ୍ତି ନାହିଁ । ଧର୍ମ ଓ ମୋକ୍ଷକୁ ବାଦ୍‍ ଦେଇ ସେମାନେ ଯଥେଷ୍ଟ ଜ୍ଞାନାର୍ଜନ କଲେଣି । ଏପରି କରିବାଦ୍ୱାରା ଜୀବନର ମହତ୍ତ୍ୱ ଉପଲବ୍ଧି ପକ୍ଷରେ ବାଧା ଆସେ ବୋଲି ସେମାନେ ଭାବନ୍ତି ନାହିଁ । ମାନବିକତାର ପୂର୍ଣ୍ଣ ବିକାଶ ସକାଶେ ଆଧୁନିକ ଶିକ୍ଷାପଦ୍ଧତି ପ୍ରଯୋଜ୍ୟ ନୁହେଁ । ପାଶ୍ଚାତ୍ୟମାନଙ୍କର ଜ୍ଞାନାନୁଶୀଳନକୁ ଅନୁସରଣ କଲେ ଭୂତଶକ୍ତି ଜନ୍ମେ; କିନ୍ତୁ ସେ ଶକ୍ତି ସର୍ବଥା ହିତୋପଯୋଗୀ ନୁହେଁ ।

 

ଶିକ୍ଷା ସଙ୍ଗେ ଅନୁଭୂତିକୁ ସଂପୃକ୍ତ ରଖିବା ଉଚିତ; ତାର ସ୍ୱାଧୀନ ଗତିରେ କିପରି ବାଧା ଜନ୍ମିଥାଏ, ତାହା ମଧ୍ୟ ଆଲୋଚ୍ୟ । ସାଧାରଣତଃ ବାହ୍ୟଦୃଷ୍ଟିରେ ପ୍ରଣୋଦିତ ହୋଇ ମନୁଷ୍ୟ ଧର୍ମଭାବାପନ୍ନ ହୁଏ । ଗୋଟାଏ ଉନ୍ମାଦନା କିମ୍ବା ଇନ୍ଦ୍ରିୟଚାଞ୍ଚଲ୍ୟବଶତଃ ଯେଉଁ ଭାବର ଉଦ୍ରେକ ହୁଏ, ତାକୁ ଧର୍ମର ଦ୍ୱାହି ଦେଇ ଗ୍ରହଣ କରିବା ମନୁଷ୍ୟ ପକ୍ଷରେ ବିଷମ ଭ୍ରମ ବୋଲି କୁହାଯାଇପାରେ । ଏହି ଭ୍ରମାତ୍ମକ ଧାରଣାର ବଶବର୍ତ୍ତୀ ହୋଇ ସେ ତାର କାର୍ଯ୍ୟ ସମ୍ପାଦନ କରେ । ବାହ୍ୟ ଉତ୍ତେଜନାର ଅଧୀନ ହୋଇ ମନୁଷ୍ୟ ବେଶି ଦିନ ରହିପାରେ ନାହିଁ । ତା ଅନ୍ତରର ସତ୍‍ ଧାରଣା ସ୍ୱାଧୀନ କାର୍ଯ୍ୟଗତିରେ ଆସି ସମ୍ମୁଖରେ ଦେଖା ଦିଏ ସେ ବୁଝେ, ଧର୍ମ ନାମରେ ଏତେ ଦିନ ଯାଏ ସେ ଗୋଟାଏ ଛାୟା ଅନୁସରଣ କରିଥିଲା । ଏପରି ଅବସ୍ଥାରେ ଉପନୀତ କରାଇବା ପାଇଁ ଶିକ୍ଷା ଏକମାତ୍ର ଆଶ୍ରୟ । ଶିକ୍ଷାଦ୍ୱାରା ମନୁଷ୍ୟ ଗୋଟାଏ କ୍ଷମତା ଲାଭକରେ; କିନ୍ତୁ ଯେଉଁ ଭ୍ରମ ଧାରଣାସବୁ ଶିକ୍ଷାଲାଭ ପୂର୍ବରୁ ତା ହୃଦୟକୁ ଦୁର୍ବଳ କରି ଉଚ୍ଛୃଙ୍ଖଳତା ଆଣିଥାଏ, ସେଗୁଡ଼ିକୁ ତ୍ୟାଗ କରିବା ବଡ଼ କଷ୍ଟକର ହୁଏ । ସାମାଜିକ ମତ ଅନୁବର୍ତ୍ତନ କରି ହୁଏ ତ ସେ ଗୋଟାଏ ଭ୍ରମପୂର୍ଣ୍ଣ ମାର୍ଗରେ ଅଗ୍ରସର ହେଉଥିଲା ଓ ତଦ୍ଦ୍ୱାରା ତାର ବ୍ୟକ୍ତିଗତ ସ୍ୱାତନ୍ତ୍ର୍ୟ ନଷ୍ଟ ହୋଇଥିଲା; କିନ୍ତୁ ଉପଯୁକ୍ତ ପ୍ରେରଣା ପାଇବା ମାତ୍ରେ ତାର ନିଜତ୍ୱ ରକ୍ଷା ପାଇଲା ।

 

ଭାବନାର ସୁନିୟନ୍ତ୍ରଣରେ ନୈତିକ ଉନ୍ନତି ବିଧାନର ପନ୍ଥା ନିର୍ଦ୍ଧାରିତ ହୋଇପାରେ । କେତେଗୁଡ଼ିଏ ଧାରାବାହିକ ପ୍ରଚଳିତ ନିୟମ ପାଳନ କଲେ ନୀତିରକ୍ଷା ହୁଏ ନାହିଁ । ସମାଜ ପ୍ରତି ନିତାନ୍ତ ଅବହେଳା ପ୍ରଦର୍ଶନ କରି କୌଣସି ବିରୁଦ୍ଧ ଭାବ ପୋଷଣ କଲେ ମଧ୍ୟ ପ୍ରକୃତ ମାର୍ଗର ସନ୍ଧାନ ମିଳେ ନାହିଁ । ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କର କାର୍ଯ୍ୟକଳାପରେ ଉପର୍ଯ୍ୟୁକ୍ତ ଦୋଷ ସାଧାରଣତଃ ଲକ୍ଷିତ ହୁଏ ବୋଲି ଅନେକଙ୍କର ବିଶ୍ୱାସ । ନୀତିଶିକ୍ଷାରେ କୌଣସି ଦୋଷ ନାହିଁ; କିନ୍ତୁ ଜୀବନର କାର୍ଯ୍ୟାବଳି ସହିତ ସେଗୁଡିକର କିପରି ସମ୍ପର୍କ ରହିବ, ସେଥିପ୍ରତି ମନୋଯୋଗୀ ହେବା ଆବଶ୍ୟକ । ପଠଦ୍ଦଶାରେ ଛାତ୍ରମାନେ ଯେ ଅଭ୍ୟାସର ବଶବର୍ତ୍ତୀ ହୁଅନ୍ତି ଭବିଷ୍ୟତ୍‍ କର୍ମକ୍ଷେତ୍ରରେ ସେହିପରି ଆଚରଣ କରନ୍ତି । ଅନେକେ କେବଳ ପୁସ୍ତକଗତ ଜ୍ଞାନ ଅର୍ଜନ କରି ବାସ୍ତବ କାର୍ଯ୍ୟ ସମ୍ପାଦନରେ ପରାଙ୍ମୁଖ ହୁଅନ୍ତି । ବାଳକବାଳିକା ମାନେ ବିଶ୍ୱବିଦ୍ୟାଳୟରେ ସୁସଂଯତ ସାମାଜିକ ଜୀବନ ଯାପନ କରିବାର ଉପାୟ ଶିକ୍ଷା କରିପାରନ୍ତି ନାହିଁ । ସେଠାରେ ସେମାନେ ଚରିତ୍ରଗଠନର ଯେ ସୁବିଧା ଓ ସ୍ୱାତନ୍ତ୍ର୍ୟ ପାଇଥାନ୍ତି, ଅନ୍ୟତ୍ର ସେପରି ପାଆନ୍ତି ନାହିଁ । ଥରେ ସଂସାରକ୍ଷେତ୍ରରେ ପ୍ରବେଶ କଲେ ସାଧନାର କ୍ଷେତ୍ର ଅନେକ ପରିମାଣରେ ସଙ୍କୁଚିତ ହୋଇଯାଏ । ବିଶ୍ୱବିଦ୍ୟାଳୟ ଶିକ୍ଷା ଶେଷ କରି ସଂସାର-ଯାତ୍ରାରେ ଅଗ୍ରସର ହେଲାବେଳେ କେହି କେହି ଶିକ୍ଷିତ ଯୁବକ ପୁସ୍ତକ-ଗତ ବିଦ୍ୟାକୁ ସାର କରି ଗୋଟାଏ ସ୍ୱପ୍ନ-ରଚିତ ବିଷୟର ଅନୁସରଣ କରନ୍ତି । ଜୀବିକା-ନିର୍ବାହର ପ୍ରାଥମିକ ନିୟମମାନଙ୍କୁ ଅବଜ୍ଞା କରିବା ସେମାନଙ୍କ ପକ୍ଷରେ ଅସମ୍ଭବ ହୁଏ ନାହିଁ । କର୍ମ-କୁଶଳତା ଲାଭ ନ କରି ନିଜ ଜ୍ଞାନର ପରିଚୟ ଦେବା ଅଭିପ୍ରାୟରେ ଅନଭିଜ୍ଞ ଶିକ୍ଷାଭିମାନୀ କେତେଗୁଡ଼ାଏ ବିଷମ ସମସ୍ୟା ଉପସ୍ଥାପିତ କରି ସାମାଜିକ ଗତିକୁ ଇତସ୍ତତଃ କରିଦିଏ । ନିଜର ବ୍ୟକ୍ତିଗତ ସୁବିଧାକୁ ସମାଜର ଜୀବନରେ ପ୍ରତିଫଳିତ କରି ସଂସ୍କାରପ୍ରୟାସୀ ହେବା ଉଚିତ ନୁହେଁ ।

 

ଏହାଦ୍ୱାରା ସ୍ୱାର୍ଥ-ଜଡ଼ିତ ସମାଜ-ବିଦ୍ୱେଷ ପରିସ୍ଫୁଟ ହୋଇଉଠେ । ପଠଦ୍ଦଶାରେ ସାମାଜିକ ଅନୁଷ୍ଠାନମାନଙ୍କରେ ଯୋଗଦାନ କଲେ ପଠିତ ନୀତିମାନଙ୍କୁ ଅବସ୍ଥାନୁରୂପୀ କାର୍ଯ୍ୟରେ ଲଗାଯାଇପାରେ । ଅଧ୍ୟୟନାବସ୍ଥାରେ ବୁଦ୍ଧିର ପ୍ରାଖର୍ଯ୍ୟ ଯେପରି ଲୋଡ଼ା ହୁଏ, ସମାଜର ଅନୁଷ୍ଠାନମାନଙ୍କୁ ଅନୁସରଣ କରି ଭବିଷ୍ୟତ୍ ଜୀବନର ଭିତ୍ତିସ୍ଥାପନ କରିବା ତଦ୍ରୂପ ଆବଶ୍ୟକ ହୁଏ-

 

ଆଧ୍ୟାତ୍ମିକ ଉନ୍ନତିକଳ୍ପେ କୌଣସି ପ୍ରତିଷ୍ଠିତଧର୍ମ ଅବଲମ୍ୱନ କଲେ ଅନେକ ସମୟରେ ବ୍ୟକ୍ତିଗତ ସ୍ୱାଧୀନ ବିଚାର-କ୍ଷମତା ଲୋପ ପାଇଥାଏ । କିଛି ଦିନ ମନକୁ ପରାଧୀନ ଭାବରେ ରଖିଲେ, ତାର ସ୍ୱାଭାବିକ ଶକ୍ତି ନଷ୍ଟ ହୋଇଥାଏ । ସ୍ୱାଧୀନ ମତପୋଷଣରେ ଧର୍ମବିରୋଧୀ ହେବାର ଯଥେଷ୍ଟ କାରଣ ଅଛି । ବୁଦ୍ଧିର ବିକାଶ ସଙ୍ଗେ ଧର୍ମର କୌଣସି ସମ୍ପର୍କ ନାହିଁ । ବିଚାରଜ୍ଞାନ ଜନ୍ମିଲେ ବୁଦ୍ଧି ସ୍ୱତଃ ପ୍ରସାରିତ ହୁଏ; କିନ୍ତୁ ପ୍ରାଚୀନ ଧର୍ମଗ୍ରନ୍ଥ ସଙ୍ଗେ ସ୍ୱାଧୀନ ଭାବକୁ ସଂଶ୍ଲିଷ୍ଟ ରଖିବାଦ୍ୱାରା ସ୍ୱତନ୍ତ୍ର ବିଚାରର ପଥ ଅନେକ ପରିମାଣରେ ଖର୍ବ ହୋଇଯାଏ । ସେଥି ଯୋଗୁଁ ଆଧ୍ୟାତ୍ମିକ ଜ୍ଞାନର ପ୍ରକୃତ କର୍ଷଣ ହୋଇପାରେ ନାହିଁ । କୌଣସି ପ୍ରଚଳିତ ଧର୍ମର ମାର୍ଗ ଅନୁସରଣ ନ କରି ମଧ୍ୟ ମନୁଷ୍ୟର ଆଧ୍ୟାତ୍ମିକ ଭାବ ଜନ୍ମି ପାରିବ । ବିବେକ ଶକ୍ତି ଯଦି ଅନ୍ୟାନ୍ୟ ସାଧାରଣ ପ୍ରବୃତ୍ତିମାନଙ୍କର ସହଯୋଗ କରେ, ତାହା ହେଲେ ଗୋଟାଏ ସମତା ସହଜରେ ଆସେ ଓ ଦୁଷ୍ପ୍ରବୃତ୍ତିମାନଙ୍କର କୁକ୍ରିୟାରେ ବାଧା ଦିଏ । ଶିକ୍ଷିତ ଲୋକ ଏ ତଥ୍ୟର ସମାଧାନ କରି ନ ପାରିଲେ ସମାଜର ଅମଙ୍ଗଳ ଘଟିବ । ସମାଜ ସବୁବେଳେ ଶିକ୍ଷିତଙ୍କର ମତକୁ ଆଗ୍ରହ ସହିତ ଗ୍ରହଣ କରେ ନାହିଁ । ଶିକ୍ଷାପ୍ରଭାବରେ ଯେଉଁ ମତମାନ ସମାଜରେ ପ୍ରବର୍ତ୍ତିତ ହୁଏ, ସେଗୁଡ଼ିକ ଖୁବ୍‍ ଶକ୍ତିଶାଳୀ ହେଲେ ସୁଦ୍ଧା ଉପଯୁକ୍ତ ଲକ୍ଷ୍ୟ ଅଭାବରେ କୌଣସି ଦୁର୍ଘଟଣା ଘଟିବା ଅସମ୍ଭବ ନୁହେଁ ।

 

ବୁଦ୍ଧିର ବିକାଶ ପାଇଁ ଉଚ୍ଚ ଶିକ୍ଷା ଯଥେଷ୍ଟ ସହାୟତା କରେ; କିନ୍ତୁ ନୂତନତ୍ୱ ପ୍ରକାଶରେ ମନୁଷ୍ୟ ସେପରି ସାହାଯ୍ୟ ପାଏ ନାହିଁ ବୋଲି ଆଜିକାଲି ବିଶ୍ୱବିଦ୍ୟାଳୟ ସେ ଦିଗରେ ବିଶେଷ ଦୃଷ୍ଟି ଦେଇଅଛି । ନିମ୍ନ ସୋପାନରେ ଶିକ୍ଷାର୍ଥୀ ନିଜର ମୌଳିକତା ଜ୍ଞାପନ କରିବାକୁ ଉପଯୁକ୍ତ ସୁବିଧା ପାଏ ନାହିଁ; ବରଂ ନିର୍ଦ୍ଦିଷ୍ଟ ପାଠ୍ୟ ଅଧ୍ୟୟନ କରି ମାନସିକ ବୃତ୍ତିମାନଙ୍କୁ ସଂଯତ କରିବାର ଏହା ଗୋଟାଏ ଉତ୍କୃଷ୍ଟ ପନ୍ଥା । ମନୋବୃତ୍ତିଗୁଡ଼ିକର ସ୍ୱାଧୀନ ଚାଳନାକୁ ଗୋଟାଏ ନିୟମର ଅଧୀନ ରଖିଲେ ମୌଳିକତା ନଷ୍ଟ ହୋଇପାରେ; କିନ୍ତୁ ଏହା ବୋଲି ସାଧାରଣ ଶିକ୍ଷା-ପଦ୍ଧତିରେ ହଠାତ୍‍ ପରିବର୍ତ୍ତନ ଆଣିବା ଅନାବଶ୍ୟକ । ସାମାଜିକ ଉନ୍ନତି ଦୃଷ୍ଟିରେ ମାନସିକ ସଂଯମକୁ ପ୍ରଥମ ସ୍ଥାନ ଦିଆଯାଇପାରେ । ସତ୍ୟାନୁସନ୍ଧାନ ଯଦି ଶିକ୍ଷାର ଉଦ୍ଦେଶ୍ୟ ହୁଏ, ତାହା ହେଲେ ବିଭିନ୍ନ ମାର୍ଗରେ ସତ୍ୟର ପଥ ଉଦ୍ଘାଟନ କରିବା ପାଇଁ ଭିନ୍ନ ଭିନ୍ନ କର୍ମୀମାନଙ୍କୁ ସ୍ୱାଧୀନ କର୍ମପନ୍ଥା ଛାଡ଼ିଦେବା ଆବଶ୍ୟକ । ସତ୍ୟର ସ୍ୱରୂପ ଏକ ନୁହେଁ । ସାଧକର କ୍ରିୟାକୌଶଳ ଉପରେ ତାର ପ୍ରକାଶ-ପ୍ରଣାଳୀ ନିର୍ଭର କରେ । ଗୋଟାଏ ତଥ୍ୟ ଜଣେ ଆବିଷ୍କାର କରେ; କିନ୍ତୁ ପୁନଃ ପୁନଃ ବିଚାରଦ୍ୱାରା ତାର ମହତ୍ତ୍ୱ ବୃଦ୍ଧି ପାଏ । ସାଧାରଣ ଜ୍ଞାନର ସୀମା ମଧ୍ୟରେ ଯାବତୀୟ ତତ୍ତ୍ୱ ଆଲୋଚନାକୁ ଆବଦ୍ଧ ରଖିଲେ ସତ୍ୟର ଅପଳାପ ଘଟେ । ବହୁଯୁଗବ୍ୟାପୀ ଜ୍ଞାନ-ସାଧନାର ସଞ୍ଚିତ ଫଳକୁ ଜୀବନରେ ଲଗାଯାଇପାରେ; କିନ୍ତୁ ବିଚାର ନ କରି ତାକୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ଗ୍ରହଣ କରିବା ଉଚିତ ନୁହେଁ-। ଜୀବନର ବୈଚିତ୍ୟ ଓ ପରିବର୍ତ୍ତନ ସଙ୍ଗେ ମନୋବୃତ୍ତିର ପାର୍ଥକ୍ୟ ଘଟିଥାଏ । ଏହି ପାର୍ଥକ୍ୟ ଦୃଷ୍ଟିରେ ବିଶ୍ୱବିଦ୍ୟାଳୟର ଶିକ୍ଷାପଦ୍ଧତି କେତେକାଂଶରେ ନିୟନ୍ତ୍ରିତ ହେବା ବାଞ୍ଚ୍ଥନୀୟ । ତା ନ ହେଲେ ଅତୀତ ଓ ବର୍ତ୍ତମାନର ଚିନ୍ତାଧାରା ମଧ୍ୟରେ କୌଣସି ବୈଷମ୍ୟ ରହିବ ନାହିଁ । ବିଖ୍ୟାତ ଦାର୍ଶନିକ ଜନ୍‍ ଷ୍ଟୁଆର୍ଟ ମିଲ୍‍ ଅନେକ ଦିନ ତଳେ ବ୍ୟକ୍ତିଗତ ଚିନ୍ତାର ସ୍ୱାଧୀନତା ନ ଦେଖି ଆକ୍ଷେପ କରିଥିଲେ ।

 

ଆଧୁନିକ ସୁଲେଖକ ବାର୍ଣ୍ଣାଡ଼୍‍ ଶ’ ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଉଥିବା ସାଧାରଣ ଶ୍ରେଣୀର ଶିକ୍ଷିତ ଲୋକମାନଙ୍କୁ ଗ୍ରାହ୍ୟ କରି ନାହାନ୍ତି । ଚିନ୍ତାଧାରାକୁ ନିୟନ୍ତ୍ରିତ କରିବା ପାଇଁ ନିର୍ଦ୍ଦିଷ୍ଟ ପାଠ୍ୟ ବିଷୟରେ ମନୋନିବେଶ କରିବା ଉଚିତ; କିନ୍ତୁ କିଛି ନୂତନତ୍ୱ ଉତ୍ପାଦନ କରିବାକୁ ହେଲେ ଜୀବନର ପ୍ରସାର ପ୍ରତି ଲକ୍ଷ୍ୟ ଦେବା ଆବଶ୍ୟକ । ନୂତନତ୍ୱପ୍ରୟାସୀ ସାଧାରଣ ଭାବରେ ଜୀବନ ଯାପନ କରିବାକୁ ଉପେକ୍ଷା କରି ଗୋଟାଏ ସ୍ୱତନ୍ତ୍ର ମାର୍ଗରେ ଅଗ୍ରସର ହୁଏ । ଧାରାବାହିକ ନିୟମ ପ୍ରଣାଳୀର ଅନୁବର୍ତ୍ତୀ ଲୋକ ଜୀବନର ଅଧିକାଂଶ ଭାଗ ଏକ ଭାବରେ କଟାଇଦିଏ । ମୌଳିକତା ଦେଖାଇବା ତା ପକ୍ଷରେ ସହଜ ହୁଏ ନାହିଁ ।

 

ବିଶିଷ୍ଟ ବିଷୟମାନଙ୍କର ଅଧ୍ୟୟନ ଲାଗି ବିଶ୍ୱବିଦ୍ୟାଳୟର ଉଚ୍ଚଶିକ୍ଷା-ବିଭାଗ ଖୋଲାଯାଇଛି । ଜ୍ଞାନର ସୀମା ଏଡ଼େ ବିସ୍ତୃତ ଓ ବିଭିନ୍ନ ହେଲାଣି ଯେ, ଆଜିକାଲି ସମୂହ ଜ୍ଞାନ ଅର୍ଜନ କରିବା ସମ୍ପୂର୍ଣ୍ଣ ଅସମ୍ଭବ । ପୃଥକ୍‍ ପୃଥକ୍ ବିଷୟମାନଙ୍କର ସ୍ୱତନ୍ତ୍ରୀକରଣ ଓ ଉନ୍ନତ ଆଲୋଚନାଦ୍ୱାରା ପ୍ରଚଳିତ ଉଚ୍ଚଶିକ୍ଷାର ବିଶେଷ ଉତ୍କର୍ଷ ଦେଖାଯାଏ; କିନ୍ତୁ ଉପର୍ଯ୍ୟୁକ୍ତ ବିଷୟମାନଙ୍କର ପରସ୍ପର ସମ୍ପର୍କ ଦୁରୂହ ହେଲେ ସୁଦ୍ଧା କୌଣସି ସମୂହ ଆଲୋଚନା ପ୍ରଣାଳୀର ଉଦ୍ଭାବନ ଏ ପର୍ଯ୍ୟନ୍ତ କରାଯାଇ ନାହିଁ । କେତେକ ପ୍ରତିଭାଶାଳୀ ଲୋକ ସେମାନଙ୍କର ଶକ୍ତି, ଅବସ୍ଥା ଓ ରୁଚି ଅନୁଯାୟୀ ଏ ଦିଗରେ ଚେଷ୍ଟା କରି ବିଭିନ୍ନ ଭାବରେ କୃତିତ୍ୱ ପ୍ରକାଶ କରିଛନ୍ତି; କିନ୍ତୁ ଏପରି ଅତ୍ୟାବଶ୍ୟକ ବିଷୟକୁ ଘଟଣାକ୍ରମରେ ଛାଡ଼ିଦେଇ ନୀରବ ରହିବା ଉଚିତ ନୁହେଁ । ଏହି ସମ୍ପର୍କ ବିଷୟକୁ ଉଚ୍ଚ ଅଧ୍ୟୟନ ପ୍ରଣାଳୀର ଅନ୍ତର୍ଭୁକ୍ତ କଲେ ବିଶ୍ୱବିଦ୍ୟାଳୟର ମହତ ଲକ୍ଷ୍ୟ ଅନେକାଂଶରେ ସାଧିତ ହୁଅନ୍ତା ।

 

ପ୍ରାଥମିକ ଅବସ୍ଥାରେ ମନୋବୃତ୍ତିର ବିକାଶ ସକାଶେ ବାସ୍ତବ ଘଟନାମାନଙ୍କ ବିଷୟରେ ଶିକ୍ଷା ଦିଆଯାଇପାରେ; କିନ୍ତୁ ଉଚ୍ଚଶିକ୍ଷାରେ ସେ ଦିଗକୁ ଲକ୍ଷ୍ୟ କଲେ ମୌଳିକତା ପ୍ରକାଶରେ ବାଧା ଆସିବ । ବାସ୍ତବ ଘଟନାମାନଙ୍କୁ ଅନୁସରଣ କରି ଯେଉଁ ଶିକ୍ଷା ଦିଆଯାଏ, ତଦ୍ଦ୍ୱାରା ମନର ଗୋଟାଏ ଅଭିଜ୍ଞତା ଜନ୍ମେ । ଏହି ଅଭିଜ୍ଞତା ବଳରେ ମନୁଷ୍ୟ ପ୍ରଚଳିତ ସାମାଜିକ ମତମାନଙ୍କୁ ପରୀକ୍ଷା କରି ଗ୍ରହଣ କିମ୍ୱା ତ୍ୟାଗ କରେ । ଲୋକମତ ସାଧାରଣତଃ ମନରେ ଗୋଟାଏ ଭୌତିକ ବିକାର ଜନ୍ମାଇଥାଏ । ଭିତ୍ତିହୀନ କଥାର ପ୍ରସାର ସାମାଜିକ ଜୀବନରେ ସଚରାଚର ଦେଖାଯାଏ । ଅଗ୍ରଗତିକୁ ଲକ୍ଷ୍ୟ ରଖିଲେ ପରିବର୍ତ୍ତନ ଅବଶ୍ୟମ୍ଭାବୀ ହୁଏ । ପରିବର୍ତ୍ତନ ପଥରେ ଏହି ଭୌତିକ ବିକାର ମନରୁ ଦୂର ହୋଇଗଲେ ଯେଉଁ ସ୍ୱଚ୍ଛନ୍ଦ ଅବସ୍ଥା ଆସେ, ସେଥିରେ ମନୁଷ୍ୟ ଦୃଢ଼ ହୁଏ ଓ ସରଳ ବିଶ୍ୱାସରେ କୌଣସି ମତର ଅଧୀନ ହେବାକୁ ଇଚ୍ଛା କରେ ନାହିଁ । ଏହି ହିସାବରେ ଦେଖିଲେ ଜଣାଯାଏ ଯେ, ମନୁଷ୍ୟ ଜୀବନ ଗୋଟାଏ ପରୀକ୍ଷାକ୍ଷେତ୍ର । ଭ୍ରମପ୍ରମାଦକୁ ପରୀକ୍ଷା କରି ଯେଉଁ ପଥ ନିର୍ଣ୍ଣୟ କରାଯାଏ, ସେଥିରେ ପୁଣି ଉପଦ୍ରବ ଲୁକ୍କାୟିତ ହୋଇ ରହିପାରେ । ଗୋଟିଏ ଅଭ୍ରାନ୍ତ ମତର ପ୍ରତିଷ୍ଠା କରି ଅନୁସରଣ କରିବା ସମସ୍ତଙ୍କ ପକ୍ଷରେ ସହଜ ନୁହେଁ । ବିଶ୍ୱବିଦ୍ୟାଳୟରେ ଯେଉଁ ବିଷୟମାନଙ୍କର ଶିକ୍ଷା ହୋଇଥାଏ, କାଳକ୍ରମେ ତାହା ବିସ୍ମୃତ ହେଲେ ସୁଦ୍ଧା ମାନସିକ ଅବସ୍ଥାର ବିକାଶ ଜୀବନବ୍ୟାପୀ ରହେ । କେବଳ ସ୍ୱାଧୀନ ଶିକ୍ଷାକ୍ଷେତ୍ରରେ ଏହି ବିକାଶ ସମ୍ଭବପର ହୋଇଥାଏ । କାର୍ଯ୍ୟବିଧିରେ ଅଧୀତ ବିଷୟମାନଙ୍କୁ ଲଗାଇ ପ୍ରକୃତ ମାର୍ଗାବଲମ୍ୱନ କରାଯାଇପାରେ ।

 

ଏହି ସମ୍ପର୍କରେ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇପାରେ । ପ୍ରଥମାବସ୍ଥାରେ କୌଣସି ଶ୍ରେଣୀବିଭାଗ ଆବଶ୍ୟକ ହୁଏ ନାହିଁ; କେବଳ ଜ୍ଞାନାର୍ଜନ କରିବା ପାଇଁ କେତେକ ଛାତ୍ର ବିଶ୍ୱବିଦ୍ୟାଳୟର ଆଶ୍ରୟ ନିଅନ୍ତି । ଅନ୍ୟମାନେ କିଛି ଶିକ୍ଷା ଲାଭ କରିବା ପରେ ଜୀବିକା-ନିର୍ବାହର ପନ୍ଥା ପାଇବେ ବୋଲି ସେଠାରେ ପ୍ରବେଶ କରନ୍ତି । ଏହି ଦୁଇ ଜାତି ଛାତ୍ରମାନଙ୍କ ମଧ୍ୟରେ ବିଭିନ୍ନ ଶିକ୍ଷାପ୍ରଣାଳୀ ପ୍ରବର୍ତ୍ତାଇବା ଖୁବ୍‍ ଆବଶ୍ୟକ ବୋଲି କେହି କେହି ଭାବିପାରନ୍ତି; କିନ୍ତୁ ପ୍ରକୃତରେ ତାହା ନୁହେଁ । ଉଭୟ ଶ୍ରେଣୀ ଛାତ୍ରମାନଙ୍କର ମନୋବୃତ୍ତି ଏକଭାବରେ ଗତି କରିବା ଉଚିତ । ସତ୍ୟସନ୍ଧାନ, ନୂତନ ଭାବ-ଗ୍ରହଣ ଓ ଅଭିଜ୍ଞତା ଲାଭ କଲେ ସେମାନଙ୍କର ପୃଥକ୍‍ ପୃଥକ୍‍ ଉଦ୍ଦେଶ୍ୟ ସାଧିତ ହୁଏ । ଜଣେ ଜ୍ଞାନାନୁଶୀଳନ କରି ଜ୍ଞାନର ପରାକାଷ୍ଠାପ୍ରକାଶ କରେ ଓ ଅନ୍ୟ ଜଣେ ଜୀବନର ବିଭିନ୍ନ ଉପାଦେୟତା ପ୍ରମାଣ କରେ । ଜଣକର ଜ୍ଞାନ ଅପରର କର୍ମ ସହିତ ମିଳିତ ନ ହେଲେ ସୁଦ୍ଧା ଦୁହିଙ୍କୁ ସମଜାତୀୟ ସାଧନାର ବଶବର୍ତ୍ତୀ ହେବାକୁ ପଡ଼େ । ଏକ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରି ଦୁଇଟି ଛାତ୍ର ବିଭିନ୍ନ ପଥ ଅନୁସରଣ କଲେ ଶିକ୍ଷାର ମହତ୍ତ୍ୱ ଜଣାପଡ଼େ ।

•••

 

Unknown

ଭାବୁକର ଦୃଷ୍ଟି

ବିଶ୍ୱ ଜଗତ୍‍ ଅସୀମ ଶୋଭାସମ୍ପଦରେ ପୂର୍ଣ୍ଣ । ଅଚିନ୍ତନୀୟ ପରିବର୍ତ୍ତନରେ ବିଶ୍ୱବାସୀର ମନ ସର୍ବଦା ଆଲୋଡ଼ିତ । ଉତ୍ତୁଙ୍ଗ ପର୍ବତ-ଶିଖର ଲୋପ ପାଇ ଅତଳସ୍ପର୍ଶୀ ଭୀଷଣ ଜଳଧିରେ ପରିଣତ ହୁଏ; ପୁଣି ନୀଳାମ୍ବୁ ସାଗରଗର୍ଭ ଦାରୁଣ ମରୁଭୂମି ସୃଷ୍ଟି କରେ । ମାରାତ୍ମକ ଆଗ୍ନେୟଗିରିର ପ୍ରଚଣ୍ଡ ଅଗ୍ନିବର୍ଷଣରେ ମାନବର ଅସଂଖ୍ୟ ସୁଖସୌଧ ମୁହୂର୍ତ୍ତକେ ବିଚୂର୍ଣ୍ଣ ହୁଏ । ପ୍ରକୃତିର ତାଣ୍ଡବଲୀଳା ଦର୍ଶନରେ ବିକ୍ଷୁବ୍‍ଧଚିତ୍ତ ମାନବ ବିଶ୍ୱ-ସଂହାର ମୂର୍ତ୍ତିକୁ ଠିକ୍‍ରୂପେ ଚିତ୍ରିପାରେ ନାହିଁ । ମନୁଷ୍ୟ କ୍ଷୁଦ୍ର ଜୀବ । ତାର ଦୃଷ୍ଟିଶକ୍ତି ଗୋଟାଏ ସୀମା ମଧ୍ୟରେ ଆବଦ୍ଧ । ଅନନ୍ତ ଶକ୍ତିର ଆଲୋଡ଼ନ ନିରୀକ୍ଷଣ କରିବା ତା ପକ୍ଷରେ ଅସମ୍ଭବ କହିଲେ ଚଳେ । ଆଧାର ଚିତ୍ରର ମହତ୍ତ୍ୱ ପ୍ରତିପନ୍ନ କରାଯାଏ । ସେଥିଯୋଗୁଁ ବାଲ୍ମୀକି, କାଳିଦାସ ଓ ସେକ୍ସପିୟାର ପ୍ରଭୃତି ମହାକବିମାନେ ପ୍ରକୃତିର ଧ୍ୱଂସକ୍ରିୟା ଅନୁସରଣ ନ କରି ମାନବୀୟ ଉତ୍କର୍ଷ କିମ୍ବା ଅପକର୍ଷ ଉପରେ ଦୃଷ୍ଟି ଦେଇଛନ୍ତି । କବି, ଚିତ୍ରକର ଓ ଶିଳ୍ପୀର ଭାବନା ବିଭିନ୍ନ ଦିଗରେ ଗତି କରି ଯେଉଁ ନୈପୁଣ୍ୟର ପରିଚୟ ଦିଏ, ତାକୁ ମନୁଷ୍ୟର କଳ୍ପନା-ଚକ୍ଷୁ ଭେଦ କରିପାରେ । ଧାରଣାର ଅତୀତ ବିଷୟ ବର୍ଣ୍ଣନାରେ ସାଧାରଣ ଲୋକ-ଚରିତ୍ର ପୁଷ୍ଟିଲାଭ କରେ ନାହିଁ । ଆଦର୍ଶ କାବ୍ୟ ଓ ନାଟକ ପ୍ରଭୃତିରେ ଅକଳଙ୍କ ଚରିତ୍ର ଚିତ୍ରଣଦ୍ୱାରା ଯେଉଁ ବିଶେଷତ୍ୱ ଦେଖାଯାଏ, ତାହା ଚିତ୍ରକର ପକ୍ଷରେ ଗ୍ରହଣୀୟ ହୋଇ ନ ପାରେ । ଶାନ୍ତ ପ୍ରକୃତିର କମନୀୟ ଶୋଭା ତୂଳିକା ସାହାଯ୍ୟରେ ଉନ୍ମେଷିତ ହେଲେ ଚିତ୍ରକର ବିଶେଷ ଖ୍ୟାତି ଅର୍ଜନ କରେ । କବି ଓ ଚିତ୍ରକରର ପ୍ରକୃତି-ଚିତ୍ରଣ ଶ୍ରେଣୀଭେଦରେ ବିଭିନ୍ନ ହେଲେ ମଧ୍ୟ ଦୃଷ୍ଟି ସଞ୍ଚାଳନରେ ଉଭୟଙ୍କୁ ସମଆୟାସର ବଶବର୍ତ୍ତୀ ହେବାକୁ ପଡ଼େ । କୌଣସି ନୀରବ, ଗମ୍ଭୀର ଓ ମହୀୟାନ୍‍ ଛବି ପ୍ରକାଶ କରିବାରେ ଭାବରାଜ୍ୟ ଉଦ୍‌ବେଳିତ ହୁଏ ନାହିଁ । ମନର ଉନ୍ନତ ଅବସ୍ଥାରେ ଅହଂଭାବ କ୍ରମଶଃ ଲୁପ୍ତ ହେଲେ ମନୁଷ୍ୟ କେବଳ ଅନନ୍ତ ଶକ୍ତିର ବିକାଶ ଦେଖି ଯେଉଁ ପ୍ରେରଣା ଲାଭ କରେ, ତାକୁ ଲେଖନୀ କିମ୍ବା ତୂଳିକା ସାହାଯ୍ୟରେ ସେ ପ୍ରକାଶ କରେ । ତାର ନିଜତ୍ୱ ଏଥିରେ କିଛି ନ ଥାଏ । ଶାନ୍ତ ପ୍ରକୃତିର ପ୍ରଶାନ୍ତଭାବ ଦେଖିଲେ ମନୁଷ୍ୟର ଏପରି ଉନ୍ନତ ଭାବ ଆସିପାରେ । ସମୟ ଓ ଅବସ୍ଥା ସମ୍ପର୍କରେ ମନୁଷ୍ୟର ଭାବାନ୍ତର ଉପସ୍ଥିତ ହୁଏ । ହଠାତ୍‍ କୌଣସି ବିସ୍ମୟକର ଘଟନା ଦେଖି ମନର ଯେ ପରିବର୍ତ୍ତନ ଆସେ, ତାହା ଭାବୁକର ତାରତମ୍ୟ ଅନୁସାରେ ଚିତ୍ରିତ ହୁଏ ।

 

ଆଷାଢ଼ର ମେଘାଚ୍ଛନ୍ନ ଆକାଶ ସବୁ କବି ଓ ଚିତ୍ରକର ଦେଖୁଛନ୍ତି; କିନ୍ତୁ କାଳିଦାସଙ୍କ ପରି ଗୁରୁ ଗମ୍ଭୀର ଭାବ ପ୍ରକାଶ କରିବା କାହାରି ପକ୍ଷରେ ସମ୍ଭବପର ହେଉ ନାହିଁ । ମନୁଷ୍ୟର ଅନ୍ତର୍ନିହିତ ସଦ୍‌ଗୁଣର ପରିଚୟ ଦେବା ପାଇଁ ଅସଂଖ୍ୟ କାବ୍ୟ ଓ ଉପନ୍ୟାସ ରଚିତ ହେଉଛି; କିନ୍ତୁ ବାଲ୍ମୀକିଙ୍କର ମଧୁମୟ ଲେଖନୀ-ନିଃସୃତ ସୀତାରାମଚରିତ ଜଗତରେ କାହିଁକି ଅଦ୍ୱିତୀୟ ହୋଇ ଆବାହମାନ କାଳରୁ ରହିଛି ? ଭାବୁକର ଦୃଷ୍ଟିଭେଦରେ ଚିତ୍ରର ବୈଷ୍ୟମ ଦେଖାଯାଏ । କାଳର ପ୍ରାଦୁର୍ଭାବ ଅନୁସାରେ ସମାଜରେ ଯେଉଁ ସବୁ ପରିବର୍ତ୍ତନ ଆସେ, ତଦ୍ଦ୍ୱାରା ମନୁଷ୍ୟର ରୁଚି କ୍ରମଶଃ ସଙ୍କୁଚିତ କିମ୍ବା ପ୍ରସାରିତ ହୋଇପାରେ; କିନ୍ତୁ ତା ହୃଦୟର ଆକାଙ୍କ୍ଷା ଚିରଦିନ ଅପୂର୍ଣ୍ଣ ରହିଚି । ସୀତାରାମ ଯୁଗରେ ମାନବର ଯେ ଦୁର୍ବଳତା ଥିଲା, ଆଜି ମଧ୍ୟ ସେଥିରୁ ସେ ନିରାକୃତ ନୁହେଁ; ବରଂ ସେ ଯୁଗରେ ଥରେ ପଦସ୍ଖଳନ ହେଲେ ଯେତେ ଅନୁତାପ ମନୁଷ୍ୟ ଭୋଗ କରୁଥିଲା, ଆଜି ସହସ୍ର ପ୍ରମାଦଜନକ କାର୍ଯ୍ୟ କରିବାକୁ ସେ ତିଳେ ହେଲେ କୁଣ୍ଠା ବୋଧକରୁ ନାହିଁ । ପ୍ରଚଳିତ ରୁଚି ପ୍ରଭାବରେ କବି ଓ ଶିଳ୍ପୀମାନେ ଚାଳିତ ହୁଅନ୍ତି; କିନ୍ତୁ ସମୟ ସମୟରେ କୌଣସି ଅସାଧାରଣ ପ୍ରତିଭାଶାଳୀ ମନୀଷୀଙ୍କର ଲେଖନୀ କିମ୍ବା ତୂଳିକା କଳାରାଜ୍ୟରେ ଯୁଗାନ୍ତର ଆଣେ ।

 

ଭାବର ବିକାଶରେ ସୌନ୍ଦର୍ଯ୍ୟର ପୂଜା । ସାଧାରଣ ମନୁଷ୍ୟ ସର୍ବଦା ସଂସାରଚିନ୍ତାରେ ଦିନାତିପାତ କରେ । ତାର ଭାବନା ଦୈନନ୍ଦିନ କାର୍ଯ୍ୟ ନିର୍ବାହରେ ସଂଶ୍ଳିଷ୍ଟ ଥାଏ । ଅର୍ଥ ସଂଗ୍ରହ କରି ଐହିକ ସୁଖ ଲାଭ କରିବା ତା ଜୀବନର ମୁଖ୍ୟ ଉଦ୍ଦେଶ୍ୟ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଅଭିନିବିଷ୍ଟ ହେବା ତାର ସ୍ୱଭାବବିରୁଦ୍ଧ ହୋଇପଡ଼େ । ଅନିତ୍ୟ ସଂସାରକୁ ସାର ମନେ କରି ସେ ସାରା ଜୀବନଟା କଟାଇଦିଏ । ମୃତ୍ୟୁର ପୂର୍ବମୁହୂର୍ତ୍ତ ପର୍ଯ୍ୟନ୍ତ ସେ ସଂସାର ବାସନାରେ ଲିପ୍ତ; କିନ୍ତୁ ଭାବୁକ, କବି ଓ ଚିତ୍ରକାର ପ୍ରଭୃତି ଏମାନଙ୍କଠାରୁ ଖୁବ୍‌ ଉଚ୍ଚରେ ଅବସ୍ଥିତ । ସେମାନଙ୍କର ସାଂସାରିକ ଅଭାବ ଓ ଅସୁବିଧା ଥାଏ; କିନ୍ତୁ ସେମାନେ ସେ ଦିଗରେ ଉଦାସୀନ ଥାନ୍ତି । ସେମାନଙ୍କର ଦୃଷ୍ଟି କେବଳ ବହିର୍ଜଗତର ସୌନ୍ଦର୍ଯ୍ୟ ଲାଭରେ ନିହିତ ଅନ୍ତରର ବାସନା ମନୁଷ୍ୟକୁ ଯେ କୌଣସି ବିଷୟରେ ଆବଦ୍ଧ କରିବ । ଜନ୍ମାନ୍ତରୀଣ ସଂସ୍କାର ଏ ସମ୍ପର୍କରେ ବିଶେଷ ପ୍ରଭାବ ବିସ୍ତାର କରେ ବୋଲି ଅନେକଙ୍କର ବିଶ୍ୱାସ । ଅଧିକାଂଶ କବି ଓ ଶିଳ୍ପୀଙ୍କ ଜୀବନୀରୁ ଏହାର ପ୍ରମାଣ ମିଳେ । କେବଳ ସାଧନା ବଳରେ କବି-ପ୍ରତିଭା କିମ୍ବା ଶିଳ୍ପନୈପୁଣ୍ୟ କାହାରି ସୃଷ୍ଟ ହୁଏ ନାହିଁ । ରୁଦ୍ଧ ସ୍ରୋତକୁ ପ୍ରବାହିତ କରିବା ପାଇଁ ଯେପରି ସାମାନ୍ୟ ପରିଶ୍ରମ କରିବାକୁ ପଡ଼େ, ସେହିପରି ପ୍ରଚ୍ଛନ୍ନ ପ୍ରତିଭାର ଉନ୍ମେଷ ପାଇଁ ସାଧନାକୁ ଉପଲକ୍ଷସ୍ୱରୂପ ଧରି ନେବାକୁ ହୁଏ । ନାନା ପ୍ରତିବନ୍ଧକ ଓ ଦୂରବସ୍ଥାରେ ସୁଦ୍ଧା ଭାବୁକ କଳ୍ପନା-ରାଜ୍ୟରେ ବିଚରଣ କରୁଥାଏ । ସାଧାରଣ ସଂସାରୀର କଷ୍ଟକୁ ସେ ସହଜରେ ଉପେକ୍ଷା କରେ । ଭାବ-ପ୍ରବଣ ଚିତ୍ତ ରସ-ପିପାସୁ ହୁଏ । ଅନେକ ସମୟରେ ପ୍ରାକୃତିକ ଦୃଶ୍ୟ ଦେଖି ଭାବବିଭୋର କବି କିମ୍ବା ଚିତ୍ରକର ଆତ୍ମହରା ହୋଇପଡ଼ନ୍ତି । ଚେଷ୍ଟା କରି ଏପରି ଅବସ୍ଥାର ଅଧୀନ ହେବା ସାଧାରଣଙ୍କ ପକ୍ଷରେ ସମ୍ଭବପର ନୁହେଁ । ଅବଶ୍ୟ କଳ୍ପନା ସାହାଯ୍ୟରେ ଜଣକର ପ୍ରକୃତିଚିତ୍ରଣ ଅନ୍ୟଦ୍ୱାରା ଅନୁସୃତ ହୋଇପାରେ; କିନ୍ତୁ ସେହି ଚିତ୍ରଣଟି ସହଜ ନୁହେଁ । ମହାକବି କାଳିଦାସଙ୍କର ଜାହ୍ନବୀ-ଯମୁନା ସଙ୍ଗମ ଚିତ୍ରଣଟି କେଡ଼େ ମନୋମୋହକର, ତାହା ଯେ କେହି ପାଠକ ହୃଦୟଙ୍ଗମ କରିପାରିବେ; କିନ୍ତୁ ସେହି ମହତ୍‌ ଭାବର ଉଦ୍ରେକ ବିଷୟ ଆଲୋଚନା କରିବାକୁ ହେଲେ କଳ୍ପନାର ଶିଖର ଦେଶକୁ ଉଠିବାକୁ ପଡ଼ିବ-। ସେହି ପବିତ୍ର ସଙ୍ଗମର ଦୃଶ୍ୟକୁ କବି ଶେଷରେ ଯେତେବେଳେ ‘‘କ୍ୱଚିତ କୃଷ୍ଣୋରଗ ଭୂଷଣେବ ଭସ୍ମାଙ୍ଗରାଗା ତନୁରୀଶ୍ୱରସ୍ୟ’’ ସଙ୍ଗେ ତୁଳନା କରିଛନ୍ତି, ସେତେବେଳେ ସେ ଜଡ଼ ପ୍ରକୃତିର କ୍ରିୟାକୁ ଭେଦ କରି ନିର୍ଲିପ୍ତ ଆତ୍ମା ସହିତ ଅନାତ୍ମ ଭାବର ସଂଯୋଗ ଦେଖାଇଛନ୍ତି ।

 

ଗୁଣଭେଦରେ ଭାବୁକ ବିଭିନ୍ନ ଶ୍ରେଣୀର ଦେଖାଯାନ୍ତି । ଗୋଟାଏ ଚିତ୍ରକୁ ସମସ୍ତେ ସମାନ ଭାବରେ ଦେଖନ୍ତି ନାହିଁ । ସ୍ୱଭାବଗତ ଆସକ୍ତି ଅନୁସାରେ ଦୃଷ୍ଟିଶକ୍ତି ସଞ୍ଚାଳିତ ହୁଏ । ବର୍ଣ୍ଣିତ କିମ୍ବା ଚିତ୍ରିତ ବିଷୟର ମହତ୍ତ୍ୱ ଉପରେ ରଚୟିତାଙ୍କର ମହତ୍ତ୍ୱ ଚରିତ୍ରର ନିଦର୍ଶନ ମିଳେ । ଅନେକେ କହି ପାରନ୍ତି ଯେ, ଯୁଗୋଚିତ ରୁଚି ଏ ସମ୍ପର୍କରେ ଯଥେଷ୍ଟ ପ୍ରଭାବ ବିସ୍ତାର କରେ; ସୁତରାଂ କବି କିମ୍ବା ଶିଳ୍ପୀ ପ୍ରଭୃତିଙ୍କର କୌଣସି ସ୍ୱାତନ୍ତ୍ର୍ୟ ନାହିଁ । ଏପରି ଧାରଣା କରିବା ପୂର୍ବରୁ ମନେ ରଖିବା ଉଚିତ ଯେ କଳ୍ପନା ରାଜ୍ୟରେ କାହାରି ଆଦେଶ ପାଳନ କରିବାକୁ ପଡ଼େ ନାହିଁ; କେବଳ ଲକ୍ଷ୍ୟ ଓ ଦୃଷ୍ଟିର ସାମଞ୍ଜସ୍ୟ ଘେନି ଜଣେ କବି ଓ ଚିତ୍ରକର ଅପର ସହିତ ସମାନ ଆସନରେ ବସି ପାରନ୍ତି । ଭାବାବେଶରେ ମେଳ ହେବା ଖୁବ୍‌ କମ୍‌ ସ୍ଥାନରେ ଦେଖାଯାଏ । କେହି କେହି କେବଳ ଅନୁକରଣ ପନ୍ଥା ଅବଲମ୍ବନ କରି ଆଦର୍ଶକୁ ସର୍ବଦା ମାନସପଟରେ ଆଙ୍କି ରଖିଥାନ୍ତି । ଏପରି ସୀମାମଧ୍ୟରେ ରହିବାଦ୍ୱାରା ସ୍ୱାଧୀନ ଭାବ ଫୁଟି ଉଠେ ନାହିଁ । ଚିନ୍ତାସ୍ରୋତରେ ଅଯଥା ବାଧା ଦେଇ ତାକୁ ଗୋଟାଏ ନିର୍ଦ୍ଦିଷ୍ଟ ଦିଗରେ ଚାଳିତ କଲେ ପ୍ରତିଭାର ବିକାଶ ଜଣାପଡ଼େ ନାହିଁ । ସମଜାତୀୟ ଭାବୁକ ପରସ୍ପରକୁ ଅନୁସରଣ କରିବାକୁ ଭଲ ପାଆନ୍ତି । ସେଥିଯୋଗୁଁ ଜଣକର ଦୋଷ କିମ୍ବା ସଂକୀର୍ଣ୍ଣତା ଅନ୍ୟଠାରୁ ପୋଷକତା ଲାଭ କରିଥାଏ । କୁରୁଚିପୂର୍ଣ୍ଣ କାବ୍ୟ, ଶିଳ୍ପ ଓ ଚିତ୍ର ଗୋଟାଏ ଶ୍ରେଣୀର ଲୋକମାନଙ୍କଦ୍ୱାରା ବିଶେଷ ଆଦୃତ ହୁଏ । ଯେଉଁମାନେ ସେଗୁଡ଼ିକ ପ୍ରକାଶ କରିଥାନ୍ତି, ସେମାନଙ୍କ ଚରିତ୍ରର ହୀନତା ସ୍ପଷ୍ଟ ଜଣାଗଲେ ସୁଦ୍ଧା ଅନେକେ ସେମାନଙ୍କୁ ଅନୁମୋଦନ କରନ୍ତି । ଭାବନାର ସ୍ରୋତ ଯେତେବେଳେ ନିମ୍ନକୁ ଗତି କରେ, ସେତେବେଳେ ମନୁଷ୍ୟର ନୀଚଭାବ ଫୁଟି ଉଠେ । ସେହି ଭାବରେ ପ୍ରଣୋଦିତ ହୋଇ ସେ ତାର ନୀଚତାର ପ୍ରଶ୍ରୟ ପାଇବା ପାଇଁ ଲୋକମତର ଅପେକ୍ଷା କରେ । ଆଧୁନିକ କେତେକ ଉପନ୍ୟାସ ଦେଖିଲେ ଉପର୍ଯ୍ୟୁକ୍ତ ବିଷୟର ସାର୍ଥକତା ଜଣାପଡ଼େ । ସାମାନ୍ୟ ଉତ୍ସାହ ପାଇଲେ ଏହି ସଂକୀର୍ଣ୍ଣତା ସମସ୍ତଙ୍କ ଦୃଷ୍ଟିକୁ ଆବୃତ କରିବାପାଇଁ ଚେଷ୍ଟା କରେ । ଲୋକଚରିତ୍ର ବର୍ଣ୍ଣନାରେ ମଧ୍ୟ ଏହି ଦୋଷ ଦେଖିବାକୁ ମିଳେ । ଦେଶର ଦୁର୍ଦ୍ଦିନରେ କୁରୁଚିସମ୍ପନ୍ନ ଲେଖକ, ଚିତ୍ରକର କିମ୍ବା ଶିଳ୍ପୀ ଆଦର ପାଇ ପାରନ୍ତି; କିନ୍ତୁ ସେମାନଙ୍କର ପ୍ରତିଷ୍ଠା ବେଶି ଦିନ ସ୍ଥାୟୀ ହୁଏ ନାହିଁ ।

 

ଆନନ୍ଦ ଓ ସୌନ୍ଦର୍ଯ୍ୟ ସମ୍ପର୍କ ବଡ଼ ସରସ । ମନୁଷ୍ୟର ଆନନ୍ଦ ଉପଭୋଗ ପାଇଁ ସୌନ୍ଦର୍ଯ୍ୟର ସୃଷ୍ଟି । ସଂସାର-କ୍ଳିଷ୍ଟ ମନ ସୌନ୍ଦର୍ଯ୍ୟ ଉପାସନାରେ ଯେଉଁ ମୁକ୍ତ ଭାବ ଅନୁଭବ କରେ, ତାହା ବୈଷୟିକ ତୃପ୍ତିରେ ନାହିଁ । ପାତ୍ରବିଶେଷରେ ଦର୍ଶକର ଦୃଷ୍ଟି ଅଚଞ୍ଚଳ ରହେ ନାହିଁ । ମୋହ ଏହାର ପ୍ରଧାନ କାରଣ । ଯାହାକୁ ଅବଲମ୍ବନ ସ୍ୱରୂପ ଧରି ଶାନ୍ତ ଭାବୁକ ହୃଦୟର ଦ୍ୱାର ଖୋଲିଦିଏ ଏବଂ ଅମୃତର ଆସ୍ୱାଦନ କରେ, ତାର ସାହାଯ୍ୟରେ ପୁଣି ସେ ନରକର ଅତଳ ସ୍ପର୍ଶରେ ପଡ଼ି ରହେ । କାମିନୀର ଅକପଟ ଶୋଭା-ସମ୍ଭାରକୁ ସମ୍ବଳ କରି ପ୍ରେମିକ ଯେଉଁ କଳ୍ପନା-ରାଜ୍ୟରେ ବିଚରଣ କରେ, ସେଥିରେ କାମର ଗନ୍ଧ ସୁଦ୍ଧା ରହିବା ବାଞ୍ଛନୀୟ ନୁହେ । ସରଳ ପ୍ରାଣରେ ସୁନ୍ଦରୀ-ସମ୍ପର୍କ ମନର ଉଦାରତା ଆଣେ । କେବଳ ବାହ୍ୟ ସୌନ୍ଦର୍ଯ୍ୟରେ ଦୃଷ୍ଟି ଦେବାଦ୍ୱାରା ଅନିଷ୍ଟ ଘଟିପାରେ । ଦେହାତ୍ମବୁଦ୍ଧିରେ ଯେଉଁମାନେ ଚାଳିତ ହୁଅନ୍ତି, ସେମାନଙ୍କର ସୌନ୍ଦର୍ଯ୍ୟ ପୂଜା ନିଜର ଉପଭୋଗ ପାଇଁ । ରମଣୀର ରକ୍ତାଧରରେ ସେମାନେ ଆସକ୍ତ ଥାନ୍ତି, ତାର ସାମାନ୍ୟ ହାସ୍ୟରେ । ସେମାନଙ୍କର ଭାବରାଜ୍ୟ ଉଦ୍‌ବେଳିତ ହୁଏ । ସର୍ବସ୍ୱ ବିନିମୟରେ ସୁନ୍ଦରୀର ସ୍ପର୍ଶ-ସୁଖ ପାଇବାପାଇଁ ସେମାନେ ଚଞ୍ଚଳ ହୋଇଉଠନ୍ତି । ଏପରି ଅବସ୍ଥାରେ ଭାବନାର ବିକାଶ ଅଧୋଗାମୀ ହୁଏ । ଲକ୍ଷ୍ୟର ସ୍ଥିରତା ଥିଲେ କେହି କେହି ଏହି ପତିତ ଅବସ୍ଥାରୁ ମଧ୍ୟ ଉପରକୁ ଗତି କରିପାରନ୍ତି । ଅନେକ ପ୍ରେମ କାହାଣୀରେ ଏଥିର ଦୃଷ୍ଟାନ୍ତ ମିଳେ । ଅନାବିଳ ପ୍ରେମ-ଚିତ୍ରରେ ଶରୀର-ସମ୍ପର୍କର ସ୍ଥାନ ନାହିଁ । ଶରୀର-ସୌନ୍ଦର୍ଯ୍ୟକୁ କାମୁକ ସୁଖର ଆଧାର ସ୍ୱରୂପ ଧରିପାରେ, କିନ୍ତୁ ଭାବୁକ ଦୃଷ୍ଟିରେ ତାହା ପ୍ରେମରାଜ୍ୟରେ ବିଚରଣ କରିବାପାଇଁ ଗୋଟାଏ ସୋପାନ ମାତ୍ର । ଇନ୍ଦ୍ରିୟ-ତୃପ୍ତିରେ ସୌନ୍ଦର୍ଯ୍ୟକୁ ଲଗାଇଲେ କଳ୍ପନା-ଚକ୍ଷୁ କୌଣସି ସୀମା ମଧ୍ୟରେ ଆବଦ୍ଧ ରହେ ଓ ଚିତ୍ତର ଚାଞ୍ଚଲ୍ୟ ବଢ଼ିବାକୁ ଆରମ୍ଭ କରେ । ମନୁଷ୍ୟର ଏହି ଚଞ୍ଚଳତା ବସ୍ତୁ-ବିଚାର ପକ୍ଷେ ବାଧା ଦିଏ ଓ ତାର ସମସ୍ତ ଭାବନା ସୁନ୍ଦରୀର ମୁଖମଣ୍ଡଳଟିକୁ ଆବୃତ କରି ରହେ । ମୋହବଶତଃ ମନୁଷ୍ୟ ତାର ପ୍ରକୃତ ଅବସ୍ଥା ଅବଧାରଣ କରିପାରେ ନାହିଁ ।

 

ନିମ୍ନ ସ୍ତରରେ ଭାବୁକର ଅନ୍ତର୍ଦ୍ଦୃଷ୍ଟି ଉନ୍ମେଷିତ ହୋଇ ନ ଥାଏ । ଜ୍ଞାନର ବିକାଶ ସଙ୍ଗେ ସେ ସୌନ୍ଦର୍ଯ୍ୟକୁ ମଙ୍ଗଳମୟଙ୍କର ଅନନ୍ତ ସୃଷ୍ଟିର ଶୁଭ ସଙ୍କେତ ବୋଲି ମନେକରେ । ସୁନ୍ଦରୀର କୋମଳ ଭାବରେ ସେ ହୃଦୟର ଉଚ୍ଛାସ ଅନୁଭବ କରେ । ବିଶ୍ୱ ପ୍ରକୃତିରୁ ସୌନ୍ଦର୍ଯ୍ୟର ଉତ୍ପତ୍ତି । ଅସଂଖ୍ୟ ଶୋଭା-ସମ୍ପଦ ମଧ୍ୟରେ ରୂପବତୀ ନାରୀ ଗୋଟିଏ ଉପାଦାନ ମାତ୍ର । ଉଦ୍ଦେଶ୍ୟ ନ ବୁଝି ତାକୁ କେବଳ ଶରୀରସଙ୍ଗିନୀ କରିବା ମନୁଷ୍ୟର କର୍ତ୍ତବ୍ୟ ନୁହେଁ । ବାହ୍ୟ ଚାକଚକ୍ୟରେ ଲିପ୍ତ ରହିଥିବା ଯାଏ ସୌନ୍ଦର୍ଯ୍ୟର ଯେ କୌଣସି ଉପାଦାନର ମହତ୍ତ୍ୱ ଜଣାପଡ଼େ ନାହିଁ ।

 

ଭାବୁକର ଦୂରଦୃଷ୍ଟି ଉପରେ କର୍ମଜଗତ୍‌ର ସ୍ଥିତି ଓ ପରିବର୍ତ୍ତନ ନିର୍ଭର କରେ । ଚିନ୍ତାଶୀଳ କର୍ମୀ ଭବିଷ୍ୟତକୁ ଲକ୍ଷ୍ୟ ରଖି କର୍ମମାର୍ଗ ନିୟନ୍ତ୍ରିତ କରେ । ସାଧାରଣ ଲୋକର ଦୃଷ୍ଟି ସ୍ୱାର୍ଥସଂଶ୍ଳିଷ୍ଟ ଥାଏ । ସେଥିଯୋଗୁଁ ସେ ଦେଶ କିମ୍ବା ସମାଜର କଲ୍ୟାଣକର ସଦନୁଷ୍ଠାନମାନଙ୍କରେ ମନୋନିବେଶ କରେ ନାହିଁ । କ୍ଷୁଦ୍ର ସୀମା ମଧ୍ୟରେ ସର୍ବଦା ରହିବାଦ୍ୱାରା ତାର ଦୃଷ୍ଟି ସଂକୀର୍ଣ୍ଣ ହୁଏ । ଉନ୍ନତମନା ଦେଶସେବକ ଓ ସ୍ୱାର୍ଥପର ରାଜକର୍ମଚାରୀର କାର୍ଯ୍ୟ ଆଲୋଚନା କଲେ ଉପର୍ଯ୍ୟୁକ୍ତ ବିଷୟର ସତ୍ୟତା ଜଣାପଡ଼େ । ଆତ୍ମୋନ୍ନତି ପଥରେ ତ୍ୟାଗ ଶ୍ରେଷ୍ଠ ଅବଲମ୍ବନ । ସ୍ଥୂଳଦୃଷ୍ଟିରେ ଏହାର ମହତ୍ତ୍ୱ ଉପଲବ୍ଧ ହୁଏ ନାହିଁ । ବିଷୟ-ଲାଳସା ଓ ଚାଞ୍ଚଲ୍ୟ ମନକୁ ଗ୍ରାସ କଲେ କର୍ମପନ୍ଥା ଦୁର୍ଗମ ହୋଇପଡ଼େ । କର୍ମ-ସମସ୍ୟାର ଜଟିଳତା ଭେଦ କରିବାକୁ ମନୁଷ୍ୟ ଅକ୍ଷମ ହୁଏ । ମହତ୍‌ ଓ ଉନ୍ନତ ଲକ୍ଷ୍ୟ ରଖି ଅଗ୍ରସର ହେଲେ ଅନ୍ତର୍ଦୃଷ୍ଟି କ୍ରମଶଃ ପ୍ରବଳ ହୁଏ । ନିଜର ସାମାନ୍ୟ ସ୍ୱାର୍ଥରକ୍ଷା ସକାଶେ ମନୁଷ୍ୟର ମନ ବିଚଳିତ ହୁଏ ନାହିଁ । ତ୍ୟାଗୀ କର୍ମୀ ଭବିଷ୍ୟତର ଯେଉଁ ଚିତ୍ର ଦେଖେ, ସେଥିରେ ହୀନ ସ୍ୱାର୍ଥ, ଅନ୍ୟାୟ କିମ୍ବା ପ୍ରବଳର ଦୁର୍ବଳ ଉପରେ ଅତ୍ୟାଚାରର ଚିହ୍ନ ସୁଦ୍ଧା ନ ଥାଏ । ତାର ପବିତ୍ର ଭାବକୁ ଦୁର୍ବଳ ଗ୍ରହଣ କରି ନୂତନ କର୍ମମନ୍ତ୍ରରେ ଦୀକ୍ଷିତ ହୁଏ । କର୍କଶତାର ନିର୍ମମ ଆବରଣ ତା ଦୃଷ୍ଟି ସମକ୍ଷରୁ କ୍ରମଶଃ ଲୋପ ପାଏ । ହୃଦୟର ଦୁର୍ବଳତା ତା ସଙ୍ଗେ ମଧ୍ୟ ଅପସାରିତ ହୁଏ ।

 

ପରାଧୀନ ଭାବ ଜାତୀୟ ଜୀବନରେ ଘୋର ଅନିଷ୍ଟ କରେ । ଜାତୀୟତା ରକ୍ଷାପାଇଁ ସ୍ୱାଧୀନ ଚିନ୍ତା ନିତାନ୍ତ ଆବଶ୍ୟକ ।

 

ଯେ ଜାତିର ଦୃଷ୍ଟି ସଂକୀର୍ଣ୍ଣ ହୋଇପଡ଼େ, ସେ ଜାତିର ପତନ ଅନିବାର୍ଯ୍ୟ । ଏହି ସଙ୍କଟରେ ବିଚକ୍ଷଣ ତ୍ୟାଗୀ କର୍ମୀ ପ୍ରଚଳିତ କର୍ମପନ୍ଥାକୁ ବଦଳାଇବାକୁ ଚେଷ୍ଟା କରନ୍ତି । ଜାତିର ଭାବି-ବିପଦ ଦେଖି ସେ ଜାତିର ଭାବନାସ୍ରୋତକୁ ସମ୍ପୂର୍ଣ୍ଣରୂପେ ପରିବର୍ତ୍ତିତ କରିଦିଅନ୍ତି । ତାଙ୍କରି ଇଙ୍ଗିତରେ ପତିତ ଜାତି ବହୁଦିନର ଜଡ଼ତା ଛାଡ଼ି ସତେଜ ହୁଏ । ଦୃଷ୍ଟି ଆଗରେ ସ୍ୱାଧୀନତାର ଆଲୋକ ଜଳିଉଠେ, ଚରିତ୍ରର ମହତ୍ତ୍ୱ ପ୍ରକାଶିତ ହୁଏ । ସ୍ୱାଧୀନ ଭାବର ସ୍ପନ୍ଦନ ନିର୍ଜିତ ଜାତିର ଶିରାପ୍ରଶିରାରେ ଖେଳିଯାଏ । ସେହି ପ୍ରଭାବରେ ସାହିତ୍ୟ, ସଙ୍ଗୀତ, ଚିତ୍ର, ଶିଳ୍ପ ଓ ଅନ୍ୟାନ୍ୟ ରୁଚିର କଳାସବୁ ବିକଶିତ ହୁଏ । ଜଣକର ଦୃଷ୍ଟି ଅନ୍ଧକାର ଭେଦ କରି ଯେଉଁ ଆଲୋକର ସନ୍ଧାନ ଦିଏ, ତାକୁ ଅକୁଣ୍ଠିତରେ ସମସ୍ତେ ଅନୁସରଣ କରନ୍ତି । ରୁଦ୍ଧ ପଥ ଥରେ ଖୋଲିଗଲେ ଆଉ ବନ୍ଦ ହେବା ସହଜ ନୁହେଁ । ସେହି ପଥରେ ହିଁ ସ୍ୱାଧୀନତାପ୍ରୟାସୀ ଜାତିର ପରବର୍ତ୍ତୀ ଲୋକେ ଗମନ କରି ଉନ୍ନତିର ଉଚ୍ଚ ଶିଖରରେ ଆରୋହଣ କରିଥାନ୍ତି ।

•••

 

କଳା-ବିଭବ

ଭାବର ଅଭିବ୍ୟକ୍ତିରେ କଳାର ସୃଷ୍ଟି । ସୌନ୍ଦର୍ଯ୍ୟ ଓ ଐଶ୍ୱର୍ଯ୍ୟରେ ତାର ବିସ୍ତୃତି । ରୁଚି ଓ ସାମାଜିକ ଅବସ୍ଥାଭେଦରେ ତାର ଭିନ୍ନ ଭିନ୍ନ କୌଶଳ ଓ ସୋପାନ । ଜୀବନସ୍ରୋତ ବଡ଼ ଚଞ୍ଚଳ । ତାର ତରଙ୍ଗରାଶି କାଳବକ୍ଷରେ ପ୍ରତିନିୟତ ଆଘାତ କରି ଚାଲିଯାଏ; ସେମାନଙ୍କର ଅସ୍ତିତ୍ୱ ନାହିଁ । ଏହି ଅବିଚ୍ଛିନ୍ନ ଗତିକୁ ଅନୁସରଣ କରି ମାନବର ଚିରନୂତନ ଆଶ୍ୱାସନା ପାଇବା ଆଶାରେ ଆଦିମ ଯୁଗରୁ ଅପେକ୍ଷା କରି ରହିଚି । ଅନୁଭୂତିର ପରିମାଣ ଅନୁସାରେ ସେ ଯେଉଁ ସ୍ମୃତି-ଚିହ୍ନ ରଖିଯାଇଚି କିମ୍ବା ରଖିଯିବ, ତାହା ସେମାନଙ୍କର ବୈଚିତ୍ର୍ୟ ରକ୍ଷା ଲାଗି କଳାର ମହତ୍ତ୍ୱ ପ୍ରତିପନ୍ନ କରାଏ ।

 

କ୍ଷଣ ଭଙ୍ଗୁର ବିଷୟ-ସୌନ୍ଦର୍ଯ୍ୟ ବିଦ୍ୟୁତର ଚମକ ପରି ଝଲସି ଉଠି ନିଭିଯାଏ । ଯୁବତୀର ରକ୍ତାଧରର ଅକପଟ ହାସ୍ୟରେ ପୁରୁଷର ଭାବରାଜ୍ୟ ଉଦ୍‌ବେଳିତ ହୋଇଉଠେ । ରମଣୀ ତାର ଅନ୍ତରରେ ଅଲକ୍ଷିତରେ ମୃଦୁ ଆଘାତ ଦିଏ; ଶତ ଘଟନାଚକ୍ର ଆସି ତାକୁ ବିସ୍ମୃତି ଗର୍ଭରେ ଲୋପ କରିବାକୁ ଚେଷ୍ଟା କରନ୍ତି; କିନ୍ତୁ ଭସ୍ମାବୃତ ଅଗ୍ନି ପରି ତାର ଗୋଟିଏ ନଗ୍ନ ଆତ୍ମଗୋପନ କରେ । ଘନ ଅନ୍ଧକାର ମଧ୍ୟରେ ଅଗ୍ନିଶିଖା ହଠାତ୍‌ ଜଳି ଉଠିଲା ପରି ମାନବର ନୈରାଶ୍ୟଜଡ଼ିତ ହୃଦୟକନ୍ଦରରୁ ଯେଉଁ ରାଗିଣୀ ବାଜିଉଠେ, ସେଥିରେ ଭାବୁକର ଭାବନା ଓ ଚିତ୍ରକରର ତୂଳିକା କେତେ ଯୁଗ ପାଇଁ ବ୍ୟାପୃତ ରହେ ।

 

କବି ଗାଇଯାଏ; ଚିତ୍ରକର ଆଙ୍କିଦିଏ । ଲକ୍ଷ୍ୟ ଦୁହଁଙ୍କର ଏକ । ଜଣକର ଭାଷା ଅପରର ଚିତ୍ର ବିଭିନ୍ନ ହେଲେ ସୁଦ୍ଧା ହୃଦୟର ଉପାସ୍ୟ ଦେବତା ଦୁଇ ପୂଜକଙ୍କର ନୈବେଦ୍ୟ ସମଭାବରେ ଗ୍ରହଣ କରନ୍ତି । ତୂଳି ଓ ଲେଖନୀ ସମଜାତୀୟ; କିନ୍ତୁ ସେମାନଙ୍କର ପ୍ରକାଶ-ପ୍ରଣାଳୀରେ ପାର୍ଥକ୍ୟ ରହେ । ଗୋଟିଏ ପ୍ରେରଣାର ଅଧୀନରେ କାବ୍ୟ ଓ ଚିତ୍ର ଦୁଇ ବିଭିନ୍ନ ବସ୍ତୁରେ ପ୍ରକଟିତ ହୁଅନ୍ତି । ଚିତ୍ରର ପ୍ରଥମ ଦର୍ଶନରେ କେତେ ଯୁଗର ଗୁପ୍ତ ଭାବନା ମନର ନିଭୃତପଟରେ ଏକ ମୁହୂର୍ତ୍ତରେ ଭାସିଉଠେ; କିନ୍ତୁ କାବ୍ୟର ବାହ୍ୟ ଦୃଷ୍ଟି ସହିତ ଏପରି କୌଣସି ସମ୍ବନ୍ଧ ନାହିଁ । ଚିତ୍ରକର ଇଙ୍ଗିତରେ ଯାହା ଦେଖାଇଦିଏ, କବି ତାକୁ ଭାଷାରେ କହିଦିଏ । ଉଭୟେ ପରସ୍ୱହରଣକାରୀ; ସୌନ୍ଦର୍ଯ୍ୟ ଆହରଣ କରିବା ପାଇଁ ଦୁହିଁଙ୍କୁ ଏକ ସାଧନା କରିବାକୁ ପଡ଼େ । ଅଲକ୍ତରଞ୍ଜିତ ଚାରୁ-ଚପଳ ଚରଣଚାଳନରେ ଚଞ୍ଚଳା ନାରୀ ଉଭୟ କବି ଓ ଚିତ୍ରକର ହୃଦୟରେ ଯେଉଁ ଭାବ ଖେଳାଇଦିଏ, ତାହା ଅସମ୍ପୂର୍ଣ୍ଣ ବୋଧ ହୋଇପାରେ; କିନ୍ତୁ ଫୁଟନ୍ତ କୋରକ ନିକଟରେ ମଧୁଲିପସୁ ଅଳିର ଗୁଞ୍ଜନ ବେଶି କ୍ଷଣ ହେବା ଯେପରି ସ୍ୱାଭାବିକ, ସେହିପରି ସୁନ୍ଦରୀ ସମ୍ପର୍କରେ ବେଶି ସମୟ ରହି ତାକୁ ଫୁଲରାଣୀ କରିପାରିଲେ ଦୁହିଙ୍କର ଜୀବନ ସାର୍ଥକ ହୁଏ । ଜଣେ ତାର ଭାବ, ଆଉ ଜଣେ ତାର ଭଙ୍ଗୀର ମାଧୁରୀ ଗ୍ରହଣ କରେ । ଗୋଟିଏ ପୁଷ୍ପର ଦୁଇଟି ଅଧିକାରୀ । ଯେ ଯେପରି ନିବିଷ୍ଟ ଚିତ୍ତରେ ରୂପବତୀକୁ ସାଧନା-ଅର୍ଘ୍ୟରେ ପୂଜା କରେ, ସେ ସେହି ପରିମାଣରେ ପୂର୍ଣ୍ଣତା ଆଡ଼କୁ ଅଗ୍ରସର ହୁଏ । ଏଥିରେ କୌଣସି ନିର୍ଦ୍ଦିଷ୍ଟ ସୀମା ନାହିଁ । ସରଳା ସୁନ୍ଦରୀର ସ୍ପର୍ଶସୁଖରେ ସାଧନାର ପଥ ନିର୍ଣ୍ଣୟ କଲେ ଲକ୍ଷ୍ୟ ବହୁ ଦୂରରେ ରହିଯାଏ । ରାଗିଣୀ ଦୋଷଯୁକ୍ତ ହେଲେ ସଙ୍ଗୀତର ମାଧୁରୀ ନଷ୍ଟ ହୁଏ ।

 

କଳା ଓ ସାହିତ୍ୟ ଜାତିର ମହତ୍ତ୍ୱ-ପ୍ରକାଶକ । ଜୀବନର ଗତି, ସ୍ୱାଭାବିକ ସାଧନା କିମ୍ବା ଚରିତ୍ରର ଉତ୍କର୍ଷ ସେମାନଙ୍କ ସାହାଯ୍ୟରେ ଆତ୍ମପ୍ରକାଶ କରନ୍ତି । ଆଦର୍ଶର ଛାୟା କାବ୍ୟ କିମ୍ବା ଚରିତ୍ର ପ୍ରତିଫଳିତ ହୋଇ କାଳଗର୍ଭରେ ପ୍ରତିଷ୍ଠା ସ୍ଥାପନ କରିବାକୁ ସର୍ବଦା ଚେଷ୍ଟିତ । ପୁଣ୍ୟଶ୍ଳୋକ ପୁରୁଷ କିମ୍ବା ନାରୀର ଚରିତ୍ର ସତ୍‌ ସାହିତ୍ୟର ପ୍ରଧାନ ଅବଲମ୍ବନ । ସହସ୍ର ସହସ୍ର ବର୍ଷ ଅତୀତ ହେଲାଣି; ତଥାପି ନିଭୃତ ପର୍ବତ ଗାତ୍ରରେ ଶିଳ୍ପୀର ନୈପୁଣ୍ୟ ପ୍ରାଚୀନ ସଭ୍ୟତାର ଶ୍ରେଷ୍ଠ ନିଦର୍ଶନ ରୂପେ ବିରାଜିତ ଅଛି । ଧର୍ମ ଓ କୀର୍ତ୍ତିର ଧ୍ୱଜା ନିର୍ଜୀବ ପ୍ରସ୍ତରସ୍ତୁପରେ ଜୀବନ୍ତ ଭାବ ଧାରଣ କରି ମାନବଜାତିର ଇତିହାସ ନୀରବରେ ଗାଇଯାଉଛି । ଜାତିର ପ୍ରାଣ, ସାଧନା ଓ ବୀରତ୍ୱ ଅତୀତରେ ଲୀନ ହୁଏ ନାହିଁ । ପାଷାଣ ମୂର୍ତ୍ତି ଗୁଡ଼ିକ ନିଷ୍ପନ୍ଦ ଭାବରେ ଅତୀତ-ଗର୍ଭରୁ ଯେଉଁ ଗଭୀର ବାଣୀ ପ୍ରକାଶ କରେ, ତଦ୍ଦ୍ୱାରା ଜାତୀୟ ଜୀବନରେ ଗୋଟାଏ ଉଦ୍‌ବୋଧନ ଆସେ । ଐଶ୍ୱର୍ଯ୍ୟର ମହିମା ଓ ଧର୍ମର ଗରିମା କାଳକ୍ରମେ ମନୁଷ୍ୟର କର୍ମକ୍ଷେତ୍ରରୁ ଅନ୍ତର ହୋଇପାରେ; କିନ୍ତୁ ସେମାନଙ୍କର ଚିହ୍ନ ରହିଯାଏ କୀଟଦଷ୍ଟ ଗ୍ରନ୍ଥ କିମ୍ବା ଭଗ୍ନଶିଳା ଖଣ୍ଡିକରେ । ସାଧାରଣ ମନୁଷ୍ୟ ଉପେକ୍ଷା କରିପାରେ କିମ୍ବା ଅଜ୍ଞାନତା-ଅନ୍ଧକାରରେ ସେମାନଙ୍କ ବିଷୟରେ କିଛି ଧାରଣା କରିପାରେ ନାହିଁ କିମ୍ବା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବିସ୍ମୟାବିଷ୍ଟ ଚିତ୍ତରେ କୌଣସି ଉପଦେବତାକୁ ସନ୍ତୁଷ୍ଟ କରିବା ଛଳରେ କେବଳ ପୂଜାର ଆୟୋଜନ କରେ । ସମୟର ପରିବର୍ତ୍ତନ ଓ ସଭ୍ୟତାର ବିକାଶ ଅନୁସାରେ ପ୍ରତ୍ୟେକ ବିଷୟର ମୂଲ୍ୟ ନିରୂପଣ କରାଯାଇଥାଏ । ସିନ୍ଧୁନଦୀର ଗର୍ଭରେ ପ୍ରୋଥିତ ପ୍ରାଚୀନ ନଗରୀ ଭାରତୀୟ ସଭ୍ୟତାକୁ ଯେ ପ୍ରାଚୀନତମ ସ୍ଥାନ ଦେବ, ଏହା କେହି ଅସ୍ୱୀକାର କରିପାରିବେ କି ? ଭାରତର ଧାରାବାହିକ ଇତିହାସ ନାହିଁ; କିନ୍ତୁ ତାର ଶିଳ୍ପୀର ହସ୍ତ ଅନେକାଂଶରେ ଐତିହାସିକ କାର୍ଯ୍ୟ କରିଛି ।

 

ବିଶ୍ୱପ୍ରକୃତିର ଉପାସକ ପୁଷ୍ପର ସୌରଭରେ, ବସନ୍ତର ମାଧୁରୀରେ କୋକିଳର କୁଜନରେ, ସୁଦୂର ବଂଶୀସ୍ୱନରେ କିମ୍ବା ଫେନିଳ ନିଳାମ୍ବୁରାଶିର ଉତ୍ତାଳ ତରଙ୍ଗଦର୍ଶନରେ ଯେଉଁ ଅନିର୍ବଚନୀୟ ଆନନ୍ଦ ଅନୁଭବ କରନ୍ତି, ତାକୁ ଶ୍ରେଣୀବିଭାଗ କରି ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ରଖିବା କଷ୍ଟକର । ଭିନ୍ନ ଭିନ୍ନ ପ୍ରାକୃତିକ ବିଷୟ ପର୍ଯ୍ୟବେକ୍ଷଣ କଲାବେଳେ ଭିନ୍ନ ଭିନ୍ନ ଭାବ ଉଦିତ ହୋଇପାରେ; କିନ୍ତୁ ସେ ସବୁ ଗୋଟିଏ ଆନନ୍ଦ ଉତ୍ସରୁ ଉତ୍ପନ୍ନ । ଆତ୍ମାର ମୁକ୍ତ ଅବସ୍ଥା ସଙ୍ଗେ ଏହାର ଘନିଷ୍ଠ ସମ୍ବନ୍ଧ । ଯେ ଯେତେ ଉପରକୁ ଉଠିଛି, ତାର ଦୃଷ୍ଟି ସେହି ପରିମାଣରେ ପ୍ରତିବନ୍ଧକଶୂନ୍ୟ । ଏହି ବ୍ୟବଧାନ ଅନୁସାରେ ଜଣେ ସାଧାରଣ କବି, ଚିତ୍ରକର କିମ୍ବା ଶିଳ୍ପୀ ତାଙ୍କର ସମଜାତୀୟ ଅସାଧାରଣ ପୁରୁଷଙ୍କଠାରୁ ନିମ୍ନ ସୋପାନରେ ଅବସ୍ଥିତ ।

 

ସତ୍ୟ ଓ ସୌନ୍ଦର୍ଯ୍ୟ ଅନୁଭବ କରିବା କୌଣସି ବିଶିଷ୍ଟ ଜାତିର ଅଧିକାରର ବିଷୟ ନୁହେଁ । ଅତ୍ୟଳ୍ପ ଲୋକ ଜୀବନର ଚଞ୍ଚଳତା ସଙ୍ଗେ ସଙ୍ଗେ ଶାନ୍ତିପ୍ରସୁ ସୌନ୍ଦର୍ଯ୍ୟର ଆଧାରକୁ ନିଶ୍ଚିତରୂପେ ଧରି ପାରନ୍ତି । ଯେଉଁମାନେ ଏ ପଥରେ ନିର୍ବିଘ୍ନରେ ଅଗ୍ରସର ହୁଅନ୍ତି, ସେମାନେ କେବଳ ସାଂସାରିକ ବୈଚିତ୍ର୍ୟରେ ଲିପ୍ତ ନ ଥାନ୍ତି । ଅନନ୍ତ ଜୀବନ-ସ୍ରୋତ ସଙ୍ଗେ ଚଞ୍ଚଳ ପାର୍ଥିବ ଗତିକୁ ମିଶାଇଦେବା ସେମାନଙ୍କର ଲକ୍ଷ୍ୟ । ସେମାନେ ବିଶ୍ୱଠାରୁ କୌଣସି ବିଷୟର ଭିନ୍ନତା ଦେଖନ୍ତି ନାହିଁ । କ୍ଷୁଦ୍ର ସ୍ୱାର୍ଥ କିମ୍ବା ଜାତିଗତ ବିଦ୍ୱେଷ ସେମାନଙ୍କ ହୃଦୟରେ ସଂକୀର୍ଣ୍ଣତାର ଛାୟା ସୁଦ୍ଧା ପକାଇ ପାରେ ନାହିଁ । ସମଗ୍ର ପୃଥିବୀ ସେମାନଙ୍କ ପାଇଁ ବିଶିଷ୍ଟ ସ୍ଥାନ ନିରୂପଣ କରିଦିଏ । ମୁକ୍ତ ହୃଦୟର ସ୍ୱାଧୀନ ପ୍ରେରଣା ବାଲ୍ମୀକି ଓ ବ୍ୟାସ ପ୍ରଭୃତି ମହାକବିମାନଙ୍କୁ ଜଗତ୍‌ ପୂଜ୍ୟ କରିଛି । ମାନବଠାରେ ସେମାନେ ଯେଉଁ ଦେବତ୍ୱର ବିକାଶ ଦେଖିଲେ, ତାହା ଅନ୍ୟଦ୍ୱାରା ସହଜରେ ଅନୁସନ୍ଧେୟ ନୁହେ । ଯାହାର ହୃଦୟ ଯେତେ ଉଦାର, ତାର ପୂର୍ଣ୍ଣତା ଆଡ଼କୁ ସେତେ ଗତି । ବିଶ୍ୱକବିଙ୍କ ଆଦର୍ଶ ଜନ୍ମଭୂମିର ଆକର୍ଷଣ ଅନୁସାରେ ପ୍ରଭାବିତ ହୋଇପାରେ; କିନ୍ତୁ ତାଙ୍କର ଅନ୍ତର-ସ୍ପନ୍ଦନରେ ସମସ୍ତ ମାନବଜାତି ସ୍ପନ୍ଦନ ଅନୁଭବ କରେ । ସେ ଗାଆନ୍ତି ବିଶ୍ୱ-ରାଗିଣୀର ଅମର ଛନ୍ଦରେ, ଯାହା ଶୁଣି କ୍ଷୁଦ୍ର ମାନବ ତାର ପାର୍ଥିବ ବିଷୟ ଭୁଲିଯାଇ ସତ୍ୟ ଓ ସୌନ୍ଦର୍ଯ୍ୟର ଉପାସନା କରେ । ତାଙ୍କର ପ୍ରେମ ସାଧାରଣ ମନୁଷ୍ୟର ଖାଦମିଶା ପ୍ରେମ ନୁହେଁ । ତାଙ୍କର ଐଶ୍ୱର୍ଯ୍ୟ-ବର୍ଣ୍ଣନା ତ୍ୟାଗର ଚରମ ନିଦର୍ଶନ । ସେ ଦେଖନ୍ତି, ମାନବ ଜୀବନର ପୂର୍ଣ୍ଣ ସାର୍ଥକତା । ଦୁର୍ବଳ ମନୁଷ୍ୟ ସଂସାର-ଆବର୍ତ୍ତରେ ପଡ଼ି ନିବିଡ଼ ଅନ୍ଧକାରରେ ଆଶାର ଆଲୋକ ଲୋଡ଼ିଲା ବେଳେ ତାଙ୍କର ଅମର ରାଗିଣୀ ଭାସି ଆସେ ଅମୃତର ସନ୍ଧାନ ଦେବା ପାଇଁ । ମାନବର ଅପୂର୍ଣ୍ଣତାରେ ତାଙ୍କର କ୍ଷୁବ୍‌ଧତା ନାହିଁ । ମନୁଷ୍ୟର ସୁଖଦୁଃଖରେ ସେ ସର୍ବଦା ଅଚଞ୍ଚଳ । ତାଙ୍କୁ ବାଦ୍‌ ଦେଇ ସାଧାରଣ ସାଧକର କାର୍ଯ୍ୟାବଳୀ ଦେଖିଲେ ମନେ ହୁଏ ଯେ, ରୁଚିର ପରିବର୍ତ୍ତନ ସଙ୍ଗେ କାବ୍ୟ ଓ ଶିଳ୍ପ ପ୍ରଭୃତିର ଉତ୍କର୍ଷ କିମ୍ବା ଅପକର୍ଷ ଘଟିଥାଏ । ସମାଜର ଆଦର ଦେଖି କବି ଓ ଶିଳ୍ପୀମାନେ ଉପଯୋଗୀ ବିଷୟମାନ ପ୍ରକାଶ କରନ୍ତି ।

 

ଜୀବନର ସ୍ୱଚ୍ଛନ୍ଦ ଗତିରେ କଳାବିଦ୍ୟାର ଉନ୍ନତି ସାଧିତ ହୁଏ । ସାମାଜିକ ଅବସ୍ଥା ଶୋଚନୀୟ ହେଲେ କିମ୍ବା ସାଧାରଣ ଲୋକ-ଚରିତ୍ରରେ ଅବନତି ଘଟିଲେ କୁରୁଚିପୂର୍ଣ୍ଣ କାବ୍ୟ, ଚିତ୍ର ଓ ଶିଳ୍ପ ପ୍ରକାଶିତ ହୁଏ । ପ୍ରତ୍ୟେକ ଦେଶର ଇତିହାସ ପାଠ କଲେ ଏ ସମ୍ବନ୍ଧରେ ବିଶେଷ ଜ୍ଞାନ ଜନ୍ମିପାରେ; କିନ୍ତୁ ଭାରତବର୍ଷରେ ଏ ବିଷୟରେ କିଛି ପାର୍ଥକ୍ୟ ଲକ୍ଷିତ ହୁଏ ।

 

ଭାରତର ସାଧାରଣ ଶିଳ୍ପୀମାନେ ବଂଶପରମ୍ପରା ରୀତିକୁ ଅନୁସରଣ କରି ଯେଉଁ ଖ୍ୟାତି ଅର୍ଜନ କରନ୍ତି; ତାହା କେବଳ ରକ୍ଷଣଶୀଳ ଦେଶବାସୀଙ୍କ ପ୍ରଶଂସା ଉପରେ ଆରୋପ କରାଯାଇପାରେ । ପ୍ରାଚୀନତା ପକ୍ଷପାତୀ, କୁସଂସାର-ଆଶ୍ରୟୀ ମନ ସଂକୀର୍ଣ୍ଣ ସୀମା ମଧ୍ୟରେ ଆବଦ୍ଧ । ପୌରାଣିକ ବିଷୟମାନଙ୍କୁ ସର୍ବଦା ଆଶ୍ରୟ କରିବାଦ୍ୱାରା ଲୋକମାନଙ୍କର ରୁଚି ଓ ଶିଳ୍ପୀମାନଙ୍କର ନୈପୁଣ୍ୟରେ କିଛି ନୂତନତ୍ୱ ଦେଖାଯାଏ ନାହିଁ । ସେଥିଯୋଗୁଁ ଆଧୁନିକ ଶିକ୍ଷିତ ସମାଜର ରୁଚି ପୌରାଣିକ ବିଷୟମାନଙ୍କରେ ବୀତସ୍ପୃହ ଦେଖାଯାଏ । କୌଣସି ବିଷୟକୁ ସମୂଳେ ବାଦ୍ ଦେଇ କିମ୍ବା ରକ୍ଷଣଶୀଳତାକୁ ଏକମାତ୍ର ଅବଲମ୍ବନ କରି କଳାର ଉତ୍କର୍ଷ ସାଧନ କରିବା ଉଚିତନୁହେଁ । ଆଜିକାଲି ଯେଉଁ ସବୁ ଦେବମନ୍ଦିର ନିର୍ମିତ ହୁଏ, ସେଥିରେ କୌଣସି ବିଶେଷତ୍ୱ ଦେଖାଯାଏ ନାହିଁ । ଗୋଟାଏ ଅତୀତ ଯୁଗର ଶିଳ୍ପଛାୟାରେ ଆଧୁନିକ ସାଧାରଣ ଭାରତୀୟ ଶିଳ୍ପୀ ପ୍ରଭାବିତ ହେବାର ଜଣାଯାଏ । ପ୍ରଚଳିତ ପ୍ରାଦେଶିକ ସୀମା ଲଙ୍ଘନ କରିବା ପାଇଁ ସୁଦ୍ଧା ସେମାନେ କୁଣ୍ଠା ବୋଧ କରନ୍ତି । ଧାରାବାହିକ ଗୋଟିଏ ବିଶିଷ୍ଟ ପ୍ରଣାଳୀରେ କାର୍ଯ୍ୟ କରିବା ଦ୍ୱାରା ଉନ୍ନତ ଶିଳ୍ପର ମୁକ୍ତ ଅବସ୍ଥା ସେମାନଙ୍କର ସହଜରେ ଧାରଣା ହୁଏ ନାହିଁ । ରକ୍ଷଣଶୀଳ ଶିଳ୍ପୀ ଜାତୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଦୃଷ୍ଟି ସଂକୁଚିତ କରି ସୌନ୍ଦର୍ଯ୍ୟର ମହତ୍ତ୍ୱ ନଷ୍ଟ କରେ । କଳାର ପ୍ରକୃତ ବିଭବ ସତ୍ୟ ଓ ସୌନ୍ଦର୍ଯ୍ୟ ଉପରେ ସଂରକ୍ଷିତ । ଏପରି ଅବସ୍ଥାରେ ସମଗ୍ର ଜଗତ୍‌ ସମକ୍ଷରେ କବି ଓ ଶିଳ୍ପୀର କିଛି ନିଜସ୍ୱ କରି ରଖିବାର ଜିନିଷ ନାହିଁ । ସେମାନଙ୍କର ସମସ୍ତ ଆହରଣ ସମୂହ ମାନବଜାତିର ଉପଭୋଗ ପାଇଁ । ଅବଶ୍ୟ ଭିନ୍ନ ଭିନ୍ନ ଦେଶରେ ଯୁଗର ପ୍ରଭାବାନୁଯାୟୀ କାବ୍ୟ ଓ ଶିଳ୍ପ ରଚନା-ପ୍ରଣାଳୀରେ ପାର୍ଥକ୍ୟ ଦେଖାଯାଏ, ଯଦ୍ଦ୍ୱାରା ସଭ୍ୟତାର ପରିମାଣ ସ୍ଥିର କରାଯାଇପାରେ । ପ୍ରାଚୀନତା ପ୍ରତି ଦୃଷ୍ଟି ରଖି ସଂକୀର୍ଣ୍ଣ ହେବା କଳାବିତ୍‌ ପକ୍ଷରେ ଶୋଭନୀୟ ନୁହେଁ । କଳାର ବିକାଶ ପାଇଁ କୌଣସି ପ୍ରତିଷ୍ଠିତ ନିୟମର ଅଙ୍ଗହାନି ହୁଏ ନାହିଁ । ସତ୍ୟ ଓ ସୌନ୍ଦର୍ଯ୍ୟର ଅନୁସରଣରେ ନୂତନ ପଥ ଆବିଷ୍କାର କଲେ ପରିବର୍ତ୍ତନପ୍ରୟାସୀ ମନୁଷ୍ୟ କିଛି ଦିନ ସେହି ନବାବିଷ୍କୃତ ପଥରେ ଅଗ୍ରସର ହୁଏ । ନବ୍ୟପ୍ରବର୍ତ୍ତକର କ୍ରିୟାରେ ପ୍ରାଣର ଉନ୍ମେଷ ସ୍ପଷ୍ଟ ପ୍ରତିଭାତ ହେଲେ ସମସ୍ତ ମନୁଷ୍ୟ-ଜାତି ଗୋଟାଏ ଉଦ୍ଦାମ ପ୍ରେରଣାରେ ମାତି ଉଠନ୍ତି । ସେ ଜଗଦ୍‌ବାସୀଙ୍କଠାରୁ କିଛି ପ୍ରତିଦାନ ପାଇବା ପାଇଁ ଆଶା କରେ ନାହିଁ । ନିଜକୁ ପ୍ରକାଶ କରିବାରେ ସେ ସୁଖ ଅନୁଭବ କରିଥାଏ । ଅନ୍ତରର ନିଭୃତ ଭାବନା ଖେଳି ପାରିଲେ ଆତ୍ମତୃପ୍ତି ପକ୍ଷରେ କୌଣସି ବାଧା ଆସେ ନାହିଁ । ବିଶ୍ୱବନ୍ଦନୀୟ କବି ଓ ଶିଳ୍ପୀ ସ୍ୱାର୍ଥ ଆଶାରେ ପ୍ରଣୋଦିତ ହୁଅନ୍ତି ନାହିଁ-। ଉନ୍ମୁକ୍ତ ହୃଦୟର ମୁକ୍ତ ପ୍ରକାଶ କରିବା ସେମାନଙ୍କର ପ୍ରଧାନ ଉଦ୍ଦେଶ୍ୟ ।

 

ନୂତନ ମାର୍ଗ ଅନୁସରଣ କରି ସ୍ୱତନ୍ତ୍ର ରୁଚି ଓ କଳା-ବୈଚିତ୍ର୍ୟର ସୂଚନା ଦେବା ଅତ୍ୟଳ୍ପ ଲୋକଙ୍କ ଭାଗ୍ୟରେ ଘଟିଥାଏ । ଯେଉଁମାନେ ଏ ଦିଗରେ ଅଗ୍ରସର ହୁଅନ୍ତି, ସେମାନେ ପ୍ରତି ପଦରେ ବାଧା ପାଆନ୍ତି । ଅନେକେ ସେମାନଙ୍କର ଅନୁସୃତ ମାର୍ଗକୁ ତୁଚ୍ଛ ବୋଧ କରନ୍ତି । ପ୍ରତ୍ୟେକ ନୂତନପନ୍ଥୀ ସମାଲୋଚନାର ମାନଦଣ୍ଡରେ ପରିମିତ ହୁଅନ୍ତି । ସମୟ ବିଶେଷରେ ଭୀଷଣ ସଙ୍ଘର୍ଷ ତାଙ୍କ ସ୍ୱାଧୀନତା ନଷ୍ଟ କରିବାକୁ ପ୍ରବଳ ଚେଷ୍ଟା କରିପାରେ; କିନ୍ତୁ ସମସ୍ତ କଠିନ ପରୀକ୍ଷାରୁ ଉତ୍ତୀର୍ଣ୍ଣ ହେଲେ ତାଙ୍କର କୃତିତ୍ୱ ଜଣାପଡ଼େ । ପୁରାତନ ଉପରେ ନୂତନତ୍ୱ ପ୍ରକାଶ କଳାର ବୈଷମ୍ୟ ଓ ଅଗ୍ରଗତିର ପରିଚାୟକ । ରୁଦ୍ଧଭାବ ତାର ଉନ୍ନତି-ପ୍ରତିରୋଧକ । ଅନୁକରଣ କ୍ରିୟା କଳାର ସ୍ୱାଧୀନ ଅବସ୍ଥା ଦେଖାଇପାରେ ନାହିଁ । ଜୀବନର ଗତି ସଙ୍ଗେ ସଙ୍ଗେ ରୁଚିର ପରିବର୍ତ୍ତନ ଲାଗିରହିଛି । ସେଥିପ୍ରତି ଲକ୍ଷ୍ୟହୀନ ହେବା କଳାବିତ୍‌ର ସଂକୁଚିତ ଦୃଷ୍ଟିର ପ୍ରମାଣ ଦିଏ-। ଯେଉଁମାନେ ପ୍ରାଚୀନ କଳାରେ ପୂର୍ଣ୍ଣତା ଦେଖନ୍ତି, ସେମାନଙ୍କୁ ଭ୍ରାନ୍ତ ବୋଲି ଅନୁମାନ କରାଯାଏ; କାରଣ କଳାର ପୂର୍ଣ୍ଣ-ବିକାଶ ଆଣିବା ମନୁଷ୍ୟ ପକ୍ଷରେ ସମ୍ଭବପର ନୁହେଁ, କେବଳ ପୂର୍ଣ୍ଣତା ଦିଗରେ ଗତି କରାଯାଇପାରେ । କୌଣସି ପଦାର୍ଥରେ କଳାର ପୂର୍ଣ୍ଣବିକାଶ ଦେଖିବାଦ୍ୱାରା ଦ୍ରଷ୍ଟାର ପ୍ରତୀଭା ପରାଜୟ ସ୍ୱୀକାର କରେ । ଅତୀତ ଓ ବର୍ତ୍ତମାନ ମଧ୍ୟରେ କଳାର କ୍ରମୋନ୍ନତି ଯେଉଁ ବ୍ୟବଧାନ ଆଣେ, ତାହା ସଭ୍ୟତା ପରିମାପର ଗୋଟିଏ ପ୍ରଧାନ ନିଦର୍ଶନ । ନୂତନ ପନ୍ଥାରେ ରକ୍ଷଣଶୀଳମାନଙ୍କର ସୀମା ଅତିକ୍ରମ କଲାବେଳେ ଯେଉଁ ସୂକ୍ଷ୍ମ ବିଚାରର ଆଶ୍ରୟ କରାଯାଏ, ତଦ୍ଦ୍ୱାରା କଳାର ସମ୍ୟକ୍‌ ଉନ୍ନତି ସାଧିତ ହୁଏ ।

 

ସ୍ୱପ୍ନରଚିତ ନିସର୍ଗ ପୁରୀରେ ସୌନ୍ଦର୍ଯ୍ୟର ଉପାଦାନଗୁଡ଼ିକ ଅଲକ୍ଷିତରେ ଥାଏ । କଳାବିତ୍‌ ସେ ପୁରୀର ଦ୍ୱାର ଉନ୍ମୋଚନ କରି ସୁଷମାର ଧାରା ବୁହାଇଦିଏ । ତାର ଏହି କାର୍ଯ୍ୟରେ ସ୍ୱାର୍ଥ-ସଂଶ୍ଳିଷ୍ଟ ପାର୍ଥକ୍ୟ ଉପଲକ୍ଷିତ ହେବା ବାଞ୍ଛନୀୟ ନୁହେଁ । ଜନ୍ମଭୂମିରୁ ତାର ପ୍ରଥମ ପ୍ରେରଣା ମିଳିପାରେ । ସୁନୀଳ ଆକାଶରେ ଚାତକ ସୁସ୍ୱରରେ ଗାନ ଗାଇ ଉପରକୁ ଉଠିଯାଏ । ଅନନ୍ତ ନୀଳିମା ସଙ୍ଗେ ମିଶିଯାଇ ସୌନ୍ଦର୍ଯ୍ୟମଦିରା ପାନ କରିବା ତାର ପ୍ରାଣର ଆକାଙ୍କ୍ଷା; ତଥାପି ନିଜର ସାମାନ୍ୟ ନୀଡ଼ଟି ମାୟାର ବନ୍ଧନରେ ତାକୁ ପୁଣି ପୃଥିବୀକୁ ଟାଣିଆଣେ । କବି, ଚିତ୍ରକର କିମ୍ବା ଶିଳ୍ପୀ କଳ୍ପନାବିମାନରେ ଯେତେ ଦୂରକୁ ଯାଆନ୍ତୁ, ସୌନ୍ଦର୍ଯ୍ୟର ଉପାଦାନ ଯେ କୌଣସିଠାରୁ ଗ୍ରହଣ କରନ୍ତୁ, ପ୍ରେମରସରେ ସମସ୍ତ ଜଗତ୍‌କୁ ଭସାଇ ଦିଅନ୍ତୁ; ତଥାପି ଜନ୍ମଭୂମିର ମଧୁମୟ ସ୍ମୃତି ସର୍ବଦା ସେମାନଙ୍କ ହୃଦୟରେ ଗୋଟିଏ ପବିତ୍ର ସ୍ଥାନ ଅଧିକାର କରିବ । ଆଜୀବନ ସେହି ସ୍ମୃତିଟି ଚାତକର ନୀଡ଼ ପରି ତାଙ୍କୁ ଗୋଟାଏ ଆକର୍ଷଣରେ ଟାଣିରଖେ । ଆକାଶର ଅନ୍ତ ନାହିଁ, ସୌନ୍ଦର୍ଯ୍ୟର ସୀମା ନାହିଁ ଓ ସତ୍ୟର ବିନାଶ ନାହିଁ । ଏମାନଙ୍କର ପୂର୍ଣ୍ଣ ମହତ୍ତ୍ୱ ପ୍ରକାଶ କରିବା ଭାଷା, ଚିତ୍ର କିମ୍ବା ଶିଳ୍ପ ପକ୍ଷରେ ସମ୍ଭବପର ନୁହେଁ ।

•••

 

ଶକ୍ତିର ବିକାଶ

ସୃଷ୍ଟିର ଅସୀମ କୌଶଳ ମଧ୍ୟରେ ପ୍ରବାହିତ ସଞ୍ଜୀବନୀ ଧାରାକୁ ବିଶ୍ୱକର୍ତ୍ତାଙ୍କ ଅନନ୍ତ ଶକ୍ତିର ପୂର୍ଣ୍ଣ କିମ୍ବା ଆଂଶିକ ବିକାଶ ବୋଲି ଧରା ଯାଇପାରେ । ସାଧାରଣ ଚକ୍ଷୁରେ ଭିନ୍ନ ଭିନ୍ନ କ୍ରିୟା ଓ ଘଟଣାମାନଙ୍କରୁ ଶକ୍ତିବୈଷମ୍ୟ ଦେଖାଯାଏ । ସୂର୍ଯ୍ୟାଲୋକରେ ସମସ୍ତ ଜଗତ ଆଲୋକିତ ହୁଏ । ଚନ୍ଦ୍ରଜ୍ୟୋତ୍ସ୍ନାଠାରୁ ସାମାନ୍ୟ ଦୀପଶିଖା ପର୍ଯ୍ୟନ୍ତ ସୂର୍ଯ୍ୟ ସମସ୍ତଙ୍କର ପ୍ରକାଶକ । ଯଦି ଯାବତୀୟ ଦାହିକା ଶକ୍ତିର ପ୍ରବର୍ତ୍ତକ ସୂର୍ଯ୍ୟଙ୍କୁ ମୁହୂର୍ତ୍ତକ ପାଇଁ ବିଶ୍ୱରୁ ଅନ୍ତର କରାଯାଏ, ତାହାହେଲେ ପ୍ରଳୟ ଅବଶ୍ୟମ୍ଭାବୀ । ଆଲୋକ, ଜଳ, ବାୟୁ ପ୍ରଭୃତି ଭିନ୍ନ ଭାବରେ ପ୍ରତୀୟମାନ ହେଲେ ସୁଦ୍ଧା ସେମାନେ ଏକ ଶକ୍ତିର ପରିଚାୟକ ଓ ଅନନ୍ତ କାଳ ବିରାଜିତ । ପ୍ରକୃତିକୁ ସ୍ୱୀକାର କରି ତାର ନିୟାମକକୁ ବାଦ୍‌ ଦିଆ ଯାଇ ନ ପାରେ । କାର୍ଯ୍ୟ ଓ କାରଣର ସମ୍ବନ୍ଧ ପରି ପ୍ରକୃତି ଓ ପୁରୁଷଙ୍କ ସମ୍ପର୍କ ଅପରିଚ୍ଛେଦ୍ୟ ।

 

ଜୀବ ଶରୀର କିମ୍ବା ବସ୍ତୁ-ନିର୍ମାଣରେ ପଞ୍ଚଭୂତ ବିଦ୍ୟମାନ । ଏମାନଙ୍କୁ ଛାଡ଼ି ପ୍ରକୃତିର ଭିନ୍ନତା ସ୍ୱୀକାର କରିବା କଠିନ । ସେଥିଯୋଗୁଁ ଜ୍ଞାନୀମାନେ ଅନ୍ତର୍ଯ୍ୟାମୀ ପୁରୁଷଙ୍କ ସତ୍ତା ଧୂଳିକଣାରେ ସୁଦ୍ଧା ଦେଖିପାରନ୍ତି । ଅନନ୍ତଶକ୍ତି-ପ୍ରବାହ ସର୍ବଦା ଉନ୍ମୁକ୍ତ । ଅଗଣିତ ଆଶ୍ରୟରେ ସଂଯୁକ୍ତ ଥାଇ ଏକତ୍ୱ ପ୍ରତିପାଦନ କରିବା ଏହାର ବିଶିଷ୍ଟତା । ପ୍ରକୃତିର କ୍ରିୟା ଅନୁଧ୍ୟାନ କରିବାର ଶକ୍ତି ମନୁଷ୍ୟ-ହୃଦୟରେ ନିହିତ ଥାଏ । ଯେ ପରିମାଣରେ ସେ ସେଥିରେ ମନୋନିବେଶ କରେ, ତଦନୁଯାୟୀ ଶକ୍ତିର ବିକାଶ ହୁଏ । ପ୍ରାଚୀନ ହିନ୍ଦୁମାନେ ଶକ୍ତିର ମାହାତ୍ମ୍ୟ ଉପଲବ୍‌ଧି କରି ଦଶଭୂଜାଙ୍କ ପୂଜା ସୃଷ୍ଟି କରିଥିଲେ । ଜୀବର ଉନ୍ନତିପକ୍ଷରେ ପ୍ରବୃତ୍ତିମାନେ ଅନ୍ତରାୟ । ଉପଯୁକ୍ତ ଶକ୍ତିର ଅଧିକାର ନ ଜନ୍ମିଲେ ମନୁଷ୍ୟ ଜୀବଭାବ ଲୋପ କରି ଅଗ୍ରସର ହୋଇପାରେ ନାହିଁ । କୁପ୍ରବୃତ୍ତିମାନଙ୍କୁ ଛେଦନ କରିବା ପାଇଁ ଐଶୀ ଶକ୍ତିକୁ ହିନ୍ଦୁମାନେ ଦେବୀରୂପରେ ଆରାଧନା କରନ୍ତି-। ପ୍ରକୃତିର କ୍ରିୟାକୁ ପ୍ରକୃତି ଲୋପ କରେ । ଜନନୀ-କ୍ରୋଡ଼ ସନ୍ତାନର ଆନନ୍ଦ ଓ ସୁଖର ସ୍ଥାନ । ବିଶ୍ୱପ୍ରକୃତିର କ୍ରୋଡ଼ରେ ମାନବ-ଶିଶୁ ଶାୟିତ ହୋଇ ଯେତେବେଳେ ନିଜକୁ ଅନନ୍ତ ସ୍ରୋତ ସଙ୍ଗେ ମିଶାଇଦିଏ, ସେତେବେଳେ ତାର ସବୁ ଦୁଃଖ ଓ ଯନ୍ତ୍ରଣା ଚାଲିଯାଏ । ବ୍ୟଥିତ ହୃଦୟର କାତର କ୍ରନ୍ଦନରେ ଜନ୍ମଦାତ୍ରୀ ପରି ଦ୍ରବୀଭୂତ ହେବା ଅନ୍ୟ ପକ୍ଷରେ ସମ୍ଭବପର ନୁହେଁ । ଶିଶୁକୁ ସ୍ତନ୍ୟପାନ କରାଇ ବଳଶାଳୀ କରାଇବା ତାର କର୍ତ୍ତବ୍ୟ । ସନ୍ତାନର ଶକ୍ତି ଓ ସୁଖ ଯଦି ମାତାଠାରେ ନିହିତ, ତାହା ହେଲେ ମାତୃଶକ୍ତିକୁ ଅବହେଳା କରିବା କଅଣ ତାର କର୍ତ୍ତବ୍ୟ ?

 

ମାତାଠାରୁ ବିଚ୍ଛିନ୍ନ ସନ୍ତାନର ତିଷ୍ଠିବା ଯେପରି କଷ୍ଟକର, ସେହିପରି ଅନନ୍ତ ଶକ୍ତି ସହିତ ସମ୍ପର୍କହୀନ ମାନବ-ଜୀବନ ଅସାର୍ଥକ । ଶକ୍ତିବିସ୍ତାର କରିବା ପାଇଁ ମନୁଷ୍ୟ ବୃଥାରେ ନାନା ପାର୍ଥିବ କ୍ରିୟାରେ ବ୍ୟସ୍ତ ରହେ । ପର୍ବତ ଶିଖର ଆରୋହଣ କରିବା ସ୍ଥଳେ ସେ ଉପତ୍ୟକାରେ ବିଚରଣ କରେ । ଶାରୀରିକ ଶକ୍ତିବିକାଶ ତାର ଲକ୍ଷ୍ୟ ନୁହେଁ । ଅସାଧାରଣ ଶକ୍ତିର ପରିଚୟ ଦେଇ ଯେଉଁମାନେ ଜଗତରେ ବିସ୍ମୟ ଜନ୍ମାନ୍ତି, ସେମାନେ ଅଧ୍ୟାତ୍ମ ଶକ୍ତିରେ ବଳିୟାନ୍ । ଅରଣ୍ୟର ହିଂସ୍ର ପଶୁମାନେ ବୁଦ୍ଧିବଳରେ ମନୁଷ୍ୟର ଅଧୀନତା ସ୍ୱୀକାର କରନ୍ତି । ଶାରୀରିକ ବଳପ୍ରୟୋଗରେ ଯାହା ସାଧନ କରାଯାଇପାରେ ନାହିଁ, ଅଧ୍ୟାସ୍ୱ-ଶକ୍ତି ସାହାଯ୍ୟରେ ତା ଅପେକ୍ଷା ସହସ୍ର ଗୁଣ କାର୍ଯ୍ୟ ଅକ୍ଳେଶରେ ସମ୍ପାଦିତ ହୋଇପାରେ । ପୃଥିବୀରେ ଯେତେ ଅଲୌକିକ କାର୍ଯ୍ୟ ହୋଇଯାଇଛି, ସେ ସବୁର ପୁନଃପ୍ରକାଶ ହୋଇପାରେ । କେବଳ ଶକ୍ତି ଆବଶ୍ୟକ । ସମୟର କିଛି ମାତ୍ର ପରିବର୍ତ୍ତନ ଘଟି ନାହିଁ । ଯଦି ଅବନତି ଘଟିଥାଏ, ତାହା ମନୁଷ୍ୟ ସ୍ୱଭାବ-ଜନିତ ବୋଲି କୁହାଯାଇପାରେ । ମନକୁ ବିଷୟମାର୍ଗରେ ସର୍ବଦା ଚାଳିତ କଲେ ଅସାଧାରଣ ଶକ୍ତିର ଅଧିକାର ଲାଭ ହୁଏ ନାହିଁ । ଯେ ପରିମାଣରେ ଅନନ୍ତ-ଶକ୍ତି ସହିତ ଆତ୍ମଶକ୍ତିର ସମ୍ବନ୍ଧ ସ୍ଥାପିତ ହୁଏ, ସେହି ପରିମାଣରେ ବାହ୍ୟ ଶକ୍ତିର ସାଧନକ୍ରିୟା ଜଣାପଡ଼େ । ଜଣକ ପକ୍ଷରେ ଯେଉଁ କାର୍ଯ୍ୟସାଧନ ସମ୍ଭବ ହୋଇଥିଲା, ଅନ୍ୟ ପକ୍ଷରେ କାହିଁକି ତାହା ଆଜି ଅସମ୍ଭବ ବୋଧ ହେବ ? କାଳକ୍ରମେ ନିମ୍ନରୁ ଉଚ୍ଚକୁ ଉତ୍ତରୋତ୍ତର ଗତି କରିବା ସଙ୍ଗେସଙ୍ଗେ ଗତ ଯୁଗମାନଙ୍କର ବିସ୍ମୟକର କାର୍ଯ୍ୟ ସହଜସାଧ୍ୟ ହୋଇପାରେ । ଐଶୀ-ଶକ୍ତି-ସମ୍ପନ୍ନ ବ୍ୟକ୍ତି ସବୁକାଳରେ ଅସାଧାରଣ କାର୍ଯ୍ୟ କରିବାକୁ ସମର୍ଥ ହୋଇଥାଏ । ପ୍ରତ୍ୟେକ ମନୁଷ୍ୟ ଗୋଟିଏ ପ୍ରାକୃତିକ ନିୟମର ଅଧୀନ । କେବଳ ଉତ୍କର୍ଷ ଓ ଅପକର୍ଷ ଘେନି ଜଣେ ଜଣକଠାରୁ ଉଚ୍ଚ କିମ୍ବା ନୀଚ ବିବେଚିତ ହୁଏ ।

 

ଯେ ମୁହୂର୍ତ୍ତରେ ମନୁଷ୍ୟର ଆତ୍ମବୋଧ ହୁଏ ଏବଂ ସେ ଦୃଢ଼ତାର ସହିତ କୌଣସି ମହତ୍‌ କାର୍ଯ୍ୟରେ ପ୍ରୟାସୀ ହୁଏ, ସେହି ମୁହୂର୍ତ୍ତରୁ ସବୁ ବାଧା ଓ ଭୟ ତା ସମ୍ମୁଖରୁ ଅପସାରିତ ହୋଇ ଜୀବନର ଅମୃତତ୍ୱ ଉପଲବ୍‌ଧ ହୁଏ । ଅନନ୍ତର ଅଂଶ ହୋଇ ସ୍ୱକୃତ କ୍ଷୁଦ୍ର ସୀମା ମଧ୍ୟରେ ଆବଦ୍ଧ ରହିବାଦ୍ୱାରା ହିଁ ମନୁଷ୍ୟର ସ୍ୱାଭାବିକ ଶକ୍ତିର ଅପଚୟ ଘଟେ ।

 

ଏହି ସୀମା ଲଙ୍ଘନ କରିବା ମନୁଷ୍ୟର ସାଧନା ଉପରେ ନିର୍ଭର କରେ । ପାରିପାର୍ଶ୍ୱିକ ଅବସ୍ଥାମାନଙ୍କଦ୍ୱାରା ମନୁଷ୍ୟ ପ୍ରଭାବିତ ନ ହୋଇ ତାର ସ୍ୱାଧୀନ ଭାବାନୁଯାୟୀ କାର୍ଯ୍ୟରେ ପ୍ରବୃତ୍ତ ହେଲେ ହୃଦୟରେ ସଂକୀର୍ଣ୍ଣତା ପ୍ରବେଶ କରିପାରେ ନାହିଁ । ଅନୁକୂଳ ଅବସ୍ଥା ସୃଷ୍ଟି କରିବା ଉନ୍ନତିକାମୀର ପ୍ରଧାନ କର୍ତ୍ତବ୍ୟ । ବଂଶପରମ୍ପରାଗତ ରୀତିନୀତି ଯଦି ପ୍ରଶସ୍ତ ବୋଧ ନ ହୁଏ କିମ୍ବା ଶକ୍ତିବିକାଶରେ ଅଯଥା ବାଧା ଘଟାଏ, ତାହା ହେଲେ ସେଗୁଡ଼ିକୁ ବାଦ୍‌ ଦିଆଯାଇପାରେ । ଅନେକେ ନିଜ ଉପରେ ବିଶ୍ୱାସ ନ କରି ଅପର କଥାରେ ସର୍ବଦା ଚାଳିତ ହୁଅନ୍ତି । ଜଗତରେ ଯଦି କିଛି ସାଧନ କରିବାର ଲକ୍ଷ୍ୟ ଥାଏ, ତାହା ହେଲେ କାହାରି ମତ ଉପରେ ନିର୍ଭର କରି ନିଜର ସ୍ୱତନ୍ତ୍ରତା ହରାଇବା ଉଚିତ ନୁହେଁ । ସାଧାରଣ ମନୁଷ୍ୟକୃତ ବିଧାନରେ ଭ୍ରମ ଥାଏ ବୋଲି ଆତ୍ମଦର୍ଶୀମାନଙ୍କର ଅନୁସୃତ ମାର୍ଗାବଲମ୍ବନବିଧି ସର୍ବତ୍ର ପ୍ରଶଂସନୀୟ । ବଂଶଗତ କୁପ୍ରଥାରେ ଗଠିତ ଜୀବନ ଅଭିଶପ୍ତ ବୋଧ ହୋଇପାରେ; କିନ୍ତୁ ଚିନ୍ମୟ ଶକ୍ତିରେ ସଂଯୁକ୍ତ ଆତ୍ମଶକ୍ତିକୁ ରୋଧ କରିବାର ଏହା ଗୋଟିଏ ଛଳନା ମାତ୍ର । ମନୁଷ୍ୟର ସ୍ୱଭାବଗତ ଦୋଷ ଥାଇପାରେ । ସେଥିପ୍ରତି ଭ୍ରୁକ୍ଷେପ ନ କରି ଭଗବତ୍‌ କୃପାରେ ନିର୍ଭର କରି କ୍ରମଶଃ ଅଗ୍ରସର ହେବା ଉଚିତ । ସନ୍ଦିହାନ ହୋଇ ନୀରବ ରହିବା ଲୋକର ଜୀବନରେ ମଙ୍ଗଳ ହୁଏ ନାହିଁ ।

 

ସ୍ୱାଧୀନ ଭାବ ଶକ୍ତିପ୍ରକାଶର ଉତ୍କୃଷ୍ଟ ଉପାୟ । କୌଣସି ଧାରଣା କିମ୍ବା ଭିତ୍ତିହୀନ ଲୌକିକ ମତରୁ ଯେଉଁ ପ୍ରେରଣା ମିଳେ, ତାହା ମୌଳିକତା ଅଭାବରୁ ମନୁଷ୍ୟର ସ୍ୱାଧୀନ ଗତିକୁ ରୋଧକରେ । ନିଜକୁ ପ୍ରତିଷ୍ଠା ଲାଭ କରିବାକୁ ହେଲେ ଗଡ୍ଡଳିକା ପ୍ରବାହରେ ଯୋଗ ନ ଦେଇ କର୍ତ୍ତବ୍ୟ ସ୍ଥିର କରିବା ଉଚିତ । କେବଳ ଲୋକମତରେ ଚାଳିତ ହେଲେ ଆତ୍ମସମ୍ମାନ ରକ୍ଷା ପକ୍ଷରେ ଅଧିକାଂଶ ସମୟରେ ବାଧା ଜନ୍ମିପାରେ । ଆଦର୍ଶକର୍ମୀ ଆତ୍ମବଳ ପ୍ରଭାବରେ ଭ୍ରମାତ୍ମକ ଜନମତକୁ ଉପେକ୍ଷା କରି ନିଜର ସ୍ୱାତନ୍ତ୍ର୍ୟ ସର୍ବଦା ବଜାୟ ରଖେ ଓ ତଦ୍ଦ୍ୱାରା ସମାଜରେ ଗୋଟିଏ ନୂତନତ୍ୱ ଫୁଟିଉଠେ ।

 

ଭଗବତ୍‌ ଶକ୍ତି ନିକଟରେ ଆତ୍ମସମର୍ପଣ କଲା ପରେ ଯେଉଁ ଶକ୍ତି ସଞ୍ଚାରିତ ହୁଏ, ତାହା ଜୀବନକୁ ସମ୍ପୂର୍ଣ୍ଣରୂପେ ପରିବର୍ତ୍ତିତ କରିଦିଏ ଓ ନିନ୍ଦା କିମ୍ବା ପ୍ରଶଂସାରେ ମନୁଷ୍ୟ ମନର ସ୍ଥିରତା ନଷ୍ଟ କରେ ନାହିଁ । ଲୋକମାନଙ୍କର ତୁଷ୍ଟିସାଧନକୁ ଲକ୍ଷ୍ୟ ରଖି କର୍ମମାର୍ଗକୁ ନିୟନ୍ତ୍ରିତ କଲେ ପ୍ରକୃତ ଶକ୍ତିର ବିକାଶ ହୁଏ ନାହିଁ । ସାଧାରଣ ଅସଂଯତ ହୃଦୟମାନଙ୍କରେ ଆନନ୍ଦ ଜନ୍ମାଇ ପ୍ରଶଂସାଭାଜନ ହେବାଦ୍ୱାରା ଗୋଟିଏ ବୁଭୁକ୍ଷିତା ଶକ୍ତି ନିକଟରେ ନିଜତ୍ୱ ହରାଇବାକୁ ପଡ଼େ । ଅସ୍ଥାୟୀ ସମ୍ବନ୍ଧରେ ମୁଗ୍‌ଧ ହୋଇ ଯେଉଁ ମାର୍ଗ ଅନୁସରଣ କରାଯାଏ, ତାହା ଦୁର୍ବଳତାପୂର୍ଣ୍ଣ । ଏହି ଦୁର୍ବଳତା ଉପଲବ୍‌ଧି କରିବା ଲୋକ ସଂସାରର ମାୟା ଦୂର କରି ମାନବ ଜାତିକୁ ଉନ୍ନତ ଆଦର୍ଶରେ ଗଢ଼ିବାକୁ ସର୍ବଦା ଚେଷ୍ଟିତ । ତାଙ୍କ ଶକ୍ତି ଗୋଟାଏ ନିର୍ଦ୍ଦିଷ୍ଟ କ୍ଷୁଦ୍ର ସୀମା ମଧ୍ୟରେ ନ ଥାଏ । ଏହା କାମନାଶୂନ୍ୟ ଉନ୍ମୁକ୍ତ ହୃଦୟର ବିଶେଷତ୍ୱ । ଆତ୍ମଜ୍ଞାନୀ ଲୋକଚକ୍ଷୁରେ କିଛି କାର୍ଯ୍ୟ କଲା ପରି ଜଣାଯାଏ ନାହିଁ । ଅନନ୍ତ ଶକ୍ତି ସହିତ ତାଙ୍କର ଦୃଢ଼ ସମ୍ବନ୍ଧ ହେତୁ ସାଂସାରିକ ଦାୟିତ୍ୱ ଜ୍ଞାନ ତାଙ୍କ ନିକଟରେ ତୁଚ୍ଛ ବୋଧ ହେବା ସ୍ୱାଭାବିକ । କୋଟି କୋଟି ବ୍ରହ୍ମାଣ୍ଡର ସ୍ଥିତି ଓ ପ୍ରଳୟ ଯେଉଁ ମହତ୍ ନିୟମର ଅଧୀନ, ଅସ୍ଥାୟୀ ସାଂସାରିକ ବିଷୟର ସତ୍ତା ସେଠାରେ ଉପସ୍ଥାପିତ କରିବା କ୍ଷୁଦ୍ର ସଂସାରୀ ପକ୍ଷରେ ସମ୍ଭବ । ବର୍ହିଜଗତ ପ୍ରକାଶିକା ଶକ୍ତି ସହିତ ମାନବର ଅନ୍ତର୍ନିହିତ ଶକ୍ତି ସଂଯୁକ୍ତ ହେଲେ ଆତ୍ମବୋଧ ହୋଇପାରେ ।

 

ଚିତ୍ରକର ପ୍ରାକୃତିକ ଶୋଭା ସନ୍ଦର୍ଶନରେ ନିଜର ବ୍ୟକ୍ତିତ୍ୱ ଭୁଲି ଯାଇ ଭାବାବେଶରେ ତୂଳିକା ସାହାଯ୍ୟରେ ଯେଉଁ ପ୍ରାଣସ୍ପର୍ଶୀ ଛବି ଆଙ୍କିଦିଏ, ତାହା ତାର ଆନନ୍ଦ ଅନୁଭୂତିରେ ପରିଚୟ ଦିଏ ।

 

ଭାବନାର ଗତି ଉଚ୍ଛ୍ୱାସରେ ପରିଣତ ହେଲେ ଭାଷା ସ୍ୱତଃ ପ୍ରକାଶିତ ହୁଏ । ବାଣବିଦ୍ଧ କ୍ରୌଞ୍ଚର ମୃତ୍ୟୁଯନ୍ତ୍ରଣା ଅମର କବି ବାଲ୍ମୀକିଙ୍କ ହୃଦୟକୁ ଦ୍ରବୀଭୂତ କରି ତାଙ୍କ ମୁଖରୁ ଯେଉଁ ଅମର କବିତା ନିଃସୃତ କରାଇଥିଲା, ତାହା ସାଧାରଣ କବିର ପଦଯୋଜନା ନୁହେଁ । ଅପାର୍ଥିବ ଶକ୍ତି ଋଷିଙ୍କର ଚିତ୍ତଜଗତରେ ମହା ପରିବର୍ତ୍ତନ ଆଣିଥିଲା ଏବଂ ତାହାରି ପ୍ରଭାବରେ ସେ ଅମୃତ ରାଗିଣୀର ସୂଚନା ଦେଲେ ।

 

ମନୁଷ୍ୟ ମାତ୍ରେ ଏହି ଶକ୍ତିର ଅଧିକାରୀ; କିନ୍ତୁ ସେପରି ଅସାଧାରଣ ପବିତ୍ରତା ଥିବା ଆବଶ୍ୟକ । ମନୁଷ୍ୟ ହୃଦୟ ପଶୁତ୍ୱ ଓ ଦେବତ୍ୱରେ ଗଠିତ । ଏକର ଉତ୍କର୍ଷରେ ଅପରର ଅପକର୍ଷ ହୁଏ । ପଶୁଭାବ ପ୍ରବଳ ହେଲେ ଇନ୍ଦ୍ରିୟତୃପ୍ତିରେ ମନ ଅବଶ ହୋଇପଡ଼େ । ମନୁଷ୍ୟତ୍ୱ ପ୍ରକାଶ ସୁଦ୍ଧା ସମ୍ଭବ ହୁଏ ନାହିଁ ।

 

ଜାତୀୟ ଜୀବନର ଉଦ୍‌ବୋଧିନୀ ଶକ୍ତି ଗରିମାମୟ ଐତିହାସିକ ଘଟଣାମାନଙ୍କରୁ ସଂଗୃହୀତ ହୋଇଥାଏ । ବୀରରକ୍ତରେ ରଞ୍ଜିତ ସମରକ୍ଷେତ୍ର ସ୍ୱର୍ଗର ଦ୍ୱାର ବୋଲି ମନୀଷୀମାନେ ନିର୍ଦ୍ଦେଶ କରିଅଛନ୍ତି । ତ୍ୟାଗ ସବୁ ସମୟରେ ମନୁଷ୍ୟକୁ ଉନ୍ନତି ମାର୍ଗରେ ଅଗ୍ରସର କରାଇଥାଏ । ଦେଶ ଓ ଜାତିର ମଙ୍ଗଳ ଉଦ୍ଦେଶ୍ୟରେ ଉତ୍ସୃଷ୍ଟ ଶରୀର ମନୁଷ୍ୟର ଶ୍ରେଷ୍ଠ ଦାନ । ପୃଥିବୀର ସଭ୍ୟତମ ଜାତିମାନେ ଏହା ବହୁବାର ପ୍ରମାଣ କରିଛନ୍ତି । ସଭ୍ୟତାର ଉନ୍ନତ ଶିଖର ପଶୁବିଚରଣ କରିବାର ସ୍ଥଳ ନୁହେଁ । ଆଦର୍ଶ ସମାଜନୀତି କିମ୍ବା ରାଜନୀତି ଧର୍ମ ଉପରେ ପ୍ରତିଷ୍ଠିତ । ଅତ୍ୟାଚାରକୁ ପ୍ରଶ୍ରୟ ଦେବାଦ୍ୱାରା ଧର୍ମ ଓ ସଭ୍ୟତାର ଭିତ୍ତି ଦୁର୍ବଳ ହୁଏ; ପଶୁବଳ ପୃଥିବୀକୁ ଅଧିକାର କରିବାକୁ ଚେଷ୍ଟା କରେ । ତାହା ଐଶ୍ୱର୍ଯ୍ୟ ମଦରେ ମତ୍ତ ହୋଇ ନାନା ବିଶୃଙ୍ଖଳା ଜାତ କରାଏ; କିନ୍ତୁ କାଳକ୍ରମେ ତାହାର ବିପୁଳ ଐଶ୍ୱର୍ଯ୍ୟ କ୍ଷୀଣ ହୁଏ ଏବଂ ସେ ତାର ସମ୍ମାନ ଓ ପ୍ରତିଷ୍ଠା ଚିରକାଳ ପାଇଁ ହରାଇ ବସେ ।

 

ଜାତୀୟ ଜୀବନ ଗଠନରେ ଯେଉଁ ଶକ୍ତି ଆବଶ୍ୟକ ହୁଏ, ତାହା କୌଣସି ମହତ୍‌ ବ୍ୟକ୍ତିଙ୍କ ଜୀବନରୁ ଆଭାସ ମିଳିବା ଅସମ୍ଭବ ନୁହେଁ । ଜଣକର ପ୍ରେରଣା ଓ ସାଧନା ନୂତନ ପଥ ଉଦ୍ଘାଟନ କରିପାରେ; ଉଚ୍ଚ ଆଦର୍ଶ ନିକଟରେ ନୀଚ ସ୍ୱାର୍ଥପରତା କ୍ରମଶଃ ଲୋକ ପାଇ ଏକତାର ସୂତ୍ରପାତ କରେ । ଅବିରତ ଗତିରେ ଚିନ୍ତାସ୍ରୋତ ଚାଳିତ । ଏହି ସ୍ରୋତକୁ ଗୋଟାଏ ଉନ୍ନତ ଲକ୍ଷ୍ୟ ଆଡ଼କୁ ନିର୍ଦ୍ଦେଶ କରି ପାରିଲେ ମାନବ ଜାତିର ପ୍ରକୃତ କଲ୍ୟାଣ ସାଧିକ ହୁଏ । ପୁରୁଷାର୍ଥ ସାଧନାଦ୍ୱାରା କାର୍ଯ୍ୟସିଦ୍ଧି ହୁଏ । ଭିନ୍ନ ଭିନ୍ନ ସୋପାନରେ ମନୁଷ୍ୟମାନେ ଶ୍ରେଣୀବଦ୍ଧଥାନ୍ତି । ପ୍ରତ୍ୟେକର କ୍ଷମତା ଥିଲେ ସୁଦ୍ଧା ଏକ ସମୟରେ ଗୋଟାଏ କାର୍ଯ୍ୟର ଅଧୀନ ହୋଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସମସ୍ତଙ୍କ ପକ୍ଷେ ସମ୍ଭବପର ନୁହେଁ । ସେଥିଯୋଗୁଁ ପ୍ରଥମେ କେତେଗୁଡ଼ିଏ ନିୟମ ସଙ୍କଳନ କରି ଗୋଟାଏ ସାଧାରଣ ସୀମା ସୃଷ୍ଟି କରିବାକୁ ହୁଏ ଓ ତାକୁ ଲଙ୍ଘନ କଲେ ଦଣ୍ଡଭୋଗ କରିବାର ବ୍ୟବସ୍ଥା କରାଯାଏ । ମନୁଷ୍ୟ ଜନ୍ମଗ୍ରହଣ କରି, କେହି ଶୁଭ ପ୍ରାରବ୍‌ଧରୁ ବଞ୍ଚିତ ହୁଏ ନାହିଁ-। ବହୁ ପୁଣ୍ୟଫଳରୁ ପୁରୁଷାର୍ଥ ସାଧନୋପଯୋଗୀ ମନୁଷ୍ୟ ଜନ୍ମ ଲାଭ କରି ସତ୍ୟର ଚିସ୍ମୃତିବଶତଃ ଲକ୍ଷ୍ୟଭ୍ରଷ୍ଟ ହେବା ଅନେକଙ୍କ ଭାଗ୍ୟରେ ଘଟେ । ଜଣେ ଯେ ଦୁଃଖକୁ ଦୂର କରିବାର ଚେଷ୍ଟା କରେ, ଅନ୍ୟ ଜଣେ ତାକୁ ବରଣ କରେ । କ୍ଷେତ୍ରର ତାରତମ୍ୟ ଅନୁସାରେ ଶକ୍ତିର ପାର୍ଥକ୍ୟ ଦେଖାଯାଏ; କିନ୍ତୁ ସମୂହ ଶକ୍ତିର ଅବଚ୍ଛେଦ ନାହିଁ । ଉଚ୍ଚନୀଚନିର୍ବିଶେଷରେ ଏକ ମହତ୍‌ ପ୍ରେରଣାର ଅଧୀନ ହୋଇ ଯେଉଁ ଜାତି ଯେତେ ବେଶି ଅଗ୍ରସର ହୁଏ, ସେ ଜାତି ସେତେ ଉନ୍ନତ ଓ ପରାକ୍ରମଶାଳୀ ସତ୍ୟର ଅନୁଶୀଳନରେ ଶକ୍ତିର ବିକାଶ ଓ ମହତ୍ତ୍ୱ ଜଣାଯାଏ ।

•••

 

ସଙ୍ଘର୍ଷ

ଶକ୍ତିର ସମବାୟ-ସାଧନା-କ୍ରିୟାରେ ସଙ୍ଘର୍ଷର ଉତ୍ପତ୍ତି । ନୂତନତ୍ୱର ଆକର୍ଷଣୀ ଶକ୍ତିରେ ପରିବର୍ତ୍ତନର ବିରାମ ନାହିଁ । ଆଜି ଯାହା ଜଗତର ବିସ୍ମୟ ଜନ୍ମାଉଛି, କାଲି ବିସ୍ମୃତିଗର୍ଭରେ ତାହା ଲୋପ ପାଇବା ଅସମ୍ଭବ ନୁହେଁ । ଜଣକର ଆବିଷ୍କ୍ରିୟାରେ କେତେ ଲୋକଙ୍କର ଦୁଃଖ କଷ୍ଟ ବା ଅବ୍ୟକ୍ତ ପରିବେଦନା ଅପସାରିତ ହେଉଅଛି । କେତେ ଆକୁଳତା ବିନିମୟରେ କ୍ଷଣସ୍ଥାୟୀ ଶାନ୍ତିଚିତ୍ରର ପ୍ରତିଷ୍ଠା କରି ପୁଣି ବିପ୍ଳବର ବହ୍ନିକୁ ବରଣ କରିନେବାକୁ କିଏ ପ୍ରେରଣା ଦେଉଚି ? ଏକ ଅଖଣ୍ଡ ଶକ୍ତିର ବିଭିନ୍ନ ଅଭିବ୍ୟକ୍ତିରେ ଯେ ବିରୁଦ୍ଧତାର ସୂତ୍ରପାତ ହୁଏ, ତାକୁ ଭୟବିହଳ ଚିତ୍ତରେ ବିପ୍ଳବ ବୋଲି ଗ୍ରହଣ କଲେ ମାନବର କ୍ଷୁଦ୍ରତା ସହଜରେ ପ୍ରତିପନ୍ନ କରାଯାଇପାରେ; କିନ୍ତୁ ସେହି କ୍ଷୁଦ୍ରତାରେ ଗୋଟାଏ ବିଶାଳତାର ସ୍ପର୍ଶ ଚିରଦିନ ପାଇଁ ଲାଗି ରହିଥାଏ । ଜଡ଼-ଜଗତ୍‌ରୁ ଆରମ୍ଭ କରି ଭାବନାର ଚରମ ଶିଖର ପର୍ଯ୍ୟନ୍ତ ମନୁଷ୍ୟ ପ୍ରତିନିୟତ ଘାତପ୍ରତିଘାତର କ୍ରିୟା ଅନୁଭବ କରୁଥାଏ; କେବଳ ମାତ୍ରାର ତାରତମ୍ୟ ଥାଇପାରେ । ଏହି ଆନ୍ଦୋଳନ ଭିତରେ ଚିତ୍‌ଶକ୍ତି କ୍ରମଶଃ ବିସ୍ତୃତି ଲାଭ କରି ସତ୍‌ ଓ ଆନନ୍ଦର ସନ୍ଧାନରେ ଅଭିମୁଖୀ ହୁଏ । ସାମାନ୍ୟ ଉପଳଖଣ୍ଡ ନିକ୍ଷେପଦ୍ୱାରା ଯେ କ୍ଷୁଦ୍ର ତରଙ୍ଗର ସୃଷ୍ଟି ହୁଏ, ତାହା ବିସ୍ତୀର୍ଣ୍ଣ ଜଳରାଶିରେ ପରିବ୍ୟାପ୍ତ ହୋଇଯାଏ । ଉତ୍ତାଳ ତରଙ୍ଗ ସମ୍ମୁଖରେ କ୍ଷୁଦ୍ର ବୁଦ୍‌ବୁଦର ଅସ୍ତିତ୍ୱ ସ୍ୱୀକାର କରିବା ଅସମ୍ଭବ ହେଲେ ସୁଦ୍ଧା ବିଶାଳତାରେ ଆତ୍ମଗୋପନ କରିବା ପୂର୍ବରୁ କ୍ଷୁଦ୍ରତାର ସେହି ଅକିଞ୍ଚିତ୍‌କର ସ୍ୱାଭାବିକ ବାଧାକୁ ଉପସ୍ଥାପିତ କରି ଦେଖେ, ପାର୍ଥକ୍ୟର ମୂଲ୍ୟ କେତେ ? ଉଚ୍ଚ-ନୀଚ-ଭେଦଜ୍ଞାନରେ ଏହାର ମୂଲ୍ୟ ନିରୂପଣ କଲେ କୌଣସି ଦୋଷ କିମ୍ବା ଯାଥାର୍ଥ୍ୟ ଉପଲକ୍ଷିତ ହେବା ପୂର୍ବରୂ ମାନବର ସଙ୍କୁଚିତ ଦୃଷ୍ଟି ପ୍ରବଳର ଶକ୍ତିକୁ ସହଜରେ ଗ୍ରହଣ କରିଥାଏ । ନିରପେକ୍ଷ ଭାବରେ ଆଲୋଚନା କଲେ ଜଣାଯିବ, କ୍ଷୁଦ୍ରର କ୍ଷୁଦ୍ରତ୍ୱ ଓ ବିଶାଳର ବିଶାଳତ୍ୱ ଏକ ଉପାଦାନରେ ଗଠିତ ଏବଂ ସେହି ଅଖଣ୍ଡ ଶକ୍ତିର ଅଧୀନ । ନିଦାଘର ତପ୍ତ ବାୟୁମଣ୍ଡଳକୁ ଶାନ୍ତ କରିବାକୁ ଗାଢ଼ ଶୀତଳ ସମୀରଣ ଆବଶ୍ୟକ ହୁଏ । ଉତ୍‌କ୍ଷିପ୍ତ ଯୁବକର ମନୋଭାବ କୋମଳପ୍ରାଣା ସୁନ୍ଦରୀ ସଂସ୍ପର୍ଶରେ ଉଦ୍ଦାମତା ଛାଡ଼ି ଯେ ପ୍ରାକୃତିକ ଗତି ଅନୁସରଣ କରେ, ତାହା ସାଂସାରିକ ସୁଖସମୃଦ୍ଧିର ମୂଳକାରଣ ବୋଲି ଧରାଯାଇପାରେ । ସଂସାରର ଯାବତୀୟ ଜଟିଳତା ମଧ୍ୟରେ କୋମଳତାର ଉତ୍ସ ଅପ୍ରକଟିତ ଅବସ୍ଥାରେ ରହିଥାଏ । ସେହିପରି ଶାନ୍ତ ଅବସ୍ଥାରୁ ଗାମ୍ଭୀର୍ଯ୍ୟର ଭିତ୍ତି ସ୍ଥାପନ କଲେ କୌଣସି ଆଶଙ୍କା ରହେ ନାହିଁ । ଦୃଶ୍ୟମାନ ଜଗତର କମନୀୟ ଛବିଗୁଡ଼ିକ ଶତ ବିଭୀଷିକା ମଧ୍ୟରେ ଅବସ୍ଥାପିତ ହୋଇ ମଧ୍ୟ ସୌନ୍ଦର୍ଯ୍ୟର ଗରିମା ଦେଖାଇବାକୁ ସମର୍ଥ ହୋଇଥାନ୍ତି । ଗୁରୁଗମ୍ଭୀର ବାରିଦପଟଳ ଆକାଶର ନୀଳିମା ଉପରେ ଆଧିପତ୍ୟ ବିସ୍ତାର କରି ଅଜସ୍ର ବାରି ବର୍ଷଣ କଲାବେଳେ ଯେ ଦୃଶ୍ୟ ପ୍ରକଟିତ ହୁଏ, ତାହା ପୁଣି ସନ୍ଧ୍ୟାକାଳୀନ ଅସ୍ତରାଗରଞ୍ଜିତ ଛିନ୍ନ ମେଘମାଳାରେ ପ୍ରକାଶ ପାଏ ନାହିଁ । ସ୍ଥାନବିଶେଷରେ ଭୀଷଣତା ଓ କମନୀୟତାର ବିନିମୟଭାବ ପ୍ରକୃତିବିରୁଦ୍ଧ ନିୟମ ନୁହେଁ । ସଂସାରରେ ବୈପରୀତ୍ୟ ପାଇଁ ଗୋଟାଏ ସ୍ଥାନ ଅଛି । ବୈପରୀତ୍ୟରେ ସୁଦ୍ଧା ଜଗତର ଶାନ୍ତି ସ୍ଥାପନ ପ୍ରଚେଷ୍ଟା ରହିବା ଆବଶ୍ୟକ । ବିରୁଦ୍ଧଗୁଣସମ୍ପନ୍ନ ଦୁଇଟି ବସ୍ତୁର ପରସ୍ପର ମିଳନ ସ୍ୱାଭାବିକ ବୋଧ ହେଲେ ସୁଦ୍ଧା ଗୋଟିଏ ଅନ୍ୟକୁ ବଶୀଭୂତ କରିବାକୁ ସର୍ବଦା ଉତ୍ତେଜିତ ହୋଇରହିଥାଏ । ଉପର୍ଯ୍ୟୁକ୍ତ କାରଣ ଦୃଷ୍ଟିରେ ସଙ୍ଘର୍ଷକୁ ନିତ୍ୟ କାର୍ଯ୍ୟପ୍ରଣାଳୀର ଅନ୍ତର୍ଭୁକ୍ତ କରାଯାଇ ପାରେ । ସଙ୍ଘର୍ଷ ନ ଥିଲେ ଆଜି ସଂସାର ଗତି ଅନ୍ୟ ଆକାର ଧାରଣ କରିଥାନ୍ତା । ନୀତି ଓ ଅନୀତି, ସତ୍ୟ ଓ ମିଥ୍ୟା, ନ୍ୟାୟ ଓ ଅନ୍ୟାୟ କାହାରି ମୂଲ୍ୟ ବୁଝାଯାଆନ୍ତା ନାହିଁ । ସଙ୍ଘର୍ଷରେ ପରିଣାମଟା ଶୀଘ୍ର ଦେଖା ଦିଏ । ଯାହା ଅନ୍ଧକାରରେ ପ୍ରଚ୍ଛନ୍ନ ଭାବ ଧାରଣ କରିଥାଏ, ତାହା ସ୍ୱତଃ ପ୍ରକାଶିତ ହୋଇପଡ଼େ ।

 

ଭାବରାଜ୍ୟରେ ଯେ ଭିନ୍ନତା ସୃଷ୍ଟି କରାଯାଏ, ତାହା ସଂଘର୍ଷ ପାଇଁ ସ୍ଥାନ ନିର୍ଦ୍ଦେଶ କରିଦିଏ । ମନର ମୁକ୍ତାବସ୍ଥାରେ ଏପରି ସଂକୀର୍ଣ୍ଣତା ଆସେ ନାହିଁ । ମନୁଷ୍ୟ ନିଜକୁ ଗୋଟାଏ ସୀମା ମଧ୍ୟରେ ଆବଦ୍ଧ ରଖି ସ୍ୱତଃପ୍ରଣୋଦିତ ହୋଇ ଯେ ପାରିପାର୍ଶ୍ୱିକ ଅବସ୍ଥାଟି ସୃଷ୍ଟି କରେ, ତହିଁରେ ନିଜର ମାନସିକ ପ୍ରଭାବ ବିସ୍ତାର କରିବାକୁ ସର୍ବଦା ଚେଷ୍ଟା କରେ । ସୀମାର ବହିର୍ଭୂତ ବିଷୟ ଗ୍ରହଣ କରିବାକୁ ସେ ପଶ୍ଚାତପଦ ହୁଏ; ବରଂ ସମୟ ଓ ସୁବିଧା ଦେଖି ବିପରୀତ ଭାବ କିମ୍ୱା ବିଷୟ ଗ୍ରହଣ କରିବା ଦୂରେ ଥାଉ, ବଳପୂର୍ବକ ସୀମା ଅତିକ୍ରମ କରି ନିଜ ମତର ପ୍ରତିଷ୍ଠା କରିବାକୁ ମନୁଷ୍ୟ ଧର୍ମ ବୋଲି ମନେ କରେ । ମନୁଷ୍ୟ ମାତ୍ରେ ମନର ବଶ୍ୟତା ସ୍ୱୀକାର କରନ୍ତି; କିନ୍ତୁ ପାର୍ଥକ୍ୟ କାହିଁକି ଲକ୍ଷିତ ହୁଏ ? ସମସ୍ତଙ୍କର ଭାବନା ସମାନ ନୁହେଁ । ଜଣେ ଗୋଟିଏ ବସ୍ତୁକୁ ଯେ ଦୃଷ୍ଟିରେ ଦେଖୁଚି, ଅନ୍ୟ ଜଣେ ତାକୁ ସେପରି ଦେଖିବା ସମ୍ଭବ ନୁହେଁ । ବିକାଶ ଓ କର୍ଷଣ ଉପରେ ମନର ଅବସ୍ଥା ନିର୍ଭର କରେ । ଅନେକ ସମୟରେ ସମଅବସ୍ଥାରେ ସୁଦ୍ଧା ଦୁଇଟା ମନର ମିଳନ ଦେଖାଯାଏ ନାହିଁ । ଏଥିସକାଶେ ସଂସ୍କାରର ବର୍ତ୍ତମାନତା ସ୍ୱୀକାର କରିବାକୁ ଆମ୍ଭେମାନେ ବାଧ୍ୟ ହୋଇଥାଉଁ । ଏସବୁ ବିଷୟ ଛଡ଼ା ଭ୍ରମପ୍ରମାଦର ପ୍ରଭାବ କମ୍‌ ନୁହେଁ । ସମୟବିଶେଷରେ ମନୁଷ୍ୟ ଯାହା ଭାବି ନ ଥାଏ, ତାହା ଆକସ୍ମିକ କାର୍ଯ୍ୟଗତିରେ ସମ୍ପାଦିତ ହୁଏ । ମନରେ ଯେ ଆଘାତ ଲାଗେ, ତାହା ଗୋଟାଏ ସଙ୍ଘର୍ଷର ନାମାନ୍ତର ମାତ୍ର । ଉଦ୍‌ବେଗରେ ମନର ଗତି ଧାବିତ ହେଲାବେଳେ ହଠାତ୍‌ କୌଣସି ବାଧା ଆସି ପହଞ୍ଚି ଯାଇଥାଏ । ଏହି ବାଧା ମନୁଷ୍ୟକୁ ସୁପଥ କିମ୍ୱା କୁପଥରେ ଯିବାପାଇଁ ଯଥେଷ୍ଟ ସାହାଯ୍ୟ କରେ । ସାଧୁ ପ୍ରଚେଷ୍ଟା କିମ୍ୱା ପ୍ରବଳ ପ୍ରଲୋଭନର ବଶବର୍ତ୍ତୀ ମନୁଷ୍ୟ ତା ଗତିପଥରେ ପ୍ରତିହତ ହେଲାବେଳେ ଦୂରଦୃଷ୍ଟିର ସାହାଯ୍ୟ ନିଏ । ଏହି ସନ୍ଧିସ୍ଥଳରେ ତାର ଶକ୍ତି ପରୀକ୍ଷିତ ହୁଏ । ସୁସ୍ଥ ଶରୀରରେ ହଠାତ୍‌ କୌଣସି ବେଦନା ଅନୁଭୂତ ହେଲେ ଯେପରି ଭାବୀ ରୋଗ ଆକ୍ରମଣର ସୂଚନା ମିଳେ, ସେହିପରି ମନର ସ୍ୱଚ୍ଛନ୍ଦ ଗତିରେ ବାଧା ଆସିବାଦ୍ୱାରା ଗୋଟାଏ ଅଲକ୍ଷିତ ବିରୁଦ୍ଧ ଭାବର ସଂମିଶ୍ରଣ ଅନୁଭବ କରାଯାଏ ।

 

ମନୁଷ୍ୟର ଜୀବନ ଗୋଟାଏ ଧାରାବାହିକ ସଂଘର୍ଷର ଲୀଳାଭୂମି । ଜନନୀ କ୍ରୋଡ଼ରେ ଶିଶୁ ଓ ବାର୍ଦ୍ଧକ୍ୟକ୍ଳିଷ୍ଟ ଶଯ୍ୟାଶାୟୀ ବୃଦ୍ଧ ଏହାର ଦୁଇ ବିପରୀତ ଦିଗରେ ଅବସ୍ଥାନ କରନ୍ତି । ଜଣକର ଆଗମନ ସହିତ ଅପରର ତିରୋଧାନ ତୁଳନା କଲେ ବାହ୍ୟ ଦୃଷ୍ଟିରେ କିଛି ପ୍ରଭେଦ ଦେଖାଯାଏ ନାହିଁ । ଶିଶୁ ଯେ ସଂଘର୍ଷ ପାଇଁ ପ୍ରସ୍ତୁତ ହେଉଥାଏ, ବୃଦ୍ଧ ସେଥିରୁ ଅବସର ଗ୍ରହଣ କରିଥାଏ; କିନ୍ତୁ ଗୋଟାଏ ବିଶେଷତ୍ୱ ଚିରଦିନ ଅଜ୍ଞାତ ଭାବରେ ମାନବ ପ୍ରାଣକୁ ଏ ସଂସାର ପ୍ରତି ଟାଣି ରଖିଛି । ଜଣେ ଦେଖୁଚି; ତାର ସହଯାତ୍ରୀ ପ୍ରତି ପଦକ୍ଷେପରେ ନାନା ବିପଦର ସମ୍ମୁଖୀନ ହେଉଚି, ଅଥଚ ସେଥିପ୍ରତି ତାର ଦୃକ୍‌ପାତ ନାହିଁ । ସେ ଭାବୁଚି, ତାର ସୁଖର ସଂସାରଟା ଗଢ଼ିନେବା ନିଜର ଆୟତ୍ତ । ସଂସାରରେ ଯଦି ଏତେ ଘାତପ୍ରତିଘାତ ନ ଥାନ୍ତା, ତାହାହେଲେ ମନୁଷ୍ୟ ନିଜ ଇଚ୍ଛାନୁଯାୟୀ ମାର୍ଗ ଅନୁସରଣ କରି ପ୍ରକୃତ ସ୍ୱାଧୀନତା ଓ ସୁଖର ସନ୍ଧାନ ପାଆନ୍ତା ବୋଲି ଅନେକଙ୍କର ବିଶ୍ୱାସ । ଏପରି ସ୍ଥଳରେ ସାଧାରଣତଃ ପ୍ରଶ୍ନ ଉଠିପାରେ ଯେ, ପୃଥିବୀ କଣ ଗୋଟାଏ ଜଟିଳତାପୂର୍ଣ୍ଣ ମାୟାପୁରୀ ? ସଂସାରକୁ ଯଦି ଅସାର ବୋଲି ଗ୍ରହଣ କରାଯାଏ, ତାହାହେଲେ ତନ୍ନିବନ୍ଧନ ଯାବତୀୟ କାର୍ଯ୍ୟର କିଛି ମୂଲ୍ୟ ରହିବ ନାହିଁ କିମ୍ୱା କର୍ମସମସ୍ୟା ସାଧନରେ ମନୁଷ୍ୟ ଏଡ଼େ ବିବ୍ରତ ହେବ ନାହିଁ । ସାଂସାରିକ କାର୍ଯ୍ୟ-ପ୍ରଣାଳୀମାନଙ୍କରେ ପରସ୍ପର ସମ୍ୱନ୍ଧ ରହିଛି । ବିରୁଦ୍ଧ ଭାବ କିମ୍ୱା କ୍ରିୟା ପ୍ରାଥମିକ ଅବସ୍ଥାରେ ବିଭ୍ରାଟ ସୃଷ୍ଟି କରେ; କିନ୍ତୁ ପରେ ଯେ ସାମ୍ୟ ଅବସ୍ଥା ଆସେ, ସେଥିରେ ମନୁଷ୍ୟର ଅନେକ ଶିକ୍ଷଣୀୟ ବିଷୟ ଥାଏ । ସଂଘର୍ଷ ଯେ ଭିତ୍ତି ସ୍ଥାପନ କରେ, ସେଥିରେ ମାନବୀୟ ପ୍ରକର୍ଷ କ୍ରମଶଃ ବର୍ଦ୍ଧିତ ହୁଏ । ଭଲ ଓ ମନ୍ଦ ସଂସ୍ପର୍ଶରେ ଜଗତର ସଭ୍ୟତା ଆଜି ପ୍ରାଚୀନତାକୁ ବହୁ ଦୂରରେ ପକାଇ ନୂତନତ୍ୱ ଅନୁସନ୍ଧାନରେ ଅଗ୍ରସର ହେଉଅଛି । କିଏ କହିବ ଆଧୁନିକ ସଭ୍ୟତା ଅତୀତରେ ଲୁଚିଯିବ ଓ ଭବିଷ୍ୟତର ସଭ୍ୟତା ସମ୍ପୂର୍ଣ୍ଣ ଭିନ୍ନ ଆକାରରେ ଦେଖା ଦେବ ? ଯେତେ ପରିବର୍ତ୍ତନ ଆସୁ, ସଂଘର୍ଷକୁ ତ୍ୟାଗ କରି ହେବ ନାହିଁ । ସାଂସାରିକ ଜୀବ ପକ୍ଷରେ ସଂଘର୍ଷ ଗୋଟାଏ ବିଶେଷତ୍ୱ ।

 

ସତ୍ୟ ଓ ସୌନ୍ଦର୍ଯ୍ୟର ବିକାଶ ପାଇଁ ସଙ୍ଘର୍ଷ ଆବଶ୍ୟକ । ଜଗତର ଆବିଳତା ମଧ୍ୟରେ ବିଶ୍ୱପ୍ରକୃତିକୁ ଅନୁସରଣ କରି ଉନ୍ମୁକ୍ତ ପ୍ରାଣର ପରିଚୟ ଦେବା ମନୁଷ୍ୟ ପକ୍ଷରେ ସହଜ ନୁହେଁ । ଜଟିଳ ସାଂସାରିକ କାର୍ଯ୍ୟପର୍ଯ୍ୟାୟରେ ମନୁଷ୍ୟର ସାଧନା ପଥ ସଙ୍କୁଚିତ ହୋଇଯାଏ । ସେ ସର୍ବଦା ଗୋଟାଏ କ୍ଷୁଦ୍ର ପରିସର ମଧ୍ୟରେ ରହି ଅସ୍ଥାୟୀ ଅଭାବ ମୋଚନରେ ନିଜକୁ ତତ୍ପର ରଖିଥାଏ । ପ୍ରାକୃତିକ ଧର୍ମକୁ ଭୁଲିଯାଇ କୃତ୍ରିମତା ସୃଷ୍ଟି କରିବା ମନୁଷ୍ୟର ସ୍ୱଭାବ-ସିଦ୍ଧ ଗୁଣ ହୋଇପଡ଼େ । ଯେତେବେଳେ ମନୁଷ୍ୟ ଜାତିଟା କ୍ରମଶଃ ଏହି କ୍ଷୁଦ୍ରତାରେ ମଜ୍ଜିଯାଇ ନିମ୍ନଗାମୀ ହୁଏ, ସେତେବେଳେ ଗୋଟାଏ ପ୍ରତିକ୍ରିୟାରେ ଆରମ୍ଭ ହୁଏ, ଯାହାକୁ ଆମ୍ଭେମାନେ ସଙ୍ଘର୍ଷ ବୋଲି ଧାରଣା କରିପାରୁ ନାହିଁ । ସ୍ୱଚ୍ଛସଲିଳା ନିର୍ଝରିଣୀ ଗୋଟାଏ ସହଜ ଦିଗରେ ବହି ଯାଉଥାଏ; ପଥରେ ଶିଳାରାଶିଦ୍ୱାରା ରୁଦ୍ଧ ହେଲେ ତାର ଗତି ବକ୍ରାକାର ଧାରଣ କରେ । ଜଗତ୍‌ର କାର୍ଯ୍ୟପ୍ରଣାଳୀ ଏହିପରି ଗୋଟାଏ ରୀତି କିଛି ଦିନ ଅନୁସରଣ କରି ଭିନ୍ନ ମାର୍ଗାବଲମ୍ୱନ କରେ । ପ୍ରଚଳିତ ଧର୍ମ, ସଭ୍ୟତା, ରୁଚି ପ୍ରଭୃତିରେ ଯେ ଅସାମଞ୍ଜସ୍ୟ ଓ ନୂତନତ୍ୱ ଦେଖାଯାଏ, ସେମାନଙ୍କୁ ମାନବ ଜାତି ସ୍ୱତଃପ୍ରଣୋଦିତ ହୋଇ ଗ୍ରହଣ କରିଥାଏ । ପ୍ରତିବନ୍ଧକ କିଛି ସମୟ ପାଇଁ ଚଞ୍ଚଳତା ସୃଷ୍ଟି କରେ; କିନ୍ତୁ ତାର ଅନ୍ତରାଳରେ ଗୋଟିଏ ମାର୍ଗ ନିର୍ଦ୍ଦିଷ୍ଟ ଥିଲା ପରି ଜଣାଯାଏ । ସମାଜ ଓ ସମୟର ସ୍ରୋତକୁ ଯେଉଁ ମନୀଷୀମାନେ ପରିବର୍ତ୍ତିତ କରିଦିଅନ୍ତି, ସେମାନଙ୍କର କ୍ରିୟାଗୁଡ଼ିକ ସଙ୍ଘର୍ଷର ନାମାନ୍ତର ମାତ୍ର । ବାହ୍ୟ ଆବରଣରେ ମନୁଷ୍ୟର ଚକ୍ଷୁ ନିବଦ୍ଧ ହେଲେ କାହାରି ପ୍ରକୃତ ମର୍ମ ଜଣାଯାଏ ନାହିଁ । ଅନୁଷ୍ଠିତ ଧର୍ମ, ସଭ୍ୟତା ପ୍ରଭୃତି ଯଥାଯଥରୂପେ ଆଚରିତ ହୋଇପାରେ ନାହିଁ । କେବଳ ସେମାନଙ୍କର ଛାୟାଟା ମନୁଷ୍ୟକୁ ଗୋଟିଏ ଦିଗରେ ଟାଣି ନେଉଥାଏ । ଅନ୍ତଃସାରଶୂନ୍ୟ ହୋଇ ସେ ଆତ୍ମୋନ୍ନତିର ପରିକଳ୍ପନା ସୁଦ୍ଧା କରିପାରେ ନାହିଁ । ଏପରି ଅବସ୍ଥାରେ ସଙ୍ଘର୍ଷ ଆସି ଯଦି କୌଣସି ବିପ୍ଳବ ସୃଷ୍ଟି ନ କରେ, ତାହା ହେଲେ ମନୁଷ୍ୟର ଆତ୍ମବୋଧ ଆସିବା ସହଜ ନୁହେଁ । ଆଲୋଡ଼ନ ପରେ ସରଳ ଭାବ ଆସେ । ସନ୍ଦିଗ୍‌ଧ ହୋଇ ମନୁଷ୍ୟ ବେଶି ଦିନ ରହିପାରିବ ନାହିଁ । ଦୁଇ ବିପରୀତ ଦିଗରେ ଆକର୍ଷଣରେ ସେ କିଛି ଦିନ ପାଇଁ ଉଦ୍‌ବିଗ୍ନ ହୋଇପାରେ; କିନ୍ତୁ ଆକର୍ଷଣର ପ୍ରଭାବାନୁସାରେ ସେ ସ୍ୱତଃଚାଳିତ ହୋଇ ନିଜର ଜୀବନ ଗତିକୁ ନିୟନ୍ତ୍ରିତ କରିଦିଏ । କେହି କେହି ସତ୍ୟର ଅନୁରୋଧରେ ହଠାତ୍‌ ସଙ୍ଘର୍ଷକୁ ଆହ୍ୱାନ କରନ୍ତି । ତଦ୍ଦ୍ୱାରା ସେ ସମାଜ କିମ୍ୱା ଜାତିର ବିଦ୍ୱେଷଭାଜନ ହୋଇପାରନ୍ତି । ଅନେକ ମହାପୁରୁଷଙ୍କର ଜୀବନ କାଳରେ ଏଥିର ଯଥେଷ୍ଟ ପ୍ରମାଣ ମିଳିଅଛି । ଅଧର୍ମର ବିନାଶ ସାଧନ ଓ ଶାନ୍ତି ପ୍ରତିଷ୍ଠାକରଣରେ ଏକ ଶକ୍ତି ନିଯୁକ୍ତ ହୋଇଥାଏ; କିନ୍ତୁ ବାହ୍ୟ ଦୃଷ୍ଟିରେ ସାଧାରଣ ମନୁଷ୍ୟ ଏହାକୁ ବୁଝିପାରେ ନାହିଁ । ସେ ଦେଖେ, କେବଳ ଘାତ ଓ ପ୍ରତିଘାତ । ଏପରି ଅବସ୍ଥାରେ ଇତସ୍ତତଃ ହେବା ମନୁଷ୍ୟର ସ୍ୱାଭାବିକ ଦୁର୍ବଳତା ମଧ୍ୟରେ ଗ୍ରହଣ କରାଯାଇପାରେ । ସୌନ୍ଦର୍ଯ୍ୟ ମୋହର ଚପଳ ଚିତ୍ରରେ ସେ ନିଜକୁ ହଜାଇ ଦେଇପାରେ; କିନ୍ତୁ ସମୟ ଆସେ, ଯେତେବେଳେ ଦୁର୍ଗତିର ପରିଣାମ ସ୍ମୃତି ତାର ଆତ୍ମସଂଯମର ପଥ ନିର୍ଦ୍ଦେଶ କରି ଅନନ୍ତ କାଳ ପାଇଁ ଏକ ବିରାଟ ସୌନ୍ଦର୍ଯ୍ୟପସରା ଖୋଲିଦିଏ । ସହସ୍ର ଆବରଣ ଭେଦ କରି ସତ୍ୟ ଓ ସୌନ୍ଦର୍ଯ୍ୟ ସେମାନଙ୍କର ସ୍ୱରୂପ ପ୍ରକାଶ କରନ୍ତି । ହୃଦୟର ଆବିଳତା ଦୂର କରି ମନୁଷ୍ୟ ଅପେକ୍ଷା କରି ରହିଲେ ଦିନେ ତାର ତୃଷାର ନିବୃତ୍ତି ଆସେ; ଯେ ଲକ୍ଷ୍ୟ ସେ ଭୁଲିଥାଏ, ତାର ପୁଣି ସନ୍ଧାନ ପାଏ ।

 

ସଂଘର୍ଷ ଗୋଟାଏ ଦମନ-କ୍ରିୟା । ଏହାର ଅଭାବରେ ପ୍ରବଳ ଦୁର୍ବଳ ଉପରେ ଅତ୍ୟାଚାର କରି ନିଃସଂକୋଚରେ ଜଗତକୁ ପିଶାଚର କ୍ରୀଡ଼ାଭୂମିରେ ପରିଣତ କରିପାରନ୍ତା; ସହସ୍ର ସହସ୍ର ‘ନାଦିର ସାହ’ ଏକ ମୁହୂର୍ତ୍ତରେ ଧରାମୁଖକୁ କଳଙ୍କିତ କରିଦିଅନ୍ତେ; ଗୋଟାଏ ବିକଟ ଅଟ୍ଟହାସରେ ବିଶ୍ୱପ୍ରକୃତି ସ୍ତବ୍‌ଦ ହୋଇଯାଆନ୍ତା – ଧର୍ମର ମହତ୍ତ୍ୱ ମଧ୍ୟ କେହି ବୁଝିପାରନ୍ତେ ନାହିଁ; ମନୁଷ୍ୟ ବାଧ୍ୟ ହୋଇ ପଶୁତ୍ୱ ଆଚରଣ କରିବାକୁ ଶିଖନ୍ତା । ପକ୍ଷାନ୍ତରରେ ଧର୍ମର ସ୍ୱରୂପ ସମସ୍ତଙ୍କଦ୍ୱାରା ଅବଧାରିତ ହୋଇପାରୁଥିଲେ ଆଜି ଏତେ ବୈଷମ୍ୟ ଦେଖିବାକୁ ମିଳନ୍ତା ନାହିଁ । ଅନ୍ଧକାର ନ ଥିଲେ ଆଲୋକର ଆଦର ହୁଅନ୍ତା ନାହିଁ । ବୈଷମ୍ୟରୁ ବୈଚିତ୍ର୍ୟର ଉତ୍ପତ୍ତି । ଜୀବର ପ୍ରାକୃତିକ ଗୁଣାନୁସାରେ ଯେ ଭିନ୍ନତା ସୃଷ୍ଟ ହୁଏ, ତାହା ଶକ୍ତିଶାଳୀ ହୋଇ ରହିବା କୌଣସି ଜାତି ପକ୍ଷରେ ସମ୍ଭବ ନୁହେଁ । ଜାତିଗତ ସ୍ୱତନ୍ତ୍ରତା ମଧ୍ୟରେ ବିଦ୍ୱେଷ ଭାବ ଥାଏ । ସେଥିଯୋଗୁ ଗୋଟିଏ ଜାତି ଅନ୍ୟ ଜାତିକୁ ସର୍ବଦା ସନ୍ଦେହର ଚକ୍ଷୁରେ ଦେଖୁଥାଏ । ସମୟ ଓ ଅବସ୍ଥା ଭେଦରେ ପରସ୍ପର ମଧ୍ୟରେ ବିଦ୍ରୋହ ଭାବ ଗାଢ଼ ହୋଇଉଠେ । ସମରକ୍ଷେତ୍ରରେ ଦୁଇ ଜାତିର ତୁମୁଳ ଯୁଦ୍ଧ ହୁଏ, ହିଂସାର ତାଣ୍ଡବ ଲୀଳା ଦୁହିଁଙ୍କର ବିବେକକୁ ଲୋପ କରିଦିଏ; କିନ୍ତୁ ଶେଷରେ ଯେ ଅବସାଦ ଆସେ, ସେଥିରେ ଜେତା ଓ ବିଜିତ ମଧ୍ୟରେ ବିରୋଧ ଭାବ କିଛି ଦିନ ପାଇଁ ଲୋପ ପାଏ ।

 

ଉଭୟ ପକ୍ଷର ଶକ୍ତି କ୍ଷୟିତ ହେଲେ ସଂଘର୍ଷର ଆଶଙ୍କା ନ ଥାଏ । ମତ୍ତତାର ମାତ୍ରା ଏହିପରି ହ୍ରାସ ପାଇଲେ ଜଗତର ସାମୟିକ ଶାନ୍ତି ବିରାଜମାନ କରେ । ହିଂସାଭାବକୁ ଜୀବଜଗତରୁ ସମୂଳେ ଦୂର କଲେ ସଂଘର୍ଷର ମାରାତ୍ମକତା ଲୋପ ପାଇପାରନ୍ତା; କିନ୍ତୁ ସଭ୍ୟମାନବ ଆଜିପର୍ଯ୍ୟନ୍ତ ଏହାକୁ ତ୍ୟାଗ କରି ନାହିଁ । ବର୍ତ୍ତମାନ ଇଉରୋପ ସଭ୍ୟତାର ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି ବୋଲି ବିଶ୍ୱାସ ହୁଏ । ଇଉରୋପର ସଭ୍ୟ ଜାତିମାନେ ଯେ କୌଶଳରେ ଯୁଦ୍ଧ କରନ୍ତି, ତାହା ଅସଭ୍ୟ ଜାତିମାନଙ୍କ ଧାରଣାର ଅତୀତ ଥିଲା; ଅଥଚ ଏମାନଙ୍କ ମଧ୍ୟରେ କିଏ ବଡ଼ କହିବା କଷ୍ଟକର ହେବ ନାହିଁ । ପୂର୍ବକାଳରେ ସ୍ୱାଭାବିକ ହିଂସାଭାବର ବଶବର୍ତ୍ତୀ ହୋଇପୃଥିବୀର ଜାତିମାନେ ଯୁଦ୍ଧ କରୁଥିଲେ । ଯୋଦ୍ଧା ପ୍ରତିଯୋଦ୍ଧା ବ୍ୟତୀତ ଅନ୍ୟ ନିରୀହ ପ୍ରାଣୀକୁ ସ୍ପର୍ଶ କରିବାକୁ ଅଭିଳାଷୀ ହେଉ ନ ଥିଲା; କିନ୍ତୁ ଆଜି ଆଉ ସେ ଧର୍ମ ନାହିଁ । ବିଜ୍ଞାନ ବଳରେ ଯେ ଅତ୍ୟାଚାର କରାଯାଉଛି, ତାହା ଅକଥ୍ୟ କହିଲେ ଚଳେ । ସଭ୍ୟତାଭିମାନୀ ଜାତିମାନଙ୍କର ଏହି ହୃଦୟହୀନତା ପୃଥିବୀବକ୍ଷରେ ଯେ ମନ୍ତ୍ର ପ୍ରଚାର କରୁଛି, ତଦ୍ଦ୍ୱାରା କାହାର ଧ୍ୱଂସ ସାଧିତ ହେବ, ସେତିକି କେବଳ ଦେଖିବାକୁ ବାକି ଅଛି । ଦିନେ ଗୋଟାଏ ବିରାଟ ସଂଘର୍ଷରେ ସବୁ ପ୍ରମାଣିତ ହୋଇଯିବ ।

 

ପ୍ରେମର ପରାକାଷ୍ଠା ପ୍ରକାଶ ପାଇଁ ସଂଘର୍ଷ ଆବଶ୍ୟକ ହୁଏ । ଉଦ୍ଦାମ ଯୌବନରେ ଶରୀର ସୌନ୍ଦର୍ଯ୍ୟକୁ ଉପାସନା କରି ମନୁଷ୍ୟ ନିଜର ତୃପ୍ତି ସାଧନ କରେ । ଏହି ତୃପ୍ତିରେ ଶାନ୍ତିର ପଥ ଉଦ୍‌ଘାଟିତ ହୁଏ ନାହିଁ; ବରଂ କ୍ଷୁବ୍‌ଧତା କ୍ରମଶଃ ବଢ଼ିଉଠେ । ଶରୀର-ଉପଭୋଗରେ ଯେ ମୋହ ସଞ୍ଚାର ହୁଏ, ତାକୁ ପ୍ରେମ ଆଖ୍ୟା ଦେବା କ୍ଷିପ୍ତତା ମାତ୍ର । ଥରେ ରୂପର ମାଦକତା ମନକୁ ଗ୍ରାସ କଲେ ମନୁଷ୍ୟ ଆଉ ସ୍ଥିର ହୋଇ ରହିପାରେ ନାହିଁ । ସେ ଶରୀରଟାକୁ କେବଳ ଲୋଲୁପ ଦୃଷ୍ଟିରେ ଦେଖେ; ଭୋଗଲିପ୍ସା ତାକୁ ଅଧୀର କରେ । ଏପରି ଅସହାୟ ଅବସ୍ଥାରେ ମନୁଷ୍ୟର ନିଜତ୍ୱରକ୍ଷା ଅସମ୍ଭବ ବୋଲି କୁହାଯାଇ ପାରେ । ପାପକର୍ଦ୍ଦମ-ସିକ୍ତ ପଥ ବଡ଼ ପିଚ୍ଛିଳ । ମନୁଷ୍ୟ ଯେତେବେଳେ ବ୍ୟାକୁଳ ହୋଇ ସେ ପଥରେ ଦୌଡ଼େ, ସେତେବେଳେ ତାର ପତନ ଅନିବାର୍ଯ୍ୟ ହୋଇପଡ଼େ । ପତନରେ ନିରୁତ୍ସାହ ନ ହୋଇ ସେହି ପଥରେ ପୁଣି ଗତି କରିପାରେ; କିନ୍ତୁ ସ୍ରୋତ ଉଜାଣି ଉଠିଲେ ତା ଜୀବନରେ ଘୋର ପରିବର୍ତ୍ତନ ଆସେ । ଗଣିକା କିମ୍ୱା ଉପପତ୍ନୀର ବଶ୍ୟତା ସ୍ୱୀକାର କରି ପୁରୁଷ ସବୁ ଭୁଲିଥାଏ । ନିଜର ଧର୍ମପତ୍ନୀକୁ କେତେ ଅବଜ୍ଞା କରେ । ସେ ଜାଣିପାରେ ନାହିଁ ଯେ, ଯୌବନ-ସୁରାର ମାଦକତା କମି ଆସିଲେ ଅନୁତାପ ତାର ସ୍ଥାନ ଅଧିକାର କରିବ । ଯେ ଘାତପ୍ରତିଘାତର କ୍ରିୟା ମନୁଷ୍ୟ ଅନୁଭବ କରେ, ତଦ୍ଦ୍ୱାରା ତାର ଅତୀତ ଜୀବନର ଘଟନାଗୁଡ଼ିକ ବର୍ତ୍ତମାନ ସହିତ ସାମଞ୍ଜସ୍ୟ ରକ୍ଷା କରିପାରେ ନାହିଁ । ବାସ୍ତବତା ନିକଟରେ ସ୍ୱପ୍ନ ଅସାର । ଅସାରକୁ ସାର ମନେ କରି ଜୀବନ ଅତିବାହିତ କଲେ କେହି ପ୍ରକୃତ ଆନନ୍ଦ ପାଆନ୍ତି ନାହିଁ । ବାସ୍ତବତା ସଂସ୍ପର୍ଶରେ ଅଲୀକତା ବେଶି ସମୟ ସ୍ଥାୟୀ ହୋଇ ରହେ ନାହିଁ । ସମୁଦ୍ର ସଙ୍ଗମରେ ସ୍ଫୀତା ତଟିନୀ ଯେ ସଂଘର୍ଷ ଅନୁଭବ କରେ, ତାହା ତାକୁ ଅନନ୍ତରେ ମିଶିଯିବା ପାଇଁ ଆହ୍ୱାନ କରେ । କାମୋପଭୋଗୀ ଅତୃପ୍ତ ମାନବ ଥରେ ପୂତ ରମଣୀର ଅମଳ ଆକର୍ଷଣ ଅନୁଭବ କଲେ ଯେ ସ୍ନିଗ୍‌ଧତା ଓ ପବିତ୍ରତା ତା ହୃଦୟରେ ଫୁଟି ଉଠେ, ତାହା ତାକୁ ସେହି ଚିରବାଞ୍ଛିତ ଧାମ ଆଡ଼କୁ ଘେନିଯାଏ । ଅତୀତର ଆବିଳତା ଅମୃତ ସ୍ପର୍ଶରେ ସ୍ମୃତିମାତ୍ର ରଖି ଚାଲିଯାଏ ।

 

ନୀରବତାରେ ମଧ୍ୟ ସଂଘର୍ଷର ଶକ୍ତି ପ୍ରୟୋଗ କରାଯାଇଥାଏ । ଭିନ୍ନ ଭିନ୍ନ ବସ୍ତୁ କିମ୍ୱା ଗୁଣ ପ୍ରଚ୍ଛନ୍ନାବସ୍ଥାରେ ମିଳିତ ହୋଇଥାନ୍ତି । କିନ୍ତୁ ଯେ ଶକ୍ତି ପ୍ରଭାବରେ ସେମାନଙ୍କୁ ଅନ୍ତର କରାଯାଏ, ତାହା ସଂଘର୍ଷର ରୂପାନ୍ତର ମାତ୍ର । ସୃଷ୍ଟିର ବୈଚିତ୍ର୍ୟ ଓ ସମତା ଆଣିବାକୁ ସଂଘର୍ଷର ଉପକାରିତା ଅସ୍ୱୀକାର କରି ହେବ ନାହିଁ । ସୁପ୍ତ ଜଗତ୍‌ ତାର ପ୍ରଥମ ସ୍ପନ୍ଦନ ଅନୁଭବ କଲା ବେଳେ ଯେ ଶକ୍ତିର ବିକାଶ ଦେଖିଚି, ସଂଘର୍ଷକୁ ବାଦ୍‌ ଦେଇ ସେହି ଶକ୍ତିର ପୂର୍ଣ୍ଣତା ପ୍ରମାଣ କରିବା ତା ପକ୍ଷରେ ଅସମ୍ଭବ । ଜଗତର ଅସ୍ତିତ୍ୱ ଥିବା ପର୍ଯ୍ୟନ୍ତ ସଂଘର୍ଷର ବିରାମ ହେବ ନାହିଁ; ବିଭିନ୍ନ ଆକାର ଧାରଣ କରି ସମୟୋପଯୋଗୀ ସଂଘର୍ଷମାନ ସଂଘଟିତ ହେବ । ବିଶେଷତଃ ମାନବ ଜାତିର ଗତି ଚିରଦିନ ସେମାନଙ୍କଦ୍ୱାରା ନିୟନ୍ତ୍ରିତ ହେବ । ଗୋଟାଏ ଗୋଟାଏ ସଂଘର୍ଷ ଫଳରେ ମାନବ ତାର ଅନୁସୃତ ମାର୍ଗକୁ ପରୀକ୍ଷା କରି ନେବ । ଯଦି କୌଣସି ଦୋଷ କିମ୍ୱା ବାଧା ଥାଏ, ସେମାନଙ୍କୁ ଦୂର କରି ପୁଣି ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବ । ମନୁଷ୍ୟତ୍ୱ ସଂଘର୍ଷରେ ପ୍ରମାଣିତ ହୁଏ । ଜୀବନଟାକୁ କେହି ନୀରବରେ କଟାଇ ଦେଇପାରିବ ନାହିଁ ।

•••

 

ହିଂସାତ୍ମକ ନୀତି

ମାନବୀୟ କାର୍ଯ୍ୟପ୍ରଣାଳୀରେ ସର୍ବଦା ସାମ୍ୟ ଭାବ ପରିଲକ୍ଷିତ ହୁଏ ନାହିଁ । ଜଳବାୟୁ, ଜୀବିକାନିର୍ବାହର ପନ୍ଥା ସ୍ଥାନବିଶେଷରେ ସଭ୍ୟତା, ଧର୍ମ ପ୍ରଭୃତିଦ୍ୱାରା ପ୍ରଭାବିତ ହୋଇ ଦେଶ କିମ୍ୱା ଜାତିଗତ ପାର୍ଥକ୍ୟରୁ ଯେଉଁ ସ୍ୱତନ୍ତ୍ରତାର ସୃଷ୍ଟି କରେ, ସେଥିରେ ସ୍ୱଧର୍ମର ମହତ୍ତ୍ୱ ଉପଲବ୍‌ଧି କରିବାକୁ ପଡ଼େ । ଜଣକର ଯାହା କରଣୀୟ, ଅନ୍ୟର ତାହା ବର୍ଜନୀୟ ହେବା ସ୍ୱଭାବସିଦ୍ଧ ନିୟମ ଉପରେ ନିର୍ଭର କଲା ପରି ଜଣାପଡ଼େ । ମନୁଷ୍ୟ ଜନ୍ମଗ୍ରହଣ କଲା ମାତ୍ରେ ପାରିପାର୍ଶ୍ୱିକ ଅବସ୍ଥାମାନଙ୍କର ଆକର୍ଷଣ ଓ ପ୍ରଭାବ ତା ଜୀବନର ଗତିକୁ ନିୟନ୍ତ୍ରିତ କରନ୍ତି ଏବଂ ତଦ୍ଦ୍ୱାରା ମନୁଷ୍ୟର ଯେଉଁ ଉତ୍ଥାନ କିମ୍ୱା ପତନ ହୁଏ, ସେଥିରେ କାହାରି ଆୟତ୍ତ ନ ଥାଏ । ଏପରି ଅବସ୍ଥାରେ ଅଧିକାରଭେଦରେ କାର୍ଯ୍ୟର ନ୍ୟୂନତା କିମ୍ୱା ଶ୍ରେଷ୍ଠତା ପ୍ରତିପନ୍ନ କରାଇବା ଉଚିତ ନୁହେଁ-। ପ୍ରତ୍ୟେକ କାର୍ଯ୍ୟର ମହତ୍ତ୍ୱ ଅଛି । ଚଣ୍ଡାଳ ସ୍ୱକାର୍ଯ୍ୟ ସାଧନ କରି ଯେଉଁ ଆସନ ଅଧିକାର କରେ, କଦାଚାର ବ୍ରାହ୍ମଣ ସେ ସ୍ଥାନ ପାଇପାରେ ନାହିଁ । ବୈଦେଶିକମାନେ ଭାରତର ଜାତିବିଭାଗ ପ୍ରତି ବିଦ୍ୱେଷ ପ୍ରଦର୍ଶନ କରି ତାର କର୍ମକୁଣ୍ଠତା ପ୍ରମାଣ କରନ୍ତି; କିନ୍ତୁ ସେମାନଙ୍କର ଭାବିବା ଉଚିତ ଯେ, ଭାରତର ପତନ ସକାଶେ ଜାତିବିଭାଗ ଆଦୌ ଦାୟୀ ନୁହେଁ । ସ୍ୱଧର୍ମଚ୍ୟୁତ ଭାରତବାସୀ ସେଥି ସକାଶେ ସମ୍ପୂର୍ଣ୍ଣରୂପେ ଦାୟୀ । ଭାରତୀୟ ଧର୍ମ ଅହିଂସା ଉପରେ ପ୍ରତିଷ୍ଠିତ, ହିଂସା କିମ୍ୱା ଘୃଣାଭାବ ସୃଷ୍ଟି କରିବା ବର୍ଣ୍ଣାଶ୍ରମ ଧର୍ମର ଉଦ୍ଦେଶ୍ୟ ନୁହେଁ । ପ୍ରାଚୀନ ହିନ୍ଦୁମାନଙ୍କର ସାମାଜିକ ଓ ନୈତିକ ଉନ୍ନତି ଯେଉଁ ଆଦର୍ଶ ଆଡ଼କୁ ଗତି କରୁଥିଲା, ତାହା ପୃଥିବୀର ଅନ୍ୟାନ୍ୟ ଜାତିମାନଙ୍କର ଧାରଣାର ଅତୀତ । ଗୋଟିଏ ଉଚ୍ଚ ସ୍ଥାନରୁ ସ୍ଖଳିତ ହେଲେ ଯେପରି ଭୟାବହ ଅବସ୍ଥାର ଅଧୀନ ହେବାକୁ ପଡ଼େ, ବର୍ତ୍ତମାନ ଭାରତର ସେହି ଅବସ୍ଥା କହିଲେ ଚଳେ । ଭାରତୀୟ ତାର କର୍ମ ଓ ଧର୍ମ ଭୁଲିଯାଇଛି, ତାର ଲକ୍ଷ୍ୟ ନାହିଁ, ଜାତୀୟତା କଣ, ସେ ଜାଣିପାରୁ ନାହିଁ । ବିଜାତୀୟ ଭାବ ଓ ଆକାଙ୍କ୍ଷାଘେନି ସେ କିଛି ଦିନ ଅଗ୍ରସର ହେଲା; କିନ୍ତୁ ଅନ୍ଧକାରର ମାତ୍ରା କ୍ରମଶଃ ବଢ଼ିବାକୁ ଲାଗିଲା-। ନିଜତ୍ୱ ହରାଇ ପରମୁଖାପେକ୍ଷୀ ହେବାଦ୍ୱାରା ଯେଉଁ ବାହ୍ୟ ଚାକଚକ୍ୟ ତା ଦୃଷ୍ଟିକୁ ଘୋଡ଼ାଇ ରଖିଥିଲା, ତାହା ଆସ୍ତେ ଆସ୍ତେ ଅପସାରିତ ହେଲା । ସେ ବୁଝିଲା– ମରୀଚିକା-ଭ୍ରମ ତାକୁ ଏତେ ଦିନ ଦୁର୍ଦ୍ଦଶା ଆଡ଼କୁ ଟାଣି ରଖିଛି । ଚକ୍ଷୁର ଉନ୍ମେଷ ହେଲା ସତ୍ୟ; କିନ୍ତୁ ପୂର୍ବର ଶକ୍ତି ନାହିଁ, ଯାହାର ଅବଲମ୍ୱନରେ ସେ ସ୍ୱସ୍ଥାନକୁ ଫେରିଯିବ । ଗୋଟାଏ ନିରାଶ ଭାବ ତା ହୃଦୟକୁ ଗ୍ରାସିଯାଇଛି । ସେ ଦେଖୁଛି– ସମ୍ମୁଖରେ ଗୋଟାଏ ବଡ଼ ସଙ୍କଟ, ସର୍ବତ୍ର ହାହାକାର ଶବ୍ଦ, ପୁଣ୍ୟପୀଠ ଭାରତ ଅଶାନ୍ତି ଓ ଅଶୁଚି ଅବସ୍ଥାରେ ପୂର୍ଣ୍ଣ ।

 

ତୃଷାତୁର ରୋଗୀ ଜଳର ଦୋଷ କିମ୍ୱା ଗୁଣ ବୁଝେ ନାହିଁ । ପିପାସା ମେଣ୍ଟାଇବା ତୃଷିତ ପ୍ରାଣର ଏକମାତ୍ର ଆଶ୍ୱାସନା । ସ୍ରୋତସ୍ୱତୀର ପ୍ରବାହ ରୁଦ୍ଧ ହେଲେ ଆବିଳତା ପ୍ରଚ୍ଛନ୍ନରେ କାର୍ଯ୍ୟ କରେ । ପ୍ରଥମେ ସେଥିପ୍ରତି କେହି ଲକ୍ଷ୍ୟ କରି ପାରନ୍ତି ନାହିଁ; କିନ୍ତୁ ପରେ ମାରାତ୍ମକ ଅବସ୍ଥାର ସୂଚନା ମିଳିଲେ ସମସ୍ତେ ସାବଧାନ ହୁଅନ୍ତି । ମହାମାରୀର ସଂକ୍ରମଣକୁ ନିବାରଣ କରିବା ସହଜ ନୁହେଁ । ଥରେ ବିଷ ସଂକ୍ରମିତ ହେଲେ ଉପସର୍ଗ ଦୂର କରି ରୋଗ ନିରାକୃତ କରିବା ବହୁ ଆୟାସସାଧ୍ୟ । ଆଜି ଭାରତର ଜାତୀୟତା ବଡ଼ ଉଦ୍‌ବେଳିତ । ଭିନ୍ନ ଭିନ୍ନ ଦଳ ସୃଷ୍ଟି କରି ଭାରତୀୟ ରାଜନୀତିଜ୍ଞମାନେ ଦେଶର କି କଲ୍ୟାଣ କରୁଛନ୍ତି, ତାହା ସହଜରେ କହି ହେବ ନାହିଁ । ଅଧିକାଂଶ ସ୍ଥଳରେ ଜାତୀୟ ସ୍ୱାର୍ଥ ପ୍ରତି ଦୃଷ୍ଟି ନ ଦେଇ କେବଳ ଆତ୍ମଗୌରବ ରକ୍ଷା ଲାଗି ଦଳଗତ ସ୍ୱାର୍ଥର ସମର୍ଥନ କରାଯାଉଛି । ଉଚ୍ଛୃଙ୍ଖଳତାରୁ ଏପରି ଅବସ୍ଥାର ସୃଷ୍ଟି । ଜାତୀୟତା ଗଠନ ସମୟରେ ପରସ୍ପର ବିରୋଧୀ କର୍ମୀମାନଙ୍କଦ୍ୱାରା ଦେଶର ଯାହା ଅହିତ ହୁଏ, ତାହା ସ୍ଥୂଳ ଦୃଷ୍ଟିରେ ଜଣାଯାଏ ନାହିଁ; କିନ୍ତୁ ତାର ବିଷମୟ ପରିଣାମ ଭାବୀ ବଂଶଧରମାନଙ୍କୁ ଭୋଗ କରିବାକୁ ପଡ଼େ । କେବଳ ଅଗ୍ରଗତିକୁ ଲକ୍ଷ୍ୟ ରଖି ଚାଲିଲେ ଦୋଷାବହ ବିଷୟମାନଙ୍କୁ ସାଧାରଣତଃ ଉପେକ୍ଷା କରାଯାଇଥାଏ । ଆକାଙ୍କ୍ଷା କିଞ୍ଚିତ୍‌ ପୂର୍ଣ୍ଣ ହେଲେ ସୁଦ୍ଧା ଉଦ୍ଦେଶ୍ୟ ସାଧିତ ହୁଏ ନାହିଁ । ଜାତୀୟ ଜୀବନରୁ ଶିଥିଳତା, ସଂକୀର୍ଣ୍ଣତା ପ୍ରଭୃତି ଦୂର କରି ଯେଉଁ ନିଷ୍ଠାର ଭିତ୍ତି ସ୍ଥାପନ କରାଯାଏ, ତାହା ଏକତା ଓ ସମୂହ-ସାଧନା ଉପରେ ଆରୋପ କରାଯାଇପାରେ । ଜାତିର ବିପର୍ଯ୍ୟସ୍ତ ଅବସ୍ଥାରେ କେବଳ ସତ୍‌କର୍ମୀମାନଙ୍କର ଅଗ୍ରଗାମୀ ହେବା ଆବଶ୍ୟକ । ସେମାନଙ୍କର ଏକନିଷ୍ଠ ଭାବ ଜାତିର କଲ୍ୟାଣ ସାଧନ କରେ । ରୁଦ୍ଧ ଜାତୀୟ ଆବେଗକୁ ସେମାନେ ମୁକ୍ତବାୟୁରେ ଖେଳାଇ ଦିଅନ୍ତି । କୁସଂସ୍କାର-ବିଷର ବ୍ୟାପକତାରେ ସେମାନେ ନିଜ ପ୍ରାଣ ବିସର୍ଜନ ଦେଇ ପ୍ରତିରୋଧକ ହୁଅନ୍ତି । ଜାତୀୟ ସଙ୍କଟ-ବହ୍ନିରେ ସତ୍‌କର୍ମୀ ଅକାତରରେ ନିଜର ପ୍ରାଣକୁ ଆହୁତି ଦିଏ । ସେ ଜାତିର ଧ୍ୱଂସ ଦେଖିପାରେ ନାହିଁ । ଗୋଟାଏ କରୁଣ ଦୃଶ୍ୟରେ ତାର ପ୍ରାଣ ଆଲୋଡିତ ହୁଏ । ଜନ୍ମଭୂମିର ଉଦ୍ଧାର ଲାଗି ତା ଅନ୍ତରରୁ ଗୋଟାଏ ସତେଜ ବାଣୀ ଭାସି ଆସେ । ସେ ସଙ୍କେତ ଦିଏ, ଜାଗ୍ରତ ରହିବା ପାଇଁ । ସଂକ୍ରାମକ ରୋଗର ପ୍ରତିଷେଧକ ଉଦ୍ଭାବନ କଲା ପରି ସେ କେତେଗୁଡ଼ିଏ ସୁଗମ ପନ୍ଥା ସ୍ଥିର କରିଦିଏ, ଯାହାକୁ ଅନୁସରଣ କରି ଜାତିର ମୌଳିକତା ରକ୍ଷା ପାଇଯାଏ ।

 

ମହାମତି Helps କହିଛନ୍ତି, ‘‘Coercion is but small part of Government’’. ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଇ ଦମନନୀତି ଚଳାଇ ଯେଉଁ ଶାସନର ପ୍ରତିଷ୍ଠା କରାଯାଏ, ତାହା ସଂପୂର୍ଣ୍ଣ ହିଂସାତ୍ମକ । ପୁଣ୍ୟଶ୍ଳୋକ ନରପତି ଅଶୋକ ହିଂସାପ୍ରଣୋଦିତ ତରବାରୀକୁ ଅବଜ୍ଞା କରି ଯେଉଁ ଅନୁଶାସନମାନ ଭାରତରେ ଘୋଷଣା କରିଥିଲେ, ସେସବୁ ଅଦ୍ୟାପି ନିବିଡ଼ ଅରଣ୍ୟର ଗୁମ୍ଫାମାନଙ୍କରେ ଦୃଷ୍ଟିଗୋଚର ହୁଏ । ଅଶୋକ ଶାସନର ପରବର୍ତ୍ତୀ ଯୁଗରେ ଭାରତର ଐଶ୍ୱର୍ଯ୍ୟପ୍ରତି ଆକୃଷ୍ଟ ହୋଇ କେତେକ ଲୁଣ୍ଠନକାରୀ ଆସି ଭାରତୀୟକୁ ପଦଦଳିତ କଲେ, ସେ ତାକୁ ଅକୁଣ୍ଠିତରେ ସହିଗଲା ।

 

ପୂର୍ବପୁରୁଷର ଶୌର୍ଯ୍ୟ ତାର ନ ଥିବାରୁ ସେ ଲୁଣ୍ଠନକାରୀଙ୍କୁ ବିନା ଆପତ୍ତିରେ ଦେଶ ଛାଡ଼ିଦେଲା । ଦେଶ ଓ ଜାତିର ମହତ୍ତ୍ୱ ରକ୍ଷା କରିବା ସକାଶେ ବହିଃଶତ୍ରୁ ସଙ୍ଗେ ଯୁଦ୍ଧ କଲେ ଅନ୍ୟାୟ କିମ୍ୱା ଅହିଂସାର ପ୍ରମାଣ ମିଳେ ନାହିଁ । ତାହା ହୋଇଥିଲେ, ଭଗବାନ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ସେମାନଙ୍କର ଜ୍ଞାତିମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଉତ୍ସାହିତ କରି ନ ଥାନ୍ତେ-। ସମରର ଯେଉଁସବୁ ନିୟମ ଯୋଦ୍ଧାମାନଙ୍କୁ ପାଳନ କରିବାକୁ ପଡ଼େ, ସେଥିରେ ଅନ୍ୟାୟ ସମରକୁ କେବଳ ହିଂସାଜନିତ କୁହାଯାଇଥାଏ । ଅନ୍ୟାୟ ଓ ଅତ୍ୟାଚାରର ଦୂରୀକରଣ ପାଇଁ ସମରର ଆବଶ୍ୟକତା ସମସ୍ତେ ସ୍ୱୀକାର କରିବେ । ସଭ୍ୟତାର ଅଭିବୃଦ୍ଧିରେ ଏହାର ସାହାଯ୍ୟ କେତେ ଦୂର ଗ୍ରହଣୀୟ, ତାହା ଆଧୁନିକ ଜାତିମାନଙ୍କର କାର୍ଯ୍ୟକଳାପରୁ ଅନୁମାନ କରାଯାଇପାରେ । ଗତ ମହାସମର ପରେ ଇଉରୋପର ଶ୍ରୀ ନଷ୍ଟ ହୋଇଗଲା । ପାଶ୍ଚାତ୍ୟ ଜାତିମାନେ ଜାତିସଂଘ ଗଠନ କରି ତଦ୍ଦ୍ୱାରା ଆନ୍ତର୍ଜାତିକ ମନୋମାଳିନ୍ୟ ଦୂର କରିବାର ପନ୍ଥା ନିର୍ଦ୍ଦେଶ କଲେ; କିନ୍ତୁ ଉଦ୍ଦେଶ୍ୟ ସାଧିତ ହୋଇପାରିଲା ନାହିଁ । ଆଜି ପୁଣି ଗୋଟାଏ ସନ୍ଦେହର କାଳିମା ସମସ୍ତେ ସଭ୍ୟ ଜାତିକୁ ବିବ୍ରତ କରି ପକାଇଲାଣି; ଶଙ୍କିତଚିତ୍ତରେ ପ୍ରବଳ ଶକ୍ତିମାନେ ସେମାନଙ୍କର ସ୍ୱାର୍ଥରକ୍ଷା ଲାଗି ସତର୍କ ହେଲେଣି । ଯେତେ ଦିନଯାଏ ପ୍ରବଳ ଦୁର୍ବଳ ଉପରେ ଆଧିପତ୍ୟ ବିସ୍ତାର କରିବାକୁ ସୁଖ ଅନୁଭବ କରୁଥିବ, ସେତେ ଦିନଯାଏ ହିଂସା ପ୍ରକାଶ୍ୟ କିମ୍ୱା ପ୍ରଚ୍ଛନ୍ନ ଭାବରେ ରକ୍ତପାତ ପାଇଁ ଉତ୍ତେଜନା ଦେବ । ଅନେକ ସମୟରେ ମନୁଷ୍ୟର ଅବଲମ୍ୱିତ ଧର୍ମ ଓ ସାମାଜିକ ପ୍ରଥା ଜାତୀୟତାକୁ ସ୍ୱତନ୍ତ୍ର ଛାଞ୍ଚରେ ଗଢ଼ିଥାଏ । ଏହି ସ୍ୱତନ୍ତ୍ରତା ଘେନି ଗୋଟାଏ ଜାତିର ଦୃଷ୍ଟି ଅପର ଅପେକ୍ଷା ସଂକୀର୍ଣ୍ଣ କିମ୍ୱା ଉଦାର ହୁଏ । ଉପର୍ଯ୍ୟୁକ୍ତ ବ୍ୟବଧାନ ଅନୁସାରେ ଭାରତୀୟର ଯେଉଁ ପାର୍ଥକ୍ୟ ରହିଅଛି, ସେଥିରେ ଅନ୍ୟ ଜାତିମାନଙ୍କର ନିଜସ୍ୱ କରିନେବାର କିଛି ନାହିଁ କହିଲେ ଚଳେ । ଭାରତ ଯେପରି ଅହିଂସା-ବ୍ରତ ପାଳନ କରିବାକୁ ସମର୍ଥ, ତାହା ଅନ୍ୟମାନଙ୍କ ପକ୍ଷରେ ସମ୍ଭବପର ନୁହେଁ । ଧର୍ମର ଅବନତି ଘଟିବାରୁ ଭାରତୀୟ ଗୋଟାଏ ଛାୟା ଅନୁସରଣ କରି ଆଜିଯାଏ ଅଗ୍ରସର ହୋଇଥିଲେ; ଅହିଂସା ନାମରେ ଭୀରୁତାକୁ ଆଶ୍ରୟ କରିଥିଲା-। ଅହିଂସାକୁ ଜାତୀୟ ଜୀବନର ଲକ୍ଷ୍ୟ ସ୍ୱରୂପ ଧରିବାଦ୍ୱାରା ମାନବିକତାର ଶ୍ରେଷ୍ଠ ନିଦର୍ଶନ ମିଳେ ବୋଲି ସେ ଭୁଲିଯାଇଥିଲା । ପତିତ ଅବସ୍ଥାରୁ ହଠାତ୍‌ ମହତ୍‌ ଆଦର୍ଶ ଅନୁସରଣ କରିବା କଷ୍ଟକର ହୁଏ, ଚରିତ୍ରହୀନତା ଏ ପଥରେ ବାଧା ଦିଏ । ଆଦର୍ଶର ଅନୁଭବରେ ଯେଉଁ ଜାଗରଣ ହୁଏ, ତାହା ଶତ ବାଧା ଏଡ଼ି ପୁଣି ପୂର୍ବର ଲୁପ୍ତ ଗୌରବ ଉଦ୍ଧାର କରେ । ଭାରତର ଦିନ ଆସୁଛି, ଯେତେବେଳେ ତାର ଆଦର୍ଶ ଜଗତ ସମକ୍ଷରେ ଆଦରଣୀୟ ହେବ ଏବଂ ବିଶ୍ୱବାସୀ ଭାରତରୁ ଜ୍ଞାନାଲୋକ ପାଇ ନିଜକୁ ଧନ୍ୟ ମନେ କରିବେ ।

 

ପାର୍ଥିବ ବିଷୟମାନଙ୍କରେ ସର୍ବଦା ଆକୃଷ୍ଟ ହେଲେ ମନୋବୃତ୍ତିଗୁଡ଼ିକ ଗୋଟାଏ ଅସ୍ଥାୟୀ ମାର୍ଗରେ ଧାବିତ ହୁଅନ୍ତି । ସାମୟିକ ସୁଖସ୍ୱାଚ୍ଛନ୍ଦ୍ୟ ଜୀବନର ପ୍ରଧାନ ଉଦ୍ଦେଶ୍ୟ ହୁଏ । ସାଂସାରିକ ଶ୍ରୀବୃଦ୍ଧି ସକାଶେ ପ୍ରାଣର ଆକାଙ୍‌କ୍ଷା ପ୍ରବଳ ବେଗରେ ବଢ଼ିଉଠେ । ବସ୍ତୁ-ମୋହ ମନକୁ ସର୍ବଦା ଟାଣି ରଖେ । ଆଶାପାଶ ନିତ୍ୟ ନୂତନ କଳ୍ପନା-ସୌଧ ସୃଷ୍ଟି କରେ । ମନୁଷ୍ୟତାର ସୁଲଭ ସହଚର ଦୁର୍ବଳତାକୁ ସୁଦୃଢ଼ରୂପେ ଧରିରଖେ । ଗୋଟାଏ କୁଭୁକ୍ଷୁ ଆକର୍ଷଣ ନିକଟରେ ସେ ନିଜତ୍ୱ ହଜାଇଦିଏ । ମନୁଷ୍ୟତ୍ୱର ପରିଣତି କେବଳ ଜୀବତ୍ୱରେ ପର୍ଯ୍ୟବସିତ ହୁଏ, ଏହି ଅବସ୍ଥାରେ ଯେଉଁ ଶକ୍ତିସବୁ ଉନ୍ମେଷିତ ହୁଅନ୍ତି, ସେମାନଙ୍କର ସୀମା କ୍ଷୁଦ୍ର ପରିସର ମଧ୍ୟରେ ଆବଦ୍ଧ ଥାଏ । ପ୍ରାରବ୍ଧ କିମ୍ୱା ସଞ୍ଚିତ କର୍ମଫଳ ପ୍ରତି ମନୁଷ୍ୟ ଦୃଷ୍ଟି ଦିଏ ନାହିଁ । ନିଜ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ଏକ ବିଶାଳ ଯଶ ଅର୍ଜନ କରିବ ବୋଲି ସେ ଅଗ୍ରସର ହୁଏ । ଅଧ୍ୟବସାୟ ବଳରେ ସବୁ ବାଧା ଦୂର କରିବା ବିଶ୍ୱାସ ତା ମନରେ ଦୃଢ଼ୀଭୂତ ହୁଏ । ପାର୍ଥିବ କାର୍ଯ୍ୟ ସାଧନଦ୍ୱାରା ଅହଙ୍କାର ଓ ଦର୍ପ ମନରେ ଆବିଳତା ସଞ୍ଚୟ କରି ମାନବର ଦୃଷ୍ଟି ସମ୍ମୁଖରେ କେତେ ମନୋମୋହକାରୀ ଚିତ୍ର ଆଙ୍କିଦିଏ । ହୃଦୟର ଆବେଗରେ ମନୁଷ୍ୟ ସେମାନଙ୍କୁ ଅନୁସରଣ କରେ ଗୋଟାଏ ବାସ୍ତବ ରାଜ୍ୟ ସୃଷ୍ଟି କରିବା ପାଇଁ । ଏହି ପ୍ରବଳ ଆକାଙ୍‌କ୍ଷା ତାକୁ ସତ୍ୟସନ୍ଧାନ କାର୍ଯ୍ୟରୁ ବିରତ କରାଏ । ନିଜ ଈପ୍ସିତ ମାର୍ଗ ଅବଲମ୍ୱନ କରିବାକୁ ଯାଇ ସେ ବଡ଼ ସ୍ୱାର୍ଥପର ହୋଇଯାଏ । ଅନ୍ୟର ଅନିଷ୍ଟ ସାଧନଦ୍ୱାରା ନିଜର ତୃପ୍ତିଲାଭ କରିବା ତା ପକ୍ଷରେ ଗୌରବଜନକ ହୁଏ । ଭାରତର ଅତୀତ ଇତିହାସ ଏହାର ପ୍ରଧାନ ସାକ୍ଷୀ । ଯେତେ ଥର ଭାରତ ଲୁବ୍‌ଧକର ହିଂସା-ପ୍ରଣୋଦିତ କାର୍ଯ୍ୟରେ ବିଚଳିତ ହୋଇଛି, ସେତେ ଥର ତାର ଆଭ୍ୟନ୍ତରିକ ଅବସ୍ଥାରେ ଘୋର ପରିବର୍ତ୍ତନ ଆସିଛି । ହତ୍ୟା ଓ ଅନ୍ୟାନ୍ୟ ପୈଶାଚିକ କାର୍ଯ୍ୟମାନଙ୍କର ପରିଣତି ମଧ୍ୟ ପ୍ରମାଣିତ ହୋଇଅଛି । ଔରଙ୍ଗଜିବ୍‌ଙ୍କର କୁଟିଳ ଓ ସଂକୀର୍ଣ୍ଣ ନୀତି ପରିବର୍ତ୍ତନରେ ବିଶାଳ ମୋଗଲ ରାଜ୍ୟର ପତନ ଆରବ୍ଧ ହେଲା । ତାଙ୍କ ପୂର୍ବବର୍ତ୍ତୀ ସମ୍ରାଟ୍‌ ଆକବରଙ୍କ ସାମ୍ୟନୀତି ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଯେଉଁ ମୈତ୍ରୀ ସ୍ଥାପନ କରିଥିଲା, ତାହା ଆସ୍ତେ ଆସ୍ତେ ଦୂର ହୋଇଗଲା । ଭାରତର ଜାତୀୟତା ଭିନ୍ନ ଆକାର ଧାରଣ କଲା । ବିଦ୍ୱେଷ ଭାବ ଉଭୟ ହିନ୍ଦୁ ଓ ମୁସଲମାନ ହୃଦୟକୁ ଆଚ୍ଛନ୍ନ କରି ପକାଇଲା । ଧର୍ମର ଦ୍ୱାହି ଦେଇ ଯେଉଁ ପାର୍ଥକ୍ୟ ସୃଷ୍ଟି କରାଗଲା, ତଦ୍ଦ୍ୱାରା ଭାରତ ହୀନବଳ ହୋଇ ପଡ଼ିଲା । ରାଜଶକ୍ତିକୁ ଅବଜ୍ଞା କରିବା ପାଇଁ ହିନ୍ଦୁ ତିଳେମାତ୍ର କୁଣ୍ଠା ବୋଧ କଲା ନାହିଁ । ଅତ୍ୟାଚାର ଓ ଅପମାନ ଭୋଗ କରି ହିନ୍ଦୁ ପ୍ରତିହିଂସାର ଆଶ୍ରୟ ଲୋଡ଼ିଲା । ଯେ ବିଷ ଭାରତ ବକ୍ଷରେ ସଞ୍ଚାରିତ ହେଲା, ତାହାର କ୍ରିୟା ଆଜି ସୁଦ୍ଧା ଦେଖା ଦେଉଛି । ଭାରତ କେବେ ସେ ବିଷରୁ ନିଷ୍କୃତି ପାଇବ, ତାହା ସହଜରେ କହିହେବ ନାହିଁ ।

 

ଶାସନଯନ୍ତ୍ରର ପରିଚାଳନା ଉପରେ ଦେଶର ସାମାଜିକ ଅବସ୍ଥା ନିର୍ଭର କରେ । ସାମାଜିକ ଉନ୍ନତିରେ ସମଗ୍ର ଦେଶର କଲ୍ୟାଣ ଓ ଶାନ୍ତି ନିହିତ ଥାଏ । ସେଥିପ୍ରତି ଉଦାସୀନ ହେଲେ ଅନୁଦାର ଭାବ କ୍ରମଶଃ ସଞ୍ଚିତ ହୋଇ ସ୍ୱଦେଶ-ପ୍ରୀତିକୁ ମନୁଷ୍ୟ ମନରୁ ଅନ୍ତର କରାଏ । ତହୁଁ ତାର ସ୍ୱାର୍ଥସଂଶ୍ଳିଷ୍ଟ ଅବସନ୍ନ ହୃଦୟ ଜାତୀୟ ବିପାକରେ କଷ୍ଟ ଅନୁଭବ କରେ ନାହିଁ ।

 

କେବଳ ନିଜର କିମ୍ୱା ସମ୍ପର୍କୀୟ କେତେଗୁଡ଼ିଏ ଲୋକଙ୍କର ସ୍ୱାଚ୍ଛନ୍ଦ୍ୟ ଦେଖିଲେ ସେ ଯଥେଷ୍ଟ ଆଏ ନନ୍ଦ ପା । ଏହି ଆନନ୍ଦରେ ହିଂସା-ଭାବ ଆତ୍ମଗୋପନ କରିଥାଏ । ସ୍ୱୀୟ ପରିଜନମାନଙ୍କର ମଙ୍ଗଳ କରିବାକୁ ଯାଇ ମନୁଷ୍ୟ ସାଧାରଣତଃ ଯେଉଁ ଉତ୍ତେଜନାର ବଶବର୍ତ୍ତୀ ହୋଇଥାଏ, ତାହା କାମନାର ଗୋଟାଏ ଅଙ୍ଗ । କାମ ଓ ହିଂସାର ସମ୍ୱନ୍ଧ ବଡ଼ ଘନିଷ୍ଠ । ଗୋଟିକର ଉଦ୍ରେକ ହେଲେ ଅନ୍ୟଟିର ଆବିର୍ଭାବ ଅବଶ୍ୟମ୍ଭାବୀ ହୋଇପଡ଼େ । ମନୁଷ୍ୟ ହୃଦୟରୁ ଉପର୍ଯ୍ୟୁକ୍ତ ପ୍ରବୃତ୍ତି ଦୁହିଁଙ୍କୁ ସମୂଳେ ନଷ୍ଟ କରିବା ଯେ କୌଣସି ଉନ୍ନତ ଶାସକ କିମ୍ୱା ରାଜନୀତିଜ୍ଞ ପକ୍ଷରେ ସମ୍ଭବପର ନୁହେ । ଦେବତାର ଆସନ ନ ପାଇବା ଯାଏ ମନୁଷ୍ୟ ହିଂସା, ଲୋଭ ପ୍ରଭୃତି ପ୍ରବୃତ୍ତିମାନଙ୍କର ଅଧୀନ ରହିବ । ଅବଶ୍ୟ ଉପଯୁକ୍ତ ଶିକ୍ଷାପ୍ରଣାଳୀରେ ପ୍ରବୃତ୍ତିମାନେ ମାର୍ଜିତ ହୋଇପାରନ୍ତି; କିନ୍ତୁ ସେମାନଙ୍କର ସମ୍ପୂର୍ଣ୍ଣ ଲୋପସାଧନ ପାଇଁ ମାନବିକତାକୁ ସ୍ୱତନ୍ତ୍ର ମାର୍ଗରେ ଚାଳିତ କରିବାକୁ ପଡ଼ିବ, ଗୋଟିଏ ଅପାର୍ଥିବ ଆଦର୍ଶରେ ମାନବଜାତି ଅନୁପ୍ରାଣିତ ହେବ । ତାର ଚିରପୋଷିତ ଆକାଙ୍କ୍ଷା ନୈରାଶ୍ୟରେ ପରିଣତ ହେଲେ ସୁଦ୍ଧା ସେ ସେଥିପ୍ରତି ଦୃକ୍‌ପାତ କରିବ ନାହିଁ । ସହସ୍ର ନିର୍ଯ୍ୟାତନା ଭୋଗ କରି ସେ କୌଣସି ପ୍ରତିକାର ଲୋଡ଼ିବ ନାହିଁ; ଆତ୍ମପର ଜ୍ଞାନ ଲୋପ ହେତୁ ନିଜର କିମ୍ୱା ଅପରର ଅନିଷ୍ଟ ସମାନ ମନେ କରିବ । ଏପରି ଅବସ୍ଥା ମନୁଷ୍ୟତ୍ୱର ଚରମ ବିକାଶ ହୋଇପାରେ; କିନ୍ତୁ ସମୟ ଉପଯୋଗୀ ନ ହେବାଯାଏ ସମଗ୍ର ମାନବ ଜାତିକୁ ଏ ଦିଗରେ ଅଗ୍ରସର କରାଇବାଦ୍ୱାରା କୌଣସି ବିପଦ ଘଟିବା ଅସମ୍ଭବ ନୁହେଁ ।

 

ଜାତୀୟତାବିକାଶର ସମୟ ନିର୍ଣ୍ଣୟ କରିବା ବିଚକ୍ଷଣ ରାଜନୀତିଜ୍ଞଙ୍କ ପକ୍ଷରେ ସହଜ ହୋଇପାରେ । ସେ ଦେଶର ଅବସ୍ଥା ଦୃଷ୍ଟିରେ ସାମାଜିକ ଜୀବନକୁ ଭିନ୍ନ ମାର୍ଗରେ ଗଢ଼ି ପାରନ୍ତି । କିନ୍ତୁ ଯେଉଁ ଦେଶରେ ବହୁବିଧ ସମାଜ, ଧର୍ମ, ସଭ୍ୟତା ପ୍ରଭୃତି ସର୍ବଦା ସ୍ୱତନ୍ତ୍ରତା-ପ୍ରୟାସୀ ହୋଇ ବିଭିନ୍ନ ପନ୍ଥା ସୃଷ୍ଟି କରନ୍ତି, ସେଠାରେ ଏକତାର ମନ୍ତ୍ର ଜାତୀୟ ପ୍ରାଣରେ ଜାଗରିତ କରିବା ବଡ଼ କଷ୍ଟକର । ରାଜନୀତିଜ୍ଞଙ୍କର ସୁଚିନ୍ତା ଓ ଆଦର୍ଶ କିଛି ଦିନ ଦେଶବାସୀଙ୍କୁ ପ୍ରଭାବିତ କରି ପୂର୍ଣ୍ଣରୂପେ କାର୍ଯ୍ୟକାରୀ ନ ହେଲେ ଗୋଟାଏ ବିକାର ଜନ୍ମେ । ସେଥିରେ ଦେଶର ଉନ୍ନତି ଅପେକ୍ଷା ବେଶି ଅବନତି ଘଟେ । ଅବିଶ୍ୱାସର ଚିହ୍ନ କର୍ମକ୍ଷେତ୍ରରେ ଦେଖାଦିଏ । କେବଳ କେତେଗୁଡ଼ିଏ ନୀତିବାକ୍ୟ କିମ୍ୱା ଆଦେଶ ପ୍ରଚାରିତ ହେଲେ ଦେଶର ଅଗ୍ରଗତିର ପରିଚୟ ମିଳେ ନାହିଁ । ଆତ୍ମବୋଧ ନ ଆସିଲେ ବାହ୍ୟ ଚାଞ୍ଚଲ୍ୟ ସୃଷ୍ଟି କରି ଜାତୀୟ ଜୀବନର ଶକ୍ତି ପରୀକ୍ଷା କରିବା ଉଚିତ ନୁହେଁ । ଅନିଚ୍ଛାପୂର୍ବକ ଯେଉଁ ଆଦର୍ଶର ଅନୁସରଣ କରାଯାଏ, ତାକୁ ବେଶି ଦିନ ସ୍ଥାୟୀ କରିବା ଅସମ୍ଭବ ହୁଏ । ନିର୍ଜୀବ ଶରୀରକୁ କୃତ୍ରିମ ଉପାୟରେ ଚାଳନା କଲା ପରି ଅଜ୍ଞାନତାପୂର୍ଣ୍ଣ ଦେଶର ଜାଗରଣ କ୍ଷଣସ୍ଥାୟୀ । ମନର ସ୍ୱଚ୍ଛନ୍ଦ ଗତି ନ ଜନ୍ମିବା ଯାଏ ମନୁଷ୍ୟ ବନ୍ଧନ ଦଶାକୁ ସୁଦ୍ଧା କ୍ଷତିକର ମନେ କରେ ନାହିଁ । ଏହି ଦଶାର ପରିବର୍ତ୍ତନ ନ ଆଣି ଆଦର୍ଶ ଦିଗରେ ଗତି କରିବା ଉଚିତ ନୁହେଁ । ପ୍ରବଳ ଝଡ଼ର ବିରାମ ଘଟିଲେ ପ୍ରକୃତିର ଶାନ୍ତ ମୂର୍ତ୍ତି ସ୍ୱତଃ ପ୍ରକାଶିତ ହୁଏ । ହିଂସାଭାବର ଆଧିକ୍ୟବଶତଃ ମନୁଷ୍ୟ ଜାତି ମଧ୍ୟରେ ଯେ ବିଦ୍ରୋହର ବହ୍ନି ଜଳି ଉଠେ, ତାକୁ ନିର୍ବାପିତ କରିବା ସହଜ ନୁହେଁ । ଅଗ୍ନିର ଇନ୍ଧନ ନିଃଶେଷ ହେଲେ ପୁଣି ସାଧାରଣ ଅବସ୍ଥା ଆସେ, ଏହା ପ୍ରାକୃତିକ ନିୟମ ।

 

ହିଂସା ଅଭୟର ପ୍ରତିଦ୍ୱନ୍ଦ୍ୱୀ । ପଶୁରାଜ ସିଂହ ଓ ଦୁର୍ଦ୍ଦମନୀୟ ଶତ୍ରୁକୁ ମନୁଷ୍ୟ ହିଂସା ପ୍ରଭାବରେ ଅଧୀନ କରେ ନାହିଁ ! ହିଂସାତ୍ମକ ନୀତିରେ ଦୁର୍ବଳତା ପ୍ରଚ୍ଛନ୍ନ ଥାଏ । କୌଣସି ଆକସ୍ମିକ ଦୁର୍ଘଟଣାରେ ଅସ୍ତ୍ରବଳର ଅଭାବ ଏଥିର ପ୍ରମାଣ ଦିଏ । ପିଶାଚ ପୈଶାଚିକ ବୃତ୍ତି ଆଚରଣ କରି ସାମୟିକ ତୃପ୍ତି ଅନୁଭବ କରେ । ନରରକ୍ତରେ ପୃଥିବୀ ରଞ୍ଜିତ ହେଲେ ତାର ବିଜୟୋଲ୍ଲାସ ପ୍ରକାଶିତ ହୁଏ । ଦରିଦ୍ରର ଦୈନ୍ୟ, ମୁମୂର୍ଷୁର ଯନ୍ତ୍ରଣା ଓ ଅସହାୟର ନିର୍ଯ୍ୟାତନାରେ ସେ ଆନନ୍ଦ ପାଏ । ପଶୁବଳ ପ୍ରବଳ ହୋଇ ତାର ଅନ୍ତର୍ନିହିତ ଦୈବୀ ସମ୍ପଦମାନଙ୍କୁ ଆଚ୍ଛନ୍ନ କରିପକାଏ । ସେ ଦେଖେ, ଗୋଟାଏ ଆସୁରୀ ଚିତ୍ର, ଯାହା ନିକଟରେ ନିଜତ୍ୱ ରକ୍ଷା କରିବାକୁ ସେ ସ୍ୱଭାବବିରୁଦ୍ଧ ମନେ କରେ । ଅଦମ୍ୟ ହିଂସାଭାବକୁ ସତେଜ କରି ଗୋଟାଏ ପ୍ରଳୟ କାଣ୍ଡ କରିବା ତା ଜୀବନର ଲକ୍ଷ୍ୟ ହୁଏ । ଦିନେ ବିଜିଗୀଷ ତୈମୁର ନରଶୋଣିତରେ ଭାରତବକ୍ଷ ପ୍ଳାବିତ କରି ଯେଉଁ କଳଙ୍କ ରଖିଦେଇ ଗଲା, ତାହା ଭାରତବାସୀ କଦାପି ବିସ୍ମୃତ ହେବେ ନାହିଁ ।

 

ହିଂସା ପ୍ରତିହିଂସାର ବୀଜ ରୋପଣ କରେ । ନିଷ୍ପୀଡ଼ିତ ଜାତିର ଭାବୀ ବଂଶଧରମାନେ ଅତୀତର ଅତ୍ୟାଚାରକୁ ସ୍ମରଣ କରି ପ୍ରତିକାର ବିଧାନ କରନ୍ତି, ତାହା ରୋପିତ ବୃକ୍ଷର ଫଳ ସ୍ୱରୂପ-। ସଂସାରରେ ଅନ୍ୟାୟ ଓ ଅତ୍ୟାଚାର କଲେ ସେହି ଦୁଷ୍କତିର ଫଳ ନିଶ୍ଚୟ ଭୋଗ କରିବାକୁ ପଡ଼େ-। ନିଜେ ନ ଭୋଗିଲେ ସୁଦ୍ଧା ନିଜର ଭବିଷ୍ୟତ୍‌ ବଂଶଧରମାନଙ୍କୁ ସେହି ପାପର ପ୍ରାୟଶ୍ଚିତ୍ତ କରିବାକୁ ହୁଏ । ହିଂସାର ବିକଟ ମୂର୍ତ୍ତି ଯେତେବେଳେ ପ୍ରତିହିଂସାରେ ଅନ୍ୟ ଆକାରରେ ଦେଖାଦିଏ, ସେତେବେଳେ ହିଂସ୍ରକର ଗୋଟାଏ କ୍ଷିପ୍ତତା ଆସେ; ଚତୁର୍ଦ୍ଦିଗରୁ ସଂକଟ ମାଡ଼ି ଆସିଲା ପରି ଜଣାଯାଏ । ସେ ମନେ କରେ, ସର୍ବଦା ଯେପରି ଗୋଟାଏ ଲେଲିହମାନ ଜିହ୍ୱାତା ପ୍ରାଣକୁ ଗ୍ରାସ କରିବାକୁ ଧାଇଁଛି ! ନରକଗାମୀ ହେଲେ ସୁଦ୍ଧା ସେ ମୁହୂର୍ତ୍ତକ ପାଇଁ ଶାନ୍ତି ପାଏ ନାହିଁ । ପ୍ରାଚୀନ ଭାରତୀୟମାନେ ଧର୍ମନୀତି ପ୍ରଚଳନ କଲାବେଳେ ହିଂସାର ମାରାତ୍ମକତା ଅନୁଭବ କରି ଯେଉଁ ସାମାଜିକତାର ସୂତ୍ରପାତ କଲେ, ତାହା ଅନ୍ୟ ଜାତିମାନଙ୍କର ଦୁର୍ଜ୍ଞେୟ । ଭାରତର ବର୍ତ୍ତମାନ ପତିତ ଅବସ୍ଥା ପ୍ରତି କଟାକ୍ଷ କରି ଯେଉଁମାନେ ଭାରତୀୟ ଧର୍ମକୁ ଉପହାସ କରନ୍ତି, ସେମାନଙ୍କର ପରୀକ୍ଷାର ଦିନ ଆସୁଛି ।

•••

 

ସମର ପ୍ରସଙ୍ଗ

ମନୁଷ୍ୟ ଜୀବନଟା ଗୋଟାଏ ପ୍ରବଳ ସଂଗ୍ରାମର ନାମାନ୍ତର ମାତ୍ର । ଆୟର୍ଲାଣ୍ଡର ସ୍ୱନାମଧନ୍ୟ ମନସ୍ୱୀ Mac Swiney ଜୀବନର ଘଟନାମାନଙ୍କୁ ଯୁଦ୍ଧକ୍ଷେତ୍ରର ଭୀଷଣ ଦୃଶ୍ୟ ସଙ୍ଗେ ସମାନ ଦେଖିଛନ୍ତି । ସେ କହନ୍ତି– ‘‘Life is a battle-field-a great battle field and any hour in the day a man’s flag may be challenged and he must stand and justify it.’’ କେତେବେଳେ କି ଭାବରେ ଜୀବନର ଗତି ନିୟନ୍ତ୍ରିତ ହୋଇ କର୍ମକ୍ଷେତ୍ରରେ ଗୋଟାଏ ବିପ୍ଳବ ସୃଷ୍ଟି କରେ ଏବଂ ସେଥିରେ ମନୁଷ୍ୟ ସଂଶ୍ଳିଷ୍ଟ ଥାଇ ନିଜର ଜୟପରାଜୟ ସ୍ୱୀକାର କରେ, ତାହା ସାଧାରଣ ଲୋକ ସହଜରେ ଧାରଣା କରି ପାରେ ନାହିଁ । ପାର୍ଥିବ କାର୍ଯ୍ୟ ସମ୍ପାଦନଦ୍ୱାରା ପ୍ରତ୍ୟେକେ ନିଜ ନିଜର କର୍ତ୍ତବ୍ୟ ପାଳନ କରିଥାନ୍ତି । ବ୍ୟକ୍ତିବିଶେଷଙ୍କର ସ୍ୱାଧୀନ ମତାବଲମ୍ୱନରେ କର୍ତ୍ତବ୍ୟର ପଥ ସ୍ଥିରୀକୃତ ହୁଏ ନାହିଁ । ବିବିଧ କର୍ମପନ୍ଥା ଦୃଷ୍ଟିରେ କର୍ତ୍ତବ୍ୟର ଭିନ୍ନତା ବୋଧ ହେଲେ ସୁଦ୍ଧା ତାର ସ୍ୱରୂପ ଗୋଟାଏ ବୋଲି ଧରିବାକୁ ହେବ । ରାଜନୀତିଜ୍ଞ, ଧର୍ମପ୍ରଚାରକ, ସୈନ୍ୟାଧ୍ୟକ୍ଷ, ବୈଜ୍ଞାନିକ ପ୍ରଭୃତିଙ୍କ ଠାରୁ ଆରମ୍ଭ କରି ରାଜମାର୍ଗର ସାମାନ୍ୟ ପ୍ରହରୀ ପର୍ଯ୍ୟନ୍ତ ସମସ୍ତେ ଏକ କର୍ମସୂତ୍ରରେ ଆବଦ୍ଧ । ଜଣକର କର୍ମ-ପରାଙ୍‌ମୁଖତା ଅନ୍ୟର କର୍ମକୁଶଳତାଦ୍ୱାରା ଦୂର ହୁଏ ନାହିଁ । ଯନ୍ତ୍ରର ପ୍ରତ୍ୟେକ ଅଙ୍ଗକୁ କାର୍ଯ୍ୟକାରୀ କରିବାକୁ ଯେପରି ଗୋଟିଏ ଶକ୍ତି ଲୋଡ଼ା ହୁଏ, ସେହିପରି ବିଭିନ୍ନ ଶ୍ରେଣୀର କର୍ମୀମାନେ ନିର୍ଦ୍ଦିଷ୍ଟ କର୍ମସମ୍ପାଦନଦ୍ୱାରା ଏକ ଶକ୍ତିର ଭିନ୍ନତା ପ୍ରତିପାଦନ କରନ୍ତି । କର୍ମଜଗତରେ ସମସ୍ତଙ୍କର ଆସନ ସମାନ ନୁହେଁ । ଯେଉଁ ବୈଶିଷ୍ଟ୍ୟ ଅଛି, ତଦ୍ଦ୍ୱାରା ଜଗତର ମଙ୍ଗଳ ଓ ଧର୍ମ ପାଳିତ ହୁଏ ।

 

ହୃଦୟର କୋମଳତା ସାଧାରଣତଃ କର୍ମସମ୍ପାଦନରେ ବାଧା ଦେଇଥାଏ । ସୈନିକ ସମ୍ମୁଖ ସମରରେ ଅଗ୍ରସର ହେଲାବେଳେ ସଂସାରର ସବୁ ମାୟାମମତା ଭୁଲିଯାଇଥାଏ; କିନ୍ତୁ ଗୃହତ୍ୟାଗ କରି ସମରକ୍ଷେତ୍ରକୁ ଆସିଲା ବେଳେ ତାର ସେ ଭାବ ଆସି ନ ଥାଏ । ତାର ପ୍ରତି ପଦକ୍ଷେପରେ ଗୋଟାଏ ମର୍ମନ୍ତୁଦ ଭାବ ଫୁଟି ଉଠୁଥାଏ । ସେ ଦେଖୁଥାଏ ପ୍ରେୟସୀ ଓ ସନ୍ତାନମାନଙ୍କର କରୁଣ ଚିତ୍ର ! କଠୋର କର୍ତ୍ତବ୍ୟ କିଛି ମାନେ ନାହିଁ । ଅନ୍ତରର ଦେବତା ତାକୁ ଇଙ୍ଗିତ ଦିଅନ୍ତି, ସବୁ ଭୁଲିଯିବାପାଇଁ । ଦିନେ ବୀରାଗ୍ରଣୀ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କର ଏହି ବାଣୀ ଶୁଣିଥିଲେ । ମନୁଷ୍ୟର ସ୍ୱାଭାବିକ ସ୍ନେହପ୍ରବଣତା କର୍ତ୍ତବ୍ୟ ନିକଟରେ ନିତାନ୍ତ ତୁଚ୍ଛ ଓ ପରିହାର୍ଯ୍ୟ । କେବଳ ଖ୍ୟାତିଲାଭ ଉଦ୍ଦେଶ୍ୟରେ କର୍ତ୍ତବ୍ୟ ପାଳିବାକୁ ହୁଏ ନାହିଁ । ନିଜର ବିବେକବାଣୀ ଶୁଣି ପାରିଲେ କର୍ତ୍ତବ୍ୟବୋଧ ଜନ୍ମେ । ଶ୍ରୀକୃଷ୍ଣଙ୍କର ଅଜେୟ ଶକ୍ତି ନିକଟରେ କୋମଳତାର ସ୍ଥାନ ନ ଥିଲା । ସେ ପାର୍ଥିବ ବସ୍ତୁକୁ ହେୟଜ୍ଞାନ ନ କରି ସୁଦ୍ଧା ନୀତିରକ୍ଷାକୁ ମାନବଜୀବନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଗ୍ରହଣ କରୁଥିଲେ । ଦୁର୍ଯ୍ୟୋଧନ ବୃଷ୍ଣି ସୈନ୍ୟମାନଙ୍କୁ ଓ ଅର୍ଜୁନ ସ୍ୱୟଂ ଶ୍ରୀକୃଷ୍ଣଙ୍କୁ ପରସ୍ପରର ପକ୍ଷ ସମର୍ଥନ ପାଇଁ ବରଣ କରିଥିଲେ । ଅର୍ଜୁନ ଶେଷରେ ଜୟୀ ହେଲେ । ନୀତିବଳର ଶ୍ରେଷ୍ଠତ୍ୱ ପ୍ରମାଣିତ ହେଲା । ଫଳାକାଙ୍‌କ୍ଷା ନ ରଖି ସ୍ୱଧର୍ମ ପାଳନ କରିବା ପାଇଁ ଶ୍ରୀକୃଷ୍ଣଙ୍କର ଯେଉଁ ଆଦେଶ ହେଲା, ତାକୁ ଅର୍ଜୁନ ଗ୍ରହଣ କରି ସୁସ୍ଥିର ହେଲେ । ଯୁଦ୍ଧକ୍ଷେତ୍ରରେ ଭାବିଜ୍ଞାତିବଧର ଗ୍ଳାନି ତାଙ୍କ ମନରୁ ବିଦୂରିତ ହେଲା । ଅନେକ ସମୟରେ ମନର ଦୁର୍ବଳତା କର୍ମୀକୁ ଅନୁସୃତ ମାର୍ଗରୁ ଅନ୍ତର କରାଇଦିଏ । ମନୁଷ୍ୟ ସ୍ଥିର କରି ପାରେ ନାହିଁ, କେଉଁ ଦିଗରେ ଗତି କରି ସେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ । ଗୋଟାଏ ମୋହର ଆବରଣ ତା ମନକୁ ଆଚ୍ଛନ୍ନ କରି ପକାଏ । ଭିନ୍ନ ଚିତ୍ରରେ କର୍ତ୍ତବ୍ୟ ଦେଖାଦିଏ । ଏହି ସନ୍ଧିସ୍ଥଳରେ କର୍ମୀ ସ୍ୱଧର୍ମ ବିଚାର କରିବାପାଇଁ ପ୍ରସ୍ତୁତ ହେବା ଆବଶ୍ୟକ । ଯୁଦ୍ଧର ଅସାରତା ଉପଲବ୍‌ଧି କରି ଅର୍ଜୁନ ଯେତେବେଳେ ତାଙ୍କ ସ୍ୱଧର୍ମ ଭୁଲିଗଲେ, ସେତେବେଳେ ଶ୍ରୀକୃଷ୍ଣ ତାଙ୍କୁ ସ୍ୱାଭାବିକ ଗୁଣଭେଦରେ କର୍ମୀର ଭିନ୍ନତା ବୁଝାଇ ଯୁଦ୍ଧରେ ପ୍ରବୃତ୍ତ ହେବାପାଇଁ ଆଦେଶ ଦେଲେ । ଦୟା ଓ ସ୍ନେହର ନିବନ୍ଧନ ହୃଦୟରେ ଯେଉଁ ଛାୟା ପକାଏ, ତାକୁ ସ୍ପଷ୍ଟଭାବରେ ଦେଖି ନେବା ଉଚିତ । ଈଶ୍ୱରଙ୍କ ଅନନ୍ତ ସତ୍ତାରେ ଦୃଢ଼ ବିଶ୍ୱାସ ରଖି ମନୁଷ୍ୟ ଅଗ୍ରସର ହେଲେ କର୍ମପଥର ପ୍ରତିବନ୍ଧକସବୁ ଅତିକ୍ରମ କରିବାପାଇଁ ସେ କଷ୍ଟ ଅନୁଭବ କରେ ନାହିଁ-

 

ଧର୍ମଜ୍ଞାନ ନ ଜନ୍ମିଲେ କର୍ତ୍ତବ୍ୟ ସହଜରେ ସ୍ଥିର ହୁଏ ନାହିଁ । ଯୁଧିଷ୍ଠିରଙ୍କୁ ଯକ୍ଷ ଅଜ୍ଞାନତା ବିଷୟରେ ପ୍ରଶ୍ନ କଲାବେଳେ ସେ ଉତ୍ତର ଦେଲେ ଯେ, ନିଜର ଧର୍ମ ନ ଜାଣିବା ଲୋକକୁ ଅଜ୍ଞାନ କୁହାଯାଏ । ଆଜି ଭାରତର ଅଧିକାଂଶ ଲୋକ ସ୍ୱଧର୍ମର ମର୍ମ ବୁଝି ନାହାନ୍ତି । ସେଥିଯୋଗୁଁ ଏତେ ଅଶାନ୍ତି ଓ ଉପଦ୍ରବ ଭୋଗ କରିବାକୁ ପଡ଼ୁଛି । ଗୋଟାଏ ଦାସତ୍ୱ ଭାବରେ ଆମ୍ଭେମାନେ ପ୍ରଣୋଦିତ ହୋଇ ନିଜ ଜାତିର ଗୌରବମୟ ଆଦର୍ଶକୁ ଭୁଲିଯାଇଅଛୁଁ । ସ୍ୱାଧୀନ ମତ ଅନୁସରଣ କରି ନିଜତ୍ୱ ରକ୍ଷା କରିବା ଭାରତବାସୀ ପକ୍ଷରେ ବର୍ତ୍ତମାନ ଅସମ୍ଭବ କହିଲେ ଚଳେ । କେବଳ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହେଲେ ବୀରତ୍ୱର ପରିଚୟ ମିଳେ ନାହିଁ; ଜାତୀୟ ଜୀବନର ଅବରୁଦ୍ଧ ଗତିକୁ ସ୍ୱଚ୍ଛନ୍ଦ କରିପାରିଲେ ବିଜୟୀ ବୀରର ନିଦର୍ଶନ ମିଳିପାରେ । General Gordon ଏକାଧାରରେ ଋଷି ଓ ସୈନିକ ଥିଲେ । ସେ କହିଛନ୍ତି– ‘‘A true soldier can do no more than his duty’’ ସଂସାର କ୍ଷେତ୍ରରେ ନିଜର ଅଭିପ୍ରେତ କାର୍ଯ୍ୟଟି ସମ୍ପାଦନ କରି ପାରିଲେ ପ୍ରକୃତ ଯୋଦ୍ଧାର ସ୍ଥାନ ଅଧିକାର କରାଯାଏ । ଆର୍ଯ୍ୟଧର୍ମର ପତନ ଦେଖି ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ମହାଭାରତ ଯୁଦ୍ଧରେ ସମୁତ୍ସାହିତ କରିଥିଲେ । କେବଳ ସେତିକି ନୁହେଁ, ଯୁଗେ ଯୁଗେ ଧର୍ମର ପତନ ଓ ମନୁଷ୍ୟ ଆଦର୍ଶଭ୍ରଷ୍ଟ ହେଲାବେଳେ ଭଗବାନ ଅବତାର ଗ୍ରହଣ କରିବେ ବୋଲି ଯେଉଁ ଆଶ୍ୱାସନା ଦେଇଛନ୍ତି, ତାକୁ ଭାରତୀୟ ବିଶ୍ୱାସ କରିବାକୁ ଆଜି ପଶ୍ଚାତ୍ପଦ ! ଦୁର୍ଗତି ଆସିଲେ ପ୍ରତ୍ୟେକ ଦେଶବାସୀର ଏପରି ଅବସ୍ଥା ହୋଇଥାଏ । ସମସ୍ତେ ଉତ୍ଥାନ ପତନ ନିୟମର ଅଧୀନ । ସ୍ୱାର୍ଥପରତା ଓ ଅଧର୍ମାଚାରିତା ବେଶି ଦିନ ତିଷ୍ଠି ପାରେ ନାହିଁ । ଅନ୍ୟାୟର ପୋଷକତା କରି ବେଶି ଦିନ ରାଜ୍ୟଶାସନ କରିବା କୌରବମାନଙ୍କ ପକ୍ଷରେ ଅସମ୍ଭବ ହୋଇଉଠିଥିଲା । ଆଜି ପୁଣି ପୃଥିବୀରେ ଯେଉଁମାନେ ରାଜନୀତି କ୍ଷେତ୍ରରେ ଖୁବ୍‌ ବିଚକ୍ଷଣତା ଦେଖାଇ ସ୍ୱାର୍ଥକୁ ପ୍ରଚ୍ଛନ୍ନ ରଖି ଦୁର୍ବଳମାନଙ୍କର ସର୍ବସ୍ୱ ଅପହରଣ କରୁଛନ୍ତି, ସେମାନଙ୍କୁ ମଧ୍ୟ କୌରବମାନଙ୍କ ଦଶା ଭୋଗ କରିବାକୁ ହେବ । ଉଭୟେ ଅତ୍ୟାଚାରୀ ଓ ଅତ୍ୟାଚାରିତ ସ୍ୱଧର୍ମ ପାଳନ କରିବାକୁ ଅସମର୍ଥ ହେବାରୁ ପୃଥିବୀରେ ବର୍ତ୍ତମାନ ମହାସଙ୍କଟ ଉପସ୍ଥିତ ହୋଇଅଛି । କୌଣସି ବିପ୍ଳବ ହେଲେ ତାକୁ ଯୁଗୋଚିତ ପରିବର୍ତ୍ତନର ସୂଚନା ବୋଲି ଧରିନେବା ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତିଙ୍କର କର୍ତ୍ତବ୍ୟ । କର୍ମଜଗତ୍‌ ଅଚଞ୍ଚଳ ରହିବ ନାହିଁ । ଭଲ ମନ୍ଦର ସମ୍ମିଶ୍ରଣରେ କର୍ମସୂତ୍ରଟି ଗଠିତ । କେବଳ ଗୋଟାଏ ଗୁଣ ଉପରେ ତାର ସ୍ଥାୟିତ୍ୱ ନିର୍ଭର କରେ ନାହିଁ । ବିଶେଷତଃ ମନ୍ଦ ଗୁଣର ପ୍ରାଖର୍ଯ୍ୟ ଯୋଗୁଁ ଜଗତର ଅହିତ ହୁଏ । ସେଥିପାଇଁ ସମର, ଦୁର୍ଭିକ୍ଷ ଓ ମଡ଼କଦ୍ୱାରା ଭଗବାନ ଜଗତରେ ଶାନ୍ତିସ୍ଥାପନ କରନ୍ତି । ମନୁଷ୍ୟ କେବଳ ଯନ୍ତ୍ରବିଶେଷ ପରି କାର୍ଯ୍ୟ କରେ । ବିଶ୍ୱନିୟନ୍ତା ସବୁ ନିୟନ୍ତ୍ରିତ କରନ୍ତି । ନୀରବ ରହିଲେ ସୁଦ୍ଧା ମନୁଷ୍ୟ କର୍ମଚକ୍ରରୁ ଅବ୍ୟାହତି ପାଇବ ନାହିଁ । ପ୍ରାକୃତିକ ଗୁଣାନୁସାରେ ତାକୁ ସାଂସାରିକ ଯେ କୌଣସି ମାର୍ଗ ଅବଲମ୍ୱନ କରିବାକୁ ପଡ଼ିବ । ନିର୍ଲିପ୍ତ ଭଗବାନ ଲୋକଶିକ୍ଷା ପାଇଁ କର୍ମ କରନ୍ତି ବୋଲି ଗୀତା କହିଛନ୍ତି । Mr. Aldon’s Huxley ହିନ୍ଦୁର ଆଧ୍ୟାତ୍ମିକତା ପ୍ରତି ଆକ୍ଷେପ କରି ଲେଖିଛନ୍ତି । ସେ କହନ୍ତି, ଜଳବାୟୁର ବିଶେଷତ୍ୱ ଯୋଗୁଁ ଭାରତବାସୀ ବେଶି ଆଧ୍ୟାତ୍ମିକ ଭାବାପନ୍ନ ହୁଅନ୍ତି ଓ ତଦ୍ଦ୍ୱାରା ଭାରତର ଅବନତି ଘଟିଅଛି । ଯୁଦ୍ଧବିଦ୍ୟାରେ ଭାରତୀୟ ଆଦୌ ମନ ବଳାଏ ନାହିଁ । ପ୍ରକୃତରେ ଦେଖିବାକୁ ଗଲେ ଭାରତର ଧର୍ମହୀନତା ତା ପତନର ମୂଳକାରଣ । ଗୀତା ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ । ସେହି ସର୍ବଶ୍ରେଷ୍ଠ ଧର୍ମଶାସ୍ତ୍ର ଯୁଦ୍ଧ କରିବା ପାଇଁ ଯେଉଁ ପ୍ରେରଣା ଦେଇଛି, ତାହା ପୃଥିବୀର ଅନ୍ୟାନ୍ୟ ଧର୍ମଶାସ୍ତ୍ରରେ ଦେଖିବାକୁ ବିରଳ ।

 

ଭାରତର ବର୍ତ୍ତମାନ ଦୂରବସ୍ଥା ସଙ୍ଗେ ଅତୀତର ମହିମାମୟ ଘଟନା ସବୁ ତୁଳନା କଲେ ଦେଖାଯାଏ ଯେ, ଭ୍ରମାତ୍ମକ କର୍ମତ୍ୟାଗ ଉପରେ ଧର୍ମର ମହତ୍ତ୍ୱ ସ୍ଥାପନ କରି ହିନ୍ଦୁ ଆଜି ଯେଉଁ ପଥରେ ଅଗ୍ରସର ହେଉଛି, ତାହା ତାର ଅବନତିର ପ୍ରଧାନ କାରଣ । ଗୀତା କହିଛନ୍ତି, ସାଂସାରିକ ବିଷୟରେ ମଜ୍ଜି ରହିବାକୁ ହେବ ନାହିଁ । ଜୀବନର କ୍ଷଣଭଙ୍ଗୁରତା ପ୍ରତି ଲକ୍ଷ୍ୟ ନ ରଖି କର୍ମତତ୍ପର ହେବା ପ୍ରତ୍ୟେକ ମନୁଷ୍ୟର କର୍ତ୍ତବ୍ୟ । ଅନ୍ୟାୟୀ ଶତ୍ରୁ ନିକଟରେ ପଶ୍ଚାତ୍‌ପଦ ହେବା ହିନ୍ଦୁର ଧର୍ମ ନୁହେଁ ।

 

ଲୋକମାନେ ସାଧାରଣତଃ ଯୁଦ୍ଧର ମାରାତ୍ମକତା ଅନୁଭବ କରନ୍ତି । ସେମାନେ ମନେ କରନ୍ତି ଯେ, ସମରାଗ୍ନି ଥରେ ଜଳି ଉଠିଲେ, ତାକୁ ନିର୍ବାପିତ କରିବା ସହଜ ନୁହେଁ । କଲ୍ୟାଣପ୍ରସୂ ଯାବତୀୟ ଉଚ୍ଚ କଳାମାନଙ୍କର ବିକାଶ ଦେଶର ସେହି ଅଶାନ୍ତିରେ ଚିରଦିନ ପାଇଁ ଲୁପ୍ତ ହୁଏ; କିନ୍ତୁ ସମରପ୍ରିୟ ଜାତିମାନଙ୍କ ମଧ୍ୟରେ ଏହାର ପ୍ରମାଣ ମିଳେ ନାହିଁ । ବରଂ ଦେଶର ଯୁଦ୍ଧନୈପୁଣ୍ୟ ଓ କଳାକୁଶଳତା ମଧ୍ୟରେ ଘନିଷ୍ଠ ସମ୍ୱନ୍ଧ ଥିବାର ଜଣାଯାଏ । ଦେଶର ଲୋକମାନେ ଯଦି କେବଳ କୃଷିଜୀବୀ ହୁଅନ୍ତି, ତାହାହେଲେ କଳାର ଉନ୍ନତି ହେବା ସମ୍ଭବ ନୁହେଁ । ପ୍ରାଚୀନ ଉତ୍କଳ ଏହାର ଶ୍ରେଷ୍ଠ ନିଦର୍ଶନ । ଓଡ଼ିଆ ବୀରର ତେଜ ଯେତେବେଳେ ଅପ୍ରତିହତ ଥିଲା, ସେତେବେଳେ ତା ଦେଶର ଶିଳ୍ପ ଭାରତ-ଇତିହାସରେ ଏକ ପ୍ରସିଦ୍ଧ ଯୁଗର ସୂଚନା ଦେଇଥିଲା । ଜାତିର ଜୀବନ-ସ୍ରୋତ ବୀର ଧମନୀରେ ପ୍ରବାହିତ ହେଲାବେଳେ କର୍ମକ୍ଷେତ୍ରରୁ ଜଡ଼ତା ଅନ୍ତର୍ହିତ ହୋଇଯାଏ । ଇଜିପ୍ଟ ଓ ଗ୍ରୀସ୍‌ର ପ୍ରାଚୀନ କାବ୍ୟ, ଶିଳ୍ପ ପ୍ରଭୃତିରେ ସମରକାମୀ ଯୋଦ୍ଧାମାନଙ୍କୁ ବିଶିଷ୍ଟ ଆସନ ଦିଆଯାଇଅଛି । ଇଜିପ୍ଟରୁ ଗ୍ରୀସ୍‌ ସଭ୍ୟତାର ଅଭ୍ୟୁଦୟ ହେଲେ ସୁଦ୍ଧା ଗ୍ରୀକ୍‌ମାନେ ଗ୍ରାମ୍ୟ ଜୀବନ ଓ କୃଷିକୁ ଘୃଣା ଚକ୍ଷୁରେ ଦେଖି ନାହାନ୍ତି ଏବଂ ଆଜି ସୁସଭ୍ୟ ଇଉରୋପୀୟାନ୍‌ମାନେ ସେମାନଙ୍କର ପଦାଙ୍କ ଅନୁସରଣ କରି ପୃଥିବୀରେ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିଅଛନ୍ତି । ସମରକୁଶଳତାକୁ ବାଦ୍‌ ଦେଇଥିଲେ, ସେମାନେ ଜଗତ୍‌ ଚକ୍ଷୁରେ ନିତାନ୍ତ ହେୟ ବୋଲି ବିବେଚିତ ହେଉଥାନ୍ତେ ।

 

ଯଦି କଳାର ଉତ୍କର୍ଷ ରଣନୈପୁଣ୍ୟ ଓ ବୀରତ୍ୱ ଉପରେ ନିର୍ଭର କରେ, ତାହା ହେଲେ ତାକୁ ସମୂଳେ ବାଦ୍‌ ଦେଇ ନିଶ୍ଚିନ୍ତ ହୋଇ ରହିବା କଣ ଆବଶ୍ୟକ ? ସମରର କରାଳ କବଳରୁ ରକ୍ଷା ପାଇ ସରଳ ଗାର୍ହସ୍ଥ୍ୟ ଜୀବନଯାପନ କରିବାଦ୍ୱାରା କଳାର ଅବନତି ଘଟିଲେ ସୁଦ୍ଧା ତଦ୍ଦ୍ୱାରା ଦେଶରେ ଅଶାନ୍ତି ଘଟେ ନାହିଁ । ଯେଉଁମାନେ ଏହି ମତର ପୋଷକତା କରନ୍ତି, ସେମାନଙ୍କର ଦୃଷ୍ଟି ମାନବଜୀବନର କେତେଗୁଡ଼ାଏ ଧାରାବାହିକ ବିଷୟ ଅନୁସନ୍ଧାନରେ ବ୍ୟାପୃତ ଥାଏ । ମାନବିକତାର ସରସ ଓ ଶ୍ରେଷ୍ଠ ପ୍ରକାଶ କଳା ସାହାଯ୍ୟରେ ଦୃଷ୍ଟିପଥାରୁଢ଼ ହୁଏ । କଳାର ମୂଲ୍ୟ କିଛି ନ ଥାଇପାରେ; କିନ୍ତୁ ସଭ୍ୟତାର ମାପକାଠି ହିସାବରେ ତାହା ଦେଶର ଅମୂଲ୍ୟ ରତ୍ନଭଣ୍ଡାର । ମନୁଷ୍ୟତାର ପୂର୍ଣ୍ଣ ବିକାଶ ସକାଶେ କଳା ଏକାନ୍ତ ଆବଶ୍ୟକ । ଯେଉଁ ଦେଶରେ ଏପରି ବିକାଶ ଘଟି ନାହିଁ, ସେ ଦେଶର ମନୁଷ୍ୟତ୍ୱ ବହୁ ନିମ୍ନସ୍ତରରେ ରହିଛି । ଯୁଦ୍ଧଦ୍ୱାରା କେବଳ କଳା ନୁହେଁ, ଅନ୍ୟାନ୍ୟ ମାନବୀୟ ଉତ୍କର୍ଷ ସବୁ ଫୁଟି ଉଠେ । ଧର୍ମର ଦୃଢ଼ତା ମଧ୍ୟ ଏହା ସାହାଯ୍ୟରେ ସ୍ପଷ୍ଟଭାବରେ ପ୍ରମାଣିତ ହୁଏ । ସାଧାରଣ ଗାର୍ହସ୍ଥ୍ୟ ଜୀବନର ଉପାଦେୟତା ଓ ଶାନ୍ତି ପରସ୍ପର ସାପେକ୍ଷ ବୋଲି ଯେଉଁମାନେ କହନ୍ତି, ସେମାନଙ୍କର ଧାରଣା ସବୁ ସମୟରେ ଠିକ୍‌ ହୁଏ ନାହିଁ । ଦେଶରେ ଶାନ୍ତି ଥିବା ସମୟରେ ସାଧାରଣ ଲୋକଚରିତ୍ରରେ ଅନେକ ଅବନତି ଘଟିଯାଏ । ବିଳାସିତା, ସ୍ୱାର୍ଥପରତା ଓ ଅନ୍ୟାନ୍ୟ ବ୍ୟଭିଚାର ଦେଶର ସର୍ବତ୍ର ବ୍ୟାପିଯାଏ । ପକ୍ଷାନ୍ତରେ ଦେଖାଯାଏ ଯେ, ପୃଥିବୀର ସମସ୍ତ ପ୍ରସିଦ୍ଧ ଜାତିମାନେ ପ୍ରବଳ ସତ୍ୟାନୁରାଗ ଓ ଚିନ୍ତାଶୀଳତା ଯୁଦ୍ଧ କ୍ଷେତ୍ରରୁ ଶିକ୍ଷା କରନ୍ତି । ଯୁଦ୍ଧରେ ସେମାନଙ୍କର ଜାତୀୟତା ପୂର୍ଣ୍ଣମାତ୍ରାରେ ପୁଷ୍ଟିଲାଭ କରେ । ସମରକ୍ଷେତ୍ରରେ ଯେଉଁ ଜାତି ତେଜସ୍ୱିତା ଓ ବୀରତ୍ୱର ମହତ୍‌ ନିଦର୍ଶନ ଦେଖାଇଥାଏ, ସେ ପୁଣି କାଳକ୍ରମେ ଶାନ୍ତିରେ ରହି ଯୁଦ୍ଧର ନାମ ଶ୍ରବଣମାତ୍ରେ ହୃତ୍‌କମ୍ପ ଅନୁଭବ କରେ । ଯେଉଁ ଭାରତରେ ମନସ୍ୱିନୀ ରମଣୀଗଣ ସମରାନଳରେ ଅକାତରରେ ପଶି ଯାଉଥିଲେ, ସେହି ଦେଶରେ ପୁଣି ଯୁବକ-ପ୍ରାଣ ସ୍ତ୍ରୀ ଅଞ୍ଚଳରେ ବନ୍ଧା ହେଲା ପରି ଜଣାଯାଏ । ଆର୍ଯ୍ୟ-ସନ୍ତାନ ଆର୍ଯ୍ୟଧର୍ମ ପାଳନରୁ କ୍ଷାନ୍ତ ବୋଲି ତାର ଦୁର୍ଦ୍ଦଶା ଆଜି ଏଡ଼େ ବିଷମ ଆକାର ଧାରଣ କରିଅଛି । ସମର ଜାତିର କଷଟି ପଥର । ତାର ବିଭବ ଓ ଶୌର୍ଯ୍ୟ ଏହାଦ୍ୱାରା ପ୍ରମାଣିତ ହୁଏ । ବୀରଜାତିର ସ୍ଥିତି ଓ ବିକାଶ ପାଇଁ ଏହାର ସାର୍ଥକତା ଯଥେଷ୍ଟ ଅଛି । ମୋଟ ଉପରେ କହିବାକୁ ଗଲେ, ଜାତିର ଉତ୍ଥାନ ଓ ପତନ ସମ୍ପୂର୍ଣ୍ଣ ଏହା ଉପରେ ନିର୍ଭର କରେ ।

 

ସମରର ପ୍ରୟୋଜନୀୟତା ଦୃଷ୍ଟିରେ ଭୀଷଣତାର ସ୍ଥାନ ନାହିଁ କହିଲେ ଚଳେ । ଶକ୍ତିର ପରିଚୟ, ରାଜ୍ୟବିସ୍ତାର, ରାଜ୍ୟରକ୍ଷା ପ୍ରଭୃତି ସକାଶେ ସମର ନିତାନ୍ତ ଆବଶ୍ୟକ । ଅନେକ ସମୟରେ ଯୁଦ୍ଧ ଜାତୀୟ କ୍ରୀଡ଼ାରୂପେ ଗୃହୀତ ହୋଇଥାଏ । କିନ୍ତୁ ବାଧ୍ୟତାମୂଳକ ଆଇନ ପ୍ରଣୟନଦ୍ୱାରା ସଂଗୃହୀତ ସୈନ୍ୟମାନଙ୍କ ଚକ୍ଷୁରେ ଏହା କ୍ରୀଡ଼ା ନୁହେଁ ।

 

ଯୁବକପ୍ରାଣ ଉତ୍‌କ୍ଷିପ୍ତ ହୋଇ ଉଠିଲେ ସ୍ୱତଃପ୍ରବୃତ୍ତ ହୋଇ ଯେଉଁମାନେ ସୈନିକଶ୍ରେଣୀଭୁକ୍ତ ହୁଅନ୍ତି, ସେମାନେ ଅକାତରରେ ସମରାଭିମୁଖୀନ ହୁଅନ୍ତି ଏବଂ ସେମାନଙ୍କ ପ୍ରାଣର ଆକାଙ୍କ୍ଷା ସମରାଗ୍ନିରେ ନିର୍ବାପିତ ହୁଏ । ଦେଶର ଆଭ୍ୟନ୍ତରିକ ଅବସ୍ଥାର ଉନ୍ନତି ସାଧନ କଲାବେଳେ କୌଣସି ରାଜା କିମ୍ବା ଶାସନକର୍ତ୍ତା ଯୁଦ୍ଧ ବିଷୟରେ ମନ ଚଳାନ୍ତି ନାହିଁ । ସେହିପରି ସଂଯତଚିତ୍ତ ଯୁବକ ଗାଢ଼ ଅଧ୍ୟୟନ ପ୍ରଭୃତି ଶାନ୍ତିପୂର୍ଣ୍ଣ ବିଷୟରେ ମନୋନିବେଶ କଲାବେଳେ କଦାଚିତ୍‌ ସମରଭୂମିରେ ଅବତୀର୍ଣ୍ଣ ହେବା ପାଇଁ ଅଗ୍ରସର ହୁଏ । କୃଷି, ବିଜ୍ଞାନ ଓ ସାହିତ୍ୟର ଚର୍ଚ୍ଚାଦ୍ୱାରା ମନ ଆବଦ୍ଧ ହେଲେ ଯୁଦ୍ଧକୁ ମନୁଷ୍ୟ ଗୋଟାଏ ଆତଙ୍କ ବୋଲି ମନେ କରିପାରେ । ଅବଲମ୍ବନଶୂନ୍ୟ ହେଲେ ମନର ବଳ କ୍ରମଶଃ ପ୍ରବଳ ହୋଇଉଠେ ଏବଂ କୌଣସି କ୍ଷେତ୍ରରେ ନିଯୁକ୍ତ ହେବା ପାଇଁ ମନୁଷ୍ୟ ପ୍ରତୀକ୍ଷା କରି ରହେ । ଏପରି ଅବସ୍ଥାରେ ଯୁଦ୍ଧରେ ଭୀଷଣତାକୁ ତୁଚ୍ଛ ମନେ କରି ଯୁବକ ସମରବିଳାସୀ ହୋଇପଡ଼େ । ସ୍ଥୂଳଦୃଷ୍ଟିରେ ଜଗଦ୍‌ବାସୀ ଦୁଇ ବିଭିନ୍ନ ଶ୍ରେଣୀରେ ଦେଖାଯାନ୍ତି । ଗୋଟିଏ ଶ୍ରେଣୀ ଜଗତ୍‌ର ସୁଖସ୍ୱାଚ୍ଛନ୍ଦ୍ୟ ପାଇଁ ଭୂମିକର୍ଷଣ, ବାଣିଜ୍ୟ, ନଗରଗଠନ ପ୍ରଭୃତିରେ ବ୍ୟସ୍ତ ଥାନ୍ତି ଏବଂ ଅପର ଶ୍ରେଣୀଟି ଏସବୁର ମୂଳୋତ୍ପାଟନ କରି ଧ୍ୱଂସର ତାଣ୍ଡବଲୀଳା ଦେଖାଇ ଦିଅନ୍ତି । ଯୁଦ୍ଧ ଯଦି ବିଳାସର ବିଷୟ ହୁଏ, ତାହା ହେଲେ ବୃଥା ଉତ୍ପାତରେ ଫଳ କଅଣ ? ଦରିଦ୍ରକୁ ନିଃସ୍ୱ କରି କିମ୍ବା ଧନବାନର ଐଶ୍ୱର୍ଯ୍ୟକୁ ପଦାଘାତ କରି ବୀର-ଦର୍ପ ଦେଖାଇବା ଯୋଦ୍ଧାର କର୍ତ୍ତବ୍ୟ ନୁହେଁ । ନିଜର ଶୋଣିତ ବିନିମୟରେ ବିଜୟ-ଶ୍ରୀକୁ କରଣ କରିବାକୁ ହୁଏ । ନିରୀହ ପ୍ରଜାକୁଳକ୍ଷୟରେ ସମରର ମହତ୍ତ୍ୱ ଜଣାଯାଏ ନାହିଁ ।

 

ଆଧୁନିକ ସମରମାନଙ୍କରେ ପ୍ରକୃତ ଯୋଦ୍ଧାମାନଙ୍କର ପରିଚୟ ମିଳେ ନାହିଁ । ସାଧାରଣତଃ ଯେଉଁମାନେ କୃଷି ଓ ବାଣିଜ୍ୟରେ ନିଯୁକ୍ତ ଥାନ୍ତି, ସେହିମାନଙ୍କ ମଧ୍ୟରୁ ଅଧିକାଂଶ ଯୁଦ୍ଧରେ ଯୋଗ ଦିଅନ୍ତି । ବୈଜ୍ଞାନିକ ଯନ୍ତ୍ରଗୁଡ଼ାଏ ଚଳାଇ ପ୍ରତିଦ୍ୱନ୍ଦ୍ୱୀମାନେ ପରସ୍ପରର କ୍ଷତି ସାଧନ କରନ୍ତି; ଦେଶର ଶ୍ରୀ ମୁହୂର୍ତ୍ତକେ ନଷ୍ଟ ହୋଇଯାଏ । ଯେଉଁମାନେ ଯୁଦ୍ଧର କର୍ତ୍ତା ହୋଇଥାନ୍ତି, ସେମାନଙ୍କୁ ପ୍ରାୟ ସମରକ୍ଷେତ୍ରକୁ ଯିବାକୁ ପଡ଼େ ନାହିଁ; ମନ୍ତ୍ରି ପରିଷଦରେ ଓଜସ୍ୱିନୀ ବକ୍ତୃତାଦ୍ୱାରା ଦେଶବାସୀଙ୍କର ମତିଗତି ବଦଳାଇ ଗୋଟାଏ ପ୍ରଳୟ କାଣ୍ଡ ଘଟାଇ ଦିଅନ୍ତି ।

 

ଯୁଦ୍ଧର ଅବସାନ ଘଟିଲେ ଅକର୍ମଣ୍ୟ ସୈନ୍ୟମାନଙ୍କ ଦୁର୍ଦ୍ଦଶା ପ୍ରତି ସେହି ବାକ୍ୟବୀରମାନେ ଲକ୍ଷ୍ୟ ରଖନ୍ତି କି ? ସାମାନ୍ୟ କିଛି ଭତ୍ତା ଦେଲେ ବିକଳାଙ୍ଗ ସୈନିକର ସମସ୍ତ ଅଭାବ ଓ ଅସୁବିଧା ଦୂର ହୁଏ ନାହିଁ । ସମରର ବିଭୀଷିକା ଯେଉଁମାନେ ସୃଷ୍ଟି କରନ୍ତି, ସେମାନେ ଯଦି ତାହା ପୂର୍ଣ୍ଣମାତ୍ରାରେ ଭୋଗ କରନ୍ତେ, ତାହା ହେଲେ ବୈଜ୍ଞାନିକ ଯୁଦ୍ଧର ସ୍ରୋତଟା ବଦଳି ଯାଆନ୍ତାଣି । ବିଜ୍ଞାନର ଅଭିବୃଦ୍ଧି ସଙ୍ଗେ ଯୁଦ୍ଧକୌଶଳ ନିତ୍ୟ ନୂତନ ଆକାର ଧାରଣ କରୁଛି ଓ ନୃଶଂସତାର ମାତ୍ରା ମଧ୍ୟ ବଢ଼ିବାରେ ଲାଗିଛି । ଅପଦସ୍ଥ ଓ ଅସହାୟ ଶତ୍ରୁର ବିନାଶ ସାଧନ ପାଇଁ ବିଜ୍ଞାନ ଯଥେଷ୍ଟ ସାହାଯ୍ୟ ଦେଇଚି । ପ୍ରାଚୀନ ଗ୍ରୀକ୍‌ ଓ ଭାରତୀୟ ଯୋଦ୍ଧାମାନଙ୍କର ସମର କୌଶଳ ଓ ଚରିତ୍ରର ମହନୀୟତା ଆଜି ଲୁପ୍ତ ପ୍ରାୟ ହେଲାଣି ।

 

ରାଜ୍ୟବୃଦ୍ଧି ଲୋଭରେ ପ୍ରବଳ ଜାତି ଦୁର୍ବଳ ଜାତିକୁ ପଦଦଳିତ କରୁଛି । ପାଶବିକ ପ୍ରବୃତ୍ତି ଉଗ୍ର ନ ହେଲେ କୌଣସି ଜାତି ଦୁର୍ବଳର ସର୍ବସ୍ୱ ଲୁଣ୍ଠନ କରିବାକୁ ପ୍ରୟାସ କରେ ନାହିଁ । ନ୍ୟାୟ ଓ ଧର୍ମର ପକ୍ଷପାତୀ ପ୍ରାଚୀନ ହିନ୍ଦୁମାନେ ଏହାର ପ୍ରମାଣ ଦେଇଛନ୍ତି । ସେମାନେ ଯେଉଁ ଗୌରବର ଚିହ୍ନ ରଖିଯାଇଛନ୍ତି, ତାହା କଦାପି ବିଲୁପ୍ତ ହେବ ନାହିଁ । ଅପରିମିତ କ୍ଷମତା ଚାଳନ କରିବା ପ୍ରକୃତ ପ୍ରଭୁତ୍ୱର ନିଦର୍ଶନ ନୁହେଁ । ଶାସକର କାର୍ଯ୍ୟ ବଡ଼ ଗୁରୁତର । ପ୍ରଜାମଣ୍ଡଳୀର ଦୈନ୍ୟ ଓ ଦୁର୍ବଳତା ଦୂର କରି ଉନ୍ନତ ଆଦର୍ଶରେ ସେମାନଙ୍କୁ ଗଢ଼ି ପାରିଲେ ଶାସନ କ୍ଷମତାର ସଦ୍‌ବ୍ୟବହାର କରାଯାଏ । କେବଳ କେତେଗୁଡ଼ାଏ ରାଜ୍ୟ ଅଧିକାର କଲେ ଜାତୀୟ ଶକ୍ତି ବଢ଼େ ନାହିଁ । ସ୍ୱାର୍ଥପରତା ଏହାର ଭୟଙ୍କର ବିରୋଧୀ ହୁଏ । ଐତିହାସିକମାନେ ନିର୍ବିରୋଧରେ ପ୍ରବଳ ଅତ୍ୟାଚାରୀ ରାଜାମାନଙ୍କୁ ଉଚ୍ଚ ଆସନ ଦେଇଥାନ୍ତି । ସେମାନେ ରାଜଶକ୍ତିର ପ୍ରକୃତ ମର୍ମ ବୁଝନ୍ତି ନାହିଁ । ଗୋଟିଏ ଦୁର୍ବଳ ଜାତିର ଧ୍ୱଂସସାଧନରେ ପବିତ୍ର କ୍ଷତ୍ରିୟ ଧର୍ମ ପାଳିତ ହୁଏ ନାହିଁ । ଏହା ନୀତିବିରୁଦ୍ଧ । ସାମାନ୍ୟ ‘‘ସବ୍‌ମେରାୟିନ୍‌’’ ସାହାଯ୍ୟରେ ପ୍ରକାଣ୍ଡ ରଣପୋତ ନଷ୍ଟ କରାଯାଏ । ଗୋଟାଏ ମୃତ୍‌ପିଣ୍ଡରୁ ବିଷ ଉଦ୍‌ଗିରିତ ହୋଇ ମହାମାରୀରୂପେ ସମସ୍ତ ଦେଶର ଅନିଷ୍ଟ ସାଧନ କରିପାରେ; କିନ୍ତୁ ଏହା ବୋଲି ଏହି ଭୀଷଣତା ସୃଜନକାରୀମାନଙ୍କଠାରେ ମହତ୍ତ୍ୱ ଆରୋପ କରାଯାଏ ନାହିଁ ।

 

ଜାତୀୟ ଉଚ୍ଚାକାଙ୍କ୍ଷାରେ ଅତ୍ୟାଚାର କିମ୍ବା ପରସ୍ୱାପହରଣର ଗନ୍ଧ ରହିବା ଉଚିତ ନୁହେଁ-। ଦୁର୍ବଳର ରକ୍ଷାରେ ବୀରତ୍ୱର ପରାକାଷ୍ଠା ମିଳେ । ଗୋଟାଏ ବିଶାଳ ଜାତିର ମନରେ ଏକତା ଓ ଧର୍ମାନୁରାଗ ଆଣି ଉପର୍ଯ୍ୟୁକ୍ତ ଆଦର୍ଶରେ ଅଗ୍ରସର ହେବା ସହଜ ନୁହେଁ । ଦେଶବାସୀମାନଙ୍କର ଅନୈକ୍ୟ ଭାବ ଓ ଦୁର୍ବଳତାରେ କର୍ତ୍ତବ୍ୟସାଧନ ଶିଥିଳ ହୋଇପଡ଼େ । ପ୍ରକୃତ ଶକ୍ତି ସଞ୍ଚାର ପାଇଁ କେତେଗୁଡ଼ିଏ ସଙ୍ଘବଦ୍ଧ ଜ୍ଞାନିଲୋକଙ୍କର ମନ୍ତ୍ରଣା ଉପରେ ନିର୍ଭର କରିବା ଉଚିତ । ସାଧାରଣ ଲୋକମାନଙ୍କ ମତାନ୍ତରର କିଛି ମୂଲ୍ୟ ନାହିଁ କହିଲେ ଚଳେ; କାରଣ ସେମାନଙ୍କର ଧର୍ମ ଜ୍ଞାନ ଓ ବିଚାର ବଡ଼ କମ ।

 

ମାତୃଭୂମିର ରକ୍ଷା ସକାଶେ ଦେଶର ପ୍ରତ୍ୟେକ ପୁରୁଷ ପ୍ରାଣ ବିସର୍ଜନ କଲେ କୌଣସି କ୍ଷତି ନାହିଁ; କିନ୍ତୁ ଅନ୍ୟାୟ ସମର କରି ଯଶସ୍ୱୀ ହେବା ବାଞ୍ଛନୀୟ ନୁହେଁ । ଅତ୍ୟାଚାରୀ ଜାତିର ପକ୍ଷ ସମର୍ଥନ କଲେ ବରଂ ଧର୍ମ ହାନି ହୁଏ, ଜାତୀୟ ଗୌରବ ଓ ଦେଶରକ୍ଷା ପାଇଁ ସୁସଜ୍ଜିତ ସୈନ୍ୟ ସବୁ ସମୟରେ ସବୁ ଦେଶରେ ଆବଶ୍ୟକ ହେବେ । ଏଥିପ୍ରତି ଉଦାସୀନ ହେବା ଦେଶପ୍ରେମିକର କାର୍ଯ୍ୟ ନୁହେଁ । ସମରକ୍ଷେତ୍ର ସ୍ୱର୍ଗର ଦ୍ୱାର ବୋଲି ଆମ୍ଭମାନଙ୍କ ପୂର୍ବପୁରୁଷମାନେ କହି ଯାଇଛନ୍ତି । ସେମାନଙ୍କ ପଦାଙ୍କ ଅନୁସରଣ କଲେ ଭାରତୀୟ ନବଜୀବନ ଲାଭ କରିପାରିବ । ଯେ ଜାତି ସମର କରିବାକୁ ଜାଣି ନାହିଁ, ସେ ଜାତି ମୃତ; କାରଣ ଜାତୀୟତାର ଶ୍ରେଷ୍ଠ ନିଦର୍ଶନ ସମରକ୍ଷେତ୍ରରେ ପ୍ରମାଣିତ ହୁଏ ।

•••

 

ମାନବ-ପ୍ରଗତି

ମନୁଷ୍ୟ ସାମାଜିକ ଜୀବ-ଏପରି କହିବାର ଯାଥାର୍ଥ କଅଣ ? ଯୁଗ ଯୁଗ ଧରି ମନୁଷ୍ୟ ଧରାବକ୍ଷରେ କେତେ ଅଭିନବ ଧର୍ମ, ସମାଜ ଓ ରୀତି ସଂସ୍ଥାପନ କରି ଆସିଅଛି; କିନ୍ତୁ ସମଗ୍ର ମାନବଜାତି ସେମାନଙ୍କୁ ସମାନ ଭାବରେ ଦେଖିପାରି ନାହିଁ । ହୁଏ ତ ପୃଥିବୀର ଆଦିମ ଅଧିବାସୀମାନେ ଗୋଟାଏ ସାଧାରଣ ସମାଜ-ବନ୍ଧନରେ ଆବଦ୍ଧ ଥିଲେ ଓ ସେମାନଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାକୁ ସାମାଜିକ ଅନ୍ୟାନ୍ୟ ପାରିପାର୍ଶ୍ୱିକ ଅବସ୍ଥାମାନଙ୍କର ଯଥେଷ୍ଟ ପରିବର୍ତ୍ତନ ହେଲା । ମନୁଷ୍ୟର ଉତ୍ତରୋତ୍ତର ବିକାଶ ଯେ ଏଥି ସକାଶେ ଦାୟୀ, ଏହା କହିବା ସମ୍ପୂର୍ଣ୍ଣ ଉପଯୁକ୍ତ ମନେ ହୁଏ । ସମାଜର ସ୍ଥିତି ଉପରେ ଧର୍ମ ଓ ଅନ୍ୟାନ୍ୟ ମାନବୀୟ ଗୁଣମାନଙ୍କର ପ୍ରତିଷ୍ଠା ନିର୍ଭର କରେ । ଆଦିମ ଅବସ୍ଥାରେ ମନୁଷ୍ୟ ପଶୁପରି ଆଚରଣ କରୁଥିଲା; ଆଜି ମଧ୍ୟ ସେଥିରୁ ସେ ସମ୍ପୂର୍ଣ୍ଣ ନିରାକୃତ ନୁହେ । କେବଳ ମାର୍ଜିତ ଉପାୟରେ ତାର ଲିପ୍‌ସା ଦୂରୀକୃତ ହେଉଅଛି । ପଶୁମାନେ ମଧ୍ୟ ସଙ୍ଘବଦ୍ଧ ହୋଇ ରହିବାକୁ ଭଲ ପାଆନ୍ତି; କିନ୍ତୁ ସେଥି ସକାଶେ ସେମାନଙ୍କୁ ସାମାଜିକ ଜୀବ ବୋଲି କୁହାଯାଏ ନାହିଁ । ଜୀବମାନଙ୍କର ଗୋଟାଏ ସାଧାରଣ ଧର୍ମ ଅଛି । ମନୁଷ୍ୟ ସେଥିରୁ ବାଦ୍‌ ପାଏ ନାହିଁ । କେତେକ ବିଶେଷତ୍ୱ ଅଛି, ଯାହାକୁ ଅଧିକାର କରି ମନୁଷ୍ୟ ଇତର ପ୍ରାଣୀମାନଙ୍କ ଅପେକ୍ଷା ଉଚ୍ଚ ଆସନ ଲାଭ କରିଅଛି । ଏହି ବିଶେଷତ୍ୱ ଘେନି ମାନବ ଆଜି ତାର ସମାଜ, ଧର୍ମ ପ୍ରଭୃତିକୁ ନାନା ଦିଗରେ ବିଭିନ୍ନ ପନ୍ଥା ଆଶ୍ରୟରେ ଜଟିଳ କରି ଦେଇଛି । ଜଟିଳତା ଦୃଷ୍ଟିରେ ମାନବର ଭାବରାଶି ଯେ ସ୍ତରରେ ଉପନୀତ ହୋଇଅଛି, ତାକୁ ତ୍ୟାଗ କରି କୌଣସି ସୁଲଭ ମାର୍ଗାନୁସରଣ କରିବା ଯୁଗୋଚିତ ସଭ୍ୟତା-ବିରୋଧୀ ହୋଇପାରେ । ଯୁଗଯୁଗ ବ୍ୟାପୀ ସାଧନା ଫଳରେ ସେ ଯେଉଁ ଅନ୍ତର୍ଦୃଷ୍ଟି ଲାଭ କରିଅଛି, ତାକୁ ବନ୍ଦ ରଖି ଅତି ପ୍ରାଚୀନତା ଆଡ଼କୁ ଦୃଷ୍ଟି ନିକ୍ଷେପ କଲେ ଆଉ ସେ ମାନବର ପ୍ରାଥମିକ ଅବସ୍ଥା ଲାଭ କରିପାରିବ ନାହିଁ । ତାର ଅଗ୍ରଗତିରେ ସମାଜ କେତେ ଆକାରରେ ଦେଖା ଦେଇ ଉଭେଇ ଯାଇଚି; କିନ୍ତୁ ସେ ଯେଉଁ ଲକ୍ଷ୍ୟ ରଖି ପ୍ରଥମେ ଅଗ୍ରସର ହୋଇଥିଲା, ତାକୁ ମନୁଷ୍ୟ ବହୁଦୂରରେ ଛାଡ଼ି ଆସିଲାଣି । ଏଥିରୁ ସ୍ପଷ୍ଟ ବୁଝାଯିବ ଯେ, ସମାଜ ମନୁଷ୍ୟକୁ ଅନୁସରଣ କରୁଚି । ସମୟବିଶେଷରେ ସେ ସାମାଜିକ ନିୟମ ଲଙ୍ଘନ କରି ଯେଉଁ ସ୍ୱାଧୀନତା ପାଳନ କରେ, ତା ଅପରର ସ୍ୱାଧୀନତା ଅପହରଣ ଛଡ଼ା ଅନ୍ୟ କିଛି ନୁହେଁ । ଯେତେ ଦିନ ପର୍ଯ୍ୟନ୍ତ ଜଣକର କାର୍ଯ୍ୟରେ ଅନ୍ୟମାନେ କୌଣସି ବାଧା ପାଆନ୍ତି ନାହିଁ, ସେତେ ଦିନ ଯାଏ ମନୁଷ୍ୟକୁ କୌଣସି ଦଣ୍ଡଭାଗୀ ହେବାକୁ ପଡ଼େ ନାହିଁ । ସମ-ଭାବାପନ୍ନ ଲୋକମାନଙ୍କୁ ଘେନି ଗୋଟାଏ ନୂତନ ସମାଜ ସହଜରେ ଗଠିତ ହୋଇପାରେ ।

 

ସମାଜର ନୂତନତ୍ୱରେ ମନୁଷ୍ୟ ସହଜେ ଆକୃଷ୍ଟ ହୁଏ ନାହିଁ । ପରସ୍ପର ଭାବବିନିମୟରେ ଜଣେ ଜଣକ ପ୍ରତି ଆକୃଷ୍ଟ ହୋଇଥାଏ । ଏହିଠାରେ ଭାଷାର ମହତ୍ତ୍ୱ ଉପଲବ୍‌ଧ ହୁଏ । ଭାଷା ନ ଥିଲେ ସମାଜର ଅସ୍ତିତ୍ୱ ନ ଥାନ୍ତା । ଭାଷା ହୃଦୟର ଅଭିବ୍ୟକ୍ତି ମାତ୍ର; ସୁତରାଂ ହୃଦୟର କାର୍ଯ୍ୟକାରୀ ଶକ୍ତି ଉପରେ ଏତେ ବଡ଼ ଜଟିଳ ସମାଜ-ସମସ୍ୟା ନିର୍ଭର କରୁଛି ବୋଲି କୁହାଯାଇପାରେ । ଶିଶୁ ପ୍ରସୂତି କ୍ରୋଡ଼ରେ ସମାଜ, ଧର୍ମ କିମ୍ବା ଭାଷାର ଅପେକ୍ଷା ରଖେ ନାହିଁ; କିନ୍ତୁ ଦିନ ଆସେ, ଯେତେବେଳେ ସେହି ଶିଶୁ ପରିଣତବୟସ୍କ ହୋଇ ସମାଜ କିମ୍ବା ଧର୍ମ-ସଂସ୍କାରକର ସ୍ଥାନ ଅଧିକାର କରେ ।

 

ସମସ୍ତ ବିଶ୍ୱ ଏକ ଗତିର ଅଧୀନରେ ଚାଳିତ । ସୃଷ୍ଟି ଜୀବ ମଧ୍ୟ ଗୋଟାଏ ମାର୍ଗ ଧରି ଚାଲିଛି । ଏହି ମାର୍ଗରେ ସୀମା ନିରୂପଣ କରିବା ସହଜ ନୁହେଁ । କେତେ ବିପ୍ଳବ ଆସୁଚି, ପୁରାତନର ସ୍ଥାନ ନୂତନ ଅଧିକାର କରୁଚି; ପୁଣି ନୂତନତ୍ୱର ସ୍ଥାୟିତ୍ୱ କିଛି ସମୟ ପରେ ଲୀନ ହୋଇ ଯାଉଚି । ଅନନ୍ତ କାଳ-ସ୍ରୋତରେ ଏଗୁଡ଼ିକ ଜଳ-ବୁଦ୍‌ବୁଦ୍‌ ପରି କ୍ଷଣସ୍ଥାୟୀ । ଏମାନଙ୍କଠାରେ ଆବଦ୍ଧ ମନୁଷ୍ୟର କ୍ଷୀଣଦୃଷ୍ଟି ସଂପ୍ରସାରିତ ହୋଇପାରେ ନାହିଁ; ବରଂ ସଙ୍କୁଚିତ ହେବାର ଯଥେଷ୍ଟ ସମ୍ଭାବନା ଅଛି । କେତେ ମହାମନୀଷୀ ମାନବର କ୍ଷୁଧିତ ପ୍ରାଣରେ ଆଶ୍ୱାସନା ଆଣିବା ଉତ୍କୃଷ୍ଟ ପନ୍ଥାସବୁ ଉଦ୍‌ଭାବନ କରିଦେଇ ଗଲେ; କିନ୍ତୁ ଅନ୍ଧକାରର ମାତ୍ରା କେତେ ପରିମାଣରେ ଘୁଞ୍ଚିଲା, କେହି କହିପାରିବେ ନାହିଁ । ହୁଏ ତ ବାହ୍ୟ ଜଗତରୁ କାଳିମା ଅପସାରିତ ହୋଇ ଅନ୍ତର୍ଜଗତକୁ ତିମିରାଚ୍ଛନ୍ନ କରିବାକୁ ବସିଚି କିମ୍ବା ଆଲୋକର ସୁଦୂର ରଶ୍ମି-ରେଖା ସନ୍ଦେହ-କୁହେଳିକାରେ ଆତ୍ମଗୋପନ କରିଛି । ସ୍ୱଳ୍ପ ଜୀବନକାଳ ମଧ୍ୟରେ ମନୁଷ୍ୟ ନାନା ଦିଗରୁ କାର୍ଯ୍ୟଭାରାକ୍ରାନ୍ତ ହୋଇପଡ଼େ । ସତ୍ୟସନ୍ଧାନରେ ତାର ବଳ କମି ଆସେ, ଜ୍ଞାନଲାଭ କରିବାକୁ ସେ ପ୍ରୟାସୀ ହୁଏ ନାହିଁ- କେବଳ ଉତ୍ତେଜନାର ବଶବର୍ତ୍ତୀ ହୋଇ ଜୀବନର ଅଧିକାଂଶ ସମୟ କଟାଇଦିଏ । ଏପରି ଅବସ୍ଥାରେ ତାର ଗତି ନିର୍ଦ୍ଧାରଣ କରିବା ସହଜ ନୁହେଁ । ଯେ ଦୃଶ୍ୟ ଦେଖି ମନୁଷ୍ୟ ବିଭୋର ହୋଇପଡ଼େ । ତାକୁ ସେଥିରୁ ବିରତ କରାଇବା ପାଇଁ ଯୁଗଧର୍ମ ସାହାଯ୍ୟ କରେ ନାହିଁ । ଅନେକେ କହିପାରନ୍ତି, ସନ୍ଦେହ-ଯୁକ୍ତ ଦୃଷ୍ଟିରେ କୌଣସି ବିଷୟକୁ ଦେଖିଲେ ବିଷୟର ସତ୍ୟତା ଉପଲବ୍‌ଧ ହୋଇପାରେ ନାହିଁ । ଏହା ଠିକ୍‌ ନୁହେଁ । ସନ୍ଦେହ କରୁ ନ ଥିଲେ ମନୁଷ୍ୟ ଗୋଟାଏ ମାତ୍ର ଧାରାବାହିକ ଦିଗରେ ଗତି କରି ଚାଲିଥାନ୍ତା; କୌଣସି ଭ୍ରମପ୍ରମାଦରେ ତାକୁ ବିକ୍ଷୁବ୍‌ଧ ହେବାକୁ ପଡ଼ନ୍ତା ନାହିଁ । ସତ୍ୟର ବହିରାବରଣ ଭେଦ କରିବା ପାଇଁ ସନ୍ଦେହ ଆବଶ୍ୟକ । ମନୁଷ୍ୟର ଜଟିଳ ପ୍ରକୃତିରେ ସନ୍ଦେହର ବୀଜ କୌଣସି ଅନିଷ୍ଟ ଉଦ୍ଦେଶ୍ୟରେ ରୋପିତ ହୋଇ ନାହିଁ-। ପ୍ରତ୍ୟେକ ବିଷୟରେ ସଦବ୍ୟବହାର କରି ନ ପାରିଲେ କେବଳ ଦୁଷ୍ଟ ଦୃଷ୍ଟିର ପରିଚୟ ମିଳେ ।

 

କାଳର ଅନ୍ତ ନାହିଁ । ପ୍ରତି ମୁହୂର୍ତ୍ତରେ ବିଶ୍ୱରେ ଯେ ସବୁ ବିସ୍ମୟକର ପରିବର୍ତ୍ତନ ଘଟିଯାଉଚି, ସେଥିପ୍ରତି କେହି ଲକ୍ଷ୍ୟ ରଖୁ ନାହିଁ । ସଂଖ୍ୟାତୀତ ନୀହାରିକା (Nebulae) ଅନନ୍ତ ଆକାଶରେ ବିଲୀନ ହୋଇଯାଉଚି । କିଏ କହିବ, ଅଗଣିତ ସଂସାରର ଧ୍ୱଂସରେ ସ୍ରଷ୍ଟାର କେଉଁ ମହତ୍‌ ଉଦ୍ଦେଶ୍ୟ ସାଧିତ ହେଉଅଛି ? ବୈଜ୍ଞାନିକମାନେ କହନ୍ତି ଯେ, ଆମ୍ଭମାନଙ୍କର ସୌରଜଗତ୍‌ ଗୋଟାଏ ଅଜ୍ଞାତ ଦିଗରେ ଗତି କରୁଚି । ଏହି ଗତି କେଉଁଠାରୁ ଆରମ୍ଭ ହୋଇଥିଲା ଓ ପୁଣି କେଉଁଠାରେ ଶେଷ ହେବ, ତାହା ମାନବ ଜ୍ଞାନର ଅତୀତ । ହୋଇପାରେ, ଦିନ ଆସିବ-ଯେତେବେଳେ ଏ ସମସ୍ତ ଗ୍ରହଉପଗ୍ରହ ସୂର୍ଯ୍ୟକୁ ଘେନି ମୁହୂର୍ତ୍ତକେ ବିଶ୍ୱର ଅସୀମ ସତ୍ତାରେ ଲୀନ ହୋଇଯିବେ । ଅନନ୍ତର କ୍ରିୟା-କୌଶଳ ଦେଖିବାକୁ କ୍ଷୁଦ୍ର ମାନବ ସମର୍ଥ ନୁହେଁ । ଯେଉଁ ଶକ୍ତି ତାକୁ ହୋଇଅଛି, ତାକୁ ପ୍ରସାରିତ କରିବାପାଇଁ ସୁବିଧା ଅଛି; କିନ୍ତୁ ସଂସାରର ଜଟିଳତା ମଧ୍ୟରେ ସେ ଏହି ସୁବିଧାକୁ ଖୁବ୍‌ କମ୍‌ ପରିମାଣରେ ଅସୀମର ସତ୍ତା ଅନୁଭବରେ ପ୍ରୟୋଗ କରିଥାଏ । ନିଜର କ୍ଷୁଦ୍ରତ୍ୱ ଉପଲବ୍‌ଧି କରି ସେ କେବଳ ଯୁଗ, ବର୍ଷ, ମାସ ଓ ପକ୍ଷ ପ୍ରଭୃତିରେ କାଳର ଗୋଟାଏ ପରିମାଣ ନିରୂପଣ କରିଅଛି । ବାୟୁର ଗତି ସର୍ବତ୍ର । କାର୍ଯ୍ୟୋପଲକ୍ଷରେ ତାକୁ ସୀମା ମଧ୍ୟରେ ଆବଦ୍ଧ ରଖାଯାଏ । ସେହିପରି କାଳ ଅନନ୍ତ ହେଲେ ସୁଦ୍ଧା ମାନବୀୟ କାର୍ଯ୍ୟପ୍ରଣାଳୀରେ ତାର ଗୋଟାଏ ସୀମା ନିର୍ଦ୍ଦେଶ କରାଯାଇଥାଏ । କାଳର କଳ୍ପିତ ଶକ୍ତିମଧ୍ୟରେ ମନୁଷ୍ୟର ଉତ୍ଥାନ କିମ୍ବା ପତନ ଦେଖି କୌଣସି ମତ ପ୍ରକାଶ କଲେ ସାଧାରଣ ବୁଦ୍ଧିର ପରିଚୟ ମିଳେ । ସେ ଦିନ କଟକ ‘‘ଶ୍ରୀରାମଚନ୍ଦ୍ର ଭବନ’’ରେ ‘‘ମଡ଼ର୍ଣ୍ଣ ରିଭିଉ’’ର ପ୍ରବୀଣ ସମ୍ପାଦକ ଶ୍ରୀଯୁକ୍ତ ରାମାନନ୍ଦ ଚାଟାର୍ଯି ‘‘ମାନବ ସଭ୍ୟତାର ପ୍ରଗତି’’ ବିଷୟରେ ବକ୍ତୃତା ଦେଲା ପରେ ଶ୍ରୀ ନୀଳକଣ୍ଠ ଦାଶ ମାନବର ପ୍ରଗତି କିମ୍ବା ଅଧୋଗତି ହେଉଛି– ଠିକ୍‌ ଜଣାଯାଉ ନାହିଁ ବୋଲି ମତ ପ୍ରକାଶ କଲେ । ବିଚାରଦୃଷ୍ଟିରେ ସମାଜକୁ ପ୍ରଧାନ ଅବଲମ୍ବନ ସ୍ୱରୂପ ଧରି ପଣ୍ଡିତମାନେ ମତ ପ୍ରକାଶ କରନ୍ତି । ଅତୀତ ଯୁଗରେ ଯେ ରୁଚି ଓ ସଭ୍ୟତା ମାନବପ୍ରାଣକୁ ମୋହିତ କରିଥିଲା, ଆଜି ସେଗୁଡ଼ିକର ସମ୍ପୂର୍ଣ୍ଣ ପରିବର୍ତ୍ତନ ଘଟିଯାଇଛି । ଯେଉଁମାନେ ଆଧୁନିକ ସଭ୍ୟତା ଛାଞ୍ଚରେ ଗଢ଼ି ହୋଇଛନ୍ତି ଓ ଯେଉଁମାନଙ୍କର ଦୃଷ୍ଟି ଗୋଟାଏ ଲକ୍ଷ୍ୟ ଧରି ସଞ୍ଚାଳିତ ହେଲାଣି, ସେମାନଙ୍କର ଅତୀତକୁ ହୀନ ମନେ କରିବା କ୍ଷମଣୀୟ; ପକ୍ଷାନ୍ତରରେ ଅତୀତକୁ ସବୁବେଳେ ନିର୍ଦ୍ଦୋଷ ଦେଖିଲେ ବର୍ତ୍ତମାନର ସଂକୀର୍ଣ୍ଣତା ପ୍ରମାଣିତ ହେବା ସହଜ । ବିଚାରକ ଯେ କୌଣସି ମତାବଲମ୍ବୀ ହେଉନ୍ତୁ, ତାଙ୍କର ମନେ ରଖିବା ଉଚିତ ଯେ, ମନୁଷ୍ୟର ସ୍ୱଭାବ ଯାହା ପ୍ରଧାନତଃ ଦୃଷ୍ଟ ହୋଇଥାଏ, ତାର କିଛି ପରିବର୍ତ୍ତନ ହୋଇ ନାହିଁ । ସୁଦୂର ଅତୀତରେ ଯେଉଁ ଦୁର୍ବଳତା ମନୁଷ୍ୟ ହୃଦୟକୁ ଗ୍ରାସ କରିଥିଲା, ଆଜି ମଧ୍ୟ ସେ ସେଥିରୁ ନିଷ୍କୃତ ପାଇ ନାହିଁ ।

 

ଯେଉଁଠାରେ ଉତ୍ପତ୍ତିର ସତ୍ତା ନାହିଁ, ସେଠାରେ ବିକାଶର କୌଣସି ସମ୍ଭାବନା ନ ଥାଏ । ପୁରାତନ ପ୍ରଚଳନକୁ ମାର୍ଜିତ କରି ଆଧୁନିକ ସମାଜବାସୀ ଯାହା ଉପଭୋଗ କରୁଚି, ତାହା କେବଳ ତା ଦୃଷ୍ଟିସୀମା ମଧ୍ୟରେ ଆବଦ୍ଧ । ଅତୀତ ଯଦି ଫେରି ଆସନ୍ତା, ତାହା ହେଲେ ଉପଭୋଗୀ ବୁଝନ୍ତା, ମାର୍ଜିତର ମୂଲ୍ୟ କେତେ । ଅପର ପକ୍ଷରେ, ମନୁଷ୍ୟ ଛଡ଼ା କୌଣସି ଉନ୍ମତ ଜୀବ ପୃଥିବୀରେ ଜନ୍ମଗ୍ରହଣ କଲେ ଅତୀତକୁ ବର୍ତ୍ତମାନ ସହିତ ମିଳାଇ ଦେଇ ଗୋଟାଏ ଚିତ୍ର ଦେଖାଇ ଦିଅନ୍ତା । ଅନେକ ସମୟରେ ମନୁଷ୍ୟର ଦୃଷ୍ଟି ଠିକ୍‌ ନ ଥାଏ । ସାଧାରଣତଃ ସେ ଯାହା ନିଜେ ଦେଖେ କିମ୍ବା ଶୁଣେ, ତାକୁ ଅବିସମ୍ବାଦିତ ବୋଲି ଗ୍ରହଣ କରେ । ବିଚାରାଳୟମାନଙ୍କରେ ପ୍ରମାଣ ଆଇନ ଯେଉଁ ସାକ୍ଷ୍ୟ-ବିଧାନକୁ ଅନୁସରଣ କରେ, ତାହା ଦର୍ଶନ ଓ ଶ୍ରବଣେନ୍ଦ୍ରିୟମାନଙ୍କର ଅନୁଭବକୁ ଦୋଷଶୂନ୍ୟ ବୋଲି ବିଚାର କରେ । ଇନ୍ଦ୍ରିୟ ମାତ୍ରେ ପ୍ରମାଦର ଅଧୀନ ହେବ; ଏଥିର ଦୃଷ୍ଟାନ୍ତ ମଧ୍ୟ ବିରଳ ନୁହେଁ । ଦିଗ୍‌ବଳୟରେ ଚନ୍ଦ୍ରୋଦୟ ହେଲାବେଳେ ଯେ ଆକାର ଦେଖାଯାଏ, କ୍ରମଶଃ ଗତି କରି ଆସିଲେ ତାର ଭିନ୍ନତା ଦୃଷ୍ଟ ହୁଏ । ପୃଥିବୀଠାରୁ ଚନ୍ଦ୍ରର ଦୂରତା ଓ ଆକାର ସମାନ ଥାଏ; କିନ୍ତୁ ଦୃଷ୍ଟିଦୋଷରୁ ଚନ୍ଦ୍ରର ଆକାର କ୍ଷୁଦ୍ର ଦେଖାଯାଏ । ଚଳଚିତ୍ର ଚକ୍ଷୁ ସମକ୍ଷରେ ଯେପରି ପ୍ରକଟିତ ହୋଇଥାଏ, ସେଥିରେ କଣ ସତ୍ୟର ସ୍ୱରୂପ ନିର୍ଣ୍ଣୀତ ହେବା ସହଜ ? ଗୋଟାଏ ପ୍ରହେଳିକାରେ ସଂସାରର ଅଧିକାଂଶ ବିଷୟ ମନୁଷ୍ୟ ମନକୁ ଟାଣି ରଖିଚି । ପୁରୁଷ ଦେଖେ, ନାରୀଠାରେ ସୌନ୍ଦର୍ଯ୍ୟର ଉତ୍ସ ପୂର୍ଣ୍ଣମାତ୍ରାରେ ଉନ୍ମୁକ୍ତ ହୋଇ ରହିଚି । ଏଥିରେ ମଧ୍ୟ ଦୁର୍ବଳ ଇନ୍ଦ୍ରିୟ ଯଥେଷ୍ଟ ପରିମାଣରେ ମନୁଷ୍ୟର ମନକୁ ଅଭିଭୂତ କରିଥାଏ । ପ୍ରାଣିତତ୍ତ୍ୱବିତ୍‌ମାନେ କହନ୍ତି ଯେ, ଜୀବସୃଷ୍ଟିରେ ପୁରୁଷ ସ୍ତ୍ରୀ ଅପେକ୍ଷା ସାଧାରଣତଃ ସୁନ୍ଦର; କିନ୍ତୁ ମନୁଷ୍ୟପକ୍ଷରେ ଏହି ନିୟମର ବ୍ୟତିକ୍ରମ ଘଟିବାର କୌଣସି କାରଣ ନାହିଁ । ମୋହବଶତଃ ପୁରୁଷ ନାରୀପ୍ରତି ଆକୃଷ୍ଟ ହେବା ଗୋଟାଏ ସ୍ୱାଭାବିକ ଗୁଣ ମଧ୍ୟରେ ପରିଗଣିତ ହେଲାଣି । ସାମାନ୍ୟ ଅନୁକରଣ ଉଦ୍ମାଦନାରେ ମନୁଷ୍ୟ ବିଷୟକୁ ଯଥାଯଥ ରୂପେ ବିଚାର କରିପାରେ ନାହିଁ । ଧନୀ ଯେଉଁ ପରିଚ୍ଛଦ ପରିଧାନ କରେ, ଦରିଦ୍ର ଦୃଷ୍ଟି ସେହି ଦିଗକୁ ସଞ୍ଚାଳିତ ହୁଏ । ସେ ମନେ କରେ, ସେହି ପୋଷାକର ପରିପାଟୀ ଆଦର୍ଶ ସ୍ଥାନୀୟ; କିନ୍ତୁ କିଛିଦିନ ପରେ ଧନୀ ନିଜେ ତାକୁ ବୀତସ୍ଫୃହ ହୋଇ ତ୍ୟାଗ କରେ-। ସମାଜ ଅଧିକାଂଶ ସ୍ଥଳରେ ଲୋକଚାର ଉପରେ ନିର୍ଭର କରି ଗଠିତ ହୁଏ । ଭିନ୍ନ ଭିନ୍ନ ଦେଶମାନଙ୍କରେ ସାମାଜିକ ଜୀବନର ସାମ୍ୟ ନ ଦେଖାଯିବାର ଯେ ସବୁ କାରଣ ଅଛି, ତନ୍ମଧ୍ୟରେ ଜଳବାୟୁ ଓ ଧର୍ମ ପ୍ରଧାନ । ଶ୍ରବଣଦୋଷରୁ ବିଷୟର ସାରବତ୍ତା ହୃଦୟଙ୍ଗମ ହେବା ପକ୍ଷେ ବାଧା ଜନ୍ମିପାରେ । ଏହା ଛଡ଼ା ବିଚାରର ମଧ୍ୟ ତାରତମ୍ୟ ରହିଅଛି । ସବୁ କଥା ବାଦ୍‌ ଦେଇ ମନୁଷ୍ୟ ଯଦି ନିଜର ଜୀବନକାଳକୁ ଆଲୋଚନା କରି ଦେଖେ, ତା ହେଲେ ସେ ଅବାକ୍‌ ହୋଇଯିବ । ଯେଉଁ ପଦାର୍ଥକୁ ସେ ଏକ ସମୟରେ ଅତ୍ୟନ୍ତ ଆଦର କରୁଥିଲା, ତାକୁ ବିପର୍ଯ୍ୟସ୍ତ ଅବସ୍ଥାରେ ପକାଇ ନିଶ୍ଚିନ୍ତ ହୋଇ ରହିପାରେ । କାହାକୁ ସେ କିପରି ଭାବରେ ଦେଖେ, ତାର କିଛି ସ୍ଥିରତା ନାହିଁ ।

 

ପାର୍ଥକ୍ୟ ଦେଖି ତୁଳନା କରାଯାଏ । ଦେଶବିଶେଷର ଆଚାର ଓ ରୁଚି ଅନ୍ୟ ଦେଶବାସୀଙ୍କୁ କଦର୍ଯ୍ୟ ଦେଖାଯାଇପାରେ । ଇଉରୋପର ସଭ୍ୟତା ସମଗ୍ର ପୃଥିବୀରେ ଯେ ଚଞ୍ଚଳତା ଆଣିଛି, ତାକୁ ପୁଙ୍ଖାନୁପୁଙ୍ଖରୂପେ ବିଚାର କଲେ ଅନେକ ଦୋଷ ପରିଦୃଷ୍ଟି ହୁଏ । ଏହା ବୋଲି ଇଉରୋପବାସୀମାନଙ୍କୁ ହୀନ ବୋଲି ବିବେଚନା କରିବା ଆମ୍ଭମାନଙ୍କର ଉଚିତ ନୁହେଁ । ଗତ ମହାସମରରେ ଇଉରୋପ ଯେଉଁ ଆହୁତି ପ୍ରଦାନ କଲା, ସେଥିରେ ଧ୍ୱଂସର ଅଗ୍ନି ପ୍ରବଳ ଭାବରେ ଜଳି ଉଠିଲା; ହିଂସାର ଚିତ୍ର ମନୁଷ୍ୟ ମନରେ ଘୋର ଆତଙ୍କ ଉପସ୍ଥିତ କଲା । ଶାନ୍ତ ଓ ନିରୀହ ଜାତିମାନେ ଇଉରୋପକୁ ଅଭିଶାପ ଦେଲେ; କିନ୍ତୁ ସେ ସେହି ଭୀଷଣ ରଣକ୍ଷେତ୍ରରୁ ସହଜରେ ନିବୃତ୍ତ ହେଲା ନାହିଁ । ଅନ୍ୟାନ୍ୟ ସଭ୍ୟତାଭିମାନୀ ଜାତିମାନେ ଇଉରୋପର ସଭ୍ୟତାକୁ ଅତି ତୁଚ୍ଛ ମନେ କରି ପାରିଥିବେ । ହୁଏ ତ ଇଉରୋପର ନୈତିକ ଦୁର୍ବଳତା ସକାଶେ ଜଗତକୁ ପ୍ରାୟଶ୍ଚିତ୍ତ କରିବାକୁ ପଡ଼ିଲା । ଏଥିରେ କଣ ମାନବର କିଛି ଶିକ୍ଷା ହୋଇ ନାହିଁ ? ହିଂସା ପ୍ରବୃତ୍ତିକୁ ନିରଙ୍କୁଶ ଭାବରେ ଛାଡ଼ିଦେଲେ ତାହା କିପରି କରାଳ ମୂର୍ତ୍ତି ଧାରଣ କରେ, ତାର ସ୍ପଷ୍ଟ ପ୍ରମାଣ ମିଳିଯାଇଛି । ଭାରତର ଏଥିରେ ଗର୍ବ କରିବାର କିଛି ନାହିଁ । ଶ୍ରୀମଦ୍ଭଗବଦ୍ଗୀତା ପରି ଅଦ୍ୱିତୀୟ ଗ୍ରନ୍ଥର ପ୍ରକାଶର ଅନତିପୂର୍ବେ ଭ୍ରାତୃବିରୋଧ ଓ ପରସ୍ତ୍ରୀହରଣର ଲାଳସା ଭାରତୀୟ ମନକୁ ଗ୍ରାସ କରିଥିଲା । ଯଦି ମାନବର ସଭ୍ୟତା କ୍ରମଶଃ ଉନ୍ନତି ଦିଗରେ ଗତି କରୁଥାନ୍ତା, ତାହା ହେଲେ ଅଧର୍ମର ମାତ୍ରା ଆସ୍ତେ ଆସ୍ତେ ପୃଥିବୀରୁ ଲୋପ ପାଉଥାନ୍ତା । ଭଗବାନ ଶ୍ରୀକୃଷ୍ଣଙ୍କୁ ‘‘ଯଦା ଯଦାହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତ-ଅଭ୍ୟୁତ୍ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହଂ’’ କହିବାକୁ ପଡ଼ି ନ ଥାନ୍ତା-। ଜଗତରେ କର୍ତ୍ତବ୍ୟ, ସଦାଚାର ପ୍ରଭୃତିର ବିଭିନ୍ନ କ୍ରମ ଅଛି । ଅବସ୍ଥାନୁରୂପୀ ଦେଶ, କାଳ ଓ ପାତ୍ରାନୁସାରେ ଏମାନଙ୍କର ସୋପାନ ସ୍ଥିର କରାଯାଇପାରେ; କିନ୍ତୁ ଏପରି ସ୍ଥଳରେ ଗୋଟାଏ ଆଦର୍ଶ ସୃଷ୍ଟି କରି ଜଗତର ସଭ୍ୟତାକୁ ମାପିବା ଯୁକ୍ତିସଙ୍ଗତ ନୁହେଁ । ସ୍ୱାମୀ ବିବେକାନନ୍ଦ କହିଚନ୍ତି-କୌଣସି ବ୍ୟକ୍ତିର କେବଳ ଆଜ୍ଞା ପାଳନରେ କିମ୍ବା ଅନୁରସରଣରେ ଆଦର୍ଶରକ୍ଷା ହୁଏ ନାହିଁ । ଗୋଟିଏ ଦେଶର ସଭ୍ୟତା ଯେତେ ଉଚ୍ଚ ଓ ମହତ୍‌ ହେଉ ପଛକେ, ଅଦ୍ୟ ଦେଶକୁ ସେହି ଛାଞ୍ଚରେ ଗଢ଼ିଦେବା ଉଚିତ ନୁହେଁ ।

 

ଆଜି ଭାରତ ଓ ଇଉରୋପ ସଭ୍ୟତାରେ ଯେ ଅସାମଞ୍ଜସ୍ୟ ରହିଛି, ତାକୁ ଦୂର କରି ଗୋଟାଏ ସାଧାରଣ ସଭ୍ୟତାର ଭିତ୍ତି ସ୍ଥାପନ କରିବା ସହଜ ନୁହେଁ । ସାମାନ୍ୟ ଦେଶାଚାରକୁ ବାଦ ଦେଲେ ଏକ ସାର୍ବଭୌମିକ ଆଦର୍ଶ ଦେଖିବାକୁ ମିଳେ । ଏହାର ଉତ୍ପତ୍ତିକୁ ମନୁଷ୍ୟ ଜାତିର ସାଧାରଣ ଧର୍ମ ଉପରେ ଆରୋପ କରାଯାଇପାରେ । ମନୁଷ୍ୟ ସ୍ୱଭାବରେ ସାମ୍ୟ ଥିଲେ ସୁଦ୍ଧା ତାହାର କାର୍ଯ୍ୟପ୍ରଣାଳୀ ଏପରି ଜଟିଳ ହୋଇଯାଇଚି ଯେ, ଗୋଟାଏ ସରଳମାର୍ଗର ଅନୁବର୍ତ୍ତୀ ହୋଇ ରହିବାକୁ ସେ ପଶ୍ଚାତ୍ପଦ । ସେଥିଯୋଗୁଁ ଏତେ ବିଭିନ୍ନ ସମ୍ପ୍ରଦାୟ ଓ ଜାତିର ଅଭ୍ୟୁଦୟ ହୋଇଅଛି । ପ୍ରକୃତି ସଂସ୍ପର୍ଶରେ ମନୁଷ୍ୟର କାର୍ଯ୍ୟ-ବହୁଳ ଆୟାସ ପ୍ରକାଶିତ ହୁଏ । ପ୍ରକୃତିର ଗତି ନିରୂପଣ କରି ଗୋଟାଏ ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ଅନେକେ ଚେଷ୍ଟା କରିଥାନ୍ତି; କିନ୍ତୁ ସେଥିରେ ମଧ୍ୟ ବ୍ୟତିକ୍ରମ ଘଟିଥାଏ । ପ୍ରକୃତି-କ୍ରୋଡ଼ରେ ପାଳିତ ଜୀବର ସ୍ୱତଃ ଉତ୍ଥାନ ଓ ପତନ ହେଲେ ତୁଳନା ପାଇଁ ସ୍ଥାନ ରହେ ନାହିଁ ।

 

ଜଗତ୍ ଯେ ଶକ୍ତିଦ୍ୱାରା ବ୍ୟକ୍ତ ହୋଇଅଛି, ତାର ବିନାଶ କିମ୍ୱା ପରିବର୍ତ୍ତନ ହୁଏ ନାହିଁ । ମନୁଷ୍ୟ ନିଜର ସୁଖର ସଂସାର ଗଢ଼ିନିଏ କ୍ଷଣକ ପାଇଁ । କେତେବେଳେ ଗୋଟାଏ ପ୍ରବଳ ଢେଉ ଆସି ତାର ସୁଖସୌଧକୁ ଚୂର୍ଣ୍ଣ କରି ଦେଇ ଚାଲିଯାଏ । ସହସ୍ର ଚେଷ୍ଟା କଲେ ସୁଦ୍ଧା ନିତ୍ୟ-ଆବର୍ତ୍ତନଶୀଳ ସୁଖଦୁଃଖରାଶିକୁ କେହି ତା ଜୀବନପଥରୁ ଅନ୍ତର କରାଇ ପାରିବେ ନାହିଁ । ସମୁଦ୍ରରେ ଜଳର ପରିମାଣ ସମାନ ଥିଲେ ସୁଦ୍ଧା ଉତ୍ତାଳ ତରଙ୍ଗ ମାନଙ୍କର ବିରାମ ଆସେ ନାହିଁ । ଜାଗତିକ ନିୟମ ସମାନ ଭାବରେ କାର୍ଯ୍ୟ କରି ଯାଉଚି; କିନ୍ତୁ ମାନବର କ୍ରିୟାବୈଷମ୍ୟ-ଦ୍ୱାର ସର୍ବଦା ଉଦ୍‌ଘାଟିତ ହୋଇ ରହିଚି । ବୈଷମ୍ୟ ଘେନି କର୍ତ୍ତବ୍ୟ-ସମ୍ପାଦନରେ ବାଧା ଆସେ ନାହିଁ । ପ୍ରତ୍ୟେକ ନିଜ କର୍ମପଥରେ ସୁଚାରୁରୂପେ ଅଗ୍ରସର ହେଲେ ମାନବ-ଜୀବନ ସାର୍ଥକ ହୁଏ । ରାଜ୍ୟେଶ୍ୱରଠାରୁ ଦୀନ କୁଟୀରବାସୀ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଲକ୍ଷ୍ୟପଥରେ ଚାଲିଛନ୍ତି । କାହାରି କାର୍ଯ୍ୟକୁ ଅନାଦର କରିବା ଉଚିତ ନୁହେଁ । ଜଗତର ଭଲ ମନ୍ଦ ବିଚାର କଲେ କିଛି ଲାଭ ନାହିଁ । ମନୁଷ୍ୟ ମନର ଭାବ ସବୁବେଳେ ସମାନ ନ ଥାଏ । ଯେ ଭାବର ଅଧୀନ ହୋଇ ସେ ଜଗତର କାର୍ଯ୍ୟପ୍ରଣାଳୀମାନଙ୍କୁ ଦେଖେ, ସେମାନେ ସେହି ରୂପରେ ତା ଆଗରେ ପ୍ରତୀୟମାନ ହୁଅନ୍ତି । ଅତୀତର ଯାହା ଥିଲା, ‘‘ବର୍ତ୍ତମାନ’’ ସେଥିରୁ ବଞ୍ଚିତ ନୁହେଁ କିମ୍ୱା ‘‘ବର୍ତ୍ତମାନ’’ ଯାହା ପ୍ରକାଶ କରିବାକୁ ସମର୍ଥ ହୋଇଅଛି, ତା ଅତୀତ ଗର୍ଭରେ ଆତ୍ମଗୋପନ କରିଥିଲା । ସମୟ ସମୟରେ କେହି ମହାମାନବ ପୃଥିବୀର ଅବତୀର୍ଣ୍ଣ ହୋଇ ଯେ ମନ୍ତ୍ର ପ୍ରଚାର କରନ୍ତି, ତଦ୍ଦ୍ୱାରା ମାନବ ଜାତିର ଜଡ଼ତା ଅନେକ ପରିମାଣରେ ଘୁଞ୍ଚିଯାଏ; କିନ୍ତୁ ମନୁଷ୍ୟ ସ୍ୱଭାବର ପରିବର୍ତ୍ତନ ଘଟେ ନାହିଁ ।

 

ଯୀଶୁ, ବୁଦ୍ଧ ଓ ମହମ୍ମଦ ଧର୍ମଜଗତରେ ଯେତେ ବିପ୍ଳବ ଆଣିଲେ, ତଦ୍ଦ୍ୱାରା ‘‘ସାମୟିକ ଅଗ୍ରଗତିର ସୂଚନା ମିଳିଲା; କିନ୍ତୁ ଅଜ୍ଞାନତା ଧରାବକ୍ଷରୁ ଅପସାରିତ ହେଲା ନାହିଁ । ଆଜି ସମୟସ୍ରୋତରେ ଖ୍ରୀଷ୍ଟାନ୍, ବୌଦ୍ଧ ଓ ମୁସଲମାନ ଏକ ତରୀରେ ସହଯାତ୍ରୀ । ପୃଥିବୀର ଦୁର୍ଦ୍ଦଶାରେ ସମସ୍ତେ ମୁହ୍ୟମାନ । ଗୋଟାଏ ସଭ୍ୟତାର ପ୍ରେରଣାରେ ସମସ୍ତଙ୍କ ପ୍ରାଣ ଅସ୍ଥିର ପ୍ରକମ୍ପନ ଅନୁଭବ କରୁଚି । ବିଭିନ୍ନତା ମଧ୍ୟରେ ଯେ ସାମ୍ୟଭାବ ଅଛି, ତାକୁ ସେମାନଙ୍କୁ ସମଦଶାର ଅଧୀନ କରାଉଅଛି । ବାହ୍ୟ ଚାକଚକ୍ୟ ଦୃଷ୍ଟିରେ ବିଚାର କଲେ ଆଧୁନିକ ମାନବ ତାର ପୂର୍ବପୁରୁଷମାନଙ୍କୁ ସଭ୍ୟତାରେ ଅତିକ୍ରମ କରିଚି ବୋଲି ଜଣାଯାଇପାରେ; କିନ୍ତୁ ଖାଣ୍ଟି ଜିନିଷଟି ସର୍ବଦା ସମ-ଅବସ୍ଥାରେ ରହିଚି । ମନୁଷ୍ୟ ସ୍ୱଭାବର ସମ୍ପୂର୍ଣ୍ଣ ପରିବର୍ତ୍ତନ ନ ହେବା ଯାଏ ଗୋଟାଏ କାଳ୍ପନିକ ମାନଦଣ୍ଡରେ ତା ସଭ୍ୟତାକୁ ନିର୍ଣ୍ଣୟ କରିବା ଠିକ୍ ନୁହେଁ ବୋଲି ଆମ୍ଭମାନଙ୍କର ବିଶ୍ୱାସ ।

•••

 

ଶାନ୍ତିର ସୋପାନ

ବିଶ୍ୱ ପ୍ରକୃତି ସହିତ ଚିତ୍-ଶକ୍ତି-ପ୍ରବାହକୁ ସଂଶ୍ଳିଷ୍ଟ କରିପାରିଲେ ବୈଷୟିକ ବେଷ୍ଟନୀ ମଧ୍ୟରେ ମନ ବେଶି ଆବଦ୍ଧ ରହେ ନାହିଁ । ସୃଷ୍ଟିକର୍ତ୍ତାଙ୍କର ଅଭ୍ରାନ୍ତ ନିୟମର ଅଧୀନ ହୋଇ ସାମାନ୍ୟ ଧୂଳିକଣାଠାରୁ ଗ୍ରହ, ଉପଗ୍ରହ ସୌର ଜଗତ୍ ପ୍ରଭୃତି ନିର୍ଦ୍ଦିଷ୍ଟ କାର୍ଯ୍ୟମାନଙ୍କରେ ନିଯୁକ୍ତ ରହିଛନ୍ତି । ଏହି ଅନନ୍ତ କ୍ରିୟାର ବିରାମ ନାହିଁ । କ୍ଷୁଦ୍ର ମନୁଷ୍ୟ ଯେତେବେଳେ ତାର ଭିନ୍ନତା ଲୋପ କରି ପ୍ରାକୃତିକ ନିୟମ ସହିତ ସାମଞ୍ଜସ୍ୟ ସ୍ଥାପନ କରେ, ସେତେବେଳେ ତାର ଶାନ୍ତିର ପଥ ଉନ୍ମୁକ୍ତ ହୁଏ । ଆଧ୍ୟାତ୍ମିକ ଚିନ୍ତାରେ ମନୁଷ୍ୟଜୀବନର ସାର୍ଥକତା ଓ ଶାନ୍ତି ନିହିତ ଅଛି । ଶରୀର ଜ୍ଞାନକୁ କ୍ରମଶଃ ଲୋପ କରି ଅନ୍ତର୍ନିହିତ ସତ୍ତା ଉପରେ ବିଶ୍ୱାସ କଲେ ମନର ସଂକୀର୍ଣ୍ଣତା ଦୂର ହୁଏ । ସହସ୍ର ସହସ୍ର ନରନାରୀ କ୍ଷୁବ୍‌ଧ ପ୍ରାଣରେ ଶାନ୍ତି ଆଶାରେ ସର୍ବଦା ଧାବିତ । ବାସ୍ପୀୟ ପୋତ କିମ୍ୱା ଆକାଶବିମାନରେ ସମସ୍ତ ଜଗତ୍ ଭ୍ରମଣ କରି ଶାନ୍ତି ଅନ୍ୱେଷଣ କଲେ ସୁଦ୍ଧା ଶାନ୍ତି ପାଇବା ଦୁଷ୍କର-। ବସ୍ତୁଜଗତର ବାହ୍ୟ ଆକର୍ଷଣରେ ମନ ଅତ୍ୟଧିକ ଆକୃଷ୍ଟ ହେଲେ ଏକ ବହିମୁର୍ଖୀ ଭାବ ହୃଦୟରେ ଫୁଟି ଉଠେ; ତୃଷାର୍ତ୍ତ ପଥିକର ମରୀଚିକା ଭ୍ରମ ମନୁଷ୍ୟ ମନକୁ ଅଧିକାର କରେ । ସେ ନିଜ ଅନ୍ତରକୁ ଅବଲୋକନ କରିବା ପରିବର୍ତ୍ତରେ ବାହାରକୁ ଅନାଇଁ ରହେ । ସାଂସାରିକ ବିବିଧ କ୍ରିୟା ସମ୍ପାଦନ କରି କେବଳ ଶାରୀରିକ ତୁପ୍ତିସାଧନରେ ରତ ରହିଲେ, ମନର ଆନନ୍ଦ ସ୍ଥାୟୀ ହୋଇପାରେ ନାହିଁ । କାରଣ ଯେଉଁ ବିଷୟବାସନାରେ ମନ ନିବିଷ୍ଟ ଥାଏ, ତାହା ପ୍ରକୃତ ଆନନ୍ଦର ଆଧାର ନୁହେଁ । ଶାନ୍ତିର ବିମଳାଲୋକ ପ୍ରତିଭାତ ହେଲେ ଜୀବନ ଉତ୍ସ ସ୍ୱଚ୍ଛ କଲ୍ଲୋଳିନୀ ଆକାର ଧାରଣ କରି ସେହି ପବିତ୍ର ଅନନ୍ତ-ସ୍ରୋତରେ ମିଶିବାକୁ ଧାଏଁ; ପାର୍ଥିବ ବାଧା କ୍ଷୁଦ୍ର ଉପଳ ଖଣ୍ଡ ସମ ସ୍ୱତଃ ଅପସାରିତ ହୋଇଯାଏ । ଅସହ୍ୟ ମର୍ମ୍ମପୀଡ଼ା କିମ୍ବା ବିଷୟଭୋଗର ଅସାରତା ପୂର୍ଣ୍ଣ ଉପଲବ୍‌ଧି କଲେ ଜୀବନର ହାହାକାର ମଧ୍ୟଦେଇ ଅନେକ ସମୟରେ ଆନନ୍ଦରଶ୍ମିର ରେଖାପାତ ଦୃଷ୍ଟ ହୁଏ । ସେ ଗୋଟାଏ ସଙ୍କେତ ମାତ୍ର । ତାକୁ ଅନୁସରଣ କରି ନ ପାରିଲେ ମନର ପୂର୍ବ ବାସନାସବୁ ପୁଣି ଅନ୍ଧକାର ଓ ମୋହ ସୃଷ୍ଟି କରେ । ଜୀବନରେ ଯେଉଁମାନେ ନିଃସ୍ୱ ଏବଂ ଜଗତ୍ ଚକ୍ଷୁରେ ଯେଉଁମାନେ ଅନାଦୃତ, ସେମାନଙ୍କ ପାଇଁ ଶାନ୍ତିଧନ ଗଚ୍ଛିତ ଥାଏ । କେବଳ ଦ୍ୱାର ଉନ୍ମୁକ୍ତ କରି ଧନ ଆହରଣ କରିବାର ଶକ୍ତି ଥିବା ଆବଶ୍ୟକ । ବାସନାପରତନ୍ତ୍ରର ଶ୍ରୀ ହଠାତ୍ ଲୁଣ୍ଠିତ ହେଲେ, ସେ ମୋହବିଭ୍ରାନ୍ତ ହୋଇ ପ୍ରକୃତ ପଥ ଅବଧାରଣ କରିପାରେ ନାହିଁ ।

 

ମନର ସ୍ୱଚ୍ଛତା ଅନୁସାରେ ମହତର ଅନୁଭୂତିରେ ହୃଦୟ ଦୃଢ଼ଭାବ ଧାରଣ କରେ ଓ ଶରୀରସଂରକ୍ଷଣ ଶକ୍ତି ଉତ୍ତରୋତ୍ତର ବୃଦ୍ଧିଲାଭ କରେ । ସତ୍‌ମାର୍ଗରେ ଗତି କଲାବେଳେ ବିପଦର ଆଶଙ୍କା ଅଳ୍ପ ଥାଏ; ତାକୁ ଅତିକ୍ରମ କରିବା ପାଇଁ ମନର ବଳ ନ୍ୟୂନ ବୋଧହୁଏ ନାହିଁ । ଅନେକଙ୍କ ଜୀବନରେ ଏହା ପ୍ରମାଣିତ ହୋଇଅଛି । ଆମ୍ଭେମାନେ ଭୟକୁ ହୃଦୟରେ ସ୍ଥାନ ଦେବାମାତ୍ରେ ଆଶୁ ବିପଦର ବୀଜ ସଂକ୍ରମିତ ହୋଇ ଗୋଟାଏ ବିପ୍ଳବର ସୂତ୍ରପାତ କରେ । ସାଧାରଣ ଦୃଷ୍ଟାନ୍ତରୁ ଏହାର ସତ୍ୟତା ବୁଝାଯାଇପାରେ । କୁକୁର ଓ ଅନ୍ୟାନ୍ୟ ଗୃହପାଳିତ ପଶୁମାନେ ମନୁଷ୍ୟର ଭୀରୁତା ଜାଣି ପାରନ୍ତି । ଭୟାଳୁ ଆଗନ୍ତୁକ ଦେଖିଲେ କୁକୁର ଉତ୍ତେଜିତ ହୋଇ ଆକ୍ରମଣ କରିବାକୁ ଚେଷ୍ଟା କରେ; କିନ୍ତୁ ଅପରିଚିତ ସାହସୀ ଲୋକ ନିକଟକୁ ଆସେ ନାହିଁ । ଯେ ପରିମାଣରେ ଆମ୍ଭେମାନେ ଆତ୍ମବଳ ସଞ୍ଚୟ କରି ସେହି ଅନନ୍ତ ଶକ୍ତି ସହିତ ସମ୍ୱନ୍ଧ ସ୍ଥାପନ କରୁ, ସେହି ପରିମାଣରେ ହୃଦୟର ଦୁର୍ବଳତା କମି ଯାଇ ଶାନ୍ତିର ଆଶ୍ରୟ ନିଏ; ପୂର୍ବାବସ୍ଥାର ବିରକ୍ତି ମନରୁ ସ୍ୱତଃ ଅପସାରିତ ହୋଇଯାଏ; ଲୌକିକ ସମ୍ମାନ କିମ୍ଭା ନିନ୍ଦାରେ କୌଣସି ବିକାର ଜନ୍ମେ ନାହିଁ । ଅନ୍ତର୍ଦୃଷ୍ଟି ଜାତ ହେବାଦ୍ୱାରା ମନୁଷ୍ୟ ସ୍ୱଭାବ ଅନାବୃତ ଭାବରେ ଦେଖାଯାଏ । ମୁହଁରେ ଗୋଟାଏ କଥା ଶୁଣି ହୃଦୟରେ ତଦ୍‌ବିପରୀତ କାର୍ଯ୍ୟକରୀ ଭାବକୁ ଅକ୍ଳେଶରେ ଅନୁସରଣ କରାଯାଇପାରେ-। ଆଜିକାଲି ସମାଜରେ ସହୃଦୟତା ନାହିଁ କହିଲେ ଚଳେ । କେବଳ ମନ-ଭୁଲାଣିଆ କେତେଗୁଡ଼ାଏ କଥା କହି ପାରିଲେ ଭଦ୍ରତା ସଂଜ୍ଞାନୁଯାୟୀ ମାନ ରକ୍ଷା କରାଯାଏ । ଆତ୍ମ-ଗୋପନ ନ କରି କେତୋଟି କଥା ସୃଷ୍ଟ କହିବାର ସାହସ ଯେଉଁମାନଙ୍କର ନାହିଁ; ସେମାନଙ୍କ ପକ୍ଷରେ ଆତ୍ମବଳ ଲାଭ କରିବା ବିଡ଼ମ୍ୱନା ମାତ୍ର । ସଂସାରକୁ ଭଲରୂପେ ନ ଚିହ୍ନି ବା ଯାଏ ମନୁଷ୍ୟ ପଦେ ପଦେ ପ୍ରତାରିତ ହେଉଥାଏ । ସମସ୍ତ ଆଶାଭରସା ଆତ୍ମୀୟ ଓ ବନ୍ଧୁମାନଙ୍କ ଉପରେ ନ୍ୟସ୍ତ କଲେ, ଦୁଃଖ ଓ ଶୋକର ଧାରାଟି ଅବିଚ୍ଛିନ୍ନ ଭାବରେ ବହୁଥାଏ; କିନ୍ତୁ ଯେତେବେଳେ ଆମ୍ଭେମାନେ ଜୀବନର ଗତି ଓ ଯାବତୀୟ କର୍ମ ସମ୍ପାଦନରେ ବିଶ୍ୱ-ଶାସନ-ତନ୍ତ୍ରୀର ମହତ୍‌ ନିୟମର ବିକାଶ ଅନୁଭବ କରୁ, ସେତେବେଳେ ଶାନ୍ତି ବାରିର ନିର୍ମଳ ଧାରା ମନର ଅବିଳତା ନଷ୍ଟ କରିବା ପାଇଁ ପ୍ରବଳ ବେଗରେ ଧାବିତ ହୁଏ । ବସ୍ତୁ-ଜଗତ୍‌ର ସାରୂପ୍ୟ, ସମ୍ୱନ୍ଧ, ଉତ୍ପତ୍ତି ଓ ବିନାଶ ବିଷୟରେ ସମ୍ୟକ୍ ଜ୍ଞାନ ଲାଭ କଲେ ହୃଦୟର ଦୁର୍ବଳତା ଅନେକାଂଶରେ ଦୂରୀଭୂତ ହୁଏ ।

 

ବିଷୟ ଲାଳସା ମନରେ ସୁଖ କିମ୍ୱା ଦୁଃଖର ଛାୟା ପକାଇ ପାରେ ନାହିଁ । ଆତ୍ମସତ୍ତା ସହିତ ପରମାତ୍ମାଙ୍କର ଅଭିନ୍ନତା ଯେଉଁମାନେ ଉପଲବ୍ଧି କରନ୍ତି, ସେମାନେ ଆତ୍ମୀୟମାନଙ୍କର ମୃତ୍ୟୁରେ ସୁଦ୍ଧା ବିଚଳିତ ହୁଅନ୍ତି ନାହିଁ । କାରଣ ସେମାନେ ଜାଣନ୍ତି ଯେ, ମୃତ୍ୟୁ ଗୋଟାଏ ପରିବର୍ତ୍ତନ ମାତ୍ର । ଏ ପ୍ରସଙ୍ଗରେ ସ୍ୱଜନ-ବିଚ୍ଛେଦ ବିଷୟ ଉତ୍ଥାପିତ ହୋଇ ପାରେ । ଆତ୍ମଶକ୍ତି ବିକଶିତ ହେଲେ ଭିନ୍ନତା ଜଣାଯାଏ ନାହିଁ । ଶରୀରର ବିନାଶ କିମ୍ୱା ବର୍ତ୍ତମାନତା ପବିତ୍ର ପ୍ରଣୟ ନିକଟରେ ତୁଚ୍ଛ ବିବେଚିତ ହୁଏ । ହୃଦୟର ମିଳନ ଶରୀରରୂପୀ ଆବରଣ ଉପରେ ନର୍ଭର କରେ ନାହିଁ । ପ୍ରବୃତ୍ତିମାନଙ୍କ ଆଶ୍ରୟରେ ଦୁର୍ବଳମନ କେବଳ ଶରୀର ଉପରେ ନିର୍ଭର କରିଥାଏ; କିନ୍ତୁ ଥରେ ମାର୍ଜ୍ଜିତ ହୋଇ ପ୍ରେମରାଜ୍ୟରେ ବିଚରଣ କରିପାରିଲେ ବିଚ୍ଛେଦ-ଦୁଃଖକୁ ଚିରଦିନ ପାଇଁ ବିଦାୟ ଦେବାକୁ ହୁଏ ।

 

ଯେ ପଦାର୍ଥ ପ୍ରତି ପୂର୍ଣ୍ଣ ଆଗ୍ରହ ପ୍ରକାଶ କରାଯାଏ, ତାର ଆବିର୍ଭାବ ହେବା ପ୍ରକୃତିର ନିୟମ । ପ୍ରବଳ ଆକାଙ୍‌କ୍ଷାରେ ମନୁଷ୍ୟର କର୍ମ-ସୂତ୍ରଟି ଗଠିତ ହୋଇ ତାକୁ ଜନ୍ମଜନ୍ମାନ୍ତରକୁ ଟାଣି ଧରେ । ଜଗତର ନିୟମରେ କୌଣସି ବ୍ୟତିକ୍ରମ ନାହିଁ । ପ୍ରାଚୀନ ଆର୍ଯ୍ୟମାନେ ଯେଉଁ ଜ୍ଞାନ ଓ ଆନନ୍ଦର ଅଧିକାରୀ ହୋଇପାରିଥିଲେ, ଆଜି ଆମ୍ଭେମାନେ ନୀଚ କାମନାର ଘୂର୍ଣ୍ଣନରେ ପଡ଼ି ସେମାନଙ୍କ ଅନୁସୂତ ମାର୍ଗ ବିସ୍ତୃତ ହେଲୁଣି । ସମୟ ଆସିପାରେ, ଯେତେବେଳେ ପୂର୍ବପୁରୁଷର ଲୁପ୍ତ ଗୌରବ ଓ ଶକ୍ତି ଆମ୍ଭମାନଙ୍କୁ କିମ୍ୱା ପରବର୍ତ୍ତୀ ବଂଶଧରମାନଙ୍କୁ ସଞ୍ଜୀବିତ କରି ସମସ୍ତ ଜଗତ୍‌କୁ ଆଭାମୟ କରିଦେବ ।

 

ଯାର ଚିତ୍ତ-ଜଗତରେ ଶାନ୍ତିଧାରା ପ୍ରବାହିତ ହୁଏ, ତାର ସମ୍ପର୍କ ଅନ୍ୟମାନଙ୍କୁ ଅସାମାନ୍ୟ ଆନନ୍ଦୋଚ୍ଛ୍ୱାସରେ ପ୍ରବାହିତ କରେ । ଚୁମ୍ୱକ ଲୌହକୁ ଆକର୍ଷଣ କଲା ପରି ସେମାନେ ଜଗତ୍‌ରୁ କେବଳ ଆନନ୍ଦର ଉପାଦାନଗୁଡ଼ିକ ସଂଗ୍ରହ କରି ଉଦ୍‌ବେଳିତ ହୃଦୟରେ ପ୍ରଶାନ୍ତ ଭାବ ଜନ୍ମାନ୍ତି । ସାଧାରଣତଃ ଏପରି କେତେଗୁଡ଼ିଏ ଶାନ୍ତ ଲୋକ ଥାନ୍ତି, ଯେଉଁମାନେ ସର୍ବଦା ସଂସାରର ହିତସାଧନରେ ଜୀବନ ଅତିବାହିତ କରନ୍ତି । ସେମାନଙ୍କ ଆବିର୍ଭାବରେ ଦୈନ୍ୟ, ନୈରାଶ୍ୟ ଓ ଭୟ ପ୍ରଶମିତ ହୁଏ । ଆତ୍ମଶକ୍ତିର ପରିଚୟ ନ ପାଇବା ଯାଏ ଏପରି ଅପାର୍ଥିବଭାବ ବିତରଣ କରିବା ସମ୍ଭବ ନୁହେଁ । ବିଶ୍ୱଶକ୍ତିର ଅଂଶ ପ୍ରତ୍ୟେକ ମନୁଷ୍ୟଠାରେ ସଞ୍ଚାରିତ ହୋଇ ଗୋଟାଏ ପୂର୍ଣ୍ଣତାର ଆଭାସ ଦିଏ ।

 

ସେହି ପୂର୍ଣ୍ଣତାପ୍ରାପ୍ତି ଜୀବର ଲକ୍ଷ୍ୟ ଓ ଶାନ୍ତିର ପରମ ପଦ । ସମଜାତୀୟମାନଙ୍କର ଏକତ୍ର ସମାବେଶ ହୋଇଥାଏ । ଶାନ୍ତିପ୍ରିୟ ନିଜର ଅଭିଳାଷାନୂଯାୟୀ ଲୋକ କିମ୍ୱା ପଦାର୍ଥ ବିଶେଷରେ ମନୋନିବେଶ କରି କୃତାର୍ଥ ହୁଏ ।

 

ସ୍ୱଭାବାନୁବର୍ତ୍ତୀ ଭାବ ଏବଂ କାର୍ଯ୍ୟର ପୃଷ୍ଟିସାଧନରେ ମନର ଏକାଗ୍ରତା ଜନ୍ମେ; ଆକାଙ୍‌କ୍ଷା ମଧ୍ୟ ଫଳବତୀ ହୁଏ । ଆଦର୍ଶକୁ ଲକ୍ଷ୍ୟ ରଖି ଚିନ୍ତାସ୍ରୋତ ପ୍ରବାହିତ ହେଲେ ଅଦୃଶ୍ୟ ଶକ୍ତି କ୍ରମଶଃ ସଞ୍ଚିତ ହୋଇ ପ୍ରବଳ ଆକାର ଧାରଣ କରି ଶେଷରେ ବାସ୍ତବତାର ପରିଣତ ହୁଏ । ପବିତ୍ର ଆଦର୍ଶ ଓ ବଳବତୀ ଆକାଙ୍‌କ୍ଷା ଯାହାର ହୃଦୟକୁ ଅଧିକାର କରେ, ସେ କଦାପି ଭୟ କିମ୍ୱା ନିଷ୍ଫଳ ଆଶାରେ ଉଦ୍‌ବିଗ୍ନ ହୁଏ ନାହିଁ । ଯଦି ସେ ଆକସ୍ମିକ ଘଟନା-ସ୍ରୋତରେ ଭୟବିହ୍ୱଳ ହୁଏ, ତାହାହେଲେ ପ୍ରକୃତିସ୍ଥ ହେବା ପାଇଁ ତାକୁ ବେଶି ସମୟ ଲାଗେ ନାହିଁ । ଭାବ-ରାଜ୍ୟର ବିଭିନ୍ନ ସ୍ତରସବୁ ଅଛି । ଶକ୍ତିମାନ୍, ଦୁର୍ବଳର ହୀନ ଭାବନାରେ ଇତସ୍ତତଃ ହୁଏ ନାହିଁ; ବରଂ ସଙ୍କୁଚିତ-ହୃଦୟ ପ୍ରତ୍ୟେକ ବିଷୟରେ ଭୟ କଳ୍ପନା କରି ଭୀରୁତାର ଅଧୀନ ହୁଏ । ଭୟସଞ୍ଚାର କରିବାର ପ୍ରବୃତ୍ତି ମନରେ ଜାଗ୍ରତ ହେଲେ ଅବସନ୍ନତା କର୍ମପନ୍ଥାକୁ ନିୟନ୍ତ୍ରିତ କରେ । ଏପରି ଅବସ୍ଥାରେ କୌଣସି ବିଘ୍ନକୁ ଅତିକ୍ରମ କରିବା ମନୁଷ୍ୟର ଆୟତ୍ତାଧୀନ ହୁଏ ନାହିଁ । ଯେପରି ଭାବ ହୃଦୟରେ ପୋଷଣ କରାଯାଏ, ତଦନୁରୂପ ଶକ୍ତିର ବିକାଶ ହୁଏ । ଉତ୍ସାହ ବଳସଞ୍ଚାର କରେ; ଭୟ ଦୁର୍ବଳତା ଆଣେ । ଶକ୍ତିମାନ୍‌ର ଶକ୍ତି ଜଗତ୍‌ରେ ଶୀଘ୍ର ପ୍ରକାଶିତ ହୁଏ; ସେ ଅବସ୍ଥାର ଦାସ ହୋଇ ରହିବାକୁ ଚାହେଁ ନାହିଁ । ଯେଉଁମାନେ ନିଜ ଉପରେ ବିଶ୍ୱାସ କରନ୍ତି ନାହିଁ ଓ ସର୍ବଦା ଭାବୀ ବିପଦ ଆଶଙ୍କାରେ କ୍ଷୁଣ୍ଣ ଥାନ୍ତି, ସେମାନେ ପ୍ରତ୍ୟେକ ଘଟନାରେ ବିପଦର ସୂଚନା ଦେଖନ୍ତି ।

 

ମନୁଷ୍ୟ ଯାହା ଭୋଗ କରେ, ସେଥିରେ ଯାହା କରେ, ସେଥିରେ ଅନ୍ୟକୁ ଦାୟୀ କରିବା ଅନୁଚିତ । ନିଜ କର୍ମମାର୍ଗ ସ୍ଥିର କରିବାରେ କେହି ବାଧା ଦିଅନ୍ତି ନାହିଁ । ଦୃଶ୍ୟଜଗତର ଯାବତୀୟ କ୍ରିୟା ଓ ସଙ୍କଳନର ବୀଜ ଅଦୃଶ୍ୟ ଭାବରାଜ୍ୟରେ ନିହିତ ଥାଏ । ଏମାନଙ୍କୁ ଆମ୍ଭେମାନେ କାର୍ଯ୍ୟ ଓ କାରଣ ଭେଦରେ ଦୁଇ ବିଭିନ୍ନ ସୀମାରେ ନିର୍ଦ୍ଦେଶ କରୁ । କାର୍ଯ୍ୟ କାରଣର ଅନୁବର୍ତ୍ତୀ । ଭାବାନୁଯାୟୀ କାର୍ଯ୍ୟର ଉତ୍ପତ୍ତିକୁ ଅଧିକାଂଶ ହୃଦୟଙ୍ଗମ କରିପାରନ୍ତି ନାହିଁ । ଚିନ୍ତା-ଧାରାକୁ ନିୟମିତ ଭାବରେ ସଂଯତ କରି ଉପଯୁକ୍ତ ଆଧାରରେ ସଂଯୋଗ କଲେ, ମନୁଷ୍ୟର କୌଣସି ପତନର ଭୟ ଥାଏ ନାହିଁ । ଏପରି କରି ନ ପାରି ଆମ୍ଭମାନଙ୍କ ମଧ୍ୟରୁ ଅନେକେ ନୈରାଶ୍ୟରେ ଜୀବନ କଟାନ୍ତି ।

 

ଭୟର ବ୍ୟାପ୍ତିକୁ କୌଣସି ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ରଖା ଯାଇ ନ ପାରେ । ଅଭାବ, ରୋଗ, ଶୋକ ଓ ମୃତ୍ୟୁ ପ୍ରଭୃତି ଦୁଃଖ ଲାଗି ରହିଚି । ସେଥିରେ ପୁଣି ଲୋକମତାନୁଯାୟୀ କାର୍ଯ୍ୟ କରି ସ୍ୱତନ୍ତ୍ରତା ରକ୍ଷା କରିବା ଆଉ ଗୋଟାଏ କଠିନ ବ୍ୟାପାର । ଏ ସବୁ ବିଷୟରେ ଯଦି ଭୟକୁ ପ୍ରଶ୍ରୟ ଦିଆଯାଏ, ତାହା ହେଲେ ମନୁଷ୍ୟତ୍ୱ ପ୍ରକାଶ ପାଏ ନାହିଁ । ସଂଖ୍ୟାତୀତ ଲୋକ ଭୟରେ ସର୍ବଦା ଚାଳିତ ହେବାଦ୍ୱାରା ସମାଜରେ ଭୀରୁ ସ୍ୱଭାବରର ସଞ୍ଚାର ବେଶି ଦେଖାଯାଏ । ଭୟ ନ କରି ଯାହା ଲାଭ କରାଯାଏ, ତଦପେକ୍ଷା ଶଙ୍କିତ ଚିତ୍ତରେ ବେଶି କ୍ଷତି ହୁଏ । କେହି କେହି କହି ପାରନ୍ତି ଯେ, ଭୟ କରିବା ସେମାନଙ୍କର ସ୍ୱଭାବ । ଏପରି ଉକ୍ତିରେ ସେମାନେ ଆପଣା ସ୍ୱଭାବକୁ ନିରୂପଣ ପରିବାର କ୍ଷମତା ଦେଖାନ୍ତି ନାହିଁ । ନିଜକୁ ନ ଚିହ୍ନିଲେ ଉପଯୁକ୍ତ ଶକ୍ତି ପ୍ରୟୋଗ କରି କୌଣସି କାର୍ଯ୍ୟ ସାଧନ କରି ହେବ ନାହିଁ । ସବୁବେଳେ ଯେଉଁମାନେ ଅକ୍ଷମତା ପ୍ରକାଶ କରୁଥାନ୍ତି, ସେମାନଙ୍କ ଉପରେ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ ନ୍ୟସ୍ତ କରିବା ଉଚିତ ନୁହେଁ । ସଂସାରରେ ଯେ ଯେତେ ବେଶି ଆତ୍ମନିର୍ଭରଶୀଳ, ସେ ସେତେ ଉନ୍ନତି ଲାଭ କରିପାରେ । କର୍ମତତ୍ପର ମନରୁ ନୈରାଶ୍ୟ ଦୂର କରି ସିଦ୍ଧି ଆଶାରେ ଭାବନାର ଗତିକୁ ସର୍ବଦା କାର୍ଯ୍ୟୋପଯୋଗୀ କରେ ଏବଂ ସେଥିରେ ମଧ୍ୟ ସେ ଅନୁକୂଳ ଅବସ୍ଥାରେ ସାହାର୍ଯ୍ୟ ପାଇଥାଏ । ଏକାଗ୍ରତାରେ ମନର ସମସ୍ତ ଶକ୍ତି କେନ୍ଦ୍ରୀଭୂତ ହୁଏ ଏବଂ ଯେ କୌଣସି କାର୍ଯ୍ୟ ସାଧନ ପକ୍ଷରେ ଉତ୍ସାହର ଅଭାବ ହୁଏ ନାହିଁ । ପ୍ରବଳ ଲୋକ ତାର ସମଜାତୀୟ ଲୋକଙ୍କଠାରୁ ସାହସ ଓ ଉତ୍ସାହ ଆକର୍ଷଣ କରିପାରେ । ଏହା ପ୍ରାକୃତିକ ନିୟମ । ଜଣକର ଚିନ୍ତାଧାରାଦ୍ୱାରା ବିଭିନ୍ନ ସ୍ତରର ସୃଷ୍ଟି ହୁଏ ନାହିଁ । ସମସ୍ୱଭାବବିଶିଷ୍ଟ ଲୋକମାନଙ୍କ ଚିନ୍ତା ସମଦିଗରେ ଗତି କରି ବି ପ୍ରବାହ ସୃଷ୍ଟି କରେ । ଯେଉଁମାନେ ଏକ ଧାରାବାହିକ ଉତ୍ସାହପୂର୍ଣ୍ଣ ପ୍ରାଣରେ ଅଗ୍ରସର ହୁଅନ୍ତି, ସେମାନଙ୍କଠାରେ ଭୟ କିମ୍ୱା ଦୁର୍ବଳତା ବେଶି ସମୟ ସ୍ଥାୟୀ ହୋଇପାରେ ନାହିଁ । ସବଳ ହେବା ପୂର୍ବରୁ ମନର ଦୁର୍ବଳତାକୁ ଅନ୍ତର କରିବା ଆବଶ୍ୟକ । ଭଗବତ୍ ଶକ୍ତି ଉପରେ ପୂର୍ଣ୍ଣ ବିଶ୍ୱାସ ରଖି ଦୈନନ୍ଦିନ କାର୍ଯ୍ୟଗୁଡ଼ିକ ସମ୍ପାଦନ କଲେ, ଆତ୍ମ-ପ୍ରକାଶ-ପଥ ଅନୁଭୂତ ହୋଇପାରେ । ଦୁର୍ଦ୍ଦିନର ଅନ୍ଧକାରରେ ବ୍ୟାକୁଳତା ଆସିଲେ, ନିଜକୁ ବିଭୁପଦାଶ୍ରିତ ମନେ କଲେ ବିପଦର ଭୟ ଦୂର ହୁଏ । ‘‘ନ ବାସୁଦେବଭକ୍ତ ନାଂ ଅଶୁଭଂ ବିଦ୍ୟତେ କ୍ୱଚିତ୍ ।’’ ସତ୍‌ ଓ ନ୍ୟାୟ ପଥରେ ଜୀବନ ଅତିବାହିତ କଲେ, ଶାନ୍ତି ସ୍ୱତଃ ହୃଦୟକୁ ଆସି ଅଧିକାର କରେ । ବସ୍ତୁ-ଜଗତର ମୋହ ମନର ଅଶାନ୍ତି ଆଣେ । ଐଶୀଶକ୍ତି ପରମାର୍ଥ-ଜ୍ଞାନ-ବିକାଶର ସହାୟତା କରି ପୂର୍ଣ୍ଣ ଆନନ୍ଦର ପଥ ନିର୍ଦ୍ଦେଶ କରିଦିଏ । ବୈଷୟିକ ତୃପ୍ତି ଶେଷରେ ଦୁର୍ବଳ ଦଶାର ଅଧୀନ କରାଏ-। ସେହିହେତୁ ଅଶାନ୍ତି ପିସାସୁମାନେ ମୂଳରୁ ସାବଧାନ ହୋଇ ନିଜର ଗନ୍ତବ୍ୟପଥ ସ୍ଥିର କରିନିଅନ୍ତି-

•••

 

Unknown

କାଳିମା

ନିଦାଘର ବିଶୁଷ୍କ ଧରଣୀ-ପୃଷ୍ଠ ପ୍ରାବୃଟର ଧାରାମ୍ରାବୀ ବାରି-ବର୍ଷଣରେ ଉଲ୍ଲସିତ ହୋଇଉଠେ । ବର୍ଷା ଆସେ, ଅମା ନିଶ ଥିନୀର ସାନ୍ଦ୍ର ବାରିଦପଟଳ ସୂଚୀଭେଦ୍ୟ ଅନ୍ଧକାର ସୃଷ୍ଟି କରି ଗୋଟାଏ ଭୀଷଣ କାଳିମାରେ ଧରାମୁଖକୁ ଘୋଡ଼ାଇ ରଖେ । ବିଦ୍ୟୁତ୍ ଚମକେ-ଘନାନ୍ଧକାରରେ କ୍ଷଣକେ ଲିଭିଯାଏ । ଅନ୍ଧକାରର ଗୁଢ଼ତା ବଢ଼ିଯାଏ । ଯାହା ଆସେ, ତାହା ପୁଣି ଚାଲିଯାଏ । ଶରତ ଆସେ-ବର୍ଷାସଂଚିତ ପ୍ରାକୃତିକ ବୈଭବରେ ଏକ ଅଭିନବ ସୌନ୍ଦର୍ଯ୍ୟ-ତରଙ୍ଗ ଖେଳିଯାଏ । ତରୁବ୍ରତତୀମାନେ ନବକିଶଳୟମାନଙ୍କର ଉଦ୍ଭାସିତ ଶୋଭାସମ୍ପଦରେ ଅପୂର୍ବ ଶ୍ରୀ ଧାରଣ କରନ୍ତି । ଇନ୍ଦୁପ୍ରଭା ଆକାଶରେ ନୀଳିମା ସଙ୍ଗେ ବଲ୍ଲରୀ-ପ୍ରକଟିତ ସୁଷମାକୁ ମିଶାଇଦିଏ । ଭାବୁକ ଦେଖେ-ଗୋଟାଏ ଉଚ୍ଛ୍ୱାସରେ ବିଶ୍ୱ ପ୍ରାଣ ବିମୁଗ୍ଧ । ଜୁଆର ଓ ଭଟା ଦୁହେଁ ଏକ ପ୍ରବାହର କାର୍ଯ୍ୟ । ଜଗତର ଚିତ୍ରଶାଳାରେ ନୂତନ ପୁରାତନ, ସୁନ୍ଦର କୁତ୍ସିତ, ଗୁଣ ଦୋଷ ସବୁ, ସମାନ କହିଲେ ଚଳେ । କେବଳ ମନୁଷ୍ୟର ସଙ୍କୁଚିତ ଦୃଷ୍ଟି କାହାକୁ ସାନ, କାହାକୁ ବଡ଼ କରି ଦେଖେ । ସୁଦୂର ଅତୀତରେ ଯାହା ଦିନେ ମାନବପ୍ରାଣକୁ ଅତି ମାତ୍ରାରେ ଅଭିଭୂତ କରୁଥିଲା, ତାହା ହୁଏ ତ ଆଜି ନିତାନ୍ତ ଉପେକ୍ଷିତ । ଏହି ଅସାମଞ୍ଜସ୍ୟ ଘେନି ମାନବ ଚିରଦିନ ଗୋଟାଏ ବକ୍ରଗତିରେ ଭ୍ରମଣ କରୁଥିବା । ପୃଥିବୀ ନିଜ କକ୍ଷରେ ବୁଲିଲା ପରି ମନୁଷ୍ୟ କେତେଗୁଡ଼ାଏ ଜୀବଧର୍ମ ପାଳନ କରି ଉତ୍ଥାନ ଓ ପତନ ଦଶାର ଅଧୀନ ହୋଇ ଚାଲିଥାଏ । କ୍ଷୁଦ୍ର ଯଦି ମହତ୍ ହେଉ ନ ଥାନ୍ତା, ସାମାନ୍ୟ ଧୂଳିକଣା ଯଦି ନଭଶ୍ଚୁମ୍ୱୀ ପର୍ବତମାଳାର ନିର୍ମାଣରେ ବିଶିଷ୍ଟ ଉପାଦାନ ହେଉ ନ ଥାନ୍ତା, ତାହା ହେଲେ ଗୋଟାଏ ସୀମା ମଧ୍ୟରେ ଆବଦ୍ଧ ତୁଲ୍ୟ ମନୁଷ୍ୟକୁ ନିତାନ୍ତ ଅସହାୟ ବୋଲାଯାନ୍ତା । ତାର ଦୋଷ ଓ ଗୁଣ ବିଚାର କରିବାର କ୍ଷମତାକୁ ମଧ୍ୟ ଅବହେଳା କରାଯାଇ ପାରନ୍ତା । ଅନ୍ଧକାର ନ ଥିଲେ ଆଲୋକର ମୂଲ୍ୟ କେହି ବୁଝନ୍ତେ ନାହିଁ । ମନୁଷ୍ୟର ମନ ଆବହମାନ କାଳରୁ ଗୋଟାଏ ସରଳ ପଥରେ ଗତି କରୁଥିଲେ କିମ୍ୱା ସୃଷ୍ଟି ରହସ୍ୟ ଜାଣିବାକୁ ସେ ପୂର୍ଣ୍ଣରୂପେ ସମର୍ଥ ହୋଇଥିଲେ ଆଜି ଜଗତରେ ଦେଶ, ଜାତି, ଧର୍ମ, ରୁଚି ଓ କାଳଗତ ବୈଷମ୍ୟ ଦେଖିବାକୁ ମିଳନ୍ତା ନାହିଁ । ଜୀବର ଧର୍ମ ଅନେକାଂଶରେ ପ୍ରକୃତିକୁ ଅନୁସରଣ କରୁଥାଏ । ପ୍ରକୃତିର କ୍ରିୟାକଳାପ ସବୁ ସମୟରେ ସମାନ ରହେ ନାହିଁ । ଦୁର୍ବଳର ସବଳ ହେବାପାଇଁ, କ୍ଷୁଦ୍ରର ମହତ୍ ହେବାପାଇଁ, ସଂକୁଚିତର ସଂପ୍ରସାରିତ ହେବାପାଇଁ ଯେ ଚେଷ୍ଟା, ତାହା ପ୍ରାକୃତିକ ଅଟେ । ନିଦାଘତପ୍ତ ବାୟୁମଣ୍ଡଳ ଅଜସ୍ର ଚାରିଧାରାର ସୂଚନା ଦିଏ । ଯାହାକୁ ଆଜି ମନୁଷ୍ୟ ଅମଙ୍ଗଳ ବୋଲି ପ୍ରତ୍ୟାଖ୍ୟାନ କରୁଚି, କାଲି ତାହାରି ପ୍ରତୀକ୍ଷାରେ ରହିବା କିଛି ଅସ୍ୱାଭାବିକ ନୁହେଁ ।

 

ସସୀମର ପରିମାପ ଅଛି । ତୂଳିକା ସାହାର୍ଯ୍ୟରେ ସୌନ୍ଦର୍ଯ୍ୟର ଯେ ଚିତ୍ରଣ କରାଯାଏ, ତାହା ଅସୀମ ସହିତ ସସୀମର ଗୋଟାଏ ଯୋଜନା ମାତ୍ର । ନଦୀ ଯାଇ ଅନନ୍ତ ସମୁଦ୍ର ଗର୍ଭରେ ମିଶେ; କ୍ଷୁଦ୍ର ଗିରିନିର୍ଝରଣୀମାନେ ମିଶି ତାର ଜନ୍ମଦାତ୍ରୀ ହୁଅନ୍ତି । ଅର୍ଣ୍ଣବପୋତ ଖଣ୍ଡିକରେ ମନୁଷ୍ୟ ଉତ୍ତାଳ ତରଙ୍ଗମୟ ମହାସାଗରର ପରପାରକୁ ଚାଲିଯାଏ । ଦୋଷର ଆକର ସୃଷ୍ଟି କରେ ମନୁଷ୍ୟ; ତାକୁ ପୁଣି ଭିନ୍ନ ଛାଞ୍ଚରେ ଗଢ଼ିନେଇ ସୌନ୍ଦର୍ଯ୍ୟର ଅନିଦ୍ୟ ପସରା ଖୋଲିଦିଏ । ଚିତ୍ରକରରପାରଦର୍ଶିତା ଉପରେ ସବୁ ନିର୍ଭର କରେ । କାଳିଦାସ ଶୃଙ୍ଗାର ରସର ବିଶିଷ୍ଟତା ଦେଖାଇ ଜଗତ୍‌ରେ ଆମର କବି ହେଲେ; କିନ୍ତୁ ସାଧାରଣ ଲୋକ ଅଶ୍ଳୀଳ କଥା ପଦକରେ କାରାବରଣ କରେ । ବ୍ୟକ୍ତିଗତ ଚରିତ୍ର ଦୂଷିତ ହେଲେ ସମାଜ ଭ୍ରୂକୁଟି କରେ; କିନ୍ତୁ ଚନ୍ଦ୍ରର କଳଙ୍କ ପ୍ରତି କେହି ଲକ୍ଷ୍ୟ ରଖନ୍ତି ନାହିଁ-। ଦୋଷ ସ୍ଥଳ ଓ କାଳଭେଦର ସୌନ୍ଦର୍ଯ୍ୟର ଗରିମାକୁ କୌଣସି ଅଶଂରେ ନ୍ୟୂନ କରେ ନାହିଁ । ଚିତ୍ରଣର ମାର୍ଗ ସରଳ କରିବା ପାଇଁ ଦୋଷ ଓ ଗୁଣମାନ ପରିମାପକ ସ୍ୱରୂପ ହୁଅନ୍ତି । ବର୍ଷ ପରେ ବର୍ଷ ଆସି ଚାଲି ଯାଉଛି । ଅନନ୍ତ ଅତୀତ ସେମାନଙ୍କୁ ନୀରବରେ ଆବୃତ କରି ରଖୁଛି । ମନୁଷ୍ୟ ଦେଖୁଛି; କିନ୍ତୁ ତାର କ୍ଷୁଦ୍ର ବୁଦ୍ଧି ସେହି ଅତୀତ ବକ୍ଷରେ ଗୋଟାଏ ଗୋଟାଏ ରେଖାପାତ କରିବାକୁ ପ୍ରେରଣା ଜନ୍ମାଉଛି । ଐତିହାସିକର ଇତିବୃତ୍ତ ଏହି ରେଖାମାନଙ୍କ ଉପରେ ଭିତ୍ତିଭୂମି ନିରୂପଣ କରେ । ପିପୀଲିକା ସାମାନ୍ୟ କୁଟା ଖଣ୍ଡିକ ଆଶ୍ରା କରି ଅଗାଧ ଜଳସ୍ରୋତରେ ଭାସିଯାଏ । ସେ ଦେଖେ ନାହିଁ ଜଳର ପରିମାଣ-ତାର ଦୃଷ୍ଟି ନିବଦ୍ଧ ଥାଏ ସେହି କୁଟା ଖଣ୍ଡିକରେ । ଯଦି ମନୁଷ୍ୟ ଅତୀତରେ ସାମାନ୍ୟ କେତେଟା ବର୍ଷକୁ ଅବଲମ୍ୱନ କରି ନିଜର ସୁଖ କିମ୍ୱା ଦୁଃଖର ସଂସାରକୁ ବିଚାର କରି ବସେ, ତାହାହେଲେ କ୍ଷତି କଅଣ ?

 

ଆଶ୍ରୟର ବିଭିନ୍ନତା ସୌନ୍ଦର୍ଯ୍ୟାନୁଭୂତିରେ ସାହାଯ୍ୟ କରେ । ପ୍ରଖର ପବନ ସବୁବେଳେ ବହୁଥିଲେ ସାମୟିକ ମୃଦୁମନ୍ଦ ହିଲ୍ଲୋଳର ଚିତ୍ତ-ଉଲ୍ଲାସକ ସୁଖ କେହି ଅନୁଭବ କରି ପାରନ୍ତେ ନାହିଁ । ପ୍ରଚଣ୍ଡ ଗ୍ରୀଷ୍ମ ଆସେ । ପଥିକ ବିଜନ ପଥରେ ଯାତ୍ରା କରେ । ପ୍ରକୃତିର ବିଭୀଷିକାରେ ସେ ନିସ୍ତେଜ ହୋଇ ପଡ଼େ; କିନ୍ତୁ ଏହି ଅବସରରେ ବୃକ୍ଷ ଅନ୍ତରାଳରୁ କୋକିଳର କୁହୁତାନ ଥରେ ଥରେ ଆସି ଶ୍ରାନ୍ତ ପଥିକକୁ ଯେ ଆଶ୍ୱାଦନ ଦେଇଯାଏ, ସେଥିରେ ତାର ଅବସନ୍ନତା ଅନେକାଂଶରେ ଦୂର ହୋଇଯାଏ । ଏହା ଦେଖି ସ୍ୱତଃ ମନେ ହୁଏ, ସୌନ୍ଦର୍ଯ୍ୟ ଉପଭୋଗ କରିବାପାଇଁ ଯେ ସବୁ ଉପକରଣ ସୃଷ୍ଟି ହୋଇଅଛି, ସେମାନଙ୍କ ମଧ୍ୟରେ ଭୀଷଣତାକୁ ସୁଦ୍ଧା ବାଦ ଦିଆଯାଇ ନାହିଁ । କୋକିଳ ସମୀକୀର୍ଣ୍ଣ ଚିର ବସନ୍ତସେବିତ ଦେଶ କବିର କଳ୍ପନା ହୋଇପାରେ; କିନ୍ତୁ ପ୍ରକୃତି କଅଣ ଚାହେଁ ଗୋଟାଏ ଭାବରେ ପ୍ରଭାବିତ ହୋଇ ମନୁଷ୍ୟ ତାର ଜୀବନ ଅତିବାହିତ କରୁ ?

 

ଗୌରବ-ଗରବିଣୀ ଭାରତଭୂମି ଐଶ୍ଵର୍ଯ୍ୟ ଭଣ୍ଡାରକୁ ଆକୃତରରେ ଉନ୍ମୁକ୍ତ କରିଦେଲା ବୋଲି ଆଜି ତାର ସନ୍ତାନର ଏଡ଼େ ଦୁର୍ଗତି । ଭାରତ ରତ୍ନଗର୍ଭାନ ନ ହୋଇ ଯଦି ସାହାରା ମରୁଭୂମିର ଉତ୍ତପ୍ତ ବାଲୁକାରାଶି ସଞ୍ଚୟ କରି ରଖିଥାନ୍ତା, ତାହାହେଲେ ଭାରତ ସନ୍ତାନ ମେରୁ ପ୍ରଦେଶରେ ଭ୍ରମଣ କରିବାକୁ ସୁଦ୍ଧା କୁଣ୍ଠିତ ହୁଅନ୍ତା ନାହିଁ । ନିଷ୍କାମ ଭାବ ସନ୍ନ୍ୟାସୀର ବାଞ୍ଛନୀୟ । ସଂସାରୀ ମନୁଷ୍ୟ ପକ୍ଷରେ ଏହା ବର୍ଜନୀୟ ନୋହିଲେ ସୁଦ୍ଧା ବର୍ତ୍ତମାନ ଯୁଗ ଦୃଷ୍ଟିରେ ଅଳ୍ପମାତ୍ରାରେ ଗ୍ରହଣୀୟ । ସିଂହର ବିକ୍ରମ ଅରଣ୍ୟର ଭୀଷଣତାରେ ନିତାନ୍ତ ଲୋଡ଼ା । ଆତ୍ମବଳର ସମୃଦ୍ଧି ପାଇଁ ଯଦି ଜଗତର ସୃଷ୍ଟି ଓ ମନୁଷ୍ୟ ପୂର୍ଣ୍ଣତା ପ୍ରାପ୍ତି ପଥରେ ଜଗତକୁ ଅତିକ୍ରମ କରୁଥାଏ, ତାହାହେଲେ ନିଶ୍ଚୟ ତାକୁ କଳୁଷିତ ହେବାକୁ ପଡ଼ିବ । ପୁରାଣ ଧର୍ମକୁ ଆଚରଣ କରି ଭାରତବାସୀ କେବଳ ଭାରତରୁ ପରିଚୟ ଦେଉଛି କୁହେଳିକାକୁ ବାସ୍ତବ ମନେ କରୁଚି । ସନ୍ଧ୍ୟାବେଳେ ଘଣ୍ଟାଏ ପୁରାଣ ପଢ଼ି ରାବଣର ଦଶଟା ମୁଣ୍ଡ ବିଷୟ ଆଲୋଚନା କଲେ ଭାରତର ଦୁର୍ଗତି ମେଣ୍ଟିବ ନାହିଁ । ବର୍ତ୍ତମାନ ଯୁଗ ଚାହିଁଲାଣି – ବଳିଦାନ ।

 

କଳଙ୍କର କାଳିମା ଗାଢ଼ ହୋଇ ଆସିଲେ ବଳିଦାନର ସମୟ ନିକଟ ହୋଇ ଆସେ । ବଳିଦାନରେ ମଧ୍ୟ ପାର୍ଥକ୍ୟ ରହିଚି । ଦେବୀଙ୍କ ସମୀପରେ ନରବଳିଠାରୁ ଆରମ୍ଭ କରି ଆତ୍ମବଳି ପର୍ଯ୍ୟନ୍ତ ସମାଜ ଦେଖି ଆସିଲାଣି । କଳଙ୍କକ୍ଷାଳନ କରି ଯଦି କିଛି ନୂତନ ଆମଦାନୀ କରାଯାଏ, ତାହାହେଲେ କଳଙ୍କ ନିତାନ୍ତ ଉପେକ୍ଷଣୀୟ ନୁହେଁ । ପଙ୍କିଳ ସରୋବରରୁ ପଦ୍ମର ଉତ୍ପତ୍ତି । ପ୍ରାଚୀନ ଭାରତୀୟ ମନୀଷୀମାନଙ୍କ ମଧ୍ୟରୁ ଯେ କେତେ ଜଣ ତେଜସ୍ୱୀ ପୁରୁଷ ଜନ୍ମଗତ କଳଙ୍କ ଦୂର କରି ଦେଶର ଗୌରବ ରକ୍ଷା କରିଥିଲେ, ଆଜି ସୁଦ୍ଧା ସେମାନଙ୍କର ଯଶ ଉଦ୍‌ଘୋଷିତ ହେଉଅଛି । ବର୍ତ୍ତମାନ ସମାଜ ନାରୀର ଯେ ତ୍ରୁଟି ଦେଖିଲେ ସହଜରେ କୁଳ-କଳଙ୍କିନୀ ବୋଲି ଘୋଷଣା କରନ୍ତା, ତାକୁ ପ୍ରାଚୀନ ସମାଜ ଅପେକ୍ଷା କରିଛି । ପ୍ରାତଃସ୍ନାନ ସମାପନ କଲାବେଳେ ହିନ୍ଦୁ ଯେଉଁ କୁଳକାମିନୀମାନଙ୍କର ନାମ ନିଜର ଅସ୍ୱଶୁଦ୍ଧି ସକାଶେ ଉଚ୍ଚାରଣ କରେ, ସେମାନଙ୍କର ଜୀବନୀ ଆଲୋଚନା କରି ଦେଖିଲେ ଯେ ବାହ୍ୟ-ଚିତ୍ର ପ୍ରକଟିତ ହୁଏ, ତାହା କଅଣ ବର୍ତ୍ତମାନ ନାରୀ ଚରିତ୍ରରେ ପୋଷକତା ପାଇପାରନ୍ତା ? ମହନୀୟ ଆଦର୍ଶ ମଧ୍ୟ ଦୋଷରୁ ନିରାକୃତି ପାଇ ନାହିଁ । ସୁକଠିନ ରାଜ ନୀତିରେ ଯେ କୁଟିଳତାର ଆଶ୍ରୟ ଗ୍ରହଣ କରାଯାଏ, ତାହା କଅଣ ରାଜନୀତିଜ୍ଞ ଚରିତ୍ରର ଗୋଟାଏ କାଳିମା ନୁହେଁ ? ଧର୍ମର ସଂସ୍ଥାପନ ପାଇଁ ଗୀତା ଯେଉଁ ଧ୍ୱଂସର ବାଣୀ ଶୁଣାଇଅଛନ୍ତି, ସେଥିରେ କାଳିମା କୃତାନ୍ତର ପ୍ରଧାନ ଅସ୍ତ୍ର ପରି ଜଣା ପଡ଼େ ।

 

ସତ୍ୟର ମହିମା କୀର୍ତ୍ତନ ପାଇଁ ଅସତ୍ୟ ଆସି ପ୍ରଥମେ ରଙ୍ଗଭୂମିରେ ଦେଖାଦିଏ । ପବିତ୍ର ରାମାୟଣ ଓ ମହାଭାରତ ସତ୍ୟ ଉପରେ ପ୍ରତିଷ୍ଠିତ; କିନ୍ତୁ ସେମାନଙ୍କର ମହତ୍ତ୍ୱ ଜ୍ଞାପନ କରିବା ପାଇଁ ଅସତ୍ୟ ଓ ଅଧର୍ମକୁ ପୂର୍ଣ୍ଣମାତ୍ରାରେ ପ୍ରକାଶ କରାଯାଇଅଛି । ସୃଷ୍ଟିର ପ୍ରତିକ୍ରିୟା ଯଦି ଧ୍ୱଂସାହୁଏ, ତାହାହେଲେ ଜଗତର ଚିତ୍ରଶାଳାରେ କାଳିମା ଗୋଟିଏ ବିଶିଷ୍ଟ ଉପାଦାନ ରୂପେ ପରିଗଣିତ ହୋଇପାରେ । ଅଙ୍ଗାରର କାଳିମା ଆଦୌ ଯାଏ ନାହିଁ । ଅଗ୍ନିର ପ୍ରଚଣ୍ଡ ଶିଖା ସାମାନ୍ୟ କେତେ ଖଣ୍ଡ ଅଙ୍ଗାରରେ ପରିଣତ ହୁଏ । ଏହା ଦେଖି ମନୁଷ୍ୟର ଯଥେଷ୍ଟ ଶିକ୍ଷା ହୋଇପାରେ । ଶାରୀରିକ ରୂପ ଲାବଣ୍ୟ ପ୍ରାଣର ଗୋଟାଏ ଅଦମ୍ୟ ପିପାସା ଜାଗ୍ରତ୍‌ କରିଦିଏ । ଏହି ପିପାସାର ବିବୃତ୍ତ ପାଇଁ ମନୁଷ୍ୟ ଅନେକ ସମୟରେ କ୍ଷିପ୍ତ ହୋଇ ଉଠେ, କିନ୍ତୁ ଧ୍ୱଂସ ଆସି ଯେ ଚିତ୍ର ଆଙ୍କି ଦେଇଯାଏ, ସେଥିରେ ସେ ସବୁ ଶୂନ୍ୟ ଦେଖେ । ସେହି ମାଧୁର୍ଯ୍ୟ-ମଣ୍ଡିତ ମନୋମୋହକାରୀ ଅଙ୍ଗ ଶ୍ମଶାନରେ କେତେ ଖଣ୍ଡି ଅଙ୍ଗାରରେ ତାର ପରିଣତି ରଖି ଚାଲିଯାଏ ।

 

କାଳିମାର ସଂଘର୍ଷରେ ସୌନ୍ଦର୍ଯ୍ୟର ପ୍ରଭା ବିସ୍ତାରିତ ହୁଏ । ଚିତୋରର ରାଣୀ ପଦ୍ମିନୀଙ୍କର ଅସାମାନ୍ୟ ରୂପର ସମ୍ୱାଦ ପାଇ ତତ୍କାଳୀନ ଦିଲ୍ଲୀ ସମ୍ରାଟଙ୍କର ଯେ କାମାନଳ ଜଳିଉଠିଲା, ତାହା ଇତିହାସ ପାଠକେ ବିସ୍ତୃତ ନୁହନ୍ତି । ସେହି ଚିରସ୍ମରଣୀୟା ରାଜପୁତ ରମଣୀଙ୍କର ରୂପକାନ୍ତିରେ ସତୀତ୍ୱର ଯେ ଅଦ୍ୱିତୀୟ ଆଭା ଉଛୁଳି ଉଠିଲା, ତାହା ରାଜପୁତ ବୀର ହୃଦୟକୁ ଜଗତ୍‌ ଚକ୍ଷୁରେ ସୁମହାନ୍‌ କରି ଦେଇଅଛି । ଦିଲ୍ଲୀଶ୍ୱର ଶରୀର କାମନା କରି ଦେଖିଲେ ଧ୍ୱଂସର ଚିତା ଚିତୋର-ଆକାଶକୁ ଧୂମାୟିତ କରି କାମୁକର ଦୂଷିତ ହୃଦୟକୁ ଶତଧିକାର ଦେଲା । ଅଗ୍ନିର ଦୀପ୍ତି ପାଇଁ ଇନ୍ଧନ ଆବଶ୍ୟକ । କାଳିମାମୟ ବାରୁଦସ୍ତୁପ ସାମାନ୍ୟ ଅଗ୍ନି ସ୍ଫୁଲିଙ୍ଗରେ ଭୀଷଣାକାରରେ ଜଳି ଉଠେ । ଚିତୋର-ରାଣୀଙ୍କର ସୌନ୍ଦର୍ଯ୍ୟଗରିମା ପ୍ରକାଶ ପାଇଁ ଲୋଡ଼ା ହେଲା ଜଣେ ପ୍ରବଳପରାକ୍ରାନ୍ତ ପୁରୁଷର କାମାନଳ । ଐଶ୍ଚର୍ଯ୍ୟ ଓ ସୌନ୍ଦର୍ଯ୍ୟ ଜଗଦ୍‌ବାସୀର ଚକ୍ଷୁରେ ବଡ଼ ଦେଖାଯାଏ । ଏମାନଙ୍କ ଦ୍ୱାରା ସେ ବିଶେଷ ଭାବରେ ଅନୁପ୍ରାଣିତ ହୁଏ । ହୃଦୟର ଯେ ଆକର୍ଷଣ ମନୁଷ୍ୟକୁ ଐଶ୍ୱର୍ଯ୍ୟ ଓ ସୌନ୍ଦର୍ଯ୍ୟ ନିକଟରେ ଆତ୍ମବିସ୍ତୃତ କରାଇ ଦିଏ, ସେଥିରେ ଦୁର୍ବଳତା ପ୍ରଚ୍ଛନ୍ନରେ ନ ଥାଏ କି ?

 

ଯୌବନ ତ ଆସେ, ସେଥି ସଙ୍ଗରେ କାହିଁକି ଚଞ୍ଚଳତା ଆସେ ? ଉଭ୍ରାନ୍ତ ଯୁବକକୁ ବୟୋଜ୍ୟେଷ୍ଠମାନେ ନିନ୍ଦା କରନ୍ତି; କିନ୍ତୁ କେତେ ଜଣ ସୌନ୍ଦର୍ଯ୍ୟର ଉପଯୁକ୍ତ ଉପାସନା କରି ଆତ୍ମଗ୍ଳାନି ଦୂର କରନ୍ତି ? ସ୍ରୋତର ଅନୁକୂଳରେ ଭାସିଯିବା ପ୍ରାକୃତିକ ଅଟେ; କିନ୍ତୁ ପ୍ରକୃତିସ୍ଥ ହୋଇ ପ୍ରତିକୂଳାଚରଣ କରିବା ପୁରୁଷ ପକ୍ଷରେ ଗୋଟାଏ ବିଶେଷତ୍ୱ । ସୁନ୍ଦରୀର ସୌନ୍ଦର୍ଯ୍ୟ-ପ୍ରଭାକୁ ନିର୍ବିଚାରରେ କାଳିମାଶୂନ୍ୟ ବୋଲି ସମସ୍ତେ କହିପାରନ୍ତି । ଜଣେ ଇତର ଲୋକ ମଧ୍ୟ ଯୌବନର ଉନ୍ମାଦନାରେ କାମିନୀକୁ କାମୋପଭୋଗର ଏକମାତ୍ର ଅବଲମ୍ୱନ ବୋଲି ଗ୍ରହଣ କରେ । ତା ଚକ୍ଷୁରେ ନାରୀର ସୌନ୍ଦର୍ଯ୍ୟ କଳଙ୍କ-ବିରହିତ । ପ୍ରକୃତରେ କଅଣ ନାରୀ ସୌନ୍ଦର୍ଯ୍ୟରେ କାଳିମା ନାହିଁ ? ସୁନ୍ଦରୀ କଅଣ କାମୁକ ଓ ଭାବୁକ ଦୁହିଙ୍କ ଚକ୍ଷୁରେ ସମାନ ଦେଖାଯାନ୍ତି ? କାମୁକର ଚକ୍ଷୁ ଅତିମାତ୍ରାରେ କାଳିମାଦ୍ୱାରା ଅବୃତ ଥାଏ; ତେଣୁ ସେ ସୁନ୍ଦରୀ ସନ୍ଦର୍ଶନରେ ପ୍ରବଳ ଲିପ୍‌ସାର ଅଧୀନ ହୋଇ ଉପଯୁକ୍ତ ବିଚାର କରିପାରେ ନାହିଁ । ସୌନ୍ଦର୍ଯ୍ୟର କାଳିମାକୁଲୋଲୁପ ହୃଦୟର ଦୁର୍ବଳତା ବରଂ ଘୋଡ଼ାର ରଖେ । ଏଠାରେ ପୁରୁଷର ବିଚାର ଦୋଷକୁ ଉପେକ୍ଷା କରାଯାଇ ପାରେ । ଆବର୍ତ୍ତର ଭୀଷଣତା ଏଡ଼ି ପାରିବା ସମସ୍ତଙ୍କ ପକ୍ଷରେ ସମ୍ଭବପର ନୁହେଁ । ଆକୃଷ୍ଟ ହେବା ଜୀବର ଧର୍ମ । ଏ ତ ଗଲା ସାଧାରଣ କଥା । ବର୍ତ୍ତମାନ ଶାନ୍ତ ଭାବୁକର ବିଚାର ଦୃଷ୍ଟି ବୈଷମ୍ୟକୁ ଅନୁସରଣ କରାଯାଉ । ଭାବୁକ ଦେଖିଲା– ଦୁଇଟି ଲାବଣ୍ୟମୟୀ ରମଣୀ ମୂର୍ତ୍ତି । ଉଭୟେ ସୌନ୍ଦର୍ଯ୍ୟ ପ୍ରଭା ପ୍ରାଚୁର୍ଯ୍ୟରେ ନୟନକୁ ମୃଗ୍‌ଧ କରୁଅଛନ୍ତି; କିନ୍ତୁ ସେ ଦୁହିଙ୍କ ମଧ୍ୟରେ ଗୋଟାଏ ପାର୍ଥକ୍ୟ ରହିଲା ପରି ପ୍ରତୀୟମାନ ହୁଏ । ଗୋଟିକୁ ଦେଖିଲା ମାତ୍ରେ ସ୍ୱତଃ ହୃଦୟର ଚଞ୍ଚଳତା ବଢ଼ିଯାଏ । ବିଷଧର ସର୍ପର ଦଂଶନରୁ ନିସ୍ତାର ପାଇବା ସହଜ ନୁହେଁ । ଆଘାତ ପାଇବା ମାତ୍ରେ ଗରଳର କ୍ରିୟା ସମସ୍ତ ଶରୀରରେ ବ୍ୟାପିଯାଏ । ସୌନ୍ଦର୍ଯ୍ୟରେ ଉନ୍ମାଦନାର ବିଷ ଲୁକ୍କାୟିତ ହେଲେ ତାକୁ ସାଧାରଣ ପୁରୁଷହୃଦୟ ଅବଧାରଣ କରିପାରେ ନାହିଁ । ଦର୍ଶନ ମାତ୍ରେ ପୁରୁଷ ମୋହଚ୍ଛନ୍ନ ହୋଇପଡ଼େ । ସୌନ୍ଦର୍ଯ୍ୟର ଆଧାରରେ ଆବର୍ତ୍ତର ସୃଷ୍ଟି ସ୍ପୃହଣୀୟ ନୁହେଁ । ସୁତରାଂ ରମଣୀ କେବଳ ସୁନ୍ଦରୀ ହେଲେ ଯେ ପୁରୁଷ ଧନ୍ୟ ହେବ, ଏପରି ଭାବିବା ଅନୁଚିତ । ଅନ୍ୟ ପକ୍ଷରେ ଅପର ମୂର୍ତ୍ତିଟିକୁ ଦେଖି ଯଦି ହୃଦୟର କୋମଳତା ଆସେ ଓ ମନୁଷ୍ୟ ଶାନ୍ତି ଅନୁଭବ କରେ, ତାହା ହେଲେ ସେହି ମୂର୍ତ୍ତିଟି ସର୍ବଥା ବରଣୀୟ । ଏ ମୂର୍ତ୍ତି ହୃଦୟରେ ଆଘାତ ଦିଏ ନାହିଁ । ସାନ୍ଧ୍ୟ ସମୀରଣ-କମ୍ପିତା ବସନ୍ତଲତା ପରି ଏହା ସ୍ମୃତି-ମନ୍ଦିରରେ ସର୍ବଦା ଦୋହଲୁଥାଏ । ଏହାରି ସଂସ୍ପର୍ଶରେ ପୁରୁଷ ଦେଖେ-ସୌନ୍ଦର୍ଯ୍ୟର କାଳିମା ।

 

ଜଗତରେ କାହାକୁ ଅନାଦର କରିବା ଉଚିତ ନୁହେଁ । ଗରଳ ପ୍ରାଣ ସଂହାରକ; କିନ୍ତୁ ସମୟବିଶେଷରେ ପୁଣି ପ୍ରାଣରକ୍ଷାର ଏକମାତ୍ର ଉପାଦାନ ହୁଏ । ଫୁଲଧନୁ ଯାହାଙ୍କର ଅବଲମ୍ୱନ, ତାଙ୍କ ନିକଟରେ ଯଦି ଦେବତାମାନେ ନତମସ୍ତକ ହେଲେ, ତାହାହେଲେ ପୁରୁଷର ସ୍ଖଳନ ସକାଶେ ନାରୀକୁ ଦାୟୀ କରିବା କିମ୍ୱା ନାରୀ ଚରିତ୍ରକୁ ବିଶ୍ଳେଷଣ କରି ନ ପାରିଲେ ସମାଜର ଅଧଃପତନ ଆଶଙ୍କା ପୋଷଣ କରିବା ଉଚିତ ନୁହେଁ । ଯାହା ନଶ୍ୱର ଓ ଦୁର୍ବଳ, ସେଥିରୁ କଳଙ୍କର କାଳିମା ପୂର୍ଣ୍ଣରୂପେ ପୋଛି ହେବ ନାହିଁ । ଯଦି ଜାଗତିକ କ୍ରିୟା ସମ୍ପାତରେ କାଳିମା ଦୂର ହେଉଥାଏ, ତାହାହେଲେ ଦୋଷ ଦେଖି ଘୃଣା କରିବା କିମ୍ୱା ଗୁଣ ଦେଖି ପ୍ରଶଂସା କରିବା ଜୀବ ଧର୍ମର ବିରୋଧୀ ବୋଲି ମନେ ହୁଏ ।

•••

 

ପ୍ରତୀକ୍ଷା

ଜୀବନରଗତି ଚାଳିଛି । କେତେବେଳେ ଚଞ୍ଚଳ ଓ କେତେବେଳେ ବ୍ୟାହତ ପରି ଏହା ଜଣାପଡ଼େ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟ ଚାଲିଥାଏ, ସୁଖ ଓ ଦୁଃଖ ଦୁହେଁ ଥାନ୍ତି ତାର ସହଚର । ସାଂସାରିକ କୋଳାହଳ ମଧ୍ୟରେ ତାର ଥାଏ ଗୋଟାଏ ଅବଲମ୍ୱନ ଓ ଗୋଟାଏ ଲକ୍ଷ୍ୟ । ସମୟ ସମୟରେ ଏ ଦୁହିଁଙ୍କର ପରିବର୍ତ୍ତନ ଘଟେ । ଅତ୍ୟନ୍ତ ଆଦରର ବସ୍ତୁକୁ ଉପେକ୍ଷା କରି କିମ୍ୱା ଅବହେଳିତ ହୋଇ ସେ ବିଷୟାନ୍ତରକୁ ଅନୁସରଣ କରେ ।

 

ଫଲ୍‌ଘୁର ପ୍ରଚ୍ଛନ୍ନ ସ୍ରୋତ ପରି ମନୁଷ୍ୟ-ଅନ୍ତରର ଆବେଗଟି ବଡ଼ ଅଲକ୍ଷିତରେ ରହିଥାଏ; କେତେବେଳେ ପୁଣି ଉଚ୍ଛ୍ୱସିତ ହୋଇ ଉଠେ । ଯାହା ଦେଖି ଜଗଦ୍‌ବାସୀ ମନେକରେ ଏହା ଗୋଟାଏ ମତ୍ତତା । ପ୍ରାୟ ସମସ୍ତଙ୍କ ଜୀବନରେ ଏହି ମତ୍ତତା ଆସିଥାଏ । କୈଶୋର ଓ ଯୌବନର ରଙ୍ଗଭୂମିରେ ଏହାର ବିକାଶ ସ୍ପଷ୍ଟ ହୋଇ ପଡ଼େ । ତେଣୁ ତରୁଣ ତାର ଉତ୍ତରଳ ଭାବ ଘେନି ଧାଏଁ ଗୋଟାଏ କିଛି ସୃଷ୍ଟି କରି ଆତ୍ମତୃପ୍ତି ଅନୁଭବ କରିବ । ଆବେଗହୀନ ଅନ୍ତର ଓ ଦେବତାଶୂନ୍ୟ ମନ୍ଦିର ଦୁହେଁ ସମାନ । ଗୋଟାଏ ପ୍ରାଚୀନ ସଭ୍ୟତମ ଜାତି ଯଦି ୩୩ କୋଟି ଦେବତା କଳ୍ପନା କରି ସେମାନଙ୍କର ପୂଜା ବିଧାନ କରିପାରେ, ତାହାହେଲେ ଅଗଣିତ ମାନବର ଆକାଙ୍କ୍ଷା ଅଗଣିତ ଆଶୟରେ ଆବଦ୍ଧ ରହିବା ଅସମୀ ଚୀନ ନୁହେଁ । ଯେ ଯାହା ଲୋଡ଼େ, ସେହିପରି ରୀତି ଅନୁସରଣ କରି ତାର ଜୀବନଧାରାକୁ ମୁକ୍ତ କରିଦିଏ । ଜାତି କିମ୍ୱା ବ୍ୟକ୍ତିଗତ ବୈଷମ୍ୟ ଚିରଦିନ ରହିବ । ଯେଉଁମାନେ ଏଥିପ୍ରତି ଲକ୍ଷ୍ୟ ନ ରଖି କେବଳ କେତେଗୁଡ଼ାଏ ବିଜାତୀୟ ଭାବରେ ଅନୁପ୍ରାଣିତ ହେବାକୁ ଚାହାନ୍ତି, ସେମାନଙ୍କର ନିଜସ୍ୱ ଖୁବ୍‌ କମ୍‌ ଥାଏ । ଜୀବନର ସ୍ପନ୍ଦନ ହୃଦୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ; କିନ୍ତୁ ଗୋଟାଏ ଭାବ ସବୁ ହୃଦୟରେ ସମାନ ଭାବରେ ଖେଳେ ନାହିଁ । କେହି କେହି କହିପାରନ୍ତି, ଉନ୍ନତି ଭାବ ଓ ରୁଚିର ଆକୃତିରେ କାହାର ମନ ନ ଭୁଲେ ? ମନ ଭୁଲିପାରେ; କିନ୍ତୁ ଏହି ମନଭୁଲାରେ ଗୋଟାଏ ପାର୍ଥକ୍ୟ ରହିଯାଏ– ଯାହାକୁ ନିର୍ଣ୍ଣୟ କରିବାକୁ ପ୍ରାୟ କେହି ଚେଷ୍ଟା କରନ୍ତି ନାହିଁ । ସମୀରଣ ବହି ଆସେ, ଶରତର ଶେଫାଳୀରେ ଧୀରେ ଧୀରେ ଖେଳିଯାଏ, ଶାନ୍ତ ସନ୍ଧ୍ୟା ସେହି କମ୍ପନକୁ ଆହୁରି ମନୋମୋହକର କରିଦିଏ । ଶିଶୁଟି ଆସେ ତାର ସାଥୀଟିକୁ ନେଇ, ଜହ୍ନିଫୁଲ ତୋଳି ଉଦାସ-ପ୍ରାଣରେ କ୍ରୀଡ଼ା ରଚନା କରେ । କିଶୋର ଅନୁଭବକରେ ହୃଦୟରେ ଗୋଟାଏ ଆବେଗ । ଅଜଣା ରାଜ୍ୟର ବନ୍ଧୁଟି ପାଇଁ ସେ ଅପେକ୍ଷା କରି ରହେ । କେତେ ରଙ୍ଗରେ ତାର ଅଭିନବ ତୂଳିକାକୁ ସଜାଇ ନେଉଥାଏ–ଗୋଟାଏ କିଛି ସୃଷ୍ଟି କରିବ ବୋଲି । ଯୁବକ କୈଶୋରର ରୁଦ୍ଧ ଆବେଗକୁ ମୁକ୍ତିର ସନ୍ଧାନରେ ଛାଡିଦିଏ । ଶାରଦୀୟ ସୁଷମାରେ ସମସ୍ତେ ଆକୃଷ୍ଟ ହୋଇ ପଡ଼ିଲେ; କିନ୍ତୁ ଗୋଟାଏ ଭାବ ସମସ୍ତଙ୍କ ହୃଦୟରେ ସମାନ ଭାବରେ ସ୍ଥାନ ପାଇଲା ନାହିଁ । ଗୋଟାଏ କ୍ଷେତ୍ରରେ ବିଭିନ୍ନ ଜାତୀୟ ପୁଷ୍ପର ସୌରଭ ବିକଶିତ ହେବାପାଇଁ ଏ ଜଗତର ସୃଷ୍ଟି । ପ୍ରକୃତିର କ୍ରିୟା ଏଥିରେ ସହାୟତା କରେ ।

 

ଆବେଗର ପଛରେ ଥାଏ ପ୍ରତୀକ୍ଷା । ହୃଦୟ ସବୁବେଳେ ଚାହେଁ ଗୋଟାଏ ଅବଲମ୍ୱନ-। ମନୁଷ୍ୟ ଜୀବନରେ ଯେଉଁ ପରିବର୍ତ୍ତନ ଦେଖାଯାଏ, ତାହା କେବଳ ଅବଲମ୍ୱନର ଭେଦ ମାତ୍ର । ଏପରି ଭେଦ କାହିଁକି ଦେଖାଯାଏ ? ମନୁଷ୍ୟ ଯେପରି ଲୋଡ଼େ, ସେହିପରି ମାର୍ଗନୁସରଣ କରେ; କିନ୍ତୁ ଆବେଗ ସହିତ ଉତ୍କଣ୍ଠାର ମିଶ୍ରଣରେ ଗୋଟାଏ କ୍ଷିପ୍ରତା ହୃଦୟକୁ ଅତିମାତ୍ରାରେ ଅଭିଭୂତ କରିଦିଏ । ତେଣୁ ମନୁଷ୍ୟ ଅଧିକାଂଶ ସମୟରେ ଗୋଟାଏ ବିଷୟକୁ ସମାନ ଭାବରେ ନିର୍ଣ୍ଣୟ କରିପାରେ ନାହିଁ । ଯାହା ଥରେ ପ୍ରାଣରେ ଆରାମ ଦେଇଥିଲା, ତାହା ସବୁବେଳେ ହୃଦୟକୁ ଅଧିକାର କରେ ନାହିଁ । ଏଥିରେ କିଛି ବିସ୍ମୟ ନାହିଁ । ଏପରି ହୋଇଥିଲେ ଆଜି ମନୁଷ୍ୟ ଜାତି ତାର ଆଦିମ ଅବସ୍ଥାକୁ ତ୍ୟାଗ କରିପାରି ନ ଥାନ୍ତା । ଏତେ ପରିବର୍ତ୍ତନ ଆସୁଚି; କିନ୍ତୁ କାହାରି ସ୍ଥାୟିତ୍ୱ ଦେଖାଯାଉ ନାହିଁ ।ବୀଣାର ସ୍ୱର ବାୟୁମଣ୍ଡଳରେ ହଜିଯାଏ ଯାହା ହଜିଯାଏ, ତାହା ତ ମିଳେ ନାହିଁ; କିନ୍ତୁ ବୈଜ୍ଞାନିକମାନଙ୍କ ମତରେ ବାୟୁମଣ୍ଡଳ ପ୍ରତ୍ୟେକ ଶବ୍ଦକୁ ସଞ୍ଚୟ କରି ରଖେ । ଏ ବିଷୟର ସଭ୍ୟତା ସମ୍ୱନ୍ଧରେ ଆଲୋଚନା କରିବାକୁ ଆମ୍ଭେମାନେ ଅକ୍ଷମ । ଭାରତୀୟ ଦର୍ଶନ ମତରେ ସୃଷ୍ଟିର ଉତ୍ପତ୍ତିକୁ ସ୍ପନ୍ଦନ ଉପରେ ନିର୍ଦ୍ଦେଶ କରାଯାଇଅଛି । ଏପରି ଅବସ୍ଥାରେ ଶବ୍ଦ ସେହି ସ୍ପନ୍ଦନର ଗୋଟାଏ କ୍ରିୟା ମାତ୍ର କହିଲେ ଯଥେଷ୍ଟ ହେବ । ଜୀବନର ଅଳୀକତା ଉପଲବ୍‌ଧି କରି ବୁଦ୍ଧଦେବ ଏହାକୁ ବୀଣାଶବ୍ଦ ସଙ୍ଗେ ତୁଳନା କରିଥିଲେ । ସୂକ୍ଷ୍ମ ଭାବରେ ଆଲୋଚନା କଲେ ଜଣାଯିବ ଯେ, ଜୀବନର ବିକାଶ ସଙ୍ଗେ ପ୍ରତୀକ୍ଷା ଗୋଟିଏ କ୍ଷୀଣ ସ୍ପନ୍ଦନ ପରି ସ୍ୱତଃ ହୃଦୟକୁ ଅଧିକାର କରି ବସେ । ଲଳିତ ତାନରେ ବୀଣାସ୍ୱର ବାଜି ଉଠେ ଶ୍ରୋତା ମନ୍ତ୍ରମୁଗ୍‌ଧ ପରି ଚାଳିତ ହୁଏ । ତାର ପ୍ରାଣର ଲୟ ସେହି ଅସ୍ଥାୟୀ ତାନର ମୂର୍ଚ୍ଛନାରେ କିଛି କ୍ଷଣ ପାଇଁ ମିଶିଯାଏ । କିନ୍ତୁ ତାନର ବିରାମ ଆସିଲେ ରହେ କଅଣ ? ପ୍ରାଣର ଲୟ ସଙ୍ଗେ ପ୍ରତୀକ୍ଷା ଆତ୍ମଗୋପନ କରି ଆସେ-। ଆବରଣଟି ଲୁଚିଯିବା ସଙ୍ଗେ ତାହା ପୁଣି ଗୋଟାଏ ଅଲକ୍ଷିତ ଅନ୍ତରାଳରେ ମିଶିଯାଏ ଜୀବନର ଭିତ୍ତିଭୂମିରେ ପ୍ରତୀକ୍ଷା ବୀଣା ପରି ବାଜୁଥାଏ; କିନ୍ତୁ ବୀଣା ସଙ୍ଗେ ଏହାର ପାର୍ଥକ୍ୟ ଥାଏ-। ବୀଣାର ସ୍ଵର ହଜିଗଲା ବେଳେ ସହଜରେ ଧରି ହୁଏ ନାହିଁ; କିନ୍ତୁ ପ୍ରତୀକ୍ଷା ଅନ୍ତରକୁ ସର୍ବଦା ଆଲୋଡ଼ିତ କଲେ ସୁଦ୍ଧା ଧରାଦିଏ ନାହିଁ-। ବୀଣାସ୍ୱର ଲୋଡ଼େ ମୁକ୍ତି, ହଜିଗଲେ ତାର କାର୍ଯ୍ୟ ଶେଷ ହୋଇଯାଏ; କିନ୍ତୁ ପ୍ରତୀକ୍ଷା ଚାହିଁ ରହେ-ଦୂରଦେଶୀ ପାନ୍ଥ ପରି । ପାନ୍ଥ ଲୋଡ଼େ ସାଥୀ । କେତେ ଆସନ୍ତି, ତା ବାଟରେ ଚାଲିଯାନ୍ତି, କାହାକୁ ସେ ଠିକ୍‌ରୂପେ ଅନୁସରଣ କରିପାରେ ନାହିଁ । ଆବେଗର ଅଧୀନ ହୋଇ ପ୍ରତୀକ୍ଷା କିଛିଦୂର ଅଗ୍ରସର ହୁଏ; କିନ୍ତୁ ପୁଣି ଫେରି ଆସି ଅନାଇ ରହେ-। ଜୀବନ ସାରା ମନୁଷ୍ୟ ଖୋଜି ବୁଲେ ସଂସାର ସହିତ ନିଜକୁ ମିଶାଇ ଦେବାପାଇଁ; କିନ୍ତୁ ପ୍ରତୀକ୍ଷାର କ୍ଷୀଣ ସ୍ୱରଟି ଅନ୍ତରରେ ଥରେ ଥରେ ବାଜି ଉଠି କହିଦିଏ– ‘‘ମାନବ, କ୍ଷାନ୍ତ ହୁଅ, ଏଥିରେ ପ୍ରାଣର ପିପାସା ମେଣ୍ଟିବ ନାହିଁ ।’’

 

ସ୍ଵରଲହରୀ ସବୁବେଳେ ସମାନ ରହେ ନାହିଁ ବୋଲି ସଙ୍ଗୀତ ହୁଏ ପ୍ରାଣସ୍ପର୍ଶୀ । ପ୍ରତୀକ୍ଷା ପ୍ରାଣର ପିପାସା ମେଣ୍ଟାଏ ନାହିଁ ବୋଲି ଜୀବନରେ ରହିଯାଏ ଗୋଟାଏ ବୈଚିତ୍ର୍ୟ । ପ୍ରତୀକ୍ଷାରେ ଇଙ୍ଗିତରେ ନୂତନତ୍ୱର ସୃଷ୍ଟି । ସେ ଯାହାକୁ ନୂତନ ବୋଲି ସ୍ଥିର କରେ, ତାକୁ ପୁଣି ପୁରାତନ ଆଖ୍ୟା ଦେଇ ବିଦାୟ ଦିଏ । ସଂସାରର ବେଷ୍ଟନୀ ମଧ୍ୟରୁ ମନୁଷ୍ୟର ମନକୁ ସୀମାଗତ ଆଡ଼କୁ ଟାଣିନେବା ପ୍ରତୀକ୍ଷାର ଗୋଟାଏ ‘‘ଧର୍ମ’’ । ଯାହାକୁ ଅତୀତରେ ସେ ଛାଡ଼ିଦିଏ, ତାକୁ ପୁଣି ଅନାଇ ରହେ । ସରସ ସମ୍ପର୍କ ହଜିଯାଏ-ରଖି ଦେଇଯାଏ ଯେଉଁ ସ୍ମୃତିଟିକ, ତାକୁ ପ୍ରତୀକ୍ଷା କେତେ ଆଦରରେ ଘୋଡ଼ାଇ ରଖେ । ମନୁଷ୍ୟ ବେଶ୍‌ ବୁଝିପାରେ ସାଂସାରିକ ବିଷୟ ଥରେ ଲୋପ ପାଇଗଲେ ଆଉ ମିଳେ ନାହିଁ; କିନ୍ତୁ ମନ ତାର ଏଥିରେ ମାନେ ନାହିଁ । ସେ ଗୋଟାଏ ସୀମାତୀତ ରାଜ୍ୟରେ ତାର ଲୁପ୍ତ ଧନ ଉଦ୍ଧାର କରିବ ବୋଲି ମନେ କରିଥାଏ । ଉତ୍କଳର ଭକ୍ତକବି ଦିନେ ଗାଇଥିଲେ–

 

‘‘ହଜି ନାହିଁ ଯାର କେବେ କିଛି ହିଁ ରତନ,

ଏ ମର୍ତ୍ତ୍ୟ ସଂସାରେ ସେହି ଦୀନ ଅକିଞ୍ଚନ ।’’

 

ଐଶ୍ୱର୍ଯ୍ୟର ଆକର୍ଷଣରେ ମନୁଷ୍ୟ ଜଗତଟାକୁ ଠିକ୍‌ରୂପେ ଦେଖିପାରେ ନାହିଁ । ନୟନରଞ୍ଜନ ଧନଟିଏ ହଜିଗଲେ ହୃଦୟର ଯେ ଶୂନ୍ୟତା ଆସେ, ସେଥିରେ ପ୍ରତୀକ୍ଷାର ପଥ ପ୍ରଶସ୍ତ ହୁଏ । ରିକ୍ତ ହୃଦୟରେ ପ୍ରତୀକ୍ଷା ଗୋଟାଏ ପୂର୍ଣ୍ଣତାର ଛବି ପକାଇଦିଏ । ମନୁଷ୍ୟ ବୁଝିପାରେ ନାହିଁ ଏହି ଛାୟାର ମର୍ମ । ଛାୟା ଯଦି ଛାୟା ରୂପରେ ନ ଆସି ଗୋଟାଏ କାୟା ବିସ୍ତାର କରି ବସନ୍ତା, ତାହାହେଲେ ପ୍ରତୀକ୍ଷାର ମହତ୍ତ୍ୱ ଜୀବନରେ ଆଦୌ ଅନୁଭୂତ ହୁଅନ୍ତା ନାହିଁ କିମ୍ୱା ମନୁଷ୍ୟର ମନ ଅସୀମ ଆଡ଼କୁ ଯାଆନ୍ତା ନାହିଁ । ଅନ୍ତର ଯାହାକୁ ଚାହେଁ, ପ୍ରତୀକ୍ଷା ତାକୁ ଅନୁସରଣ କରେ । ପ୍ରମାଦ ଘଟିଲେ ଅନ୍ତରର ଦୁର୍ବଳତାର ପରିଚୟ ମିଳେ । ଚୁମ୍ୱକର ଆକର୍ଷଣୀ ପ୍ରଭାବ ଦୋଷାବହ ନୁହେଁ । ଆକର୍ଷଣ ବଳରେ ଚୁମ୍ୱକ ତାର ଅସ୍ତିତ୍ୱ ପ୍ରମାଣ କରେ । ପ୍ରତୀକ୍ଷା ମନୁଷ୍ୟର ଅଗ୍ରଗତିରେ ବାଧା ଦେଇପାରେ । ୟା ବୋଲି ତାକୁ ହୀନ ଭାବରେ ଗ୍ରହଣ କରିବା ଉଚିତ ନୁହେଁ । ଗତିଶୀଳ ଜୀବ ପକ୍ଷରେ ବାଧା ଅସ୍ୱାଭାବିକ ନୁହେ ପ୍ରତୀକ୍ଷା ଯେତେବେଳେ ଅନ୍ତରରେ ଗୋଟାଏ ବାଧା ଆଣେ, ସେତେବେଳେ ଜୀବନର ଗତି ଭିନ୍ନ ମାର୍ଗରେ ପ୍ରାୟ ଚାଳିତ ହୁଏ । ହୃଦୟର ଚିତ୍ରପଟରେ ଏହା ଗୋଟାଏ ତୀବ୍ର ଅସ୍ପଷ୍ଟ ଛବି । ଏହା ଲିଭିଗଲା ପରି ଦିଶେ; କିନ୍ତୁ ପ୍ରକୃତରେ ଲିଭେ ନାହିଁ । ଏହାରି ତୀବ୍ରତା ବଳରେ ହୃଦୟର ଦୁର୍ବଳତା କମି ଆସେ । ଅଗ୍ନି ନିର୍ବାପିତ ହୁଏ । ଭସ୍ମରାଶି ତାର ପରିଣତି ଦେଖାଇଦିଏ । ଅନ୍ତର ଅବନତ ହୋଇ ପଡ଼େ । ପ୍ରତୀକ୍ଷା ପ୍ରମାଣ କରିଦିଏ, ତାର ଲଘୁତା କିମ୍ୱା ଗୁରୁତ୍ୱ । ଦୋଷ କିମ୍ୱା ଗୁଣଟିକୁ ଅନ୍ତରରେ ଆରୋପ କରି ନିଜେ ରହେ ପୃଥକ୍‌; ତେଣୁ ସେ ବଡ଼ ଅସ୍ପଷ୍ଟ ।

 

ବ୍ୟର୍ଥ ଲକ୍ଷ୍ୟ ପ୍ରଗତିର ଗୋଟାଏ ସୋପାନ । ସ୍ୱଚ୍ଛ ଧାରାରେ ବାଧା ଆସିଲାକ୍ଷଣି ଗୋଟାଏ ବିପ୍ଳବ ଜନ୍ମେ । ଏହି ବିପ୍ଳବ ଫଳରେ ଶାନ୍ତିର ପଥ ଉଦ୍‌ଘାଟିତ ହୋଇପାରେ । ଯେ ଯେତେ ଥର ଲକ୍ଷ୍ୟଭ୍ରଷ୍ଟ ହେଲାଣି ଓ ଅକାତରରେ ବିପ୍ଳବକୁ ବରଣ କରି ନେଲାଣି, ତାର ପଥ ସେତେ ଆଭାମୟ ଓ ମୁକ୍ତି-ନିୟନ୍ତ୍ରୀ ହେଲାଣି । ପ୍ରତୀକ୍ଷା ଯେ ବିପ୍ଳବ ସୃଷ୍ଟି କରେ, ସେଥିରେ ଲକ୍ଷ୍ୟ ଦୂରକୁ ଚାଲିଯାଏ । ଯିବାବେଳେ ଜୀବନର ଧାରାକୁ ଟାଣିନିଏ ପ୍ରତୀକ୍ଷାକୁ ଅନୁସରଣ କରି ଜୀବନର ଧାରାଟି ବହିଯାଏ ।

 

ପ୍ରତୀକ୍ଷା ଲୋଡ଼େ ପ୍ରଚ୍ଛନ୍ନ ପ୍ରକାଶ । ଶର୍ବରୀର ଶେଷ ପର୍ଦ୍ଦାଟି ଉଠିଯାଏ । ପୂବାଂଶା ଈଷତ୍‌ ଅରୁଣିମା ଦେଖାଇଦିଏ । ଅନ୍ଧକାର ଓ ଆଲୋକର ସନ୍ଧିସ୍ଥଳରେ ଉଷା ଆସି ତାର ଆଗମନ ଜଣାଇଦିଏ । ଆଲୋକ ଆସ୍ତେ ଆସ୍ତେ ଲୁଚିଯାଏ । ଗୋଧୂଳି ଗଗନରେ ସନ୍ଧ୍ୟା ତାରାଟି ଜଳିଉଠେ-। ଆଲୋକ ଓ ଅନ୍ଧକାରର ପୂର୍ବ ପ୍ରକାଶ ବା ଭାବରେ ପ୍ରଭେଦ ଅତ୍ୟଳ୍ପ ଥାଏ । ଦୁହିଙ୍କର ନିଗୂଢ଼ ରଚନାରେ ଏହି ପୂର୍ବ ଭାବମାନେ ଦୂରଦୃଷ୍ଟି ସୁସଜ୍ଜିତ ତୋରଣ ପରି ସୌନ୍ଦର୍ଯ୍ୟର ଗୋଟାଏ ବିକାଶ ଦେଖାଇଥାନ୍ତି, ଯାହା ଅସ୍ପଷ୍ଟ ହେଲେ ମଧ୍ୟ ଅତୀତ କିମ୍ୱା ଭବିଷ୍ୟତର କୁହେଳିରେ ଲୁଚିଯାଏ ନାହିଁ-। ହର୍ଷ ଓ ବିଷାଦରେ ଜୀବନର ଗତି ଚଞ୍ଚଳ ହୋଇ ପଡ଼େ କିନ୍ତୁ ପ୍ରତୀକ୍ଷାରେ ମୃଦୁ ଓ ଆଲକ୍ଷିତ ଆକର୍ଷଣରେ ଯେ ଶାନ୍ତ ଭାବ ଆସେ, ତାହା ଅସୀମ ଆଡ଼କୁ ଗୋଟାଏ ଇଙ୍ଗିତ ମାତ୍ର-। ମନେହୁଏ ଅନନ୍ତ ଗର୍ଭରେ ଅପାର୍ଥିବର ଯେ ଛାୟାପାତ ହୁଏ, ତାହା ପ୍ରତୀକ୍ଷାର ଗୋଟାଏ ଆଭାସ । ମନୁଷ୍ୟ ଯେତେବେଳେ ଏହି ଆଭାସ ପାଇବାପାଇଁ ବ୍ୟଗ୍ର ହୋଇଉଠେ, ସେତେବେଳେ ସେ ପାର୍ଥିବ ବେଷ୍ଟନୀରେ ରହି ସୁଦ୍ଧା ଗୋଟିଏ ଅନାମୟ ରାଜ୍ୟର କଳ୍ପନା କରେ । କଳ୍ପନାରେ ପ୍ରତୀକ୍ଷା ଆତ୍ମଗୋପନ କରି ଜୀବନର ଗତିକୁ ଅଧିକାଂଶ ପରିମାଣରେ ପ୍ରଭାବିତ କରେ । ତେଣୁ ମନୁଷ୍ୟ ଗୋଟାଏ ଅଜଣା ଦିଗକୁ ଯାଉଥିଲେ ସୁଦ୍ଧା ସହଜରେ ନିଜର ଅବସ୍ଥା ବୁଝିପାରେ ନାହିଁ । କାହାର ଆକର୍ଷଣ ସେ କାହିଁକି ଅନୁଭବ କରେ, ଏ କଥାହୃଦୟ ସ୍ପଷ୍ଟରୂପେ ପ୍ରକାଶ କରେ ନାହିଁ । ଜଣକର ସାମାନ୍ୟ ଇଙ୍ଗିତରେ ଅନ୍ୟ ଜଣେ ଆସି ଜୀବନବ୍ୟାପୀ ସାଧନା କରେ, କେବଳ ତାକୁ ଅନୁସରଣ କରିବ ବୋଲି । ପ୍ରତୀକ୍ଷା ତା ଅନ୍ତରରେ ଗୋଟାଏ ଅଲକ୍ଷିତ ଆଘାତ ଦେଇଯାଏ, ଯାହା ସେହି ଅନୁସୃତିର ପ୍ରଧାନ କାରଣ ହୁଏ । ଏହି ଅନୁସୃତିରେ ପ୍ରତୀକ୍ଷା ତାର ପ୍ରଚ୍ଛନ୍ନ ପ୍ରକାଶ ପାଇଁ ଅବସର ପାଇଥାଏ ।

 

ଅସୀମରୁ ଆସି ସସୀମରେ ଲୁଚି ରହି ପୁଣି ସେହି ଅସୀମ ଆଡ଼କୁ ଯିବା ପ୍ରତୀକ୍ଷାର ଲକ୍ଷ୍ୟ । କଳା ମେଘରେ ବିଜୁଳି ଚମକିଯାଏ; ଦୂରଦେଶୀ ପାନ୍ଥ ମନରେ ଗୋଟାଏ ଅଲକ୍ଷିତ ତରଙ୍ଗ ଖେଳିଉଠେ । ପାନ୍ଥ ଅନାଇ ରହେ, ତା ଅନନ୍ତ ପଥର ସହଯାତ୍ରୀ ପାଇଁ । ନୀରବରେ ସୁନ୍ଦରୀ ଚାଲିଯାଏ ରଖିଦେଇ ଯାଏ ଗୋଟାଏ ଅସ୍ପଷ୍ଟ ଆଘାତ । ଆବେଗରେ ହୃଦୟ ଚଞ୍ଚଳ ହୋଇଉଠେ । ସୌନ୍ଦର୍ଯ୍ୟ ସଙ୍ଗେ ଚପଳତା ମିଶିଗଲେ ପ୍ରତୀକ୍ଷା ଟିକିଏ ଦୂରକୁ ଚାଲିଯାଏ । ବେଳାଭୂମିବିହାରୀ ସମୁଦ୍ରକୁ ଯେ ଚକ୍ଷୁରେ ଦେଖେ, ସମୁଦ୍ର ବକ୍ଷରେ କ୍ଷେପଣୀବାହୀ ସେପରି ଦେଖିପାରେ ନାହିଁ । ଜଣକର ଦୂରଦୃଷ୍ଟି ଅପରର ସଂଶ୍ଳିଷ୍ଟ ଦୃଷ୍ଟି ସହିତ ସାମଞ୍ଜସ୍ୟ ରକ୍ଷା କରିପାରେ ନାହିଁ । ସୌନ୍ଦର୍ଯ୍ୟରେ ଆସକ୍ତି ଆସିଲେ ମନ ସ୍ୱତଃ ଧାଏ, ରୂପକୁ ଆଶ୍ରୟ କରି ସଂସାର ପଥ ଅତିକ୍ରମ କରିବ ବୋଲି; କିନ୍ତୁ କେତେ ଜଣ ଏପରି ଭାଗ୍ୟବାନ୍ ହୋଇଛନ୍ତି କହିବା କଠିନ । ପକ୍ଷାନ୍ତରରେ ସୌନ୍ଦର୍ଯ୍ୟର ଆଶ୍ରୟକୁ ଦୂର କରିଦେଲେ ଅନ୍ତର ଗୋଟାଏ ଶୂନ୍ୟତା ବୋଧକରେ । ଏହି ଶୂନ୍ୟତାରେ ପ୍ରତୀକ୍ଷା ତାର ଆତ୍ମ-ପରିଚୟ ଦିଏ । ଯୁବକ ପ୍ରାଣରେ ସୁନ୍ଦରୀ ଯେ ସୌଖୀନ ଭାବ ଖେଜାଇଦିଏ, ତାହା ପ୍ରତୀକ୍ଷାର ବିରୋଧୀ । ବେତାର ବାର୍ତ୍ତା ଶୂନ୍ୟରେ ଭାସିଯାଏ, ଚାହେଁ କେବଳ ଆଘାତ । ପ୍ରତୀକ୍ଷା ସେହିପରି ଲୋଡ଼େ ଅନ୍ତରରେ ଗୋଟାଏ ଗୋଟାଏ ଆଘାତ । ତରୁଣୀର ତରଳ ଚାହାଣି ଜୀବନରେ ଗୋଟିଏ ମୋହ ଆଣିପାରେ; କିନ୍ତୁ ଯବନିକା ଉଠାଇବା ପାଇଁ ଏହା ଆଦୌ ସାହାଯ୍ୟ କରିପାରେ ନାହିଁ । ସବୁ ଯବନିକା ଭେଦ କରି ପ୍ରତୀକ୍ଷା ଅନାଇ ରହେ । ବ୍ୟାକୁଳତା ଆସେ, ଚାଲିଯାଏ; କିନ୍ତୁ ପ୍ରତୀକ୍ଷା ଯାଏ ନାହିଁ । ବ୍ୟାକୁଳତା ଆଣେ ପ୍ରାଣର କ୍ଷୁବ୍ଧତା; କିନ୍ତୁ ପ୍ରତୀକ୍ଷା ଲୋଡ଼େ ସେହି କ୍ଷୁବ୍ଧତାରେ ଗୋଟାଏ ଶାନ୍ତି । ସୌନ୍ଦର୍ଯ୍ୟକୁ ଦୂରରେ ରଖି ପ୍ରତୀକ୍ଷା ଆନନ୍ଦ ଅନୁଭବ କରେ । ମଳୟର ଶାନ୍ତ ସ୍ପର୍ଶରେ ପ୍ରେମିକ ଯେ ଅବ୍ୟକ୍ତ ଭାବ ଅନୁଭବ କରେ ଓ ଯାହାର କମନୀୟ କାନ୍ତି ଦୃଷ୍ଟି ଅନ୍ତରାଳରେ ରହି ସୁଦ୍ଧା ତାର ମନକୁ ଅବିଭୂତ କରୁଥାଏ, ତାହା ପ୍ରତୀକ୍ଷାର ଗୋଟାଏ ଜଡ଼ ଆବରଣ ପରି ମନେହୁଏ । ପ୍ରତୀକ୍ଷା ସବୁବେଳେ ଗୋଟାଏ ଆକର୍ଷଣର ଅଧୀନ ଥାଏ । କିନ୍ତୁ ଆକର୍ଷଣର ସ୍ୱରୂପ ଅନ୍ତରର ଦୃଷ୍ଟି ଶକ୍ତିକୁ କ୍ଷୀଣ କରିଦେଲେ ପ୍ରତୀକ୍ଷାର ଉଦ୍ଦେଶ୍ୟ ବିଫଳ ହୁଏ । ସୌନ୍ଦର୍ଯ୍ୟ ଚାହେଁ ବିକାଶ । କ୍ଷୁଦ୍ର ଗିରିନଦୀ ଅନନ୍ତ ଜଳଧି ସଙ୍ଗମକୁ ଏକମାତ୍ର ଲକ୍ଷ୍ୟ କରି ପ୍ରବାହିତ ହୁଏ । ବିକାଶ କୌଣସି ସୀମା ମଧ୍ୟରେ ରହିପାରେ ନାହିଁ । ସୌନ୍ଦର୍ଯ୍ୟ ସଙ୍ଗେ ଯାହାର ସମ୍ପର୍କ, ତାକୁ ସୀମାବଦ୍ଧ କରିବା ହୀନତାର ପରିଚାୟକ । ସୁନ୍ଦର ଓ ମହତ୍ ହେବାକୁ ବାସନା ଥିଲେ ଗିରିନଦୀ ପରି ବହିଯାଇ ଅନନ୍ତ ସଙ୍ଗେ ମିଶିବାକୁ ହେବ ।

 

ହୃଦୟର ପ୍ରତି ସ୍ପନ୍ଦନରେ ପ୍ରତୀକ୍ଷାର ଆବେଗ ରହିଚି । ମନୁଷ୍ୟ ଇସ୍ପିତ ବସ୍ତୁଟି ପାଏ ନାହିଁ ବୋଲି ଗୋଟିକ ପରେ ଗୋଟିଏ ଆଶ୍ରୟକୁ ଗ୍ରହଣ କରି ପୁଣି ତ୍ୟାଗ କରେ । ଚିରଦିନ ଯଦି ଗୋଟାଏ ଅବଲମ୍ବନରେ ମନୁଷ୍ୟକୁ ଆବଦ୍ଧ କରିଦିଆଯାନ୍ତା, ତାହାହେଲେ ସେ ଜୀବନର ସରସତା ପାଆନ୍ତା ନାହିଁ । ମନୁଷ୍ୟ ଅନେକ ସମୟରେ ଭଗ୍ନମନୋରଥ ହୁଏ, ସଂସାରର ସବୁ ସୌନ୍ଦର୍ଯ୍ୟ ତା ସମକ୍ଷରୁ ଲିଭିଯାଏ; କାରଣ ତାର ଅନ୍ତରର ଏକମାତ୍ର ଅବଲମ୍ବନଟି ଲୁଚିଯାଇଥାଏ । ଦୁର୍ବଳତା ବିନାଶର ଅଗ୍ରଦୂତ । ସାଧାରଣତଃ ହୃଦୟ ଦୁର୍ବଳ ନ ହେଲେ ଗୋଟିକୁ ଦୀର୍ଘକାଳ ପାଇ ଗ୍ରହଣ କରି ସନ୍ତୁଷ୍ଟ ରହନ୍ତା ନାହିଁ । କିନ୍ତୁ ଏହି ଗୋଟିକର ରୂପରେ ଯଦି ବିଶ୍ୱ-ସୌନ୍ଦର୍ଯ୍ୟର ସାମାନ୍ୟ ଆଭା ପ୍ରକଟିତ ହୋଇପାରେ, ତାହାହେଲେ ଦୁର୍ବଳତା ଚାଲିଯାଏ । ପୂର୍ଣ୍ଣ ସବଳତା ଆସି ସେହି ହୃଦୟକୁ ଅଧିକାର କରେ । ଏପରି ଅବସ୍ଥାରେ ମନୁଷ୍ୟ ଆଉ ପ୍ରତୀକ୍ଷାର ବଶବର୍ତ୍ତୀ ହୁଏ ନାହିଁ । ଯେଉଁ ଅଭାବପୂରଣ ପାଇଁ ପ୍ରତୀକ୍ଷା ହୃଦୟକୁ ଟାଣି ରଖେ ଓ ଯାହାର ସନ୍ଧାନରେ ଜୀବନର ଗତି କେତେବେଳେ କ୍ଷିପ୍ର ଓ କେତେବେଳେ ମନ୍ଥର ହୋଇପଡ଼େ, ତାକୁ କୌଣସି ନିର୍ଦ୍ଦିଷ୍ଟ ଆଶ୍ରୟରେ ପାଇଲେ ଜୀବନ ଧନ୍ୟ ହୋଇଯାଏ । ବହୁ ଜନ୍ମର ସାଧନା ଫଳରେ ପ୍ରତୀକ୍ଷା-ପ୍ରକଟିତ ଛାୟାଟି ଗୋଟାଏ ରୂପ ଧରି ଆସିପାରେ; କିନ୍ତୁ ଶୂନ୍ୟମନ୍ଦିରରେ ଦେବତାର ପ୍ରତିଷ୍ଠା ପୂର୍ବରୁ ସାଧକ ଯେପରି ଆତ୍ମତ୍ୟାଗ ଦେଖାଯାଇଥାଏ, ସେହିପରି ପ୍ରତୀକ୍ଷାକୁ ଅନୁସରଣ କରି ଛାଡ଼ିଦେଲେ ମନୁଷ୍ୟ ଶେଷରେ ଦେଖେ- ତାର ସ୍ୱରୂପର ବିକାଶ ।

•••

 

ଭୋଗ ଓ ତ୍ୟାଗ

ଜୀବମାତ୍ରେ ସୁଖପ୍ରୟାସୀ । ସୁଖାନୁଭୂତି ପ୍ରକାର ଓ ପରିମାଣ ଭେଦରେ ଯେଉଁ ସବୁ ପୃଥକ୍ ସ୍ତର ସୃଷ୍ଟି କରେ, ସେଗୁଡ଼ିକୁ ପ୍ରାଣିଜଗତର ବିଭିନ୍ନ ଶ୍ରେଣୀ ବିଭାଗର ପରିମାପକ ସ୍ୱରୂପ ଗ୍ରହଣ କଲେ ଜୀବର ଧର୍ମ ସମ୍ବନ୍ଧରେ ଗୋଟାଏ ଧାରଣା ଜନ୍ମିପାରେ । ସୃଷ୍ଟଜୀବ ବ୍ୟାକୁଳତାର ଅଧୀନ । ଜନ୍ମ ହେଲା ମାତ୍ରେ ଜୀବ ଧାଏଁ ତାର ତୃପ୍ତି ସାଧନ ପାଇଁ; ଚେତନାବସ୍ଥା ଏଥିରେ ତାକୁ ବିଶେଷ ସାହାଯ୍ୟ କରେ । ଇତର ପ୍ରାଣୀମାନଙ୍କର ଲାଳସା ଓ ତୃପ୍ତି ବିଷୟ ବର୍ତ୍ତମାନ ଆଲୋଚନାରୁ ବାଦ୍ ଦେଇ କେବଳ ମନୁଷ୍ୟ ସମ୍ବନ୍ଧରେ କେତେକ ବିଷୟ ଉପସ୍ଥାପିତ କରାଯିବ ।

 

ଆବହମାନ କାଳରୁ ଆଜିପର୍ଯ୍ୟନ୍ତ ମନୁଷ୍ୟ ଜାତି ନାନା ଅନ୍ୱେଷଣରେ ବ୍ୟାପୃତ ହୋଇ ରହିଅଛି । କେବଳ ସୁଖ ଓ ଶାନ୍ତି କଳ୍ପନାରେ ସେ ଅସଂଖ୍ୟ ମାର୍ଗରେ ବିଚରଣ କରିଛି । କେତେ ଲୋମ-ହର୍ଷଣ ଓ ଅଦ୍ଭୁତ ଘଟଣା ସମ୍ପର୍କରେ ତା ହୃଦୟର ଗଭୀରତମ ଭାବନାରାଶି ସଂପୃକ୍ତ ହୋଇ ରହିଛି । ଉତ୍କଟ ଆକାଙ୍କ୍ଷାରେ ନିଜତ୍ୱ ହଜାଇ ସେ ଦେଖିବାକୁ ଯାଇଛି ତାର ସୁଖସ୍ୱପ୍ନର ବାସ୍ତବତା, କିନ୍ତୁ ପ୍ରକୃତରେ ସେ ଦେଖିଛି କଅଣ ? ଅଗ୍ନିଶିଖାର ପ୍ରବଳ ପ୍ରଦୀପ୍ତ ପରେ ଭସ୍ମସ୍ତୁପର ଅଳୀକ ସ୍ମୃତି, ଉତ୍କଟ କାମ ପରିତୃପ୍ତିରେ ଜୀବନର ଘୋର ଅବଶତା, ଆକାଙ୍କ୍ଷାର ତୀବ୍ର ତାଡ଼ନାରେ ନୈରାଶ୍ୟର ଘନ ଅନ୍ଧକାର, ବିଜୟ ଦୁନ୍ଦୁଭିର ମୁଖରତାରେ ନିର୍ଜନତାର ମର୍ମସ୍ପର୍ଶୀ ଆକୁଳତା ମନୁଷ୍ୟ ପ୍ରାଣକୁ ବିଶେଷ ଭାବରେ ଉତ୍‌କ୍ଷିପ୍ତ କରି ଯେ ଚିତ୍ରଟି ଆଙ୍କି ଦେଇଛି, ତାକୁ ଭିନ୍ନ ରଙ୍ଗରେ ଚିତ୍ରିତ କରି ସୁଦ୍ଧା ମନୁଷ୍ୟ ତାର ଆଶାର ସ୍ୱପ୍ନକୁ ପୂର୍ଣ୍ଣମାତ୍ରାରେ ବାସ୍ତବ କରି ପାରି ନାହିଁ । ଅଗ୍ନିସ୍ଫୁଲିଙ୍ଗ ପରିବର୍ତ୍ତନରେ ମୁକ୍ତାନିନ୍ଦୀ ଶିଶିରବିନ୍ଦୁ କାମପରତନ୍ତ୍ର ହୃଦୟରେ ପ୍ରଣୟର ପବିତ୍ର ସ୍ପର୍ଶ, ଅମଳତାର ଆକର୍ଷଣରେ ଆକାଙ୍କ୍ଷାର ନିବୃତ୍ତ, ବିଜୟୀର ବିଜୟୋଲ୍ଲାସରେ ମୈତ୍ରୀର ଶାନ୍ତାବସ୍ଥା ପ୍ରକଟିତ ହେଲେ ହୃଦୟର ଗୋଟିଏ ଅତି ଉନ୍ନତ ଦ୍ୱାର ଉନ୍ମୁକ୍ତ ହୋଇପାରେ; କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣରୂପେ ଅନୁଭୂତ ହୁଏ ନାହିଁ । ଯୁଗ ପରେ ଯୁଗ ଆସି ଅତୀତରେ ମିଶିଗଲାଣି । ସଂଖ୍ୟାତୀତ ମନୁଷ୍ୟ ଧରାବକ୍ଷରେ କେତେ ରଙ୍ଗରେ ଆବିର୍ଭୂତ ହୋଇ ଅନ୍ତର୍ନିହିତ ହେଲେଣି; କିନ୍ତୁ କର୍ମ-ଚକ୍ରର ଘୂର୍ଣ୍ଣନରେ ଲେଶମାତ୍ର ବିରାମ ଆସି ନାହିଁ । ମନୁଷ୍ୟ ଜାତିର ଅସ୍ତିତ୍ୱ ଥିବାପର୍ଯ୍ୟନ୍ତ ଏହାର ଗତି ଅପ୍ରତିହତ ରହିବ । ସଂସାରର ଯାବତୀୟ ବୈଚିତ୍ର୍ୟ ମଧ୍ୟରେ ମନୁଷ୍ୟ ତାର ଗତି ନିୟନ୍ତ୍ରିତ କରିବା ପାଇଁ କେତେ ମାର୍ଗ ଅନୁସରଣ କରେ । ଅପ୍ରତ୍ୟାଶିତ ଅନେକ ବାଧା ଆସି ତାର ପଥ ରୋଧ କରନ୍ତି; କିନ୍ତୁ ସେମାନଙ୍କୁ ଉପେକ୍ଷା କରି ସେ ଅଗ୍ରଗତିର ପରିଚୟ ଦିଏ । ପ୍ରବଳ ଆକାଙ୍କ୍ଷାର ଅଧୀନ ହୋଇ ମନୁଷ୍ୟ ଯେଉଁ ମହତ୍ କାର୍ଯ୍ୟ ସମ୍ପାଦନ କରେ, ସେଥିରେ ସଂସାରବାସୀ ସ୍ତମ୍ଭୀତ ହୋଇପାରନ୍ତି; କିନ୍ତୁ ହୃଦୟ ଯାହାର ସନ୍ଧାନରେ ବ୍ୟଗ୍ର ହୋଇ ପଡ଼ିଥାଏ, ତାକୁ ପାଇବାକ୍ଷଣି ଗୋଟାଏ ବିରାଟ ନୀରବତାରେ ମନୁଷ୍ୟର ଜଟିଳ କର୍ମଗ୍ରନ୍ଥଟି ଆବୃତ୍ତି ହୋଇପଡ଼େ । ଏହି ଅବସ୍ଥାରେ ସେ ଦେଖେ- ତା କର୍ମର ପରିଣତି । ଏପରି ଅବସ୍ଥାରେ ଉପନୀତ ହେବା ମଧ୍ୟ ସହଜ ନୁହେଁ । କୌଣସି ମାର୍ଗରେ ଅନେକ ଦିନ ଗତି କଲେ ମନୁଷ୍ୟ ଗୋଟାଏ ସନ୍ଧିସ୍ଥଳରେ ପହଞ୍ଚିବ, ଯେଉଁଠାରେ ତାର ଚିରପରିଚିତ ଓ ଆଦରର ଦର୍ଶନୀୟ ବସ୍ତୁଗୁଡ଼ିକ ସମ୍ପୂର୍ଣ୍ଣ ବିପରୀତ ଆକାରରେ ଦେଖା ଦେବେ । ସେମାନଙ୍କୁ ଅନୁସରଣ କଲାବେଳେ ମନୁଷ୍ୟ ତାର ଚିରାଭ୍ୟସ୍ତ ଗନ୍ତବ୍ୟ ପଥକୁ ପାସୋରି ଦେଇ ଭିନ୍ନ ଏକ ପଥର ପଥିକ ହୁଏ । ସଂସାରବାସୀ ମାତ୍ରେ ପଥାଶ୍ରେୟୀ; କିନ୍ତୁ ସମସ୍ତଙ୍କର ପଥ ଏକଦିଗରେ ନିର୍ଦ୍ଦିଷ୍ଟ ନୁହେଁ । ବିଶ୍ୱବିଜୟୀ ଆଲେକଜାଣ୍ଡର ଯେ ଆଶାର ସ୍ୱପ୍ନ ଦେଖି ପୃଥିବୀକୁ ପଦଦଳିତ କରିବାକୁ ଅଗ୍ରସର ହୋଇଥିଲେ, ତାଙ୍କର ପୁଣି କାହିଁକି ଅନ୍ତିମ କାଳରେ ଗୋଟାଏ ଅସାଧାରଣ ନୈରାଶ୍ୟ ଆସିଲା ? ପ୍ରାଣର ପ୍ରତିମାକୁ ରାମଚନ୍ଦ୍ର କାହାର ଅନୁରୋଧରେ ନିର୍ବାସନ ଦଣ୍ଡ ବିଧାନ କଲେ ? ପୂତାଖ୍ୟାନ ରାମାୟଣ କାହାର ବର୍ଣ୍ଣନାରେ ବିଶ୍ୱବରେଣ୍ୟ ହେଲା ? ସତୀଶିରୋମଣି ସାବିତ୍ରୀ କାହିଁକି ଭାରତନାରୀର ଆଦର୍ଶ ହେଲେ ? ଦୁର୍ଗାବତୀ, ଲକ୍ଷ୍ମୀବାଈ ପ୍ରଭୃତି ମନସ୍ୱିନୀ ବୀରମଣୀମାନେ କାହାର ଇଙ୍ଗିତରେ ରଣାଙ୍ଗନକୁ ଡେଇଁ ପଡ଼ିଲେ ? ଏସବୁ ପ୍ରଶ୍ନର ଉତ୍ତର ଗୋଟାଏ କଥାରେ ଦେଲେ ତ୍ୟାଗ ବୁଝାଏ ନାହିଁକି ?

 

ମନର ଅନୁକୂଳତା ଆଚରଣ କରି ଯେ ଗତି ପ୍ରବୃତ୍ତି ମାର୍ଗକୁ ପ୍ରଶସ୍ତ କରିଦିଏ, ତାହା ପୁଣି ଏହାର ପ୍ରତିକୂଳରେ ଯାଇ ନିବୃତ୍ତିର ମହତ୍ତ୍ୱ ଜ୍ଞାପନ କରେ । ପ୍ରବୃତ୍ତି ଓ ନିବୃତ୍ତି ମନର ଦୁଇଟି ବିଶିଷ୍ଟ ଭିନ୍ନ ଅବସ୍ଥା ପ୍ରକାଶ କରେ । ଗୋଟିକର ବର୍ତ୍ତମାନତାରେ ଅପରର ପ୍ରାଦୁର୍ଭାବ ସହଜ ହୁଏ ନାହିଁ । ଯେପର୍ଯ୍ୟନ୍ତ ମନୁଷ୍ୟ ଗୋଟିଏ ନିର୍ଦ୍ଦିଷ୍ଟ ଦିଗରେ ଗତି କରୁଥାଏ, ତାର ଅପର ଦିଗପ୍ରତି ସାଧାରଣତଃ ଲକ୍ଷ ନଥାଏ । ଅନେକ ସମୟରେ ଅବସ୍ଥାର ବିଶେଷତ୍ୱ ଘେନି ମନର ଗତି ଚାଳିତ ହୁଏ । ଏହା ବ୍ୟତୀତ ମନ ଯେ ମାର୍ଗକୁ ସହଜରେ ଅବଲମ୍ବନ କରିପାରେ, ତାହାକୁ ହିଁ ସେ ପ୍ରଥମେ ଗ୍ରହଣ କରେ । ବସ୍ତୁ କିମ୍ବା ବିଷୟରେ ଉପକାରିତା ଉପଲବ୍ଧ କରି ହୃଦୟର ତୃପ୍ତି ବିଧାନ ଚେଷ୍ଟାକୁ ଆମ୍ଭେମାନେ ଭୋଗ ଆଖ୍ୟା ଦେଇଥାଇ । ଭୋଗ ପ୍ରବୃତ୍ତିର ନାମାନ୍ତର ମାତ୍ର । ପ୍ରବୃତ୍ତିକୁ ଚରିଥାର୍ଥ କରିବାକୁ ଯାଇ ମନୁଷ୍ୟ ଯେପରି ଭୋଗର ବଶବର୍ତ୍ତୀ ହୁଏ, ସେହିପରି ନିବୃତ୍ତି ମାର୍ଗକୁ ଆଶ୍ରୟ କରି ସେ ତ୍ୟାଗର ନିଦର୍ଶନ ଦେଖାଏ । ଗୋଟାଏ ସ୍ରୋତର ଅନୁକୂଳ ଓ ପ୍ରତିକୂଳରେ ସନ୍ତରଣ କରି ମନୁଷ୍ୟ ତାର ଧର୍ମ ପାଳନ କରେ । ଏହି ଦୁଇ ବିରୁଦ୍ଧ କ୍ରିୟାରେ ମନୁଷ୍ୟ ଜୀବନ ଅତିବାହିତ ହେବ; ସୁତରାଂ ତାର କାର୍ଯ୍ୟପ୍ରଣାଳୀ ଦେଖି ସେ କେଉଁ ମାର୍ଗର ଅଧିକାରୀ, ବୁଝିନେବାକୁ ହୁଏ । ଗୋଟିଏ ସରଳ ଓ ସହଜ ପଥରେ ବିଚରଣ କରି ଶିଖିଲେ ମନୁଷ୍ୟ କଠିନ ପଥଟିଏ ପାଇଲେ ସୁଦ୍ଧା ଅତିକ୍ରମ କରିବାକୁ କୁଣ୍ଠିତ ହୁଏ ନାହିଁ । ଆଦୌ ବାଟ ଚାଲି ନ ଜାଣି କେହି କେବେ ଦୁର୍ଗମ କଣ୍ଟକାକୀର୍ଣ୍ଣ ପାର୍ବତ୍ୟ ପ୍ରଦେଶରେ ଭ୍ରମଣ କରିବାକୁ ମନ ବଳାଏ ନାହିଁ । ଶିଶୁ ଗୃହ-ପ୍ରାଙ୍ଗଣରେ ବୁଲି ବୁଲି ଯେ ଶକ୍ତି ସଞ୍ଚୟ କରେ; ତାହା ପୁଣି ତାକୁ ଭବିଷ୍ୟତରେ ଭୀଷଣ ଜଳଧି ବକ୍ଷରେ କିମ୍ବା ଅନନ୍ତ ଆକାଶର ନୀଳିମ କ୍ରୋଡ଼ରେ ସଞ୍ଚରଣ କରିବାକୁ ଉତ୍ସାହିତ କରେ । ତା ହୋଇ ନ ଥିଲେ ଆଜି ବ୍ୟୋମବିହାର ପାଶ୍ଚାତ୍ୟବାସୀର ଏତେ ଆଦରର ବିଷୟ ହୋଇ ନଥାନ୍ତା । ଅତ୍ୟୁଚ୍ଚ ଗିରି-ଶିଖରକୁ ଅତିକ୍ରମ କଲାବେଳେ ମନୁଷ୍ୟ ଦେଖେ, ଗିରି ଆରୋହଣ ତାର ପ୍ରାଥମିକ କାର୍ଯ୍ୟ । ଶୃଙ୍ଗକୁ ଅଧିକାର କଲା ପରେ ତାର ଅନୁସୃତ ଗତିପୂର୍ଣ୍ଣ ରୂପେ ସୁଗମ ହୋଇପଡ଼େ । ଆମ୍ଭମାନଙ୍କର ସଂସାର ବର୍ତ୍ତଟି ଏହି ଗିରି ଆରୋହଣ ସଙ୍ଗେ ସମାନ କହିଲେ ଚଳେ । ମନୁଷ୍ୟ ଜନ୍ମ ହେଲା ମାତ୍ରେ ସଂସାରର ବୈଚିତ୍ର୍ୟରେ ଆବଦ୍ଧ ହୋଇ ରହେ । ଶୈଶବରେ କ୍ରୀଡ଼ା, ସାଥୀମାନଙ୍କର ଖେଳକୌତୁକ ଓ ପିତାମାନଙ୍କର ସ୍ନେହ ଶିଶୁ ଜୀବନକୁ ଅତିମାତ୍ରରେ ମୁଗ୍ଧ କରିଦିଏ । ତେଣୁ ଶିଶୁର ପ୍ରବୃତ୍ତି ସାଂସାରିକ ବିଷୟ ସହିତ ସଂଶ୍ଳିଷ୍ଟ ହୋଇ ରହେ । ଏହିପରି ଜୀବନର ଗତି ସଙ୍ଗେ ପ୍ରବୃତ୍ତିର ଉତ୍ତେଜନା ମାର୍ଗାନ୍ତରକୁ ଅନୁସରଣ କରି ଚାଲିଥାଏ । ପାରିପାର୍ଶ୍ୱିକ ଅବସ୍ଥାଗୁଡ଼ିକ ମଧ୍ୟ ଏଥିରେ ଯଥେଷ୍ଟ ସାହାଯ୍ୟ କରନ୍ତି । ସମୟ ଆସେ, ଯେତେବେଳେ ମାନବୀୟ ଶକ୍ତି ସାଂସାରିକ କ୍ରିୟା ସମ୍ପାଦନରେ ଗୋଟାଏ ଅତ୍ୟୁତ୍କୃଷ୍ଟ ସ୍ଥାନ ଅଧିକାର କରେ । ବର୍ତ୍ତମାନ ଦେଖାଯାଉ, ଏଠାରେ ପ୍ରବୃତ୍ତି କିମ୍ବା ଭୋଗର ମାତ୍ରା ମନୁଷ୍ୟ କିପରି ଭାବରେ ଅନୁଭବ କରେ ।

 

କେହି କେହି କହି ପାରନ୍ତି, ବୈଜ୍ଞାନିକ ଓ ଦାର୍ଶନିକ କଠିନ ସମସ୍ୟାସବୁ ସମାଧାନ କଲାବେଳେ ଯେ ଆନନ୍ଦ ଅନୁଭବ କରନ୍ତି, ତାହା ଭୋଗ ନୁହେଁ । ଭୋଗର ସ୍ୱରୂପ ସମସ୍ତଙ୍କ ଦୃଷ୍ଟିରେ ସମାନ ନୁହେଁ । ଜଣେ ସାମାନ୍ୟ ଜଡ଼ବସ୍ତୁ ଆହରଣ କରି ଯେ ସୁଖ ଅନୁଭବ କରେ, ଅନ୍ୟ ଜଣେ ତାକୁ ବିପର୍ଯ୍ୟସ୍ତ କରି ଅଧିକ ଆନନ୍ଦ ଅନୁଭବ କରିପାରେ । ଯେ ପର୍ଯ୍ୟନ୍ତ କିଛି ଲାଭ କରିବାର ଇଚ୍ଛା ବର୍ତ୍ତମାନ ଥାଏ, ସେପର୍ଯ୍ୟନ୍ତ ଭୋଗକୁ ସ୍ୱୀକାର କରିବାକୁ ଆମ୍ଭେମାନେ ବାଧ୍ୟ ହେବୁଁ । କୌଣସି ପଦାର୍ଥକୁ ନଷ୍ଟ କଲେ ଯେ ତୃପ୍ତି ଆସେ, ତାକୁ ତ୍ୟାଗ କୁହାଯାଏ ନାହିଁ । ଏହା ଗ୍ରହଣ କରିବାର ଆଉ ଗୋଟିଏ ପନ୍ଥା । ବୈଜ୍ଞାନିକ କିମ୍ବା ଦାର୍ଶନିକର ଜୀବନ ବ୍ୟାପୀ ସାଧନା ଫଳରେ ମଧ୍ୟ ତାର ଈପ୍ସିତ ବିଷୟର ପ୍ରକୃତାବସ୍ଥା ପ୍ରମାଣିତ ହୋଇ ନ ପାରେ । କେବଳ ଦୁରୂହ କ୍ରିୟା ସମ୍ପାଦନ କରିପାରିଲେ ଭୋଗର ନିବୃତ୍ତି ଆସେ ନାହିଁ । ବିଷୟର ମୋହ ଥିବା ପର୍ଯ୍ୟନ୍ତ ଭୋଗ ମନୁଷ୍ୟକୁ ଅନୁସରଣ କରି ଚାଲିଥାଏ । ପ୍ରକାରର ତାରତମ୍ୟ ଅନୁସାରେ ଭୋଗୀ ଶ୍ରେଷ୍ଠ କିମ୍ବା ଇତର ବୋଲି ପ୍ରମାଣିତ ହୁଏ । କାମୁକ ଯେ ଚକ୍ଷୁରେ ରମଣୀର ମୁଖମଣ୍ଡଳ ଅବଲୋକନ କରେ, ପ୍ରେମିକ ଭାବୁକ ସେପରି ଦୃଷ୍ଟିରେ ଚାଳିତ ହୁଏ ନାହିଁ; କିନ୍ତୁ ଉଭୟେ ରମଣୀଠାରୁ କିଛି ଗ୍ରହଣ କରିବାକୁ ବ୍ୟସ୍ତ ଥାନ୍ତି । ଜଣେ ଯେ ଶ୍ରେଣୀର ଗ୍ରାହକ ଅପର ଜଣକ ତାଠାରୁ ଦୂରରେ ରହି ମଧ୍ୟ ସେହି ଶ୍ରେଣୀଭୁକ୍ତ; କିନ୍ତୁ ପାର୍ଥକ୍ୟ ରହିଯାଏ କେବଳ ଦୂରତାରେ । ଅବଶ୍ୟ ଏହି ଦୂରତାକୁ ତୁଚ୍ଛ ବୋଲି କୁହାଯିବ ନାହିଁ । ଏହାରି ପ୍ରଭାବରେ ମୋହର ପ୍ରଭାବ, ଯାହା କି ଭୋଗର ଭିତ୍ତିସ୍ୱରୂପ କ୍ରମଶଃ ସୂକ୍ଷ୍ମାବସ୍ଥା ଧାରଣ କରେ । ଆସକ୍ତିର ବେଗ ଦେଖି ଭୋଗକୁ ଭିନ୍ନ ଭିନ୍ନ ଶ୍ରେଣୀରେ ଗଣନା କରାଯାଇପାରେ । ଜ୍ଞାନଲିପ୍ସା ସଙ୍ଗେ ବିଷୟ ଲିପ୍ସା ସମାନ ନୁହେଁ । କିନ୍ତୁ ଲିପ୍‌ସାଟା ସାଧାରଣ ଭାବରେ ବର୍ତ୍ତମାନ ଥିବାରୁ ଜ୍ଞାନ ଓ ବିଷୟ ଲାଭକୁ ଭୋଗର ଅଧୀନ କରାଯାଏ । ଭୋଗର ପରିଖା ଖୁବ୍ ବିସ୍ତୃତ । ଏହି ପରିଖାକୁ ଯେ ଯେପରି ଭାବରେ ଓ ଯେତେ ଦୂର ଅତିକ୍ରମ କରେ, ସେହି ଅନୁସାରେ ଭୋଗର ମାତ୍ରା ନିର୍ଣ୍ଣୀତ ହୁଏ ।

 

ଭୋଗକୁ ହେୟ ମନେକରିବା ସଂସାର ବିରାଗୀଙ୍କ ପକ୍ଷରେ ଖୁବ୍ ସମ୍ଭବପର । ସେ ଜଗତକୁ ଯେ ଦୃଷ୍ଟିରେ ଦେଖନ୍ତି, ତାହା ସାଧାରଣ ଦୃଷ୍ଟିର ବହିର୍ଭୂତ । ଭାବର ବିଶିଷ୍ଟତା ଦୃଷ୍ଟି ଶକ୍ତିକୁ ପ୍ରଭାବିତ କରେ ବୋଲି ଏପରି ବୈଷମ୍ୟ ଲକ୍ଷିତ ହୁଏ । ବାହ୍ୟ ଜଗତ ସହିତ ସମ୍ପର୍କ ଯେ ପରିମାଣରେ ବର୍ଦ୍ଧିତ ହୁଏ, ସେହି ଅନୁସାରେ ଆସକ୍ତି ଭୋଗ ଲିପ୍ସାକୁ ପ୍ରବଳ କରେ । ଅଭ୍ୟାସ ଦୋଷରେ ମଧ୍ୟ ଭୋଗ-ସ୍ପୃହା ହୃଦୟକୁ ଅଧିକାର କରେ । ଅନୁକୂଳ ଅବସ୍ଥା ପାଇଲେ ମନୁଷ୍ୟ ସ୍ୱତଃପ୍ରବୃତ୍ତ ହୋଇ ନିଜ ଅଭାବର ମାତ୍ରାକୁ ବଢ଼ାଇଦିଏ । କୃଷିଜୀବୀ ସାଧାରଣତଃ ସରଳ ଭାବରେ ଜୀବନ ଯାପନ କରିଥାଏ । ତାର ଭୋଗ ସ୍ପୃହା ଅବସ୍ଥାନ ରୂପୀ ହୋଇପାରେ ନାହିଁ । ସମଯର ପରିବର୍ତ୍ତନ ଆସିଲେ ସେହି କୃଷକର ଯଦି ପ୍ରଭୂତ ଧନାଗମ ହୁଏ, ତାହାହେଲେ ତାର ହୃଦୟ ଉଚ୍ଛ୍ୱସିତ ହୋଇ ଉଠିବା ଖୁବ୍ ସ୍ୱାଭାବିକ । ସରଳତା ଛାଡ଼ି ସେ ଐଶ୍ୱର୍ଯ୍ୟର ଜଟିଳତା ଆଡ଼କୁ ଦୃଷ୍ଟି ଫେରାଇନିଏ । ଜୀବନର ଗତି ପରିବର୍ତ୍ତନକୁ ସତର୍କ ଭାବରେ ଦେଖି ନ ପାରି ମନୁଷ୍ୟ ହଠାତ୍ ସହଜଲଭ୍ୟ ବିଷୟକୁ ଗ୍ରହଣ କରେ । ତେଣୁ ଦରିଦ୍ର କୃଷକ ଧନବାନ୍ ବଣିକର ଅବସ୍ଥା ଲାଭ କଲେ ଭୋଗ ବିଳାସରେ ଆତ୍ମବିସ୍ମୃତ ହୋଇପଡ଼ିବା କିଛି ବିସ୍ମୟକର ନୁହେଁ ।

 

ଭୋଗ ନୀତି-ମାର୍ଗର ବିରୋଧୀ ନୁହେଁ । ଅନାସକ୍ତ ଭାବରେ ଯେ ଭୋଗ କରାଯାଏ, ତାହା ଆଦର୍ଶସ୍ଥାନୀୟ । ପୂର୍ବକାଳରେ ଜନକ ଏଥିର ଦୃଷ୍ଟାନ୍ତ ଦେଖାଇଥିଲେ । ବର୍ତ୍ତମାନ ଯୁଗରେ ଆମ୍ଭେମାନେ ପାଶ୍ଚାତ୍ୟ ବିଜ୍ଞାନବିତ୍‌ମାନଙ୍କୁ ଆଦର୍ଶଭୋଗୀ ବୋଲି କହିପାରୁ । ବାୟୁ-ପୋତ ଆବିଷ୍କାର କଲାବେଳେ କେତେ ଜଣ ବୈଜ୍ଞାନିକ ମୃତ୍ୟୁମୁଖରେ ପତିତ ହୋଇ ନାହାନ୍ତି ? କେତେକ ପାଶ୍ଚାତ୍ୟ ପଣ୍ଡିତ ଅଳ୍ପ ଦିନ ତଳେ ହିମାଳୟର ସର୍ବୋଚ୍ଚ ଗୌରୀଶଙ୍କର ଶୃଙ୍ଗ ଆରୋହଣ କରିବାକୁ ଯାଇ ଉପର୍ଯ୍ୟୁକ୍ତ ଦଶାର ଅଧୀନ ହୋଇଅଛନ୍ତି । ଜ୍ଞାନ-ସାଧନର ବଳବତୀ ସ୍ପୃହା ହୃଦୟକୁ ଅଧିକାର କଲେ ମନୁଷ୍ୟ ନିଜର ଶରୀରକୁ ସୁଦ୍ଧା ଉପେକ୍ଷା କରିପାରେ ଯେ ଭୋଗରେ ଶରୀର-ସୁଖ ପ୍ରତି ଲକ୍ଷ୍ୟ ନ ଥାଏ, ତାହା ସର୍ବଥା ବରଣୀୟ ହୋଇପାରେ; କିନ୍ତୁ କେତେ ଜଣ ଏ ମାର୍ଗରେ ଅଗ୍ରସର ହୋଇପାରନ୍ତି ? ଆଜି ଭାରତବାସୀ ଯେ ଦୂରବସ୍ଥାରେ ପଡ଼ିଛି, ସେଥିରେ ତାର ଏ ଦିଗକୁ ଗତି କରିବା ଏକପ୍ରକାର ଅସମ୍ଭବ କହିଲେ ଚଳେ । ଶରୀର-ସୁଖରେ ଆଦର୍ଶ-ଭୋଗୀ ଆସ୍ଥା ସ୍ଥାପନ କରି ନ ପାରନ୍ତି; କିନ୍ତୁ ୟା ବୋଲି ଶରୀରରକ୍ଷାକୁ ଅବହେଳା କଲେ କେହି ଉଚ୍ଚ ଶ୍ରେଣୀର ସାଧକ ହୋଇ ପାରିବେ ନାହିଁ । ସାମାନ୍ୟ ଅନ୍ନସମସ୍ୟା ଭାରତବାସୀକୁ ବ୍ୟସ୍ତ କରି ପକାଇଲାଣି, ସେଥିରେ କିପରି ଆଦର୍ଶ ଭୋଗର କାମନା କରିପାରେ ? ପ୍ରାଚୀନ ଭାରତ ବର୍ତ୍ତମାନ ଦୂରବସ୍ଥାର ସମ୍ମୁଖୀନ ହୋଇଥିଲେ ତାର ଜ୍ଞାନ, ଧର୍ମ ପ୍ରଭୃତି ଏତେ ଅସାଧାରଣ ହୋଇ ନ ଥାନ୍ତା । ଆଜି ଭାରତ ଗୋଟାଏ ଭୀଷଣ ସନ୍ଧିସ୍ଥଳରେ ପହଞ୍ଚି ଯେ ଜ୍ଞାନଗରିମାର ପରିଚୟ ଦେଉଛି, ତାହା ଯଥେଷ୍ଟ ବୋଲି ଭାବିବାକୁ ହେବ । ୟୁରୋପର ବସ୍ତୁ-ମୋହ ଗୋଟାଏ ଚରମ ସୀମାକୁ ସ୍ପର୍ଶ କଲାଣି । ୟୁରୋପ ଭୋଗର ଶେଷମାତ୍ରା ଆସ୍ୱାଦନ କରି ସାରିଲାଣି; କିନ୍ତୁ କାହିଁକି ତାର ନିବୃତ୍ତି ଆସୁ ନାହିଁ ? ଏଠାରେ ପ୍ରାଚୀନ ଭାରତ ଓ ବର୍ତ୍ତମାନ ୟୁରୋପର ଭୋଗ ବିଷୟ ଆଲୋଚନା କଲେ ଗୋଟାଏ ପାର୍ଥକ୍ୟ ଜଣାଯାଇ ପାରେ । ଭାରତର ଭୋଗରେ ନିବୃତ୍ତି ଥିଲା ଲକ୍ଷ୍ୟ; କିନ୍ତୁ ୟୁରୋପ ପକ୍ଷରେ ତାହା ହେଲା ନାହିଁ । ୟୁରୋପର ପିପାସା ଦିନକୁ ଦିନ ବଢ଼ିଯାଉଛି-। ସମଗ୍ର ପୃଥିବୀକୁ ଗ୍ରାସ କଲେ ସୁଦ୍ଧା ୟୁରୋପର ତୃପ୍ତି ଆସିବ ନାହିଁ । ବସ୍ତୁ-ଅବଲମ୍ବନ ଭୋଗର ପ୍ରଥମାବସ୍ଥା, କିନ୍ତୁ ଶୀର୍ଷ ସୀମା ଆଡ଼କୁ ଯିବାବେଳେ ବସ୍ତୁ-ମୋହ ସ୍ୱତଃ ହ୍ରାସ ପାଇଯାଏ । ୟୁରୋପର ସେହି ଅବସ୍ଥା ଏପର୍ଯ୍ୟନ୍ତ ଆସି ନାହିଁ ବୋଲି ପ୍ରାଚୀନ ଭାରତଠାରୁ ସେ ଦୂରରେ ଅଛି । ଅଧିକାର ଭେଦରେ ଭୋଗକୁ ଗ୍ରହଣ କରିବା ବାଞ୍ଛନୀୟ । ଦରିଦ୍ରର ରାଜଭୋଗ ପାଇଁ ଲାଳାୟିତ ହେବା ଉଚିତ୍ ନୁହେଁ । ଦରିଦ୍ର ନିଜର କ୍ଷୁଦ୍ର ସୀମାମଧ୍ୟରେ କର୍ତ୍ତବ୍ୟ ସାଧନ କରି ଯେ ଶାନ୍ତି ଅନୁଭବ କରେ, ତାହା ରାଜଭୋଗଠାରୁ ଉତ୍କୃଷ୍ଟ ହୋଇପାରେ; କିନ୍ତୁ ଦରିଦ୍ର ରାଜାର ସ୍ଥାନ ଅଧିକାର କରିବାପାଇଁ ମନ ବଳାଇବା ଅନୁଚିତ । ଯେଉଁମାନେ ଭାରତକୁ ପାଶ୍ଚାତ୍ୟ ରୀତିରେ ଗଢ଼ି ନେବାକୁ ଚାହାନ୍ତି, ସେମାନଙ୍କର ଏଥିପ୍ରତି ଟିକିଏ ଦୃଷ୍ଟି ଦେବା ସମୀଚୀନ ବୋଧ ହୁଏ । କର୍ମ ପ୍ରତି ଅବହେଳା ଦେଖାଇ ଭୋଗ ଆଡ଼କୁ ଆକୃଷ୍ଟ ହେବା କେବଳ କର୍ମବିମୁଖ ଭିକ୍ଷାଜୀବୀର ପ୍ରବୃତ୍ତି ସଙ୍ଗେ ସମାନ । ୟୁରୋପ ଓ ଭାରତର କାର୍ଯ୍ୟପ୍ରଣାଳୀ ପରୀକ୍ଷା କଲେ ଉଭୟର ଭୋଗର ତାରତମ୍ୟ ଜଣାପଡ଼େ ଓ ସେଥିରେ ଉଚ୍ଚାଧିକାରୀର ଐଶ୍ୱର୍ଯ୍ୟ ଦେଖି ଈର୍ଷାନ୍ୱିତ ହେବା କାପୁରୁଷତା ଛଡ଼ା ଆଉ କିଛି ନୁହେଁ ।

 

ସାମାନ୍ୟ ଶକଟ ଯାନରେ ଯଦି ଭାରତବାସୀର ଆୟାସ ଆବଦ୍ଧ ରହେ, ତାହାହେଲେ ତାର ବ୍ୟୋମବିହାର ବାସନା ପରିତ୍ୟାଗ କରିବା ଉଚିତ ନୁହେଁ କି ? ନିଜର ଅସାମର୍ଥ୍ୟ ସକାଶେ କୌଣସି ବିଷୟ-ଭୋଗରୁ ବଞ୍ଚିତ ରହିଲେ ମନୁଷ୍ୟକୁ କେହି ବଡ଼ ବୋଲି କହିବେ ନାହିଁ ।

 

ଭୋଗ କର୍ମର ଅନ୍ତରାୟ ନୁହେଁ । ଲିପ୍ସାରୁ କର୍ମ-ଜଗତର ଉତ୍ପତ୍ତି । କର୍ମରାଶିର ଜଟିଳତାରେ ଆସକ୍ତି ସୂକ୍ଷ୍ମ ଶିରାପ୍ରଶିରା ରୂପେ ବିଦ୍ୟମାନ ଥାଏ । ଭୋଗର ଆସ୍ୱାଦନ ହୃଦୟକୁ ଅଧିକାର କରୁ ନ ଥିଲେ ଜଗତ ଅନ୍ୟ ଆକାର ଧାରଣ କରିଥାନ୍ତା । ବିଜ୍ଞାନ-ବିଭବରେ ସୌଧ-କିରୀଟିନୀ ନଗରୀ ବିଦ୍ୟୁଦାଲୋକରେ ଯେ ଅପୂର୍ବ ଶ୍ରୀ ଧାରଣ କରେ, ବିପଞ୍ଚୀର ସୁମଧୁର ସ୍ଵରରେ ସଙ୍ଗୀତର ଯେ ଲହରୀ ଖେଳିଯାଏ, ଲାଳନାର ଲଳିତ କଣ୍ଠଧ୍ୱନିରେ ହୃଦୟରେ ଯେ ନିଭୃତ ଭାବନା ଫୁଟିଉଠେ, ସୌନ୍ଦର୍ଯ୍ୟ-ପୂଜାରେ ଯେ ଅମର କଳାର ଉତ୍ପତ୍ତି ହୁଏ, ସେ ସବୁ ଭୋଗର ନିଦର୍ଶନ ନୁହେଁ କି ? ମନୁଷ୍ୟ ଜାତି ତାର ଶୈଶବରୁ ସ୍ୱର୍ଗର କଳ୍ପନା କରି ଆସିଅଛି । କେବଳ କଳ୍ପନା ନୁହେଁ, ପୃଥିବୀର ପ୍ରାୟ ଯାବତୀୟ ଧର୍ମଗ୍ରନ୍ଥରେ ଏହି ସ୍ୱର୍ଗପ୍ରାପ୍ତିର ପଥ ଉଲ୍ଲିଖିତ ଓ ପ୍ରଶଂସିତ ହୋଇଅଛି-। ଭାରତୀୟର ସର୍ବଶ୍ରେଷ୍ଠ ଧର୍ମଗ୍ରନ୍ଥରେ ଯୁଦ୍ଧ-ପ୍ରେରଣା ଜନ୍ମାଇବା ପାଇଁ ସ୍ୱର୍ଗର ପ୍ରଲୋଭନ ଦର୍ଶିତ ହୋଇଅଛି । ଆଜି ୟୁରୋପରେ ସଂଗ୍ରାମର ଯେ ଦୁନ୍ଦୁଭି ସମୟ ସମୟରେ ବାଜି ଉଠୁଛି, ତାକୁ ଶୁଣି କାହିଁକି ରାଜନୀତିଜ୍ଞମାନେ ଆତଙ୍କିତ ହେବେ ? ପ୍ରାଚୀନ ଭାରତର ରଣ-ନୈପୁଣ୍ୟ ଅତିମାତ୍ରାରେ ଧର୍ମାଶ୍ରୟୀ ଥିଲା; କିନ୍ତୁ ୟୁରୋପ ସେ ପଥରେ ଚାଳିତ ନୁହେଁ । ୟୁରୋପର ଭିନ୍ନ ଭିନ୍ନ ଦେଶର ରାଜନୀତିଜ୍ଞମାନଙ୍କର ମନୋମାଳିନ୍ୟ ଘଟିଲେ ଜାତୀୟ ସ୍ୱାର୍ଥକୁ ଉପଲକ୍ଷ କରି ସମର ରଚନା କରିବା ସେମାନଙ୍କର ଗୋଟାଏ ବିଶେଷତ୍ୱ । ସମର ଧ୍ୱଂସର ଗୋଟାଏ କ୍ରିୟା । ତାକୁ ପୁଣି ଭୋଗ ସହିତ ସଂପୃକ୍ତ କରାଯାଇପାରେ ? ନର-ଶୋଣିତରେ ବାସନାର ତୃପ୍ତି ଶୁଣିବାକୁ ଆଶ୍ଚର୍ଯ୍ୟ ବୋଧ ହୋଇପାରେ; କିନ୍ତୁ ମନୁଷ୍ୟର ଜୀବନ ସମୟବିଶେଷରେ ଏପରି ଭାବରେ ଗତି କରେ ଯେ ଧ୍ୱଂସ ସାଧନ ନ କଲେ ତାର ଶାନ୍ତି ଆସେ ନାହିଁ । ଆବର୍ଜନା ପରିଷ୍କାର କରି ଗୃହର ସୌଷ୍ଠବ ରକ୍ଷା କରାଯାଏ, ସେହିପରି ମନୁଷ୍ୟ ଜାତିର ଉଦ୍ବୋଧନ ଓ ଶକ୍ତି ପରିଚୟ ପାଇ ସମରକୁ ଆହ୍ୱାନ କରାଯାଏ । ସମରବିଜୟୀ ରକ୍ତନଦୀରେ ସନ୍ତରଣ କରି ଯେ ଆନନ୍ଦ ପାଏ, ତାହା ଆସୁରିକ ବୋଧ ହୋଇପାରେ, କିନ୍ତୁ ପ୍ରକାରଭେଦରେ ଏହା ଗୋଟାଏ ଭୋଗ । ଏହି ଭୋଗ ଚରିତାର୍ଥ କରିବାପାଇଁ କୋଟି କୋଟି ନରନାରୀର ରକ୍ତପାତ ହୋଇଅଛି । ପୁଣି ଯେ ନ ହେବ, ଏହା କେହି କହିପାରିବେ ନାହିଁ ।

 

ଶିକ୍ଷା ଓ ସଂଯମ ଭୋଗର ସହାୟତା କରନ୍ତି । ଉଚ୍ଛୃଙ୍ଖଳତାରେ ଜୀବନର ଗତି ଅତିବାହିତ ହେଲେ ଭୋଗ ପରିବର୍ତ୍ତରେ ଲୋଲୁପତା ହୃଦୟକୁ ଅଧିକାର କରେ । ଲମ୍ପଟ ଓ ମଦ୍ୟପାୟୀ ବ୍ୟକ୍ତିମାନଙ୍କୁ ଦେଖିଲେ ଏହାର ଯଥାର୍ଥ୍ୟ ଜଣାଯାଏ । ମନୁଷ୍ୟ ଇନ୍ଦ୍ରିୟ ଚରିତାର୍ଥ କରେ; କିନ୍ତୁ ବିଚାର ଜ୍ଞାନ ଥିବାରୁ ପଶୁପରି ଆଚରଣ କରିବାକୁ କୁଣ୍ଠିତ ହୁଏ । ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ପାଶବିକ କାର୍ଯ୍ୟରେ ଜଗତ୍‌ କଳୁଷିତ ହେଲେ ସୁଦ୍ଧା ସେମାନେ ସେଥିପ୍ରତି ଦୃକ୍‌ପାତ କରନ୍ତି ନାହିଁ । ଶ୍ୱାନଶୃଗାଳ ପରି ସେମାନେ ପୂତିଗନ୍ଧମୟ ଆବର୍ଜନାରେ ନିଜତ୍ୱ ହଜାଇ ଦିଅନ୍ତି । ସର୍ବଦା ଗୋଟାଏ ବୁଭୁକ୍ଷୁ ଭାବରେ ହୃଦୟ ଆଲୋଡ଼ିତ ହେଲେ ଭୋଗ ଅନୁଭବ କରାଯାଏ ନାହିଁ । ସମଷ୍ଟିଗତ ଭାବରେ କୌଣସି ଜାତୀୟ ଜୀବନକୁ ଲକ୍ଷ୍ୟ କଲେ ଭୋଗର ଯେ ନିଦର୍ଶନ ମିଳେ, ସେଥିରେ ଗୋଟାଏ ଜାତି ଅନ୍ୟ ଜାତିଠାରୁ ଉଚ୍ଚ କିମ୍ୱା ନୀଚ ବିବେଚିତ ହୋଇଥାଏ । ଆଧୁନିକ ସଭ୍ୟ ଜଗତ୍‌ ଦୃଷ୍ଟିରେ ଐଶ୍ୱର୍ଯ୍ୟହୀନତା ଅସଭ୍ୟତାର ନାମାନ୍ତର ମାତ୍ର । ଶିକ୍ଷା ପ୍ରଭାବରେ ଯେ ଜାତି ଯେତେ ସଂଯତ ହୋଇଅଛି ଓ ଯାହାର ଲୋଲୁପତା ନିୟନ୍ତ୍ରିତ ହୋଇ ରହିଛି, ତାକୁ ସେତିକି ସଭ୍ୟ ବୋଲି କୁହା ଯାଉଛି । ପାଶ୍ଚାତ୍ୟ ଜାତିମାନେ ଯେ ରୀତିରେ ଭୋଗାନୁସରଣ କରୁଛନ୍ତି ଓ ସେମାନଙ୍କର ଶିକ୍ଷା ଯେ ପ୍ରଣାଳୀରେ ବର୍ତ୍ତମାନ ଚାଳିତ, ସେଥିରେ ଆଦିମ ଜାତିମାନଙ୍କ ସରଳତାର ସ୍ଥାନ ଆଦୌ ନାହିଁ କହିଲେ ଚଳେ । ନାନା ଅଭାବ ସୃଷ୍ଟି କରି ସେମାନେ ଜୀବନର ଜଟିଳତା ଅଧିକ ପରିମାଣରେ ବଢ଼ାଇ ଦେଇଛନ୍ତି । ଶିକ୍ଷାଭିମାନୀ ଭାରତୀୟ ୟୁରୋପର ପନ୍ଥାନୁସରଣ କରି ତାର ପୂର୍ବପୁରୁଷର ଆଦର୍ଶକୁ ହେୟ ମନେ କରୁଛି । ପ୍ରାଚୀନ ଭାରତର ଆଦର୍ଶ ଯୁଗୋଚିତ ପ୍ରଭାବରେ ଅନ୍ୟ ଆକାର ଧାରଣା କରିପାରେ; କିନ୍ତୁ ତାକୁ ସମ୍ପୂର୍ଣ୍ଣ ଭାବରେ ତ୍ୟାଗ କରିବା ଦ୍ୱାରା ମୌଳିକତା ରକ୍ଷା ହୋଇ ପାରୁ ନାହିଁ । କ୍ଷେତ୍ରର ବିଶେଷତ୍ୱକୁ ଲକ୍ଷ୍ୟ ନ ଦେଇ ବୀଜ ବପନ କଲେ ସୁଫଳ ପ୍ରସବ କରେ ନାହିଁ । ପାଶ୍ଚାତ୍ୟ ଐଶ୍ୱର୍ଯ୍ୟମୋହରେ ଯେଉଁମାନେ ଭାରତରେ ସୁଖସ୍ୱପ୍ନ ଦେଖୁଛନ୍ତି, ସେମାନଙ୍କର ଟିକିଏ ସାବଧାନ ହେବା ଉଚିତ । ଦେଶ ଓ ଅବସ୍ଥାବିଶେଷ ଭେଦରେ ଭୋଗର ଉଦ୍ଦେଶ୍ୟ ପରୀକ୍ଷା କରି ଗ୍ରହଣ କରିବା ସବୁଠାରୁ ସୁବିଧାଜନକ ।

 

ଉନ୍ନତ ଭୋଗ ଓ ତ୍ୟାଗ ମଧ୍ୟରେ ସ୍ୱତନ୍ତ୍ରତା ଖୁବ୍ କମ୍‌ ପରିମାଣରେ ଥାଏ । ହୃଦୟରେ ଆନନ୍ଦ ଜନ୍ମାଇବାପାଇଁ ମନୁଷ୍ୟ ସର୍ବଦା ଚେଷ୍ଟିତ ଥାଏ । ଏହି ଆନନ୍ଦ ପାଇବା ଉଭୟ ତ୍ୟାଗ ଓ ଭୋଗର ଚରମ ଲକ୍ଷ୍ୟ । ଏହାରି ଉଦ୍ଦେଶ୍ୟରେ ମନୁଷ୍ୟ ଯାବତୀୟ କାର୍ଯ୍ୟ ସମ୍ପାଦନ କରେ । ପ୍ରଣୟର ପବିତ୍ର ଆକର୍ଷଣରେ ଜୀବନର ଯେ ସରସତା ଫୁଟିଉଠେ ଓ ଯାହାକୁ ପାଇବା ପାଇଁ ଉଭୟ ପ୍ରଣୟୀ ଓ ପ୍ରଣୟିନୀ ସେମାନଙ୍କ ଜୀବନକୁ ସୁଦ୍ଧା ଅକାତରରେ ତ୍ୟାଗ କରି ପାରନ୍ତି. ତାହା ପ୍ରକାରାନ୍ତରେ ଆଦର୍ଶ ଭୋଗ ନୁହେଁ କି ? ଏହି ଆଦର୍ଶ ଭୋଗ ପାଇବା ପାଇଁ ସାବିତ୍ରୀ ସମସ୍ତ ପାର୍ଥିବ ସୁଖ ବିନିମୟରେ ସତ୍ୟବାନଙ୍କୁ ବରଣ କରିଥିଲେ । ଦରିଦ୍ର ଅରଣ୍ୟବାସୀ ସ୍ୱଳ୍ପାୟୁ ରାଜକୁମାର ସତ୍ୟବାନ୍‌ ରମଣୀର ଅପାର୍ଥିବ ପ୍ରେମର ଜୀବନକୁ ଧନ୍ୟ କରି ପାରିଥିଲେ । ରାଜକୁମାର ଜୀବନର ସର୍ବସ୍ୱ ତ୍ୟାଗ କରି ଭୋଗର ଯେ ନିଦର୍ଶନ ଦେଖାଇଲେ, ତାହା ଭାରତ ଛଡ଼ା ଅନ୍ୟତ୍ର ବିରଳ । କେହି କହିପାରନ୍ତି, ଏହି ବୃତ୍ତାନ୍ତ ଗୋଟାଏ ଆଖ୍ୟାୟିକା ମାତ୍ର । ଆଖ୍ୟାୟିକା ହେଲେ ସୁଦ୍ଧା ଏପରି ମହତ୍‌ ଭାବ ପୃଥିବୀର ଅନ୍ୟ କୌଣସି ଜାତିର ହୃଦୟକୁ ଅଧିକାର କରିପାରି ନାହିଁ । ଯାହାର ଭାବ ମହତ୍‌, ତାହାର କାର୍ଯ୍ୟପ୍ରଣାଳୀ ମଧ୍ୟ ତଦ୍ରୂପ ହୋଇଥାଏ । ସୀତାଦେବୀ ବନବାସିନୀ ହେଲେ । ଅଯୋଧ୍ୟାର ପ୍ରଥିତଯଶା ନରପତି ପ୍ରଜା-ପାଳନ ସକାଶେ ନିଜ ହୃଦୟର ଆରାଧ୍ୟା ଦେବୀଙ୍କୁ ତ୍ୟାଗ କଲେ; କିନ୍ତୁ ସେମାନଙ୍କ ବିଚ୍ଛେଦରେ ପ୍ରଣୟର ଯେ ଅମରତ୍ୱ ପ୍ରମାଣିତ ହେଲା, ତାହା ତ୍ୟାଗ ବ୍ୟତୀତ ସମ୍ଭବପର ହୋଇ ନ ଥାନ୍ତା । କର୍ତ୍ତବ୍ୟ ଅନୁରୋଧରେ ରାଜୈଶ୍ୱର୍ଯ୍ୟକୁ ତ୍ୟାଗ କରି ମନରେ ଯେ ବିମଳ ଆନନ୍ଦ ଭୋଗ କରାଯାଏ, ତାହା ଭୋଗ ଓ ତ୍ୟାଗର ସମନ୍ୱୟରେ ସଂଗଠିତ ହୋଇଥାଏ । ୟୁରୋପର ଆଦର୍ଶ ଭାରତ ସଙ୍ଗେ ସମାନ ନ ହେଲେ ସୁଦ୍ଧା ୟୁରୋପବାସୀ ଯେ ତ୍ୟାଗୀ ନୁହନ୍ତି, ଏପରି କହିବା ଦ୍ୱାରା ଆମ୍ଭମାନଙ୍କ ବିଚାର ପକ୍ଷପାତ ଦୋଷରେ ଦୂଷିତ ହୋଇପାରେ । ଗତ ପୃଥିବୀ ଯୁଦ୍ଧରେ ପାଶ୍ଚାତ୍ୟ ଜଗତ୍‌ ତ୍ୟାଗର ଗୋଟାଏ ଉତ୍କୃଷ୍ଟ ନିଦର୍ଶନ ଦେଖାଇ ଦେଇଛି । ଲକ୍ଷ ଲକ୍ଷ ଲୋକ ସ୍ୱଦେଶର ଗୌରବ ରକ୍ଷା ଲାଗି ପ୍ରାଣ ଦେଇଛନ୍ତି । କର୍ତ୍ତବ୍ୟାନୁରୋଧରେ ୟୁରୋପବାସୀ ଯାହା କରିବାକୁ କ୍ଷମ ହୁଏ, ତାହା ବର୍ତ୍ତମାନ ଭାରତବାସୀର କଳ୍ପନାର ଅତୀତ । ୟୁରୋପରେ ଭୋଗ ଓ ତ୍ୟାଗ ଉଭୟ ଅଛି । ଭାରତରେ ଏହା ବିରଳ କହିଲେ ଚଳେ ।

 

ଜଗତ୍‌ ଗୋଟିଏ ବନ୍ଦିଶାଳା ନୁହେଁ । ବିଶ୍ଵ ପ୍ରକୃତି ବିଶ୍ୱମୁଖରେ ଯେ ସୌନ୍ଦର୍ଯ୍ୟ ପ୍ରକଟିତ କରେ, ତାହା ଜୀବର ଆନନ୍ଦପଥ ଉଦ୍‌ଘାଟିତ କରେ । ଆନନ୍ଦ ପାଇବାର ପ୍ରକୃତ ଉପାୟ ନିର୍ଦ୍ଧାରଣ କରି ନ ପାରି ଜୀବ କଷ୍ଟଭାଗୀ ହୁଏ । ରୋଗ, ଶୋକ ପ୍ରଭୃତି ପ୍ରଭୃତି ମନୁଷ୍ୟକୁ ତାର ଶରୀର-ସୁଖରୁ ବଞ୍ଚିତ କରାନ୍ତି । ହୃଦୟର ଆବରଣକୁ ବଡ଼ କରି ଦେଖିଲେ ଓ ସେହି ଦିଗରେ ସୁଖ ପାଇବା ପାଇଁ ଅଗ୍ରସର ହେଲେ ଅନ୍ତରର ଭାବ ବିକଶିତ ହୋଇ ପାରେ ନାହିଁ । ତ୍ୟାଗୀ ଏହି ଆବରଣକୁ ଭେଦ କରି ପ୍ରକୃତ ଆନନ୍ଦର ସନ୍ଧାନ ନିଏ । ତ୍ୟାଗ ଯେ ସମ୍ପଦ ଆହରଣ କରେ, ଭୋଗ ତାକୁ ପୂର୍ବରୁ ରକ୍ଷା କରିଥାଏ । ଜୀବନର ବିଫଳତା ପ୍ରମାଣ କରି ନୈରାଶ୍ୟ ଅବଲମ୍ୱନ କଲେ ଉଭୟ ଭୋଗ ଓ ତ୍ୟାଗ ମନୁଷ୍ୟଠାରୁ ଦୂରରେ ରହିଯାନ୍ତି । ଏକଦେଶଦର୍ଶୀ ଲୋକ ସାଧାରଣତଃ ଶରୀରର କଷ୍ଟବିଧାନ କରି ତ୍ୟାଗାନୁସରଣ କରନ୍ତି । ସଂସାରର ଯାବତୀୟ ଐଶ୍ୱର୍ଯ୍ୟକୁ ଭୟବିହ୍ୱଳ ଚିତ୍ତରେ ଗ୍ରହଣ କରିବା ସେମାନଙ୍କର ସ୍ୱଭାବ ହୋଇପଡ଼େ । ମହାପୁରୁଷମାନେ ବିଷୟକୁ ବିଷସ୍ୱରୂପ ଦେଖିଥାନ୍ତି ବୋଲି ସେମାନଙ୍କର ଗୋଟିଏ ଧାରଣା ଥାଏ । ଅବଶ୍ୟ ନିକୃଷ୍ଟ ଅଧିକାରୀ ଭୋଗୀ ମନରେ ଏପରି ଜ୍ଞାନ ହେବାଦ୍ୱାରା ସୁଫଳ ଜନ୍ମିପାରେ; କାରଣ ସେମାନେ ଅନ୍ତରଟାକୁ ବାଦ୍‌ ଦେଇ କେବଳ ଆବରଣଟାକୁ ଏକମାତ୍ର ଅବଲମ୍ୱନ କରିଥାନ୍ତି । ଉତ୍କୃଷ୍ଟ ଭୋଗରେ ବିଷୟପ୍ରତି ଆସକ୍ତି ଜନ୍ମେ ନାହିଁ । ବିଷୟର ଅସାରତା ଉପଲବ୍‌ଧି କରିବା ଉତ୍ତମ ଭୋଗୀର ଲକ୍ଷଣ । ରାଜର୍ଷି ଜନକ ରାଜୈଶ୍ୱର୍ଯ୍ୟରେ ଆବଦ୍ଧ ରହି ସୁଦ୍ଧା ହୃଦୟରେ ଯେ ଆନନ୍ଦ ଅନୁଭବ କରିଥିଲେ, ତାହା ତାଙ୍କର ବିଷୟ-ଲିପ୍ସାର ପରିଚୟ ଦିଏ ନାହିଁ । ମନର ଉନ୍ନତାବସ୍ଥା ସହିତ ଭୋଗ ଓ ତ୍ୟାଗର ସମ୍ୱନ୍ଧ ସମାନ ଭାବରେ ଥାଏ । ବିଷୟ-ମୋହ ମନକୁ ଅଧିକାର କଲେ କେବଳ ଲାଳସାର ମାତ୍ରା ବଢ଼ିଯାଏ, କିନ୍ତୁ ସେଥିରେ ଭୋଗର ତୃପ୍ତି ଆସେ ନାହିଁ-। ଅଗ୍ନିରେ ଘୃତାହୁତି କଲେ ଯେପରି ଅଗ୍ନିଶିଖା ପ୍ରଜ୍ୱଳିତ ହୋଇଉଠେ, ସେହିପରି ଲାଳସାର କରାଳତା ବିଷୟ-ସଂଯୋଗରେ ଦିନକୁ ଦିନ ବଢ଼ିଯାଇ ହୃଦୟକୁ ଗୋଟାଏ କ୍ଷିପ୍ତାବସ୍ଥାର ଅଧୀନ କରାଏ । ହୃଦୟର ଚଞ୍ଚଳତାର ଭୋଗର ସ୍ଥାନ ଲାଳସା ଅଧିକାର କରେ । ସାଂସାରିକ ବିଷୟମାନଙ୍କର ଶ୍ରୀବୃଦ୍ଧି ସାଧନ କରିବା ଭୋଗୀର ଲକ୍ଷ୍ୟ ହୋଇପାରେ: କିନ୍ତୁ ଏହା ବୋଲି ବିଷୟ-ତୃଷ୍ଣାରେ ନିଜତ୍ୱ ହଜାଇଦେଲେ ପ୍ରକୃତ ଆନନ୍ଦ ମିଳେ ନାହିଁ ।

 

ଭୋଗ ସାଧନାସାପେକ୍ଷ । ତ୍ୟାଗରେ ତାର ମୁକ୍ତି । କାମିନୀ ଓ କାଞ୍ଚନ ମନୁଷ୍ୟର ଦୁଇଟି ପ୍ରଧାନ ଆକର୍ଷଣ । କାଞ୍ଚନ ପାଇଁ ମନୁଷ୍ୟ ଅକାତରରେ ଜୀବନକୁ ବିପତ୍‌ସଂକୁଳ କରିଦିଏ–ମୃତ୍ୟୁକୁ ସୁଦ୍ଧା ଉପେକ୍ଷା କରେ । ଜଗତରେ ଅନ୍ୟାୟ ଓ ଅତ୍ୟାଚାର ସକାଶେ କାଞ୍ଚନକୁ ବେଶୀ ଭାଗରେ ଦାୟୀ କରାଯାଏ । ପ୍ରବଳର ଦୁର୍ବଳ ଉପରେ ଅତ୍ୟାଚାର, ମିଥ୍ୟା ଓ ପ୍ରବଞ୍ଚନାରେ ଜଗତ୍‌ର ଶାନ୍ତି ହରଣ କରିବା ପାଇଁ କାଞ୍ଚନ ମନୁଷ୍ୟକୁ ଗୋଟାଏ ଉତ୍ତେଜନା ଦେଇଥାଏ । ଏହାଛଡ଼ା ସଦୁପାୟରେ ମନୁଷ୍ୟ ଯେତେ ଧନ ସଂଗ୍ରହ କରେ, ତାକୁ ବହୁତ ଶ୍ରମସ୍ୱୀକାର କରିବାକୁ ପଡ଼ିଥାଏ । ଅନନ୍ତ ଜଳଧି ବକ୍ଷରେ, ଶ୍ୱାପଦସଙ୍କୁଳ ନିବିଡ଼ ଅରଣ୍ୟରେ ଓ ଦୂରୁହ ଭୂଧରକନ୍ଦରରେ ନିଃଶଙ୍କଚିତ୍ତରେ ଭ୍ରମଣ କରିବା ପାଇଁ ଯେ ପ୍ରେରଣା ଆସେ ଓ ପୃଥିବୀରେ ଆଜି ପାଶ୍ଚାତ୍ୟ ଜାତିମାନେ ଯେ ଐଶ୍ୱର୍ଯ୍ୟରେ ମୁଗ୍‌ଧ ହୋଇ ସ୍ୱାର୍ଥପରତାର ତ୍ରୁର ନିଦର୍ଶନ ଦେଖାଉଅଛନ୍ତି, ସେ ସବୁ ମୂଳରେ କାଞ୍ଚନର ଆସକ୍ତି ପୂର୍ଣ୍ଣମାତ୍ରାରେ ରହିଛି । ଧନଭୋଗ ପାଇଁ ସମସ୍ତ ସଭ୍ୟ ଜଗତ୍‌ ବର୍ତ୍ତମାନ ଯେପରି ଚଞ୍ଚଳ ହୋଇ ଉଠିଲାଣି, ସେଥିରେ ଜାତୀୟ ସ୍ୱାର୍ଥ ଘେନି ସଂଘର୍ଷ ହେବା ସ୍ୱାଭାବିକ । ଏହି ସଂଘର୍ଷ ଫଳରେ ଜଗତ୍‌ରେ କେତେ ଅଶାନ୍ତି ଘଟିଯାଇଛି ଓ ପୁଣି ଯେ ଏହା କି ଆକାର ଧାରଣ କରିବ, ତାହାର କିଛି ସ୍ଥିରତା ନାହିଁ । ଧନଲାଭରେ ଐଶ୍ୱର୍ଯ୍ୟର ପୂର୍ଣ୍ଣତା ପାଇଁ ସଭ୍ୟ ମାନବ ଆଜି ତାର ସମସ୍ତ ସାଧନାକୁ ଜଳ, ସ୍ଥଳ ଓ ଆକାଶରେ ପ୍ରତିଫଳିତ କରି ଦେଇଛି । ଭୋଗର ଆଉ ଗୋଟିଏ ବିଶିଷ୍ଟ ଉପାଦାନ-କାମିନୀ । କାମିନୀର ଆକର୍ଷଣରେ ଯେତେ ଅଘଟନ ଘଟନା ଘଟିଯାଇଛି, ତାହା ଇତିହାସ ପୃଷ୍ଠାରେ ସଜୀବ ହୋଇ ରହିଛି । ରମଣୀର ସୌନ୍ଦର୍ଯ୍ୟ ନିକଟରେ ପୃଥିବୀର ସଭ୍ୟତମ ଜାତିର ଆତ୍ମାବିସ୍ମୃତି ଆସିଛି । ବୀରର ଦର୍ପ ଓ ଜ୍ଞାନୀର ଜ୍ଞାନ କାମିନୀର କଟାକ୍ଷରେ ଅସଂଖ୍ୟ ଥର ନିସ୍ତେଜ ହୋଇଯାଇଛି । ଚିତୋରର ଜହରରେ ରମଣୀ ଦେଖାଇ ଯାଇଛି– ପୁରୁଷ ପ୍ରେମର ପ୍ରତିଦାନ, ଜଗଦ୍‌ବିଖ୍ୟାତ ତାଜମହଲରେ ରହିଯାଇଛି– ରମଣୀ-ଭୋଗର ଗୋଟାଏ ଅଦମ୍ୟ ଉଚ୍ଛ୍ୱାସର ସ୍ମୃତି । ପୃଥିବୀର କେତେ ଧନକୁବେର ଲଳନାର ଲଳିତ ଚରଣ ତଳେ ନିଜତ୍ୱ ହଜାଇ ଦେଇଅଛନ୍ତି ରମଣୀର କଥାପଦକ ପାଇଁ ପୁରୁଷ ତାର ଧନଭଣ୍ଡାରକୁ ଫୁତ୍କାରରେ ଉଡ଼ାଇ ଦେଇଛି । ଏ ସବୁ ଦେଖି ଭୋଗକୁ ସହଜଲଭ୍ୟ ମନେ କରିବା ଉଚିତ ନୁହେଁ । ଭୋଗର ଶେଷ ମାତ୍ରା ଗ୍ରହଣ କରି ମନୁଷ୍ୟ ଯେତେବେଳେ ତା ହୃଦୟକୁ ଉନ୍ମୁକ୍ତ କରିଦିଏ, ତ୍ୟାଗ ଆସି ସେତେବେଳେ ସେହି ଉନ୍ମୁକ୍ତ କ୍ଷେତ୍ରକୁ ଅଧିକାର କରେ । ଭୋଗ ଓ ତ୍ୟାଗର ମିଳନର ମନୁଷ୍ୟ ଦେବତ୍ୱ ଲାଭ କରେ ।

•••

 

ମହତର ଚିନ୍ତାଧାରା

ଭାବ କର୍ମର ପ୍ରସୂତି । କର୍ମର ଜଟିଳତା କେବଳ ଜଡ଼-ଜଗତରେ ଆବଦ୍ଧ । ମନୁଷ୍ୟର ଜନ୍ମ ଓ ସ୍ଥିତି ଘେନି ସାଂସାରିକ ଯାବତୀୟ କର୍ମର ଉତ୍ପତ୍ତି । ମନୁଷ୍ୟ ଯଦି ଚିନ୍ତାଶୂନ୍ୟ ପ୍ରାଣୀ ହୋଇଥାନ୍ତା, ତାହା ହେଲେ ବିଶ୍ୱର ଅସୀମତାରେ କର୍ମର ଭାବ ସଙ୍ଗେ ସମ୍ପର୍କ ଦେଖାଇବା ପାଇଁ କୌଣସି ସମ୍ଭାବନା ରହନ୍ତା ନାହିଁ । ମନୁଷ୍ୟର କର୍ମପ୍ରଚେଷ୍ଟା ସବୁବେଳେ ନିର୍ଦ୍ଦିଷ୍ଟ ପନ୍ଥା ଅନୁସରଣ କରେ ନାହିଁ । ଯୁଗେ ଯୁଗେ ମାନବର ଭିନ୍ନ ଭିନ୍ନ ଚିନ୍ତାଧାରା ନୂତନ କର୍ମପ୍ରଣାଳୀମାନ ସୃଷ୍ଟି କରି ଆସିଲାଣି । ଏହି ଭିନ୍ନତା ମଧ୍ୟରେ ଗୋଟାଏ ପ୍ରଚ୍ଛନ୍ନ ସାମଞ୍ଜସ୍ୟହୀନ ସୌନ୍ଦର୍ଯ୍ୟାନୁଭୂତି ମନୁଷ୍ୟକୁ ଉଦ୍‌ବୁଦ୍ଧ କରି ରଖିଛି ବୋଲି ଅନୁମାନ କରାଯାଏ । ମନୁଷ୍ୟର ଅନ୍ତର୍ନିହିତ ଆବେଗ ରହିଛି । ଏହି ଆବେଗ ତାକୁ ସୁଖର ସନ୍ଧାନ ନେବାପାଇଁ ପ୍ରେରଣା ଦିଏ । ଆନନ୍ଦ ପାଇବା ପାଇଁ ଚିତ୍ତବୃତ୍ତିର ଅଶେଷ ପରିଚାଳନାରେ କିଛି ବିଷୟ ନାହିଁ; କାରଣ ଅନ୍ଧକାରରେ ଲୁକ୍କାୟିତ ମହାର୍ଘବସ୍ତୁକୁ କେହି କୌଣସି ନିର୍ଦ୍ଦଷ୍ଟ ଦିଗରୁ ଅନୁସନ୍ଧାନ କରେ ନାହିଁ । ଅନ୍ୱେଷଣର ବ୍ୟଗ୍ରତା ମାର୍ଗର ପାର୍ଥକ୍ୟ ସୃଷ୍ଟି କରେ । ସୂକ୍ଷ୍ମ ଦୂରଦୃଷ୍ଟି ବଳରେ ଯେଉଁମାନେ ଏହି ମାର୍ଗରେ ଗୋଟାଏ ବିଶିଷ୍ଟତା ରଖିଯାନ୍ତି, ସେହିମାନେ ଜଗତରେ ପୂଜ୍ୟ ଓ ସେହିମାନଙ୍କର ଚିନ୍ତାଧାରା କର୍ମଜଗତକୁ ବହୁକାଳ ପାଇଁ ପ୍ରଭାବିତ କରେ । ସାଧାରଣ ଲୋକର ଧାରଣା ସଂକୀର୍ଣ୍ଣ ରୀତିକୁ ଅନୁସରଣ କରେ; କିନ୍ତୁ ଅସାଧାରଣ ଭାବୁକ କୌଣସି ଏକ ପ୍ରଚଳିତ ଭାବଧାରାରେ ଆବଦ୍ଧ ହୋଇ ରହେ ନାହିଁ । ପୁରୁଷାନୁକ୍ରମେ ରାଜାମାନେ ଶାସନ-ଯନ୍ତ୍ର ନିୟନ୍ତ୍ରିତ କରନ୍ତି, ଏଥିରେ କିଛି ବିଶେଷତ୍ୱ ଲକ୍ଷିତ ହୁଏ ନାହିଁ । ଦେଶବିଶେଷର ରାଜା କୌଣସି ନିୟମ ପରିବର୍ତ୍ତିତ କଲେ ସମଗ୍ର ମାନବ-ସମାଜ ତାକୁ ଗ୍ରହଣ କରେ ନାହିଁ, କେବଳ ଗୋଟାଏ ଜାତି କିଛି ସମୟ ପାଇଁ ତାହା ପାଳନ କରେ । ଭାବୁକର ମତରେ ଏଥିରେ ବ୍ୟତିକ୍ରମ ଦେଖାଯାଏ । ସେ ଯେଉଁ ପ୍ରେରଣା ଓ କର୍ମର ସୂଚନା ଦିଅନ୍ତି, ତାହା ସମୂହ ମାନବଜାତିର କଲ୍ୟାଣ ସାଧନ କରେ । ତଣେୁ ଜ୍ଞାନୀଙ୍କର ସଙ୍କେତକୁ ମାନବଜାତି ଚିରଦିନ ଅପେକ୍ଷା କରି ରହେ ।

 

ଚିନ୍ତାର ଅନୁଶୀଳନରେ ଜ୍ଞାନର ବିକାଶ । କାର୍ଯ୍ୟ ଓ କାରଣ ସମ୍ୱନ୍ଧକୁ ସାଧାରଣ ମାନବ ସହଜରେ ଦେଖିପାରେ ନାହିଁ । କେବଳ ବାହାରର ଗୋଟାଏ ବେଷ୍ଟନୀ ଉପରେ ତାର ଦୃଷ୍ଟି ନିବଦ୍ଧ ଥାଏ । ପ୍ରବଳ ଗଭୀର ଜଳସ୍ରୋତର ଉପରିଭାଗ ଯେପରି ଚଞ୍ଚଳ ଥାଏ ଓ ତଳଦେଶରେ ସ୍ରୋତର ପ୍ରଖରତା ଆଦୌ ଜଣାଯାଏ ନାହିଁ, ସେହିପରି ସଂସାରର ବାହ୍ୟ ଚିତ୍ରଗୁଡ଼ିକ ଯେଉଁ ଭିନ୍ନତା ପ୍ରତିପାଦନ କରନ୍ତି, ତାହା ସେମାନଙ୍କର ପ୍ରକୃତ ସ୍ୱରୂପ ନୁହେଁ । ବିଶିଷ୍ଟ ଚିତ୍ରଗୁଡ଼ିକର ଅନ୍ତରାଳରେ ଗୋଟିଏ ଧର୍ମର ସମତା ଆତ୍ମଗୋପନ କରିଥାଏ; ସେଥିଯୋଗୁଁ ଚିନ୍ତାଶୀଳ ମନୀଷୀମାନେ ବାହ୍ୟ ପାର୍ଥକ୍ୟ କିମ୍ୱା ଚଞ୍ଚଳତାରେ ମନୋନିବେଶ କରନ୍ତି ନାହିଁ । କବି, ଦାର୍ଶନିକ ପ୍ରଭୃତିଙ୍କ ଦୃଷ୍ଟିରେ ଜାଗତିକ କୌଣସି ପଦାର୍ଥ ହେୟ ବିବେଚିତ ହୁଏ ନାହିଁ । ଭାରତର ପ୍ରାଚୀନ ଆର୍ଯ୍ୟମନୀଷୀମାନଙ୍କ ମଧ୍ୟରେ ଏହି ସମଦର୍ଶନ ଭାବ ପ୍ରବଳ ଥିଲା । ଯାବତୀୟ ଘଟନାସମ୍ପାତରେ ନିଜର ଭାବଧାରାକୁ ଅବିଚଳିତ ରଖିବା ସମସ୍ତଙ୍କ ପକ୍ଷରେ ସମ୍ଭବ ହୁଏ ନାହିଁ । ସତ୍ୟ ଓ ସୌନ୍ଦର୍ଯ୍ୟର ଅନ୍ୱେଷଣରେ ଯେଉଁମାନଙ୍କର ସମଗ୍ର ଭାବଧାରା ଉଚ୍ଛ୍ୱସିତ ହୁଏ, ସେହିମାନେ ଜଗତର ଅଗ୍ରଦୂତ ହୁଅନ୍ତି । ସେମାନଙ୍କ ପ୍ରଚାରିତ ମୈତ୍ରୀମନ୍ତ୍ର ମାନବ ସମାଜରେ ଶାନ୍ତି ସ୍ଥାପନ କରେ । ବୁଦ୍ଧ, ଚୈତନ୍ୟ, ନାନକ ପ୍ରଭୃତି ଏହି ମାର୍ଗର ପ୍ରଦର୍ଶକ । ଯୀଶୁଙ୍କର ଅମୃତ ବାଣୀ ଆଜି ପାଶ୍ଚାତ୍ୟ ଭୂଖଣ୍ଡରେ ଗୋଟାଏ ପ୍ରତିଧ୍ୱନି ପରି ରହିଛି । ଅଧିକାଂଶ ପାଶ୍ଚାତ୍ୟ ଜାତି ଯୀଶୁଙ୍କ ଧର୍ମରେ ଦୀକ୍ଷିତ ହେଲେ ସୁଦ୍ଧା ତାଙ୍କ ଧର୍ମର ପ୍ରକୃତ ମହତ୍ତ୍ୱ ହୃଦୟଙ୍ଗମ କଲା ପରି ଜଣାପଡ଼େ ନାହିଁ । ପାଶ୍ଚାତ୍ୟ ଜାତିମାନଙ୍କର କର୍ମ-ନିୟତ୍ରଣରେ ଗୋଟାଏ ତୀବ୍ର ପ୍ରେରଣା ରହିଛି । ସେମାନଙ୍କର ଭାବଧାରା ଯେଉଁ ଦିଗରେ ଚାଳିତ ହେଲାଣି, ତାକୁ ଜଗତ କେତେ କାଳ ପାଇଁ ଗ୍ରହଣ କରିବ, ସହଜରେ କୁହାଯାଇ ପାରିବ ନାହିଁ । ବସ୍ତୁବାଦର ମୋହ ବର୍ତ୍ତମାନ ଯୁଗକୁ ବିଶେଷ ଭାବରେ ପ୍ରଭାବିତ କରିପକାଇଛି ବୋଲି ପାଶ୍ଚାତ୍ୟର ଭାବ ପ୍ରାଚ୍ୟର କର୍ମମାର୍ଗରେ ସ୍ପଷ୍ଟ ଆକାରରେ ଦେଖା ଦେଲାଣି; କିନ୍ତୁ ଏହାର ସ୍ଥାୟିତ୍ୱ ସମ୍ୱନ୍ଧରେ ସନ୍ଦିହାନ ହେବାକୁ ପଡ଼ିବ । ଆଉ ଥରେ ଯଦି ପୃଥିବୀବ୍ୟାପୀ ଗୋଟିଏ ପ୍ରବଳ ସମର ହୋଇଯାନ୍ତା, ତାହା ହେଲେ ଜଗଦ୍‌ବାସୀ ବୁଝନ୍ତେ, ପାଶ୍ଚାତ୍ୟ ସଭ୍ୟତା କେଡ଼େ ଭିତ୍ତିହୀନ । କୁବେର ପରି ଧନସମ୍ପଦର ଅଧିକାରୀ ହେଲେ କିମ୍ୱା ଦରିଦ୍ରର ରକ୍ତ ଶୋଷଣ କରି ବିଳାସବ୍ୟସନରେ ମଜ୍ଜି ରହିଲେ ମନୁଷ୍ୟତ୍ୱର ପରିଚୟ ମିଳେ ନାହିଁ । ଐଶ୍ୱର୍ଯ୍ୟ ଓ ପ୍ରଭୁତ୍ୱ ମଧ୍ୟରେ ତ୍ୟାଗର ନିଦର୍ଶନହିଁ ମାନବର ଧର୍ମ ।

 

ଜଗତ୍‌ ସଙ୍ଗେ ପ୍ରକୃତିରେ ଘନିଷ୍ଠ ସମ୍ପର୍କ । ମନୁଷ୍ୟ ଆତ୍ମନିର୍ଭଶୀଳ ହୋଇପାରେ; କିନ୍ତୁ ଯଦି ସେ ପ୍ରାକୃତିକ ନିୟମକୁ ଅବହେଳା କରେ, ତାହା ହେଲେ ତାର ଭାବଧାରାରେ ଆକସ୍ମିକ ବାଧା ଆସିବା ଅସମ୍ଭବ ନୁହେଁ । ମହତ୍‌ ଲୋକମାନଙ୍କର ଯାବତୀୟ କର୍ମ ଦୋଷଶୂନ୍ୟ ନୁହେଁ । ପ୍ରାକୃତିକ ନିୟମାନୁସାରେ ଗୁଣ ଓ ଦୋଷକୁ ସମ୍ପୂର୍ଣ୍ଣରୂପେ ପରସ୍ପରଠାରୁ ବାଦ୍‌ ଦିଆଯାଇ ପାରିବ ନାହିଁ । ପ୍ରଚଣ୍ଡ ଗ୍ରୀଷ୍ମ ପରେ ବର୍ଷା ଆସିବା ସ୍ୱାଭାବିକ । ମନୁଷ୍ୟ ଅନେକ ସମୟରେ ପାର୍ଥିବ ବିଷୟମାନଙ୍କର ଧ୍ୱଂସ ଦେଖି ହତାଶ ହୋଇପଡ଼େ; କିନ୍ତୁ ତାର ଗୋଟିଏ ଦିଗରେ କ୍ଷତି ଅପର ଦିଗର ଲାଭର ପରିମାଣକୁ ବଢ଼ାଇଦିଏ । ଧନସମ୍ପତ୍ତିର ପରିମାଣ ବୃଦ୍ଧିରେ ଜନସଂଖ୍ୟାର ବହୁଳତା ସାଧାରଣତଃ ଦୃଷ୍ଟ ହୋଇଥାଏ । ପ୍ରକୃତି ହସ୍ତରେ ସମତା ବିଧାନ କରିବାର କ୍ଷମତା ଅଛି । ଦୃପ୍ତ, ବଳବାନ, ଭାଗ୍ୟବାନ ଓ ଧନୀକୁ ପ୍ରକୃତିର ଏହି ନିୟମ ମାନି ଚିଳିବାକୁ ହେବ । ଆଜି ପାଶ୍ଚାତ୍ୟ ସଭ୍ୟତା ମନୁଷ୍ୟ ମନରୁ ଏହି ଭାବରେ ଅପସାରିତ କରିବାକୁ ବସିଛି; କିନ୍ତୁ ଯେତେବେଳେ ଭୀଷଣ ଭୂମିକମ୍ପରେ ସହସ୍ର ସହସ୍ର ନରନାରୀ କୀଟପତଙ୍ଗ ପରି ଧ୍ୱଂସମୁଖରେ ଇହଲୀଳା ସାଙ୍ଗ କରୁଛନ୍ତି, ସେତେବେଳେ କାହିଁକି ପାଶ୍ଚାତ୍ୟର ବିଜ୍ଞାନଗରିମା ଆସି ରକ୍ଷା କରୁ ନାହିଁ ? ମନୁଷ୍ୟ ନିଜ ଚେଷ୍ଟାରେ ବଡ଼ ହୋଇପାରେ; କିନ୍ତୁ ପ୍ରକୃତିର ନିୟମ ଲଙ୍ଘନ କରିବା ତା ପକ୍ଷରେ ବାତୁଳତା ମାତ୍ର-। ମହତ୍‌ ଲୋକ ଚକ୍ଷୁରେ ଐହିକ ଗୌରବ ବଡ଼ ଦିଶେ ନାହିଁ; ତେଣୁ ଆଧୁନିକ ସଭ୍ୟତାଭିମାନୀ ମହତର ଭାବକୁ ଆଦର କରୁନାହିଁ-। ମହତ୍‌ ଲୋକ ଚରମ ମାର୍ଗରେ ବିଚରଣ କରି ଦେଖେ– ଜଗତ୍‌ ସଙ୍ଗେ ପ୍ରକୃତିର ଶେଷ ପରିଣତି । ପ୍ରକୃତି ମନୁଷ୍ୟକୁ ଯାହା ଦାନ କରେ, ତାକୁ ପୁଣି ଅନ୍ୟ ଆକାରରେ ଗ୍ରହଣ କରେ । କେବଳ ଗ୍ରହଣଲାଳସୀ ହେଲେ ମନୁଷ୍ୟତ୍ୱର ବିକାଶ ଘଟେ ନାହିଁ ।

 

ପ୍ରକୃତିର ସାହଚର୍ଯ୍ୟରେ ମାନବିକତାର ଉତ୍କର୍ଷ ସାଧିତ ହୁଏ । ମନୋବୃତ୍ତିର ଚାଳନାରେ ମନୁଷ୍ୟର ଅନ୍ତର୍ନିହିତ ଭାବରାଶି ମୁକ୍ତି ଲୋଡ଼େ, ଏହା ମନୁଷ୍ୟର ଶ୍ରେଷ୍ଠ ସାଧନା । ବୀରାଗ୍ରଣୀ ନେପୋଲିୟନ, ସିଜାର, ସିକନ୍ଦର ପ୍ରଭୃତିଙ୍କ ଅତିମନୁଷୀ ସାଧନାରେ ଯେଉଁ ବିଶେଷତ୍ୱ ଥିଲା, ତାହା ସମ୍ପୂର୍ଣ୍ଣ ପ୍ରକୃତି-ଦତ୍ତ ବୋଲି ମନେ ହୁଏ । ନେପୋଲିଅନ୍‌ ମନୁଷ୍ୟର ଜୀବନକୁ ଗୋଟିଏ ଦୁର୍ଗ ସଙ୍ଗେ ତୁଳନା କରି ଦେଖିଛନ୍ତି । ତାଙ୍କ ମତରେ ଜୀବନ-ରକ୍ଷା ସକାଶେ କୌଣସି ନିର୍ଦ୍ଦିଷ୍ଟ ଉପାଦାନ ଉପରେ ନିର୍ଭର କରିବା ଉଚିତ ନୁହେଁ; କାରଣ ଜନ୍ମ ଓ ମୃତ୍ୟୁ ଗୋଟାଏ ପ୍ରାକୃତିକ କାର୍ଯ୍ୟ । ଜୀବନ ସଂରକ୍ଷଣ ସକାଶେ ଔଷଧାଦିର ବ୍ୟବସ୍ଥାକୁ ସେ ଅତି ତୁଚ୍ଛ ବୋଲି କହିଛନ୍ତି । ମୁକ୍ତ ବାୟୁ, ବିଶୁଦ୍ଧ ଜଳ ପ୍ରଭୃତିକୁ ଜୀବନଧାରଣର ପ୍ରଧାନ ଅବଲମ୍ୱନ ସ୍ୱରୂପ ସେ ଗ୍ରହଣ କରିଛନ୍ତି । ମନୁଷ୍ୟର ଜୀବନକୁ ପ୍ରକୃତ ଯେପରି ଭାବରେ ଗଢ଼ିନିଏ, ତାହା ଅନ୍ୟ କୃତ୍ରିମ ଉପାୟ ଦ୍ୱାରା ସାଧିତ ହୋଇପାରେ ନାହିଁ । ବିଶେଷତଃ କବି, ଭାବୁକ ଓ ଯୁଗପ୍ରବର୍ତ୍ତକ ପୁରୁଷଶ୍ରେଷ୍ଠମାନଙ୍କ ଜୀବନୀ ପାରିପାର୍ଶ୍ୱିକ ପ୍ରାକୃତିକ କ୍ରିୟାମାନଙ୍କଦ୍ୱାରା ପ୍ରଭାବିତ ହୋଇଥାଏ । ଅନନ୍ତ ସମୁଦ୍ରର ସଲିଳ-ପରିଖା ଗ୍ରେଟ୍‌ବ୍ରିଟେନ୍‌ବାସୀକୁ ସାହସୀ ବୀରଜାତି କରି ଗଢ଼ିଦେଇଚି । ବିଭିନ୍ନ ବୃକ୍ଷରାଜିମଣ୍ଡିତ, ନଦୀପର୍ବତଶୋଭିତ, ବିସ୍ତୀର୍ଣ୍ଣ ଶ୍ୟାମଳ କୃଷିକ୍ଷେତ୍ରପରିବ୍ୟାପ୍ତ ଭାରତର ଶାନ୍ତ ପ୍ରକୃତି ଭାରତୀୟ ପ୍ରାଣକୁ ଗୋଟାଏ ସ୍ୱତନ୍ତ୍ର ବେଷ୍ଟନୀରେ ଆବଦ୍ଧ କରି ରଖିଛି । ଭାରତର ଜଳବାୟୁରେ ଯେଉଁ ବିଶିଷ୍ଟ ଚିନ୍ତାଧାରାର ବିକାଶ ଘଟିଅଛି, ତାହା ପୃଥିବୀର ଅନ୍ୟ କୌଣସି ଦେଶରେ କ୍ୱଚିତ୍‌ ଦେଖାଯାଏ ।

 

ପ୍ରକୃତିକୁ ଅନୁସରଣ କରି ମହତ୍‌ର ଚିନ୍ତାଧାରା ମାନବ ସମାଜରେ ଗୋଟିଏ ସତ୍ତାର ଅନୁଭୂତି ଆଣେ । ଜଣକର ଭାବନା କାହିଁକି ଯୁଗ ଯୁଗ ପାଇଁ ବୈଚିତ୍ର୍ୟ ସୃଷ୍ଟି କରିଯାଏ ? ମନୁଷ୍ୟ କାହିଁକି ବ୍ୟକ୍ତିବିଶେଷଙ୍କ କଳ୍ପନାପ୍ରସୂତ ମାର୍ଗକୁ ଅନୁସରଣ କରେ ? ସମସ୍ତ ମାନବଜାତି କାହିଁକି ପ୍ରେମର ଅନାବିଳ କାହାଣୀ ଶ୍ରବଣ କରି ମୁଗ୍‌ଧ ହୁଅନ୍ତି ? ଚିରସ୍ମରଣୀୟ ପବିତ୍ର ରାମାୟଣ ଗ୍ରନ୍ଥରେ ଅମର-କବି କାହିଁକି ପ୍ରେମର ମନ୍ଦାକିନୀ ବୁହାଇ ଦେଲେ ? ଜନକ-ନନ୍ଦିନୀ ସୀତାଦେବୀଙ୍କର ବିରହ ବିଳାପରେ ବନଭୂମି ମୁଖରିତ ହୋଇଉଠିଲା ଓ ନୀରବ ପ୍ରକୃତି ଯେପରି ସହାନୁଭୂତି ଦେଖାଇଲେ, ତାହା କବିର କଳ୍ପନା ହୋଇପାରେ; କିନ୍ତୁ କଳ୍ପନାର ସେହି ଚିତ୍ରଣଟି ମାନବ-ଅନ୍ତରରେ ଗୋଟାଏ କରୁଣ ପ୍ରତିଧ୍ୱନି ସୃଷ୍ଟି କରେ ନାହିଁ କି ?

 

କବି ସତ୍ୟ ଓ ସୌନ୍ଦର୍ଯ୍ୟର ଉପାସକ । ସତ୍ୟ ଓ ସୌନ୍ଦର୍ଯ୍ୟର ସମନ୍ୱୟରେ ସେ ଆନନ୍ଦର ଯେଉଁ ଲଳିତ ଛବିଟି ଦେଖନ୍ତି, ତାହା ମାନବ-ସମାଜରେ ଚିରଦିନ ପାଇଁ ଗୋଟାଏ ଛାୟାପାତ କରିଯାଏ । ତାହା ହୋଇ ନ ଥିଲେ ଆଜିପର୍ଯ୍ୟନ୍ତ ରାମାୟଣ, ମହାଭାରତ, ଇଲିୟାଡ଼ ପ୍ରଭୃତି ପୃଥିବୀବ୍ୟାପୀ ମହାକାବ୍ୟମାନଙ୍କର ଅସ୍ତିତ୍ୱ ନ ଥାନ୍ତା । ମନୁଷ୍ୟ ଜଡ଼ବାଦୀ ହୋଇପାରେ; କିନ୍ତୁ ତା ଅନ୍ତରର ଭାବଧାରାଟି ସହଜରେ ଶୁଷ୍କ ହୁଏ ନାହିଁ । ଅନେକ ସମୟରେ କେବଳ ଅନ୍ତରର ସ୍ନେହପ୍ରବଣତା ଉନ୍ନତ-ଭାବ ପ୍ରକାଶରେ ସାହାଯ୍ୟ କରେ । ବହୁକାଳ ସାଧନା ଫଳରେ ମନୁଷ୍ୟର ଯେଉଁ ଅନୁଭୂତି ଆସେ ନାହିଁ, ସ୍ନେହସିକ୍ତ ହୃଦୟର ପ୍ରସନ୍ନତା ତାକୁ ମୁହୂର୍ତ୍ତକେ ପ୍ରକାଶ କରିଦିଏ । ଜଗତରେ ହୃଦୟର ମୂଲ୍ୟ ବୁଝି ବଡ଼ କିମ୍ୱା ସାନର ସ୍ଥାନ ନିରୂପଣ କରାଯାଉଥିଲେ ଆଜି ସାମାଜିକ ଚିତ୍ର ଅନ୍ୟ ଆକାର ଧାରଣ କରିଥାନ୍ତା । ସାଧାରଣ ମନୁଷ୍ୟର ସଂକୀର୍ଣ୍ଣ କ୍ରିୟାମାନଙ୍କରେ ସମାଜର ଗତି ସରଳ ହୋଇପାରେ ନାହିଁ । ସ୍ୱାର୍ଥପର ଛିଦ୍ରାନ୍ୱେଷୀ ଲୋକମାନଙ୍କର ସଂଖ୍ୟାଧିକ୍ୟ ଏହି ବିପର୍ଯୟର ପ୍ରଧାନ କାରଣ । ଏ ସ୍ଥଳରେ ସ୍ୱତଃ ପ୍ରଶ୍ନ ଉଠିପାରେ– ମହତ୍‌ ନ ହୋଇ ଲୋକ ମହତ୍‌ର ଭାବ ଧାରା କଅଣ ଅନୁସରଣ କରିପାରେ ? ଅନନ୍ତ ଜଳଧିର ବିସ୍ମୟକର ବିଶାଳତା ଓ ଅନୁପମ ଗାମ୍ଭୀର୍ଯ୍ୟ ତୁଳନାରେ ପୋତାଶ୍ରୟୀ ନାବିକର ସତ୍ତା ଗୋଟାଏ ସାମାନ୍ୟ ରେଣୁଠାରୁ ହୀନ; କିନ୍ତୁ ମାନବଠାରେ ବିଶ୍ୱ-ଶକ୍ତିର ଯେଉଁ ସାମାନ୍ୟ ସତ୍ତା ଅଛି, ତାକୁ ଉଚ୍ଛେଦ କରିବା ପ୍ରକୃତିର ଅଭିପ୍ରାୟ ନୁହେଁ । ତେଣୁ ନାବିକ ଅନନ୍ତ ସମୁଦ୍ରରେ ତରଣୀ ବାହିନେବାକୁ କ୍ଷମ ହୁଏ । ବିପତ୍‌-ସଙ୍କୁଳ ଗିରିସଙ୍କଟ କିମ୍ୱା ଜଳର ପ୍ରଚଣ୍ଡ ଆବର୍ତ୍ତ ନିକଟରେ ମନୁଷ୍ୟ ନିଜକୁ ଅସହାୟ ମନେ କରିପାରେ; କିନ୍ତୁ ହୃଦୟର ପ୍ରେରଣା ଯେତେବେଳେ ଆଶା ଓ ଉନ୍ନତିର ଶିଖରକୁ ଆରୋହଣ କରୁଥାଏ, ସେତେବେଳେ ସେ ବିପଦର କାଳିମାକୁ ଭୟ କରେ ନାହିଁ । ଏପରି ବିପଦର ସମ୍ମୁଖୀନ ହେଲେ ମନୁଷ୍ୟତ୍ୱର ଯେଉଁ ବିକାଶ ଘଟେ, ତାକୁ ସାମାଜିକ କୁଟିଳତା ଘୋଡ଼ାଇ ରଖିପାରେନାହିଁ । ମାରାତ୍ମକ ରଣକ୍ଷେତ୍ରରେ କିମ୍ୱା ଉତ୍ତାଳ ତରଙ୍ଗବେଷ୍ଟିତ ଶତ୍ରୁ-ସମାକୀର୍ଣ୍ଣ ପୋତବାହିନୀ ମଧ୍ୟରେ ସାଗରର ନୀଳାମ୍ୱୁରାଶି ସଙ୍ଗେ ହୃଦୟର ଉଦାରତାକୁ ସମାନ ରଖି ବୀରଜାତି ଯେଉଁ କର୍ମ ସମ୍ପାଦନ କରେ, ତାହା ସମ୍ପୂର୍ଣ୍ଣ ଭାବର ଅନୁରୂପ । ସମୟ ସମୟରେ କୌଣସି ମନସ୍ୱୀ ପୁରୁଷସିଂହଙ୍କର ବିଶାଳ ଭାବ କର୍ମଜଗତରେ ଯେଉଁ ବିପ୍ଳବ ଆଣେ, ତାକୁ ଉପଯୁକ୍ତ ଉଦାହରଣ ଦୃଷ୍ଟିରେ ଆମ୍ଭେମାନେ ମହତ୍ ବୋଲି ଗ୍ରହଣ କରିପାରୁଁ । ପ୍ରତ୍ୟେକ ମନୁଷ୍ୟ ମହତ୍‌ ହୋଇ ନ ପାରନ୍ତି; କିନ୍ତୁ ମହତ୍‌ର ଭାବ ଗ୍ରହଣ କରିବାପାଇଁ କୌଣସି ପ୍ରତିବନ୍ଧକ ନାହିଁ । ମନୁଷ୍ୟର ସ୍ୱାଧୀନ ମତ ଅଛି, ତାକୁ ନିଜର ଅଭିପ୍ରାୟ ଅନୁସାରେ ପ୍ରୟୋଗ କରାଯାଇପାରେ । ସେ ଯେ ପର୍ଯ୍ୟନ୍ତ ମହତ୍‌ ଆଡ଼କୁ ଦୃଷ୍ଟି ଦେଇ ନ ଥାଏ, ସେ ପର୍ଯ୍ୟନ୍ତ ତାର କର୍ମ ଓ ଭାବ ଗୋଟାଏ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ଆବଦ୍ଧ ଥାଏ । ଏହି ସୀମାକୁ ଲଙ୍ଘନ କରିବାରେ ଗୋଟାଏ ବିସ୍ତୃତି ଆସେ । ବିସ୍ତୃତି ମାନସିକ ଗତି ଅନୁସାରେ ଭାବର ଭିନ୍ନ ଭିନ୍ନ ଧାରାକୁ ଗ୍ରହଣ କରେ । ସାଂସାରିକ କର୍ମପ୍ରେରଣା ଏହି ଭାବଧାରାମାନଙ୍କ ମଧ୍ୟରୁ କେତୋଟିକୁ ଆଶ୍ରୟ କରି ଗୋଟିଏ ମାର୍ଗ ଖୋଲିଦିଏ । ମାର୍ଗକୁ ସୁଗମ କରିବାପାଇଁ ମହତ୍‌ର ଚିନ୍ତାଧାରା ତାହାର ଉପଯୋଗିତା ମନୁଷ୍ୟ ମନରେ ଜାଗରିତ କରାଏ । ତାକୁ ଅବଲମ୍ୱନ କରି ସେ ଦୁସ୍ତର ସଂସାର-ବର୍ତ୍ସକୁ ପାର ହୋଇଯାଏ । ସେଥିଯୋଗୁଁ ମନୀଷୀମାନେ କହିଯାଇଚନ୍ତି ଯେ, ମହାଜନଙ୍କର ପନ୍ଥା କେବଳ ଅନୁସରଣୀୟ ।

 

ମହତ୍‌ର ଚିନ୍ତାଧାରାକୁ ଅନୁସରଣ କରି ମନୁଷ୍ୟ ମହତ୍‌ ହୋଇପାରେ । ପ୍ରାଥମିକ ଅବସ୍ଥାରେ ସେ ବସ୍ତୁଜଗତକୁ ବଡ଼ କରି ଦେଖେ । ଅଧିକାଂଶ ସମୟରେ ସେ ଯେଉଁ ସମାଜରେ ବାସ କରେ, ତାକୁ ଠିକ୍‌ରୂପେ ଦେଖିପାରେ ନାହିଁ । ସମାଜଟା ଯଦି ଦୁରାଚାରରେ କଳୁଷିତ ହୋଇଥାଏ ଓ ସମାଜରେ ଅଧିକାଂଶଙ୍କର କାର୍ଯ୍ୟ କୌଣସି ଭିତ୍ତିହୀନ ଓ ପ୍ରବଞ୍ଚନାପୂର୍ଣ୍ଣ ବିଷୟକୁ ଲକ୍ଷ୍ୟ କରି ସମ୍ପାଦିତ ହେଉଥାଏ, ତାହା ହେଲେ ମହତ୍‌କୁ ଅନୁକରଣ କରିବାର ଆକାଙ୍କ୍ଷା ମନୁଷ୍ୟର ସହଜରେ ଜାଗ୍ରତ ହୁଏ ନାହିଁ । ଏପରି ସମାଜ ସହିତ ନିଜର ଭାବଧାରାକୁ ମିଳାଇ ଦେଲେ ମନୁଷ୍ୟ କକ୍ଷଚ୍ୟୁତ ଗ୍ରହ ପରି ଗୋଟାଏ ଅନିର୍ଦ୍ଦିଷ୍ଟ ଦିଗରେ ବହୁକାଳପାଇଁ ଗତି କରେ । ଧର୍ମ ଓ ସମାଜ-ସଂସ୍କାରକମାନେ ମାନବର ହିତ କାମନା ଉଦ୍ଦେଶ୍ୟରେ କଳୁଷ ନିବାରଣ କରିବାର ଯେଉଁ ଉପାୟମାନ ସ୍ଥିର କରିଥାନ୍ତି, ତାହା ଯୁଗପ୍ରଭାବରେ କିଛି ସମୟ ପାଇଁ ଅନାଦୃତ ହୋଇ ରହେ; କିନ୍ତୁ ମହତ୍‌ର ପ୍ରଚେଷ୍ଟା ଦିନେ ସାର୍ଥକ ହୁଏ । ଧର୍ମ ଓ ସମାଜର ବିପ୍ଳବରେ କେତେ ମହାପୁରୁଷଙ୍କର ଶରୀରର ପତନ ଘଟିଅଛି । ଅପକର୍ମୀର କୁକ୍ରିୟାରେ ସେମାନଙ୍କର ଅଶେଷ ନିର୍ଯାତନା ଘଟିଅଛି । କିନ୍ତୁ କଲ୍ଲୋଳିନୀର ସ୍ୱଚ୍ଛନ୍ଦ ଗତି ପରି ସେମାନଙ୍କ ଭାବଧାରାରେ କୌଣସି ବ୍ୟତିକ୍ରମ ଆସି ନାହିଁ । ପତିତ ମାନବ ସମାଜକୁ ଉଦ୍‌ବୁଦ୍ଧ କରିବା ପାଇଁ ସେହି ମହାପୁରୁଷମାନଙ୍କର ଆବିର୍ଭାବ ହୋଇଥାଏ । ସେଥିଯୋଗୁଁ ଗୀତାରେ ଉଲ୍ଲେଖ ଅଛି– ‘‘ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯଗେ’’ । ବିଶ୍ୱ-ନିୟନ୍ତା କ୍ଷୁଦ୍ର ମାନବର କର୍ମ ଓ ଚିନ୍ତାରୁ ଦୁରିତ କ୍ଷାଳନ କରିବାପାଇଁ ପୃଥିବୀରେ ମହାମାନବ ରୂପରେ ଅବତୀର୍ଣ୍ଣ ହେବା ବିଜ୍ଞାନସମ୍ମତ ହୋଇ ନ ପାରେ; କିନ୍ତୁ ଅନ୍ତରର ପ୍ରେରଣା ନିଶ୍ଚୟ ଏକ ମହୀୟସୀ ଶକ୍ତିର ବର୍ତ୍ତମାନତା ଉପରେ ଆସ୍ଥା ସ୍ଥାପନ କରିବା । ଜଡ଼ ଶରୀରକୁ ଏକମାତ୍ର ଅବଲମ୍ୱନ କରି ଯଦି ଐହିକ ସୁଖରେ ସମସ୍ତ ଆୟାସ ଆବଦ୍ଧ ରହୁଥାନ୍ତା, ତାହା ହେଲେ ମନୁଷ୍ୟତ୍ୱର ପରିଣତ କେବଳ ଜୀବତ୍ୱରେ ପର୍ଯ୍ୟବସିତ ହୋଇ ରହନ୍ତା । ହୃଦୟର ବିଶେଷତ୍ୱରେ ମାନବିକତାର ଯେଉଁ ବିକାଶ ଘଟେ, ତାହା ଏକ ଅପାର୍ଥିବ ଭାବରାଜ୍ୟ ସୃଷ୍ଟି କରେ । ସେହି ଭାବରାଜ୍ୟରୁ ଯେଉଁ ସ୍ପନ୍ଦନଟିକ ଆସେ ତାକୁ ବିସ୍ତୀର୍ଣ୍ଣ କରିବା ପାଇଁ ମହତ୍‌ର ଚିନ୍ତାଧାରା ଚିରକାଳ ଗୋଟିଏ ଅଭିନବ ଗତିରେ ପ୍ରବାହିତ ହେଉଥାଏ । ପ୍ରାକୃତିକ ନିୟମାନୁସାରେ କ୍ଷୁଦ୍ର ସ୍ରୋତସ୍ୱନୀ ବହିଯାଇ ଅନନ୍ତ ସାଗର ସଙ୍ଗେ ମିଶେ । ମନୁଷ୍ୟର କ୍ଷୀଣ ଭାବଧାରାଟି ଉଚ୍ଛୃସିତ ହେଲେ ସେହିପରି ମହତ୍‌ର ଭାବଧାରାକୁ ଆଶ୍ରୟ କରି ନିଜର ଅନନ୍ତ ସତ୍ତା ଉପଲବ୍‌ଧି କରେ ।

 

ଭାବର ଉନ୍ମେଷ ଜୀବନର ସୌନ୍ଦର୍ଯ୍ୟବୋଧ ଜନ୍ମାଏ । ଜ୍ଞାନୀମାନେ ଜୀବନକୁ ଗୋଟାଏ ମହୋତ୍ସବ ପରି ମନେ କରନ୍ତି । ସର୍ବଦା ସଂସାର-ବୃଦ୍ଧିରେ ଚାଳିତ ମନୁଷ୍ୟ ଚକ୍ଷୁରେ ଜଗତର ଚିତ୍ର ଭିନ୍ନ ପ୍ରତୀୟମାନ ହୁଏ । ସଂସାରର ଦୈନ୍ୟ ଓ ଦୂର୍ବିପାକ ଆସକ୍ତିପରାୟଣ ମନୁଷ୍ୟକୁ ଅତିମାତ୍ରାରେ ଅଭିଭୂତ କରେ; ତେଣୁ ତାର ଦୃଷ୍ଟିରେଖା ଗୋଟାଏ କୁହେଳିକାରେ ଆଚ୍ଛନ୍ନ ହୋଇପଡ଼େ । ସେ ଜୀବନର ଆନନ୍ଦ କଦାଚିତ୍‌ ଅନୁଭବ କରେ । ଯାହାକୁ ସେ ପ୍ରକୃତ ସୁଖ ବୋଲି ମନେ କରେ ଓ ଯାହାକୁ ଅନୁସରଣ କରି ତା ଜୀବନର ଅଧିକାଂଶ ସମୟ ବ୍ୟୟିତ ହୁଏ, ତାହା ସେହି କୁହେଳିକାରେ ମିଶିଯାଏ । ମନୁଷ୍ୟ ନିଃସ୍ୱ ହୁଏ; ତାର ଭାବଧାରା ଗୋଟିଏ ଶୁଷ୍କ ମରୁଭୂମିରେ ପ୍ରବାହିତ ହେଲା ପରି ଜଣାଯାଏ । କେତେକ ଲୋକ ଜୀବନର ଶେଷଭାଗରେ ସଂସାରର ଅସାରତା ଉପଲବ୍‌ଧି କରି ସେମାନଙ୍କ ଭାବଧାରାରେ ହଠାତ୍‌ ପରିବର୍ତ୍ତନ ଆଣନ୍ତି । ଏହି ପରିବର୍ତ୍ତନ ସଂସାରିକ ସୁଖପ୍ରୟାସରେ ବାଧା ଦିଏ । ମନୁଷ୍ୟର ଗତି ପ୍ରତିହତ ହେବା ଯଦି ବିଧିନିର୍ଦ୍ଦିଷ୍ଟ ହୁଏ, ତାହା ହେଲେ ସଂସାରର ଜଟିଳତା ଭେଦ କରି ତାକୁ ସ୍ୱାଧୀନ ଭାବଧାରାର ସନ୍ଧାନ ନେବାକୁ ପଡ଼ିବ । ହୃଦୟର ଦୃଢ଼ତା ଥିଲେ ମନୁଷ୍ୟ ସହଜରେ ବିଚଳିତ ହୁଏ ନାହିଁ । ସାଂସାରିକ କର୍ମ ସମ୍ପାଦନଦ୍ୱାରା ଯେଉଁ ଶକ୍ତିମତ୍ତାର ପରିଚୟ ମିଳେ, ତାହା ମହତ୍‌ ଭାବରେ ଅନୁପ୍ରାଣିତ ଉନ୍ନତିକାମୀ କର୍ମୀ ପକ୍ଷରେ ସମ୍ପୂର୍ଣ୍ଣ ସ୍ୱାଭାବିକ । ତାଙ୍କର କର୍ମମାର୍ଗରେ ବିଶୃଙ୍ଖଳା ପ୍ରାୟ ଦେଖାଦିଏ ନାହିଁ । ସେ ନିଜ ଅନ୍ତରର ଭାବଧାରା ସହିତ କର୍ମପ୍ରଣାଳୀକୁ ସମାନ ଗତିରେ ଉନ୍ମୁକ୍ତ କରିବାକୁ ସର୍ବଦା ଚେଷ୍ଟିତ ଥାନ୍ତି । ସମ୍ପଦ ଓ ବିପଦରେ ମନର ସ୍ଥିରତା ଆସିବା ତାଙ୍କ ପକ୍ଷରେ ସମ୍ଭବ ହୋଇଥାଏ । ଯାବତୀୟ କୋଳାହଳ ଓ ଅଶାନ୍ତି ମଧ୍ୟରେ ସୌନ୍ଦର୍ଯ୍ୟର ସ୍ନିଗ୍‌ଧ ଅନୁଭୂତି ସମସ୍ତ ବାଧାକୁ ଦୂର କରିଦିଏ । ଏହି ସୌନ୍ଦର୍ଯ୍ୟଜ୍ଞାନ କ୍ରମେ କ୍ରମେ ଭାବରାଜ୍ୟକୁ ଅଧିକାର କରି କର୍ମଜଗତକୁ ପ୍ରଭାବିତ କରେ । ଭାବ ଯାହାକୁ ଘୋଡ଼ାଇ ରଖିଥାଏ, କର୍ମ ତାକୁ ଗୋଟାଏ ଆକାର ଦେଇ ଛାଡ଼ିଦିଏ । ପ୍ରେମର ମଧୁର ସ୍ପନ୍ଦନ ପ୍ରଥମେ ହୃଦୟରେ ଅନୁଭୂତ ହୁଏ; ତାକୁ ପୁଣି ଭାବୁକ ଭାଷାରେ ବ୍ୟକ୍ତ କରି ମାନବ ସମାଜର ପ୍ରେମର ଅତୁଳନୀୟ କାହାଣୀ ବର୍ଣ୍ଣନା କରିଦିଏ । ଭାବର ଉତ୍କର୍ଷ ଭାଷାର ମହତ୍ତ୍ୱ ଜ୍ଞାପନ କରେ । ଭାବ ପ୍ରକାଶରେ କବି, ଚିତ୍ରକର ଓ ଶିଳ୍ପୀ ଶ୍ରେଷ୍ଠ ବୋଲି ବିବେଚିତ ହୁଅନ୍ତି । ଭାବର ଅଭିବ୍ୟକ୍ତିରେ ଯେଉଁମାନଙ୍କଦ୍ୱାରା ସତ୍ୟ ଉପେକ୍ଷିତ, ସେମାନେ ଇତର ଶ୍ରେଣୀଭୁକ୍ତ ଓ ସେମାନଙ୍କର ବର୍ଣ୍ଣନା କିମ୍ୱା ଚିତ୍ରଣ ଅଳ୍ପକାଳ ମଧ୍ୟରେ ବିଲୁପ୍ତ ହୁଏ । ହୃଦୟର ଅଭିବ୍ୟକ୍ତିକୁ ଅତ୍ୟଳ୍ପ ଲୋକେ ଉପଯୁକ୍ତ ଆଧାର ଯୋଗାଇଥାନ୍ତି; ତେଣୁ ଜଗତରେ ମହତ୍‌ର ଭାବଧାରା ଗୋଟାଏ ସ୍ୱାତନ୍ତ୍ର୍ୟ ରକ୍ଷା କରି ପ୍ରକାଶିତ ହୁଏ ।

 

ମନୁଷ୍ୟର ଭାବଧାରା ତାହାର ଜନ୍ମ ତୁଲ୍ୟ ରହସ୍ୟମୟ । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ କେତୋଟି ବର୍ଷର ଅବସ୍ଥିତି ଛାଡ଼ିଦେଲେ ମନୁଷ୍ୟ ଜୀବନର ଜଗତ୍‌ ସଙ୍ଗେ ସମ୍ପର୍କଟା ଗୋଟାଏ ଅଜ୍ଞାତ ପରିକଳ୍ପନା ପରି ବୋଧହୁଏ । ମନୁଷ୍ୟ ସଂସାରରେ ଜନ୍ମଗ୍ରହଣ କରେ; କିନ୍ତୁ ସେ ଜାଣିପାରେ ନାହିଁ, ତାର ବିକାଶ କିପରି ହେଲା । ନିଜର ମୂଳାଧାରକୁ ସ୍ଥିର କରିବା ମନୁଷ୍ୟ ପକ୍ଷରେ ଗୋଟିଏ ଦୂରୁହ ସମସ୍ୟା । ଜାଗତିକ ଘଟନା ସମ୍ପର୍କରେ ସର୍ବଦା ଆତ୍ମନିର୍ଭରଶୀଳ ହେବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ; ତେଣୁ ମନୁଷ୍ୟ ବାଧ୍ୟ ହୋଇ ଗୋଟାଏ ଅନନ୍ତ ଶକ୍ତିର ବର୍ତ୍ତମାନତା ସ୍ୱୀକାର କରେ । ଜୀବନର ଆକସ୍ମିକ ପରିବର୍ତ୍ତନ ଏହି ଅନୁଭୂତିକୁ ଦୃଢ଼ କରେ । ଭାବର ଭିନ୍ନତା ଓ ବୈଚିତ୍ର୍ୟ କୌଣସି ନିର୍ଦ୍ଦିଷ୍ଟ ନିୟମର ଅଧୀନ ନୁହେଁ । ସମସ୍ତେ ସମଭାବରେ ପ୍ରଣୋଦିତ ହୁଅନ୍ତି ନାହିଁ । ଜନ୍ମଗତ ଚିନ୍ତାଧାରା ମନୁଷ୍ୟକୁ ବିଭିନ୍ନ କର୍ମପନ୍ଥାର ଆଶ୍ରୟ ନେବାକୁ ଉତ୍ସାହିତ କରେ; କିନ୍ତୁ ଭାବଧାରାର ଏହି ବୈଷମ୍ୟକୁ କେହି ଲକ୍ଷ୍ୟ ରଖନ୍ତି ନାହିଁ । ଭାବର ପାର୍ଥକ୍ୟ ଯୋଗୁଁ ଜଣକର ଆସକ୍ତ ଅପରର ବିରକ୍ତିର କାରଣ ହୁଏ । ସୌନ୍ଦର୍ଯ୍ୟାନୁଭୂତି ମଧ୍ୟ ଭାବବୈଷମ୍ୟରେ ସମାନତା ରକ୍ଷା କରିପାରେ ନାହିଁ । ପ୍ରେମ ବିନିମୟ ବେଳେ ଏହି ଅସମାନତା ସ୍ପଷ୍ଟ ହୋଇ ଜଣାପଡ଼େ । ଭାବ କର୍ମ-ଜଗତର ଅସାମଞ୍ଜସ୍ୟ ବିଧାନ କରେ; କିନ୍ତୁ ଭାବର ସେହି ଅଦ୍ଭୁତି ବିଧାନ ଚିରଦିନ ଅଜ୍ଞାତ ରହିଯାଏ ।

 

ମହତ୍‌ର ଚିନ୍ତାଧାରା ବ୍ୟକ୍ତିଗତ ଭାବର ବିଶେଷତ୍ୱକୁ ସମୂହ ଭାବରେ ଧାରଣ କରିଥାଏ-। ମୁକ୍ତ ପ୍ରକୃତି ପରି ମହତ୍‌ର ଭାବରାଜ୍ୟରେ କୌଣସି ପ୍ରତିବନ୍ଧକ ତିଷ୍ଠିପାରେ ନାହିଁ । ସାଧାରଣ ମନୁଷ୍ୟ ମହତ୍‌ର ଭାବକୁ ପୂର୍ଣ୍ଣରୂପେ ସବୁସମୟରେ ଗ୍ରହଣ କରିପାରେ ନାହିଁ । ମହତ୍‌ର ଚିନ୍ତାକୁ ଯଦି ସମସ୍ତେ ବିନା ସାଧନାରେ ଅବଧାରଣ କରିପାରୁଥାନ୍ତେ, ତାହା ହେଲେ ଜନସମାଜରେ ମହତ୍‌ ପାଇଁ କୌଣସି ବିଶିଷ୍ଟ ସ୍ଥାନ ରହନ୍ତା ନାହିଁ । ଅନ୍ତରର କଳନା ସହଜରେ ଜଣାପଡ଼େ ନାହିଁ । ଭାବର ଗାମ୍ଭୀର୍ଯ୍ୟ ଭାବୁକର ମହତ୍ତ୍ୱ ପ୍ରକାଶ କରେ । ଚିନ୍ତାଧାରାର ସୀମା ସଙ୍କୀର୍ଣ୍ଣ ହୋଇଗଲେ ମହତ୍ତ୍ୱର ବିକାଶ ଘଟେ ନାହିଁ । ଯେ ପର୍ଯ୍ୟନ୍ତ ମନୁଷ୍ୟ ପ୍ରକୃଷ୍ଟ ଜ୍ଞାନର ପରିଚୟ ଦେଉଥାଏ, ସେ ପର୍ଯ୍ୟନ୍ତ ତାର ଆଦର ସମାଜରେ ଆଦୌ ହ୍ରାସ ପାଏ ନାହିଁ । ଜ୍ଞାନର ଅଳ୍ପତାରେ ଲୋକର ଭାବବିଶେଷ ବେଶିଦିନ ଆଦୃତ ହୁଏ ନାହିଁ । ଅନେକ ସମୟରେ ସମୂହ ଭାବଧାରାର ପରିବର୍ତ୍ତନ ଘଟିଥାଏ । ସମାଜର ସମଷ୍ଟିଗତ ଆକାଙ୍କ୍ଷାକୁ ଅନୁସରଣ କରି ଯୁଗପ୍ରଭାବ ଯେଉଁ ଭାବର ବିକାଶ ଆଣେ, ତାକୁ ସାଧନାର କୌଣସି ନୂତନ ମାର୍ଗ ସମୂଳେ ବଦଳାଇ ଦେଇପାରେ । ଯେଥିଯୋଗଁ ମନୁଷ୍ୟର ଅନୁସୃତ କର୍ମ-ପନ୍ଥା କେତେ ଅଭିନବ ଆକାର ଧାରଣ କରେ । ଭାବ-ବିନିମୟରେ ଭାବର ଗୁରୁତ୍ୱ ଜଣାପଡ଼େ । ଭାବାବେଶରେ ଆତ୍ମପର ଜ୍ଞାନ ଲୁପ୍ତ ହୋଇଥାଏ । ମନର ଗତି ଅନୁସାରେ ହୃଦୟର ମିଳନ ହୁଏ । ସ୍ନେହ ଓ ପ୍ରେମର ପରିଣାମ ଅଳ୍ପ କିମ୍ୱା ବେଶି ହୋଇପାରେ । ଅନ୍ତରର ଭାବ ଘେନି ଏହି ପରିମାଣର ଅଳ୍ପତା ଓ ଆଧିକ୍ୟ ନିର୍ଣ୍ଣୟ କରାଯାଏ । ମହତ୍‌ର ଭାବକଥା ଦୂରେ ଥାଉ, ସାଧାରଣ ମନୁଷ୍ୟର କୋମଳ ଅନ୍ତରରୁ ଯେଉଁ ମଧୁର ପ୍ରେମ-ରାଗିଣୀ ଭାସିଆସେ, ସେଥିରେ ଆକୃଷ୍ଟ ଓ ଭାବମୁଗ୍‌ଧ ହେବାପାଇଁ ଗ୍ରାହକମାନଙ୍କର ଅଭାବ ପଡ଼େ ନାହିଁ । ବିଧିବଦ୍ଧ ପ୍ରଣାଳୀଦ୍ୱାରା ଚିନ୍ତାଧାରାକୁ ନିୟନ୍ତ୍ରିତ କରାଯାଏ ନାହିଁ । ଲୌହ ଓ ଚୁମ୍ୱକର ପରସ୍ପର ଆକର୍ଷଣ ପରି ବିଭିନ୍ନ ଚିନ୍ତାଧାରାର ସହଯୋଗ ସମ୍ପାଦିତ ହୁଏ-। ବାୟୁମଣ୍ଡଳର ସ୍ପନ୍ଦନ ପରି ଭାବ-ତରଙ୍ଗର ଗୋଟାଏ ବ୍ୟାପ୍ତି ଅଛି । ଏହା ହୋଇ ନ ଥିଲେ, ଜଣକର ଭାବ ଅଜ୍ଞାତରେ କାହିଁକି ଅପରର ହୃଦୟରେ ଆଘାତ ଦିଅନ୍ତା ? ମହତ୍‌ର ଚିନ୍ତାଧାରାରେ ଏହି ଆଘାତର ସୂଚନା ବିଶେଷ ପରିମାଣରେ ମିଳେ । ସାଧାରଣ ଲୋକ ସଂସାରର ତୀବ୍ରପୀଡ଼ନରେ ନିଜର ଭାବକୁ ସବୁବେଳେ ଅନୁସରଣ କରିପାରେ ନାହିଁ; କିନ୍ତୁ ମହତ୍‌ ଲୋକ ଯାବତୀୟ ନିର୍ଯ୍ୟାତନା ସହ୍ୟ କରି ଅନ୍ତରର ମୁକ୍ତ ଭାବକୁ ମାନବଜାତିର କଲ୍ୟାଣ ପାଇଁ ବ୍ୟକ୍ତ କରନ୍ତି । ତାଙ୍କର ଅନୁଭୂତିରେ ମନୁଷ୍ୟର ସମସ୍ତ ଦୁଃଖ ଓ ସୁଖର ଚିତ୍ର ପ୍ରକଟିତ ହୁଏ । ସତ୍ୟକୁ ଅବଲମ୍ୱନ କରି ତାଙ୍କର ଭାବଧାରା ମାନବ ହୃଦୟରେ ପ୍ରବାହିତ ହୁଏ । ସେଥିଯୋଗୁଁ ମହତ୍‌ର ଭାବଧାରାରେ ମାନବ ଚରିତ୍ରର ଗୋଟିଏ ସ୍ପଷ୍ଟ ଛାୟାପାତ ଦେଖାଯାଏ ।

 

ଗୋଟାଏ ରୀତି ଆଚରଣ କରି ମହତ୍‌ର ଭାବଧାରା ବହିଯାଏ ନାହିଁ । କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଭାବରେ ସର୍ବଦା ଅନୁପ୍ରାଣିତ ହେଲେ ଅନ୍ତଦୃଷ୍ଟି ସଂକୀର୍ଣ୍ଣ ହୋଇଯାଏ । ପ୍ରତ୍ୟେକ ମନୁଷ୍ୟର ସୌନ୍ଦର୍ଯ୍ୟ ଜ୍ଞାନ ଥାଏ । ସୌନ୍ଦର୍ଯ୍ୟର ଆଧାରକୁ ଉତ୍କଣ୍ଠିତ ହୃଦୟରେ ଅନୁସରଣ କଲେ ସାଧାରଣତଃ ଏହି ଜ୍ଞାନର ଅପଚୟ ଘଟେ; ଉନ୍ନତିର ସ୍ଥାନ ଅବନତି ଅଧିକାର କରେ । ମହତ୍‌ ଭାବକୁ ହୃଦୟ ଗ୍ରହଣ କଲେ ସଂକୀର୍ଣ୍ଣତା ଚାଲିଯାଏ; କିନ୍ତୁ ସମୟ ସମୟରେ ଜ୍ଞାନର ବିକାଶପାଇଁ ପ୍ରତିଷ୍ଠିତ ମତଗୁଡ଼ିକର ବୈପରୀତ୍ୟ ପ୍ରତି ଆସ୍ଥାବାନ୍‌ ହେବାକୁ ପଡ଼େ । ସବୁ ମନୀଷୀମାନଙ୍କର ପ୍ରେରଣା ସମାନ ନ ଥାଏ । ଗୋଟାଏ ବିଷୟକୁ ସମଦୃଷ୍ଟିରେ ଆଲୋଚନା କରିବାର ସ୍ପୃହା ଜ୍ଞାନୀ ମାତ୍ରକେ ଥାଇପାରେ; କିନ୍ତୁ ଚିନ୍ତାଧାରାର ବିଶିଷ୍ଟତା ଓ ପାର୍ଥକ୍ୟ ଯୋଗୁଁ ଏକ ବିଷୟର ବିଭିନ୍ନ ସମାଧାନ ଦେଖାଯାଏ । ଜଣେ ମହାପୁରୁଷ କହିଗଲେ, ଦୁର୍ବଳତାକୁ ହୃଦୟରେ ସ୍ଥାନ ଦେବା କଥା ଦୂରେ ଥାଉ, ଯେଉଁ ସ୍ଥାନକୁ ଗଲେ ଉନ୍ନତ ଭାବର ଲେଶ ମାତ୍ର ବିକୃତି ଘଟିପାରେ, ସେହି ସ୍ଥାନକୁ ଶୀଘ୍ର ପରିତ୍ୟାଗ କରିବା ବିଧେୟ । ଆଉ ଜଣେ ଦୂରଦର୍ଶୀ ଭାବୁକ ଏହି କଥାକୁ ଠିକ୍‌ ବିପରୀତ ଭାବରେ ବର୍ଣ୍ଣନା କଲେ । ସେ କହିଲେ, ଦୁର୍ବଳତା ମଧ୍ୟରେ ଅବସ୍ଥିତିରେ ହିଁ ମନୁଷ୍ୟର ପ୍ରକୃତ ପରିଚୟ ମିଳେ । ଏହି ଦୁଇ ମତର ପ୍ରତିଷ୍ଠା ପାଇଁ ଯୁକ୍ତିର ଅଭାବ ହେବ ନାହିଁ କିମ୍ୱା ସତ୍ୟତା ସମ୍ୱନ୍ଧରେ ଦେଖିବାକୁ ଗଲେ ଗୋଟିଏ ଅପରଠାରୁ ଉତ୍କଷ୍ଟ ବୋଲି ପ୍ରମାଣିତ ହେବ ନାହିଁ । ଅଗଣ୍ୟ ଚିନ୍ତାଧାରାର ଭିନ୍ନତା ଯୋଗୁଁ କୌଣସି ମତବାଦର ଐକ୍ୟ ସଂସ୍ଥାପନ କରାଯାଇପାରେ ନାହିଁ । ଆଜିର ପ୍ରତିଷ୍ଠିତ ମତ କାଲିକି ବଦଳି ଯାଇପାରେ । ଏଥିରେ କ୍ଷୁବ୍‌ଧ ହେବା ଉଚିତ ନୁହେଁ ।

 

ଭାବ-ବୈଚିତ୍ର୍ୟରେ ସୃଷ୍ଟିର ସୌନ୍ଦର୍ଯ୍ୟ ଉପଲବ୍‌ଧ ହୋଇଥାଏ । ସାଧାରଣ ମନୁଷ୍ୟର ଅନ୍ତର ଏହି ବୈଚିତ୍ର୍ୟକୁ ଅପୂର୍ଣ୍ଣରୂପେ ଅବଧାରଣ କରେ; ତେଣୁ ତାର ଭାବଧାରାଟି ସଂସାରର କଠିନତା ମଧ୍ୟରେ ସଙ୍କୁଚିତ ହୋଇ ରହେ । ପ୍ରବଳ ଜଳସ୍ରୋତ ଯାବତୀୟ ପ୍ରତିବନ୍ଧକ ଏଡ଼ିଦେଇ ଯେପରି ଅନନ୍ତ-ସାଗର ସଙ୍ଗେ ମିଶେ, ସେହିପରି ମହତର ଚିନ୍ତାଧାରା ସଂକୀର୍ଣ୍ଣ ସାଂସାରିକ ମତଗୁଡ଼ିକ ଉପେକ୍ଷା କରି ଅସୀମ ଭାବସମୁଦ୍ରରେ ମିଶିଯାଏ । ସାଂସାରିକ ଦୁଃଖ ଓ ଦୁର୍ଦ୍ଦଶାକୁ ତୁଚ୍ଛ ମନେକରି ମହତ୍‌ ବ୍ୟକ୍ତି ତାଙ୍କ ଗତିପଥରେ ଅଗ୍ରସର ହୁଅନ୍ତି; କିନ୍ତୁ ସାଧାରଣଙ୍କ ପକ୍ଷରେ ସାମାନ୍ୟ ବିପଦକୁ ଅତିକ୍ରମ କରିବା କଠିନ ହୁଏ । ସାଂସାରିକ କର୍ମସମୂହ ଉନ୍ନତିର ସୋପାନସ୍ୱରୂପ ହୋଇପାରେ; କିନ୍ତୁ ସେହି ସୋପାନଶ୍ରେଣୀର ଶୀର୍ଷଦେଶରେ ସୌନ୍ଦର୍ଯ୍ୟର ଯେଉଁ ଉତ୍ସଟି ଥାଏ, ତାହାରି ସହିତ ଅନ୍ତରର ଭାବଧାରାଟି ମିଳାଇଦେବା ପାଇଁ ମହତର ଚିନ୍ତାଧାରା ମନୁଷ୍ୟକୁ ପ୍ରେରଣା ଦିଏ । ମହତର ଭାବ ଅବଲମ୍ୱନରେ ହୃଦୟର ଆବିଳତା ଦୂର ହେଲେ ସୌନ୍ଦର୍ଯ୍ୟର କାଳିମା ଭିନ୍ନ ଆକାର ଧାରଣ କରେ ଓ ସେଥି ସଙ୍ଗେ ଭେଦାଭେଦ ଭାବ ଅପସରିଯାଏ । ଏହି ଅବସରରେ ମନୁଷ୍ୟର ସଂସାରମାର୍ଗ ସରଳତାକୁ ଆଶ୍ରୟ କରେ ଓ ପୂର୍ବ କୁହେଳିକାର ପରିଣତ କେବଳ ସୌନ୍ଦର୍ଯ୍ୟନୁଭୂତିରେ ପର୍ଯ୍ୟବସିତ ହୁଏ ।

•••

 

Unknown

ବେଷ୍ଟନୀ

ଜଗତର କ୍ରିୟାକଳାପ ମଧ୍ୟରେ ଗୋଟିକୁ ଅପରଠାରୁ ପୃଥକ୍‌ ରଖିବା ପାଇଁ ଯେଉଁ ବାହ୍ୟ ଆବରଣଗୁଡ଼ିକ ଲୋଡ଼ା ହୁଏ, ସେହିଗୁଡ଼ିକକୁ ସାଧାରଣତଃ ବେଷ୍ଟନୀ ଆଖ୍ୟା ଦିଆଯାଇଥାଏ । ମଞ୍ଜିଟିର ଉତ୍ପାଦିକା ଶକ୍ତିକୁ ଆବରଣ ଘୋଡ଼ାଇ ରଖେ । ଚେତନର ସମ୍ପର୍କ ଯଦି କୌଣସି ଆବରଣକୁ ଅପେକ୍ଷା କରୁଥାଏ, ତାହା ହେଲେ ଜାଗତିକ ଜଟିଳ କର୍ମବନ୍ଧନ ମଧ୍ୟରେ ମନୁଷ୍ୟର ପ୍ରକୃତ ପଥ ବେଷ୍ଟିତ ହୋଇ ରହିବା ସ୍ୱାଭାବିକ । ସାମାଜିକ ଅଶେଷ ରୀତିନୀତିମାନଙ୍କର ପ୍ରଚଳନକୁ ଆମ୍ଭେମାନେ ବେଷ୍ଟନୀର ବିଭିନ୍ନ ଶ୍ରେଣୀରୂପେ ଗ୍ରହଣ କରିପାରୁଁ । ଉପର୍ଯ୍ୟୁକ୍ତ ଦୃଷ୍ଟିରେ ଆଲୋଚନା କଲେ ଜଣାଯିବ ଯେ, କାଳୋପଯୋଗୀ ପ୍ରଭାବରେ ଯେଉଁ ଭିନ୍ନତା ଓ ପରିବର୍ତ୍ତନ ଆସେ, ସେଗୁଡ଼ିକ ବେଷ୍ଟନୀର ଗୋଟାଏ ଗୋଟାଏ ପ୍ରକାର ମାତ୍ର । ଆଜି ଜଗତ୍‌ ଯାହାକୁ କୁସଂସ୍କାର ଆଖ୍ୟା ଦେଇ ଲୋପ କରି ଦେବାକୁ ଯାଉଛି, ତାହା ଦିନେ ସୁସଂସ୍କାର ଛଳରେ ଆସି ମାନବର ମାନବତ୍ୱକୁ ରକ୍ଷା କରିଥିଲା । ଆଦିମ ମାନବ ଜାତିର ସଭ୍ୟତା ସଙ୍ଗେ ଆଧୁନିକ ସଭ୍ୟତାକୁ ତୁଳନା କଲେ ଯେଉଁ ପ୍ରଭେଦ ଦେଖାଯାଏ, ସେଥିରେ ବେଷ୍ଟିନୀର ବୈଶିଷ୍ଟ୍ୟ ଅଧିକ ପରିମାଣରେ ପରିଲକ୍ଷିତ ହୁଏ; କିନ୍ତୁ ମନୁଷ୍ୟର ପ୍ରଭୂତ କର୍ମଜାଲ ତାର ଦୃଷ୍ଟିକୁ ଏ ଦିଗରେ ସହଜରେ ସଞ୍ଚାଳିତ କରାଇଦିଏ ନାହିଁ । ଅତୀତର ଅନ୍ଧକାର ଅନନ୍ତ କାଳସ୍ରୋତରେ ଯେ ଛାୟାପାତ କରି ଚାଲିଯାଏ, ତାହା ବେଷ୍ଟିନୀର ଗୋଟାଏ ବିରାଟ ସଂସ୍କରଣ । ଅତୀତ ଓ ବର୍ତ୍ତମାନ ମଧ୍ୟରେ ପାର୍ଥକ୍ୟ ଯଦି ପ୍ରକୃତିବିରୁଦ୍ଧ ନ ହୁଏ, ତାହା ହେଲେ ବେଷ୍ଟିନୀକୁ ପ୍ରକୃତିକ କ୍ରିୟାପ୍ରଣାଳୀରେ ଗୋଟିଏ ବିଶିଷ୍ଟ ସ୍ଥାନ ଦେଲେ କିଛି କ୍ଷତି ନାହିଁ । ଅନେକ ସମୟରେ ମାନସିକ ପ୍ରଭାବଦ୍ୱାରା ଯେଉଁ ପାରିପାର୍ଶ୍ୱିକ ଅବସ୍ଥାମାନଙ୍କର ଉତ୍ପତ୍ତି ହୋଇଥାଏ, ସେଥିରେ ସାମାଜିକ ଜୀବନ ଗୋଟାଏ ସ୍ୱତନ୍ତ୍ର ରୀତି ଅନୁସରଣ କରିପାରେ । ଲୌକିକ ଶିକ୍ଷାଦ୍ୱାରା ଏ ଦିଗର କାର୍ଯ୍ୟ ସାଧିତ ହୋଇଥାଏ; କିନ୍ତୁ ଜୀବଜଗତର ପ୍ରକୃତ ସଙ୍ଗେ ଯେ ଘନିଷ୍ଠ ସମ୍ପର୍କ, ସେଥିରେ କାଳର ପ୍ରଭାବକୁ ଏଡ଼ିଦେଇ ମନୁଷ୍ୟ ସମ୍ପୂର୍ଣ୍ଣରୂପେ ଗୋଟାଏ ନୂତନ ମନଗଢ଼ା ସମାଜ ଗଢ଼ି ଦେଇପାରିବ ନାହିଁ । ମନୁଷ୍ୟ ବୃକ୍ଷକୁ ରୋପଣ କରେ; କିନ୍ତୁ ପ୍ରକୃତି ଉପରେ ତାର ଉତ୍ପତ୍ତି ନିର୍ଭର କରେ । ଗୋଟାଏ ବେଷ୍ଟନୀ ପ୍ରାୟ ବେଶି ଦିନ ରହେ ନାହିଁ; କାରଣ ଏହା ବିକାଶପଥର ଅନ୍ତରାୟ । ମନୁଷ୍ୟ ମନର ଅତୀତ ଭାବଧାରା ଅଲକ୍ଷିତରେ ଆସି କୌଣସି ନୂତନ କର୍ମମାର୍ଗ ଉଦ୍ଘାଟନ କଲାବେଳେ ପ୍ରକୃତିର ରୀତି ଅନୁସୃତ ହେବା ସହଜ ନୁହେଁ । କିନ୍ତୁ ସେହି ଭାବଧାରାଟିକୁ ଅତୀତ ଘୋଡ଼ାଇ ରଖେ, କେବଳ ଭବିଷ୍ୟତରେ ଅଙ୍କୁଚିତ କରିବ ବୋଲି । ଫଳଟି ପାଚି ଝଡ଼ି ପଡ଼େ । ଫଳର ବହିରାବରଣକୁ ଆଶ୍ରୟ କରି ଭାବୀ ବୃକ୍ଷଟି ଅତି ସଙ୍କୁଚିତ ଓ ନିଦ୍ରିତ ଅବସ୍ଥାରେ ରହେ । ଉପଯୁକ୍ତ ସମୟ ଆସିଲାକ୍ଷଣି ଫଳ ପୁଣି ବୃକ୍ଷରୂପରେ ଆବିର୍ଭୂତ ହୋଇଉଠେ । ପ୍ରାକୃତିକ କ୍ରିୟାପ୍ରଣାଳୀରେ ବ୍ୟବଧାନ ଆଣିବା ପାଇଁ ବେଷ୍ଟିନୀର ସୃଷ୍ଟି ।

 

ବେଷ୍ଟିନୀକୁ ନାନାଭାବରେ ପ୍ରୟୋଗ କରାଯାଇପାରେ । ଲୋକାଚାର ଓ ସାମାଜିକ ନିୟମଗୁଡ଼ିକ କାଳ ଓ ସ୍ଥଳବିଶେଷରେ ମନୁଷ୍ୟର ସ୍ୱାଧୀନତା ଉପରେ ଯଥେଷ୍ଟ ଆଧିପତ୍ୟ ବିସ୍ତାର କରିଥାଏ । କିନ୍ତୁ ବିଚାର କଲେ ଜଣାଯିବ ଯେ, ଏହି ଆଧିପତ୍ୟଟା ବେଷ୍ଟନୀର ଗୋଟାଏ ରୂପାନ୍ତର ଓ ଏହା ଅନେକ ସମୟରେ ଜଗତର ମଙ୍ଗଳ ବିଧାନ କରେ । ଉଚ୍ଚନୀଚ କଥା ଦୂରେ ଥାଉ, ବିଭୂତିସମ୍ପନ୍ନ ଦୁଇଟି ବିଷୟର ସମତା ସମ୍ଭବ ହୁଏ ନାହିଁ । ଉତ୍ତୁଙ୍ଗ ପର୍ବତ ଓ ବୀତିବିକ୍ଷୋଭିତ ବିଶାଳ ସାଗରର ଦୃଶ୍ୟ ମହୀୟାନ୍ ହେଲେ ସୁଦ୍ଧା ଦୁହିଁଙ୍କର ଅବସ୍ଥା ସମାନ ନୁହେଁ । ସାଗରର ବେଳା ଅଛି ଓ ପର୍ବତର ତଟଦେଶ ଅଛି । ଏ ଦୁହେଁ ବେଷ୍ଟନୀର ରୂପମାତ୍ର । ପ୍ରକୃତିର ନିୟମ ଲଙ୍ଘନ କରି ସାଗର ବେଳା ଲଙ୍ଘିଲା ବେଳେ ଯେପରି ଗୋଟାଏ ଉତ୍କଟ ଅବସ୍ଥା ଘଟିପାରେ, ସେହିପରି ସାମାଜିକ ଓ ନୈତିକ ବେଷ୍ଟନୀମାନଙ୍କୁ ନିର୍ବିଚାରରେ ଅତିକ୍ରମ କରିଗଲେ ପରିଣାମଟା ଭୟାବହ ହୋଇଉଠେ । ଏଥିପ୍ରତି ଦୃଷ୍ଟି ଦେଇ ସାମ୍ୟବାଦ ପ୍ରଚାର କରିବା ଉଚିତ । ପ୍ରତ୍ୟେକ ମନୁଷ୍ୟର କିଛି ବିଶେଷତ୍ୱ ଥାଏ । ସେଥିଯୋଗୁଁ ଦୁଇ ଜଣଙ୍କ ମଧ୍ୟରେ ଗୋଟାଏ ସମାନତା ସହଜରେ ସ୍ଥାପନ କରାଯାଇ ପାରେ ନାହିଁ । ଜୀବତ୍ୱ ସମ୍ପର୍କରେ ମନୁଷ୍ୟ ଜାତିର କେତେଗୁଡ଼ାଏ ସମାନ ଗୁଣ ଓ ଦୋଷ ଥାଇପାରେ; କିନ୍ତୁ ମନୁଷ୍ୟତ୍ୱ ବିକାଶ ଦିଗରେ ଦେଖିବାକୁ ଗଲେ ଜଣେ ଅନ୍ୟ ଜଣକ ସହିତ ସମାନ ହୋଇ ପାରିବ ନାହିଁ । ଉଚ୍ଚ ଓ ନୀଚ ଭାବକୁ ଦୂର କରିବା କଠିନ । ଏହା ସ୍ୱତଃ ଆସି ମନୁଷ୍ୟ ସମାଜରେ ଅଧିପତ୍ୟ ବିସ୍ତାର କରିଅଛି । ଲତାଟି ଚିରଦିନ କୋମଳ; କିନ୍ତୁ ଏହି କୋମଳତା ବୃକ୍ଷର ସାରବତ୍ତାକୁ ଘୋଡ଼ାଇ ରଖେ ନାହିଁ କି ?

 

ଦିଗ୍‌ବଳୟରେ ଅସ୍ତଗାମୀ ସୂର୍ଯ୍ୟ ବୁଡ଼ିଯାଏ । ସାନ୍ଧ୍ୟ ଆକାଶ କିଛିକ୍ଷଣ ପାଇଁ ବିଚ୍ଛୁରିତ ରଶ୍ମିକୁ ଧାରଣ କରି ରକ୍ତିମ ଆଭା ପ୍ରକଟିତ କରେ । ରାତ୍ରିର ଅନ୍ଧକାର ଆସି ସବୁ ଘୋଡ଼ାଇଦିଏ । ଅସଂଖ୍ୟ ତାରକାରାଶି ନଭୋମଣ୍ଡଳରେ ବିକଶିତ ହୁଅନ୍ତି । ପ୍ରକୃତି ଭିନ୍ନ ଚିତ୍ର ଧାରଣ କରେ । ଏହି ପରିବର୍ତ୍ତନ ଯେଉଁ ଅପ୍ରତିହତ ନିୟମରେ ନିୟନ୍ତ୍ରିତ ହୁଏ, ତାକୁ ଅନୁସରଣ କରି ଭାବୁକର ଉଚ୍ଛୁଙ୍ଖଳ ଚିତ୍ତ ସଙ୍କୁଚିତ ହୋଇଯାଏ । ମନୁଷ୍ୟ ଅନେକ ସମୟରେ ଭାବିଥାଏ, ତାର ଇଙ୍ଗିତର ସବୁ କାର୍ଯ୍ୟ ସମ୍ପାଦିତ ହୋଇଯିବ । ଅନୁକୂଳ କାର୍ଯ୍ୟକ୍ରମରେ ତାର ସାଧନା ନିୟୋଜିତ ହେଲେ ଯେଉଁ ସୁଫଳ ଫଳେ, ତାକୁ କେବଳ ଲକ୍ଷ୍ୟ କରି ସେ ଜୀବନର ଅନ୍ଧକାରକୁ ଦେଖିପାରେ ନାହିଁ । ଐଶ୍ୱର୍ଯ୍ୟର ମୋହ ମନୁଷ୍ୟର ବହିର୍ମୁଖ ଭାବକୁ ଅତ୍ୟଧିକ ମାତ୍ରାରେ ବଢ଼ାଇଦିଏ । ଦିନଟି ଆସି ଚାଲିଯାଏ । ଦିବାବସାନରେ କୌଣସି ବ୍ୟତିକ୍ରମ ଘଟେ ନାହିଁ । କିନ୍ତୁ ମନୁଷ୍ୟର ଭାବଧାରଟି ଏପରି କୌଣସି ଧାରାବାହିକ ନିୟମର ଅଧୀନ ହୁଏ ନାହିଁ । ଦୈନ୍ୟ ଆସେ, ମନୁଷ୍ୟ ଶତ ଚେଷ୍ଟା କରେ ଅନ୍ତରର କାତରତାକୁ ଦୂର କରି ଦେବ ବୋଲି; କିନ୍ତୁ ସବୁ ଆୟାସ ବୃଥା ହୁଏ । ଗୋଟାଏ ନିସ୍ତେଜ ଭାବ ମନର ପ୍ରସନ୍ନତାକୁ ଆବୃତ କରିପକାଏ । ପ୍ରାକୃତିକ ଦୃଶ୍ୟର ମାଧୁର୍ଯ୍ୟ ଭାବୁକର ମାନସପଟରେ ଗୋଟିଏ ମନୋହାରିଣୀ ଛବି ଆଙ୍କି ଦେଇପାରେ; କିନ୍ତୁ ସାଧାରଣ ଚିତ୍ତର ଉଦ୍ଦାମତାକୁ ସଂଯତ କରିବା ପାଇଁ ଏହା ଯଥେଷ୍ଟ ନୁହେଁ । କିନ୍ତୁ ବାହ୍ୟ ଆକର୍ଷଣ ସେହି ସାଧାରଣ ମନୁଷ୍ୟର ମନକୁ ଅଧିକମାତ୍ରରେ ଅଭିଭୂତ କରିଥାଏ । ତେଣୁ ସଂସାରଧର୍ମ ପାଳନ କରି କେହି ସବୁବେଳେ ନିଜର ଭାବଧାରାକୁ ପ୍ରାକୃତିକ ପରିବର୍ତ୍ତନ ସଙ୍ଗେ ମିଳାଇ ରଖିପାରେ ନାହିଁ । ଜଳ ବୁଦ୍‌ବୁଦ୍‌ ତୁଲ୍ୟ ମନୁଷ୍ୟ ଅନନ୍ତ ପ୍ରକୃତି-କ୍ରୋଡ଼ରେ କିଛିକ୍ଷଣ ପାଇଁ ଆବିର୍ଭୂତ ହୋଇ ଗୋଟାଏ ଅସୀମତାରେ ହଜିଯାଏ । ସମୟ ସମୟରେ ମନର ଚଞ୍ଚଳ ଗତି ପ୍ରକୃତିର ବିରାଟ ମୂର୍ତ୍ତି ନିକଟରେ ସ୍ତବ୍ଧ ହୋଇଯାଏ । ମନୁଷ୍ୟର ବାହାର ବେଷ୍ଟନୀଟି ଏହି ଅବସରରେ ଲୋପ ପାଇଯାଏ । ଅକିଞ୍ଚନର ମହତ୍‌ ସହିତ କୌଣସି ପାର୍ଥକ୍ୟ ରହେ ନାହିଁ । ମନୁଷ୍ୟ ନିଜକୁ କ୍ଷୁଦ୍ର, ଅସହାୟ ଓ ହେୟ ମନେ କଲେ ତାର ବେଷ୍ଟନୀଟି ଦୃଢ଼ ହୋଇ ରହେ । ସଂସାରର କର୍ମଜାଲ ଏହି ବେଷ୍ଟନୀର ଆକାର ସ୍ୱରୂପ ହୁଏ । ଭାବନାର ଉଚ୍ଚ ସ୍ତରକୁ ଉକ୍ତ କର୍ମଜାଲ ସ୍ପର୍ଶ କରିପାରେ ନାହିଁ । ତେଣୁ ସେହି କର୍ମୀ ଓ ଭାବୁକ ମଧ୍ୟରେ ଗୋଟାଏ ବ୍ୟବଧାନ ରହିଯାଏ । କର୍ମୀ ଚକ୍ଷୁରେ ଭାବୁକ ହେୟ ବିବେଚିତ ହୋଇପାରେ; କିନ୍ତୁ କର୍ମୀର ଦୃଷ୍ଟି ଗୋଟାଏ କ୍ଷୁଦ୍ର ସୀମା ମଧ୍ୟରେ ଆବଦ୍ଧ ।

 

ଜଗତରେ ଯାହାର ଯେତେ ଅଧିକ ମୂଲ୍ୟ, ତାହା ସେତେ ଦୃଢ଼ ବେଷ୍ଟନୀରେ ଆବଦ୍ଧ । କେତେ ଅମୂଲ୍ୟ ରତ୍ନରାଶି ଲୋକଲୋଚନ ଅନ୍ତରାଳରେ ପଡ଼ିରହେ– ସେମାନଙ୍କର ଗଣନା କେହି ରଖେ ନାହିଁ । ଯାହାର ଦୃଷ୍ଟି ଯେତେ ଦୂରକୁ ସଞ୍ଚାଳିତ ହୁଏ, ସେ ସୌନ୍ଦର୍ଯ୍ୟର ପରାକାଷ୍ଠା ସେତେ ଅନୁଭବ କରିପାରେ । କ୍ଷୁଦ୍ର ପରିସର ମଧ୍ୟରେ ଅପାର୍ଥିବ ବିଷୟର ସନ୍ଧାନ ନେବା ପାଇଁ ମନୁଷ୍ୟ କଷ୍ଟ ବୋଧ କରେ; କିନ୍ତୁ ମହତ୍‌ର ପରିକଳ୍ପନା ପାଇଁ ଯେ କ୍ଷୁଦ୍ରର ସୃଷ୍ଟି, ଏ କଥା ଆମ୍ଭେମାନେ ଭୁଲିଯାଉ । ଶିଶୁର ଧୂଳିଖେଳା ଭବିଷ୍ୟତ୍ ମାନବର କର୍ମମୟ ଜୀବନର ଭିତ୍ତିଭୂମି ହୁଏ । ଶୈଶବରଚିତ ସୁଖକ୍ରୀଡ଼ା ବିସ୍ମୃତିର ବେଷ୍ଟନୀକୁ କ୍ୱଚିତ୍ ଅତିକ୍ରମ କରେ । ଚପଳତାର ପରିଣତି ସାଧାରଣତଃ ବକ୍ରତାକୁ ଅନୁସରଣ କରେ; କିନ୍ତୁ ଏହାଦ୍ୱାରା ଜୀବନର ଯଥାର୍ଥ ଅନୁଭୂତି ଆସେ ନାହିଁ । ଗୋଟାଏ ବେଷ୍ଟନୀକୁ ଛାଡ଼ି ଦେଇ ମନୁଷ୍ୟ ଅପର ବେଷ୍ଟନୀରେ ଆବଦ୍ଧ ହୁଏ । ସଂସାରୀ ପକ୍ଷରେ ଉପଯୁକ୍ତ ମୂଲ୍ୟ ନିରୂପଣ କରି ବିଷୟ ନିର୍ବାଚନ କରିବା ସବୁବେଳେ ସମ୍ଭବପର ହୁଏ ନାହିଁ । ତାର ଦୃଷ୍ଟିରେଖା ସାମାନ୍ୟ କେତେଟା ପଦାର୍ଥରେ ଅତିରିକ୍ତ ମାତ୍ରାରେ ସଂପୃକ୍ତ ହୋଇ ରହେ ଓ ଗୋଟାଏ ସାଧାରଣ କ୍ଷେତ୍ରରେ ସମଭାବାପନ୍ନ ବ୍ୟକ୍ତିମାନେ ମିଳିତ ହୋଇ ଯେଉଁ ପ୍ରତିଯୋଗିତା ଆରମ୍ଭ କରନ୍ତି, ସେଥିରେ ଗୋଟାଏ ବେଷ୍ଟନୀ ସ୍ୱତଃ ସୃଷ୍ଟ ହୋଇଉଠେ । ପ୍ରତିଯୋଗିତାରେ ଯେଉଁମାନେ ସଫଳକାମ ହୁଅନ୍ତି, ସେମାନେ ସାଧାରଣତଃ ସ୍ୱାର୍ଥର ଅଧୀନ ଥାନ୍ତି-। ଅନ୍ୟ କେହି ସେମାନଙ୍କ ସମକକ୍ଷ ହେବା ଭାବ ସେମାନେ ସହ୍ୟ କରିପାରନ୍ତି ନାହିଁ । ସେମାନେ ବିଶେଷତ୍ୱ ରଖି ଗୋଟାଏ ପାରିପାର୍ଶ୍ୱିକ ଅବସ୍ଥା ସୃଷ୍ଟି କରନ୍ତି । ଏପରି ଅବସ୍ଥା ସୃଷ୍ଟ ହେବା ଅସଙ୍ଗତ ନୁହେଁ । ଜଗତର ଆକର୍ଷଣ ଏହାରି ଉପରେ ଅନେକ ପରିମାଣରେ ନିର୍ଭର କରେ-। ମନୁଷ୍ୟ ବଡ଼ ହେବ ବୋଲି ଆଶା କରେ; କିନ୍ତୁ ତାର ବଡ଼ ହେବାର ଯୋଗ୍ୟତା ସାଂସାରିକ ବେଷ୍ଟନୀମାନଙ୍କୁ ଅତିକ୍ରମ କରିବାରେ ପରୀକ୍ଷିତ ହୁଏ । ଶୈଶବରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ମନୁଷ୍ୟ ଗତି କରେ; କିନ୍ତୁ ତାର ଗତି ପ୍ରାୟ ସବୁବେଳେ ପ୍ରତିହତ ହେଉଥାଏ । ବିଶେଷତଃ ବେଷ୍ଟନୀଗୁଡ଼ିକ ନ ଥିଲେ ମନୁଷ୍ୟ ଏପରି ବାଧା ପାଉ ନ ଥାନ୍ତା । ସରଳତା ଅନେକ ସମୟରେ ସଂସାର-ପଥର ବିରୋଧୀ ହୁଏ; ତେଣୁ ସୁଲଭ ପଦାର୍ଥକୁ ସଂସାରୀ ବେଶି ଆଦର କରେ ନାହିଁ । ଉନ୍ମାଦନାରେ ଘାତ ଆଣିବା ପାଇଁ ବେଷ୍ଟନୀର ଉପକାରିତା ଉପଲବ୍‌ଧ ହୋଇଥାଏ; କିନ୍ତୁ ଉନ୍ମାଦନା ନ ଥିଲେ ଜୀବନର ସରସତା ରହନ୍ତା ନାହିଁ । ଏହି ସରସତା ରକ୍ଷା କରିବାକୁ ଜଗତ୍ ସର୍ବଦା ବ୍ୟଗ୍ର ଥାଏ ।

 

ସାଧନାର ସୁଦୃଢ଼ ଭିତ୍ତି ବେଷ୍ଟନୀ ଉପରେ ଅନେକ ପରିମାଣରେ ନିର୍ଭର କରେ । ବେଷ୍ଟନୀ ଦୁର୍ବଳ ହେଲେ ବାହ୍ୟ ପ୍ରଭାବ ସାଧନାର ପ୍ରତିକୂଳାଚରଣ କରେ । ଜଗତରେ ଯେତେ ମନିଷୀଙ୍କର ଆବିର୍ଭାବ ଘଟିଅଛି, ସେମାନଙ୍କର ଜୀବନୀ ଆଲୋଚନା କଲେ ଜଣାଯିବ ଯେ, ଅଧିକାଂଶଙ୍କର କାର୍ଯ୍ୟକ୍ରମରେ ଗୋଟାଏ ବିଶେଷତ୍ୱ ଥାଏ । ସାଧାରଣ ଚକ୍ଷୁରେ ଯେଉଁ ଘଟନାଗୁଡ଼ିକ କେବଳ ପ୍ରତିବନ୍ଧକ ବୋଲି ଗ୍ରହଣୀୟ ହୋଇପାରେ, ସେହିଗୁଡ଼ିକ ଅସାଧାରଣ ମାନବର କାର୍ଯ୍ୟାନୁଷ୍ଠାନରେ ବହୁ ପରିମାଣରେ ସହାୟତା କରନ୍ତି । ଜୀବନର ଜଟିଳ ଗତିରେ ସାଧାରଣ ମନୁଷ୍ୟ ସବୁବେଳେ ଅନୁକୂଳ ଅବସ୍ଥାକୁ ଲକ୍ଷ୍ୟ କରି ରହେ । ନିଜର ଇଚ୍ଛାନୁଯାୟୀ ବେଷ୍ଟନୀଟିଏ ପାଇଲେ ସେ ଆନନ୍ଦ ଅନୁଭବ କରେ । ଜଗତ୍ ସହିତ ତାର ସମ୍ପର୍କ ସଂଶ୍ଳିଷ୍ଟ ହୁଏ, ଗୋଟାଏ ସ୍ୱାର୍ଥ ଜଡ଼ିତ ଦିଗରେ । ସେ ଅନ୍ୟ କୌଣସି ବିଷୟରେ ବିଶେଷ ଆସ୍ଥା ସ୍ଥାପନ କରେ ନାହିଁ । ତାର ବେଷ୍ଟନୀଟି ଏପରି ଗଢ଼ି ହୋଇ ଉଠେ ଯେ, ଦୃଷ୍ଟି ସଞ୍ଚାଳନ କରିବାକୁ ତାକୁ ଗୋଟାଏ ଦିଗରେ ଅବସର ମିଳେ । ସାଂସାରିକ କାର୍ଯ୍ୟ ସମ୍ପାଦନରେ ଏପରି ଏକଦେଶଦର୍ଶୀ ହେବା ସମୀଚୀନ ହୋଇପାରେ; କିନ୍ତୁ ଯେଉଁମାନଙ୍କର ଚିନ୍ତାଧାରା ପ୍ରଚଳିତ ରୀତିକୁ ଅତିକ୍ରମ କରେ, ସେମାନଙ୍କର କାର୍ଯ୍ୟ-ପ୍ରଣାଳୀରେ ଗୋଟାଏ ନୂତନତ୍ୱ ଲକ୍ଷିତ ହୁଏ । ସେମାନେ ଯେଉଁ ପାରିପାର୍ଶ୍ୱିକ ଅବସ୍ଥା ସୃଷ୍ଟି କରନ୍ତି, ତାହା ସାଧାରଣ ସାଂସାରିକ ଜୀବନର ବିରୋଧୀ ହୁଏ । ଏହି ବିରୁଦ୍ଧ ବେଷ୍ଟନୀ ସଂସାରୀର ବୋଧଗମ୍ୟ ହୁଏ ନାହିଁ; ତେଣୁ ମହତ୍ ଲୋକର କାର୍ଯ୍ୟ ସହଜରେ ଅନୁସୃତ ହୋଇପାରେ ନାହିଁ । ବେଗବତୀ ନଦୀର ପ୍ରବଳ ପ୍ରବାହ ଅନନ୍ତ ସାଗର ସଙ୍ଗମରେ ଗୋଟାଏ ବିରାଟ ସମାନତା ସୃଷ୍ଟି କରେ; କିନ୍ତୁ ସମୟ ସମୟରେ ଯେଉଁ ଉତ୍ତାଳ ଜଳ-କଲ୍ଲୋଳ ଉଠେ, ତାହା ସେହି ସମତାକୁ ଲୋପ କରିଦିଏ । ଜୀବନର ଧାରାବାହିକ ପର୍ଯ୍ୟାୟରେ ଯେତେବେଳେ ଜଡ଼ତା ଆସେ, ସେତେବେଳେ ପ୍ରାକୃତିକ ନିୟମକୁ ଅନୁସରଣ କରି ଗୋଟାଏ ସ୍ପନ୍ଦନ ହୁଏ । ଏହି ସ୍ପନ୍ଦନକୁ କେହି କେହି ଅସ୍ୱାଭାବିକ ବୋଲି ମନେକରି ପାରନ୍ତି; କିନ୍ତୁ ଜଗତରେ କୌଣସି ଘଟନା ଅନାହୁତ ଭାବରେ ସଙ୍ଘଟିତ ହୁଏ ନାହିଁ । ଶାନ୍ତ ବାୟୁମଣ୍ଡଳ ପ୍ରଖର ସୂର୍ଯ୍ୟକିରଣ ପ୍ରଭାବରେ ପ୍ରବଳ ଝଡ଼ ସୃଷ୍ଟି କରେ । ଜାଗତିକ କାର୍ଯ୍ୟ ସବୁବେଳେ ଗୋଟିଏ ରୀତିରେ ଆଚରିତ ହୁଏ ନାହିଁ । କାଳର ପ୍ରଭାବ ସଙ୍ଗେ ମନୀଷୀମାନଙ୍କର ପ୍ରେରଣା ମିଶି ଗୋଟାଏ ନୂତନତ୍ୱ ସୃଷ୍ଟି କରେ । ଏହାକୁ ସାଧାରଣତଃ ଆମ୍ଭେମାନେ ଯୁଗୋଚିତ ପରିବର୍ତ୍ତନ ଆଖ୍ୟା ଦେଇଥାଉଁ ।

ଯେଉଁମାନେ ପ୍ରେରଣା ଦେଇ ପରିବର୍ତ୍ତନର ସୂତ୍ରପାତ କରାନ୍ତି, ସେମାନେ ପ୍ରାୟ ପ୍ରଚଳିତ ଦେଶାଚାରକୁ ଲକ୍ଷ୍ୟ କରନ୍ତି ନାହିଁ । ମନୁଷ୍ୟର ଅନ୍ତର୍ନିହିତ ସ୍ୱାଧୀନ ଭାବ ସେମାନଙ୍କର କ୍ରିୟାକଳାପରେ ପ୍ରକାଶିତ ହେବା ପାଇଁ ଯଥେଷ୍ଟ ସୁବିଧା ପାଏ । ସେମାନେ ସାଧାରଣ ବେଷ୍ଟନୀରେ ଆବଦ୍ଧ ହୁଅନ୍ତି ନାହିଁ । ଜୀବନର ଗତିରେ ଗୋଟାଏ ବିପ୍ଳବ ଆଣିବା ପାଇଁ ସେମାନଙ୍କର ସାଧନା ନିୟୋଜିତ ହୁଏ । ବିପ୍ଳବୀ ସବୁଦିନେ ବିପ୍ଳବୀ ହୋଇ ରହେ ନାହିଁ । ଝଡ଼ ବହିଯାଏ, କେତେ ଉତ୍ପାତ କରେ; କିନ୍ତୁ ଶେଷରେ ପ୍ରକାଶ କରେ- ଗୋଟିଏ ସୁନ୍ଦର ଶାନ୍ତ ପ୍ରାକୃତିକ ଚିତ୍ର । ବିପ୍ଳବୀ ବନ୍ଦୀ ହୁଏ, କେତେ ନିର୍ଯ୍ୟାତନା ଭୋଗ କରେ; କିନ୍ତୁ ବୀରପୂଜାର ଉତ୍କୃଷ୍ଟ ସାମଗ୍ରୀ ତାହାରି ପାଇଁ ସଂଗୃହୀତ ହୋଇ ରହେ । ଦିନ ଆସେ, ଯେତେବେଳେ ବିଦ୍ରୋହ-ବହ୍ନିରେ ସାଧନାର ମନ୍ତ୍ର ଶାନ୍ତି-ବାରି ସେଚନ କରେ । ଅସଂଖ୍ୟ ବେଷ୍ଟନୀ ନଷ୍ଟ କରି ସେହି ବୀର ସାଧକର କର୍ମମାର୍ଗ ଗୋଟାଏ ନୂତନ ପଥର ସୂଚନା ଦିଏ । ଏ ପଥରେ ଗତି କରିବା ପାଇଁ ଜଗଦ୍‌ବାସୀ ଅଗ୍ରସର ହୁଅନ୍ତି; କିନ୍ତୁ ଯେତେବେଳେ ସାଧକର ସୃଷ୍ଟ ବେଷ୍ଟନୀଟି ଦୁର୍ବଳ ହୋଇଯାଏ, ସେତେବେଳେ ବାହ୍ୟ ପ୍ରଭାବ ପୁଣି ଆସି ବିରୁଦ୍ଧାଚରଣ କରେ ।

ବେଷ୍ଟନୀ ସମ୍ଭୋଗର ସରଣୀ । ପ୍ରସ୍ଫୁଟିତ ପୁଷ୍ପର ସୁଗନ୍ଧ ଗ୍ରହଣ କରିବାପାଇଁ ସମସ୍ତଙ୍କ ପ୍ରାଣରେ ଗୋଟାଏ ବ୍ୟଗ୍ରତା ଥାଏ; କିନ୍ତୁ ପୁଷ୍ପ କାହିଁକି କଣ୍ଟକାବୃତ ହୋଇ ରହେ ? ଜଗତରେ ଯେ ସୁନ୍ଦର ଓ ସରସ, ତାକୁ ବେଶି ସଂକୁଚିତ କରେ କିଏ ? ଅସାମାନ୍ୟ ରୂପବତୀ ଲଳନା ଯୌବନର ଉଦ୍ଦାମ ସୌନ୍ଦର୍ଯ୍ୟକୁ ଧାରଣ କରି ଅନ୍ତଃପୁରରେ ଅବରୁଦ୍ଧ ହୋଇ ରହେ । ଯାହାର ରୂପଲାବଣ୍ୟରେ ଜଗତ ମୋହିତ ହୋଇପାରେ, ତାହାର ମୁକ୍ତି ପାଇଁ ସମାଜର କଅଣ କ୍ରୂର ଦୃଷ୍ଟି ଦେଖାଇବା ଉଚିତ ? ସୌନ୍ଦର୍ଯ୍ୟକୁ କେହି କେହି ଧରି ରଖିପାରେ ନାହିଁ । ତେବେ କଅଣ ସୁନ୍ଦରୀର ସୌନ୍ଦର୍ଯ୍ୟଟିକୁ ଘୋଡ଼ାଇ ରଖିବାପାଇଁ ଅନ୍ତଃପୁରର ସୃଷ୍ଟି ଗୋଟାଏ ବ୍ୟର୍ଥତା ? ମନୁଷ୍ୟର କର୍ମ ବ୍ୟର୍ଥତାକୁ ଲକ୍ଷ୍ୟ କରି ଆରବ୍‌ଧ ହୁଏ ନାହିଁ । ସୌନ୍ଦର୍ଯ୍ୟାନୁଭୂତିରେ କ୍ଷିପ୍ତତାକୁ ଦୂର କରିବାକୁ ହୁଏ । ହୃଦୟର ଅତ୍ୟଧିକ ବ୍ୟଗ୍ରତାକୁ କମାଇ ନ ଦେଲେ କୌଣସି ପଦାର୍ଥର ପ୍ରକୃତ ମୂଲ୍ୟ ନିରୂପିତ ହୁଏ ନାହିଁ । ସୌନ୍ଦର୍ଯ୍ୟ ପ୍ରତି ଗୋଟିଏ ଲାଳସା ଜନ୍ମିଲେ ମନୁଷ୍ୟର ପଶୁତ୍ୱ ପ୍ରବଳ ହୋଇଉଠେ । ଯେଉଁମାନଙ୍କର ସୌନ୍ଦର୍ଯ୍ୟ-ଦୃଷ୍ଟି କୌଣସି ଆଶ୍ରୟକୁ ଅପେକ୍ଷା ରଖେ ନାହିଁ, ସେମାନେ ଉପର୍ଯ୍ୟୁକ୍ତ ମତକୁ ଗ୍ରହଣ କରିବେ ନାହିଁ; କିନ୍ତୁ ଜଗତରେ ସେମାନଙ୍କର ସଂଖ୍ୟା କେତେ ? ରୂପଜ ଆସକ୍ତିରେ ସୌନ୍ଦର୍ଯ୍ୟଜ୍ଞାନ ଥାଏ । ଉପଯୁକ୍ତ ବେଷ୍ଟନୀଦ୍ୱାରା ଆବୃତ ହେଲେ ଆସକ୍ତିରେ ମାତ୍ରା କ୍ରମଶଃ ଅପସୃତ ହୋଇପାରେ । ଅବଗୁଣ୍ଠନବତୀ ରମଣୀର ସୌନ୍ଦର୍ଯ୍ୟ ଉତ୍ତରଳ ଯୌବନକୁ ଅନେକ ପରିମାଣରେ ପ୍ରଶମିତ କରେ । ଆସକ୍ତିରେ ଗୋଟାଏ ଉନ୍ମାଦନା ଥାଏ; କିନ୍ତୁ ବେଷ୍ଟନୀଟି ହୁଏ, ଏହାର ପ୍ରତିବନ୍ଧକ । ଅମୂଲ୍ୟ ରତ୍ନର ଅଧିକାରୀ ମନରେ ଗୋଟାଏ ଗର୍ବ ଅନୁଭବ କରେ; କିନ୍ତୁ ଏହି ଅନୁଭୂତି-ରତ୍ନଟି ହଜିଯିବା ସଙ୍ଗେ ଚାଲିଯାଏ । ଯଦି ସୌନ୍ଦର୍ଯ୍ୟକୁ କେବଳ ଭୋଗ ଉଦ୍ଦେଶ୍ୟରେ ଗ୍ରହଣ କରାଯାଏ ଓ କାମିନୀ-କାଞ୍ଚନର ସମାବେଶରେ ଐଶ୍ୱର୍ଯ୍ୟର ପ୍ରଭୁତ୍ୱ ପ୍ରତିପାଦିତ ହୁଏ, ତାହା ହେଲେ ମଧ୍ୟ ଅନ୍ତଃପୁରବାସିନୀ ସୁନ୍ଦରୀର ଅବରୁଦ୍ଧ ହୋଇ ରହିବା ବାଞ୍ଛନୀୟ । ସୌନ୍ଦର୍ଯ୍ୟର ଅପବ୍ୟବହାର କରି କେହି କେବେ ସୌନ୍ଦର୍ଯ୍ୟପିପାସା ମେଣ୍ଟାଏ ନାହିଁ । ସୌନ୍ଦର୍ଯ୍ୟରକ୍ଷା ମନୁଷ୍ୟର ଗୋଟିଏ ଧର୍ମ । ଏହି ଧର୍ମ ପାଳନ ପାଇଁ ବେଷ୍ଟନୀର ଆଶ୍ରୟ ନେବାକୁ ହୁଏ ।

ଭେଦନୀତି ବେଷ୍ଟନୀର ଅନୁଗାମିନୀ । କ୍ଷେତ୍ରର ଭିନ୍ନତା ଅନୁଯାୟୀ ବେଷ୍ଟନୀକୁ ନାନା ଶ୍ରେଣୀରେ ବିଭକ୍ତ କରାଯାଇପାରେ । ଗୋଟିକର ପୁଷ୍ଟିସାଧନ ସକାଶେ ଅପରକୁ ଟିକିଏ ବ୍ୟବଧାନରେ ରଖାଯାଏ । ଅନେକ ସମୟରେ ଦୁଇଟି ସମଜାତୀୟ ପ୍ରାଣୀ ଏକ ବେଷ୍ଟନୀ ମଧ୍ୟରେ ରହି ସମପ୍ରଣାଳୀରେ ପୁଷ୍ଟିଲାଭ କଲେ ସୁଦ୍ଧା ଗୋଟାଏ ପାର୍ଥକ୍ୟ ସେମାନଙ୍କ ମଧ୍ୟରେ ଦୃଷ୍ଟ ହୁଏ । ଯମଜ ସନ୍ତାନଙ୍କର ଭବିଷ୍ୟତ ଜୀବନ ଗୋଟାଏ ସମାନ ଗତିରେ ଅତିବାହିତ ହୁଏ ନାହିଁ । ବିଦ୍ୟାଳୟରେ ସମାନ ପଦ୍ଧତିରେ ସବୁ ଛାତ୍ରମାନେ ଶିକ୍ଷା ପାଆନ୍ତି; କିନ୍ତୁ କେତେ ଜଣଙ୍କର ଭବିଷ୍ୟତ୍ ଜୀବନରେ ଅତୀତର ଶିକ୍ଷା ସମାନ ଫଳଦାନ କରେ ? ଆଧୁନିକ ଯୁଗରେ ବିଜ୍ଞାନର କ୍ରିୟା-କୌଶଳ ସମସ୍ତଙ୍କୁ ଅନୁପ୍ରାଣିତ କରୁଅଛି । ଯାହା ବିଜ୍ଞାନସମ୍ମତ ନୁହେଁ, ତାହା ସଭ୍ୟ ମାନବର ଗ୍ରହଣୀୟ ନୁହେଁ ବୋଲି ଅନେକେ କହିଥାନ୍ତି; କିନ୍ତୁ ଏହି ବିଜ୍ଞାନ ବଳରେ ଓ ସାମ୍ୟ ସ୍ଥାପନ ଛଳରେ ଯେଉଁ ଭେଦନୀତି ପ୍ରଚାର କରାଯାଉଅଛି, ତାହା ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତି ଅନୁଭବ କରିପାରିବେ । ଜାତିଗତ ସ୍ୱାର୍ଥକୁ ପ୍ରଚ୍ଛନ୍ନ ରଖି ଜଗତରେ ବଡ଼ ହେବାର ଆଶା ପୋଷଣ ନ କରନ୍ତି, ଏପରି ସଭ୍ୟଜାତି ଆଜି ବିରଳ । ବୈଜ୍ଞାନିକ ସାଧନାକୁ ଗୁପ୍ତ ମାରାତ୍ମକ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବାରେ ନିୟୋଜିତ କରିବା ଗୋଟିଏ ଉତ୍କୃଷ୍ଟ ଉପାୟ ହେଲାଣି । ଭେଦଭାବ ଦୂର କରିବା ଗୋଟାଏ କଥା ମାତ୍ର । କାର୍ଯ୍ୟରେ ବିପରୀତ ମାର୍ଗାବଲମ୍ବନ କରିବା ହେଲା ପ୍ରଚଳିତ ନୀତି-। ଆଜିକାଲିର ସଭ୍ୟତା ବେଷ୍ଟନୀର କାଠିନ୍ୟକୁ ପସନ୍ଦ କରେ ନାହିଁ । ପର୍ଦ୍ଦାଟିଏ ରହିବ; କିନ୍ତୁ ତାହା ରୁକ୍ଷ ନ ହୋଇ ମସୃଣ ହେଲେ ଯୁଗୋଚିତ ରୁଚି ସଙ୍ଗେ ବାଧା ଦେବ ନାହିଁ । ବର୍ତ୍ତମାନ ରାଷ୍ଟ୍ରନୀତି ସାମ୍ୟ ପ୍ରଚାର କଲାବେଳେ ଯେଉଁ କ୍ଷୁଦ୍ର ପ୍ରକୋଷ୍ଠଗୁଡ଼ିକର ସୃଷ୍ଟି କରେ ଓ ସେଥିରେ ଯେତେ ଦଳଗତ ମତର ପୁଷ୍ଟିପାଇଁ ସୁବିଧା ଦିଏ, ତାହା ଅତୀତରେ ଅଜ୍ଞାତ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ବେଷ୍ଟନୀର ପ୍ରଭାବ ଭେଦନୀତି ସହିତ ଅତିମାତ୍ରାରେ ସଂପୃକ୍ତ ହୋଇ ରହେ । ଜାତିଗତ ବିଦ୍ୱେଷ ହେତୁ ବେଷ୍ଟନୀର ଅପକାରିତା ଉପଲବ୍‌ଧି କଲାବେଳେ ଜାତିର ଶକ୍ତିସଂଚୟ ପାଇଁ ଏହା ଯେ ଅତ୍ୟନ୍ତ ଆବଶ୍ୟକ, ଏହା କେହି ଅସ୍ୱୀକାର କରିବେ ନାହିଁ ।

ଗଠନକ୍ରିୟାର ସୌଷ୍ଠବ ପାଇଁ ବେଷ୍ଟନୀର ବିଧାନ ହୋଇଥାଏ । ଜଗତରେ ଭଙ୍ଗାଗଢ଼ା ଲାଗିରହିଛି । କେତେବେଳେ ଭଲ ପଦାର୍ଥଟିଏ ଭାଙ୍ଗି ଯାଉଛି, ତାହା ପରିବର୍ତ୍ତରେ ମନ୍ଦ ପଦାର୍ଥଟିଏ ଗଢ଼ି ହୋଇଉଠୁଛି । ଅନେକ ସମୟରେ ବେଷ୍ଟନୀର ଦୋଷ କିମ୍ବା ଗୁଣ ସହିତ ବେଷ୍ଟନୀ ଅନ୍ତର୍ଭୁକ୍ତ ପଦାର୍ଥର କୌଣସି ସାମଞ୍ଜସ୍ୟ ରହେ ନାହିଁ । ଏତେ ବିଭ୍ରାଟରେ ସୁଦ୍ଧା ପ୍ରତ୍ୟେକର ଗୋଟାଏ ବେଷ୍ଟନୀ ଅଛି । କ୍ଷୁଦ୍ର ଓ ମହତ୍ ପାଇଁ ବିଭିନ୍ନ ବେଷ୍ଟନୀ ଥାଇପାରେ; କିନ୍ତୁ ସେଗୁଡ଼ିକ ସମଜାତୀୟ ଅଟନ୍ତି । ଦୀନ କୃଷକଟିଏ ଗୋଟିଏ ପଲ୍ଲୀରେ ତାର ସମସ୍ତ ଜୀବନକାଳ କଟାଇଦିଏ; ଜଗତର କୌଣସି ସମ୍ବାଦ ସେ ରଖେ ନାହିଁ କିମ୍ବା ଜଗତରେ କେହି ତାକୁ ଗଣନା କରେ ନାହିଁ । ପଲ୍ଲୀର କ୍ଷୁଦ୍ର କୁଟୀରଖଣ୍ଡିକରେ ତାର ସବୁ ଆଶା ଜଡ଼ିତ ଥାଏ । ଜଗତରେ ସେ ବଡ଼ ହେବ ବୋଲି ଆଶା ପୋଷଣ କରେ ନାହିଁ; କାରଣ ତାର ବେଷ୍ଟନୀଟି ଏତେ କ୍ଷୁଦ୍ର ଯେ, ବାହାରର କୌଣସି ବଡ଼ ପଦାର୍ଥକୁ ସେ ନିଜର ଧାରଣା ମଧ୍ୟରେ ଆଣିପାରେ ନାହିଁ । ଏପରି ଜୀବନରେ ମଧ୍ୟ ବ୍ୟତିକ୍ରମ ଦେଖାଯାଇଥାଏ । ଦୀନ କୃଷକ କୌଣସି ସମୟରେ ଜଗତରେ ଅତି ଉଚ୍ଚ ସ୍ଥାନ ଅଧିକାର କଲେ ଜୀବନର ସେହି ପରିବର୍ତ୍ତନ ସଙ୍ଗେ ବେଷ୍ଟନୀର ମଧ୍ୟ ପରିବର୍ତ୍ତନ ଘଟେ । ନିଉଟନ୍‌ଙ୍କର ଜ୍ଞାନ-ଗରିମା ଯେତେବେଳେ ଜଗଦ୍‌ବାସୀ ଜାଣିପାରିଲେ, ସେତେବେଳେ ସେ ଆଉ କୃଷିଜୀବୀ ବୋଲି ପରିଚିତ ହେଲେ ନାହିଁ । ଜନ୍ମଗତ ବେଷ୍ଟନୀ ସମସ୍ତଙ୍କର ଅଛି । ରାଜାଧିରାଜଠାରୁ ଆରମ୍ଭ କରି ଦୀନ କୃଷକ ପର୍ଯ୍ୟନ୍ତ ସମସ୍ତେ ଭିନ୍ନଭିନ୍ନ ବେଷ୍ଟନୀରେ ଆବଦ୍ଧ ରହନ୍ତି । ବଂଶପରମ୍ପରା ବୃତ୍ତି ଆଚରଣ କରି ଜୀବନ କଟାଇବାକୁ ଅଧିକାଂଶ ଭଲ ମନେ କରନ୍ତି; ତେଣୁ ସେମାନଙ୍କର ବେଷ୍ଟନୀରେ କୌଣସି ପରିବର୍ତ୍ତନ ଆସେ ନାହିଁ । ଦରିଦ୍ର କୃଷକ କିମ୍ବା ଧନ-କୁବେର ମଧ୍ୟରେ ଯେଉଁ ବ୍ୟବଧାନ ଦେଖାଯାଏ, ତାହା କେବଳ ବେଷ୍ଟନୀଗତ । ଦୁହିଁଙ୍କର ବେଷ୍ଟନୀକୁ ଅନ୍ତର କରିଦେଲେ କେହି କାହାରିଠାରୁ ବଡ଼ ବୋଲି ସହଜରେ ବିବେଚିତ ହୋଇପାରିବେ ନାହିଁ; କିନ୍ତୁ ଉଲ୍ଲିଖିତ ବ୍ୟତିକ୍ରମ ବିଷୟ ଆଲୋଚନା କଲେ ଜଣାଯିବ ଯେ, କ୍ଷୁଦ୍ର ଯେଉଁଠାରେ ମହତ୍ ହୁଏ, ସେଠାରେ ବେଷ୍ଟନୀ-ପ୍ରଭାବ ଅଳ୍ପ ପରିମାଣରେ କାର୍ଯ୍ୟ କରିଥାଏ । ସଂଖ୍ୟାତୀତ ବେଷ୍ଟନୀ ମନୁଷ୍ୟକୁ ଘେରି ରହିଛି । ଧନ କିମ୍ବା ଯଶଃ ଅର୍ଜନ କଲେ ମଧ୍ୟ ଏଥିରୁ ନିଷ୍କୃତି ମିଳେ ନାହିଁ । କେବଳ ତାର ପଥ ବିସ୍ତୃତ ହୋଇଯାଏ । ଏହି ବିସ୍ତୃତି ସଙ୍ଗେ ପ୍ରକୃତି ମନୁଷ୍ୟତ୍ୱର ବିଶେଷ ସମ୍ଫର୍କ ନାହିଁ । ଅନେକ ହୀନଦଶାପନ୍ନ ଲୋକ ଟିକିଏ ଭଲ ଅବସ୍ଥା ପାଇଲାକ୍ଷଣି ଗୋଟାଏ ସ୍ୱତନ୍ତ୍ର ବେଷ୍ଟନୀ ଗଢ଼ିବାକୁ ଚାହାନ୍ତି । ମହତ୍ତ୍ୱ ଦେଖାଇବା ଛଳରେ ଏମାନେ କେତେଗୁଡ଼ିଏ ସହଚର ଅନ୍ୱେଷଣରେ ରହନ୍ତି । ସହଚରମାନଙ୍କର ସ୍ୱଭାବକୁ ଲକ୍ଷ୍ୟ ରଖି ସେମାନେ ବେଷ୍ଟନୀ ଗଢ଼ନ୍ତି; କାରଣ ବିପରିତ କିମ୍ୱା ଉତ୍କୃଷ୍ଟ ସ୍ୱଭାବର ଲୋକ ଯଦି ସହଚରଶ୍ରେଣୀଭୁକ୍ତ ହୁଅନ୍ତି, ତାହା ହେଲେ ସବୁ ପଣ୍ଡ ହୋଇଯିବାର ଆସଙ୍କା ଥାଏ । ବର୍ତ୍ତମାନ ଯୁଗରେ ପ୍ରବଞ୍ଚନାର ଅଭାବ ନାହିଁ; ମହତ୍ତ୍ୱ ଦେଖାଇବା ଲୋକମାନଙ୍କ ସଂଖ୍ୟା ମଧ୍ୟ କମ୍ ନୁହେଁ । ଦେଶସେବକ, ସ୍ୱେଚ୍ଛାସେବକ ପ୍ରଭୃତି ପଦର ଅଭାବ ନାହିଁ; କିନ୍ତୁ ଦୁର୍ବଳତାକୁ ଘୋଡ଼ାଇ ରଖି ଯେଉଁ ବେଷ୍ଟନୀଟି ନିର୍ମାଣ କରିଥାନ୍ତି, ତାକୁ ନଷ୍ଟ କରିବା ପାଇଁ ବାହାରର କୌଣସି ପ୍ରଭାବ ପ୍ରଯୁକ୍ତ ହୁଏ ନାହିଁ। ଏହା ସ୍ୱତଃ ଉଭେଇଯାଏ । ନିଦାଘର ତପ୍ତ ଝଙ୍କାର ପରି ଏହା ଅଳ୍ପକାଳ ସକାଶେ ଗୋଟାଏ ଶୁଷ୍କତା ସୃଷ୍ଟି କରି ବିଲୀନ ହୋଇଯାଏ । ଶାନ୍ତି ଜଳାଶୟରେ ଉପଳଖଣ୍ଡ ନିକ୍ଷିପ୍ତ ହେଲା ମାତ୍ରେ ଯେପରି ଗୋଟାଏ କ୍ଷୁଦ୍ର ତରଙ୍ଗ ସୃଷ୍ଟି ସମସ୍ତ ଜଳାଶୟକୁ ବ୍ୟାପିଯାଏ, ସେହିପରି ମନୁଷ୍ୟର ବେଷ୍ଟନୀଟି କ୍ରମଶଃ ପ୍ରସାର ଲାଭ କରିବା ବାଞ୍ଛନୀୟ । ଏଥିରେ ଦୁର୍ବଳତାର ଚିହ୍ନ ରହିବ ନାହିଁ; ମନୁଷ୍ୟତ୍ୱର ବିକାଶ ପକ୍ଷରେ ଏହା ହିଁ ଗ୍ରହଣୀୟ ।

•••

 

ଅବସାଦ

ଜୀବନର ଅବସନ୍ନତାରେ ହୃଦୟର ଯେ ଭାବ ଫୁଟି ଉଠେ, ତାହା ଧାରାବାହିକ କାର୍ଯ୍ୟଗୁଡ଼ିକୁ କିଛିକ୍ଷଣ ପାଇଁ ନିଷ୍ପନ୍ଦ କରି ଗୋଟାଏ ନୂତନ ଭୂମିକା ସୃଷ୍ଟି କରେ । ଏହି ଭୂମିକାରେ ମାନବ ତାର ଅତୀତକୁ ଦେଖିନିଏ-କେତେ ଯୁଗର ସଞ୍ଚିତ କଳ୍ପନା-ପ୍ରଭାବରେ ହୃଦୟ ଯେ ଅଭାବ ଅନୁଭବ କରୁଥିଲା, ଘଟନାଚକ୍ରର ପରିବର୍ତ୍ତନରେ ସେହି ପ୍ରଭାବ ଗୋଟାଏ ବିରାମ ରଖି ଚାଲିଯାଇଛି । ସୁଖ-ଆଶାରେ ମନୁଷ୍ୟ ଯେ ରାତି ଅନୁସରଣ କରି ଅଗ୍ରସର ହେଉଥିଲା, ତାକୁ ପୁଣି ଭିନ୍ନ ଭାବରେ ଗ୍ରହଣ କରିବା ପାଇଁ ଆକସ୍ମିକ ପ୍ରେରଣା ଆସି ହୃଦୟ-ତନ୍ତ୍ରୀରେ ନୂତନ ଏକ ରାଗିଣୀର ସନ୍ଧାନ ଦେଇଗଲା; କିନ୍ତୁ ସେହି ବିରାମର ସୂତ୍ରପାତ ହେଲା, ମନୁଷ୍ୟ ଜୀବନର ପଟପରିବର୍ତ୍ତନର ଗୋଟାଏ ସୂଚନା ।

 

ପୁଞ୍ଜୀଭୂତ ସୁଖ ଓ ଦୁଃଖର ଅନୁଭୂତି ଜଗତର ବୈଚିତ୍ର୍ୟକୁ ମନୁଷ୍ୟ ପ୍ରାଣରେ ପୂର୍ଣ୍ଣମାତ୍ରାରେ ସ୍ପର୍ଶ କରାଇଦିଏ ନାହିଁ; ତେଣୁ ମାନବୀୟ କ୍ରିୟାପ୍ରଣାଳୀରେ ବ୍ୟକ୍ତିଗତ ସ୍ୱାର୍ଥର ଛାୟା ବେଶି ପରିମାଣରେ ଦେଖାଯାଏ । ବିଶ୍ୱପ୍ରକୃତି ସହିତ ତାର ମିଳାଇ ଗାଇବା ମାନବ-ପ୍ରାଣର ଆକାଙ୍କ୍ଷା ଜୀବନର ସୁଖ ଓ ଦୁଃଖରେ କିପରି ବିଚଳିତ ହୋଇଉଠେ, ତାହା ବ୍ୟକ୍ତିବିଶେଷଙ୍କର ଜୀବନୀ ଆଲୋଚନା କଲେ ଜଣାଯାଇପାରେ । ଉତ୍ତାଳ ତରଙ୍ଗ ଉଠିଲାବେଳେ ଜଳଭାଗର ବିଶିଷ୍ଟତା କେବଳ ଚଞ୍ଚଳତାରେ ଲକ୍ଷିତ ହୋଇଥାଏ । ସେହିପରି ଜୀବନ ଗୋଟିଏ କ୍ରିୟାର ଅଧୀନ ହେଲେ ମନୁଷ୍ୟର ଦୃଷ୍ଟି କୌଣସି ଏକ ନିର୍ଦ୍ଦିଷ୍ଟ ଦିଗରେ ଆବଦ୍ଧ ରହେ । ଉତ୍ସାହକୁ ଅତିମାତ୍ରାରେ ବ୍ୟୟ କଲେ ପ୍ରାଣର ସ୍ପନ୍ଦନ ବୃଦ୍ଧିପାଏ ସତ୍ୟ; କିନ୍ତୁ ତାହାର ଇଙ୍ଗିତରେ ଏହି ବ୍ୟାକୁଳତା ଦିନୁ ଦିନ ସତେଜ ହୋଇଉଠେ, ସେଥିପ୍ରତି କେହି ଲକ୍ଷ୍ୟ ରଖନ୍ତି ନାହିଁ । ଜଗତର ଭଲ ଓ ମନ୍ଦରେ ମନୁଷ୍ୟ ନିଜକୁ ଅସଂପୃକ୍ତ ରଖି ଯେ ଆଶ୍ୱସ୍ତି ପାଏ, ତାହା ତାର ସ୍ୱାର୍ଥପର ସ୍ୱଭାବର ଗୋଟାଏ ଲକ୍ଷଣ ହୋଇପାରେ; କିନ୍ତୁ ଅନ୍ୟ ପକ୍ଷରେ ନିଜତ୍ୱକୁ ପାସୋରି ଦେଲେ ଯେ ଉଦାର ଭାବ ପ୍ରକଟିତ ହୁଏ, ତାହା ଜୀବନର ସ୍ୱାଧୀନ ପଥ ଖୋଲିଦିଏ । ସଂସାରର ଜଞ୍ଜାଳ ଭିତରେ ଏହାକୁ ଖୋଜି ପାଇବା ପାଇଁ ମନୁଷ୍ୟ କେତେ ଥର ବ୍ୟଗ୍ର ହୋଇଉଠେ । ମନେ କରେ, ଏହାର ସନ୍ଧାନରେ ସେ ଜୀବନର ସବୁ ଦୈନ୍ୟ ଭୁଲିଯିବ; କିନ୍ତୁ ପଦେ ପଦେ ବାଧା ଆସି ସବୁ ବିଫଳ କରି ଦେଇ ଚାଲିଯାଏ । ଗୋଟାଏ ନିମେଷ ଦୀର୍ଘ ଜୀବନଢ଼ାଳ ମଧ୍ୟରେ ଅତି ତୁଚ୍ଛ ବୋଧ ହୋଇପାରେ; କିନ୍ତୁ ସେହି ନିମେଷକର ଦାଗ ହୃଦୟକୁ ଚିରକାଳ ପାଇଁ ବ୍ୟଥାର ସ୍ୱରରେ ହଜାଇ ଦେଇଯାଏ । ସଙ୍ଗୀତର ଲହରୀ ଖେଳି ଉଠେ, ଅନନ୍ତ ଆକାଶରେ ତାନର ମୂର୍ଚ୍ଛନା ମିଶିଯାଏ; କିନ୍ତୁ ରଖି ଦେଇଯାଏ ଗୋଟାଏ କ୍ଷୀଣ ପ୍ରତିଧ୍ୱନି । ପ୍ରତିଧ୍ୱନିର ବାସ୍ତବତା କିମ୍ବା ସ୍ଥାୟିତ୍ୱ କେହି ପ୍ରାୟ ବୁଝନ୍ତି ନାହିଁ; କିନ୍ତୁ ହୃଦୟର ଭାବକୁ ଗୋଟାଏ ନୂତନ ଛାଞ୍ଚରେ ଗଢ଼ି ଦେବାପାଇଁ ଏହା ଯଥେଷ୍ଟ ସାହାଯ୍ୟ କରେ । ଜୀବନର ଦୁଃଖ ଦୂର କରିବାକୁ କିମ୍ବା ଅସହ୍ୟ ଭାବର ବିରାମ ଆଣିବାକୁ ମନୁଷ୍ୟ ଅତୀତ ଆଡ଼କୁ ଦୃଷ୍ଟି ଫେରାଇ ଦେଖେ-ହୃଦୟ-ତନ୍ତ୍ରୀରେ ଯେ ରାଗିଣୀ ଥରେ ମୁହୂର୍ତ୍ତକ ପାଇଁ ଝଙ୍କୁତ ହୋଇ ଉଠିଥିଲା, ତାହା କେଉଁଆଡ଼େ ବିଲୀନ ହୋଇଯାଇଛି; କିନ୍ତୁ ଗାନର ପ୍ରତିଧ୍ୱନି ପରି ରହିଛି କେବଳ ଗୋଟାଏ ଅସ୍ପଷ୍ଟ ସ୍ପନ୍ଦନ । ଯାହା ଥରେ ସରସ ଓ ସୁନ୍ଦର ବୋଲି ରୂପ ଘେନି ଚିଦାକାଶରେ ଭାସି ଉଠିଥିଲା, ତାକୁ କ୍ରୂର ଘଟନା-ଚକ୍ର ଘୋଡ଼ାଇ ରଖିଛି; କିନ୍ତୁ ସ୍ମୃତିଟିକ ପ୍ରତିଧ୍ୱନି ପରି ପ୍ରାଣର ଆକର୍ଷଣକୁ ଇତସ୍ତତଃ କରିବାକୁ ତ୍ରୁଟି କରି ନାହିଁ । ଏହାରି ଫଳରେ କେତେ କ୍ଷଣଜନ୍ମା ପୁରୁଷଙ୍କ ଜୀବନ ବିଡ଼ମ୍ବିତ ହୋଇଅଛି ।

 

ବାଧା ଓ ନିର୍ଯ୍ୟାତନା ହୃଦୟର ନିଭୃତ ଦ୍ୱାରଟିକୁ ଅନେକ ସମୟରେ ଖୋଲିଦିଏ । କ୍ରମାଗତ ସୁଖ କିମ୍ବା ଦୁଃଖର ଢ଼େଉ ଉଠିଲେ ଅନ୍ତର ତାରି ପ୍ରଭାବରେ ନିସ୍ତେଜ ହୋଇପଡ଼େ । କାହାରି ଅସ୍ଥିର ଅନ୍ୱେଷଣରେ ମଧ୍ୟ ଏହା ସତେଜ ହୁଏ ନାହିଁ । ଗୋଟାଏ ହଠାତ୍ ବାଧା ଆସି ଜୀବନର ଅନୁସୃତ ଗତିକୁ ରୋଧ କଲେ ଯେ କ୍ଷୁବ୍‌ଧତା ଜନ୍ମେ, ତାହା ମନୁଷ୍ୟକୁ ଆତ୍ମପରୀକ୍ଷା ପାଇଁ ଅବସର ଦିଏ । କୌଣସି ଦ୍ରୁତଗାମୀ ଯାନ ଆକସ୍ମିକ ବାଧା ପାଇ ବର୍ତ୍ତ୍ମସ୍ଖଳିତ ହେଲା ପରି ସମୟ ସମୟରେ ମନୁଷ୍ୟର କର୍ମ-ମାର୍ଗରେ ଗୋଟାଏ ବିଭ୍ରାଟ ଆସେ । ସ୍ୱତଃପ୍ରଣୋଦିତ ହୋଇ କେହି କେବେ ସୁଖ ବିନିମୟରେ ଦୁଃଖକୁ ବରଣ କରେ ନାହିଁ; ବରଂ ଦୁଃଖର ଭାରକୁ ଭବିଷ୍ୟତ୍ ସୁଖ ପାଇବା ଆଶାରେ ମନୁଷ୍ୟ ଗ୍ରହଣ କରିନିଏ । ଜଗତର ହାହାକାର ଓ କ୍ରନ୍ଦନ ମଧ୍ୟରେ ଏହି ସୁଖ ପାଇବା ଆଶା ମନୁଷ୍ୟକୁ ଉଜ୍ଜୀବିତ କରି ରଖିଅଛି । ସମସ୍ତଙ୍କର ସକଳ ଆଶା ଯେ ସବୁ ସମୟରେ ପୂର୍ଣ୍ଣ ହୁଏ, ଏପରି ଭାବିବା ମଧ୍ୟ ଅନୁଚିତ । ଯୁଗ ପରେ ଯୁଗ ଆସି ଅତୀତରେ ମିଶି ଗଲାଣି; କିନ୍ତୁ ହୃଦୟର ଅଭାବକୁ କେହି ଠିକ୍ ରୂପେ ଆଜିପର୍ଯ୍ୟନ୍ତ ଅନୁସରଣ କରିପାରି ନାହିଁ ।

 

ଦୁଇ ଦିନ ପୂର୍ବେ ଯେ ଅଭାବ ମନକୁ ଅତିମାତ୍ରାରେ ବିକ୍ଷୋଭିତ କରୁଥିଲା, ବର୍ତ୍ତମାନ ହୁଏ ତ ତାହା ଭିନ୍ନ ଆକାର ଧାରଣ କଲାଣି କିମ୍ବା ଅନ୍ୟ ଏକ ଅଭାବ ଆସି ତାର ସ୍ଥାନ ଅଧିକାର କଲାଣି । ଏହି ଅଗଣିତ ପରିବର୍ତ୍ତନ ମଧ୍ୟରେ ହୃଦୟର ସ୍ଥିରତା ଆଣି ଜଗତକୁ ଗୋଟାଏ ଭାବରେ ଦେଖିବା ମଧ୍ୟ ଅସମ୍ଭବ । ବୋଧ ହୁଏ, ହୃଦୟର ଏହି ଚଞ୍ଚଳତା ମଧ୍ୟରେ ଯେ ପ୍ରଭାବ ଅଛି, ତାହା ମନୁଷ୍ୟ ଜାତିକୁ ଜଗତ୍ ପ୍ରତି ଟାଣି ରଖିଛି । ପ୍ରତ୍ୟେକ ପରିବର୍ତ୍ତନ ବେଳେ ଗୋଟାଏ ବାଧା କିଛିକ୍ଷଣ ପାଇଁ ଅନୁଭୂତ ହୋଇଥାଏ । ଏହିପରି ସହସ୍ର ବାଧା ଏଡ଼ି ପାରିଲେ ପ୍ରକୃତ ମନୁଷ୍ୟତ୍ୱର ପରିଚୟ ମିଳେ; ତେଣୁ ଜଗତର ଜଞ୍ଜାଳ ମଧ୍ୟରେ ଅନ୍ତରର ନିଭୃତ କାମନାକୁ ଗୋଟାଏ ଆକସ୍ମିକ ଘଟନା-ସ୍ରୋତରେ ଭସାଇ ଦେଲେ ମନୁଷ୍ୟ ସହଜରେ ପଥଭ୍ରଷ୍ଟ ପଥିକର ଦଶା ଭୋଗ କରେ ।

 

ଜୀବନର ପ୍ରଧାନ ବନ୍ଧନ ଓ ଆନନ୍ଦାନୁଭୂତି ଯାହାକୁ ଅବଲମ୍ବନ କରି ମନୁଷ୍ୟକୁ ଜଗତ୍ ପ୍ରତି ଆକୃଷ୍ଟ କରି ରଖେ, ତାକୁ ଅନ୍ତର କରି ଦେଲେ କିଛିକ୍ଷଣ ପାଇଁ ଗୋଟାଏ ବିରାମ ଆସେ । ଏହାକୁ ମଧ୍ୟ ଅବସର ବୋଲି କୁହାଯାଇପାରେ । ଅପରିମିତ ଉତ୍ସାହ ନଷ୍ଟ କରି ଜଣେ ଜଣକୁ ଅନୁସରଣ କରେ । ଅକାତରରେ ଜଗତର ସୁଖସମୃଦ୍ଧିକୁ ଉପେକ୍ଷା କରି ସେ ଦେଖେ– ଚକ୍ଷୁ ସମ୍ମୁଖରେ ଜଣକର ଅମଳ ସୌନ୍ଦର୍ଯ୍ୟ ପ୍ରାଣର ଉଦ୍ଦାମତା ଆଣି ଏତେ ଦିନଯାଏ ଯେ ସରସତାର ଉତ୍ସ ଉନ୍ମୁକ୍ତ କରି ରଖିଥିଲା, ତାହା ହଠାତ୍ ଲୋପ ପାଇଯାଇଛି କିମ୍ବା ଉତ୍ସଟି ଭିନ୍ନ ଦିଗରେ ଗତି କରି ପ୍ରାଣର ସ୍ପନ୍ଦନକୁ ଭିନ୍ନ ରୀତିରେ ବାଜିବାକୁ ଇଙ୍ଗିତ କରୁଛି । ଜୀବନର ସାଥୀ କରିନେବାକୁ ଯାଇ ଜଣେ ଅନ୍ୟର ସବୁ ଦୋଷ ମାର୍ଜନା କରେ, ଶତ ଲାଞ୍ଛନା ଭୋଗ କରେ, ଜୀବନର ଗତି ପରିବର୍ତ୍ତନ କରିଦେଇ ଗୋଟାଏ ଅର୍ଥଶୂନ୍ୟ ଶୁଷ୍କତା ସୃଷ୍ଟି କରେ; କିନ୍ତୁ ଏସବୁ ମଧ୍ୟରେ ଗୋଟାଏ ମାତ୍ର ଆକର୍ଷଣ ଆତ୍ମଗୋପନ କରିଥାଏ, ଯାହାକୁ ଅନ୍ତର ଭୁଲିବାକୁ କୁଣ୍ଠିତ ହୁଏ ଓ ଯାହାର ସାମାନ୍ୟ ସ୍ମୃତିଟିକରେ ଜୀବନ ପଲ୍ଲବିତ ହୋଇଉଠେ । ସମୟ ସମୟରେ ଗୋଟିଏ ଛେଦ ଆସି ଜୀବନ-ଯବନିକାକୁ ଭିନ୍ନ ଭାବରେ ପତନ କରି ଦେଇଯାଏ । ଏଠାରେ ଯେ ବିରାମ ଆସେ, ସେଥିରେ ଆଉ ଉଦ୍ଦୀପନାର ସମ୍ଭାବନା ଥାଏ ନାହିଁ । ପବିତ୍ର ପ୍ରଣୟୋଚ୍ଛ୍ୱାସରେ ଆକସ୍ମିକ ବିଡ଼ମ୍ବନା ଆସି ଗୋଟାଏ ସ୍ତବ୍‌ଧତା ସୃଷ୍ଟି କରି ଦେଇ ଗଲେ ସେଥିରେ ସମସ୍ତ ଜୀବନଟା ନୈରାଶ୍ୟରେ କଟିଯାଏ । କୈଶୋର କିମ୍ବା ଯୌବନର ସୁଖ-କଳ୍ପନା ଜୀବନ-ଯବନିକାକୁ ଯେ ରଙ୍ଗରେ ଚିତ୍ରିତ କରିଥାଏ, ତାହା ଘଟନା-ଚକ୍ରର ନିଷ୍ଠୁର ପରିବର୍ତ୍ତନରେ ଗୋଟାଏ ଭୟାବହ ଆବିଳତା ସୃଷ୍ଟି କରି ଜୀବନଟାକୁ ଗୋଟାଏ ମରୁଭୂମିରେ ପରିଣତ କରିଦିଏ ।

 

ଅବସାଦ ସୌନ୍ଦର୍ଯ୍ୟ-ବିକାଶରେ ସାହାଯ୍ୟ କରିଥାଏ । ଚନ୍ଦ୍ରିକାସ୍ନାତ ନିର୍ଜନ ନିଶୀଥିନୀରେ କୋକିଳର କୁଜନ ବିରହୀ ପ୍ରେମିକ ମନରେ ଯେ ଭାବାନ୍ତର ଆଣେ, ତାହା ଅଧିକାଂଶ ସମୟରେ ଜୀବନକୁ ଅବଶ କରିଦିଏ । ଚଞ୍ଚଳା ତଟିନୀ ଗିରିକନ୍ଦରରେ କୁଳୁ କୁଳୁ ରବରେ ବହିଯାଏ; କିନ୍ତୁ ଯେଉଁ ଅବ୍ୟକ୍ତ ଭାବର ମୂର୍ଚ୍ଛନା ଦିଏ, ସେଥିରେ ହୃଦୟର ସ୍ପନ୍ଦନ ଶିଥିଳ ହୋଇପଡ଼େ । ଦର୍ଶକ ସେଠାରେ ଦେଖେ-ଗୋଟାଏ ସରଳ ପ୍ରାଣର ପ୍ରତିବିମ୍ବ । ଉଦ୍ଦାମତା ଛାଡ଼ି ମନ ଯେତେବେଳେ ସରଳତା ଆଡ଼କୁ ଗତି କରେ, ସେତେବେଳେ ପ୍ରାକୃତିକ କ୍ରିୟା ସହିତ ସେ ଅସଂପୃକ୍ତ ରହିପାରେ ନାହିଁ । ଅବସନ୍ନତାରେ ନିଜତ୍ୱ ଭୁଲିଯିବା ସମ୍ଭବପର ହୋଇପାରେ; କିନ୍ତୁ ହୃଦୟର ଅବଲମ୍ବନକୁ ଦୁର୍ବଳ କରି ଭିନ୍ନ ରଙ୍ଗରେ ଆଙ୍କି ଦେଲେ ଜୀବନ ଅତି ତୁଚ୍ଛ ବୋଧହୁଏ । ପ୍ରକୃତ ସୌନ୍ଦର୍ଯ୍ୟ ଉପଭୋଗରେ ମତ୍ତତା ନାହିଁ; ତେଣୁ ସେହି ଅବଲମ୍ବନକୁ ଦୁର୍ବଳ ନ କରି ଅନ୍ତର କରିଦେବା ଉଚିତ । ଏପରି କରିବାଦ୍ୱାରା ଗୋଟାଏ ଅବସାଦ ଆସେ । ମନୁଷ୍ୟଜୀବନରେ ଅନେକ ଘଟନା ଘଟେ କେତେ ସରସ ସମ୍ପର୍କ ମୁହୂର୍ତ୍ତକେ ଲୋପ ପାଇଯାଏ, ପୁଣି କେତେକ ଜୀବନର ତୁଚ୍ଛତାକୁ ଆସି ବଢ଼ାଇ ଦିଅନ୍ତି । ଯାହା ଲୋପ ପାଏ, ସେଥିରେ ଅବସାଦ ଜନ୍ମେ । ମନୁଷ୍ୟ ଲୁପ୍ତ ଘଟନାକୁ ସ୍ମୃତିପଟରେ ଆଙ୍କିରଖେ, ଲୋକ ସମକ୍ଷରେ ତାକୁ ବର୍ଣ୍ଣନା କରିବାକୁ ମନ ବଳାଏ ନାହିଁ । ସେ ଜାଣେ ହୃଦୟର ନିଭୃତ ବେଦନାରେ ଗୋଟାଏ ସରସତା ଅଛି । ମନୁଷ୍ୟ ଯାହା ନିକଟରେ ଥରକ ପାଇଁ ଆତ୍ମସମର୍ପଣ କରିଦିଏ, ତାର ସମ୍ପର୍କକୁ ମନରୁ ଏକାବେଳକେ ପାସୋରି ଦେବା ଏକପ୍ରକାର ଅସମ୍ଭବ କହିଲେ ଚଳେ । କାହାରି ପ୍ରତାରଣାରେ ଯଦି ହୃଦୟର ସ୍ପଦନ ଅନୁଭୂତ ହୋଇଥାଏ, ତାହା ହେଲେ ଦିନ ଆସେ , ଯେତେବେଳେ ପ୍ରତାରକର ସ୍ମୃତି ହୃଦୟରେ ଦାରୁଣ ଆଘାତ କରେ । ସେତେବେଳେ ମନୁଷ୍ୟ ବୁଝେ, ଜଗତରେ ହୃଦୟର ମୂଲ୍ୟ କେହି ସହଜରେ ନିରୂପଣ କରି ପାରନ୍ତି ନାହିଁ ।

 

ଅବସାଦ ଆସୁ ନ ଥିଲେ ମନୁଷ୍ୟ ଅଧିକାଂଶ ସମୟରେ ଗୋଟାଏ ମୋହରେ ମାତି ଜୀବନଟାକୁ କଟାଇ ଦେଉଥାନ୍ତା । କୌଣସି ମୂଲ୍ୟବାନ୍ ପଦାର୍ଥକୁ ହଜାଇ ଦେବାରେ ଯେ ଦୁଃଖ ଆସେ, ପ୍ରତାରିତ ହେଲେ ତଦପେକ୍ଷା ବେଶି ଦୁଃଖ ଅନୁଭୂତ ହୁଏ । ଗୋଟିକରେ କଳ୍ପନା-ସୁଖର ଅଭାବ, ଅପରଟିରେ ବଞ୍ଚନା ଦୁଃଖର ପାର୍ଥକ୍ୟ ରଖିଦେଇ ଯାନ୍ତି । କଳ୍ପନା-ସୁଖରେ ମନୁଷ୍ୟ ସୌନ୍ଦର୍ଯ୍ୟର ବିକାଶ ଦେଖିପାରେ । ହୃଦୟକୁ ଥରେ ଜଣକ ନିକଟରେ ଅବନତ କରିଦେଲେ ଶତ ବାଧା ଆସି ତାକୁ ଦୂର କରିପାରେ ନାହିଁ । ଯାହା ଦୂର ହୋଇଯାଏ, ତାହା ଗୋଟାଏ ଆବରଣ ମାତ୍ର । ଅନ୍ତରର ଜିନିଷଟିକୁ ଭଲ କରି ଦେଖିନେବା ଉଚିତ । ଭଲ କରି ନ ଦେଖି ହୃଦୟାବେଗରେ ଜଣେ ଜଣକୁ ଅନୁସରଣ କଲେ ଭବିଷ୍ୟତରେ ଗୋଟାଏ କଳଙ୍କ ଚରିତ୍ରକୁ ଦୂଷିତ କରିପାରେ । ସାଧାରଣତଃ ଜୀବନରେ ଯେ ଅବସାଦ ଆସେ, ସେଥିରେ ମନୁଷ୍ୟ ଶ୍ରମସ୍ୱୀକାର କରି ଅତୀତ ଘଟନାବଳୀକୁ ଆଲୋଚନା କରେ ନାହିଁ । ଏପରି କରୁଥିଲେ ଜୀବନର ରହସ୍ୟମୟ ଅଂଶଟା କେତେକ ପରିମାଣରେ ହ୍ରାସ ପାଉଥାନ୍ତା । ସୌନ୍ଦର୍ଯ୍ୟର ଉପଲବ୍‌ଧି କରିବାକୁ ଯାଇ ଗୋଟିଏ ବୁଭୁକ୍ଷାର ଅଧୀନ ହେବା ବାଞ୍ଛନୀୟ ନୁହେଁ । ଆସ୍ୱାଦର ମର୍ମ ନ ଜାଣି କ୍ଷିପ୍ତ ହୋଇଉଠିଲେ ଅବସାଦ ଆସି ଗୋଟାଏ ବ୍ୟବଧାନ ସୃଷ୍ଟି କରେ । ଏହାରି ଫଳରେ ସୌନ୍ଦର୍ଯ୍ୟର ପରିଚୟ ମିଳେ-

 

ଆତ୍ମତୃପ୍ତି ପାଇଁ ଅବସାଦ ଲୋଡ଼ା । ସଙ୍ଗୀତର ଗୋଟାଏ ସ୍ୱରରେ ଆନନ୍ଦର ଉତ୍ସ ପୂର୍ଣ୍ଣମାତ୍ରାରେ ଖୋଲେ ନାହିଁ । ଭ୍ରମର ପୁଷ୍ପବିଶେଷରେ ପ୍ରାଣର ଉନ୍ମାଦନା ମେଣ୍ଟାଏ ନାହିଁ । ସମଜାତୀୟ ପତତ୍ରୀର କାକଳିରେ ଉଷାର ଆଗମନ ସୂଚିତ ହୁଏ ନାହିଁ । ଜଗତର ବୈଚିତ୍ର୍ୟ ଉପଭୋଗ କରିବାପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ପଥ ଥିଲେ ଜୀବନର ବ୍ୟାକୁଳତା ଆଦୌ ଜନ୍ମନ୍ତା ନାହିଁ କିମ୍ବା ଅବସାଦକୁ କେହି ଅନୁଭବ କରନ୍ତେ ନାହିଁ । ସମୟବିଶେଷରେ ଜୀବନର ସରସତା ସମ୍ପାଦନ ସକାଶେ ବିଷୟାନ୍ତରକୁ ଅନୁସରଣ କରିବା ମନୁଷ୍ୟ ପକ୍ଷରେ ଖୁବ୍ ସ୍ୱାଭାବିକ ହୁଏ ଓ ସେଥିଯୋଗୁଁ ପରିବର୍ତ୍ତନଶୀଳ ଜଗତର କ୍ରିୟାକଳାପରେ ସେ ତିଳେ ମାତ୍ର ବିସ୍ମୟ ଅନୁଭବ କରେ ନାହିଁ । ହୃଦୟ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ ବେଶି ଦିନ ଆବଦ୍ଧ ରହିଲେ କ୍ରମଶଃ ସଂକୀର୍ଣ୍ଣ ହୋଇପଡ଼େ, ଦୃଷ୍ଟିରେଖା ବିଶ୍ୱର ଅସୀମତାରେ ମଜ୍ଜି ରହିବାକୁ ଦ୍ୱିଧା ବୋଧ କରେ ।

 

କ୍ଷୀଣତାକୁ ସବଳ କରିବାରେ ଅବସାଦ ଯେଉଁ ତୀବ୍ର ଆଘାତ ଦିଏ, ତାହା ଅନୁଭବୀ ବ୍ୟତୀତ ଅନ୍ୟ କେହି ହୃଦୟଙ୍ଗମ କରିପାରିବେ ନାହିଁ । ରୂପର ସୌନ୍ଦର୍ଯ୍ୟରେ ମନ ଉତ୍‌କ୍ଷିପ୍ତ ହୋଇପଡ଼ିଲେ ଅବସାଦ ଆସି ତାକୁ ଦୂର କରେ । ମନୁଷ୍ୟକୁ ପତନମୁଖରୁ ରକ୍ଷା କରିବାପାଇଁ ଏହା ଏକ ଉତ୍କୃଷ୍ଟ ଉପାୟ । ବିଷୟ-ଭୋଗରେ ମନର ଚଞ୍ଚଳତା କ୍ରମଶଃ ବଢ଼ି ଉଠିଲେ ଅଲକ୍ଷିତରେ ଅନ୍ତର ନିସ୍ତେଜ ହୋଇଯାଏ । ବାହ୍ୟ କର୍ମ-ନିପୁଣତା ଜୀବନର ପ୍ରକୃତ ଅଭାବକୁ ଜଣାଇଦିଏ ନାହିଁ । ଭ୍ରମବଶତଃ ଅଧିକାଂଶ ସମୟରେ ମନୁଷ୍ୟ ଯେ ପଥରେ ଗତି କରୁଥାଏ, ତାହା ତାକୁ ପ୍ରକୃତ ଆନନ୍ଦର ସନ୍ଧାନ ଦିଏ ନାହିଁ; ତେଣୁ ଅବସାଦ ଆସି ଗୋଟାଏ ସ୍ତବ୍ଧତା ସୃଷ୍ଟି କରେ । ଏହାରି ପ୍ରଭାବରେ ସେ ଚଞ୍ଚଳତାକୁ ଦୂର କରି ପୁଣି ଏକ ନୂତନ ଜୀବନର ଭିତ୍ତି ସ୍ଥାପନ କରେ । ଜୀବନରେ କେତେଗୁଡ଼ିଏ ଢେଉ ଉଠେ, କେତେ ରୂପରେ ହୃଦୟ ଆଲୋଡ଼ିତ ହୁଏ, ଜଣକର ପ୍ରଭାବକୁ ଅନ୍ୟ ଜଣେ ଆସି ମନ୍ଦୀଭୂତ କରିଦିଏ, ଅସଂଖ୍ୟ ସ୍ୱରରେ ଅନ୍ତରର ବୀଣା ବାଜିଉଠେ; କିନ୍ତୁ ସମସ୍ତଙ୍କର ଗୋଟାଏ ଗୋଟାଏ ସୀମା ଅଛି । ଏହି ସୀମାରେ ଅବସାଦ ତାର ବୈଜୟନ୍ତୀ ଉତ୍ତୋଳନ କରି ମାନବ-ପ୍ରାଣକୁ ସୁସ୍ଥିର କରିବା ପାଇଁ ଯେ ପ୍ରେରଣା ଦିଏ, ତାହା କୌଣସି ଉପଭୋଗରେ ମିଳେ ନାହିଁ । ପ୍ରତ୍ୟେକ ଉପଭୋଗର ପ୍ରତିକିୟାରୂପେ ଅବସାଦର ଛାୟା ହୃଦୟକୁ କିଛିକ୍ଷଣ ପାଇଁ ଅଧିକାର କରୁ ନ ଥିଲେ ମନୁଷ୍ୟ ନୂତନତ୍ୱର ରସ ଗ୍ରହଣ କରିବାକୁ ଅକ୍ଷମ ହେଉଥାନ୍ତା । ଯୌବନର ଅବସାଦରେ ବାର୍ଦ୍ଧକ୍ୟର ତୃପ୍ତି ନ ଥିଲେ ଜୀବନଟା ତୁଚ୍ଛ ବୋଧ ହୁଅନ୍ତା । ଯଯାତି ନିଜ ପୁତ୍ରଠାରୁ ଯୌବନ ପାଇଥିଲେ; କିନ୍ତୁ ସେଥିରେ କାହିଁକି ତୃପ୍ତି ଆସିଲା ନାହିଁ ? ଅବସାଦ ପରେ ସେ ତୃପ୍ତି ଆସେ, ତାହା ସ୍ଥାୟୀ ବୋଲି ଜଣାଯାଏ ।

 

ଆସକ୍ତି ଓ ଭୋଗର ନିବିଡ଼ ସମ୍ୱନ୍ଧରେ ସାଂସାରିକ ଜୀବନର ଉପାଦେୟତା ସାଧାରଣତଃ ପ୍ରମାଣିତ ହୋଇଥାଏ । ଏହାକୁ ଉପେକ୍ଷା କରି କେବଳ ଦୁଇଟି ହୃଦୟର ଅନାସକ୍ତ ମିଳନରେ ଯେ ଆନନ୍ଦ ଅନୁଭବ କରାଯାଏ; ତାହା ପ୍ରାୟ ଆଧୁନିକ ଯୁଗରେ ବିରଳ କହିଲେ ଚଳେ-। ଏପରି ମିଳନ କବିର ବର୍ଣ୍ଣନାରେ ଦେଖିବାକୁ ମିଳିପାରେ । ବିଷୟ-ମୋହର ଉନ୍ମାଦନାରେ ଅନ୍ତରର ସାର ଜିନିଷଟି ଚିରଦିନ ପାଇଁ ନିଭୃତରେ ରହିଯାଏ । ଆଜିକାଲି ଆମ୍ଭମାନଙ୍କ ମନରେ ଯେ କ୍ଷଣିକ ଅବସାଦ ଆସୁଛି, ତାହା କେବଳ ଜୀବନର ସାମୟିକ କ୍ଷିପ୍ତତା ଛଡ଼ା ଅନ୍ୟ କିଛି ନୁହେଁ-। ଅବସାଦ ଆସିଲେ ମନ ସ୍ୱତଃ ଅବନତ ହୋଇପଡ଼େ । ହୃଦୟର ଆଦରଣୀୟ ଅବଲମ୍ୱନଟି ଲୋପ ପାଇଯାଏ; କିନ୍ତୁ ଯେ ସ୍ମୃତିଟିକ ରଖି ଦେଇଯାଏ, ସେଥିରେ ବ୍ୟାକୁଳତାର ଚିହ୍ନ ସୁଦ୍ଧା ଦେଖାଯାଏ ନାହିଁ । ଆଜି ମନୁଷ୍ୟର ମନ ବିଷୟ-ମୋହରେ ଯେପରି ଉଦ୍‌ଭ୍ରାନ୍ତ ହୋଇଉଠୁଚି, ସେଥିରେ ଏପରି ଅବସ୍ଥାରେ ଅନୁଭୂତ ହେବା ଅସମ୍ଭବ କହିଲେ ଚଳେ । ସମଜାତୀୟ ପଦାର୍ଥର ମିଳନ ଶୀଘ୍ର ସମ୍ପାଦିତ ହୋଇଥାଏ; କିନ୍ତୁ ହୃଦୟସମ୍ପର୍କରେ ଏଥିରେ ବ୍ୟତିକ୍ରମ ଦେଖାଯାଏ । ଦୁଇଟି ହୃଦୟ କିଛି ସମୟ ପାଇଁ ମିଳିଯାନ୍ତି । ଗୋଟାଏ ସ୍ରୋତରେ ଦୁଇଟି ଜୀବନ ଏକାଠି ଭାସି ଯାଉଥାଏ; ହଠାତ୍ କି ପରିବର୍ତ୍ତନ ଆସେ ଯେ, ଦୁଇଟିଯାକ ଚିର କାଳ ପାଇଁ ବିଚ୍ଛିନ୍ନ ରହନ୍ତି । ଏପରି ଦୃଷ୍ଟାନ୍ତ ସଂସାରରେ ଯଥେଷ୍ଟ ଦେଖିବାକୁ ମିଳେ । ଏ ସମ୍ପର୍କରେ ଗୋଟିଏ କଥା ମନେ ରଖିବାକୁ ହେବ ବିଚ୍ଛିନ୍ନତାରେ ଦୁଃଖ କରିବାର କାରଣ ନାହିଁ । ଏହା ଅବସାଦ ପ୍ରଧାନ ରଙ୍ଗଭୂମି । ମନୁଷ୍ୟ ଜୀବନରେ ଯଦି କିଛି ବିଶେଷତ୍ୱ ଥାଏ, ତାହା ହେଲେ ତାକୁ ଏହିଠାରେ ଆରୋପ କରିଦେବା ସବୁଠାରୁ ସମୀଚୀନ ବୋଧ ହୁଏ । ହୃଦୟର ଅବଲମ୍ୱନକୁ ଦୂର କରି ଯେ ଗୋପନ-ପୂଜା ଅର୍ପଣ କରାଯାଏ, ସେଥିରେ ପ୍ରକୃତ ମହତ୍ୱ ଥାଏ ଏବଂ ତାହା ସାଧାରଣ ସଂସାରୀର ବିଷୟଜ୍ଞାନ ଉପରେ ନିର୍ଭର କରେ ନାହିଁ । ଆଉ ଗୋଟିଏ କଥା ସମ୍ପର୍କରେ ସ୍ମରଣ ରଖିବାକୁ ହେବ । ଆକର୍ଷଣର ପ୍ରଭାବ ବେଶି ପରିମାଣରେ ଅନୁଭୂତ ହେଲେ ଅବସାଦଟା କ୍ଷିପ୍ତତାରେ ପରିଣତ ହୋଇଥାଏ-। ଆକର୍ଷଣ ଶରୀର ସମ୍ୱନ୍ଧ ଘେନି ପ୍ରବଳ ହୋଇଉଠେ; କିନ୍ତୁ ଅବସାଦ ଆକର୍ଷଣ ଉପରେ ନିର୍ଭର କରେ ନାହିଁ । ଭୋଗ-ସ୍ପୃହାକୁ ପରାସ୍ତ କରି ମନର ସ୍ଥିରତା ଆଣିବା ପାଇଁ ଅବସାଦ ନିତାନ୍ତ ଆବଶ୍ୟକ ବୋଲି ମନେ ହୁଏ ।

 

ଦୀପକ ରାଗରେ ସଙ୍ଗୀତର ଝଙ୍କାର ହୃଦୟକୁ ଏକ ଅତୀନ୍ଦ୍ରିୟ ରାଜ୍ୟକୁ ଘେନି ଗଲେ ମନୁଷ୍ୟ ତାର ନିଜ ସତ୍ତା ସୁଦ୍ଧା ଭୁଲିଯାଏ । ପ୍ରେମିକ ପ୍ରେମରସରେ ବୁଡ଼ି ରହେ, ପ୍ରେମିକାର ଅନ୍ତରରେ ସେ ନିଜକୁ ବିଲୀନ କରିଦିଏ । ତା ନିକଟରେ ସଂସାରର ସବୁ ଆକର୍ଷଣ ଲୋପ ପାଇଯାଏ । ଯାବତୀୟ ଜଟିଳତା ଭେଦ କରି ବିଶ୍ୱପ୍ରକୃତି ମନୁଷ୍ୟର ହୃଦୟ ସହିତ ସମ-ସ୍ୱରରେ ଯେଉଁ ଅମର ଗାନର ତାନ ଧରେ, ସେଥିରେ ପାର୍ଥିବ ସନ୍ତାପର ଚିହ୍ନ ମାତ୍ର ରହେ ନାହିଁ । ଅନାବିଳ ସଙ୍ଗୀତ ଓ ପ୍ରେମରେ ହୃଦୟର ଯେ ଭାବ ଫୁଟିଉଠେ, ତାହା ଜଗତକୁ ଏକ ନୂତନ ଆଭାରେ ରଞ୍ଜିତ କରିଦିଏ । ଏହିଠାରେ ମନୁଷ୍ୟର ଯେ ଦେବତ୍ୱ ଆସେ, ତାହା ତାର ପୂର୍ବ ଅବସାଦସଂସ୍କାରରୁ ଉତ୍ପତ୍ତି ଲାଭ କରିଥାଏ, କାରଣ ଗୋଟାଏ ବ୍ୟବଚ୍ଛେଦହୀନ ଦଶାର ଅଧୀନ ହୋଇ କେହି କେବେ ଉନ୍ନତିର ଚରମ ସୋପାନରେ ଉପନୀତ ହୁଏ ନାହିଁ । ଅନନ୍ତ ଜୀବନ-ପଥରେ ଅବସାଦ କେବଳ ସ୍ମାରକ ସ୍ତମ୍ଭ ପରି କାର୍ଯ୍ୟ କରିଥାଏ । ମନୁଷ୍ୟ ଅଗ୍ରସର ହୁଏ, କେତେ ରୂପବତୀର ପ୍ରେମରେ ଓ ସଙ୍ଗୀତର ପ୍ରାଣସ୍ପର୍ଶୀ ମୂର୍ଚ୍ଛନାରେ ନିଜତ୍ୱ ଭୁଲିଯାଏ; କିନ୍ତୁ ଗୋଟାଏ ଅବସାଦ ଆସିଲାକ୍ଷଣି ସେ ଯେଉଁ ଅବ୍ୟକ୍ତ ଭାବ ଅନୁଭବ କରେ, ସେଥିରେ ତାର ହୃତ୍‌ଶକ୍ତି ଆତ୍ମପ୍ରକାଶ କରେ । ଲୋକ ଚକ୍ଷୁରେ ଅବସାଦ ହୃଦୟର ଜଡ଼ତା ସମ୍ପାଦନ କରେ ବୋଲି କୁହାଯାଇପାରେ; କିନ୍ତୁ ପ୍ରକୃତରେ ତାହା ନୁହେଁ । ଗଭୀର ଅନ୍ଧକାରରେ ଆଲୋକ ଅତି ପ୍ରଚ୍ଛନ୍ନରେ ଥାଏ; ସୁତରାଂ ଅନ୍ଧକାରକୁ ଆଲୋକର ଭିତ୍ତିସ୍ୱରୂପ ଧରିଲେ କିଛି କ୍ଷତି ନାହିଁ । ବର୍ତ୍ତମାନ ଆମ୍ଭେମାନେ ଅବସାଦକୁ ଭାବୀ ମଙ୍ଗଳର ଉତ୍ସସ୍ୱରୂପ ଗ୍ରହଣ କରିପାରୁ । ରୂପ-ମୋହରେ ଚକ୍ଷୁ ଯେତେବେଳେ ଝଲସି ଉଠେ, ଅନ୍ତରର ବେଦନା ଭାଷାରେ ବ୍ୟକ୍ତ କରି ହୁଏ ନାହିଁ, ଗୋଟାଏ ପ୍ରଳୟସଙ୍କାଶ ମୋହରେ ମନ କ୍ଷିପ୍ତ ହୋଇପଡ଼େ, ସେତେବେଳେ ଅବସାଦ ଆସି ଗୋଟାଏ ଦୀର୍ଘ ପର୍ଦ୍ଦା ଟାଣି ଦେଇଯାଏ । ଜୀବନଟା ଗୋଟାଏ ମରୁଭୂମି ପରି ପ୍ରତୀୟମାନ ହୁଏ; କିନ୍ତୁ ସେହି ମରୁଭୂମିରେ ନନ୍ଦନର ପାରିଜାତ ଫୁଟି ଉଠେ । ସୌନ୍ଦର୍ଯ୍ୟ ମୋହ ଚାଲିଯାଏ, ରହିଯାଏ କେବଳ ଗୋଟାଏ ଝଙ୍କାର । ଏହି ଝଙ୍କାର ଜୀବନରେ ଯେ ଯେତେ ପରିମାଣରେ ଅନୁଭବ କଲାଣି, ତାର ପଥ ସେହି ପରିମାଣରେ ଅନୁଭବ କଲାଣି, ତାର ପଥ ସେହି ପରିମାଣରେ ପରିଷ୍କୃତ ହୋଇଗଲାଣି । ଦିନ ଆସେ, ଯେତେବେଳେ ଦୁଇଟା ଆଲୋକ ଦୁଇଦିଗରୁ ଆସି ଏକାଠି ମିଳିତ ହୋଇଯାନ୍ତି ଓ ଅବସାଦର ପର୍ଦ୍ଦା ଚିରଦିନ ପାଇଁ ଲୋପ ପାଇଯାଏ । ମନେ ରଖିବାକୁ ହେବ-ଅବସାଦ ଗୋଟାଏ ସଂସ୍କାରକ ମାତ୍ର ।

•••

 

ପ୍ରିୟ-ଦର୍ଶନ

ଜୀବନର ରମଣୀୟତା ଐଶ୍ୱର୍ଯ୍ୟରେ ନିହିତ । ଐଶ୍ୱର୍ଯ୍ୟର ବିଶ୍ଳେଷଣରେ ଯେ କେତୋଟି ଉପାଦାନ ମିଳେ, ତନ୍ମଧ୍ୟରୁ ଦର୍ଶନର ବିଶିଷ୍ଟତା ପ୍ରତି ଲକ୍ଷ୍ୟ କରାଯାଉ । ବିଶ୍ୱରୂପ ଦର୍ଶନରେ ଅମିତବିକ୍ରମ ଅର୍ଜ୍ଜୁନଙ୍କର ଯେଉଁ ଉଦ୍‌ବୋଧନ ଆସିଥିଲା, ଆଜି ତାହା କାଳ୍ପନିକ ବୋଧ ହୋଇପାରେ; କିନ୍ତୁ କୌଣସି ଦୁର୍ଲ୍ଲଭ ଦର୍ଶନରେ ଅନ୍ତରର ଅନୁଭୂତିକୁ କେହି ଅସ୍ୱୀକାର କରିବେ ନାହିଁ । ବିଶ୍ୱ ପ୍ରକୃତିରେ ଆଲୋକର ପ୍ରଭାବ ଘେନି ଦୃଷ୍ଟିର ସଞ୍ଚାଳନ ହୁଏ; କିନ୍ତୁ ସମସ୍ତଙ୍କର ଦୃଷ୍ଟି ସମାନ ରହେ ନାହିଁ । ବୈଜ୍ଞାନିକ ଆଲୋକର ଗତି ନିର୍ଣ୍ଣୟ କଲାବେଳେ ଯେପରି ଗାଣିତିକ ନିୟମର ଅଧୀନ ହୁଅନ୍ତି, ମନୁଷ୍ୟ ଦୃଷ୍ଟି ସଞ୍ଚାଳନ କଲାବେଳେ ସେପରି କୌଣସି ନିୟମର ଅପେକ୍ଷା ରଖେ ନାହିଁ । ତାର ଚକ୍ଷୁ ଦୁଇଟି ଅତି କ୍ଷୁଦ୍ର ହେଲେ ସୁଦ୍ଧା ସେ ବସ୍ତୁଜଗତକୁ ଯେପରି ଦେଖିପାରେ, ଅନ୍ୟ ପ୍ରାଣୀ ପକ୍ଷରେ ସେପରି ସମ୍ଭବ ହୁଏ ନାହିଁ । ଦୃଷ୍ଟି-ବୈଷମ୍ୟ ସକାଶେ ଭଲ ଓ ମନ୍ଦ ମଧ୍ୟରେ ଗୋଟାଏ ସର୍ବବାଦିସମ୍ମତ ପାର୍ଥକ୍ୟ ଏ ପର୍ଯ୍ୟନ୍ତ ସ୍ଥିର କରାଯାଇପାରି ନାହିଁ । ଜଣକର ଦୃଷ୍ଟିରେ ଯାହା ଭଲ ବୋଲି ଗ୍ରହଣୀୟ, ଅପର ଚକ୍ଷୁରେ ତାହା ଅତି ତୁଚ୍ଛ ବୋଲି ପ୍ରତିପନ୍ନ ହେବା ଅସ୍ୱାଭାବିକ ନୁହେଁ ।

 

ସୁଖ-ପ୍ରୟାସରେ କେହି ପରାଙ୍‌ମୁଖ ହୁଏ ନାହିଁ; କିନ୍ତୁ ସମସ୍ତଙ୍କର ଐଶ୍ୱର୍ଯ୍ୟପ୍ରାପ୍ତିର ପନ୍ଥା ସମାନ ନୁହେଁ । ଆସକ୍ତି ଓ ଅନାସକ୍ତିର ମାତ୍ରା ଜୀବ-ଧର୍ମ ପାଳନରେ କେତେ ଦୂର ଗ୍ରହଣୀୟ, ତାହା ଆମ୍ଭମାନଙ୍କର ଆଲୋଚନାର ବିଷୟ ନୁହେଁ । ସାଧାରଣତଃ ଆସକ୍ତିର ଅଧୀନ ହୋଇ ମନୁଷ୍ୟ ସାଂସାରିକ ସୁଖକାମନା କରେ । ପାର୍ଥିବ ବିଷୟଗୁଡ଼ିକ କାମନା ସହିତ ବିଶେଷ ଭାବରେ ସଂପୃକ୍ତ ଥାଏ ବୋଲି ସେ ବସ୍ତୁମୋହରେ ବଡ଼ ବ୍ୟାକୁଳ ହୋଇପଡ଼େ । ଦର୍ଶନେନ୍ଦ୍ରିୟ ସାହାଯ୍ୟରେ ମନୁଷ୍ୟର ଏହି ବ୍ୟାକୁଳତା ବଢ଼ିଯାଏ; ତେଣୁ ଉତ୍କଣ୍ଠିତ ହୃଦୟରେ ମନୁଷ୍ୟର ଦୃଷ୍ଟିରେଖା ଗୋଟାଏ ଈପ୍ସିତ ବିଷୟକୁ ଅବଲମ୍ୱନ କରି ଜୀବନରେ ଏକ ଅପୂର୍ବ ଅଧ୍ୟାୟର ଅବତାରଣା କରେ । କେବଳ ଜୀବତ୍ୱ ସମ୍ପର୍କରେ କୌଣସି ନୂତନତ୍ୱ ଦେଖାଯାଏ ନାହିଁ । ଦର୍ଶନ-ସୁଖ ସହିତ ଅନ୍ତରର ପ୍ରେରଣା ସଂଶ୍ଳିଷ୍ଟ ହେଲେ ଯେଉଁ ଅଭିନତ ଗତି ସୃଷ୍ଟି ହୁଏ, ସେଥିରେ ଜୀବନର ଧାରା ଗୋଟାଏ ସ୍ୱତନ୍ତ୍ରତା ଦେଖାଇ ବହିଯାଏ । ଏଥିରେ କାମନାର ପ୍ରଭାବ ଥାଇପାରେ; କିନ୍ତୁ ଗୋଟାଏ ବିକାଶ ଆଣିବା ପାଇଁ ଏହି ସୁଗମ ପଥକୁ ଅନାଦର କରିବା ଉଚିତ ନୁହେଁ । ସୁନ୍ଦର ଦୃଶ୍ୟଟି ସମସ୍ତଙ୍କର ଆଦରଣୀୟ ହୁଏ । ଅନ୍ତରର କୋମଳତା ଏଥିରେ ଉଚ୍ଛ୍ୱସିତ ହେଲେ ମନୁଷ୍ୟର ଚକ୍ଷୁ ସମ୍ମୁଖରେ ସୌନ୍ଦର୍ଯ୍ୟର ଗୋଟାଏ ଦୀପ୍ତି ଝଲସି ଉଠେ । ସୌନ୍ଦର୍ଯ୍ୟର ଆଧାର ଯେଉଁ ଦୀପ୍ତି ଦାନ କରେ, ତାହା ଚକ୍ଷୁର କ୍ଷଣିକତୃପ୍ତି ଆଣେ; କିନ୍ତୁ ହୃଦୟର ପ୍ରେରଣାକୁ ଅନୁସରଣ କରି ତାହା ଭାବରାଜ୍ୟରେ କେତେ ଦୂର ଗତି କରିପାରେ, ନିର୍ଣ୍ଣୟ କରିବା ସହଜ ନୁହେଁ । ହୃଦୟର ଉଚ୍ଛ୍ୱାସ କୌଣସି ଦୃଷ୍ଟ ବିଷୟରୁ ଉତ୍ପତ୍ତି ଲାଭ କରି ବିସ୍ତୃତ ହୋଇପାରେ । ତାକୁ କଳନା କରିବା ଦର୍ଶନେନ୍ଦ୍ରିୟର କାର୍ଯ୍ୟ ନୁହେଁ । ମନୁଷ୍ୟର ଦର୍ଶନ ଓ ଅନୁଭୂତ ଗୋଟାଏ ସମାନ ନିୟମ ପାଳନ କରେ ନାହିଁ । ଚକ୍ଷୁର ପଲକରେ ଗୋଟାଏ ପଦାର୍ଥକୁ ଦେଖି ପାସୋରି ଦେଇପାରେ; କିନ୍ତୁ ଗୋଟାଏ ଅନୁଭୂତିକୁ ଏତେ ଶୀଘ୍ର ହୃଦୟ ଛାଡ଼ିପାରେ ନାହିଁ । ସମସ୍ତ ଜୀବନଟା କଟିଯାଏ, ମନୁଷ୍ୟ ଅସଂଖ୍ୟ ଦୃଶ୍ୟ ଦେଖେ; କିନ୍ତୁ କେତେଟାର ମାତ୍ର ଅନୁଭୂତି ତାର ଜୀବନରେ ବଦ୍ଧମୂଳ ହୋଇ ରହେ । ଅନ୍ତରର ଅନ୍ୱେଷଣ ସବୁବେଳେ ଗୋଟାଏ ଦିଗରେ ଗତି କରେ ନାହିଁ । ଆଜି ଯାହାକୁ ମନୁଷ୍ୟ ହୃଦୟରେ ଲୋଡ଼ୁଚି ଓ ଯାହାର ପ୍ରତିକ୍ଷାରେ ସଂସାରର ଯାବତୀୟ ବସ୍ତୁକୁ ତୁଚ୍ଛ ବୋଧ କରୁଅଛି, ତାକୁ ପୁଣି ବିସ୍ତୃତ ହେବା ତାର କେଉଁ ଧର୍ମ ? ବିନାଶଶୀଳ ପଦାର୍ଥଗୁଡ଼ିକର ପରିଣତି ଶାଶ୍ୱତ ଆନନ୍ଦର ଗୋଟାଏ ସଙ୍କେତ ମାତ୍ର । ମନୁଷ୍ୟ ସଂସାରକୁ ସାର କରିଥାଏ; କିନ୍ତୁ ଯେତେବେଳେ ସଂସାରର ବନ୍ଧନ ଅତି ନିର୍ମମ ଭାବରେ ଛିଣ୍ଡିଯାଏ, ସେତେବେଳେ ଗୋଟାଏ ଅନ୍ଧକାର ଆସେ ଓ ଏହି ଅନ୍ଧକାରରେ ଆଲୋକର ସନ୍ଧାନ ନେବା ପାଇଁ ମନୁଷ୍ୟକୁ ଅବସର ମିଳେ । ବିସ୍ତୃତ ହେବା ଯଦି ମନୁଷ୍ୟର ସ୍ୱଭାବ ହୋଇ ନ ଥାନ୍ତା, ତାହା ହେଲେ ପତନଶୀଳ ଜଡ଼ଜଗତରେ ତାର ସବୁ ଆୟାସ ଚିରଦିନ ପାଇଁ ଆବଦ୍ଧ ରହୁଥାନ୍ତା ।

 

ମନୁଷ୍ୟର ଅନିବାର୍ଯ୍ୟ ପିପାସା ସବୁବେଳେ ଗୋଟାଏ ମନ୍ଦ ଲକ୍ଷଣ ନୁହେଁ । ଗୋଟିକରେ ପୂର୍ଣ୍ଣ ତୃପ୍ତି ଅନୁଭବ କଲେ ସାଧାରଣତଃ ସଙ୍କୁଚିତ ଦୃଷ୍ଟିର ପରିଚୟ ମିଳେ । ଅନୁପମା ସୁନ୍ଦରୀର ମୁଖ-ମଣ୍ତଳରେ ସୁଦ୍ଧା ସୌନ୍ଦର୍ଯ୍ୟର ପୂର୍ଣ୍ଣତା ଲକ୍ଷିତ ହୋଇପାରେ ନାହିଁ । ସାମାନ୍ୟ ଦୋଷ ଦେଖାଯିବ। ସହଜ ନୁହେଁ । ବିଶେଷତଃ ଦୃଷ୍ଟିର ଲୋଲୁପତା ସୂକ୍ଷ୍ଣ ବିଚାର ପାଇଁ ସୁବିଧା ଦିଏ ନାହିଁ । ଦର୍ଶନର ଆନନ୍ଦ ଯେତେବେଳେ ଲାଳସା ଆଡ଼କୁ ଗତି କରେ, ସେତେବେଳେ ଗୋଟାଏ ଶାରୀରିକ ଉତ୍ତେଜନା ଆସେ ।

 

ଅନେକେ ଉତ୍ତେଜନାର ବଶବର୍ତ୍ତୀ ହୋଇ ସୌନ୍ଦର୍ଯ୍ୟର ଆଧାରକୁ ଗ୍ରହଣ କରନ୍ତି ଓ ସେହି ଆଧାରର ତିରୋଧାନରେ ମ୍ରିୟମାଣ ହୋଇପଡ଼ନ୍ତି । ସାଧାରଣ ମନୁଷ୍ୟ ପକ୍ଷରେ ଦୋଷ ଓ ଗୁଣର ଭିନ୍ନତା ଦେଖି ସୌନ୍ଦର୍ଯ୍ୟର ଅମଳ ଆନନ୍ଦ ଉପଭୋଗ କରିବା ପାଇଁ କୌଣସି ବାଧା ନାହିଁ; କିନ୍ତୁ ହୃଦୟର ଦୁର୍ବଳତା ଦୃଷ୍ଟିଶକ୍ତିକୁ ଏପରି ପ୍ରଭାବିତ କରେ ଯେ, ସେ କେବଳ ଗୋଟାଏ ବିଷୟରେ ତାର ଦୃଷ୍ଟିରେଖାକୁ ଆବଦ୍ଧ କରିଦିଏ । ଏପରି ଦୃଷ୍ଟିର ସମୀଚୀନତା ମଧ୍ୟ ପ୍ରମାଣ କରାଯାଇପାରେ; କିନ୍ତୁ ଦର୍ଶନର ଉପଯୋଗିତା ଅନ୍ତରର ଅନୁଭୂତିକୁ ଜାଗ୍ରତ କଲାବେଳେ ମନୁଷ୍ୟ ଗୋଟିକର ଦର୍ଶନରେ ବେଶି ସମୟ ଆସ୍ଥା ସ୍ଥାପନ କରେ ନାହିଁ । ଅନ୍ତରର ଆଲୋକ ଦୃଷ୍ଟିରେଖାକୁ ଏହି ଅବସରରେ ବିସ୍ତୀର୍ଣ୍ଣ କରିଦିଏ । ସେହି ଅବସ୍ଥାରେ ମନୁଷ୍ୟ ସହସ୍ର ସୁନ୍ଦରୀର ଆନନଶ୍ରୀ ଅବଲୋକନ କଲେ ସୁଦ୍ଧା କୌଣସି ବିକାର ଅନୁଭବ କରେ ନାହିଁ । ସମସ୍ତଙ୍କର ପିପାସା ସମାନ ନୁହେଁ । ପାନୀୟର ଗୁଣ ଓ ଦୋଷ ବିଚାର କରିବାର ଶକ୍ତି ଅଧିକାଂଶଙ୍କର ଥାଇପାରେ; କିନ୍ତୁ ଅତ୍ୟଳ୍ପ ଲୋକ ଏଥି ପ୍ରତି ଦୃଷ୍ଟି ଦିଅନ୍ତି । ଏ ସମ୍ପର୍କରେ ଆମ୍ଭେମାନେ କହିପାରୁଁ ଯେ, ସୁନ୍ଦରୀର ସୌନ୍ଦର୍ଯ୍ୟ ପ୍ରତି ସମସ୍ତେ ଆକୃଷ୍ଟ ହୁଅନ୍ତି; କିନ୍ତୁ କେତେ ଜଣ ତାର ସୌନ୍ଦର୍ଯ୍ୟର ଉପଯୁକ୍ତ ବିଚାର କରନ୍ତି ? ସୌନ୍ଦର୍ଯ୍ୟ-ପିପାସା ମନୁଷ୍ୟର ହୃଦୟକୁ ଅଭିଭୂତ କରେ-ଏଥିରେ କାହାରି ମତଦ୍ୱୈଧ ହେବ ନାହିଁ; କିନ୍ତୁ ସେହି ପିପାସାଟା ଯଦି ବିକାଶ-ପଥର ଅନ୍ତରାୟ ହୁଏ, ତାହା ହେଲେ ଦୂଷିତ ପାନୀୟ ପରି ଏହା ସର୍ବଥା ପରିହାର୍ଯ୍ୟ ।

 

ସାଧାରଣ ନିୟମରେ ମଧ୍ୟ ବ୍ୟତିକ୍ରମ ଥାଏ । ସମଜାତୀୟ ପ୍ରାକୃତିକ କ୍ରିୟାମାନଙ୍କର ଅନୁଶୀଳନରେ ଗୋଟାଏ ପ୍ରଭେଦ ଦେଖାଯାଏ । ସୌନ୍ଦର୍ଯ୍ୟର ପରାକାଷ୍ଠା ଗୋଟିଏ ଦର୍ଶନରେ ପ୍ରମାଣିତ ହୋଇ ନ ପାରେ; କିନ୍ତୁ ଅନ୍ଧକାରରେ ଆଲୋକର ବର୍ତ୍ତିକା ପରି ମନୁଷ୍ୟ କୌଣସି ବିଶିଷ୍ଟ ସୌନ୍ଦର୍ଯ୍ୟ-ଦର୍ଶନରେ ମୁଗ୍‌ଧ ହୋଇ ଜୀବନର ପ୍ରତିହତ ଗତିକୁ ଗୋଟାଏ ସରଳ ଧାରାରେ ବୁହାଇଦିଏ । ଭବିଷ୍ୟତ ଜୀବନର ଅନିଶ୍ଚିତ ଅଧ୍ୟାୟରେ କୌଣସି ଧାରାବାହିକ ବର୍ଣ୍ଣନା ଲିପିବଦ୍ଧ କରିବା କେବଳ କଳ୍ପନା-ପ୍ରସୂତ ହୋଇପାରେ; କିନ୍ତୁ ଏହି କଳ୍ପନାରେ କବିର କାବ୍ୟ, ଚିତ୍ରକରର ଚିତ୍ର, ଶିଳ୍ପୀର ଶିଳ୍ପ ଓ ସଙ୍ଗୀତବିଳାସୀର ସଙ୍ଗୀତ ପ୍ରତିବିମ୍ୱିତ ହୋଇଉଠେ । ଭାବୁକର ଭାବନା ସବୁବେଳେ ମୁକ୍ତି ଲୋଡ଼େ । ଜଣେ ସୁନ୍ଦରୀର ଅପାଙ୍ଗ ଦୃଷ୍ଟି ଭାବୁକ ହୃଦୟରେ ଯୁଗାନ୍ତର ପାଇଁ ଭାବ ସଞ୍ଚୟ କରିଦେଇ ଯାଏ । ଅବଶ୍ୟ ବିଚାରଦୃଷ୍ଟି ଏ ସ୍ଥଳରେ ବିଶେଷ କାର୍ଯ୍ୟ କରେ ନାହିଁ । ଏହା ବୋଲି ମୁଗ୍‌ଧ ଭାବୁକ ଯଦି କାମପରତନ୍ତ୍ର ହୁଏ, ତାହା ହେଲେ ତାର ଦୃଷ୍ଟିରେଖା ସୀମାବଦ୍ଧ ହୋଇ ରହେ । ଜଣକୁ ଦେଖି ଅନ୍ତରର ଅନ୍ତରତମ ପ୍ରଦେଶରେ ସ୍ପନ୍ଦନ ଅନୁଭବ କରିବା ଖୁବ୍ କମ୍ ଲୋକଙ୍କ ଭାଗ୍ୟରେ ଘଟିଥାଏ । ଭାବୁକର ଚିତ୍ତ ଯାବତୀୟ ଦର୍ଶନରେ ଆନ୍ଦୋଳିତ ହୁଏ ନାହିଁ । ଯେଉଁଠାରେ ସେ ଅନ୍ତରର ପ୍ରେରଣା ଅନୁଭବ କରେ, ସେହିଠାରେ ତାର ଭାବଧାରା ଉଚ୍ଛ୍ୱସିତ ହୋଇ ଉଠେ । ଦୃଷ୍ଟିର ସହାୟତା ବଳରେ ଅତୀତର ଗୋଟାଏ ଅସ୍ପଷ୍ଟ ସ୍ମୃତି କାଳକ୍ରମେ ହୃଦୟ ପ୍ରଚ୍ଛନ୍ନ ଧାରାକୁ ମୁକ୍ତ କରିଦିଏ । ଅସୀମ ସୌନ୍ଦର୍ଯ୍ୟକୁ ସୀମାବଦ୍ଧ କରିବାଦ୍ୱାରା ଯେଉଁ ପ୍ରଗତି ଜନ୍ମେ; ତାହାକୁ ହିଁ ପ୍ରିୟଦର୍ଶନର ଫଳସ୍ୱରୂପ ଗ୍ରହଣ କରାଯାଇ-ପାରେ । ଜଣଙ୍କର ଦର୍ଶନସୁଖରେ ନିଶ୍ୱସୌନ୍ଦର୍ଯ୍ୟର ଅନୁଭୂତ ମିଳିପାରେ । ମନୁଷ୍ୟ କ୍ଷୁଦ୍ର ଜୀବ ହେଲେ ସୁଦ୍ଧା ତାର ହୃଦୟ କ୍ଷୁଦ୍ର ନୁହେଁ-। ସେ ଜଣକର ଦର୍ଶନରେ ଅନ୍ତରର ରୁଦ୍ଧ ଆବେଗ ମୁକ୍ତିର ସନ୍ଧାନ କରେ । ଏଠାରେ ଜୀବତ୍ୱ ସମ୍ପର୍କରେ ମନୁଷ୍ୟର ଦର୍ଶନ ଶକ୍ତି କାର୍ଯ୍ୟ କରେ ନାହିଁ । ତାହା ହୋଇଥିଲେ କବିର ଉଚ୍ଛ୍ୱାସ ସାମାନ୍ୟ କୁସୁମ-ସ୍ତବକ ସନ୍ଦର୍ଶନରେ ସ୍ଫୁଟ ହୁଅନ୍ତା ନାହିଁ । ବହୁତ୍ୱକୁ ଏକତ୍ୱରେ ପର୍ଯ୍ୟବସିତ କରିବା ସମସ୍ତଙ୍କ ପକ୍ଷରେ ସମ୍ଭବପର ନୁହେଁ । ତେଣୁ ଜଣଙ୍କର ସୌନ୍ଦର୍ଯ୍ୟ ଦର୍ଶନ କରି ପ୍ରାଣର ପିପାସା ମେଣ୍ଟାଇବା ସାଧାରଣ ନିୟମର ବ୍ୟତିକ୍ରମ ପରି ଅନୁମତି ହୁଏ ।

 

ଉଦାର ଦୃଷ୍ଟିରେ ପ୍ରେମ ଓ ସୌନ୍ଦର୍ଯ୍ୟର ବିକାଶ ବିଭିନ୍ନ ବୋଲି ଜଣାଯାଏ ନାହିଁ । ପ୍ରେମିକର ପ୍ରିୟଦର୍ଶନ ଓ ସୌନ୍ଦର୍ଯ୍ୟଲିପ୍ସୁର ସୌନ୍ଦର୍ଯ୍ୟଲିପ୍ସା ଗୋଟାଏ ସାଧାରଣ ଉତ୍ସର ଦୁଇଟି ଧାରା । ଏହି ଦୁଇଟି ଧାରା ଭିନ୍ନ ଦିଗରେ ବହିଯାଇ ଶେଷରେ ଏକତ୍ର ହୁଅନ୍ତି ।

 

ଅନନ୍ତ ସାଗରର ସଙ୍ଗମରେ ଯେପରି ସ୍ରୋତସ୍ୱତୀମାନଙ୍କର ପୃଥକ୍ ସତ୍ତା ଲୋପ ପାଇଯାଏ, ସେହିପରି ସୌନ୍ଦର୍ଯ୍ୟ ଓ ପ୍ରେମ ମନୁଷ୍ୟର ସଂକୀର୍ଣ୍ଣ ଦୃଷ୍ଟି ରେ ଭିନ୍ନ ପ୍ରକାର ପ୍ରତୀୟମାନ ହେଲେ ସୁଦ୍ଧା ମାନବିକତାର ଚରମ ଉତ୍କର୍ଷ ଏ ଦୁହିଙ୍କୁ ସମାନ କରିଦିଏ । ପ୍ରିୟଦର୍ଶନରେ ହୃଦୟାବେଗର ପ୍ରଖରତ ଅନୁଭୂତ ହୋଇଥାଏ; କିନ୍ତୁ ମନର ପ୍ରଶାନ୍ତ ଅବସ୍ଥା ଆସିଲେ ଏପରି ଉଦ୍ବେଗ ଆଉ ରହେ ନାହିଁ । ନାୟକ ନାୟିକାର ମିଳନ-ପ୍ରତୀକ୍ଷା ପ୍ରାଚୀନ କାବ୍ୟମାନଙ୍କରେ ବିଶେଷ ଭାବରେ ବର୍ଣ୍ଣିତ ଅଛି । ପ୍ରେମିକ ଓ ପ୍ରେମିକାର ନିଭୃତ ଭାବନାକୁ ପ୍ରାଚୀନ କବିମାନେ ଯେପରି ଭାବରେ ବର୍ଣ୍ଣନା କରିଛନ୍ତି, ଆଧୁନିକ ରସଗ୍ରାହୀମାନେ ଅଧିକାଂଶ ସ୍ଥଳରେ ସେହି ବର୍ଣ୍ଣନାକୁ କୁରୁଚିସମ୍ପନ୍ନ ବୋଲି କହିବେ । କବିତାର ପ୍ରତ୍ୟେକ ଛତ୍ର ଯଦି ଗୋଟାଏ ବିହ୍ୱଳତା ପ୍ରକାଶ କରେ ଓ ଆସଙ୍ଗଲିପ୍ସାର ଅଭିବ୍ୟକ୍ତି ସେଥିରେ ସୁସ୍ପଷ୍ଟ ହୋଇପଡ଼େ, ତାହା ହେଲେ ମାର୍ଜିତ ରୁଚି ନିଶ୍ଚୟ ସେହି କବିତାର ବିରୋଧୀ ହେବ । ହୃଦୟର ଆକାଙ୍କ୍ଷା କେବଳ ମୁହୂର୍ତ୍ତକର ଦର୍ଶନରେ ସମାପ୍ତ ହୋଇପାରେ । ଏପରି ସ୍ଥଳରେ ଉତ୍କଟ ଉତ୍କଣ୍ଠାର ଅଧୀନ ହେବା ପ୍ରେମିକ କିମ୍ବା ପ୍ରେମିକାର ଗଭୀର ଭାବର ପରିଚୟ ଦିଏ ନାହିଁ । ପ୍ରିୟ-ଦର୍ଶନ ହୃଦୟରେ ସ୍ୱତଃ ଗୋଟାଏ ଆନନ୍ଦ ଆଣେ । ଯଦି ମନରେ କିଛି ମଳିନତା ଥାଏ, ତାହା ହେଲେ ଦର୍ଶନର ପବିତ୍ରତା ତାକୁ କ୍ଷାଳିତ କରେ । ସୁମହତ୍ ଚରିତ୍ରର ଅଧିକାରୀ ନ ହେଲେ, ପ୍ରିୟ-ଦର୍ଶନର ପ୍ରକୃତ ମର୍ଯ୍ୟାଦା ଜଣାପଡ଼େ ନାହିଁ । ଚଞ୍ଚଳତା ପ୍ରିୟଦର୍ଶନର ସାର୍ଥକତା ପ୍ରମାଣ କରେ ନାହିଁ । ଭାବର ଗଭୀରତାରେ ଭାବୁକର ଚିତ୍ତଚାଞ୍ଚଲ୍ୟ ଜନ୍ମେ ନାହିଁ । ପ୍ରିୟ-ଦର୍ଶନ ଯାହା ଉପରେ ଭିତ୍ତି ସ୍ଥାପନ କରେ, ତାହା ସାଧାରଣ ଦୃଷ୍ଟିରେ ଯଥାର୍ଥରୂପେ ଅଙ୍କିତ ହୋଇପାରେ ନାହିଁ; ତେଣୁ ଜଣେ ଯାହାକୁ ଦେଖିବାକୁ ଭଲ ପାଏ, ଅପର ତାକୁ ସହଜରେ ଉପେକ୍ଷା କରେ । ଅନ୍ତରର ଆକର୍ଷଣ ସମାନତା ପାଳନ କରେ ନାହିଁ । ମନୁଷ୍ୟର ସ୍ୱାଭାବିକ ପ୍ରବୃତ୍ତି ଏଥିରେ ସହାୟତା କରେ । ପ୍ରେମିକ ଜଟିଳ ରୀତି ନିର୍ଣ୍ଣୟ କରିବା କଠିନ । ଦର୍ଶନାକାଙ୍କ୍ଷା ଯେପରି ପ୍ରଣୟୀ ଓ ପ୍ରଣୟିନୀ ମନରେ ପ୍ରଭାବ ବିସ୍ତାର କରେ, ସେହିପରି ଭାବ ଅସାଧ୍ୟ ଓ ଭକ୍ତ ମଧ୍ୟରେ ଦୃଷ୍ଟ ହୋଇଥାଏ । ପ୍ରଣୟରେ ମିଳନ ଓ ଭକ୍ତିରେ ମୁକ୍ତି ସମସ୍ତଙ୍କର ଲକ୍ଷ୍ୟ ନୁହେଁ । ଥରେ ମାତ୍ର ଅଲଭ୍ୟର ଦର୍ଶନ ଲାଭ କଲେ ଯଦି ହୃଦୟର ସଂଯୋଜନା ଅନନ୍ତ କାଳ ପାଇଁ ପ୍ରେମ, ଭକ୍ତି ଓ ସୌନ୍ଦର୍ଯ୍ୟ ସହିତ ସାଧିତ ହୋଇପାରେ, ତାହା ହେଲେ ପ୍ରେମ ଓ ସୌନ୍ଦର୍ଯ୍ୟର ସମନ୍ୱୟରେ ପ୍ରିୟଦର୍ଶନର ଉଦାରତା ଓ ମହତ୍ତ୍ୱ ନିର୍ଣ୍ଣୀତ ହେବା ବାଞ୍ଛନୀୟ ।

 

ଅନନ୍ତର ଅଭିବ୍ୟକ୍ତି ପ୍ରିୟଦର୍ଶନରେ ପ୍ରତିଫଳିତ ହେଲା ପରି ଜଣାଯାଏ । ରୂପଜ ସୌନ୍ଦର୍ଯ୍ୟର ଭଙ୍ଗୁରତା ମଧ୍ୟ ହୃଦୟରେ ପ୍ରୀତିସଞ୍ଚାର କରେ । ମନୁଷ୍ୟ ପ୍ରାଣର ଅଧୀରତା ଅଳ୍ପକାଳ ସ୍ଥାୟୀ; କିନ୍ତୁ ଏହି ଅଧୀରତାରେ ତାର ଚିରଶାନ୍ତିର ମାର୍ଗ ରୁଦ୍ଧ ହୋଇଯିବାର ଆଶଙ୍କା ଥାଏ । ଅନେକ ସମୟରେ ଆକସ୍ମିକ ଘଟଣାଟିଏ ଜୀବନର ଗତିକୁ ବଦଳାଇଦିଏ । ବିଶେଷତଃ କୌଣସି ଅଜ୍ଞାତ ବ୍ୟକ୍ତିଙ୍କର ଦର୍ଶନରେ ହୃଦୟର ଅନାବିଳ ପ୍ରେମ ଉଚ୍ଛ୍ୱସିତ ହୋଇଉଠିବା କିଛି ଅସମ୍ଭବ ନୁହେଁ । ପକ୍ଷାନ୍ତରରେ ମନୁଷ୍ୟ ଯାହାକୁ ନିମେଷକ ପାଇଁ ଦୃଷ୍ଟିର ଅନ୍ତରାଳରେ ରଖିବାକୁ କୁଣ୍ଠିତ ହୁଏ, ତାହା ପୁଣି ଗୋଟାଏ ଛଳନା ଦେଖାଇ ମୁହୂର୍ତ୍ତକେ ଦୃଷ୍ଟି ସମ୍ମୁଖରୁ ଅନ୍ତର୍ହିତ ହୋଇଯାଏ । ଶୂନ୍ୟ ଦୃଷ୍ଟି କେବଳ ଗୋଟାଏ କୁହୁକିନୀ ଶକ୍ତିର ପରିଚୟ ପାଏ । ଉପର୍ଯ୍ୟୁକ୍ତ ଦୁଇଟି ଦୃଷ୍ଟାନ୍ତ ମନୁଷ୍ୟ ଜୀବନର ଆକସ୍ମିକ ପରିବର୍ତ୍ତନର ପ୍ରମାଣ ଦେଇପାରେ । ପରିବର୍ତ୍ତନରେ ଭଲ କିମ୍ବା ମନ୍ଦ ଆସିପାରେ । ପ୍ରିୟଜନର ବିଚ୍ଛେଦ ଓ ଆବିର୍ଭାବ ଉଭୟ ହୃଦୟରେ ଆଘାତ ଦିଏ । ଗୋଟିଏ କୋମଳହେଲେ ଅପରଟି କର୍କଶ ହୁଏ; କିନ୍ତୁ ବିକାଶ ଦିଗରେ କାହାର ପ୍ରୟୋଗ କିପରି କାର୍ଯ୍ୟ କରେ, ତାହା ହୃଦୟର ବିଶିଷ୍ଟତା ଉପରେ ନିର୍ଭର କରେ । ଜଣେ ଦୁଃଖରେ, ଶାନ୍ତିରେ ଯେଉଁ ଚିତ୍ର ଦେଖିପାରେ, ଅନ୍ୟ ଜଣେ ସୁଖରେ ରହି ସେହି ଚିତ୍ରର କଳ୍ପନା ସୁଦ୍ଧା କରିପାରେ ନାହିଁ । ଭାବନାର ଗତି ବିଭିନ୍ନ ମାର୍ଗକୁ ଅନୁସରଣ କରିପାରେ; କିନ୍ତୁ ତାର ମୂଳାଧାରରେ କୌଣସି ଭିନ୍ନତା ଲକ୍ଷିତ ହୁଏ ନାହିଁ । ପ୍ରିୟଦର୍ଶନ ଏହି ମୂଳାଧାର ଉପରେ ଛାୟାପାତ କରେ; ତେଣୁ ସଂଖ୍ୟାତୀତ ପ୍ରାଣୀମାନଙ୍କ ମଧ୍ୟରୁ ଜଣେ କେବଳ ଜଣକ ସହିତ ଚକ୍ଷୁର ପଲକରେ ଚିରଦିନ ପାଇଁ ଆବଦ୍ଧ ହେଲେ ବିସ୍ମୟର କିଛି କାରଣ ରହେ ନାହିଁ । ଆଜିକାଲି ଭିକ୍ଷାଭିମାନୀ ‘‘Love at first sight’’ କଥାଟାକୁ ପସନ୍ଦ କରେ; କିନ୍ତୁ କଥାଟାର ସାରବତ୍ତା ପ୍ରତି ମନ ଦିଏ ନାହିଁ । ଦୃଷ୍ଟି ସଞ୍ଚାଳନ ମାତ୍ରେ ଅସଂଖ୍ୟ ନରନାରୀଙ୍କ ମଧ୍ୟରୁ ଜଣକୁ ନିଜର ବୋଲି ଭାବିବା କିଛି ଅସଙ୍ଗତ ନୁହେଁ-। ମନୁଷ୍ୟ ଆଜନ୍ମ କେତେଗୁଡ଼ିଏ ପ୍ରବୃତ୍ତି ପୋଷଣ କରେ । ସେଥିମଧ୍ୟରୁ କୋମଳ ପ୍ରବୃତ୍ତିଗୁଡ଼ିକ ସାଧାରଣତ ପ୍ରଚ୍ଛନ୍ନ ଭାବରେ ଥାଏ । ଅନ୍ତଃସଲିଳା ଫଲ୍‌ଗୁନପରି ମନୁଷ୍ୟର କୋମଳ ଭାବରାଶି ସଂସାରର ତୀବ୍ରତା ଓ କୋଳାହଳ ମଧ୍ୟରେ ଗୋଟାଏ ଗୋପନତା ଆଶ୍ରୟ କରି ରହେ । ପ୍ରିୟଦର୍ଶନ ଗୋପନତାରେ ସଞ୍ଚିତ କୋମଳ ଭାବରାଶିମାନଙ୍କର ଉଦବୋଧନ ଆଣେ ବୋଲି ଜୀବନରେ ଏହା ଏଡ଼େ ମଧୁର ଓ ହୃଦୟସ୍ପର୍ଶୀ । ସମାଜର ଜଟିଳତା ଓ ନିର୍ଯ୍ୟାତନା ହୃଦୟର ନିଭୃତ ମଧୁର ସ୍ପନ୍ଦନଟିକୁ ବନ୍ଦ କରିଦେବା ପାଇଁ ସହସ୍ର ଚେଷ୍ଟା କରେ; କିନ୍ତୁ ନିୟତିର ବିଧାନ କୌଣସି ଶୁଭ ମୁହୂର୍ତ୍ତରେ ସଂସାରର ଯାବତୀୟ କଷ୍ଟକୁ ଦୂର କରି ମାନବିକତାର କୋମଳ ବିକାଶକୁ ସ୍ପଷ୍ଟ କରିଦିଏ କର୍କଶତା ପ୍ରୟାସୀ କର୍ମୀ ଏଥିରେ ବିଚଳିତ ହୋଇପାରେ । ଭାବର ସମ୍ପୂର୍ତ୍ତି-ବିଧାନରେ ଯୁଗଯୁଗାନ୍ତର ପାଇଁ ଜଣକର ଦୃଷ୍ଟି ଆଉ ଜଣକୁ ନୟନର ପିତୁଳା ପରି ଗ୍ରହଣ କଲେ ସମାଜ କିମ୍ବା ଜାତିର ସେଥିରେ ବିଦ୍ୱେଷ ରହିବା ଉଚିତ ନୁହେଁ । ଅବଶ୍ୟ ଦୃଷ୍ଟିର ଲୋଲୁପତାକୁ ଏ ସମ୍ପର୍କରେ ସମର୍ଥନ କରିବା ଅବିଧେୟ ।

 

ହୃଦୟର ମିଳନ ନ ହେଲେ ଚକ୍ଷୁର ସୌନ୍ଦର୍ଯ୍ୟ-ବୋଧ ଆସେ ନାହିଁ । କେହି କାହାକୁ ଘୃଣାଚକ୍ଷୁରେ ଦେଖି ଅନ୍ତରର ଆବେଗକୁ ଭାଷାରେ ପ୍ରକାଶ କରେ ନାହିଁ । ଆହୁରି ମଧ୍ୟ ମନୁଷ୍ୟର ଗୋଟାଏ ଉଦାସୀନ ଭାବ ଥାଏ । ଔଦାସୀନ୍ୟ ପ୍ରିୟଦର୍ଶନର ବିରୋଧୀ ହୁଏ ନାହିଁ; ବରଂ ଗୋପନରେ ଯେଉଁ କୋମଳ ଭାବର ଉଦ୍ଦୀପନା ହୋଇଥାଏ; ତାକୁ ଏହା ସଂଯତ ଭାବରେ ରଖେ-। ହୃଦୟର ଆବେଗକୁ ସବୁବେଳେ ଭାଷାରେ ପ୍ରକାଶ କଲେ ପ୍ରଣୟ ଓ ଭକ୍ତିର ମହତ୍ତ୍ୱ ନଷ୍ଟ ହୁଏ । ସଂସାରର କର୍ମତତ୍ପରତାରେ ଅନ୍ତରର ଆରାଧ୍ୟ ଧନ ଗୋଟାଏ ଆବରଣର ଅନ୍ତରାଳରେ ରହିବା ଭଲ । ଯାବତୀୟ ସୁଖୋଦ୍ଦୀପକ ଦର୍ଶନରେ ପ୍ରିୟଦର୍ଶନର ଆନନ୍ଦ ମିଳେ ନାହିଁ । ମନର ଚଞ୍ଚଳତା କିମ୍ବା ଉତ୍ତେଜନା ଦୃଷ୍ଟି ଶକ୍ତି ଦ୍ୱାରା ଅନେକ ପରିମାଣରେ ସାଧିତ ହୋଇଥାଏ । ସମୟ ସମୟରେ ବାହାରର ଲାବଣ୍ୟ ସୌନ୍ଦର୍ଯ୍ୟର ବିଶିଷ୍ଟ ବିଭାବଗୁଡ଼ିକୁ ପ୍ରକାଶ କରେ ନାହିଁ । ଦୃଷ୍ଟିରେଖା କେବଳ ସୌନ୍ଦର୍ଯ୍ୟର ବେଷ୍ଟନୀରେ ଅଟକି ରହେ ଓ ଦର୍ଶକ କ୍ଷଣସ୍ଥାୟୀ ଆନନ୍ଦର ଆଭାସ ମାତ୍ର ଅନୁଭବ କରେ । ସାଧାରଣ ମନୁଷ୍ୟ ଅଧିକାଂଶ ସମୟରେ ସୌନ୍ଦର୍ଯ୍ୟର ଏହି ବାହାର ଅଂଶଟି ଉପଭୋଗ କରି ଗୋଟାଏ ଉନ୍ମାଦନାରେ ସମୟ କଟାଇଦିଏ । ସଂସାର ବିରାଗୀ କାମିନୀ ଓ କାଞ୍ଚନତ୍ୟାଗର ବ୍ୟବସ୍ଥା ଦିଅନ୍ତି ।

 

ସୌନ୍ଦର୍ଯ୍ୟର ଆକର୍ଷଣ ଯେତେବେଳେ ଉତ୍ତେଜନାର କାରଣ ହୁଏ, ସେତେବେଳେ ମାନସିକ ବିକାର ଘଟିବା ସ୍ୱାଭାବିକ । କାମିନୀ ଓ କାଞ୍ଚନ ସବୁବେଳେ ଅନର୍ଥର ହେତୁ ନୁହେଁ । ତାହା ହୋଇଥିଲେ ହିନ୍ଦୁର ଚତୁର୍ବଗ ବସ୍ତୁପ୍ରାପ୍ତିରେ କାମ ଓ ଅର୍ଥ ଦୁଇଟି ବିଶିଷ୍ଟ ଫଳ ହୋଇ ନ ଥାନ୍ତା । ଉତ୍ତେଜନା ଓ ମାନସିକ ବିକାରକୁ ଭୟ କରି କାମିନୀ ଓ କାଞ୍ଚନ ତ୍ୟାଗର ବ୍ୟବସ୍ଥା ହୋଇଅଛି । ପ୍ରାକୃତିକ ବିଧାନରେ କୌଣସି ବିଷୟ ହେୟ ନୁହେଁ । ପାପ ଓ ପୁଣ୍ୟ, ଭଲ ଓ ମନ୍ଦ ବିଚାର କରିବା ସଂସାରବାସୀର ସୀମାବଦ୍ଧ ଦୃଷ୍ଟିର ପରିଚାୟକ । ପ୍ରକୃତ ସୌନ୍ଦର୍ଯ୍ୟ ଜ୍ଞାନ ଜନ୍ମିଲେ ହୃଦୟର ସଂକୀର୍ଣ୍ଣତା ଚାଲିଯାଏ; ଗୋଟାଏ ସାର୍ବଜନୀନ ପ୍ରୀତିଦୃଷ୍ଟି ସ୍ୱତଃ ସଞ୍ଚାଳିତ ହୁଏ ।

 

କାଳର ପ୍ରଭାବ ରୁଚିଗତ ବୈଷମ୍ୟ ସୃଷ୍ଟି କରେ । ଅତୀତରେ ପ୍ରକୃତିର ଉପାସନା ପ୍ରବଳ ଥିଲା । ଆଜି ସେହି ଉପାସନା ପରିବର୍ତ୍ତରେ ଉପଭୋଗ ଆଧିପତ୍ୟ ବିସ୍ତାର କରିଅଛି । ଜୀବତ୍ୱ ସଙ୍ଗେ ଐଶ୍ୱର୍ଯ୍ୟର ସମ୍ପର୍କ ଅଛି । ସମ୍ପର୍କଟା କେତେବେଳେ କ୍ଷୀଣ, କେତେବେଳେ ପୁଣି ଉଚ୍ଛ୍ୱସ୍ୱଳ ହୁଏ । ଜଡ଼ବାଦ ଓ ଅପାର୍ଥିବ ଭାବନା ପରସ୍ପରବିରୋଧୀ ବୋଲି ମନେ ହୁଏ । ବର୍ତ୍ତମାନ ଯୁଗ ବସ୍ତୁବାଦକୁ ଐଶ୍ୱର୍ଯ୍ୟପ୍ରାପ୍ତିର ପ୍ରଧାନ ପନ୍ଥା ବୋଲି ଗ୍ରହଣ କରେ; ତେଣୁ ଜଡ଼ବିଜ୍ଞାନର ଉତ୍କର୍ଷ ସଭ୍ୟ ସମାଜରେ ବେଶି ଆଦର ପାଏ । ଆଜି କଳ୍ପନା-ବିଭବ ମନୁଷ୍ୟର କୋମଳ ପ୍ରବୃତ୍ତିମାନଙ୍କୁ ବିଶେଷ ଭାବରେ ସ୍ପର୍ଶ କରୁ ନାହିଁ । ଯେଉଁମାନଙ୍କର ଦୃଷ୍ଟିରେଖା ଜଡ଼ବିଜ୍ଞାନକୁ ଅବଲମ୍ବନ କଲାଣି, ସେମାନେ ଜଗତର ରହସ୍ୟକୁ ଅନ୍ୟ ଦିଗରୁ ଦେଖିବାକୁ ମନ ବଦଳାଇବେ ନାହିଁ । ଏହି ପ୍ରଭେଦ ଘେନି ପ୍ରାଚ୍ୟ ଓ ପ୍ରତୀତ୍ୟର ଆଦର୍ଶ ଭିନ୍ନ ହୋଇଯାଇଅଛି । ପ୍ରାଚ୍ୟର ଦୈନ୍ୟରେ ଶାନ୍ତିର ଯେ ଗଭୀରତା ଅଛି, ପ୍ରତୀଚ୍ୟର ଅସ୍ଥାୟୀ ଐଶ୍ୱର୍ଯ୍ୟରେ ସେପରି କୌଣସି ନିଦର୍ଶନ ନାହିଁ । ପ୍ରାଚ୍ୟ ଓ ପ୍ରତୀଚ୍ୟର ଦୃଷ୍ଟି ସମାନ ନୁହେଁ । ପ୍ରାଚ୍ୟର ଅନୁଭୂତି ମନୁଷ୍ୟର ଅନ୍ତରକୁ ଅନ୍ୱେଷଣ କଲାବେଳେ ପ୍ରତୀଚ୍ୟ ବେତାର ଯନ୍ତ୍ରକୁ ଅନୁସରଣ କରେ । ଗୋଟିଏ କ୍ଷେତ୍ରରେ ସରଳପ୍ରାଣତା ଲକ୍ଷିତ ହେଲେ ଅନ୍ୟତ୍ର ତଦ୍‌ବିପରୀତ ଅବସ୍ଥା ଐଶ୍ୱର୍ଯ୍ୟର ପ୍ରଭୁତ୍ୱ ଦେଖାଏ ।

 

ଐଶ୍ୱର୍ଯ୍ୟର ମହତ୍ୱ ପ୍ରଭୁତ୍ୱରେ ନାହିଁ; କିନ୍ତୁ ଯୁଗୋଚିତ ରୁଚିକୁ ପ୍ରଭୁତ୍ୱ ବିଶେଷ ଭାବରେ ପ୍ରଭାବିତ କରେ । ଜଡ଼ବସ୍ତୁର ଆହରଣ ଓ ଉପଭୋଗରେ ହୃଦୟର ପ୍ରଶସ୍ତି ଆସେ ନାହିଁ; ବରଂ ସ୍ୱାର୍ଥପରତା ମନୁଷ୍ୟର ଭାବରାଜ୍ୟକୁ ଅଧିକାର କରେ । ପ୍ରୀତି ଓ ସୌନ୍ଦର୍ଯ୍ୟର ଅବକାଶରେ ତ୍ୟାଗ ଓ ସଂଯମ ଆବଶ୍ୟକ ହୋଇଥାଏ । ଦୃଷ୍ଟିଶକ୍ତି କେବଳ ସଂସାରର ବସ୍ତୁଜାଲରେ ନିବଦ୍ଧ ରହିଲେ ହୃଦୟର ନିଭୃତ କନ୍ଦରରେ ପ୍ରେମର ଅମୃତ ରାଗିଣୀ ଝଙ୍କୃତ ହୋଇଉଠେ ନାହିଁ । ଗୋଟାଏ ଶୁଷ୍କତା ଚକ୍ଷୁ ସମ୍ମୁଖରେ ଉଦ୍ଭାସିତ ହୋଇଉଠେ । ମନୁଷ୍ୟ ସମସ୍ତ ଜୀବନଟା ଅର୍ଥ ଓ ଯଶର ଲାଳସାରେ କଟାଇ ଦେଇ ପରିଣାମରେ ଦେଖେ ଯେ ଗୋଟାଏ ବିପୁଳ ବ୍ୟର୍ଥତା ତାକୁ ଏତେ ଦିନଯାଏ ଭୁଲାଇ ରଖିଥିଲା । ପ୍ରେମ ଓ ସୌନ୍ଦର୍ଯ୍ୟର ଦୀପ୍ତି ଆଲୋକର ସ୍ଫୁରଣ ସଙ୍ଗେ ସମାନ । ଏହି ସ୍ଫୁରଣଟି ସମସ୍ତଙ୍କ ଦୃଷ୍ଟିରେ ଦେଖାଯାଏ ନାହିଁ । ସମୂହ ବା ସ୍ୱତନ୍ତ୍ର ଭାବରେ ସୌନ୍ଦର୍ଯ୍ୟର ବିକାଶ ଘଟିଥାଏ । ସୌନ୍ଦର୍ଯ୍ୟର ଅଲକ୍ଷିତ ଉପାଦାନଗୁଡ଼ିକ ମାନବ ହୃଦୟରେ ପ୍ରୀତିସଞ୍ଚାର କରେ । ପ୍ରିୟଦର୍ଶନ ଏହି ଅଲକ୍ଷିତ ଉପାଦାନଗୁଡ଼ିକୁ ଗ୍ରହଣ କରି ଜୀବନର ସରସତାକୁ ବଢ଼ାଇଦିଏ । ସାମୟିକ ବିସ୍ମୃତି ପ୍ରିୟଦର୍ଶନର ଅନୁଭୂତିକୁ ଅପସାରିତ କରିପାରେ ନାହିଁ । ଶବ୍ଦଟିଏ ଯେତେ କ୍ଷୀଣ ହେଉ ପଛକେ, ଅନନ୍ତ ଆକାଶରେ ଅନନ୍ତ କାଳପାଇଁ ଆତ୍ମଗୋପନ କରି ରହେ । ସେହିପରି ଦର୍ଶନଟି ଆଡ଼ମ୍ବରଶୂନ୍ୟ ହେଲେ ସୁଦ୍ଧା ଯଦି ଅନ୍ତରର ଗୋଟିଏ ଅତି ମଧୁର ସ୍ପନ୍ଦନ ସେଥିରେ ସୃଷ୍ଟି ହୋଇଥାଏ, ତାହା ହେଲେ ତାକୁ ପାସୋରି ଦେବ । ମନୁଷ୍ୟ ପକ୍ଷରେ ସମ୍ଭବପର ହୁଏ ନାହିଁ । ଯାହାର ଦର୍ଶନ ଲାଭରେ ଏହି ସ୍ପନ୍ଦନ ଅନୁଭୂତ ହୋଇଥାଏ, ତାହାରି ସନ୍ଧାନରେ ମନୁଷ୍ୟ ଗୋଟାଏ ଅଜ୍ଞାତ ଦିଗରେ ଜୀବନଟାକୁ ଅତିବାହିତ କରିଦେଇପାରେ । ପ୍ରେମର ଦୀପ୍ତି ଥରେ ମାତ୍ର ଚକ୍ଷୁ ସମ୍ମୁଖରେ ଆସି ଲୁଚିଯାଇପାରେ । ସଂସାରର ଅଜସ୍ର ନିର୍ଯ୍ୟାତନା ମନୁଷ୍ୟକୁ ସ୍ତବ୍‌ଧ କରିଦେଇପାରେ; କିନ୍ତୁ ଇନ୍ଧନରେ ଅଗ୍ନି ସଂଯୋଗ କଲେ ଯେପରି ତାହା ସମୟରେ ଜଳିଉଠେ, ସେହିପରି ମୁହୂର୍ତ୍ତକରେ ପ୍ରିୟଦର୍ଶନ ଯୁଗାବଧି ଗୋଟାଏ ଆଲୋକର ବର୍ତ୍ତିକା ରଖିଦେଇଯାଏ । ଦିନ ଆସେ, ଯେତେବେଳେ ବିଶ୍ୱପ୍ରେମରେ ମନୁଷ୍ୟ ଦେଖେ- ଜଣକ ସହିତ ନିମେଷକ ପାଇଁ ଦେଖା ମନୁଷ୍ୟ ଜୀବନକୁ କେଡ଼େ ସୁମହତ୍ ଓ ଅମୃତମୟ କରିପାରେ ।

•••

 

ଅବସାନ

ସୃଷ୍ଟିର ବିରାଟ କୌଶଳରେ ଯେଉଁ ମହିୟସୀ ଅଖଣ୍ଡ ଶକ୍ତି ପରିବ୍ୟାପ୍ତ ହୋଇ ରହିଅଛି ଓ ଯାହାକୁ ଜଡ଼ବାଦୀ ବୈଜ୍ଞାନିକ ବିବିଧ ଉପାୟରେ ନିରୂପଣ କରିବାକୁ ଯାଇ ଏ ପର୍ଯ୍ୟନ୍ତ କୌଣସି ଚରମ ପନ୍ଥାରେ ଉପନୀତ ହୋଇପାରି ନାହିଁ, ଅବସାନ ସେହି ଶକ୍ତିର ଗୋଟାଏ ପର୍ଯ୍ୟାୟ ମାତ୍ର । ସେହି ଶକ୍ତିର ପ୍ରଚ୍ଛନ୍ନ ଓ ନୀରବ ବିକାଶକୁ ମଧ୍ୟ ଅବସାନ ଆଖ୍ୟା ଦିଆଯାଇପାରେ । ନାନା ରଙ୍ଗରେ ରଞ୍ଜିତ ଇନ୍ଦ୍ରଧନୁ କ୍ଷଣିକ ଦୀପ୍ତି ଦାନ କରି ଉଭେଇଯାଏ । ଅନନ୍ତ ଆକାଶରେ ମୁହୂର୍ତ୍ତକ ପାଇଁ ଇନ୍ଦ୍ରଧନୁ ପ୍ରକଟିତ ହୋଇ ଲୁଚିଗଲା ବେଳେ ସେ ରଖି ଦେଇଯାଏ– ଗୋଟାଏ ଅବସାନର ଚିହ୍ନ । ମେଘାବୃତ ଧରଣୀର ନିମେଷକ ଉନ୍ମେଷ ପାଇଁ ଓ ପ୍ରକୃତିର ଗୁରୁ-ଗମ୍ଭୀର ଭାବକୁ ପରିବର୍ତ୍ତନ କରିବା ପାଇଁ ଯଦି ଇନ୍ଦ୍ରଧନୁର ସୃଷ୍ଟି ହୋଇପାରେ, ତା ହେଲେ ଐହିକ ଐଶ୍ୱର୍ଯ୍ୟର ପରିଣତି ଯେ କୌଣସି ଆକସ୍ମିକ ଧ୍ୱଂସାବଶେଷରେ ପରିଲକ୍ଷିତ ହେବା ସମ୍ପୂର୍ଣ୍ଣ ସ୍ୱାଭାବିକ । ପ୍ରଭାତ ଓ ସନ୍ଧ୍ୟାର କ୍ଷୀଣଦୀପ୍ତି ସମାନ ହେଲେ ସୁଦ୍ଧା ସମାନ ଭାବ ପ୍ରକାଶ କରେ ନାହିଁ । ତେଣୁ ପ୍ରଭାତ ପାଇଁ ସଙ୍ଗୀତରେ ଯେ ରାଗିଣୀଟି ମନୋହାରିଣୀ ହୁଏ, ସନ୍ଧ୍ୟା ପାଇଁ ତାହା ହୁଏ ନାହିଁ । ବିପଞ୍ଚୀର ଯେ ସୁମଧୁର ସ୍ୱରଟି ବସନ୍ତ ସନ୍ଧ୍ୟାରେ ଭାସି ଆସି ବିଜନବିହାରୀ ପଥିକ ମନରେ ଅତୀତର ଗୋଟିଏ ଅସ୍ପଷ୍ଟ ମଧୁର ବିରହ-ଚିତ୍ର ଆଙ୍କିଦେଇପାରେ, ତାହା ଅବସାନର ନାମାନ୍ତର ନୁହେଁ କି ? ମାଧୁର୍ଯ୍ୟର ପ୍ରାଚୁର୍ଯ୍ୟରେ ଯେଉଁ ଅବନତି ଆସେ, ତାହା ହୁଏ ଏହାର ପ୍ରଧାନ ଅବଲମ୍ବନ । ସୌନ୍ଦର୍ଯ୍ୟର ତୂଳିକା ସବୁବେଳେ ସମାନ ଭାବରେ କାର୍ଯ୍ୟ କରେ ନାହିଁ । ବସନ୍ତ ଋତୁରାଜ; କିନ୍ତୁ ସେହି ବସନ୍ତ ସନ୍ଧ୍ୟାର ସବୁ ନୈସର୍ଗିକ ବିଭବ ମଧ୍ୟରେ ମନ ଯେତେବେଳେ ଉଦାସ ହୋଇ ଭାସେ ଓ ଗୋଟାଏ ପ୍ରତୀକ୍ଷାରେ ଭାବୁକ ନିଜତ୍ୱ ଭୁଲିଯାଏ, ସେତେବେଳେ ଅବସାନ ତାର ଅଲକ୍ଷିତ ଶକ୍ତି ବିସ୍ତାର କରେ । ସୌନ୍ଦର୍ଯ୍ୟାନୁଭୂତିରେ ମଧ୍ୟ ଏହା ବିଶେଷ ଭାବରେ ସାହାଯ୍ୟ କରେ । ଗୋଟିଏ ହିଲ୍ଲୋଳ ପରେ ବିରାମ ଆସେ । ଫୁଲଟିଏ ଫୁଟି ଯେତେବେଳେ ମଉଳି ପଡ଼େ, ଯୌବନର ଆକର୍ଷଣଟି ଯେତେବେଳେ ଶିଥିଳ ହୋଇ ଆସେ ଓ ଯୁବକ ଯୁବତୀଠାରୁ ଅନ୍ତର ହୋଇ ନୈରାଶ୍ୟରେ ମୁକ୍ତି ଲୋଡ଼େ, ସେତେବେଳେ ଅବସାନ ତାର ବିଜୟ-ବୈଜୟନ୍ତୀ ଉତ୍ତୋଳନ କରିଦିଏ । ସନ୍ଧ୍ୟାରାଗରଞ୍ଜିତ ନୈଶ ଆକାଶରେ ସଂଖ୍ୟାତୀତ ତାରକାରାଶି ଫୁଟି ଉଠିଲାବେଳେ ପ୍ରକୃତିର ଅନିନ୍ଦ୍ୟ ଶୋଭା ଗୋଟିଏ ପଟପରିବର୍ତ୍ତନ ଛଳରେ ଆସି ଜଗତକୁ ମୁଗ୍‌ଧ କରେ । ଜଡ଼ ବିଜ୍ଞାନ ଯେଉଁ ତାରକାମାନଙ୍କର ଅସୀମ ଦୂରତ୍ୱ ନିରୂପଣ କରିବାରେ ପ୍ରୟାସ କରେ, ଶାନ୍ତ ଭାବନା ଦିବାବସାନରେ ସେହିମାନଙ୍କୁ କେବଳ ଅପେକ୍ଷା କରି ରହେ । କର୍ମକ୍ଳାନ୍ତ ଜୀବନର ଶତ ନିର୍ଯ୍ୟାତନା ସନ୍ଧ୍ୟାର ଶାନ୍ତ ହିଲ୍ଲୋଳ ସ୍ପର୍ଶରେ ଉଭେଇଯାଏ । ଛବିଟି ପରି ମନୁଷ୍ୟ ମୁହୂର୍ତ୍ତକ ପାଇଁ ନିସ୍ପନ୍ଦ ହୋଇ ରହେ । ପ୍ରକୃତିର ଅଲଙ୍ଘନୀୟ ନିୟମରେ ଅବସାନ ଯେଉଁ ପର୍ଯ୍ୟାୟଟି ଉପସ୍ଥାପିତ କରାଏ, ତାହା ହୁଏ କ୍ଷୁବ୍ଧ ପ୍ରାଣର ଗୋଟାଏ କ୍ଷଣିକ ଆଶ୍ୱାସନା । ଏହି ଆଶ୍ୱାସନାଟିକକ ପାଉ ନ ଥିଲେ ଜୀବନ ଦୁର୍ବହ ବୋଧ ହେଉଥାନ୍ତା ।

 

ଅନୁଭୂତି ସଙ୍ଗେ ଅବସାନର ବିଶେଷ ସମ୍ପର୍କ । ଜଡ଼-ବିଜ୍ଞାନ ଏହାକୁ ଅନେକ ସମୟରେ ଉପେକ୍ଷା କରିଥାଏ । ପ୍ରମାଣସାପେକ୍ଷ କ୍ରିୟାରେ ଏହାର ମହତ୍ତ୍ୱ ଉପଲବ୍‌ଧି କରାଯାଏ ନାହିଁ । ସଂଖ୍ୟାତୀତ କ୍ଷୁଦ୍ର ଘଟଣାମାନଙ୍କୁ ପଛରେ ପକାଇ ଦେଇ ଜୀବନ-ସ୍ରୋତ ଅବିରାମ ଗତିରେ ଚାଲିଛି । କାଳର ପ୍ରଭାବ ସବୁ ଘୋଡ଼ାଇ ଦେଉଛି । ଯାହା ଲୁଚି ଯାଉଛି, ତାକୁ ପୁଣି ଦୃଷ୍ଟି ସମ୍ମୁଖରେ କିଏ ପ୍ରକାଶ କରେ ? ସଂସାରର ସବୁ କୋଳାହଳଭେଦୀ ଗୋଟାଏ ନୀରବତା ସମୟ ସମୟରେ ପ୍ରାଣକୁ ଅଧିକାର କରି ବସେ । ରଙ୍ଗାଳୟରେ ପଟ ପରିବର୍ତ୍ତିତ ହେଉଥାଏ; କିନ୍ତୁ କୌଣସି ବିଶିଷ୍ଟ ଦୃଶ୍ୟର ଅଭିନୟ ପରେ କିଛିକ୍ଷଣ ପାଇଁ ଗୋଟାଏ ବ୍ୟବଚ୍ଛେଦ ଆସେ । ଏହି ବ୍ୟବଚ୍ଛେଦରେ ଦର୍ଶକ ଟିକିଏ ତାର ଦୃଷ୍ଟିକୁ ପଛକୁ ଫେରାଇଦିଏ । କାରଣ ତାର ଅନ୍ତର ଅନୁଭବ କରେ ସେହି ଅତୀତ ଦୃଶ୍ୟର ଆକର୍ଷଣ । ଅନୁଭୂତିର ଉପାଦାନ ଅଧିକାଂଶ ସମୟରେ ନୀରବତାକୁ ଆଶ୍ରୟ କରେ; ତେଣୁ ଅବସାନର ଚିତ୍ରଟି ଶୂନ୍ୟ କିମ୍ବା ଭାରାକ୍ରାନ୍ତ ହୃଦୟରେ ବେଶି ପରିମାଣରେ ପ୍ରତିଭାତ ହୋଇଉଠେ । କୌଣସି ବିଶିଷ୍ଟ ଦର୍ଶନ ଯେତେବେଳେ ଲୁଚି ଯାଉଥାଏ, ସେତେବେଳେ ହୃଦୟରେ ଗୋଟାଏ ଶୂନ୍ୟତା ଆସେ ଓ ସେହି ଅବସରରେ ଅନୁଭୂତି ଆସି ଅବସାନର ଚିତ୍ରଟିକୁ ଆଙ୍କି ଦେଇଯାଏ । ଅନ୍ୟ ପକ୍ଷରେ ଭାରାକ୍ରାନ୍ତ ହୃଦୟର ଜ୍ୱାଳା ନିବାରଣ କରିବାକୁ କ୍ଷୁବ୍ଧ ପ୍ରାଣ ଯେତେବେଳେ ବିସ୍ମୃତିକୁ ଅପେକ୍ଷା କରେ, ସେତେବେଳେ ମଧ୍ୟ ଅବସାନ ଆସେ । ଆନନ୍ଦ ଓ ନିରାନନ୍ଦ ଦୁଇଟିକୁ ଘେନି ଏହା ପ୍ରକୃତି ସଙ୍ଗରେ ମିଶି ଚାଲିଯାଏ । ଦୁର୍ଦ୍ଦିନର ସଙ୍କଟ ଓ ସୁଦିନର ସୁଖନିଦ୍ରା ଆସି ଚାଲିଯାଏ; ଅବସାନରେ ସେମାନେ ଗୋଟାଏ ଅସ୍ପଷ୍ଟ ଛବି ଆଙ୍କି ଦେଇଯାନ୍ତି । ବିସ୍ମୃତି ଯାହାକୁ ଅତି ନିର୍ମମ ଭାବରେ ଲୋପ କରିଦିଏ, ଅବସାନ ତାକୁ ଟିକିଏ ସଜାଇ ଦେଇ ବିସର୍ଜନ ଦିଏ । ଜଗତର ସମସ୍ତ ବସ୍ତୁ ପରିଣାମୀ । ପରିଣାମକୁ ଯଦି ସମସ୍ତେ ଆଗରୁ ଜାଣିପାରୁଥାନ୍ତେ, ତେବେ ଅବସାନର ବୈଶିଷ୍ଟ୍ୟକୁ କେହି ଲକ୍ଷ୍ୟ ରଖନ୍ତେ ନାହିଁ ।

 

ବିୟୋଗାନ୍ତ ଘଟଣାବଳୀର ବିବୃତିର ଆଦର ଅତୀତ ଯୁଗରେ ନ ଥିଲା । ମନୁଷ୍ୟର ଜୀବନ ସେତେବେଳେ ତିକ୍ତ-ଜଟିଳତା ମଧ୍ୟରେ ଅତିବାହିତ ହେଉ ନ ଥିଲା । ସୁଲଭ ସାଂସାରିକ ସୁଖଭୋଗ କରି ସେ ଅତୀତରେ ଗୋଟାଏ ସ୍ୱତନ୍ତ୍ର ଭାବଧାରା ସୃଷ୍ଟି କରିଥିଲା । ସଭ୍ୟତାର ବିସ୍ତୃତି ସଙ୍ଗେ ମାନବ ଆଜି ତାର ଜୀବନ ଗତିକୁ ବିଭିନ୍ନ ଦିଗରେ ନିୟନ୍ତ୍ରିତ କରିବାକୁ ଚେଷ୍ଟା କରୁଛି । ଦିନେ ଯାହା ତାର କଳ୍ପନାର ସୀମାକୁ ଆସି ପାରୁ ନ ଥିଲା, ଆଜି ସେ ତାକୁ କାର୍ଯ୍ୟରେ ପରିଣତ କରି ସଭ୍ୟତାର ଗୌରବ ଦେଖାଯାଉଅଛି; କିନ୍ତୁ ଏହି ଦୁଇ ଜୀବନ ମଧ୍ୟରେ ଯେ ପାର୍ଥକ୍ୟ ଦେଖାଯାଏ, ତାହା କେତେ ଦୂର ଅପୂର୍ଣ୍ଣତାର ପରିପୂରକ, ତାହା କହିବା ସହଜ ନୁହେଁ । ଜଟିଳତା ମଧ୍ୟରେ ସଭ୍ୟତାର ଅଭିବୃଦ୍ଧି ଘଟିପାରେ; କିନ୍ତୁ ଜୀବନର ସ୍ୱାଚ୍ଛନ୍ଦ୍ୟବିଧାନ ସଙ୍ଗେ ଏହାର କୌଣସି ସମ୍ପର୍କ ନାହିଁ । ଗୋଟାଏ ଭାବ ଜୀବନର ସ୍ପନ୍ଦନକୁ ଦ୍ରୁତ କିମ୍ବା ମନ୍ଥର କରିଦେଇପାରେ । ଅତୀତର ଭାବଧାରା ସଙ୍ଗେ ବର୍ତ୍ତମାନର ସାମଞ୍ଜସ୍ୟ ରକ୍ଷା କରିବା ଲାଗି କେତେଗୁଡ଼ିଏ ସାଧାରଣ ଅନୁଭୂତି ଅଛି । ବିରହ, ମିଳନ ଓ ପ୍ରତିହିଂସା ପ୍ରଭୃତିର ଚିତ୍ରଣ ଯୁଗୋପଯୋଗୀ ପ୍ରଭାବରେ ଭିନ୍ନ ଆକାର ଧାରଣ କରିଥାଏ; କିନ୍ତୁ ପ୍ରତ୍ୟେକର ଯେଉଁ ସାଧାରଣ ଭିତ୍ତି ଅଛି, ସେଥିର ପରିବର୍ତ୍ତନ କରିବା ସମ୍ଭବ ନୁହେଁ । ଅତୀତରେ ପ୍ରକୃତିର ଯେ ଚିତ୍ରଟି ମନୋମୋହକର ବୋଧ ହେଉଥିଲା, ଆଜି ମଧ୍ୟ ତହିଁର ବିଶେଷ ପରିବର୍ତ୍ତନଟି ଘଟି ନାହିଁ । ସୂର୍ଯ୍ୟାସ୍ତର କମନୀୟ କାନ୍ତି ଅତୀତ ଓ ବର୍ତ୍ତମାନରେ ତାର ସମାନତାକୁ ବ୍ୟତିକ୍ରମ କରି ନାହିଁ । ବର୍ଣ୍ଣନାର ପାର୍ଥକ୍ୟ ସଙ୍ଗେ ମୌଳିକ ଭାବଧାରାର ପରିବର୍ତ୍ତନ ଘଟେ ନାହିଁ । ଯେଉଁ ଅଖଣ୍ଡ ନିୟମ ସୃଷ୍ଟିର ଆଦିମ କାଳରୁ ଅବ୍ୟାହତ ହୋଇ ରହିଅଛି ଓ ପ୍ରାକୃତିକ କ୍ରିୟାମାନଙ୍କର ଅକ୍ଷୁଣ୍ଣ ପ୍ରଭାବ ବିସ୍ତାର କରୁଅଛି, ତାହା ଶ୍ରେଷ୍ଠ ମାନସିକ ପ୍ରବୃତ୍ତିମାନଙ୍କୁ ମଧ୍ୟ ସମାନ ଭାବରେ ଗୋଟାଏ ସାଧାରଣ ଧର୍ମପାଳନ କରିବାକୁ ପ୍ରେରଣା ଦିଏ । ଅବସାନର ବୈଚିତ୍ର୍ୟକୁ ଅତୀତ ଯେ ଦୃଷ୍ଟିରେ ଦେଖୁଥିଲା, ବର୍ତ୍ତମାନ ମଧ୍ୟ ସେହି ଦୃଷ୍ଟିରେ ଦେଖୁଚି-। ଯଦି କିଛି ପାର୍ଥକ୍ୟ ରହିଥାଏ, ତାହା ହେଲେ ତାକୁ ବେଷ୍ଟନୀର ବିଶିଷ୍ଟତା ଉପରେ ଆରୋପ କରାଯାଇପାରେ । ମାନସିକ କ୍ରିୟା ପ୍ରକୃତି ଉପରେ ନିର୍ଭର କରେ । ପ୍ରକୃତି ଯେତେବେଳେ ନିର୍ଜନତାରେ ଅବସାନର ଦୃଶ୍ୟଟିକୁ ତାର ସୌନ୍ଦର୍ଯ୍ୟ ତୂଳିକାରେ ଆଙ୍କିଦିଏ, ସେତେବେଳେ ଅନ୍ତରର ଭାବ ସେହି ପ୍ରାକୃତିକ ଚିତ୍ରଣରେ ପ୍ରଭାବିତ ହୁଏ । ଅତୀତ ଓ ବର୍ତ୍ତମାନର ବ୍ୟବଧାନ ଲୋପ ପାଏ । ସାଂସାରିକ ଘଟଣାବଳୀର ଏ ସମ୍ପର୍କରେ ଟିକିଏ ପାର୍ଥକ୍ୟ ଦେଖାଯାଇପାରେ । ବିୟୋଗାନ୍ତ ଘଟଣାକୁ ସୁଖପ୍ରୟାସୀ ଆଦର କରେ ନାହିଁ । ସେ ସବୁବେଳେ ତା ଚକ୍ଷୁ ସମ୍ମୁଖରେ ଗୋଟାଏ ପୂର୍ଣ୍ଣ ଆନନ୍ଦର ଚିତ୍ର ଦେଖିବାକୁ ଭଲ ପାଏ; କିନ୍ତୁ ଏହା କଅଣ ସମ୍ଭବ ? ଅତୀତରେ ଯେଉଁ ବିରହବର୍ଣ୍ଣନା ଭାବୁକ ପ୍ରାଣକୁ ଉଚ୍ଛ୍ୱସିତ କରୁଥିଲା, ଆଜି ତାହାର ବିଲୟ ଘଟି ନାହିଁ । ଅତୀତ ଦେଖାଇ ଦେଇ ଯାଇଛି, ଦୁଃଖ ଉପରେ ଶାନ୍ତିର ଚିତ୍ର ସୁନ୍ଦର ଭାବରେ ଅଙ୍କିତ ହୋଇପାରେ । ଦୁଃଖର ଅବସାନ ବେଳେ ପ୍ରାଣର ଯେ ଆଶ୍ୱାସନା ଆସେ, ଐଶ୍ୱର୍ଯ୍ୟର ପୂର୍ଣ୍ଣ ଦୀପ୍ତିରେ ସେ ଅନୁଭୂତ ଆସେ ନାହିଁ । ଅବସାନ ସବୁବେଳେ ଗୋଟାଏ ଧାରାର ଶେଷଭାଗକୁ ଅପେକ୍ଷା କରିଥାଏ; ତେଣୁ ବିୟୋଗାନ୍ତ ଘଟଣାବଳୀ ଅବସାନରେ ଗୋଟାଏ ନୈରାଶ୍ୟର ଛାୟା ପକାଇ ଦେଇଥାଏ ।

 

ପବିତ୍ରତାର ପ୍ରମାଣ ସହଜରେ ମିଳେ ନାହିଁ । ଘଟଣାବହୁଳ ପ୍ରଖର ଜୀବନର ଗତି ଗୋଟାଏ ନିର୍ଦ୍ଦିଷ୍ଟ ବିଷୟକୁ ବେଶି ଦିନ ଅନୁସରଣ କରିପାରେ ନାହିଁ । କେବଳ ସମୟ ସମୟରେ ଅବସାନର ପର୍ଯ୍ୟାୟଟି ଗୋଟିଏ ନୂତନ ଛନ୍ଦର ସୂଚନା ଦିଏ ଓ ସେଥିରେ ଜୀବନର ଧାରାଟି ଏକ ଅପୂର୍ବ ସ୍ପନ୍ଦନ ଅନୁଭବ କରେ । ଏହି ସ୍ପନ୍ଦନର ରମଣୀୟତା ପବିତ୍ରତାରେ ସ୍ଥାୟୀ ହୋଇ ରହେ । ଜୀବନରେ ଅନେକ ମିଳନ ହୁଏ, କିନ୍ତୁ କାହାର ସ୍ଥାୟିତ୍ୱ ବେଶି ଦିନ ରହେ ? ଯେଉଁଠି ପବିତ୍ର ଭାବ ହୃଦୟକୁ ବେଶି ପରିମାଣରେ ଅଧିକାର କରିଥାଏ, ସେହିଠାରେ ମିଳନଟା ହୁଏ ଅତି ମଧୁର ଓ ସେହି ମିଳନ ଅବସାନରେ ମନୁଷ୍ୟ ଦେଖେ ଗୋଟାଏ ପ୍ରାଣସ୍ପର୍ଶୀ ଚିତ୍ର । ଅନ୍ତର ଲୋଡ଼େ ମିଳନ; କିନ୍ତୁ ଯୁଗଯୁଗବ୍ୟାପୀ ସାଧନା ଫଳରେ ସୁଦ୍ଧା ମନୁଷ୍ୟ ଏହି ଈପ୍ସିତ ଅବସ୍ଥାଟିକୁ ସହଜରେ ପାଏ ନାହିଁ । ଜଗତରେ ମିଳନର ଅଭାବ ନାହିଁ । ପ୍ରଣୟରେ ମିଳନର ବିଶେଷତ୍ୱ ଦେଖାଯାଏ; କିନ୍ତୁ ପ୍ରଣୟର ପବିତ୍ରତା କେତେ ଜଣକୁ ସ୍ପର୍ଶ କରେ ? ହିନ୍ଦୁର ଆଦର୍ଶ ପ୍ରମାଣ କରିଛି, ବିଚ୍ଛେଦରେ ପ୍ରଣୟର ପବିତ୍ରତା । ଚିତ୍ରଟି ଲୁଚିଯିବା ସଙ୍ଗେ ଯଦି ହୃଦୟ ତାକୁ ଭୁଲିଯାଏ, ତାହା ହେଲେ ବିଶେଷତ୍ୱ ରହିଲା କେଉଁଠାରେ ? ହୃଦୟର ଭାବ ସଙ୍ଗେ ଶରୀରର ସମ୍ପର୍କ ଥାଏ । ମୁହୂର୍ତ୍ତକର ଚାହାଣୀ କିମ୍ବା କଥାପଦଟିଏ ଯୁଗାନ୍ତର ପାଇଁ ଭାବ ସଞ୍ଚୟ କରି ରଖେ । ଅବଶ୍ୟ ଚଞ୍ଚଳତାବଶତଃ ଯେଉଁ ବାକ୍ୟ ବିନିମୟ ହୁଏ, ସେଥିର କିଛି ମୂଲ୍ୟ ନାହିଁ । ଅବସାନରେ ଯେଉଁ ସ୍ପନ୍ଦନ ଅନୁଭୂତ ହୁଏ, ତାହା ମୁହୂର୍ତ୍ତକ ପାଇଁ ଆସିଥାଏ; କିନ୍ତୁ ସେହି ମୁହୂର୍ତ୍ତଟି ଚିରକାଳର ମିଳନ ଭାବକୁ ପ୍ରକାଶ କରିଦିଏ । କୋମଳତାର ଉତ୍ସସ୍ୱରୂପିଣୀ ନାରୀ ପୁରୁଷର କପଟତାକୁ ସୂକ୍ଷ୍ମଦୃଷ୍ଟିରେ ବିଚାର କରିପାରେ ନାହିଁ ।

 

ଅନେକ ସମୟରେ ପୁରୁଷ ମଧ୍ୟ ନାରୀର ଚଞ୍ଚଳତାରେ ଗୋଟାଏ କ୍ଷୁବ୍ଧତାର ଅଧୀନ ହୋଇପଡ଼େ । ପୁରୁଷର କପଟତା କିମ୍ବା ନାରୀର ଚଞ୍ଚଳତା ମିଳନ ପଥର ବିରୋଧୀ । ମିଳନର ଅବସାନରେ ଦୁହେଁ ଚିରଅପରିଚିତ ପରି ରହନ୍ତି । ଘଟଣା-ଚକ୍ରରେ ପଡ଼ି ପୁରୁଷ ଓ ନାରୀର ଯେ ମିଳନ ସମ୍ଭବ ହୋଇଥାଏ, ତାକୁ ଅବସାନ ଆସି ଶିଥିଳ କରିଦିଏ । ପ୍ରଣୟର ପବିତ୍ରତା ସହଜରେ ପ୍ରମାଣିତ ହୋଇଯାଏ ।

 

ଦୀର୍ଘକାଳରୁ ସଞ୍ଚିତ ଭାବରାଶି ଜଣକର ବିଦାୟ ବେଳାରେ ଉଦ୍‌ବେଳ ହୋଇପାରେ । ଦୃଷ୍ଟି ସମ୍ମୁଖରେ ଯାହା ବହୁଦିନ ସୌନ୍ଦର୍ଯ୍ୟବିଧାନ କରି ଆସୁଥାଏ, ତାର ଅବସାନ ଘଟିଲେ ହୃଦୟ ସ୍ୱତଃ ଗୋଟାଏ ଶୂନ୍ୟତା ବୋଧ କରେ । ଏହି ଶୂନ୍ୟତାରେ ଅବସାନ ଦେଖାଏ ତାର ବୈଚିତ୍ର୍ୟ । ଆଦରର ବସ୍ତୁ କେହି ଅନାଦର କରେ ନାହିଁ । ସାଂସାରିକ ବାଧା ପାଇ ହୃଦୟର ନିଭୃତ ଭାବନା ଅଧିକାଂଶ ସମୟରେ ଅବ୍ୟକ୍ତ ରହିଯାଏ । ଜଣେ ଜଣକୁ ଭଲ ପାଉଥିଲେ ସୁଦ୍ଧା ମୁହଁ ଖୋଲି କହିବାର ଅଧିକାର ନ ଥାଏ । ଅନ୍ତରର ଭାବଟି ଗୋପନରେ ରହିଥାଏ । କଳନାଦିନୀ ତଟିନୀ ପରି ମନୁଷ୍ୟର ଭାବଧାରାଟି ସବୁବେଳେ ମୁକ୍ତ ନୁହେଁ । ସେ ଯାହା ସବୁ ଭାବେ, ତାକୁ ଭାଷାରେ ପ୍ରକାଶ କରୁଥିଲେ କେତେ ଯେ ବିପ୍ଳବ ହେଉଥାନ୍ତା, ସେଥିର ଇୟତ୍ତା ନାହିଁ । ଜୀବନର ବିଶିଷ୍ଟ ଅଧ୍ୟାୟଗୁଡ଼ିକ ନିଭୃତ ଭାବନାରେ ପୂର୍ଣ୍ଣ ଥାଏ; ତେଣୁ ମନୁଷ୍ୟ ସେହି ଗୋପନ-ଭାବନାସଂପୃକ୍ତ ଦୃଶ୍ୟର ଅବସାନ ବେଳେ ଅନ୍ତରରେ ଯେ ଉଚ୍ଛ୍ୱାସ ଅନୁଭବ କରେ, ତାକୁ ଭାଷାରେ ପ୍ରକାଶ କରେ ନାହିଁ; ପ୍ରକାଶ କରିବା ମଧ୍ୟ ଉଚିତ ନୁହେଁ । ଦୁଷ୍ପ୍ରାପ୍ୟ ବସ୍ତୁକୁ କେହି ସହଜରେ ପଦାକୁ ଆଣେ ନାହିଁ-। ଯେଉଁ ଭାବନାରେ ଅନ୍ତର ଆଲୋକିତ ହୋଇପାରେ, ତାକୁ ବାହାରେ ବ୍ୟକ୍ତ କଲେ କେବଳ ଦୁର୍ବଳତାର ପରିଚୟ ମିଳେ । ଅନୁଭୂତିରେ ଯାହାର ମହତ୍ତ୍ୱ ନିହିତ, ତାକୁ ଅବସାନର ଚିତ୍ରଣ ପ୍ରଣାଳୀ ଟିକିଏ ସ୍ପଷ୍ଟ କରିଦିଏ । ଦୁଇଟି ଭାବଧାରା ମିଳିତ ହେଲା ପରେ ବାହାରର ସମ୍ପର୍କ ଆଉ ଆବଶ୍ୟକ ହୁଏ ନାହିଁ । ଏହି ଅବସ୍ଥାରେ ବିଚ୍ଛେଦ ଭାବ ହୃଦୟକୁ ପୂର୍ଣ୍ଣରୂପେ ଅଧିକାର କଲେ କ୍ଷୁଦ୍ର ଘଟଣାଗୁଡ଼ିକ ଅବସାନର ବୈଚିତ୍ର୍ୟକୁ ଘୋଡ଼ାଇ ରଖିପାରନ୍ତି ନାହିଁ । ଦୂରତ୍ୱରେ ପ୍ରେମରଜ୍ଜୁ ସଂପ୍ରସାରିତ ହେଉଥାଏ । ବିଦାୟର ଶୁଭବେଳାରେ ମିଳନର ଅବସାନ ଆସେ; କିନ୍ତୁ ସେଥି ସଙ୍ଗେ ପ୍ରାଣର ଆକର୍ଷଣଟି ଆସ୍ତେ ଆସ୍ତେ ବୃଦ୍ଧି ପାଏ । ଯେତେ ଦୂରକୁ ଜଣେ ଜଣକଠାରୁ ଅନ୍ତର ହୋଇ ଚାଲିଯାଏ, ପ୍ରେମର ଅଦୃଶ୍ୟ ବନ୍ଧନ ଦୁହିଁଙ୍କୁ ସେତିକି ପରିମାଣରେ ଆବଦ୍ଧ କରିଦିଏ । ପ୍ରକୃତ ପ୍ରେମରେ ମିଳନର ମାତ୍ରାଟା ଖୁବ୍ କମ୍ । ଗୋଟାଏ ଅନ୍ତରାଳରେ ରହି ଦୁଇଟି ଭାବଧାରା ଗତି କରୁଥାଏ । ପୂର୍ଣ୍ଣତା ଆସିଲେ ଦୁଇଟିଯାକ ଏକ ହୋଇଯାନ୍ତି, କାହାରି ଅବସାନ ହୁଏ ନାହିଁ ।

 

ଅବସାନରେ ପ୍ରକୃତିର ଶାନ୍ତ ଓ କମନୀୟ ଭାବ ପ୍ରକଟିତ ହୁଏ । ସମ୍ପର୍କର ମଧୁରତା ଗ୍ରହଣ ପାଇଁ ଯେତେବେଳେ ଉନ୍ମୁକ୍ତ ହୋଇ ରହେ ଓ ଜଣେ ଆଗନ୍ତୁକର ପ୍ରତୀକ୍ଷାରେ ମନୁଷ୍ୟ ପ୍ରକୃତିର ନୀରବ ବାଣୀ ସହିତ ନିଜର ଗୋପନ-ଆତ୍ମବାଣୀକୁ ଗୋଟାଏ ସମତାନରେ ମିଳାଇଦେବାକୁ ବସେ, ସେତେବେଳେ ଅବସାନର ଛାୟାଟି ବଡ଼ ଆଦରଣୀୟ ହୁଏ । ଜନ୍ମାନ୍ତରର ଅଜ୍ଞାତ ଆକର୍ଷଣ ଏହି ଛାୟା ସଙ୍ଗରେ ଆସି ହୃଦୟରେ କୋମଳ ଆଘାତଟିଏ ଦେଇ ଦୂରକୁ ଅପସରିଯାଏ ।

 

ମନୁଷ୍ୟ କେବଳ ପ୍ରକୃତିର ସେହି ନୀରବ ଦୃଶ୍ୟଟି ଦେଖି ତୃପ୍ତ ହୋଇ ରହେ । ପ୍ରକୃତିର ପ୍ରଶାନ୍ତ ଭାବ ଦେଖିଲେ ହୃଦୟର ଉଦ୍ଦାମ ଭାବ ଚାଲିଯାଏ, ଅତୀତର ସୁଖ-ସ୍ମୃତି ଜାଗ୍ରତ ହୁଏ । ମନୁଷ୍ୟ ପୁରାତନକୁ ନୂତନତ୍ୱର ଛାଞ୍ଚରେ ଗଢ଼ିନିଏ । ଯାହାର ସାମୀପ୍ୟ ଦିନେ ମନରେ ସଙ୍କୋଚ ଆଣୁଥିଲା ଓ ଯାହାକୁ ନିଭୃତରେ ଆରାଧନା କରି ମନ ଅସୀମ ଆଡ଼କୁ ଧାବିତ ହେଉଥିଲା, ତାକୁ ଅତୀତ ଲୁଚାଇ ରଖିଥାଏ; କିନ୍ତୁ ଅବସାନରେ ପ୍ରକୃତି ଯେ ଭାବ ଧାରଣ କରେ, ସେଥିରେ ଅତୀତର ରୁଦ୍ଧଦ୍ୱାରଟି ଉନ୍ମୁକ୍ତ ହୁଏ, ପୁରୁଣା ବନ୍ଧୁଟି ପୁଣି ଆସି ହୃଦୟକୁ ଅଧିକାର କରେ । ପ୍ରାକୃତିକ ପରିବର୍ତ୍ତନ ସଙ୍ଗେ ଅନ୍ତରର ଭାବ ନିୟନ୍ତ୍ରିତ ହେଉ ନ ଥିଲେ ସାଂସାରିକ କୋଳାହଳ ମଧ୍ୟରେ ମନୁଷ୍ୟ ସବୁ ଭୁଲିଯାଉଥାନ୍ତା । ପ୍ରେମର ଅମୃତ ଆକର୍ଷଣ ମଧ୍ୟ ସେହି ଜଞ୍ଜାଳରେ ଲୋପ ପାଇଯାନ୍ତା । ସ୍ୱାର୍ଥପରତାରେ କାମର ପ୍ରଭାବ ବିଶେଷ ଭାବରେ ଲକ୍ଷିତ ହୁଏ । ସାଧାରଣ ମାନବ ଏହି ପ୍ରଭାବକୁ ଅତିକ୍ରମ କରିପାରେ ନାହିଁ; ତେଣୁ ଦୈନନ୍ଦିନ ଜୀବନରେ ତାର ସବୁ ଆୟାସ ବ୍ୟୟିତ ହୋଇଯାଏ ଓ ପ୍ରକୃତି ସଙ୍ଗେ କୌଣସି ସମ୍ପର୍କ ରଖିବାକୁ ସେ ପରାଙ୍‌ମୁଖ ହୁଏ । ଅନେକେ କହନ୍ତି, ଭାବ-ପ୍ରବଣ ଚିତ୍ତ ସାଂସାରିକ ଜଟିଳ କାର୍ଯ୍ୟ ସମ୍ପାଦନ ସକାଶେ ଉପଯୁକ୍ତ ନୁହେଁ-। ଏହି ଉକ୍ତିଟି ଯଦି ସତ୍ୟ ହୁଏ ଓ ମନୁଷ୍ୟତ୍ୱର ପରିଚୟ ଦେବା ପାଇଁ କେବଳ ସଂସାରକ୍ଷେତ୍ରରେ ମନୋନିବେଶ କରାଯାଏ, ତାହା ହେଲେ ଗୋଟାଏ ଶୁଷ୍କତାରେ ସାରା ଜୀବନଟି ଅତିବାହିତ ହୋଇଯିବ । ଯନ୍ତ୍ରବିତ୍ ଚାଳିତ ହୋଇ ମନୁଷ୍ୟ ଆହାର ବିହାର ପ୍ରଭୃତି କରିପାରେ; କିନ୍ତୁ ତାର ଚରମ ଲକ୍ଷ୍ୟ କଅଣ ଏହି ସାଂସାରିକ ସୀମା ମଧ୍ୟରେ ଆବଦ୍ଧ ? ଆଜି ପାଶ୍ଚାତ୍ୟ ସଭ୍ୟତା ଜଡ଼ବିଜ୍ଞାନକୁ ଯେଉଁ ପରିମାଣରେ ଦୃଢ଼ କରି ଧରିଛି, ସେଥିରେ କୋମଳତାର ସ୍ଥାନ ନାହିଁ କହିଲେ ଚଳେ । ମନୁଷ୍ୟର ଭାବଧାରା ଗୋଟାଏ ନିର୍ଦ୍ଦିଷ୍ଟ ମାର୍ଗକୁ ବେଶି ଦିନ ଅନୁସରଣ କରିପାରେ ନାହିଁ । ଏହା ଯଦି ହୋଇ ନ ଥାନ୍ତା, ତାହା ହେଲେ କବି କିମ୍ବା ଭାବୁକର ସମସ୍ତେ ହେୟ ମନେ କରୁଥାନ୍ତେ-। କୋମଳତା ଓ କର୍କଶତାର ସମ୍ମିଶ୍ରଣରେ ଯଦି ସଂସାରଟି ଗଢ଼ା ହୋଇ ନ ଥାନ୍ତା, ତାହା ହେଲେ ପ୍ରଚଳିତ ବସ୍ତୁବାଦ ଚିରଦିନ ଗୋଟାଏ ଭାବରେ ମନୁଷ୍ୟର ମନକୁ ଟାଣି ରଖନ୍ତା । ପ୍ରକୃତରେ ଦେଖିବାକୁ ଗଲେ ଜଗତରେ ସମସ୍ତଙ୍କର ସ୍ଥାନ ଅଛି । ଯୁଗର ପ୍ରଭାବ ଅନୁସାରେ ଗୋଟିକର ପ୍ରତିପର ବେଳେ ଅପରର ନ୍ୟୂନତା ଉପଲବଧି କରାଯାଇପାରେ; କିନ୍ତୁ କେହି ବାଦ୍ ଯାଏ ନାହିଁ । ବିବିଧ ପ୍ରାକୃତିକ ଶୋଭାବିସ୍ତୃତିରେ ଅବସାନ ଯେଉଁ ସ୍ତରଟି ନିର୍ମାଣ କରେ, ତାକୁ ଆଧୁନିକ ବୈଜ୍ଞାନିକ ବାଦ୍ ଦେଇପାରିବ ନାହିଁ ।

 

କଳା-କୌଶଳରେ ଅବସାନର ଚିତ୍ରଟି ଗୋଟିଏ ବିଶିଷ୍ଟ ଉପାଦାନ । ଦୂର ଦିଗ୍‌ବଳୟରେ ସୂର୍ଯ୍ୟାସ୍ତର ରଞ୍ଜିତ ଆଭା ଦୂର ପର୍ବତ ଗାତ୍ରରେ ଶ୍ୟାମଜିତ ଅସ୍ପଷ୍ଟ ତରୁରାଜି ଉପରେ ପ୍ରତିଫଳିତ ହୋଇ ଯେଉଁ ମନୋହର ଚିତ୍ରଟି ସୃଷ୍ଟି କରେ, ତାକୁ ଚିତ୍ରକର ତାର କଳାକୌଶଳରେ ଆଙ୍କି ଦିଏ । ସୂର୍ଯ୍ୟାସ୍ତର କମନୀୟ ଦୃଶ୍ୟ ବେଶି କ୍ଷଣ ସ୍ଥାୟୀ ହୋଇ ରହେ ନାହିଁ; କିନ୍ତୁ ଭାବୁକର ଭାବରାଜ୍ୟରେ ତାର ପ୍ରଭାବ ଅଳ୍ପ ସମୟ ପାଇଁ ନୁହେଁ । ପ୍ରକୃତିର ସେହି ଅନିନ୍ଦ୍ୟ ଶୋଭା ଦର୍ଶନରେ ମନୁଷ୍ୟ ଶତ ଯାତନା ଭୁଲିଯାଏ । ଦର୍ଶନର ମାହେନ୍ଦ୍ର ମୁହୂର୍ତ୍ତକୁ ସ୍ଥାୟୀ କରିବା ପାଇଁ ଚିତ୍ରର ଅବତାରଣା । ଗୋଟିଏ ବିଶିଷ୍ଟ ଦିନର ପ୍ରାକୃତିକ ସୌନ୍ଦର୍ଯ୍ୟ କଳା ସାହାଯ୍ୟରେ ବହୁଯୁଗବ୍ୟାପୀ ସ୍ଥାୟିତ୍ୱ ଲାଭ କରେ । ମନୁଷ୍ୟ କଳ୍ପନାବଳରେ ମହତ୍‌କୁ ସୀମାବଦ୍ଧ କରିପାରେ । ବିରାଟ ପ୍ରକୃତିର ନଗ୍ନ ଅବସାନ ମୂର୍ତ୍ତିକୁ ସାମାନ୍ୟ ତୂଳିକା କେବଳ ଅନୁଭୂତି ବୈଶିଷ୍ଟ୍ୟରେ ପ୍ରକାଶ କରିଦିଏ । ପ୍ରାକୃତିକ ସୌନ୍ଦର୍ଯ୍ୟ ବ୍ୟତୀତ ଭାବବିନିମୟରେ ଯେଉଁ ଶାରୀରିକ ଆକର୍ଷଣ ଅନୁଭୂତି ହୋଇଥାଏ, ତାକୁ ମଧ୍ୟ ଅଙ୍କନ ପ୍ରଣାଳୀ ସ୍ପଷ୍ଟ ଭାବରେ ପ୍ରକାଶ କରିଦିଏ । ଦୁଇ ଜଣଙ୍କର ଦୀର୍ଘ ଏକତ୍ରାବସ୍ଥାନରେ କିଛି ବିଶେଷତ୍ୱ ନାହିଁ; କିନ୍ତୁ ସମପ୍ରେରଣାର ଅଧୀନ ଦୁଇ ଜଣ ଯେତେବେଳେ ପରସ୍ପରଠାରୁ ବିଚ୍ଛିନ୍ନ ହୁଅନ୍ତି, ସେତେବେଳେ ମୁଖର ମୌନଭଙ୍ଗୀ ହୃଦୟର ଦାରୁଣ ବେଦନାକୁ ଅପ୍ରକାଶ୍ୟରେ ବ୍ୟକ୍ତ କରେ । ସାଧାରଣ ଦୃଷ୍ଟି ଏହାକୁ ଲକ୍ଷ୍ୟ କରି ନ ପାରେ; କିନ୍ତୁ ଚିତ୍ରକରର ସୂକ୍ଷ୍ମ ଦୃଷ୍ଟିରେ ଜୀବନ-କାବ୍ୟର ଏହା ଗୋଟାଏ ବିରାଟ ଅଧ୍ୟାୟର ସମାପ୍ତି । ମନୁଷ୍ୟର ଶାରୀରିକ ଆକର୍ଷଣର ଅବସାନରେ ଅନ୍ତର ଯେଉଁ ଉପାଦାନ ସଞ୍ଚୟ କରିଦେଇଯାଏ, ସେଥିରେ କଳାର ଅପୂର୍ଣ୍ଣତା ଅନେକ ପରିମାଣରେ ଦୂର ହୁଏ ।

 

ଅବସାନରେ ସୃଷ୍ଟିର ସୌନ୍ଦର୍ଯ୍ୟ ନିହିତ । ଗୋଟିଏ ଦୃଶ୍ୟ କିମ୍ବା ଭାବରେ ଜଗତ୍ ଆବଦ୍ଧ ନୁହେଁ । ସୌନ୍ଦର୍ଯ୍ୟର ମାପକାଠିରେ ଅବସାନ ଗୋଟିଏ ଗୋଟିଏ ଚିହ୍ନ ରଖି ଦେଇଯାଏ । ଏହି ଚିହ୍ନଗୁଡ଼ିକ ସାହାଯ୍ୟରେ ଅତୀତ ଓ ବର୍ତ୍ତମାନର ସାଧାରଣ ସୂତ୍ରଟି ପ୍ରକାଶିତ ହୁଏ । ଦିବାସାନରେ ରାତ୍ରି ଆସେ । ଦିବସର ସୌନ୍ଦର୍ଯ୍ୟ ଚାଲିଯାଏ; ରାତ୍ରି ତାକୁ ଭିନ୍ନ ଆକାରରେ ପ୍ରକାଶ କରେ । ଅତୀତରେ ଯେ ଭାବ ପ୍ରବଳ ଥିଲା, ଆଜି ତାହା ହିଁ ଅଛି; କେବଳ ପରିବର୍ତ୍ତନ ଘଟିଛି ମନୁଷ୍ୟର ଗ୍ରହଣ-ପ୍ରଣାଳୀରେ । ନାରୀ ଓ ପୁରୁଷର ସମ୍ପର୍କ ଚିରଦିନ ସମାନ ଅଛି । ଅବସାନ ଘଟିଛି ଦୁହିଁଙ୍କର ଅତୀତ ଭାବବିନିମୟରେ । ବିରହର ମୌଳିକ ଭାବ ସମାନ ଥିଲେ ସୁଦ୍ଧା ପ୍ରକାଶ-ପ୍ରଣାଳୀରେ ବ୍ୟତିକ୍ରମ ଘଟିଛି । ଏପରି ବ୍ୟତିକ୍ରମ ଘଟିବା ମଧ୍ୟ ବାଞ୍ଛନୀୟ । ଗୋଟିଏ ଅତି ପୁରାତନ ରାଗିଣୀରେ ଗାନର ମାଧୁରୀ ପ୍ରାଣସ୍ପର୍ଶୀ ହୁଏ ନାହିଁ । ଯେଉଁ ସ୍ୱରକୁ ମନୁଷ୍ୟ ବହୁ ଦିନୁ ଶୁଣି ଆସିଲାଣି । ତାକୁ ଟିକିଏ ଭିନ୍ନ ତାନରେ ମିଳାଇ ନେବାକୁ ଇଚ୍ଛା କରେ । ଅତୀତରେ ନାରୀ ଥିଲା ପୁରୁଷହୃଦୟର ଅଧିଷ୍ଠାତ୍ରୀ ଦେବୀ, ଆଜି ମଧ୍ୟ ସେ ସେହିଠାରେ ଅଛି; କିନ୍ତୁ ବିଲୟ ଘଟିଛି ତାର କେତେଗୁଡ଼ିଏ ବାହ୍ୟ ବେଷ୍ଟନୀରେ । ପୁରାଣର ଯୁଗ ଚାଲିଗଲାଣି; କିନ୍ତୁ ତା ପରିବର୍ତ୍ତରେ ଉପନ୍ୟାସର ଯୁଗ ଆସିଲାଣି । ପୁରାଣ ଯେ ରୀତିରେ ସମାଜକୁ ଗଢ଼ୁଥିଲା, ଉପନ୍ୟାସ ତାକୁ ଅନୁସରଣ କରୁ ନାହିଁ; ଜଳସ୍ରୋତ ନିମ୍ନକୁ ଗତି କଲାବେଳେ ବକ୍ରତାରେ ରୁଦ୍ଧ ହୋଇ ରହେ ନାହିଁ; ମନୁଷ୍ୟର ଭାବଧାରାଟି ମଧ୍ୟ ସେହିପରି କୌଣସି ବିଶିଷ୍ଟ ବେଷ୍ଟନୀର ଅପେକ୍ଷା ରଖେ ନାହିଁ । ଗତିର ବ୍ୟତିକ୍ରମ ବେଳେ ଅବସାନ ଆସି ଗୋଟିଏ ଦାଗ ଦେଇଯାଏ । ଏହି ଚିହ୍ନଗୁଡ଼ିକର ସଂଯୋଜନା ସୌନ୍ଦର୍ଯ୍ୟାନୁଭୂତିରେ ସାହାଯ୍ୟ କରେ । ପ୍ରାକୃତିକ ଦୃଶ୍ୟ ସମ୍ବନ୍ଧରେ ଏହି ନିୟମ ପ୍ରଯୋଜ୍ୟ ନୁହେଁ; କାରଣ ପ୍ରକୃତି ପୃଥକ୍ ରହି ମନୁଷ୍ୟ ଉପରେ ତାର ପ୍ରଭାବ ବିସ୍ତାର କରେ । ମନୁଷ୍ୟର ଇଚ୍ଛାନୁସାରେ ପ୍ରାକୃତିକ ଦୃଶ୍ୟମାନଙ୍କର ଅବସାନ ଘଟେ ଓ ସେମାନଙ୍କୁ ଅନୁସରଣ କରି ମନୁଷ୍ୟତାର ଭାବଧାରାକୁ ଗଢ଼ିନିଏ । ଗଢ଼ିନେଲାବେଳେ ଯେଉଁ ପାର୍ଥକ୍ୟ ରହିଯାଏ, ତାକୁ କାଳ ଅତୀତ ଓ ବର୍ତ୍ତମାନର ପରିସର ମଧ୍ୟରେ ସଜାଇ ରଖେ । ଅବସାନ ଗୋଟାଏ ଛାୟା ପାତ୍ର । ଏହି ଛାୟାର ଅନ୍ଧକାର ମଧ୍ୟରେ ଦୃଷ୍ଟି ନିକ୍ଷେପ କଲେ ସୌନ୍ଦର୍ଯ୍ୟର ଆଭାସ ମିଳେ, ତେଣୁ ସାଧାରଣ ଅନ୍ଧକାର ପରି ଏହା ଭୟାବହ ନୁହେଁ । ଜଗତର ଚିତ୍ରଶାଳାରେ ମନୁଷ୍ୟର କଳ୍ପନା-ଭାବମୟୀ ପ୍ରତିକୃତିକୁ ଏହା ଯଥେଷ୍ଟ ସାହାଯ୍ୟ କରେ ।

Image